Unknown

 

 

 

 

 

 

 

 

 

ପରୀ

କାହ୍ନୁଚରଣ ମହାନ୍ତି

 

 

ପାଞ୍ଚ ବରଷର ଦୁର୍ବଳିଆ ପିଲାଟି ପରୀ, ମା ଛଡ଼ା ଦୁନିଆଁରେ ଆଉ କାହାକୁ ଚିହ୍ନେ ନାହିଁ, ଜାଣେ ନାହିଁ । ଆଉ କେହି ତାର ନାହାନ୍ତି । ସେ ମାଆକୁ ମାଆ ବୋଲି ଡାକେ । ଦୁନିଆଁରେ ଆଉ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଡାକେ ବାବୁ ବୋଲି । ସବୁ ମାଇପେ ତାର ସାଆନ୍ତାଣୀ । ମାଅ ଯାହାକୁ ଦଣ୍ଡବତ କରିବାକୁ କହେ ସେ ତଳେ ମୁଣ୍ଡ ଲଗାଏ । ସମସ୍ତଙ୍କୁ ସେ ଭୟ କରେ । ସମସ୍ତେ କେଜାଣି କାହିଁକି ତା ଆଡ଼କୁ ରାଗିଲା ଆଖିରେ ଚାହାନ୍ତି । ସେ ଡରିଡରି ମାଆର କାନି ଧରି ପଛଆଡ଼କୁ ଘୁଞ୍ଚଆସେ । ସେଇ ତାର ଦୁର୍ଭେଦ୍ୟ ଦୁର୍ଗ ।

 

ପାଞ୍ଚବରଷର ପିଲାଟି ତ ସେ !

 

ତଥାପି, ସେ ମାଆକୁ ସାହାଯ୍ୟ କରେ । ମା ଗୁହାଳ ସଫା କଲେ ସେ ଟୋକେଇରେ ଗୋବର, ଅଳିଆକୁଟା ପୂରାଏ । ମା ବାସନ ମାଜି ବସିଲେ ସେ ପାଣି ଟେକିଦିଏ । ମା ଘରଦୁଆର ଓଳେଇଲେ ସେ ବାବୁଘର ସାନ ପିଲାଟିର ମଇଳା ସଫା କରେ । ଅଇଁଠା ସଂକୁଡ଼ି ଗୋଟାଏ । ପିଲାଛୁଆ ଛାଡ଼ି ଯାଇଥିବା ଭାତ ତିଅଣ ଆନନ୍ଦରେ ପାଦୁକ ପରି ପାଇଦିଏ । ଅସୁଖ ପାଏ ନାହିଁ । ପୋଷା ବିଲେଇ ମୁହଁକୁ ଅନେଇ ଲାଙ୍ଗୁଡ଼ ଘସି ମ୍ୟାଉଁ ମ୍ୟାଉଁ ହୁଏ । ପୋଷା କୁକୁର ଦୂରରେ ବସି ଲାଙ୍ଗୁଡ଼ ହଲେଇ ଏକା ଆଖିରେ ତା ମୁହଁକୁ ଅନେଇଁ ରହିଥାଏ । ଜିଭ କାଢ଼ି ଓଠ ଚାଟୁଥାଏ ।

 

ଟିକି ମନରେ ତାର ଅଜାଣତରେ ଗରବ ପଶେ, ବାବୁଘର ବିଲେଇ କୁକୁର ହେଲେବି ସେମାନେ ପରୀର ହାତ-ଟେକାରେ ତା ଅଇଁଠା ସଂକୁଡ଼ିରେ ଆଗ ତାର ଅଧିକାର । ହେଲେ ବିଲେଇ ତାର ବଇରି । ବେଳକାଳ ଉଣ୍ଡି କେବେ କେମିତି ମାଛ ଶୁଖୁଆ ଭଜାରୁ ଖଣ୍ଡ ଅଧେ ନେଇ ଚୋର ପରି ଖସି ପଳାଏ । ଦୋଷ ହୁଏ ପରୀର । ବାବୁଘର ତାକୁ ପଚାରନ୍ତି । ସେ ନାହିଁ କରେ । କେହି ବିଶ୍ୱାସ କରନ୍ତି ନାହିଁ । ଗାଳି ମାଡ଼ ବର୍ଷେ ତା ଉପରେ । କାନ୍ଦେ । ସହେ । ମା ମୁହଁକୁ ବଲବଲ କରି ଅନାଏ । ମା ମୁହଁ ବୁଲାଇ ଅନ୍ୟଆଡ଼େ କାମ ବାହାନାରେ ଚାଲିଯାଏ ।

 

ସମସ୍ତେ ଖାଇପିଇ ଶୋଇଲେ ମାଆ ଗୁହାଳ ଖଞ୍ଜାର ଖୋଲା ଚାଳିକୁ ଆସେ । ଅନ୍ଧାର ପକ୍ଷ ହେଉ କି ଆଲୁଅ ପକ୍ଷ ହେଉ ରାତି ଅଧରେ ନିରୋଳା ବେଳରେ ମାଆ ତାକୁ କୋଳରେ ପୂରାଇ ଶୁଏ । ଦିହ ମୁଣ୍ଡ ଆଉଁଶି ଦିଏ । ଗେଲ କରେ । ପରୀ ସବୁ ଦୁଃଖ ଭୁଲିଯାଏ । ଛୁଟ୍‌କରି ଶୋଇପଡ଼େ ।

 

ନିଦ ଭାଙ୍ଗିଲେ କେବେ କେମିତି ଜାଣେ, ମାଆ ପାଖରେ ନାହିଁ । ଆଖି ବୁଜି ହାତ ବଢ଼ାଇ ଅଣ୍ଡାଳେ, ମାଆ ନାହିଁ । ଡରିକରି ଦେହରେ ପ୍ରାଣ ନ ଥିଲା ପରି ପଡ଼ିରହେ । ନିଦ ହୁଏ । ସକାଳେ, ନିଦ ଭାଙ୍ଗିଲେ ଦେଖେ, ମାଆ ହୁଏତ କତିରେ ଶୋଇଛି, ନୋହିଲେ ଗୁହାଳ ସଫା କରୁଛି ।

 

ଦିନେ ପରୀ ସଞ୍ଜବୁଡ଼ଟାରେ ପିଣ୍ଡାରେ ବସି ଘୁମଉଛି, ପାଟିତୁଣ୍ଡ ଶୁଣି ଘୁମ ଭାଙ୍ଗିଲା । ଗୁହାଳଖଞ୍ଜାକୁ ଯାଇ ଦେଖିଲା, ତାରି ମା ଗାଳିମାଡ଼ ଖାଉଛି । ସୁଁ ସୁଁ ହୋଇ କାନ୍ଦୁଛି । ଖଞ୍ଜାରେ ବୁଢ଼ୀ, ଦରବୁଢ଼ୀ, ଟୋକୀ କେତେ ରୁଣ୍ଡ ହେଇଛନ୍ତି ।

 

କିଏ କଅଣ କହୁଛି ପରୀ ବୁଝିଲା ନାହିଁ । ଦେଖିଲା, ଆଲୁଅ ଜଳୁଛି । ମାଇପେ ସବୁ ତା ମାଆର ବାଳ ଟାଣି, ଲୁଗା ଓଟାରି, ବିଧା ଗୋଇଠା ଚାପଡ଼ା ମାରି ପାଟି କରୁଛନ୍ତି । ନିଜେ ଦରବୁଢ଼ୀ ସାଆନ୍ତାଣୀ ଛାଟ ଖଣ୍ଡେ ଧରି ପିଟି ପକାଉଛନ୍ତି । କହୁଛନ୍ତି, ଆଜି ତୁ ଯା, ଏଇଖିଣି ମୋ ଘରୁ ବାହାର ।

 

ପରୀ-ମା ଦୁଆରେ ବସି କାନ୍ଦୁଛି । ଖାଲି ସୁଁ-ସୁଁ କୋହ । ପାଟି ଫିଟାଉ ନାହିଁ, ବାଧା ଦେଉନାହିଁ ।

 

ପରୀ ଭୟରେ ଥରିବାକୁ ଲାଗିଲା । କେଉଁ ଅବେଇଜ ବିଲେଇ କି କୁକୁର ରୋଷଘରେ ପଶି ମାଛ ଶୁଖୁଆ କି ଦୁଧତକ ଖାଇ ଦେଇଥିବ ତ । ହଁ, ହେଇଟି ସାଆନ୍ତାଣୀଙ୍କର ଧଡ଼ିଆ ଧେଙ୍ଗଡ଼ ନୂଆବୋହୂ ରୋଷଘରେ କବାଟ ଦର-ଆଉଜା କରି ବସି ସୁକୁ ସୁକୁ ହେଇ କାନ୍ଦୁଛନ୍ତି । ସବୁ ସେଇ କାଳିଆ ଭୁଆ ବିଲେଇର କାଣ୍ଡ । ତାଆରି ପାଇଁ ମାଆ ଗାଳିମାଡ଼ି ଖାଉଛି ।

 

ପରୀ ଗୁହାଳ କଡ଼ ଚାଳି ଭିତରକୁ ଖସି ପଳେଇଲା । ଅନ୍ଧାରରେ ଲୁଚିବସି କାନ୍ଦିଲା । କେତେବେଳେ ତାକୁ ନିଦ ହେଇଗଲା ।

 

ରାତି ଅଧରେ ମା ତାକୁ ହଲେଇ ଉଠେଇଲା । ଅନ୍ଧାର ରାତି । ଶୁନ୍‌ଶାନ୍ । କହିଲା, ଆ ।

 

ପରୀ ଖୁସି ହେଲା । ମା ଆଉ କାନ୍ଦୁନାହିଁ । ଭାତ ଖୋଇବାକୁ ଉଠଉଛି ପରା । ଉଠି ଠିଆ ହେଲା ।

 

ଆ...

ଏଣେ କୁଆଡ଼େ ମା.... ?

ପାଟି କର ନା, ଚାଲିଆ...

ଏକାଥରେ ଖଞ୍ଜା ବାହାରକୁ ।

 

ଅନ୍ଧାର ରାତି । ନିଶା ସାଇଁ ସାଇଁ ଗର୍ଜୁଛି । ସୁଲୁ ସୁଲୁ ପବନ ବହୁଛି । ଆକାଶରେ ଅଗଣନ ତାରା । ଗଛମାନଙ୍କରେ ସାଲୁବାଲୁ ମିଟିମିଟିକା ଜୁଳୁଜୁଳିଆ ପୋକ । ଦୂରରେ କେତେ ଜାତିର ସ୍ଵର କାଢ଼ି ଭୁକୁଛନ୍ତି କୁକୁର । ପରୀକୁ ଡର ମାଡ଼ିଲା । ସେ ମାଆର ଗୋଡ଼କୁ କୁଣ୍ଢେଇ ଧରିଲା । ପରୀ ମା ତାକୁ କାଖକୁ ନେଲା । ବାଆଁ ହାତରେ ଗୁଡ଼େଇ ଧରିଲା । ଆର ହାତରେ ବୁଜୁଳା । ଗାଁ ପାରିହେଲା । ଉଠିଲା ନଦୀବନ୍ଧକୁ ।

 

ଦିନରେ ଚାଲେ । କେତେ ଗାଆଁ ଭିତରେ ପଶେ କେତେ କାହା ପିଣ୍ଡାରେ ବସେ । ଘରୁ ମାଇପେ ବାହାରି କଥା କହନ୍ତି । ଓଠ ନେଫଡ଼ନ୍ତି । ପରୀ ମା ଆଖିରୁ ଲୋତକ ପୋଛେ । ନେହୁରା ହୋଇ ପାଣି ପିଏ, ଯିଏ ଯାହା ଦିଏ ନିଜେ ଖାଏ, ପରୀକୁ ଖୁଆଏ । କଲ୍ୟାଣ କରି ଆଗକୁ ଚାଲେ-। ପରୀ ଗୋଡ଼େଇଥାଏ ପଛରେ ।

 

ଖରାଦିନ ରଜ ପରବ ଆଗରେ ଅଛି । ସଞ୍ଜ ହେଇଆସୁଛି । ପଛ ଗାଆଁ ଦୂର ଗଛଗହଳି ସେପାଖେ ଲୁଚିଗଲାଣି । ଆଗ ଗାଆଁର ଆମ୍ବତୋଟା ପାଖେଇ ଆସିଲାଣି । ସେ ବରଷ ବେଶି ଆମ୍ୱ ଆସି ନ ଥିଲା । ଯାହା ଆସିଥିଲା ସେତକ ବି ସରିଲାଣି । ଆମ୍ବତୋଟା ନିଛାଟିଆ ଲାଗୁଛି । ଅନ୍ଧାରିଆ ଦିଶୁଛି ।

 

ମାଡ଼ି ଆସିଲା ତୋଫାନ, ମାଡ଼ି ଆସିଲା ପଛରେ ଧୂମାଳ । ବରଷା ହେବ କି କ’ଣ । ପରୀକୁ କାଖକରି ତାର ମା ଗାଁ ଆଡ଼କୁ ଛୁଟିଲା, ଛୁଟିଲା ପବନ ସାଥରେ...

 

ପରୀର କି ଯାଏ ? ବରଷା, ତୋଫାନ, କୁଆପଥର, ବିଜୁଳି, ଘଡ଼ଘଡ଼ି କିଏ ତାର କଅଣ କରିପାରିବେ ?

 

କେଉଁ ଧନୀ ଲୋକର ଉଚ୍ଚ ସାଉଁଳିଆ ଚଉଡ଼ା ପିଣ୍ଡା କରକୁ ଖୋଲା ଘର ବଖୁରିଏ । ଠାକୁରଙ୍କ ବିମାନ ସେଠି ଥୁଆ ହୋଇଛି । ସେଇଠି ପରୀ ବସିଛି ମା କୋଳରେ । ଅନ୍ଧାର ଘୋଟିଗଲାଣି ।

 

ସେଇଠି–

 

ପରୀମା ସୁକୁ ସୁକୁ ହୋଇ କାନ୍ଦିଲା, କଇଁ କଇଁ ହୋଇ କାନ୍ଦିଲା । ଅନ୍ଧାରରେ ପରୀ କେବଳ ଶୁଣିଲା କାନ୍ଦଣା ଶବଦ । ଡରି ଡରି ମାଆର ଛାତିରେ ମୁହଁ ଗୁଞ୍ଚିଲା । ମାଆ ତାକୁ କୋଳକୁ ନେଲା । ବିମାନ ଆଗରେ ଚଟାଣ ଉପରେ ଶୋଇଲା । ବାହାରେ ଅବିରାମ ବର୍ଷା କୁଟୁଥାଏ, ପବନର ସ୍ଵର ଶୁଭୁଥାଏ । ମାଆ କୋଳରେ ପରୀକୁ ହେଲା ନିଦ ।

 

ଚଡ଼ଚଡ଼ିର କିଳିକିଳା ରଡ଼ିରେ ଘର ଦୁଲୁକି ଉଠିଲା । ପରୀର ନିଦ ଭାଙ୍ଗିଲା । ମାଆ କୋଳକୁ ଘୁଞ୍ଚି ଘୁଞ୍ଚି ଗଲା । କାହିଁ, ମାଆର ନରମ ଛାତିର କଅଁଳ ପରଶର ଆଭାସ ସେ ପାଉନାହିଁ-। ଭୟରେ ଆଖି ଖୋଲି ପାରୁନାହିଁ । ଟିକି ଟିକି ହାତ ଦିଓଟି ବଢ଼ାଇ ଅଣ୍ଡାଳିବାକୁ ଲାଗିଲା । କାଠ ବିମାନ ହାତକୁ ଲାଗିଲା ଟାଣୁଆଁ । ଗୋଡ଼ ତଳେ ମୂଷାଗୁଡ଼ା ଚିଁ ଚିଁ ହୋଇ ଗୋଡ଼ିଆଗୋଡ଼ି ହେଉଛନ୍ତି । ମାଆର କାନ୍ଦ ଆଉ ଶୁଭୁନାହିଁ । ପାଟି ଖୋଲି ବୋଉ ବୋଲି ଡାକି ପାରୁନି ଭୟରେ । ମନ ବୋଉ ବୋଉ ବୋଲି କେତେ ଡାକିଲାଣି ।

 

ଆଲୁଅ ଝଟକିଲା । ଚଡ଼ଚଡ଼ି ରଡ଼ି ଉଠିଲା । ପରୀ ଏଥର ସାହାସ କରି ଡାକ ଛାଡ଼ିଲା, ବୋଉ, ବୋଉ । ଉଠି ବସିଲା । ଅଣ୍ଡାଳିଲା । ବୋଉ ନାହିଁ । ପଦାକୁ ଚାହିଁଲା । ଅନ୍ଧାର ବିଲିବିଲି । ବର୍ଷା ତୋଫାନ । ପଦାକୁ ଯିବାକୁ ସାହାସ ହେଲା ନାହିଁ । ବୋଉ ନାମ ଧରି କାନ୍ଦିବାକୁ ମନ ହେଲା-। କାନ୍ଦି ପାରିଲା ନାହିଁ । ବାବୁଘର ଦାଣ୍ଡ କବାଟ ଖୋଲିବାର ଶବ୍ଦ ହେଲା । କବାଟ ଖୋଲିଲା । କିଏ ଜଣେ ପଦାକୁ ଆସିଲା । ହାତରେ ନଲଟଣ ଆଲୁଅ ।

ମାଇପିଟିଏ । ପରୀ ପଦାକୁ ଚାହିଁଲା । ଡରିକରି ଖୋଲା ଥିବା କବାଟ ପଛକୁ ଘୁଞ୍ଚିଗଲା କବାଟରେ ଗୋଡ଼ ବାଜି ଠକ୍ କରି ଶବଦ ହେଲା । ପରୀ ଆହୁରି କବାଟ ଉହାଡ଼କୁ ଘୁଞ୍ଚି ଆସିଲା । ମାଇପିଟି ଆଲୁଅ ଧରି ଏଣେ ତେଣେ ଚାହିଁଲା । ନଜର ପଡ଼ିଲା ସେଇ ଘର ଉପରେ । ବଡ଼ ପାଟିକରି ସେ କହିଲା, ଆରେ, ଏ ଘରଟା ଖୋଲା ଅଛି....

ପାଖକୁ ଆସିଲା । ଭିତରକୁ ଆଲୁଅ ଦେଖାଇ ଚାହିଁଲା । ଭୟରେ ପରୀ ଗୋଟାଛାଏଁ ଥରୁଥାଏ ।

କିଏ ଲୋ ତୁ ?

ଏଥର ପରୀ ଭୟର ପାରାବାରରେ କିନାରା ଦେଖିଲା । ସେ କାନ୍ଦି ଉଠିଲା,ବୋଉ ଲୋ.......

ରାଈର ନିଦ ଭାଙ୍ଗିଲା । ଆଲୁଅ ଜଳୁଛି । ମଶିଣା ଉପରେ ତା ପାଖରେ ଦୁରେଇ କରି ଚିତ୍‌ହୋଇ ଶୋଇଛି ସତର ଝିଅ ପରୀ । ଗୋଟିଏ ହାତ ଛାତି ଉପରେ । ଆର ହାତଟି ମୁଣ୍ଡ ତଳେ-

ବିଳିବିଳଉଛି । ବିକଟାଳ ଚିତ୍କାର କରୁଛି । ଏ ଘରେ ଆଶ୍ରା ନେବା ଦିନରୁ ପରୀର ଯୁଗଟିଏ କଟିଗଲାଣି । ରାଈ ତାକୁ ପ୍ରଥମେ ଦେଖିଥିଲା । ହାତଧରି ବିମାନ ଘରୁ ପାଞ୍ଚ ବରଷର ଶଙ୍ଖ କଣ୍ଢେଇ ପରି ପିଲାଟାକୁ ପଦାକୁ ଟାଣିଆଣି ରାଗ ତମ ତମ ହୋଇ ପଚାରି ଥିଲା, କିଏ ଲୋ ତୁ, ତୋ ମା କାଇଁ । ମଲାମର, ଏମିତି କାନ୍ଦୁଛୁ କାହିଁକିବା ?

 

ସେଇ ପରୀ ଏ ଆକାଶରୁ ପରୀ ରାଇଜରୁ ଖସି ପଡ଼ିଥିଲା ପରା ! ଦୁର୍ଗମ ରାତି । ଅନ୍ଧାର ରାତି । ଝଡ଼ ବର୍ଷା ପିଲାଟାର କାନ୍ଦରେ ସମସ୍ତଙ୍କର ନିଦ ଭାଙ୍ଗିଲା ।

 

ରାତି ପାହିଲା । ଝଡ଼ ବରଷା ଥମିଲା । କିଏ ତାର ମା, କେଉଁଠୁ ଆସିଥିଲା, କୁଆଡ଼େ ଗଲା, କେହି କହିପାରିଲେ ନାହିଁ । ସମସ୍ତେ ଆଶା କଲେ, ସେ ଫେରିଆସି ଝିଅଟାକୁ ନେଇଯିବ । କେତେ ବୁଝାସୁଝା କରି ତାକୁ ପଖାଳ ତାଟିଆଏ ଖୋଇ ଘରର ଘରଣୀ ମଙ୍ଗଳା ତୁଣ୍ଡରୁ କଥା କାଢ଼ିଲେ...

 

ମୋ ନାଁ ପରୀ–

ମୋ ମା ନାଁ ପରୀମା–

ଭଣ୍ଡାରୁଣୀ–

ବାପା ମରିଛି–

 

ପରୀର ମା ଆସିଲା ନାହିଁ । ସାତ ବରଷର ଗେହ୍ଲା ଝିଅ କୁନ୍ତଳାର ପରୀ ହେଲା ଖେଳର ସାଥୀ ।

 

ବଡ଼ ପୁଅ କୁବେର । ଚଉଦ ପନ୍ଦର ବର୍ଷର ପିଲା । କଟକରେ କେଉଁ ସ୍କୁଲରେ ପାଠ ପଢ଼େ । ଛୁଟିରେ ଆସେ ଘରକୁ । ପରୀକୁ ଦେଖ ନାକ ଟେକେ । ଚିଡ଼ି ଚିଡ଼ି ହୁଏ । କହେ, କି ଘର ପିଲାଟା ସେ, ଅସନା ଅପରିଷ୍କାର, କୁନ୍ତଳା ସଙ୍ଗେ ଛାଡ଼ିବା ଭଲ ନୁହେଁ ମା !

 

ମଙ୍ଗଳା ବୁଝାଇ କହନ୍ତି, ମଣିଷ ପିଲା ଅସାର ନୁହଁନ୍ତିରେ ବାପ, ମଣିଷ ପିଲାକୁ ନିନ୍ଦିବ ନାହିଁ, ଅସୁଖ ପାଇବ ନାହିଁ ।

 

ପିତା ଶଙ୍କର ମୁଡ଼କେଇ ହସନ୍ତି ।

ଦାଦି ମକର ମୁହଁ ଲଦି ବସନ୍ତି ।

ଖୁଡ଼ୀ ମୁହଁ ମୋଡ଼ନ୍ତି ।

କୁନ୍ତଳା ପରୀର ହାତ ଧରି ଟାଣେ ।

 

ରାଈ ଚାହିଁଲା ପରୀ ମୁହଁକୁ । ସେ ପୁଣି ସ୍ୱପ୍ନରେ ଓଠ ଥରା କାନ୍ଦୁଛି । ବେଳେ ବେଳେ ସେ ଏମିତି କାନ୍ଦେ । ରାକ୍ଷାସୁଣୀଟା । କେଜାଣି ବା, କେଉଁ ଦେବତା, ପ୍ରେତ କି ବ୍ରହ୍ମଦୈତ୍ୟ ତାକୁ ମାଡ଼ି ବସନ୍ତି । ସେ ବିକଳ ହୋଇ କାନ୍ଦେ । ପଚାରିଲେ କିଛି କହେ ନାହିଁ । ବଲ ବଲ କରି ଏଣେ ତେଣେ ଅନାଁଏ, ଯେପରି କାହାକୁ ଖୋଜୁଛି ।

 

ସେହି ବ୍ରହ୍ମରାକ୍ଷସ କି ପ୍ରେତ ପରୀର କିଛି କରିପାରୁ ନାହିଁ । ହେଲେ, ବାର ବରଷ ଭିତରେ କେତେ ଲୋକଙ୍କୁ ଖାଇଲାଣି । ନନ୍ଦପୁରରୁ ଏଇ ବାର ବରଷ ଭିତରେ ଯେତେ ଲୋକ ମଲେଣି ଆଙ୍ଗୁଠିରେ ପବ ଗଣିଲେ ଅଣ୍ଟିବ ନାହିଁ । ଏ ଘର ଉପରକୁ ବି ଆପଦ ମାଡ଼ି ଆସିଛି । ଆଗ ଘରର ଘରଣୀ ମଙ୍ଗଳା ମଲେ । ବରଷ ପାଞ୍ଚଟା ନ ପୁରୁଣୁ ଘରର କର୍ତ୍ତା ଶଙ୍କର ଗଲେ । ବରଷେ ହେଲା କୁନ୍ତଳା ବାହା ହୋଇଗଲା; ନୋହିଲେ ତାର କଅଣ ହୋଇଥାନ୍ତା କିଏ କହିବ ? ଭେଣ୍ଡା ପୁଅ କୁବେର ପାଠ ପଢ଼ି ପଢ଼ି ଦରବୁଢ଼ା ହେଲା । ପଇସାଟିଏ ରୋଜଗାର କରୁନାହିଁ । ଘର କଥା ବୁଝୁନାହିଁ । ବାହା ହେବାକୁ ଅମଙ୍ଗ । ଏଇ ପିଶାଚୁଣୀଟା କଣ ସେଥକି ଦାୟୀ ନୁହେଁ ?

 

ସାନ ପୁଅ ବିଦୁର, ଆଠ ବର୍ଷର । ଫୁଲନାଡ଼ କରି ମଙ୍ଗଳା ସାନ ଜା ହାତକୁ ଟେକି ଦେଇଥିଲେ । ତାର କଣ୍ଟା ଦୋହଲୁଛି । ଯେତେ ଔଷଧ ଖାଇଲେ ଉପକାର ହେଉନାହିଁ । ଏଇ ପରୀ ସାଙ୍ଗରେ ଯେଉଁ ବ୍ରହ୍ମରାକ୍ଷସଟା ଆସିଛି ସେଇ ତାର ରକ୍ତ ଶୋଷି ଖାଉଥିବ । ଏକା ରାଈର ଜନ୍ମକଲା ପୁଅ ଆକୁଳି, କୋଡ଼ିଏ ବର୍ଷର ଭେଣ୍ଡା; ବ୍ରହ୍ମରାକ୍ଷସର କୋପରୁ ବଞ୍ଚି ରହିଛି । ରାଈ ସେଥିକି ଆଗରୁ ସତର୍କ । ଆହା, ବାପଛେଉଣ୍ଡ ପିଲାଟା ! କାଳେ କେଉଁଠି ଡରିବ ବୋଲି ପିଲାଟି ଦିନରୁ ତାର ଦୁଇ ହାତରେ ଦୁଇଟା ଅଷ୍ଟଧାତୁର ଡେଉଁରିଆ ବାନ୍ଧି ଦେଇଛି ।

 

ହେଇ, ପରୀ ବିଳିବିଳଉଛି । ସଜଫୁଟା ମଲ୍ଲୀଫୁଲ ପରି ସୁନ୍ଦର ଧୋବ ଫରଫର ମୁହଁଟି କେଡ଼େ ବିକୃତ ଦିଶୁଛି । ଶୋଇଲା ମୁହଁରେ କାନ୍ଦ କାନ୍ଦ ଭାବ, ମଲା ମଣିଷର ଦେହ ପରି ଦେହଟା ଅଚଳ ହୋଇପଡ଼ିଛି । ହଲଚଲ ନାହିଁ ।

 

ରାଈ ପଦାକୁ ଚାହିଁଲା । ଅନ୍ଧାର । ନିଶବଦ । ନିଶା ଗର୍ଜୁଛି । ଏତିକିବେଳେ ସେପୁରର ଲୋକମାନେ ଏ ପୁରକୁ ଆସନ୍ତି । ଯେଉଁମାନେ ସେମାନଙ୍କ ଆତ୍ମୀୟ ଛାଡ଼ି ଯାଇଥାଆନ୍ତି ସେମାନଙ୍କ ଦେହରେ ବସି, ମନରେ ପଶି ସପନ ଦେଖାନ୍ତି । ଆଶା ଦୁରାଶାର ମୋହ କି କୋହରେ ହସାନ୍ତି, କନ୍ଦାନ୍ତି ।

 

ରାଈ ଆଲୁଅ ତେଜିଲା । କବାଟ ଆଉଜାଇଲା । ଚାଞ୍ଚୁଣିରୁ ଖଣ୍ଡେ ଛିଣ୍ଡାଇ ହାତରେ ଧରିଲା । ଲୁହା ଟିକେ ପାଖରେ ଥିଲେ ମଣିଷର ଭୟ ନାହିଁ । ଭୂତ ପ୍ରେତ କେହି ପାଖରେ ପଶନ୍ତି ନାହିଁ । ଦୂରେଇ ରହନ୍ତି । ଏଥର ସେ ପରୀକୁ ଉଠାଇବ ଏଇ, ସେ ହସୁଛି । ଭିଡ଼ିମୋଡ଼ି ହେଉଛି । ଏତିକିବେଳେ ।

 

ପରୀ, ହେ ପରୀ, ପରୀ...

 

ରାଈ ତାକୁ ହଲାଇ ଦେଲା । ଉଁ ଉଁ ହୋଇ କଡ଼ ମୋଡ଼ି ପରୀ ଆଖି ଖୋଲିଲା । ଯାହାକୁ ସେ ସପନ ଦେଖୁଥିଲା ସେ ଆସିନାହିଁ । ରାଈ ! ପରୀ ଚାରିପାଖକୁ ଚାହିଁଲା । ନା, ଏ ବିମାନ ନୁହେଁ । ପବନ, ବର୍ଷା, ବିଜୁଳି ଘଡ଼ଘଡ଼ି ନାହିଁ ।

 

ଉଠି ବସିଲା । ନିଜକୁ ଚାହିଁଲା । ଆରେ, ସେ ପାଞ୍ଚ ବରଷର ନଙ୍ଗଳା ପିଲା ନୁହେଁ । ଦେହରେ ଛିଣ୍ଡା କୋତରା କନ୍ଥା ଗୁଡ଼େଇ ହୋଇ ନାହିଁ । ଶୀତରେ ଥୁରୁଥୁରୁ କମ୍ପୁ ନାହିଁ । ସେ ବଡ଼ ହେଇଛି !

 

ଲାଜରା ହେଲା ଧୋବ ଫରଫର ଶାଢ଼ୀଟିକୁ ସଜାଡ଼ି ଦେଲା ଦେହରେ । ହାତରେ ନାଇଥିବା ରୂପାକାଚ ଦି ଦିପଟି ଝମକି ଉଠିଲା । ବେକର ସରୁ ସୁନା ହାରଟି ଆଲୁଅରେ ଚମକି ଉଠିଲା । କାନରେ ରଙ୍ଗ ପଥରବସା ସୁନାଫୁଲ ଦିଓଟିର ଅସ୍ତିତ୍ୱ ଅନୁଭବ କଲା । ବୁଝିଲା, ଯେଉଁ ସପନ ସେ ଦେଖୁଥିଲା, ସେ ତାର ଗତ ଜୀବନର କଥା । ବାର ବରଷ ବାର ଦଣ୍ଡ ପରି ଅତୀତ ହୋଇଛି ।

 

ହଁ, ସମୟ ଅତୀତ ହୋଇଛି । ଯିଏ ଜନମ ଦେଇଥିଲା, ଦେହର ପରଶ, ଛାତିର ରସ ଦେଇ ବଞ୍ଚାଇ ଆଣିଥିଲା, ବାର ପିଣ୍ଡାରେ ଆଶ୍ରା ନେଇ ମାଡ଼ଗାଳି ସହି ତାକୁ ଘଣ୍ଟ ଘୋଡ଼ାଇ ରଖୁଥିଲା, କେଜାଣି କାହିଁକି ସେଇ ପୁଣି ଦିନେ ଦୁର୍ଗମ ରାତିରେ ତାକୁ ଏକୁଟିଆ ଛାଡ଼ି କେଉଁଆଡ଼େ ଚାଲିଗଲା । ସତେ କି ସେଦିନର ସେଇ ବର୍ଷା ପବନ ବିଜୁଳି ସାଥିରେ ମିଶିଗଲା । ଫେରିଲା ନାହିଁ-

 

ଫେରିବ ନାଇଁ । ଫେରିଲେ ମଧ୍ୟ ପରୀ ତାକୁ ଚିହ୍ନିବ ନାହିଁ । କିଏ ସିଏ ? କଅଣ ତାର ନାମ ? କାହାର ସେ ଝିଅ ? କାହାର ଘରଣୀ ? କି ଜାତି ?

 

ପରୀ ତାର ଉଆଁସୀ ଅନ୍ଧାର ଉଜାଣି ଅତୀତର ଲିଭିଲା ସ୍ମୃତି ଆଡ଼କୁ ଭାବନା ବଢ଼ାଏ । ଭାବନା ଅନ୍ଧାରରେ ଅଣ୍ଡାଳି ହୋଇ ଫେରେ । ସେ ବୁଝେନାହିଁ, ସେ କିଏ । ଭଣ୍ଡାରି ଘରର ଝିଅ, କେବଳ ଏତିକି ସେ ଶୁଣିଛି । ସମସ୍ତେ ସେଇଆ ବୋଲି ଗ୍ରହଣ କରିନେଇଛନ୍ତି ।

 

କେବେ କେବେ ସେ ତାର ସେଇ ଜନମ ଦେଲା ବାରଦୁଆରୀ ଦୁଃଖିନୀ ଜନନୀକୁ ସପନ ଦେଖେ । ହସେ । କାନ୍ଦେ । କୁନ୍ତଳାର ଗୋଡ଼ତଳେ ସେ ଶୋଇଥାଏ । ରାତି ଅଧର ବିଳିବିଳାରେ କୁନ୍ତଳାର ନିଦ ଭାଙ୍ଗେ । ସେ ଭୟରେ ପାଟିକରି ଉଠେ । ତା ପାଟି ଶୁଣି ରାତି ଅଧରେ ହାଉ ହାଉ ହୋଇ ସମସ୍ତେ ଉଠନ୍ତି । କୁନ୍ତଳାର ମା ଖୁଡ଼ୀ ପରୀକୁ କେତେ କଥା ପଚାରନ୍ତି । ସେ ସତ କଥା କହେ । କେହି ବିଶ୍ୱାସ କରନ୍ତି ନାହିଁ । ଖୁଡ଼ୀ ପିଠିରେ ଲଦନ୍ତି ଗୋଇଠା । ମା ଆକଟି କହନ୍ତି, ଥାଉ ପିଲାଟା । କୁନ୍ତଳା କୁଣ୍ଢାଇ ପକାଏ ପରୀକୁ । କହେ ତାର କି ଦୋଷ ଖୁଡ଼ୀ, ମୁଁ ସିନା ବିଳିବିଳେଇଲି-

 

ପରୀ ଖାଏ ମାଡ଼, କୁନ୍ତଳା ଆଖିରୁ ଝରେ ଧାର ।

 

ମଙ୍ଗଳା ତାକୁ ଝିଅ ପରି ସ୍ନେହ କରୁଥିଲେ । ପଦେ ହୋଇ ଟାଣ କଥା କହୁ ନ ଥିଲେ । ସେ ମଲେ । କୁନ୍ତଳାର ବାପା ଶଙ୍କର । ତାଙ୍କୁ ସେ ବାପା ବୋଲି ଡାକେ । ତାଙ୍କରି ସେବାରେ, ପୁଣି କୁନ୍ତଳାର ଯତ୍ନ ନେବାରେ ପରୀର ବେଳ କଟେ । ଶଙ୍କରଙ୍କ ତୁଣ୍ଡରେ ଯେପରି ପରୀ ନାମଟା ସଦାବେଳେ ବସା ବାନ୍ଧିଥାଏ । ଅଳପ ବୟସରେ ସରକାରୀ କାମରୁ ଅବସର ନେଇ ସେ ବେପାରରେ ମନ ଦେଇଥିଲେ । କେତେ ଲୋକ ତାଙ୍କ ପାଖକୁ ଯାଆସ କରନ୍ତି । ପାଖରେ ଯିଏ ଥାଉ, ଲୋଡ଼ା ପଡ଼ିଲେ ସେ ପରୀ ବୋଲି ରଡ଼ି ଛାଡ଼ନ୍ତି । କାମ ବତାନ୍ତି । ପାଖକୁ ଗଲେ ସ୍ନେହଭରା ଆଖିରେ କହନ୍ତି, ଆଲୋ ପରୀ...

 

ସେ କ୍ୟାନ୍‌ସର ରୋଗରେ ଦୁଇବର୍ଷ ଛଟପଟ ହୋଇ ପ୍ରାଣ ହାରିଲେ । ପୂଜ ରକ୍ତ ଭାସି ଯାଉଥାଏ । ଦାଣ୍ଡଘର ବଖୁରୀ ଦୁଆର ମୁହଁ ପାଖକୁ ସମସ୍ତେ ଯାଆନ୍ତି । ରାଈ ନାକରେ ଲୁଗା ଦେଇ କେବେ କେମିତି ଘର ଭିତରେ ପଶି ପରୀକୁ ଏଣୁ ତେଣୁ କହି ଦି ଖେପାରେ ପଦାକୁ ବାହାରି ଆସେ । ବାପ ହେଲେବି କୁନ୍ତଳା ପାଖ ପଶେ ନାହିଁ । ଖାଲି କାନ୍ଦେ ।

 

ସେବା କରେ ପରୀ । ସେବା କରେ କୁବେର । ଗୋଟିଏ ବର୍ଷ କୁବେର କଲେଜ ପାଠ ମାରାକରି ବାପାଙ୍କ ପାଖେ ଥିଲା । ଯେତେବେଳେ ଶଙ୍କର ଆଖି ଖୋଲନ୍ତି, ଦେଖନ୍ତି, ପରୀ ପାଖରେ ବସିଛି । ମୁଣ୍ଡ ବୁଲାଇଲେ ଆଖିରେ ପଡ଼େ କୁବେର, ବିରସ ବଦନ, କାନ୍ଦ କାନ୍ଦ ଭାବ ଆଉ ପରୀ, ହସ ହସ ମୁହଁ । ଚାହିଁ ରହନ୍ତି ପରୀକୁ ! ମରଣର ସାତଦିନ ଆଗରୁ ସେ କଟକ ଯାଇଥିଲେ ।

 

ମଲା ପରେ ଜଣାପଡ଼ିଲା, ପୈତୃକ୍ତ ସମ୍ପତ୍ତିକୁ ଛାଡ଼ି, ନିଜ ଅର୍ଜିଲା ସମ୍ପତ୍ତିକୁ ସେ ନିଜର ଇଚ୍ଛାମତେ ବଣ୍ଟନ କରି ଯାଇଚନ୍ତି । ନିଜ ରୋଜଗାରରେ ସେ ଦଶମାଣ ଜମି କିଣିଥିଲେ । ସେତକ ସେ ଭାଇ, ଦୁଇ ପୁଅ, ଝିଅ ଓ ପରୀକୁ ସମାନ ଭାଗରେ ବାଣ୍ଟି ଦେଇଛନ୍ତି । ବ୍ୟାଙ୍କରେ ଗଚ୍ଛିତ ଥିବା କୋଡ଼ିଏ ହଜାର ଟଙ୍କାରୁ ଭାଇ ବୋହୂ ଓ ଝିଅ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର, ଦୁଇ ପୁଅ ଓ ପରୀ ପ୍ରତ୍ୟେକଙ୍କୁ ତିନି ହଜାର, ରାଈ ପୁଅ ଆକୁଳି ଓ କୋଠିଆ କୁଳିଆ ପ୍ରତ୍ୟେକଙ୍କୁ ପାଞ୍ଚଶ କରି ଟଙ୍କା ସେ ଦେଇଛନ୍ତି ।

 

ତାଙ୍କର ମରଣ ପରେ ଘର ଭିତରେ ଓ ବାହାରେ ଲୋକେ ନାନା କଥା କହି ସମାଲୋଚନା କରିଥିଲେ । ଗ୍ରାମବାସୀ ଆଶା କରିଥିଲେ, ଯେଉଁ ମାଇନର ସ୍କୁଲକୁ ସାହାଯ୍ୟ ନାମରେ ମଙ୍ଗଳା ଏକାଡ଼େମୀ ସ୍ଥାପନ କରିବା ବାସନା ତାଙ୍କର ଥିଲା, ଖୁବ୍ ସମ୍ଭବ ସେହି ଅନୁଷ୍ଠାନକୁ ସେ କିଛି ଦାନ କରିଯିବେ । ଏ କଥା ସେ କହିଥିଲେ । ଲୋକେ ହତାଶ ହେଲେ । ଗୋବ୍ରାହ୍ମଣ ହିତାୟ ମଧ୍ୟ କିଛି ଦାନ କଲେ ନାହିଁ । ଅଥଚ, ଅଜ୍ଞାତକୁଳଶୀଳା ପରୀ....

 

ପରୀ ଏସବୁ କଥା କିଛି ବୁଝିଲା ନାହିଁ । ଦୁଇ ମାଣ ଗହୀର ବିଲ, ତିନି ସହସ୍ର ଟଙ୍କା ମଣିଷର କଅଣ ଉପକାର ସେ ଜାଣେ ନାହିଁ । ଯାହାଙ୍କର ପୂଜ ରକତ ନିଗଡ଼ା, ନାକ ଫଟା ଗନ୍ଧ ବାହାରୁଥିବା ମୁଣ୍ଡଟିକୁ କୋଳରେ ରଖି ତାର କଅଁଳ ହାତରେ ମୁଣ୍ଡ ଆଉଁଶି ବୀଣାକିଣା କଣ୍ଠରେ ଗେହ୍ଲେଇ ଡାକୁଥିଲା, ବାପା- ଆଉ, ଯେଉଁ ମରଣ ଯନ୍ତ୍ରଣାରେ ଛଟପଟ ବୁଢ଼ା ପୁଅଟି ଆଖି ଖୋଲି ଯନ୍ତ୍ରଣା ଭୁଲି ଡବ ଡବ କରି ଚାହିଁ ଅନ୍ତିମ ଆନନ୍ଦ ଓ ଶାନ୍ତିରେ ହସୁ ହସୁ ଚିରଦିନ ପାଇଁ ଆଖିପତା ବୁଜିଥିଲେ, ସେ ଚାଲିଗଲା ଦିନ ପରୀର ଆଖିରୁ ଝରିଥିଲା ଲୁହଧାରା । ଲୁହର ବାଦଲ ଭିତରେ ମୁହଁ ବୁଲାଇ ସେ ଚାହିଁଥିଲା କୁବେରର ବିଷାଦ-ବଉଦ-ଘେରା ଆକୁଳ-ବିକଳ ମୁହଁକୁ । ପାଟିରୁ ଝଡ଼ିପଡ଼ିଥିଲା ଗଡ଼ି ଆସିଥିବା ଲୋତକ ସାଥିରେ ଛାତିଥରା ପଦଟିଏ ଡାକ, ଭାଇ.......

 

କୁବେରର ବିଷାଦ-ମଳିନ ଗମ୍ଭୀର ମୁହଁରେ ବିକଶି ଉଠିଲା ହସର ଆଲୁଅ, ବାଦଲମାଳାର ସଂଘର୍ଷରୁ ଜନମ ଲଭିଲା ବିଜୁଳି ପରି ।

 

ସେ କହିଉଠିଲା, ବାପା ଚାଲିଗଲେ ପରୀ ।

 

ଚାଲିଯିବାର ପରଦିନରୁ ଯୁବତୀ ଝିଅ ପରୀର ଆଖିରୁ ଲୁହ ଶୁଖିଲା । ଲୁହ ଝରିଲା କୁନ୍ତଳାର ଆଖିରୁ, କୁବେରର ମନରୁ ।

 

ବରଷ ପୂରିବା ସଙ୍ଗେ ସଙ୍ଗେ, ଲୁହର ଝରଣା ବନ୍ଦ ନ ହେଉଣୁ କୁନ୍ତଳାର ବାହାଘର ହେଲା ଜମିଦାର ଘର ପୁଅ ସୁଗ୍ରୀବ ସଙ୍ଗରେ, ରାମପୁର ଜମିଦାରଙ୍କର ଏକୋଇର ବଳା ବିଶିକେସନ । ମଙ୍ଗଳା ବଞ୍ଚିଥାଉଣୁ ସତ୍ୟ କରିଥିଲେ । ସୁଗ୍ରୀବର ଜନନୀ ସୀତା ମଙ୍ଗଳାଙ୍କ ଗ୍ରାମର ଝିଅ । ଦିହେଁ ପିଲାଦିନୁ ବଉଳ ବସିଥିଲେ । ବାହାଘର ନ ହେଉଣୁ ସତ୍ୟ କରିଥିଲେ, ତା ପୁଅକୁ ମୋ ଝିଅ । ଯୋଗ ବି ଏମିତି ପଡ଼ିଲା, ଏକା ଦିନକେ ଦୁଇ ବଉଳଙ୍କର ବାହାଘର ହେଲା । ବାହାଘର ପରେ ପୁଣି ସମ୍ବନ୍ଧ ଲାଗିଗଲା...

 

ସୁଗ୍ରୀବ ଭଲ ପିଲା । ଯେଉଁଦିନ କୁନ୍ତଳା ବିଦା ହୋଇଗଲା ସେଇଦିନ, ଝିଅକୁ ଶାଢ଼ୀ ପିନ୍ଧେଇ, ସର୍ବାଙ୍ଗରେ ଦାମିକା ପଥରବସା ସୁନା ଗହଣା ଖଞ୍ଜି, ଖୁଡ଼ୀ ଓ ଗାଁ ମାଇପେ ଝିଅର ଚାରିପାଖେ ବେଢ଼ି ଆକାଶ କମ୍ପାଇ ରଡ଼ି ଛାଡ଼ିଥିଲେ । ସାନ ବଡ଼ କେତେ ଝିଅ ଜୋଇଁକି ଦେଖି ଖିଲି ଖିଲି ହୋଇ ହସୁଥାନ୍ତି । କେହି କେହି ହାତ ଗଳାଇ ପୁଳାଏ ଚିମୁଟି ଦେଉଥିଲେ । ଭିଣୋଇ ବୋଲି ସାନ ଶଳା ବିଦୁରକୁ ବିଧା ମାରିବାକୁ କିଏ ବତେଇ ଦେଲା । ନିର୍ବୁଦ୍ଧିଆ ପିଲାଟା ବୁଝି ନ ପାରି ଅପା ପିଠିରେ ଗୁମ୍ କରି ବିଧାଟିଏ ଥୋଇଲା । ସମସ୍ତଙ୍କର କାନ୍ଦ ବନ୍ଦ ହେଲା । ହସି ଉଠିଲା ଜ୍ୱାଇଁ ସୁଗ୍ରୀବ ।

 

ଦୋଷ ହେଲା ପରୀର । ଦୂରେଇ କରି ଠିଆ ହୋଇଥିଲା । ମୁହଁ ଗମ୍ଭୀର । ହସୁନାହିଁ କି କାନ୍ଦୁନାହିଁ । ବିଦୁର ତାର କାନୀ ଧରି ଠିଆ ହୋଇଛି, ଚାହିଁ ଖୁଡ଼ୀ ଚିହିକିଗଲେ । ସମୟ ଓ ସ୍ଥାନ ଭୁଲି ପରୀର ବାଳ ଧରି ମୁଣ୍ଡକୁ କାନ୍ଥରେ ଢୁ ଛେଚି ଦେଇ କହିଲେ, ମଲୁନୁ ଲୋ ଛତରଖାଇ, ପିଲାକୁ ଶିଖେଇ ଦେଇଛୁ ।

 

ପରୀ ମୁଣ୍ଡରୁ ଲୁଗା ଖସିପଡ଼ିଲା । କାବା ହୋଇ ସୁଗ୍ରୀବ ଚାହିଁଲା ତା ମୁହଁକୁ । କିଏ ସେ-? ମଣିଷ ପିଲା ? ଏତେ ରୂପ ? ସତେ, ପରୀ ରାଇଜରୁ ଓହ୍ଲାଇ ଆସିଲା ପରି ଦିଶୁଛି । ଆଖି ଦିଓଟା ନକ୍ଷତ୍ର ପରି ଜଳୁଛି । ଚାଲିଗଲା ।

 

କୁନ୍ତଳା ବି ଓଢ଼ଣା ତଳୁ ଚାହିଁଥିଲା । ମନରେ ଆହା ପଦ । ଆରେ ଛଳ ଛଳ ଲୁହ ପରୀ ତାର ଖେଳର ସାଥୀ । ପରୀ ତାର ପରିଚାରିକା । ହାତରେ ଗୋଡ଼ରେ ପାଣିଟିକେ ଲଗାଇ ଦିଏ ନାହିଁ । ଦିନରାତି ପାଖେ ପାଖେ ଥାଏ । ଦେଖୁ ଦେଖୁ ପରୀ ଶିଖେ । ଶୁଣି ଶୁଣି ମନେରଖେ ।

 

କୁନ୍ତଳାକୁ ଜଗିବାକୁ ତା ସଙ୍ଗେ ସେ ଚାହାଳିକୁ ଯାଇଛି । ସ୍କୁଲକୁ ଯାଇଛି । ପାଖରେ ବସି ସେ ପାଠ ପଢ଼ିଛି । କୁନ୍ତଳା ମାଇନର ପାଶ୍ କଲା; କିନ୍ତୁ ସେ ଜାଣେ, ପରୀ ତାଠୁଁ ଅଧିକ ପଢ଼ିଛି । ଅଧିକ ଜାଣେ । ଶିକ୍ଷକମାନେ ତାକୁ ସ୍ନେହ କରନ୍ତି । ବଡ଼ ଶିକ୍ଷକ ଅବନୀବାବୁ ତାକୁ ଆଦର କରନ୍ତି-। ବାଇଗଣ ମଞ୍ଜିପରି ପରୀର ଅକ୍ଷର । କୁନ୍ତଳା ଯେଉଁ ଅଙ୍କ କଷି ନ ପାରେ ପରୀ ତାକୁ ମୁହେଁ ମୁହଁ କରିଦିଏ । ଥରେ ଶୁଣିଲେ ତାର ସବୁ ମନେ ରହେ । କୁନ୍ତଳାର ସେ ସେବିକା । ମନରେ ଗର୍ବ ଆସେ । ପରୀର ରୂପ ଦେଖିଲେ ଯେତେବେଳେ ସେ ତାର ଗୋଡ଼ ଘଷି ଦେଉଥାଏ, ସେ ମନେକରେ, ସେ ମଧ୍ୟ ପରୀ ପରି ସୁନ୍ଦରୀ ।

 

ବିଦାବିଦି ବେଳେ–

ଦେଈ ଗୋ- !

କୁନ୍ତଳାର ଆଖିରେ ଲୁହ, ଲୁହରେ ପ୍ରଶ୍ନ ।

ଛାଡ଼ି ଯାଉଛି ?

ଆସିବୁ ପରୀ ?

 

ସୁଗ୍ରୀବର ଆଗ୍ରହ-ଜଳିଲା ଆଖି ଦୁଇଟା ଯେପରି ପରୀର କାନ ପାଖରେ କହିବାକୁ ଲାଗିଲା- ଚାଲିଆ, ଚାଲିଆ । ତୁ ଛତରଖାଇ । ଅଜ୍ଞାତ କୁଳଶୀଳା । ତୋର ଗୋଟାଏ ମାନମହତ୍ତ୍ୱ କଣ ? ନିନ୍ଦା ଅପମାନ ତୋ ପାଇଁ ସୃଷ୍ଟି ହୋଇନାହିଁ । ଚାଲିଆ... । ସୁଖରେ ରହିବୁ ।

 

ସୁଗ୍ରୀବର ଦୃଷ୍ଟି ଯେପରି ତାକୁ ଟାଣୁଛି ।

ନାଇଁ ଦେଈ... ।

ଖୁଡ଼ୀଙ୍କର ମାଡ଼ଗାଳି ସହିବୁ ?

ସହିବି ।

କାହିଁକି ?

ଭାଇଙ୍କୁ ଛାଡ଼ି ଯାଇପାରିବି ନାହିଁ ଦେଈ ।

 

କୁନ୍ତଳା ଚିହିଁକି ଉଠିଲା । ଘୃଣାରେ ନାକ ଟେକିଲା । ବିଜୁଳି ବେଗରେ ଚମକି ଉଠିଲା ଭାବନା, ସତେ ତ, ବୋଉ ଘରେ କାଳସାପ ପୋଷି ଯାଇଛନ୍ତି । ସେଇ କାଳସାପର ଆସନ ଦୃଢ଼ କରିଛନ୍ତି ବାପା । ସେଇଥିପାଇଁ ଭାଇ ଉଦାସ ହୋଇଛନ୍ତି । ବିବାହ କରିବାକୁ କାହିଁ କେଉଁଠି ମଙ୍ଗୁ ନାହାନ୍ତି । ଏଇ ନାଗିଣୀ, ଏଇ ପେତିନୀ ତାଙ୍କୁ ବାନ୍ଧି ରଖିବାକୁ ବସିଛି । ଆଗରୁ ଯଦି ସେ ଏକଥା ଅନୁମାନ କରି ପାରିଥାନ୍ତା ଏକାଦିନକେ ଏ ନାଗ ସାପକୁ ମାରି ଘରୁ ତଡ଼ିଥାନ୍ତା ! କୁନ୍ତଳା କହିଉଠିଲା, ତେବେ ତୋରି ପାଇଁ ସେ, ତୋରି ପାଇଁ ସେ... ।

 

କଥା ସରିଲା ନାହିଁ । ଝିଅର ପାଟି ସବାରୀ ଭିତରୁ ଶୁଣି ସମସ୍ତେ ତେଣିକି ଚାହିଁଲେ । ମକର ପାଖକୁ ଧାଇଁ ଆସିଲା । ରାଈ ଆସିଲା ପାଖକୁ । ସେ ଧାଇ ହୋଇ ସଙ୍ଗରେ ଯାଉଛି । ସବାରୀର କବାଟ ବନ୍ଦ କଲା ।

 

ସବାରୀ ଚାଲିଲା ।

 

ଦମଦମ ଛାତିରେ ପରୀ କେବଳ ଚାହିଁ ରହିଲା । ସତେ କଣ ତାର ବାର ବର୍ଷର ତପସ୍ୟା ପଣ୍ଡ ହୋଇଛି ? କୁନ୍ତଳା ତାର ମନକଥା ବୁଝିଲା ନାହିଁ ? ନ ବୁଝୁ ? ସେ ଦୁଃଖ କରିବ ନାହିଁ । କାନ୍ଦିବ ନାହିଁ । ଦୁନିଆଁରେ ଯିଏ ଯାହା ବୁଝୁଛି ସବୁ ସହର କଥା । ଦୁଃଖ ନାହିଁ, ସବୁ ପରିସ୍ଥିତିର ପରିହାସ ।

 

ସେ ହସିବ, କେବଳ ହସିବ ।

 

ବରଷେ ହେଲା କୁବେରର ସେବା କରିଛି । ଯିଏ ଯାହା କହୁ କାନକୁ ନେଇନାହିଁ । ଖୁଡ଼ୀଙ୍କର ମାଡ଼ଗାଳି ସହିଛି । ରାଈର ଆକଟ, ହାସ ପରିହାସ ଶୁଣିଛି । ତଥାପି ଅପସରି ରହିନାହିଁ-

 

ରାତି ନ ପାହୁଣା ସେ ବିଛଣା ଛାଡ଼େ । ମହଳ ଗାମୁଛା ପାଲଟି ବାସନ କୁଶନ ମାଜି ପରିଷ୍କାର କରେ । ଘର ଦୁଆର ଓଳାଇ ସଫା ସୁତୁରା କରେ । ଗୁହାଳ ପୋଛେ । ନୋଟା ନୋଟା କରି ପାଣି ଥୁଏ ପ୍ରତି ଘର ଆଗ ପିଣ୍ଡାରେ । ପ୍ରତି ନୋଟାରେ ଖଣ୍ଡେ ଦାନ୍ତକାଠି । ଦାଦି, ଖୁଡ଼ୀ, ଭାଇ ବିଦୁର ବିଛଣାରୁ ଉଠି ମୁହଁ ଧୋଇବେ, ଦାନ୍ତ ଘଷିବେ । ରୋଷଘର ଧୋଇ ଶୁଖୁଲା ଜାଳ ସଜାଡ଼ି ରଖେ । ଖୁଡ଼ୀ ଉଠିଲେ ଚୁଲିରେ କୁହୁଳା ପକାଇବେ । ସମସ୍ତଙ୍କ ଗାଧୋଇବା ପାଇଁ କୁଣ୍ଡଗୁଡ଼ିକରେ ପାଣି ପୂରାଏ । କୂଅ ପାଖ ବଗିଚାରେ ନିଜେ ରୋପିଥିବା ଫଳ ଓ ଫୁଲଗଛରେ ନୋଟା ନୋଟା କରି ପାଣି ଢାଳେ । ତେବେବି ରାତି ପାହେ ନାହିଁ ।

 

ସାବୁନ ଟିକେ ଲଗାଇ ସମସ୍ତଙ୍କର ମଇଳା ଲୁଗା ନିତି ସକାଳେ ସଫା କରି ଶୁଖାଏ । ନିଜେ ପରିଷ୍କାର ହୋଇ ଗାଧାଏ । ଖୁଡ଼ୀ କଟକଟ ହେବେ ବୋଲି ମୁଣ୍ଡରେ ତେଲ ଲଗାଏ ନାହିଁ । କେଶ ଝାଡ଼ି ପାନିଆଁରେ କୁଣ୍ଡାଇ ପିଠି ପଟେ ଓହଳାଇ ଦିଏ । କେଶ ଝୁଲେ ଜଙ୍ଘ ଉପରେ । ସଫା ଶାଢ଼ୀ ପିନ୍ଧି ସକାଳର ଆଲୁଅକୁ ଅପେକ୍ଷା କରି ବସେ ।

 

ଦେବତାଙ୍କୁ ସ୍ମରଣ କରି ଗୁଣୁଗୁଣୁ ହୋଇ ଗୀତ ବୋଲେ, ତମେ ସୁନ୍ଦର, ତମର କରୁଣା ଅପାର, ଯାହା ଦେବାର କଥା ତମେ ସମସ୍ତଙ୍କୁ ଦେଇଛି । ଯାହାର ଯାହା ପ୍ରାପ୍ୟ ସେ ତାହା ପାଇଛି-। ଦୁନିଆଁରେ ଦୁଃଖ ନାହିଁ, ଶୋକ ନାହିଁ, କାନ୍ଦର ସ୍ଥାନ ନାହିଁ । କେବଳ ଆନନ୍ଦ...

 

ଆନନ୍ଦର ପ୍ରତୀକ ଏଇ ଆଲୋକ ଆସୁଛି ।

 

କବାଟ ଫିଟିବାର ଶବ୍ଦ ହେଲା । ଦାଦା, ମକର ଉଠିଲେ । ପଇଁଚାଳିଶ ବର୍ଷର ବଳିଷ୍ଠ ଦରବୁଢ଼ା । ଗୋରା ତକ୍ ତକ୍ ଦେହ । ଗୋଲ ମୁହଁରେ ଧାରୁଆ ନାକ । ବଡ଼ ବଡ଼ ଗୋଛାଳିଆ ନିଶ । ଶତ୍ରୁ ଦେଖିଲେ ଶଙ୍କିଯିବ । ଏବେ ବି ସେ ଦୁଇ ହାତରେ ଦୁଇଟା ମୁଦ୍‌ଗର ଧରି ବୁଲାନ୍ତି । ନିତି ବଡ଼ିସକାଳୁ ଉଠି ବାରିରେ ନିରୋଳାରେ ଦଣ୍ଡ ବୈଠକ କରନ୍ତି । ପ୍ରତିଦିନ ଆକୁଳି ଦେହରେ ଘଣ୍ଟାଟିଏ ତେଲ ମାଲିସ କରେ, ଖାଣ୍ଟି ରାଶିତେଲ । ଗାଧୋଇପାଧୋଇ ଅଧସେର ଚୁଡ଼ା, ଫାଳେ ନଡ଼ିଆକୋରା, ମୁଣ୍ଡାଏ ନବାତ, ସେରେ କଞ୍ଚାଦୁଧ ଉଦରସ୍ଥ କରି ମୁଣ୍ଡରେ ଗାମୁଛା ପକାଇ ଚାଲିଯାଆନ୍ତି ଦାଣ୍ଡକୁ । ଗାଈବଳଦ, ଜମିବାଡ଼ି, ବାହାରର ଚାକର ମୂଲିଆ, ବଗିଚା, ଗାଁ ମାମଲତ ସବୁକାମ ଶେଷ କରି ଘରକୁ ଫେରନ୍ତି ଦିନ ଦୁଇଟାରେ । ମୋଟାସୋଟା ଯାହା ମିଳିଲା ଭୋଜନଟି ତାଙ୍କର ଚଉରସ । ଅଲଣା, ଲୁଣିଆ, ସିଝା, ଦରସିଝା ସବୁ ଆନନ୍ଦରେ ଉଦରସ୍ଥ କରି ପୁଣି ବାହାରି ପଡ଼ନ୍ତି ଦାଣ୍ଡକୁ ।

 

ପରୀ ତାଙ୍କ ପାଖକୁ ଯାଇ ତଳେ ମୁଣ୍ଡ ଲଗାଇ ଦଣ୍ଡବତ କରେ । ପାଣି ନୋଟା ଓ ଦାନ୍ତକାଠି ଆଗରେ ଥୋଇଦେଇ ଘର ଭିତରକୁ ପଶିଯାଏ । ବିଛଣାପତ୍ର ସଜାଡ଼ି ରଖେ । ଘର ଓଳାଇ ପଦାକୁ ଆସେ ।

 

ମକର ଡାକନ୍ତି, ପରୀ,...

ପରୀ ଠିଆ ହୁଏ ପାଖରେ ।

 

ସତେ, ସେ ପରୀଟିଏ । ଚୂନ ପରି ଧଳା ତାର ରଙ୍ଗ । ହାତ ଗୋଡ଼ର ଗଠନ ଗୋଲ, ବଳିଷ୍ଠ ମାଂସପେଶୀ । ପାଞ୍ଚଫୁଟ ଚାରିଇଞ୍ଚ ହେବ ଉଚ୍ଚତା । ଲମ୍ବାଳିଆ ମୁହଁ, ମୁଣ୍ଡରେ କେଶ କହରିଆ, ପିଠି ପାଖର ଲୁଗା ତଳେ ଜଙ୍ଘଯାଏ ଓହଳିଛି । ଚଉଡ଼ା ଚିକ୍ ଚିକ୍ କପାଳ ତଳେ ଅତି ସରୁ ନିଘଞ୍ଚ କଳା ମିଚି ମିଚି ଭ୍ରୁଲତା । କଜ୍ଜ୍ୱଳ କଳା ଆଖି ଡୋଳା ତଳେ ଶୁଆଥଣ୍ଟିଆ ନାକ । ଟିକିଏ ଲମ୍ବ ବେକ ।

 

ମୁଗ୍‌ଧ ହୋଇ ମକର ଚାହାନ୍ତି । ହଁ, ପରୀଟିଏ । ଉଜ୍ଜ୍ୱଳ ଆଖିରୁ ବାହାରେ ଜାଣି ନ ହେଲା ସମ୍ୟକ୍ ସଂକୋଚର ଭାବ । ସରୁ ସରୁ ରଙ୍ଗିଲା ଓଠରେ ହସର ଅତିକ୍ଷୀଣ ଲହଡ଼ି । ଦେଖିହୁଏ ନାହିଁ, ଜାଣି ହୁଏ, ଅନୁଭବ କରିହୁଏ ।

 

–ମକର ଖୁସି ହୁଅନ୍ତି । ଏ ଘର ଶୂନ୍ୟ ନୁହେଁ । ଏ ଘରେ ବି ତାରୁଣ୍ୟରେ ଢେଉଟିଏ ଖେଳୁଛି । ସଜଫୁଟା ଗୋଲାପ, ମଲ୍ଲୀ କି ଚମ୍ପା ଫୁଲଟିଏ, ଆଦ୍ୟ ବୈଶାଖର ସୁନୀଳ ଆକାଶରେ ରଙ୍ଗିଲା ଓ ଧୀରେ ଧୀରେ ଭାସି ଯାଉଥିବା ମେଘ ଖଣ୍ଡେ ଆଖିରେ ପଡ଼ିଲେ ଅଜାଣତରେ ମନରେ ଆନନ୍ଦ ଜାଗେ । କୁନ୍ତଳା ପର ଘରକୁ ଯାଇଛି । କୁବେର ଘରକୁ ବୋହୂଟିଏ ଆଣିବାକୁ ରାଜି ହେଉନାହିଁ । ପରୀ ଏ ଘରର ଝିଅ ନୁହେଁ କି ବୋହୂ ନୁହେଁ । ତଥାପି ସେ ଝିଅ କି ବୋହୂର ଅବତାର । ସେ ସୁନ୍ଦରୀ, ଯୁବତୀ, କର୍ମ କୁଶଳା । ସେ ସର୍ବସହଣୀ, ହସିଲା ମୁହଁ । ଦେଖିଲେ ଆଖି ପୂରିଉଠେ । ମନ ଝୁରିଉଠେ । ସକାଳ ଲାଗେ ପ୍ରଫୁଲ୍ଲ । ଦରହସିଲା ମୁହଁରୁ ଗେହ୍ଲାଳିଆ କଥା ବାହାରେ, ଯାଆ ମା...

ପରୀ ଚାଲିଆସେ । ଗୋଡ଼ରେ ବାଜେ ଗୋଡ଼ । ମନ କହେ, ଦାଦା ତାକୁ ସ୍ନେହ କରନ୍ତି ।

ବିଦୁର ଆଖି ମଳି ଖୁଡ଼ୀଙ୍କ ଘର ପଦାକୁ ବାହାରୁଛି ! ଆଠ ବର୍ଷର ଦୁର୍ବଳ ପିଲାଟା । ଯେତେ ଔଷଧ ଖାଇଲେ ଦେହ ଲାଗୁନାହିଁ । ଖୁଡ଼ୀଙ୍କ ଧାରଣା, ତାକୁ ବେଶି ବେଶି ଖୋଇଦେଲେ ସେ ଶୀଘ୍ର ଶୀଘ୍ର ବଡ଼ ହୋଇଯିବ, ପୁଣି ମୋଟାମୋଟି ହେବ, ବଳିଷ୍ଠ ହେବ । କେହି ପଦେ କହିଲେ ସେ ରାଗି ଉଠିବେ । କହିବେ, ପିଲାଟାର ଖିଆପିଆରେ ଡାଆଣୀଗୁଡ଼ା ଆଖି ଦେଉଛନ୍ତି, ଦେହରେ ଲାଗିବ କିପରି ? କିଏ ସାହସ କରି ପଦେ କହିବ ? ସେଇଥିପାଇଁ ପିଲାଟାକୁ ବାରଦିନେ ତେର ରୋଗ । ସେ ବି ଏମିତି ହୋଇଛି ଯେ ଯାହା ଯେଉଁଠି ଦେଖିଲେ ପାଟିରେ ଥୋଉଛି । ଟକଳା ।

ଯାହା ପଛେ ଖୁଡ଼ୀ କହନ୍ତୁ, ବିଧାଟାଏ କି ଗୋଇଠାଟାଏ ଦେଉନ୍ତୁ ପଛେ, ସେ ବିଦୁରର ଯତ୍ନ ନେବ । ନିଏ । ଦାନ୍ତପତ୍ର ଘଷେଇ ଗାଧୋଇ ଦିଏ । ବିଦୁରଠାରୁ ବିଧା, ଚାପଡ଼ା, ଚୁମୁଟା, ବାଳଝିଙ୍କା ଖାଏ । ଛଳ କରେ ନାହିଁ । ହସି ହସି କଅଁଳେଇ କହେ ଛି, ସାନଭାଇ, ମତେ ମାରୁଛ ? ଆଜି ତମେ ସ୍କୁଲକୁ ଯିବଟି ? ପାଠ ପଢ଼ିଛ ? ସହଳ ସହଳ କାମ ସାର । ତୁମକୁ ମୁଁ ପାଠ ପଢ଼େଇ ଦେବି ।

ପାଠ ନାମ ଶୁଣିଲେ ମାଷ୍ଟରଙ୍କ ବେତ, ଗର୍ଜନ, ତର୍ଜନ ମନେପଡ଼େ । ବିଦୁର ସୁଧାର ପିଲା ହୁଏ । ପୋଷା ମାନେ ।

ରାଈ ଉଠି ଛାଞ୍ଚୁଣୀଟା ଧରି ଓଳା ହୋଇଥିବା ଘରଟାକୁ ଆହୁରି ଥରେ ଓଳାଇ ବସେ । ପାଟିକରି ସମସ୍ତଙ୍କୁ ଶୁଣାଇଁ କହେ; ମଲାମର, ଏ କି କାମ ଗୋ, ଘର ଓଳିଆ ହେଇଛି ଯେ ଘରୁ ଅଳିଆ ଛାଡ଼ି ନାହିଁ । ଏ କି ବାସନ ମଜା ? ମାଟି କାଦୁଅ ବଲବଲ ହୋଇ ଲାଗିଛି । ଛି, ଚହଟ ଚିକଣ ହେଇ ଦି ଖେପାରେ ଏ ଘରୁ ସେ ଘରକୁ ଡେଇଁ ପଡ଼ିଲେ କଅଣ କାମ ହୁଏ ? ଆମକୁ ଏମିତି ଅସନା ଅସଣ୍ଠଣା କାମ କରି ଆସେ ନାହିଁ ।

ପରୀ ଶୁଣେ । ମୁରୁକେଇ ହସେ । ରାଈ ଡେରିରେ ଉଠିବାର କୈଫିୟତ ଦେଉଛି । ଦେଉ, ବୁଢ଼ୀ ଲୋକ ତ ।

ବାହାର ଚୁଲିରେ ନିଆଁ ଜାଳେ । ଭାଇ ଏଇନା ଉଠିବେ । ଦାନ୍ତ ଘଷିବା ସଙ୍ଗେ ସଙ୍ଗେ ତାଙ୍କର ଚାହା ଲୋଡ଼ା, ସେ ମଧ୍ୟ ଚାହାଖୋର ହେଲେଣି । ଦାନ୍ତ ଘଷି କପେ ଚାହା ନ ଖାଇଲେ ସେ ଆଉ କିଛି କରିବେ ନାହିଁ ।

ବାହାର ଚୁଲି ଉପରେ କେଟଲି ଥୁଆ ହୋଇଛି । ପାଣି ଗର୍ଜୁଛି । କୁଳିଆ ଠେକି ନେଇ କ୍ଷୀର ଦୁହିଁବାକୁ ଚାଲିଗଲାଣି । ସକାଳର କ୍ଷୀର ଚାହା କାମକୁ ପାଏ ନାହିଁ । ଦୁଇଟା ଦୁହାଁଳୀ ଗାଈ ପଡ଼ିଆ ହୋଇ ଆସିଲେଣି । ବରକ୍ଷୀର ପରି ସେରେ ହେବ କ୍ଷୀର ପ୍ରତି ଗାଈ ଦିଅନ୍ତି ।

 

ସେଥିରୁ ଅଧେ ଏକା ମକରଙ୍କର ଚୁଡ଼ା ସାଙ୍ଗକୁ ଲୋଡ଼ା । ବାକି ଅଧିକରୁ ବିଦୁର ଟିକେ ଖାଏ । ଯେତକ ବଳେ, ଉପରଓଳି ଚାହା ପାଇଁ ରଖାଯାଏ ।

 

ସଞ୍ଜବେଳେ ଦୁହାଁ ହୁଏ ଦେଢ଼ସେର କ୍ଷୀର, ଶୋଇବା ଆଗରୁ କୁବେର ପାଏ ହେବ ପିଇ ଶୁଏ । ସକାଳର ଚାହା ପାଇଁ ରଖି ବାକିତକରେ ମହି ପଡ଼େ । ତିନି ଦିନରେ ଗୋଳାହେଇ ଲହୁଣୀ କାଢ଼େ ରାଈ । ସେ ଗଉଡ଼ଘର ଝିଅ । ଏଇ କାମଟା ତାକୁ ଭଲକରି ଜଣା ।

 

ପରୀ ଏତକ ବି କରିବାକୁ ଆଗେଇ ଆସେ; କିନ୍ତୁ ରାଈ ଥଟ୍ଟାକରି କହେ, ଆଲୋ ହେ, ଭଣ୍ଡାରି ଘରର ଡବଡବୀ ଶଙ୍ଖୀ ବିଲେଇ, ତୁ ହାତ ଦେଲେ ପାଣି ଫାଟିଯିବ । ଆଲୋ, ସାହାବ ବାପର ଝିଅ, ନହୁରୁଣୀ ଧରିବା ତୋ କାମଲୋ, ଲହୁଣୀ ଧରିବା ତୋ କାମ ନୁହେଁ ।

 

କରୁ ସେ । ଏକା ଠାଆକରେ ଦିଘଡ଼ି ବସି ଚର୍ ଚର୍‍ କରି ଦହି ଖୁଆରେ ଦହି ମୋହିବା କଷ୍ଟ କାମ ନ ହେଲେ ବି ନିକିମା କାମ । ଗୋପପୁର ଗୁଆଳୀ, ଲବଣୀ ପିତୁଳା ଅଲିଅଳୀକୁ ସେ ଶୋଭାପାଏ । ନନ୍ଦପୁର ଗାଆଁରେ ଗୁଆଳୀମାନେ ଅଛନ୍ତି । ତେବେ, କୋଠିଆ ମୂଲିଆ ମୂଷି ବେହେରାର ଘରଣୀ ଏଇ ରାଈ ତା ପୁଅ ଆକୁଳିକୁ ନେଇ ଶଙ୍କରଙ୍କ ଘରେ ଆଶ୍ରା ନେଇଛି ।

 

କୋଡ଼ିଏ ବର୍ଷରୁ ଅଧିକ ହେବ । ଶଙ୍କର ଓ ମକରବାବୁଙ୍କର ବୁଢ଼ା ବିପତ୍ନୀକ ବାପ ରଘୁନାଥ ସେତେବେଳେ ବଞ୍ଚିଥାଆନ୍ତି । ଦି ପୁଅ ଦି’ ବୋହୂ ଧରି ଘର କରୁଥାନ୍ତି । ଯବାନ୍ ଟୋକା ମୂଷି ବେହେରା ତାଙ୍କରି କୋଠିଆ । ଦେହରେ ଭୀମର ପରକ୍ରାମ । ରାମନବମୀ ଯାତରେ ସେ ମୁଖା ପିନ୍ଧି ହନୁମାନ ହୁଏ । ହୁଁ କାର ଛାଡ଼ି ଗଛଡାଳକୁ ମଡ଼ମଡ଼ କରି ଭାଙ୍ଗିଲେ କାବା ହୋଇ ପାଞ୍ଚ ଗାଁର ଦେଖଣାହାରୀ ଥାଟପଟ୍ଟାଳି ଚାହିଁ ରହିଥାନ୍ତି ।

 

ସେହି ମୂଷି ବେହେରା, ରାତି ଅଧରେ କାଠି ଛୁଇଁଲା । ପୁଅ ମାଇପଙ୍କୁ ଖାଉଁଦବୁଢ଼ା ରଘୁନାଥଙ୍କ ହାତରେ ସମର୍ପି ଦେଇ ଚାଲିଲା ସ୍ଵର୍ଗଧାମକୁ ।

 

ସେଇ ଦିନରୁ ରାଈ ଏଇଠି । ତା ପୁଅ ଆକୁଳି ବି ଏଇଠି । ବୁଢ଼ା ରଘୁନାଥଙ୍କ ସେବା ରାଈ କରିଥିଲା । ସେ କେତେ ଆଶା ଦେଇଥିଲେ, ଭାଙ୍ଗିଲା ଘର ମଜବୁତ୍‌ କରି ତୋଳାଇଦେବ, ରାଈ ନାମରେ ପାଞ୍ଚମାଣ ଜମି ଲେଖିଦେବେ । ଆଶା ଦେଇ ଆଶାର ପୂର୍ଣ୍ଣ ସୁଯୋଗ ବିପତ୍ନୀକ ନେଇଥିଲେ । ମଲାବେଳକୁ ରାଈକୁ କାଣି କଉଡ଼ିଟିଏ ଦେଇଗଲେ ନାହିଁ ।

 

ସ୍ୱାମୀ ମଲାବେଳେ କେଜାଣି ବା ସେ ସୁକୁ ସୁକୁ ହୋଇ କାନ୍ଦିଥିବ । ବୟସ ଥିଲା ମାଇପି, ଅଭିଆଡ଼ୀ ସାନ ଦିଅର ଶଙ୍ଖାସିନ୍ଦୂର ପିନ୍ଧାଇବାକୁ ନାହିଁ କରି ନ ଥାନ୍ତା । ବୁଢ଼ା ମଲାବେଳେ ସେ ବଡ଼ ପାଟିକରି ବାହୁନି ଉଠିଲା, ହା ମୋ...

 

ଆଉ, ବୁଡ଼ି ବୁଡ଼ି ପାଣି ପିଉଥିବା ଲୋକର ମୁଣ୍ଡ ଯେପରି ଉପରକୁ ଉଠିଲା, ସମସ୍ତେ ଦେଖିଲେ ପାଣି ଗୋଳିଆ ଦିଶୁଛି । କଥା ରହିଯାଇଛି । ଗଡ଼ି ଗଡ଼ି ପରୀ କାନକୁ ବି ଆସିଛି । କେତେଥର ଭାବିଛି, ରାଈ ନ ଡାକି ଆଈ ବୋଲି ପଦେ ଡାକିଦେବ । କାଳେ ସେ ଅବିଗୁଣ ପାଇବ ବୋଲି ଜିଭ କାମୁଡ଼ି ତୁନି ରହିଛି ।

 

ମୋହୁଁ ସେ ଦହି ନନ୍ଦପୁର ଗୋଈ ।

କେଟଲିରେ ପାଣି ଗର୍ଜ୍ଜିଲାଣି । କାହିଁ କେତେଦୂରରେ ସୂର୍ଯ୍ୟ ଉଇଁଲେଣି । ଡେଙ୍ଗା ନଡ଼ିଆ ଗଛର କଅଁଳ ପତର ଉପରେ ନରମ ସୂର୍ଯ୍ୟକିରଣ ଚିକ୍‍ଚିକ୍‍ ଦିଶିଲାଣି । ଶୁଭକାଉ ବୋବେଇ ବୋବେଇ ଅଧାର ପୁଞ୍ଜିଏ ତା ହାତରୁ ଖାଇ ଗଛ ଉପରକୁ ଉଡ଼ିଗଲାଣି । ସବୁଦିନେ ସେମାନେ ବୋବାନ୍ତି । ଅଧାର ଖାଇ ଚାଲିଯାଆନ୍ତି । ସବୁଦିନେ ସେମାନେ ଖବର ଦେଇଯାଆନ୍ତି ନାହିଁ । ଯୋଉଁଦିନ ଖବର ଦିଅନ୍ତି, କାହାର ଶୁଭ ତ, କାହାର ଅଶୁଭ । ପରୀ ଜାଣେ, ତା ପାଇଁ ଦୁନିଆଁରେ ଭଲ ଖବର ନାହିଁ କି ଅସାର ଖବର ନାହିଁ, ସବୁଦିନ ତାଆର ଏକାପରି ।

ଏତେବେଳ ହେଲାଣି, ଭାଇ ଉଠି ନାହାନ୍ତି । ସବୁଦିନେ ସେ ଏମିତି ଡେରି କରୁଛନ୍ତି । ଯେତେ କହିଲେ ସେ ଉତ୍ତର ଦେବେ ନାହିଁ କି କଥା ମାନିବେ ନାହିଁ । ଆଲୁଅ ଜାଳି ବହି ଧରି ପଢ଼ୁ ପଢ଼ୁ ରାତି ଅଧ କରିବେ । ଆକଟି ନ କହିଲେ ଶୋଇବାକୁ ଯିବେ ନାହିଁ । ଏତେ ପାଠ ସେ କଅଣ ପଢ଼ନ୍ତି କେଜାଣି ।

ଖୁଡ଼ୀ ପଛରେ କହନ୍ତି, ଏତେ ବଡ଼ ପୁଅ, ଘରେ ନିକମା ହେଇ ବସିଛନ୍ତି । ଫନ୍ଦି ଫିକର କରି କୋଉଠୁ ଚାରି ପଇସା ଭେଇ ଘରକୁ ଆଣୁନାହାନ୍ତି । ବସି ଖାଇଲେ ନଈବାଲି ସରେ । ଆଗରେ କହିବାକୁ ତାଙ୍କର ସାହାସ ହୁଏ ନାହିଁ । କାନ୍ଥବାଡ଼କୁ ଦେଖାଇ ପଛରେ କହିବା କଥା । କୁବେର କାନକୁ ଯାଏ ନାହିଁ ।

ସକାଳ ହେଲାଣି । ଏତେବେଳଯାଏ ସେ ଉଠି ନାହାନ୍ତି । ପରୀ ନିଃସଂକୋଚରେ ଧାଇଁ ଯାଏ କୁବେର କୋଠାରୀ ଆଗକୁ । କବାଟରେ ହାତ ମାରେ । ଭାଇ ଭାଇ ବୋଲି ଡାକ ଛାଡ଼େ । ଉତ୍ତର ପାଏ ନାହିଁ ।

 

କବାଟ ଖୋଲି ଆଖି ମଳି ମଳି କୁବେର ଘରଭିତରୁ ବାହାରି ଆସେ । ଆନନ୍ଦ ଉଲ୍ଲସିତ ଲୋଚନରେ ପରୀ ଦୁଇହାତ ଯୋଡ଼ି କପାଳରେ ଲଗାଇ ମୁଣ୍ଡ ନୋଇଁ ପ୍ରଣାମ କରେ । କହେ, ଦାନ୍ତ ଘଷିବାକୁ କାଠ ଦେଇଛି, ଯାଆନ୍ତୁ ।

ସୁଧାର ପିଲାପରି କୁବେର ପିଣ୍ଡାକୁ ଚାଲିଯାଏ । ମୁହୁର୍ତ୍ତେ ବିଳମ୍ବ ନ କରି ପରୀ ପଶେ କୁବେର ଘରେ ।

ସବୁଦିନ ପରି ଆଜି ପୁଣି ଘର ଅସନା ରହିଛି । ଖୋଲା ଆଲମାରୀରେ ବହିର ଧାଡ଼ିଗୁଡ଼ିକ ଭୁଷୁଡ଼ି ପଡ଼ିଛି । ଟେବୁଲ ଉପରେ ବହି ଦୁଇଟା ମୁହଁମାଡ଼ି ଶୋଇଛନ୍ତି । ଖବର କାଗଜ ଓ ମାଗାଜିନ୍ କେଇଖଣ୍ଡି ଘରକଣରେ ଗଦା ହୋଇଛି । ଫୁଲଦାନୀର ମଉଳା ଫୁଲ ପେନ୍ଥାକ ତଳେ ପଡ଼ିଛି । ଛୋଟ ପଲଙ୍କ ଉପରେ ସଫେଦ ବିଛଣାରେ କାଳୀ ଦାଗ । ତକିଆ ପାଖରେ ଘଣ୍ଟା, କଲମ ଓ ଲୁଗାପୋଷାକଭରା ଟ୍ରଙ୍କ, ସୁଟକେଶର ଚାବି ।

କେଉଁଥିରେ କଅଣ ଅଛି ପରୀକୁ ଜଣା । ସବୁ ସେ ଖୋଲେ । ସଜାଡ଼ି ରଖେ । ବଡ଼ ହେଲେ ବି ଅତି ଉଦାସ, ଆଡ଼ବାଇଆ କୁବେର ଭାଇ ତ ତାଆରି । ବିଦୁର ଓ କୁବେର ଭାଇ ଭିତରେ ସେ ପ୍ରଭେଦ ଦେଖିପାରେ ନାହିଁ । ଦିହେଁ ଲୋଡ଼ନ୍ତି ତାଆରି ସେବା ଓ ଯତ୍ନ । ମୁହଁ ଫିଟାଇ ଏକଥା କେହି କହିପାରନ୍ତି ନାହିଁ । ଜଣେ କହି ଜାଣେନାହିଁ । ଆଉ ଜଣକ କହନ୍ତି ନାହିଁ । ହୁଏତ ସେ ଜାଣନ୍ତି, ନ କହିଲେ ବି ସବୁ ହୋଇଯିବ ।

 

କୋଠରିକୁ ସଜାଡ଼ି ସଫାସୁତରା କରିବାକୁ ବେଶି ବେଳ ଲାଗେ ନାହିଁ । ବିଜୁଳି ପରି ଚଳନ । ନିପୁଣ ଓ ଅଭ୍ୟସ୍ତ ହାତ ଦିଓଟି ସବୁ କାମ କରିଦିଏ । ଚଞ୍ଚଳ ଆଖି ଦିଓଟି ଚକ୍ର ପରି ଚାରିଆଡ଼େ ଭ୍ରମିଯାଏ । ଯାହା ଯେପରି କରିବାକୁ ଦୁଇ ହାତକୁ ନିର୍ଦ୍ଦେଶ ଦିଏ ।

ଛୋଟ ଟେବୁଲ ଉପରେ କଣିକିଆ ହୋଇ ଗ୍ରାମଫୋନ ଖୋଲା ହୋଇ ପଡ଼ିଛି । ରେକର୍ଡଗୁଡ଼ା ପାଖରେ ଥୁଆ ହୋଇଛି । କେତେଦିନ ହେଲା ବଜା ହୋଇନାହିଁ । କେଉଁ ରେକର୍ଡ ଭିତରୁ କେଉଁ ଗୀତ ଆତ୍ମପ୍ରକାଶ କରି ସଜ ସକାଳର ହସିଲା ପ୍ରକୃତିକୁ ଥରାଇ ପାରେ, ଦୋହଲାଇ ପାରେ, ପରୀ ତାହା ଜାଣେ । ମନ କନ୍ଦିରେ ସବୁ ସ୍ୱର ସବୁ ଗୀତ ଝଙ୍କୃତ ହୋଇଉଠେ । ସବୁ ଭଲ-। ରେକର୍ଡ଼ ଲଗାଇବାକୁ ତାର ଭୟ ନାହିଁ । ଖୁଡ଼ୀଙ୍କ ଛଡ଼ା ସମସ୍ତେ ଖୁସି ହେବେ । ନା, ଆଜି ସେ ଖୁଡ଼ୀଙ୍କୁ ଚିଡ଼ାଇବ ନାହିଁ । ଥାଉ ଝାଡ଼ିଝୁଡ଼ି ସଜାଡ଼ି ରଖେ ।

ଘଣ୍ଟାରେ ଚାବି ଦିଏ । ଫାଉଣ୍ଟେନ୍ ପେନ୍‍ରେ କାଳୀ ଭରେ । ଚାବି ନେଇ ଟ୍ରଙ୍କ ଖୋଲେ-। ସଫା ଲୁଗା, ଟାୱେଲ, ସୋପ୍, ଖୁର ବାକ୍‌ସ ପଦାକୁ କାଢ଼େ । ସବୁ ପ୍ରସ୍ତୁତ । ଦେଖେ, ଭାଇ କଣ କରୁଛନ୍ତି । ପଦାକୁ ଆସେ । ସେ ଦାନ୍ତ ଘଷି ସାରିଲେଣି ।

କହେ, ଭାଇ ଟେବୁଲ ଉପରେ ଖୁର ବାକ୍‌ସ ରଖିଦେଇ ଆଇଚି । କୂଅମୂଳେ କୁଣ୍ଡରେ ପାଣି ଭରିଛି । ସାବୁନ ଟାୱେଲ ରାକ୍‌ରେ ଅଛି । କାମ ସାର । ମୁଁ ଚା’ ଆଣେ ।

କୁବେର ଅର୍ଥଶୂନ୍ୟ ଦୃଷ୍ଟି ପକାଏ ପରୀର ମୁହଁରେ ।

ଅର୍ଥଶୂନ୍ୟ–? ସେଇ ମୁହୁର୍ତ୍ତକର ଦୃଷ୍ଟି ଭିତରେ ପରୀ ଦେଖେ ବିସ୍ମୟ ଅନୁଶୋଚନା, ସ୍ନେହ, ସହାନୁଭୂତି ଏବଂ କାରୁଣ୍ୟଭାବ । ସବୁ ଯେପରି ଉଲ୍ଲାସର ଉଦବେଗ ତରଙ୍ଗ ଭିତରେ ଆତ୍ମପ୍ରକାଶ କରୁ କରୁ ଆତ୍ମଗୋପନ କରନ୍ତି ।

 

କୁବେର ଭାଇ, ଅନହୁତି ଆସିଥିବା ଅଜଣା ଅଶୁଣା ଅରକ୍ଷିତ ଝିଅକୁ ଦିନେ ଘୁଣାଚକ୍ଷୁରେ ଦେଖୁଥିଲେ । ନାକ ଟେକୁଥିଲେ । ଚାରି ଛଅ ମାସରେ କଟକରୁ ଛୁଟିରେ ଫେରି ଆସୁଥିଲେ । ପରୀ ପାଖକୁ ଗଲେ, ସେ ଦୂରେଇ ଯାଉଥିଲେ । ପରୀର ହାତରେ ପାଣି ଗିଲାସେ ପିଇବାକୁ ସେ କୁଣ୍ଠିତ । ମୁହଁ ଖୋଲି କହୁଥିଲେ, ଦୂରେଇ ଠିଆ ହ ।

 

ଇସ୍, କେଡ଼େ ଅସନା । ଦେହରେ ମଇଳା ଲାଗିଚି । ମହଳ ଲୁଗା ଗନ୍ଧ ଛାଡ଼ୁଛି । ଫୁର୍‌କୁଟା ବାଳରେ ଭର୍ ଭର୍ ହେଉଥିବେ ବେତାଏ ଉକୁଣି । ଦୂରେଇ ଠିଆ ହ । ଛି, ଏ ଘରେ ପଶ ନା । ଗିଲାସ ମାଜି ପାଣି ଆଣିଛୁ ? ଗାଧୋଇଛୁ ? ପଳା, ପଳା କେମିତି କୁନ୍ତଳା ସଙ୍ଗେ ସାଙ୍ଗ ହେବାକୁ ଏ ଛତରଖାଇ ଟୋକୀକୁ ବୋଉ କହୁଛିଟି !

 

ପରୀ ଡରିଚି । କଥାକୁ ଛଳ କରିନାହିଁ । ଭାଇ ଯାହା ବାଛିଛନ୍ତି, ସେ ସେମିତି ନିଜକୁ ଗଢ଼ିବାକୁ, ସୁଧାରିବାକୁ ପ୍ରାଣପଣେ ଚେଷ୍ଟା କରିଛି ।

 

ବର୍ଷ ପରେ ବର୍ଷ କଟିଯାଇଛି । ଧୀରେ ଧୀରେ ତାର ବୟସ ବଢ଼ିଛି । ପ୍ରକୃତି ବଦଳିଛି । ଭାଇଙ୍କର ଘୃଣା, ତାଚ୍ଛଲ୍ୟ ଭାବ, ଆକଟ କଥା, ସମାଲୋଚନା ଓ ଦୂରେଇ ରହିବାର ଆଦେଶ କମିଛି ।

 

ମଙ୍ଗଳାଙ୍କ ମରଣ ପରେ ଭାଇର ସେବା କରିଛି ଏକା ପରୀ । ସେବା କରିବା, ଆଦେଶ ପାଳିବା, ଯତ୍ନ ନେବାରେ ପରୀ କେବଳ ଆଗ୍ରହ ଦେଖାଇ ନାହିଁ, ମନର ବ୍ୟାକୁଳତା ପ୍ରକାଶିଛି । କୁନ୍ତଳାର କର୍ତ୍ତବ୍ୟଧାରଣା, ପରୀର ଉଦବେଗ ଓ ବ୍ୟାକୁଳତା ପାଖରେ ପରାଜିତ ହୋଇଛି ।

 

ଭାଇ ଘୃଣା କରୁନାହାନ୍ତି । ପରୀର କାମ ବାଛୁନାହାନ୍ତି । ଆକଟି କହୁନାହାନ୍ତି । ପରୀର ମନରେ ଛପି ଛପି ଆନନ୍ଦ ଜାଗେ ।

 

ତାଙ୍କର ମରଣ ଯନ୍ତ୍ରଣା, ପରୀର ଉନ୍ମିଦ୍ର ସେବା, ମରଣଯାତ୍ରୀର ଜୀବନପଣ ଯତ୍ନ କୁବେର ମନରେ ବିସ୍ମୟ ଭାବ ଜଗାଇଥିଲା । ସତେ, ସେଇ ବାଟରୁ ଗୋଟେଇ ଆଣିଲା ଝିଅ ତ ସେ, ଏତେକଥା କାହୁଁ ଶିଖିଲା ? କିଏ ଶିଖାଇଲା ? ଯନ୍ତ୍ରଣାରେ ବର୍ଷାଧିକ କାଳ ବାପା ଛଟପଟ ହେଉଥିଲେ । ତାଙ୍କର ନରକ ଯନ୍ତ୍ରଣା ଭିତରେ ଛଟପଟ ଜୀବନରେ ପରୀ ବରଷିଥିଲା ଅମୃତ... ବୀଣାଜିଆ କଅଁଳ କୋକିଳ କଣ୍ଠରେ ଭାଗବତ, ମହାଭାରତ, ରାମାୟଣ, ଗୀତା ଇତ୍ୟାଦିର ବାଣୀ ଢାଳିଲା କାନରେ ।

 

ଆରେ, ଆରେ, ପରୀ ପଢ଼ି ଜାଣେ । କେବେ କେମିତି କଅଁଳେଇ କରି କୁବେର ପଦେଅଧେ କହିଥିଲା । ଘୃଣା ଓ ତାଚ୍ଛଲ୍ୟ ଭାବ ପରିବର୍ତ୍ତେ ମନରେ ଜାଗିଥିଲା କରୁଣାର ଭାବ, ଆହା-ଆହାର ସମବେଦନା ।

 

ପିତାଙ୍କ ମରଣର ବରଷକ ପରେ କୁନ୍ତଳାର ବାହାଘର । କୁନ୍ତଳା ଯିବାର ବରଷେ ପୂରିଲାଣି । ପରୀ ତାର କର୍ତ୍ତବ୍ୟ-ବାଟରୁ ପାଦ ଖସାଇ ନାହିଁ । ସେ ଦୁଇମାଣ ଉତ୍କୃଷ୍ଟ ଜମିର ଅଧିକାରିଣୀ, ତିନି ସହସ୍ର ଟଙ୍କାର ମାଲିକ । ଏହା ସେ ଭଲକରି ଜାଣେ, ଯେଉଁ ଟଙ୍କା ବ୍ୟାଙ୍କରୁ ଅଣାହୋଇ ନନ୍ଦପୁର ଗ୍ରାମ ପୋଷ୍ଟ ଅଫିସରେ ଭିନ୍ନ ଭିନ୍ନ ପାସ୍‍ ବହିରେ ଜମା ଅଛି, ସେ ସବୁ ପାସ୍ ବହି ଯିଏ ଯାହାର ନେଇ ଯାଇଛନ୍ତି । ପାସ୍‍ ବହି ଜମାବେଳେ ଦରଖାସ୍ତ ଫାରମରେ ପରୀ ଗୋଟିଏ ଦସ୍ତଖତ କରିଥିଲା । କୁବେର ଯେତେବେଳେ ପାସ୍ ବହିଟି ଆଣି ପରୀ ହାତକୁ ବଢ଼ାଇଦେଲା, ସେ ଦୁଇହାତ ବଢ଼ାଇ ବହିଟି ନେଇ ମୁଣ୍ଡରେ ଲଗାଇଲା । ଆଖିରେ ଛଳ ଛଳ ହେଲା ଲୋତକ । ପିତାଙ୍କର ସ୍ନେହର ଦାନ ! ଆଖିରୁ ଲୁହପୋଛି ବହିକୁ କୁବେର ହାତକୁ ବଢ଼ାଇ ଦେଇ ଦରହସି ବିନୀତ ହୋଇ କହିଲା, ଥାଉ ଆପଣଙ୍କ ପାଖେ । କୁବେର ପାଖରୁ ସେ ଚାଲିଯାଇଥିଲା । ଏବେ ବି ସେଇ ପାସ୍ ବହିଟି କୁବେରର ସୁଟକେସ୍ ପକେଟରେ ପଡ଼ିଛି । ପରୀ ହୁଏତ ଭୁଲି ଗଲାଣି ।

 

ଖଟୁଛି ସେ ଦିନରାତି । ସମସ୍ତଙ୍କୁ କିଣି ନେଇଛି । ଛୁଞ୍ଚି କାମରେ ସେ ପାରଙ୍ଗମ କିଏ ଶିଖାଇଲା କୁବେର ଜାଣେ ନାହିଁ । କେବେ କେମିତି ସେ ଆଗରେ ଗୋଡ଼ ଭାଙ୍ଗି ଠିଆ ହୋଇ ମୁହଁ ପୋତି ପ୍ରାର୍ଥନା କରେ, ଭାଇ, କଟକ ଯାଉଛ ପରା, ମୋପାଇଁ ଉଲ୍ ଆଣିବ, କଣ୍ଟା ଆଣିବ । ଆଉ ସୀବନ ଶିଳ୍ପ ବହି ଦୁଇଟା ଆଣିବ ।

 

କୁବେର ଉତ୍ତର ଦିଏ ନାହିଁ । ପରୀର ଛୋଟ ଅନୁରୋଧ ରକ୍ଷା ନ କରିବାକୁ ତାର ସାହାସ ହୁଏ ନାହିଁ । ସେ ଜାଣେ, ପରୀ ଦୁଇଥର ଅନୁରୋଧ କରେ ନାହିଁ ।

 

ନିଜପାଇଁ ସେ ଭୁଲ ମାଗିନିଏ ? କାହିଁ ତାର କଣ ? ଦାଦା, ଖୁଡ଼ୀ, ଭାଇ, ବିଦୁର ସଭିଙ୍କ ପାଇଁ ସେ ସୁନ୍ଦର ସୁନ୍ଦର ଜାମା କରିଦେଇଛି । କେତେପ୍ରକାର ଡିଜାଇନ । ଯିଏ ଦେଖେ ଘଡ଼ିଏ ଅନାଏ । ଭଲ ଘରର ଝିଅବୋହୂମାନେ, ଯେଉଁମାନେ କାମ ଶିଖୁବାକୁ ଆସନ୍ତି କି ପରୀକୁ ଡକାଇ ନିଅନ୍ତି, ଛତରଖାଇ ଚାକରାଣୀ ଟୋକୀର ବିଚିତ୍ର ବିଚକ୍ଷଣ କାମଦେଖି ଈର୍ଷାରେ ଭିତରେ ଭିତରେ ଜଳନ୍ତି । ହନ୍ତସନ୍ତ ହୁଅନ୍ତି । ରହି ସମ୍ଭାଳି ବାଧ୍ୟ ହେଲାପରି ପଦେ ଅଧେ ପ୍ରଶଂସନ୍ତି । ପୁଣି ପଚାରନ୍ତି, ତୋର କାଇଁ ବା ?

 

ଅକସ୍ମାତ୍ ଥରେ ଅସାବଧାନବେଳେ କୁବେର ପରୀ କରିଥିବା ନୂଆ ଜାମା ପିନ୍ଧୁ ପିନ୍ଧୁ ପଚାରି ଦେଇଥିଲା, ତୋର କାଇଁ ? ଉତ୍ତର ଦେବାକୁ ପରୀ ପାଖରେ ନ ଥିଲା ।

 

ତାଆର ଏସବୁ ଲୋଡ଼ା ନାହିଁ । ସେ ଚାକରାଣୀ ପିଲା । ଖଣ୍ଡିଏ ଦେଶୀ ତନ୍ତବୁଣା ଧଳା ଲୁଗା ହେଲେ ଯଥେଷ୍ଟ । ମୁଣ୍ଡରେ ଓଢ଼ଣା ସେ ଦିଏ ନାହିଁ । ଦେହରେ ଓ ଅଣ୍ଟାରେ ଭଲ କରି ଟାଣକରି ସେ ମୋଟ ଲମ୍ବ ଲୁଗା ଗୁଡ଼ାଇ ପିନ୍ଧେ ।

 

କୁବେରର ମୁହୂର୍ତ୍ତକର ଦୃଷ୍ଟିପାତରେ ପରୀ ପୁଲକିତ ହୁଏ । ସୁନ୍ଦର ମୁହଁରେ ଉଲ୍ଲାସର ଅରୁଣିମା ଉକୁଟେ । ସେ ଫେରିଯାଏ ଚା’ କେଟଲି ପାଖକୁ । କେଟଲିରେ ପାଣି ଗର୍ଜୁଛି ।

 

କୁବେର ପ୍ରସ୍ତୁତ ହୋଇଛି । ଏଥର ସେ ଯାହା କରୁ । ଟେବୁଲ ଉପରେ ଚା-ପୂର୍ଣ୍ଣ କପ୍ ସସର ମଝିରେ ରଖାହୋଇଛି । ବକେଇ ବଙ୍କେଇ ଉଠୁଛି ବାମ୍ପ । ପାଖରେ ଆଉ ଗୋଟିଏ ଥାଳିଆରେ ରଖାହୋଇଛି ଚାରିଖଣ୍ଡି ବିସ୍କୁଟ୍‍ । ସକାଳେ ଏତିକି ସେ ଭଲ ପାଏ । ଏତିକି ତାର ଯଥେଷ୍ଟ ।

 

ଝରକା ପାଖରେ ଥିବା ଛୋଟ ଗୋଲ ଟେବୁଲ ଧୋବ ଫର୍‍ଫର୍‍ ରୁମାଲ, ଟେବୁଲକୁ ଘୋଡ଼ାଇ ଚାରିପାଖେ ଓହଳି ପଡ଼ିଛି । ଟେବୁଲ ମଝିରେ ଈଷତ୍ ନୀଳ ରଙ୍ଗର ଲତାପତ୍ର କମକୁଟକରା ଜାପାନୀ କାଚର ଫୁଲଦାନୀ । ସେଥିରେ ସଜଫୁଟା ଗୋଲାପ ଫୁଲ ଗୋଛା, ଗୋଲାପୀ ଗନ୍ଧରେ କୋଠରି ମହକି ଉଠୁଛି ।

 

କୁବେର ବିସ୍କୁଟରୁ ଖଣ୍ଡେ ଦାନ୍ତରେ ଭାଙ୍ଗି ସେଇ ଫୁଲଦାନୀ ଆଡ଼କୁ ଅନାଇଁ ରହେ । ଚା’ କପକୁ ଓଠରେ ଲଗାଇ ଶୋଷେ । ଚା’ର ପରିଚିତ ବାସ୍ନା ଗୋଲାପୀ ଗନ୍ଧରେ ମିଶେ । ଆଜି ଗୋଲାପ ଗୁଚ୍ଛ, କାଲି ହେନା, କେବେ ମଲ୍ଲୀ, ଚମ୍ପା, ରଜନୀଗନ୍ଧା । ଭିନେ ଭିନେ ।

 

ଗୋଟିଏ ଫୁଲଦାନୀରେ ସବୁ ଫୁଟେ । ଅଲଗା ଅଲଗା, ଅମିଶ୍ରିତ । ମନ ହୁଏ ଗ୍ରାମଫୋନ୍‍ରେ ରେକର୍ଡ଼ଟିଏ ଲଗାଇବ । କିଏ ଯେପରି ମନକୁ ଶାସନ କରେ । ଅତୀତ ସ୍ମୃତି ଛାତି ତଳର କେଉଁ ନିଭୃତ କନ୍ଦିରେ ଗୁମୁରି ଉଠେ । କୁବେର ଚା’ ଶୋଷେ । କାନରେ ପଡ଼େ ଖୁଡ଼ୀଙ୍କର ନିତି ସକାଳର ଗର୍ଜନ । କାଣୀ ବିଲେଇର କୁଜି ଅସରସା ଉପରେ ତୋଡ଼ ।

 

ସାତ ବାଜିଲାଣି । ଗଛ ଗହଳି ଡେଇଁ ଘରମଥାନ ଉପରେ ସୂର୍ଯ୍ୟ ମୁହଁ ଦେଖେଇଲେଣି । ସୁମତିଙ୍କର ଉଠିବାର ବେଳ ହୋଇଛି । ଏ ଅଭ୍ୟାସ ତାଙ୍କ ଆଗରୁ ନ ଥିଲା । କୁବେରର ଜନନୀ ମଙ୍ଗଳା ଯେତେବେଳେ ବଞ୍ଚିଥଲେ, ଘରର ଘରଣୀ ହୋଇ ସବୁକଥା ବୁଝାସୁଝା କରୁଥିଲେ, ତାଙ୍କରି ଡରରେ ସେ ସହଳ ସହଳ ବିଛଣା ଛାଡ଼ୁଥିଲେ ।

 

ଚମରେ ତାଙ୍କର ଚହଟ ଅଛି । ମୁହଁଟି ବି ସୁନ୍ଦର । ଗାଲ ଦିଓଟିରେ ବେଶୀ ମାଉଁସ, ହେଲେ ଦେହଟି ଦୁର୍ବଳ । କାଠପରି ହାତ ଗୋଡ଼ । ଚାଲିଲାବେଳକୁ ଟଳନ୍ତି, ସତେ କି ପଡ଼ିଯିବେ । ମାଇପେ କହନ୍ତି, ଏଇଥିପାଇଁ ତାଙ୍କ ଶୁଖୁଲା ପେଟରେ କଶି ଧରୁ ନାହିଁ । ଧରିଲେ ବି ରହୁନାହିଁ । ଫୁଲ ନ ମଉଳୁଣୁ ଫଳ ତଳେ ପଡ଼ୁଛି ।

 

ମୋଟା ମୋଟା ହେବାକୁ ଯିଏ ଯାହା ବତେଇଛି ସେ କରିଛନ୍ତି । ଏପରି କି, ଗୋଟା ଗୋଟା କରି ସାତଟା ବ୍ରାହ୍ମଣୀ ବେଙ୍ଗ ତରକାରୀ କରି ଗିଳିଛନ୍ତି । କିନ୍ତୁ ଫଳ କିଛି ହୋଇନାହିଁ । କିଏ ପୁଣି କହିଲା, ଯେତିକି ଶୋଇବ ଦେହରେ ସେତିକି ମାଉଁସ ଲାଗିବ । କିନ୍ତୁ, ବଡ଼ ଜା ଓ ଦେଢ଼ଶୁର ଥିବାଯାକେ ରାତି ଅଧ ଆଗରୁ ବିଛଣା ଧରିବା ସମ୍ଭବ ନୁହେଁ କି ସକାଳେ ବାସୀ ବିଛଣାରେ ଘଡ଼ିଏ ଶୋଇବା ବି ସମ୍ଭବ ନୁହେଁ ।

 

ସମ୍ଭବ ହେଲା ଦେଢ଼ଶୁରଙ୍କ ମରଣ ପରେ । ଜଞ୍ଜାଳ ନାହିଁ କହିଲେ ଚଳେ । ଘରର ସେ ଘରଣୀ । ସବୁ ପାଇଟି କରିବାକୁ ଲୋକ ଅଛନ୍ତି, ବିଶେଷତଃ ପରୀ । ତୁଣ୍ଡରୁ କଥା ବାହାରିଲେ କାମ ସତେ କି ଆପେ ଆପେ ହୋଇଯାଏ । କୁବେର ଓ କୁନ୍ତଳାଙ୍କୁ ଡର ଭୟ ନ ଥିଲେ ବି ସେମାନଙ୍କର ମଧ୍ୟ ଜଞ୍ଜାଳ ତ ଥିଲା । କୁନ୍ତଳା ପର ଘରକୁ ଯାଇଛି । କୁବେରର ମୁହଁଫିଟା ଓଜର ଆପତ୍ତି ନ ଥିଲେ ବି ନାକଟେକା ସ୍ଵଭାବ ଅଛି । ଅଳ୍ପ କଥା ସେ କହେ । ମୁହାଁମୁହିଁ ସୁମତି କିଛି ନ ପଚାରିଲେ ଉପରେ ପଡ଼ି କୁବେର କେବେ କିଛି କହିବାକୁ ଖୁଡ଼ୀଙ୍କ ଆଗକୁ ପ୍ରାୟ ଆସେ ନାହିଁ । ତଥାପି ଭେଣ୍ଡା ପୁଅ, ଯଦି କୁଆଡ଼େ ରୋଜଗାରପତ୍ର କରିବାକୁ ଚାଲିଯାଆନ୍ତା, ସେ ଆହୁରି ନିଶ୍ଚିତ ହୋଇ ଯାଆନ୍ତେ । ସଞ୍ଜବୁଡ଼ୁ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ ବି କେହି ଆଉ ଉଠାନ୍ତେ ନାହିଁ । ସେ ଶୋଇ ଶୋଇ ମୋଟା ହେବାକୁ ଚେଷ୍ଟା କରନ୍ତେ ।

 

ସେ ଜାଣନ୍ତି, ପରୀ ଥିବାବେଳେ କୁବେର କେବେ ଗାଁ ଛାଡ଼ି ଯିବନାହିଁ । ପରୀ ତାକୁ ଛତିଶାନିଯୋଗ ଖଞ୍ଜି ଦେଉଛି । କେଜାଣି କି ସମ୍ପର୍କ ଅଛି ତାଙ୍କ ଭିତରେ ମନଗହନର କନ୍ଦି ବିକନ୍ଦିରେ ସନ୍ଦେହ ଅଣ୍ଡାଳି ହୋଇ ବୁଲେ । ରାଈକୁ ବିଶ୍ୱାସରେ କେତେ କଥା ପଚାରନ୍ତି ।

 

ରାଈ ମଧ୍ୟ ତାଙ୍କ ସନ୍ଦେହ ମୂଳରେ ପାଣି ଢାଳେ । ହେଲେ କେହି ସେମାନଙ୍କର କୌଣସି ବେଢ଼ଙ୍ଗ ବ୍ୟବହାର କେବେ ଦେଖି ନାହିଁ । ଛଳେଇକରି କାନ୍ଥବାଡ଼କୁ ଦେଖାଇ ପରୀକୁ ସିନା କହିହେବ, କୁବେରକୁ କହିବ କିଏ ? ତାର କାନରେ ପଡ଼ିଲେ ଏ ଘରେ ପ୍ରଳୟକାଣ୍ଡ ଘଟିବ । ଶେଷକୁ ସେଇ ଏକା ଚିହ୍ନା ପଡ଼ିବେ । ତେବେ ସେ ମନରେ ଆଶା ବାନ୍ଧିଛନ୍ତି, ଚୋର ଘରେ ଅକସ୍ମାତ ଦିନେ ଆଲୁଅ ଜଳିବ । ବୁଡ଼ି ବୁଡ଼ି ପାଣି ପିଇଲେ, ପାଣି ପିଆ ସିନା କେହି ଦେଖିବେ ନାହିଁ, ପେଟ ତ ଫୁଲି ଉଠିବ । ସମସ୍ତେ କହିବେ ପାଣି ପିଇଛି ।

 

ସହଳ ସହଳ ଶୋଇ ବିଦୁରକୁ ଶୋଇ ପକେଇ ନିଜେ ବିଛଣା ଧରିଲେ ବି ଛାଇନିଦ ଲାଗେ ସିନା, ଘୁଙ୍ଗୁଡ଼ିଆ ନିଦ ଆସେ ନାହିଁ । ନିଦ ଭିତରେ ସପନ ମାଡ଼ିଆସେ । ସପନ, ଭିତରେ ସନ୍ଦେହ ଲୁଚକାଳି ଖେଳେ ।

 

ଧଡ଼ପଡ଼ ହୋଇ ଉଠି ବସନ୍ତି । ଆଲୁଅ ତେଜି କବାଟ ଖୋଲି ଧାଇଁଆସନ୍ତି ପରୀ ଏତେ ରାତିଯାଏ ଚେଇଁଛି । ଡିବିରି ଜାଳି ଗୁଣୁଗୁଣୁ ହୋଇ ପୁରାଣ ପଢ଼ୁଛି ରାଈ ଶୁଣୁଛି

 

ଲୋକେ ଜାଣିବାକୁ ସେ ମକରଙ୍କଠାରୁ ଦଶ ବରଷ ସାନ; କିନ୍ତୁ ତା’ଙ୍କ ମନ ଜାଣିବାକୁ ସେ ମୋଟେ ବରଷ ସାତଟା ସାନ । ହିସାବ ଭୁଲ ପାଇଁ ତିନି ବରଷେ ଏପାଖ ସେପାଖ ହୋଇନାହିଁ । ସୁମତିଙ୍କ ବାପା ଜାଣି ଜାଣି ବରଷ ତିନିଟା କଳାବଜାର କରିଦେଇଥିଲେ । ସୁମତିଙ୍କୁ ସତରେ ଯେତେବେଳେ ଉଣେଇଶି ପୂରି କୋଡ଼ିଏ ଚାଲିଲା, ସତେଇଶି ବର୍ଷର ଦରବୁଢ଼ା ବର ସଙ୍ଗେ ସଙ୍ଗେ ଷୋହଳ ପୂରି ସତର ଚାଲୁଥିବା ନବଯୌବନୀ ଝିଅକୁ ସେ ଅତି ମନୁଦୁଃଖରେ ଛନ୍ଦିଦେଇ ନିଶ୍ଚିନ୍ତରେ ଶୋଇଥିଲେ । ବାହାଘର ପନ୍ଦର ବର୍ଷ ପାଖେଇ ଆସିଲା । ଏବେବି ତାଙ୍କୁ ପଇଁତିରିଶ ହୋଇନାହିଁ । ଏବେବି ମନର କେଉଁ କୋଣରେ ଦିକି ଦିକି ହୋଇ ଆଲୁଆ ଜଳୁଛି, କଶିଟିଏ ଧରିଲେ ଅବଶ୍ୟ ରହିବ । ସେ ମୋଟା ହୋଇଆସୁଛନ୍ତି ।

 

ଜାଆ ତାଙ୍କ ହାତକୁ ଫୁଲନାଡ଼ ବିଦୁରକୁ ଟେକିଦେଲା ଦିନ ମକର ଦୂରେଇ ରହନ୍ତି । ବିଦୁରର ଅର୍ଦ୍ଦଳିରେ, ତିଆରି ସେବା ଯତ୍ନ ନେବାରେ ବର୍ଷ ବର୍ଷ କଟିଗଲା । ମକର ତାଙ୍କର ମନେପଡ଼ିଲେ ନାହିଁ । ସେ ବି ତାଙ୍କର ଦଣ୍ଡ ବୈଠକ ମୁଦ୍‌ଗର ସଙ୍ଗେ ଏକା ଥରେ ପ୍ରେମରେ ପଡ଼ିଲେ । ତା'ଛଡ଼ା ତ ଘର କାମ ଅଛି । ପୁତ୍ର ନିବେଶି ପତ୍ନୀ ପାଶେ, ମକର ଚଳିଲେ ସନ୍ନ୍ୟାସେ ।

 

ସନ୍ୟାସ ନୁହେଁ ତ ଆଉ କଅଣ ? ସୁମତିଙ୍କ ସଙ୍ଗେ ହାବୁଡ଼ା ଝଟ୍‍କା ଦିନରେ ଥରେ ଅଧେ ଦେଖା ହେଲେ ହେଉଥିବ, ରାତିରେ ମୋଟେ ଦେଖା ହୁଏ ନାହିଁ । ରାତିରେ ସିନା ମନ ଉପବନରେ ସୁମନା ଫୁଟେ, ବାସ ଚହଟେ । ମନର ଫୁଲ ସକାଳର ଆଲୁଅରେ ମଉଳେ ।

 

ଜାଆ ମଲାଦିନୁ ଘରର ବୋଝ ମୁଣ୍ଡକୁ ଆସିଲା । ମକରଙ୍କ ପାଖକୁ ଯିବା ଆସିବାର ଥର ବଢ଼ିଲା । କଥା ଅକଥାରେ ଆଳାପ କରିବା ଲୋଡ଼ା ପଡ଼ିଲା । କି କଥା ସେ ? ଘରର ହାନିଲାଭ, ଭଲମନ୍ଦ । ଆଦ୍ୟ ବୈଶାଖର ବିଜୁଳି ପରି ମୁହଁରେ ହସ ଝଟକେ । ହସ ଛାପେ । ବରଷା ଝରେ ନାହିଁ ।

 

ନ ଝରୁ । ଅନୁର୍ବର କ୍ଷେତର ଛାତିରେ ବରଷା ଭେଦିଲେ ବି ଅଙ୍କୁର ହେବ ନାହିଁ । ଲଟାପତ୍ର ମାଡ଼ିବ ନାହିଁ । ଫଳ ଫଳିବ ନାହିଁ । ଦେହରେ ମାଂସ ଲାଗିଲା ଦିନୁ ମନ କହିଲା, ସେ ଉର୍ବର ହୋଇଛନ୍ତି । ଗୋରା ଚମ ତୋରା ହୋଇଛି । ଗହଣା ଗାଣ୍ଠି ବସି ଆଉଚି । ଲଟାପତ୍ର ମେଲି ଫୁଲ ଫଳ ଧରିବାକୁ ମନ ଉଚ୍ଛନ୍ନ ହେଉଛି ।

 

ହଁ ବିଦୁର ବି ଫଳଟିଏ । ତାଙ୍କରି କୋଳରେ ବଢ଼ୁଛି । ହେଲେ, ପଡ଼ିଶା ଘରର କଖାରୁଡଙ୍କ ଏ ପିଢ଼ାକୁ ଲଟେଇ ଆସେ ଫଳ ଫଳିଲା ପରି । ସବୁ ସ୍ନେହ ସବୁ ଅଧିକାର ଥିଲେ ବି ମୟୁର କି ହଂସ ଡିମ୍ବ କୁଡ଼ୁକି କୁକୁଡ଼ାର ପେଟ ତଳେ ରଖିଲା ପରି ଯେ ନ ହେବ ଏ କଥା କିଏ କହିବ ?

 

ମନ ଡାକୁଛି; କିନ୍ତୁ ଯାହାକୁ ଡାକୁଛି ସେ ପାଖରେ ଆତଯାତ ହେଉଥିଲେ ବି ଯେପରି ସାତ ସମୁଦ୍ର ସେପାରିରେ । ଦିଶୁଛନ୍ତି, ଧରି ହେଉ ନାହିଁ । ହାତ ପାଉନାହିଁ, ସବୁ ଇଙ୍ଗିତ ସବୁ ସଂକେତ ବିଫଳ ହେଉଛି ।

 

ଘର ଘରଣୀର ସଂକେତ କି ଇଙ୍ଗିତ ଲୋଡ଼ା ହୁଏ ନାହିଁ । ପଇତା ନ ଦେଖି ଚିହ୍ନା ବ୍ରାହ୍ମଣକୁ ଲୋକେ ପ୍ରଣାମ ହୋଇପାରନ୍ତି । କାଲ ଠାର କାଲର ମା ଜାଣିପାରେ । ଘର ଘରଣୀ ଯେପରି ଦିନ କେଇଟାରେ ଦେହର କି ମନର ଅଂଶ ପାଲଟିଯାଏ । ଆଖିରେ ଟିକିଏ ଝଟକ, ଟିକିଏ ଆଭାସ, ସ୍ଵରରେ ନ ଜାଣିଲା ପରି ସାମାନ୍ୟ ଶିହରଣ, ବେଶଭୂଷା, ଚାଲିଚଳଣ ଓ ଅନୁରକ୍ତିରେ ସାମନ ଟିକିଏ କେଉଁଠି- କଅଣରେ ମନର ସରାଗ ପରସ୍ପରର ଆଖିକୁ ଜଳଜଳ ହୋଇ ଦିଶେ । ଦୂରରେ ଥିବା ଦୁଇଟା ପ୍ରାଣୀ ପାଖେଇ ଆସିବାକୁ ଆରା ଖୋଜନ୍ତି ।

 

–ମଶାରିଟା ଝଡ଼ା ହୋଇ ପଡ଼ିନାହିଁ । ଦେହଟା କାହିଁକି ଥଣ୍ଡା ଲାଗୁଛି । ଶୁଣିଲଣି, ସେ ଅମୁକର କଥା-କଥା କହିବାକୁ ପାଖରେ ଲାଗିକରି ବସିବା, ଅତି ସାବଧାନତା ଅବଲମ୍ବନ କରିବାର ଛଳନା ଭିତରେ ଟିକିଏ ଅସାବଧାନତା....

 

ସବୁ ହୋଇଛି ବିଫଳ । କେଜାଣି ବା ବହୁବର୍ଷ ହେଲା ଅଲଗା ରହି ଏକୁଟିଆ ଜୀବନଟା ଆରେଇ ଗଲାଣି । ସ୍ୱଭାବ ବଦଳିଲାଣି । ମନ ଓ ପ୍ରବୃତ୍ତି ପଥୁରିଆ ଧରିଲାଣି । ଘେନାଘନିର ତଡ଼ାଗ ଉପରେ ବିସ୍ମୃତିର ସର ପଡ଼ିଲାଣି ।

 

ଖୋସାର ବଉଳ ଫୁଲ ମାଳ, ମୁଣ୍ଡର ଦାଉ ଦାଉ ସିନ୍ଦୂର, ଆଖିର କଜ୍ଜ୍ୱଳଗାର, ପାନଖିଆ ପାଟିର ନାଲିଆ ଓଠ, ଧଳା ଦେହର ହଳଦିଆ ପୁଟ, ଝାଲିଆ ଶାଢ଼ୀ, ଝୁମୁ ଝୁମୁ ନୁପୁର ବାଜେଣି, ଅଳତା ବୋଳା ପାଦ...କିଛି ମକରଙ୍କ ମନକୁ ଓଟାରି ପାରୁନାହିଁ । ଏସବୁ ବି ଯେପରି ତାଙ୍କ ଆଖିର ଅଭ୍ୟାସ ପାଲଟିଛି ।

 

ଅଥବା ?

 

ହୋଇଥିବ । ବୁଢ଼ା ବୟସରେ ତାଙ୍କର ବାପେ ରାଈକୁ ଘରେ ଆଶ୍ରା ଦେଇଥିଲେ । ସେଇ ରକ୍ତ ମକରଙ୍କ ଦେହରେ ଅଛି । ନର ମାୟା ନାରାୟଣଙ୍କୁ ଅଗୋଚର ।

 

ମକର ବେଳେ ବେଳେ କେତେ ରାତିରେ ଫେରନ୍ତି । ସୁମତିଙ୍କର ମନ ଚିଡ଼ିଉଠେ । ଦି’ ପଦ ଟାଣ ଟାଣ କରି ହାଙ୍କିଦେବାକୁ ଇଚ୍ଛା ହୁଏ । ସାହାସ ହୁଏ ନାହିଁ । ମକରଙ୍କର ଡେରିରେ ଫେରିବା ଅଭ୍ୟାସଟା ଆଜି ନୂଆ ନୁହେଁ । ସୁମତି ଏ ଘରେ ଗୋଡ଼ ଦେଲା ଦିନୁ ଏହା ଦେଖୁଛନ୍ତି । ଆଗେ ସେ ନିଜ ମନକୁ କୈଫିୟତ ଦେଉଥିଲେ– ସୁମତିଙ୍କ ଗମ୍ଭୀର ମହଁ ଓ ବେଦନା ମଉଳା ଆଖି ଦିଓଟିର ଉତ୍ତର ! ଚିହ୍ନା ପରିଚ ଘନିଷ୍ଠ ହେବାରୁ କୈଫିୟତ ଦେବା ଆଉ ଲୋଡ଼ା ପଡ଼ିଲା ନାହିଁ । ବୟସ ବଢ଼ି ଚାଲିଛି । ଦାୟିତ୍ୱର ଓଜନ ବଢ଼ିଛି । ସେ ହୋଇଛନ୍ତି ଘରର ମୁରବୀ । ଗାଆଁର ଜଣେ ମାମଲତକାର ।

କୈଫିୟତର ପ୍ରଶ୍ନ ଉଠୁନାହିଁ ।

ତଥାପି ସୁମତି ଚିଡ଼ି ଉଠନ୍ତି ।

ଏତେ ରାତିଯାଏ ରହୁଛ, ଦେହ ଖରାପ ହେବ ।

ମକରଙ୍କର ପହିଲା ମନମୂର୍ତ୍ତି, ନିରୋଗ ଦେହକୁ ଚାହିଁ ନିଜ କଥାର ଅସାରତା ଉପଲବ୍‌ଧି କରି ତୁନି ହୋଇ ରହନ୍ତି ।

ମକର ଅଳପ ହସି ଉତ୍ତର ଦିଅନ୍ତି, କାଲି ସକାଳେ ଅଧିକ ଶହେଥର ଦଣ୍ଡବୈଠକ କଲେ ସବୁ ଠିକ୍ ହୋଇଯିବ ଯେ ।

କହିଲ, ଏତେ ରାତିଯାଏ କିଏ ଚେଇଁକରି ଅନେଇଁ ବସିବ ?

ପରୀ ନାହିଁ କି ?

 

ସୁମତିଙ୍କ ହାଡ଼ରେ ନିଆଁ ଲାଗେ । ବେଆଡ଼ା କରି ପଦେ ଟାଣ କରି କହିଦେବାକୁ ମନହୁଏ । କେତେ ଆଡ଼କୁ ଭାବିଚିନ୍ତି ଜିଭ କାମୁଡ଼ି ତୁନି ରହନ୍ତି ମୁହର୍ତ୍ତେ । ମନରେ ସନ୍ଦେହ କୁହୁଳେ ।

ପରୀ ସିନା କେବେ ପିଲା ଥିଲା, ଏବେ ସେ କେଡ଼େ ବଡ଼ ମାଇପିଟାଏ ହେଲାଣି । ତା ପାଖରେ ବେହେଲ ହେଇ ତାର ହାତଧରି ଚିପିବା କି ବଳ କଷିବା ମିଣିପଙ୍କଠେଇଁ ଶୋଭାପାଏ ନାହିଁ । ଝିଅ ଝିଆରୀ ହେଲେ ତ ଲୋକେ ପଦେ କହିବେ, ପରୀ ତ ଚାକରାଣୀ ଟୋକିଟା । ଛିଆ, ସୋଗ ନୁହେଁ ଯେ ରୋଗ । ଷାଠିଏ ବର୍ଷର ବୁଢ଼ା ତେର ବରଷ ଝିଅକୁ ଘରଣୀ କରି କୋଳରେ ପିଲା ଖେଳାଉଛନ୍ତି ତ ! ଶଙ୍କର ବୁଢ଼ା ହଡ଼ା ନୁହନ୍ତି । କେଜାଣି ତାଙ୍କ ମନରେ କଅଣ ଅଛି । ଲୁଚକାଳି ଖେଳ ଚାଲିନାହିଁ ତ ? ନିଆଁନାଗୀ ଟୋକୀଟା କୁଆଡ଼େ ହେଲେ ପଳାଉ ନାହିଁ । ରୂପ ଯୌବନ ଝଟକୁଛି । ଆଶ୍ରା ଦେବାକୁ ଲୋକେ ଆଗେଇ ଆସିବେ ।

 

ଭଣ୍ଡାରୁଣୀ ଟୋକୀ ଭାତ ବାଢ଼ିବ ?

ଡେକ୍‍ଚିରେ ରନ୍ଧା ହୋଇନାହିଁ ?

 

ରାଗ ତମ ତମ ହୋଇ ସୁମତି ଶୋଇବାକୁ ଆସନ୍ତି, ଶୋଇଲା ଘରର କବାଟ ଦୁଲଦାଲ୍ କରି ବନ୍ଦ କରନ୍ତି । ପରୀ ତ ଅଛି, ମୋର କି ଲୋଡ଼ା ?

 

ସେଇ ପରୀ ସମସ୍ତଙ୍କ ତୁଣ୍ଡରେ ବସା ବାନ୍ଧିଛି । ସେଇ ପୁଣି ସମସ୍ତଙ୍କର ସବୁ କରିବ, କରୁ । ଗଜା ଭୂଇଁ ଫଟେଇ ମୁଣ୍ଡ ଟେକିଲେ ସମସ୍ତେ ଜାଣିବେ । ପତ୍ର ମେଲିଲେ ସମସ୍ତେ ଚିହ୍ନିବେ କି ଗଛ ।

 

ପରୀ କବାଟ ବାଡ଼େଇ ଡାକେ, ଖୁଡ଼ୀ, ଖୁଡ଼ୀ, ଖୁଡ଼ୀ....

 

ବିରକ୍ତିଆ ଜବାବ ପାଏ, ବାଢ଼ି ଦେ ଲୋ ଚୁଲିପଶୀ । ମୋ ଦେହ ଭଲ ନାହିଁ । ମୁଁ ଆଜି ଖାଇବି ନାହିଁ । ଡେକ୍‍ଚିରେ ତ ରାନ୍ଧି ମରିଛୁ ।

 

ପରୀ କର୍ତ୍ତବ୍ୟ କରେ । ମକରକୁ ଖାଇବାକୁ ଦିଏ । ବିଛଣା ପାରି ତାଙ୍କ ଶୋଇବା ପାଇଁ ଆୟୋଜନ କରେ ।

 

ବାଆଁରେଇ ହୋଇ ସୁମତି ତାଙ୍କ ମନକୁ ଉଠନ୍ତି । ପରୀକୁ ଠାବ କରନ୍ତି । ମୁହଁ ଫଣ ଫଣ କରି ରୋଷଘରକୁ ଯାଇ ବିଦୁର ପାଇଁ ଗିଲାସରେ କ୍ଷୀର ନେଇ ପୁଣି ଘରେ ପଶନ୍ତି ।

 

ଖୁଡ଼ୀ, ଖାଇବ ନାହିଁ ?

 

ପରୀ ଉତ୍ତର ପାଏ ନାହିଁ । ଘର କାମ ଶେଷ କରି ରାତି ଅଧରେ ଉପାସରେ ସେ ଶୁଏ । ରାଈ ଉପାସ ରହିପାରେ ନାହିଁ । ଆଖି ବୁଜି ଅନ୍ଧାରରେ ଭୋଜନ କରେ । ନିଜେ ନିଜର ମନକୁ ବୁଝାଇ କହେ, ହଁ, ଏ ଯୁଗରେ କିଏ ଜାତିପତି ରଖି ବସିଛି । ହାଡ଼ି ହାତରେ ତ ବ୍ରାହ୍ମଣ ଖାଉଛି । ପରୀ ତ ଭଲ ଘରର ଝିଅ । ରାଈ ଅନ୍ଧାରରେ ଖାଇବାକୁ ସୁଖପାଏ । ନିଜର ଖିଆ ସେ ନିଜେ ଦେଖେ ନାହିଁ । ଦିନବେଳେ ବି ସେ କବାଟ ଆଉଜାଇ ବସେ ।

 

ରାଈ ପୁଅ ଆକୁଳି ଆଗକୁ ଅନେଇଁ ଖାଏ । ପତରରେ ଯେତେ ଢାଳୁଥିଲେ ବି ସେ ମନାକରି ପାରେନାହିଁ । ପରୀ ତାକୁ ପରଷି ଦେଉଛି । କେତେ ଭାଗ୍ୟ । ପରୀ ମୁହଁକୁ ବଲ ବଲ କରି ଚାହିଁ ରହିବାକୁ ସେ ଅଲାଜୁକକୁ ଲାଜ ମାଡ଼େ ନାହିଁ ।

 

ପରୀ କହେ, ଉଠ୍‌ ଏଥର, ଖାଉଥିବୁ କି ?

 

ଆକୁଳି ଅସ୍ତବ୍ୟସ୍ତ ହୋଇ ଉଠେ । ଉଠିଲାବେଳକୁ ବୁଝେ, ଗ୍ରାସଟା ଆଜି ଭଲ ହୋଇଛି । ଦିନେ ଦିନେ ଖୁଡ଼ୀଙ୍କର ଦେହ ବିଗିଡ଼ିବା ଭଲ । ତାଙ୍କର ହନୁ ପରସା ।

 

ସୁମତି ଏବେ ଘନଘନ ରୁଷନ୍ତି । ତଥାପି ମକରଙ୍କର ପରିବର୍ତ୍ତନ ହୁଏନାହିଁ । ସେମିତି ତାଙ୍କର ଥଟ୍‌ଲି କଥା । ପିଲାଳିଆ ଢଙ୍ଗ । ରାଗରୋଷ ସେ ଜାଣନ୍ତି ନାହିଁ । ରାତି ପାହିଲେ ସୁମତିଙ୍କୁ ଡାକ ଛାଡ଼ନ୍ତି ହଇଗୋ, ଶୁଣିଲଣି.... ।

 

ତାଙ୍କର ଗେହ୍ଲାଳିଆ ଡାକ ଶୁଣିଲେ ସୁମତି ବାଧ୍ୟ ହୋଇ ପାଖକୁ ଯାଆନ୍ତି । ସ୍ୱାମୀଙ୍କର ଦେହକୁ ଓ ହସିଲା ମୁହଁକୁ ଅନେଇଁ ଦେଲେ ସବୁ ରାଗ ସବୁ ଅଭିମାନ ଉଭେଇଯାଏ ।

 

ପଚାରନ୍ତି, କଅଣ ?

ଦେହ ଟିକେ ଭଲ ଲାଗୁଛି ।

ଭାରି ଶୁଖିଲା ଦିଶୁଛ ।

 

ସୁମତି କେବେ ବି ଉତ୍ତର ଦିଅନ୍ତି । ସେ ଯେ ଶୁଖିଲା ଦିଶୁଛନ୍ତି ଏହି ଧାରଣା ତାଙ୍କର ଛାତି ଥରାଏ । ପ୍ରଚୁର ଭୋଜନ କରି ପ୍ରଚୁର ଶୟନ କରିବାକୁ ସେ ବ୍ୟସ୍ତ ହୋଇପଡ଼ନ୍ତି । ପରୀକୁ କରନ୍ତି ଆଦର । ସବୁକାମ ସେ କରିଦେବ । ତାଙ୍କୁ କେହି ବିରକ୍ତ କରିବେ ନାହିଁ ।

 

ପୁଣି କେବେ ମୁଣ୍ଡରେ କି ପୋକ ପଣେ । ସକାଳୁ ଉଠୁ ଉଠୁ ଆରମ୍ଭ ହୁଏ- ସକାଳୁ କାହା ମୁହଁ ଚାହିଲିଟି । ଯେତେ କହୁଛି, ମୁଁ ଉଠିଲାବେଳକୁ ଆସି ମୁହଁ ଦେଖାଇବୁ ଚାହିଁ, ଅଲକ୍ଷଣୀ ଛତରଖାଇ ମୋ କଥା ମାନୁନାହିଁ । ଚୁଲିପଶୀ ହେଲେ କୁଆଡ଼େ ଯାଇ ମରୁନାହିଁ ।

 

ପରୀ ଶୁଣି ନ ଶୁଣିଲା ପରି ବିଛଣା ଟେକି ଘର ଓଳାଏ । ମନରେ ଛଳ ନାହିଁ । ପଦାକୁ ଆସି କହେ, ଆଗ ଚାହା ଖାଇବ ନା ଗାଧେଇଯିବ ?

 

ସୁମତି ଚାହିଁ ଦିଅନ୍ତି ତା ରୂପକୁ । ସେଇ ମାଙ୍କଡ଼ ଛୁଆଟା ପୁଣି ଏମିତି ତ୍ରିପୁରମୋହିନୀ ହେଲା । ମୁଣ୍ଡରେ ସିନ୍ଦୁର ନାହିଁ । ଆଖିରେ କଜ୍ଜ୍ୱଳ ନାହିଁ । ଦେହରେ ଦାମିକା ଶାଢ଼ୀ ନାହିଁ । ଗହଣା ନାହିଁ ଗୋଡ଼ରେ ଅଳତା ନାହିଁ । ତଥାପି କେମିତି ଠାକୁରାଣୀ ପରି ଆଗରେ ଠିଆ ହୋଇଛି । ମାଛ, ମାଂସ, ଘିଅ, ଦୁଧ, ସବୁ କାରବାର ସେ କରେ । କିଛି ତୁଣ୍ଡରେ ଦିଏ ନାହିଁ । ପଖାଳ ତାଟିଆଏ, ଶାଗ ଟିକିଏ ଅଇଁଠା ସଂକୁଡ଼ି ଭାତ ପୁଞ୍ଜାଏ । ଦେହରେ ମାଛି ବସିଲେ ଖସି ପଡ଼ିବ ।

 

ଏଇଆକୁ ଦେଖି କୁବେର ଓଠ ଚାଟୁଛନ୍ତି । ଘର ଛାଡ଼ି ପଦାକୁ ଗୋଡ଼ ବଢ଼ାଉ ନାହାନ୍ତି । ଯେତେ ଯୁଆଡୁ ବାହାଘରର ସମ୍ବନ୍ଧ ଆସୁଛି ମୁଣ୍ଡ ହଲେଇ ଦେଉଛନ୍ତି । ଏଇ ପିଚାଶୁଣୀ କିମିଆଁ କରିଛି ।

 

ଆଉ ଏ ଦରବୁଢ଼ା ବିଦୁର ବାପାଟା । ସେ ବି ୟାକୁ ଦେଖି ମାଳା ଜପୁଛନ୍ତି । ବାହାହେଲା ସ୍ତ୍ରୀକୁ ଛି କରି ଅଲଗା ରହୁଛନ୍ତି ! ହୁଁ, ମନେ ମନେ କାଣୀ ପିଠା ଖାଉଚି ।

 

ଓହୋ, ଏ ପରୀ, ଯେଉଁ ତ ରୂପ । ଶଙ୍ଖୀ ବିଲେଇ । ଡେଙ୍ଗା ତାଳଗଛ । ମୁହଁଟା ସେମିତି ସୁନ୍ଦର ନୁହେଁ ତ । ଏଇଥିପାଇଁ ସକସକ ? ହାବୁଡ଼େ ପଡ଼ିଲେ ଛାତିରେ ଚଢ଼ି ଟୋକୀର ଜିଭଟା ଉପାଡ଼ି ଦେବି । କେଉଁ ସୋଇଁ ଘରବାଟେ ପଳେଇବ ଦେଖିବି ଯେ । ମନହେଉଛି, ଏଇ କାଠ ଫାଳିଆଟା ତା ମୁହଁକୁ ପକେଇବି ।

 

ହେଲେ, ପରୀ ତ ଗରିବ ନୁହଁ । ଦି ମାଣ ଜମି । ହାତରେ ଅଛି ତିନି ହଜାରେ । ଏବେ ସେ ଥଟ୍ଟା କଲା ପରି ହସୁଛି । ମନକୁ ମନ କେତେ ପାଠ ପଢ଼ିଲାଣି । କେତେ ବିଦ୍ୟା ଶିଖିଲାଣି । ମାରିବାକୁ ଲାଜ ମାଡ଼ୁଛି । ସେ ହସିଦେବ ! କୁଆଡ଼େ ହେଲେ ପଳାନ୍ତା ।

 

ଆଣ୍‌ ଲୋ, ଚା’ –

 

ଯେଉଁ କୁଟୁମ୍ବର ଜଣେ ହୋଇ ଗୋଟିଏ ଯୁଗ ସେ କଟେଇଛି, ଯେଉଁଠି ପାଞ୍ଚ ବରଷର ନଙ୍ଗୁଳୀ ଡରିଲା ପିଲାରୁ ସତର ବର୍ଷର ଧାଙ୍ଗଡ଼ା ହୋଇଛି, ପାରିଲାର ହୋଇଛି, ଯେଉଁଠି ଘୃଣା, ନାକଟେକା, ଦୂରେଇ- ରହୁଁ କାହୁଁ ଅଇଲାର ଛତରଖାଇ ଅସନୀ ଟୋକୀର କରଛଡ଼ା ଭାବକୁ ସର୍ବସହଣୀ ଗୁଣରେ ସେ ଓଲଟେଇ ଦେବାକୁ କ୍ଷମ ହୋଇଛି, ସେଇଠି ବାରବରଷ ଭିତରେ କେତେ କେତେ ଘଟଣା ତା ଜୀବନରେ ଘଟିଯାଇଛି । ପରୀର ସବୁ ମନେଅଛି । କେଉଁ କଥାକୁ ସେ କେବେ ଛଳ କରିନାହିଁ । କାହା ଉପରେ କେବେ ରାଗିନାହିଁ । ଅଭିମାନ କରିନାହିଁ । ଛାତି ଭିତରେ ଯେତେ ଛାପିଲା ଭାବ ସବୁ ତାର ନିଜର । କାହାରି ଆଗରେ ମନର ଅନ୍ଧାରି କବାଟ କେବେ ଖୋଲିନାହିଁ । ଭାବନାକୁ ପ୍ରଶୟ ଦେଇନାହିଁ । କର୍ତ୍ତବ୍ୟ କରିଯାଇଛି । ତଥାପି କୌଣସି ଘଟଣା ବା ଘଟଣାର ଭବିଷ୍ୟତ ସେ କେବେ ସପନରେ ଦେଖିନାହିଁ ।

 

କେବେ କେମିତି ସପନ ଦେଖିଛି ସେହି ଗୋଟିଏ କଥା ଅତୀତ ଜୀବନର ଝାପ୍‌ସା ଦୃଶ୍ୟ, ମାଆର ସ୍ନେହ ଆଦର, ପିଠି ଆଉଁସା । ମାଆର କଅଁଳ କୋଳ, ଉଷୁମ, ନରମ ଛାତି । ଝଡ଼ ବରଷା । ମାଆ ଅନ୍ତର୍ଦ୍ଧାନ । ସତେ ଯେପରି ସେ ସପନରେ ଆସି ମନେପକେଇ ଦେଇଯାଏ- ଆଲୋ ପରୀ, ତୁ ଏଇଆ ଥିଲୁ । ମନେରଖି ଥା । ଆଲୋ ଝିଅ, ଦୁନିଆଁର ବାଟେ ବାଟେ ତୋତେ କୋଳରେ ଧରି ଚାଲିଛି । ସହସ୍ର ପିଣ୍ଡାରେ ବସି ଆଖିରୁ ଲୁହ ଗଡ଼ାଇଛି । ଆଶ୍ରା ଲୋଡ଼ିଛି । ଆଶ୍ରା ପାଇନାହିଁ । ଆଲୋ ମା, ଦୁଃଖ ଶୁଣିବାକୁ ସମସ୍ତେ ଆଗ୍ରହ ଦେଖାଇଛନ୍ତି । କୁତୂହଳୀ ହୋଇଛନ୍ତି । କେହି ଆମର ଦୁଃଖ ଦୂର କରିବାକୁ ମନ ବଳେଇ ନାହାନ୍ତି । ବାଟୋଇ ଅନାଥିନୀର କଥାକୁ ଅବିଶ୍ୱାସ କରିଛନ୍ତି । ସନ୍ଦେହରେ ଅନାଇଛନ୍ତି । ଆଲୋ ପରୀ, ତତେ ଛାଡ଼ି ଯାଉଛି-

ରାତି ଅଧରେ ଆଖିରୁ ଲୁହ ଗଡ଼େଇ କାନ୍ଦୁଛୁ କାହିଁକି ପରୀ ? କି ସପନ ତୁ ଦେଖିଲୁ କି-? ଘଡ଼ିଏ କାଳ ଏକା ଆଖିରେ ପଦାକୁ ଅନେଇ ରହିଥିଲୁ ଯେ – !

ପରୀ ଲୋତକ ପୋଛିଲା । ହସିଲା ଓଠରେ କହିଲା, ବିଶ୍ୱାସ କର କି ନ କର, ସେଇ ପୁରୁଣା ସପନ ଲୋ ରାଈ । ପୁଣି ମୋର ମା ଆସି ସପନ ଦେଖାଉଥିଲା-

ମନା କରିଦେଉନୁ ଆସିବାକୁ । କେଜାଣି କେଉଁ ଅପନ୍ତରାରେ ପଡ଼ି କେବଠୁଁ ସେ ମରି ପ୍ରେତ ହୋଇଛି । ସଂସାରରେ ତ ଆଉ ତୋ ଛଡ଼ା ତାର କେହି ନାହିଁ । ସେଇଥିପାଇଁ ସେ ତୋ ପାଖ ଛାଡ଼ି ଯାଉନାହିଁ । ମୋ କଥା ମାନ, ତାକୁ ଆସିବାକୁ ମନା କରିଦେ ।

ଯେତେବେଳେ ମୁଁ ସପନ ଦେଖେ ରାଈ, ସେତେବେଳେ ମୁଁ ପାଞ୍ଚ ବରଷର ପିଲା ହୋଇଥାଏ । ବାର ବରଷ ଯେ ଗଡ଼ିଗଲାଣି ଆଉ ପରଘରେ ଆଶ୍ରା ନେଇ ମୁଁ ଯେ ଏଡ଼େଟାଏ ହୋଇଗଲିଣି, ଏକଥା ମୋର ମୋଟେ ମନେପଡ଼େ ନାହିଁ ।

ଡେଉଁରିଆ ନାଇବୁ ?

ସେଥିରେ ମୋର ବିଶ୍ୱାସ ନାହିଁ ।

ଦେହ କିଳେଇବୁ ?

 

ସେଥିରେ ବି ମୋର ପରତେ ନାହିଁ । ପରତେ ହେଲେବି ଦେହକିଳାରେ କି ଲାଭ ? ସେ ତ ଦେହରେ ବସେ ନାହିଁ; ମନରେ ପଶେ । ମୁଁ କହୁଛି, ଆସୁଛି ତ ଆସୁଥାଉ ସେ, ମନା କାହିଁକି କରିବି ?

 

ରାଈ କହିଲା, ପଢ଼ିଲା ଜାଣିଲା ଝିଅଟି ତୁ, ତତେ କି କଥା ବତେଇବି ? ସମସ୍ତେ କହନ୍ତି, ସେପୁରକୁ ଯିବା ଲୋକ ଏପୁରକୁ ଆସିବା ଭଲ ନୁହେଁ । ଯେତେଦିନଯାଏ ତୁ ପର ପୁଅର ହାତ ଧରି ନ ଯାଇଛୁ, ଯେତେଦିନଯାଏ ତୋ କୋଳରେ ପିଲା ବକଟେ ନ ଖେଳିଛି, ସେତେଦିନଯାଏ ତୋ ମାଆର ପ୍ରେତ ତୋ ପାଖକୁ ଏମିତି ଆସୁଥବ । ଏଇକଥା ସେ କହିବାକୁ ଆସେ । ତାର ତ ଆଉ କେହି ନାହିଁ । ତୋ ପେଟର ପିଲାକୁ ତାର ଆଶା । ସେଇ ବଡ଼ ହୋଇ ହାତଟେକି ପାଣି ଚଳେ ଟେକିଲେ ତୋ ମାଆର ପ୍ରେତ ମୋକ୍ଷ ହୋଇଯିବ । ନୋହିଲେ, କଲବଲ ଛଟପଟ ହୋଇ ଏମିତି ତୋ କତିକି ରାତିଅଧରେ ଧାଇଁଥିବ । ଡେଉଁରିଆ ନାଇଲେ କି ଦେହ କିଳେଇଲେ ସେ ମାନିବ ନାହିଁ । ହଁ, ଦେହରେ ମନରେ ନ ପଶି ଦୂରେଇ ଠିଆ ହେବ ।

 

ପରୀ ତୁନି ରହିଲା । ବେଳେବେଳେ ରାଈ ଭଲ କଥା କହେ । ବେଳେବେଳେ ପୁଣି ପାଞ୍ଚକଥା ଲଗେଇ ମିଛ କହି ନାନ୍ଦୁରୀପଣ କରେ । ମୁହଁକୁ ଅନେଇଁ, ଆଖିକାନ ଛୁଇଁ, ସଂସାରରେ ଯେତେ ଯେଉଁଠି ଠାକୁର ଠାକୁରାଣୀ ଥିବାର ଜଣାଅଛି, ସମସ୍ତଙ୍କ ରାଣ ନିୟମ ପକାଇ ସେ ଅଜବ ମିଛ ଗପେ । ଯାହା ନାମରେ ଗପେ ସେ ବଲବଲ କରି ଅନେଇଁ ରହେ । ଶୁଣେ । ମନକୁ ମନ ପଚାରେ, ସତେ କଅଣ ଭୁଲରେ କହି ଦେଇଥିଲି ? କେଜାଣି, ହେଇଥିବ ।

 

ରାଈର ମିଛ କଥାର ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ପ୍ରମାଣ ସେ ବହୁବାର ପାଇଛି । ବିନା ଦୋଷରେ ପିଲାଟି ଦିନରୁ ଆଜିଯାଏ କେତେଥର ଗାଳିମାଡ଼ ସହିଛି ସେଥିପାଇଁ ରାଈ ସଙ୍ଗେ ଚାରିପଦ ଦୁଃଖସୁଖ ହେବାକୁ ତାକୁ ଡର ମାଡ଼େ । ରାଈକଥାର ଉତ୍ତର ନ ଦେଲେ ଯଦି ଚଳିଯିବ ସେ ଉତ୍ତର ଦିଏନାହିଁ ।

 

ତୁନି ରହିଲୁ କାହିଁକି ପରୀ ? କୁନ୍ତଳା ଦେଈଙ୍କ ଘର ବାରିକ ଟୋକା ଶୁକୁଟା କଣ ନାକରା ପିଲା ? ଦେଈ ଆମର କେଡ଼େ ଶରଧାରେ ଚିଠି ଲେଖି ତାରି ହାତରେ ପଠେଇଥିଲେ । ସେଇ କଥା ଲେଖି ଆଉ ତିନିଥର ଚିଠି ଦେଲେଣି । ସାଆନ୍ତାଣୀଙ୍କୁ ଲେଖିଲେ, ବାବୁଙ୍କୁ ଲେଖିଲେ । ତୋତେ ବି କୁଆଡ଼େ ଲେଖିଥିଲେ।

 

ହଁ !

ବେଉରା ଦେଇନୁ ?

ନାହିଁ ।

 

କାହିଁକି ଲୋ ? କେଡ଼େ ସୁନ୍ଦର ରାଧାକୃଷ୍ଣ ପରି ଦିଶିବ । କଳା ହେଲେ କି ହେବ, ରୂପଟି ଭଲ । କେମିତି ବଳିଲା ପରି ଦେହ ଦେଖିଲୁ ତ । ଭଲ ହେବଲୋ ପରୀ ! ନେଁ ନାହିଁ, ନେଞ୍ଜରା ନାହିଁ । ପିଲାଦିନୁ ବାପାମା ନାହାନ୍ତି । ଛେଉଣ୍ଡ । ଜୋଇଁଙ୍କ ଘରେ ପୁଅ ପରି ବଢ଼ିଛି । ମଣିଷ ହୋଇଛି । ବାଗର ପିଲା । ତୁ ଗଲେ ଆମ ଦେଈଙ୍କ ପାଖରେ ରହିବୁ । ମୋ ସାନ କୁହା ମାନ । ସାନ୍ତାଣୀଙ୍କ ଆଗରେ ନ କହି ପଛେ ମୋ ଆଗରେ ହଁ କହିଦେ....

 

ହଁ କହିଦେବ ? ପରୀର ମନକୁ କିଏ କୁତୁକୁତୁ କଲା । ଏ ଘରୁ ତାକୁ ବିଦା କରିବାକୁ କାହିଁକି ଏମାନେ ବ୍ୟାକୁଳ ହୋଇଛନ୍ତି ? ରାଈର ସ୍ୱାର୍ଥ ଅଛି । ପରୀ ଏ ଘରୁ ଗଲେ ରାଈର ସୁଯୋଗ ପଡ଼ିବ । ଧାନ, ଚାଉଳ, ବିରି, ମାଣ୍ଡିଆ ଲୁଚେଇ କରି ହରଣଚାଳ କରିବ । ଶାରଦା ଗୁଡ଼ିଆଣୀ ଘରେ ଦେଇ ମୁଢ଼ି, ଉଖୁଡ଼ା, ବରା, ଘିପିଠା ଖାଇବ । କେତେଥର ପରୀର ହାବୁଡ଼େ ପଡ଼ିଛି । ଦେଖି ନ ଦେଖିଲା ପରି ସେ ମୁହଁ ବୁଲେଇ ଦେଇଛି । ନେଉ ବୁଢ଼ୀଲୋକ । ଶୁଖିଲା ଧାନ ହେସଁରୁ ଖୁମ୍ପାଏ । ସରିଯିବ ନାହିଁ । ତଥାପି ରାଈର ଛାତି ଦକ ଦକ । ବାଘର ଫାଘକୁ ଡର । ପରୀକୁ ଏ ଘରୁ ବିଦା କରିବାକୁ ତରବର । ସେଇଥିପାଇଁ ଶୁକୁଟାର ଗୁଣ ବାହୁନୁଛି । ଭାଲୁକୁ ତାଳଗଛ ଧରେଇ ସେ ହେବ ନିଶ୍ଚିନ୍ତ ।

 

ଏକା ରାଈ ନୁହେଁ, କୁନ୍ତଳାଙ୍କର ଜିଗର ଲାଗିଛି ପରୀକୁ ପାଖକୁ ନେବେ । ଶୁକୁଟାକୁ ବାହା ନ କଲେ ଏକଥା ସମ୍ଭବ ହୋଇପାରିବ ନାହିଁ । ଲେଖୁଛନ୍ତି...ଶୁକୁଟା ଏକୋଇଶ ବର୍ଷର ଭେଣ୍ଡା । ବାପା ମା ପିଲାଦିନୁ ମରିଛନ୍ତି । କୁନ୍ତଳାର ସ୍ୱାମୀ ସୁଗ୍ରୀବଙ୍କର ଘରେ ବଢ଼ି ମଣିଷ ହୋଇଛି । ସୁଗ୍ରୀବଙ୍କ ପାଖେ ପାଖେ ସଦାବେଳେ ଛାଇ ପରି ଲାଗିଥାଏ । ସବୁ କାମରେ ନିପୁଣ, ଭଲ ନିହତ । ଶଶୁର, ଶାଶୁ, ସ୍ଵାମୀ ଓ ଘରର ଆଉମାନେ ଶୁକୁଟାକୁ ବିଶ୍ୱାସ କରନ୍ତି । ଭଲ ହେବ । ପରୀ ସୁଖରେ ରହିବ ।

 

ଶଶୁରେ କହିଚନ୍ତି, ଶୁକୁଟାର ହାତକୁ ଦିହାତ ହେଲେ, ତା ବାପାର ଯେଉଁ ଘରବାରି ଟଙ୍କା ଋଣ ପାଇଁ ବାରବର୍ଷ ପୂର୍ବେ ନିଲାମ ନେଇ ଏବେ ବାଇଗଣ ବାଡ଼ି, ବଗିଚା କରିଛନ୍ତି, ସେତକ ସେ ଶୁକୁଟାକୁ ଫେରାଇ ଦେବେ । ତା ନାମରେ ଲେଖିଦେବେ । ଶାଶୁ କହିଛନ୍ତି, ଶୁକୁଟା ତାଙ୍କର ପୁଅପରି ବଢ଼ିଛି । ସାଆନ୍ତାଣୀ ନ ଡାକି ମା ବୋଲି ଡାକୁଛି । ଶୁକୁଟା ଘରକୁ ଘରଣୀ ଆଇଲେ ତାଙ୍କ ପାଇଁ ସେ ଦିବଖରା ଘର ତୋଳେଇ ଦେବେ । ସୁଗ୍ରୀବ କହିଛନ୍ତି, ବୟସରେ ଶୁକୁଟା ତାଙ୍କଠାରୁ ମାସ ଦୁଇ ବଡ଼ ହେଲେ ବି ଯେତେବେଳେ ସେ ଭାଇ ବୋଲି ଡାକୁଛି ବାପାଙ୍କ ଅନ୍ତେ ଅବଶ୍ୟ ସେ ଶୁକୁଟା ନାମରେ ଦୁଇମାଣ ଭଲ ଜମି ଲେଖିଦେବେ ।

 

ଶଶୁର ଉଦ୍ଧବଙ୍କୁ ଶୁକୁଟାର ବାପା ଭଣ୍ଡାରିଆ ବୁଦ୍ଧିରେ ପଦେ କଅଣ କେବେ କହିଦେଇଥିଲା । ସେ ହସିଦେଇ ଭଣ୍ଡାରି ବାପୁଡ଼ାର ପିଠିରେ ହାତ ବୁଲେଇ ନିଜ ଦୋଷ ମାନିନେଇଥିଲେ । ଭାଣ୍ଡାରି ବିଚରା କିଣି ହୋଇଗଲା । ଉଦ୍ଧବଙ୍କର ଅଭିମାନ ଇନ୍ଧନ ହୋଇ ତାଙ୍କର ଓଠରେ ଯେଉଁ ହସର ନିଆଁ ଜାଳିଥିଲା, ତାଆରି ଭିତରେ କାଳକ୍ରମେ ଶୁକୁଟାର ବାପାମା ଦିଓଟି ପତଙ୍ଗ ପରି ଝାସ ଦେଇ ମରିଥିଲେ ।

 

କେତେ କୁଟୁମ୍ବ ଏପରି ଜଳିପୋଡ଼ି ପାଉଁଶ ହୋଇଛନ୍ତି । ଉଦ୍ଧବଙ୍କର ଧନଦୌଲତା ବଢ଼ିଛି । ଏକଥା ସମସ୍ତେ ଜାଣନ୍ତି । ବରଷକର ବୋହୂ ହୋଇ କୁନ୍ତଳା ବି ଜାଣିଛି । ଶଶୁରଙ୍କର ରାବଣ ପ୍ରତାପର ବଡ଼େଇ କରି ଲେଖୁ ଲେଖୁ ପରୀ ପାଖକୁ ଥରେ ଲେଖିଦେଇଛି । ଶଶୁର ବୁଢ଼ା ହେଲେଣି । ପେଟ ରୋଗରେ ବେଳେ ବେଳେ ଏପରି କଷ୍ଟ ପାଆନ୍ତି ଯେ ଗଲେ ଗଲେ ବୋଲି ଡାକ ପଡ଼େ । ସତେ ଏମିତି କେବେ ସେ ହଠାତ୍ ଚାଲିଯିବେ ।

 

ସେଇଠୁ ସୁଗ୍ରୀବ ହେବେ ଘରର ମାଲିକ । ଶୁକୁଟାର ବାପର ଅଉଲ ନମ୍ବର ଜମି ଦିମାଣ ସେ ନିଶ୍ଚୟ ଫେରାଇଦେବେ । କୁନ୍ତଳା ଦେବୀ ପରୀକୁ ଏକସାଜ ରୂପା ଗହଣା ଓ ନିଜର ଦିମାଣ ଜମି ଅଛି । ସେତକ ଏ ଗାଁରେ ବିକ୍ରିକରି ସେଇ ଧନ ଆଉ ପାଖରେ ତାର ଯେଉଁ ତିନିହଜାର ଟଙ୍କା ଅଛି ସୁଖରେ ସଂସାର କରିବ ।

 

ଏପରି ସୁଖ ଖୋଜିଲେ ନ ପାଇବ । ଆହୁରି ଗୋଟିଏ ଗହନ କଥା । ପରୀ କି ଘର ଝିଅ କିଏ ଜାଣେ ? ପିଲାଦିନେ ତାଆରି ତୁଣ୍ଡରୁ ପଦେ ବାହାରିଥିଲା ବୋଲି ଖାଲି ବିଶ୍ୱାସ କରିବା କଥା ସିନା, ନୋହିଲେ କିଏ କହିବ ସେ କଅଣ ! ଆଉ ଯେଉଁଠି ସମ୍ବନ୍ଧ ପକାଇଲେ ଆଗ ପଚରା ହେବ, କିଏ ତାର ବାପ ? କିଏ ତାର ମା ? ଏ ପ୍ରଶ୍ନର ଉତ୍ତର କେହି ଦେଇପାରିବେ ନାହିଁ । ସମସ୍ତଙ୍କର ଜାତି ସମସ୍ତଙ୍କୁ ବଡ଼ । ପରୀ ଯେଡ଼େ ସୁନ୍ଦର ହେଉ କି ଗୁଣର ହେଉ କେହି ତାକୁ ପଚାରିବେ ନାହିଁ, ଫଳତଃ ପରୀ ରହିବ ଅଭିଆଡ଼ୀ । ସବୁଦିନେ ସବୁକଥା ସମାନ ରହେ ନାହିଁ । ବୟସ ବଢ଼ିଲେ ପ୍ରକୃତି ଓଲଟେ ।

 

ପର ଘରକୁ ଗଲେ କାନ କାଟିଲେ ବଚନ ବାହାରୁ ନ ଥିବା ଝିଅର ବୁଦ୍ଧି କେତେ ବଢ଼ିଯାଏ । ସେଇ କୁନ୍ତଳା, ଭାବି ବିଚାରି କିପରି ବୁଢ଼ି କରଣୀ ପରି ଚିଠି ଲେଖିଛି । ଶୁକୁଟାର କେହି ନାହିଁ, ଜାତିଆଣ କଥା କେହି ପକାଇବେ ନାହିଁ । ହଁ, ଶୁକୁଟା ଟିକିଏ ବେଶି କଳା । ହେଉ ବଡ଼ ଠାକୁରେ ତ କଳା । କୃଷ୍ଣ ତ କଳା । କଳା ଗୋରାରୁ କଣ ମିଳିବ ? ମନ ମିଳିଲେ, ଭାଗ୍ୟ ସୁନ୍ଦର ହେଲେ ସବୁଠୁ ସୁଲଭ । ଶୁକୁଟା ଗଜମୁର୍ଖ ନୁହେଁ । କାନ୍ଦି କୁନ୍ଥେଇ ଚାରିପଦ ଲେଖିପାରେ, ପଢ଼ିପାରେ । ଭଣ୍ଡାରି ପିଲାର ଆଉ ଅଧିକ ପାଠ ଲୋଡ଼ା ନାହିଁ ।

 

ଶୁକୁଟା ଚିଠି ନେଇ କେତେଥର ଆସିଛି । ହଟ ଦେଖିବାକୁ କୁନ୍ତଳାଙ୍କ ଚିଠି ଖୁଡ଼ୀ ପରୀକୁ ଦିଅନ୍ତି ବଡ଼ପାଟିକରି ପଢ଼ିବାକୁ । ପରୀ ପଢ଼େ । ପଢ଼ୁ ପଢ଼ୁ ଛାତି ଭିତରେ ଯନ୍ତ୍ରଣା ଅନୁଭବ କରେ-। ହାତ ଥରି ଉଠେ । ସ୍ଵର ଥରି ଉଠେ । ଚିଠିଖଣ୍ଡି ସେଇଠି ଫୋଫାଡ଼ିଦେଇ ଛୁଟି ପଳାଇବାକୁ ବାରିଆଡ଼ ବଗିଚାର ଗଛ ଗହଳି ପତ୍ରସନ୍ଧିରେ ଲାଜରେ ମୁହଁ ଛପାଇ ଦୁଃଖରେ ରଡ଼ି ଛାଡ଼ିବାକୁ ମନ ହୁଏ । ସଂସାରରେ ତାର ଦୁଃଖ; ମନର ଉଦବେଗ, ଛାତିର ଦୁକ୍‌ ଦୁକ୍‌, ନାକର ଥରିଲା ନିଃଶ୍ୱାସ, ଆଖିର ତାତିଲା ଲୋତକର ଅର୍ଥ ବୁଝିବାକୁ କିଏ ଅଛି ? ମଣିଷ ନାହିଁ ।

 

ତାଆରି ବଗିଚା । ବଗିଚାର ଲଟାପତ୍ର । ଦେହର ରକତ ଢାଳି ସେଇଠି ସେ ନାଲି ଗୋଲାପ ଫୁଟାଇଛି । ଚମର ରଙ୍ଗ ନିଗାଡ଼ି ହାତର ଆଙ୍ଗୁଠି ପରି ଚମ୍ପା ଗଛରେ ଫୁଲ କଢ଼ ଅସୁମାର ଖଞ୍ଜି ଦେଇଛି । ଅନାବିଳ ଶୁଭ ମନର ରଙ୍ଗ ଦେଇ ଫୁଟାଇଛି ପେନ୍ଥି ପେନ୍ଥି ମଲ୍ଲୀ, ରଜନୀଗନ୍ଧା, ତରାଟ, ଗଙ୍ଗଶିଉଳୀ । ଆଖି ଡୋଳାର ନୀଳିମା ଝଟକୁଚି ବାଡ଼ ଉପରେ ଫୁଟିଥିବା ଅପରାଜିତାରେ । ଉଦବେଗ ଓ ଉଦ୍ୟମ କେଉଁଠି ଠିଆ ହୋଇଛି ଭେଣ୍ଡି, ମକା, ଗୁଆଁର ହୋଇ, କେଉଁଠି ବା ଲଟେଇ ପଡ଼ିଛି ଜହ୍ନି, କାକୁଡ଼ି, କଖାରୁ ହୋଇ । ସେମାନେ ତାର ଅତି ଆପଣାର । ସେମାନେ ବୁଝନ୍ତି ମନର କୋହ । ସେମାନେ ଦୂରରେ ।

 

ଚିଠି ପଢ଼ିବାକୁ ହେବ । ଖୁଡ଼ୀଙ୍କର ଆଦେଶ । ଅଲାଜୁକ ଶୁକୁଟା ପିଣ୍ଡା ତଳେ ଠିଆହୋଇ ଆଗ୍ରହରେ କାନେଇଛି । ସତେ ଯେପରି ଆଗରୁ ସେ ଚିଠିର ଭିତିରିକଥା ଜାଣେ । ପରୀ ଆଡ଼କୁ ଚାହିଁବାକୁ ଛାତିରେ ତାର ଦମ୍ଭ ଆସୁନାହିଁ । ଆକୁଳି ଗାଈ ମୋହୁଁଛି । ଡାହାଣ ହାତଟା ପଥରକୁଣ୍ଡ ଭିତରେ କୁଣ୍ଡା ବିରି ଚୋପା ଘାଣ୍ଟୁଛି । ଆଖି ଦୁଇଟା ଡବଡ଼ଡବ କରି ଚାହିଁଛି ପରୀକୁ ।

 

କଅଁଳ ଗାଧୁଆ ବେଳ ।

 

ପରୀ ଉଦ୍‍ବେଗ ଉତ୍ତେଜନାକୁ ଆୟତ୍ତ କଲା । ଚିଠିଖଣ୍ଡ ତ ପଢ଼ିବା କଥା, କାହାର କିଏ ଲେଖିଛି, କଣ ଲେଖିଛି, କାହିଁକି ଲେଖିଛି, ଏ ସବୁକଥା ଜାଣିବାକୁ ସେ ଆଗ୍ରହ କରିବ ନାହିଁ । କେଉଁ ପରୀ ବିଷୟରେ ଚିଠି ଆସିଛି ତାର କି ଥାଏ ? ପରୀ ଛେପ ଢୋକି ଗଡ଼ ଗଡ଼ କରି ଚିଠି ପଢ଼ିଯାଏ ।

 

ପରୀ ଉପରେ ପୁଣି ଦାୟିତ୍ୱ ପଡ଼େ ବନ୍ଧୁଘର ବାରିକ ଶୁକୁଟାର ଯତ୍ନ ନେବା । ସଂକୋଚ କରେ ନାହିଁ । ହେଳା କରେ ନାହିଁ । ଆଉ ପାଞ୍ଚଟାଙ୍କର ଯତ୍ନ ନେଲା ପରି କଳା ମିଚିମିଚି, ବାବୁରି ବାଳିଆ, ବଡ଼ ଆଖିଆ, ମାଗୁର ନିଶୁଆ ଶୁକୁଟାର ସେ ଯତ୍ନ ନିଏ । କାନରେ ସେ ସୁନାର ଲବଙ୍ଗ ଫୁଲ ନାଇଛି, ଧଳା ପଥର-ବସା । ଡାହାଣ ହାତରେ ପଡ଼ିଆ ସୁନାର ମୁଦି ପରି ଆଙ୍ଗୁଠିରେ ବସିଛି ନାଲି ପଥର । ଖୋଲା ଛାତିରେ ନିଘଞ୍ଚ କହରା ବାଳ ନାହି ପାଖଯାକେ ମାଡ଼ି ଆସିଛି । ଯାହା ହେଉ ମଣିଷଟିଏ ତ । ଶାନ୍ତିରେ ମୁଠିଏ ଖାଉ ।

 

ତିନିଥର ମୁହଁଟେକି ଏଣେତେଣେ ଚାହିଁ, ଦୁଇଥର ଖଣ୍ଡିକାଶ ମାରି ଶିକାରୀ ଶୁକୁଟା ମୁହଁ ଖୋଲି ସାହସ କରି ପଚାରିଲା, ନୂଆବୋହୂ ତୁମ କଥା କହନ୍ତି.....

 

ଭାତ ଆଣିବି ?

ନାଇଁ । ତୁମକୁ ଭାରି ପ୍ରଶଂସା କରନ୍ତି ।

ଡାଲି ?

ଅଛି ତ । ଭଲ ମଣିଷ ଆମ ନୂଆବୋହୂ ।

ମାଛ ତରକାରୀ ?

ଥାଉ । ସେ ଖବର ପଠେଇଛନ୍ତି ତମ ପାଖକୁ...

ଶାଗ ଖରଡ଼ା ?

 

ହଉ ଟିକିଏ ଦିଅ । ସେ କହିଛନ୍ତି, ତମେ ତ ଶୀଘ୍ର ତାଙ୍କ ପାଖକୁ ଯିବ । ତାଙ୍କର ଅସୁବିଧା ହେଉଛି । ମନଜାଣି ଖବର ନେବାକୁ ପାଖରେ କେହି ନାହିଁ । ସମସ୍ତେ ପର ।

 

ସେଥିପାଇଁ ପରା....

ଆହା, ଦେଈ ମୋର ଦୁଃଖରେ ଅଛନ୍ତି...

ନାଇଁ ନାଇଁ, ତାଙ୍କର କି ଦୁଃଖ ?

କଦଳୀଭଜା ଦିଏ ?

 

ଦି ଖଣ୍ଡ ଦିଅ । ଭାଇ ଆମର ବଡ଼ ଘରର ଗେହ୍ଲାପୁଅ । ହାତକୁ ଦିହାତ ହେଲେ । ଏଣିକି ତାଙ୍କର ବାଇଆ ବୁଦ୍ଧି ରହିବ ନାହିଁ । ନୂଆବୋହୂଙ୍କ ଆଖିରେ ଲୁହ ଦେଖିଲେ ଭାଇଙ୍କର ମୁହଁ ଶୁଖିଯାଏ । ସେ ନାକ କାନ ମୋଡ଼ି ହୁଅନ୍ତି । ତମେ ଆମ ନୂଆବୋହୂଙ୍କ ପାଖକୁ ଗଲେ...... ।

 

ମୁଁ ଏଇଠି ଭଲରେ ଅଛି ।

 

ତିନିଥରରେ ଏତିକି ଆଳାପ । ପରୀର ଛାତି ତଳେ କଣ୍ଟା ଖେଞ୍ଚି ହୁଏ କୁନ୍ତଳା ଦୁଃଖରେ ଅଛନ୍ତି । ବଡ଼ ଘରର ଡହରା ଅରଣା ମଇଁଷିକୁ ସେ ରଖିପାରୁ ନାହାନ୍ତି । ପିଲାଟି ଦିନୁ ପରୀ ଉପରେ ସେ ସବୁକଥାରେ ନିର୍ଭର କରି ଆସିଛନ୍ତି । ପରଘରୀ ହୋଇ ମଧ୍ୟ ଏବେ ବି ସେ ଚାହାନ୍ତି ପରୀର ସାହାଯ୍ୟ, ପରୀର ସେବା । ପରୀ କଣ କେବଳ କାମ କରିବାର ଜୀଅନ୍ତା ଯନ୍ତ୍ର ।

 

ରାତି ଅଧରେ ସୁମତି ପଶିଲେ ମକରଙ୍କ ଘରେ । ପାଖରେ ବସି ଗେହ୍ଲେଇ କହିଲେ ଝିଅର ଆମର ମନ ବଳିଛି । ଯାଉ ଏବେ ପରୀ ଶୁକୁଟାର ଘର କରିବାକୁ.... ଭଲ ହେବ ।

 

ଭଲ ହେବ ଯଦି ଜାଣିଛ ମତେ କାହିଁକି ପଚାରୁଛ ? ପରୀକୁ ପଚାର । ତେମେ ଚଳିପାରିବ ତ ? ତେମେ ?

 

ତେମେ ଯଦି ଚଳେଇ ପାରିବ ।

 

କ’ଣ ମୋ ସଙ୍ଗେ ଛାର ପରୀକୁ ସମସରି କରୁଛ ? ଏମିତି ମନ୍ତର କରି ତମକୁ ବାନ୍ଧି ରଖିଛି ? ହଉ, ଦେଖିବି ତ କୋଉ ବାପ ତାର ପିଠିରେ ପଡ଼ିବ । ମୁଁ ସାତଥର ପ୍ରତିଜ୍ଞା କରୁଛି, ତମ ପରୀକୁ ସେଇ ଚୁଲିପଶା କାଳିଆ ଭୂଆଁ, ଡିମା ଆଖିଆ ଶୁକୁଟା ଗୋଡ଼ରେ ଯଦି ନ ବାନ୍ଧିଛି, ମୋ ନାଁ ଧରିବ ନାହିଁ । ମୋ ନାମରେ କୁତା ପାଳିବ ।

 

ସୁମତି ଖଟ ଉପରୁ ଓହ୍ଲାଇ ଆସିଲେ । ମକର କହିଲେ, ଶୁଣ, ଏମିତି ରାଗୁଛି କାହିଁକି ?

କଅଣ ?

 

କଅଣ ଟି ତମର ନାମ ? ଏ. ଘରକୁ ଆସିଲା ଦିନୁ ତମୁକୁ ମୁଁ ହଇହୋ ବୋଲି ଡାକିଆସିଛି ।

 

ମଲାମର....

ସୁମତି ରାଗ ତମ ତମ ହୋଇ ମକରଙ୍କ ପାଖରୁ ଚାଲିଆସିଲେ ।

 

ପରୀ ପିଣ୍ଡାତଳେ ପଥର ଖୁଣ୍ଟ ପରି ଠିଆ ହୋଇ ସବୁ ଶୁଣିଲା । ଦାଦୀଙ୍କର କଥା ଶୁଣି ତାର ପିଣ୍ଡରେ ପ୍ରାଣ ପଶିଲା । ମନ ପୁଣି ଅନିଶ୍ଚିତତାର ଦୋଳାରେ ଝୁଲିଲା ଖୁଡ଼ି ପ୍ରତିଜ୍ଞା କରିଛନ୍ତି-

 

ସୁମତି ଭୁଲିଲେ ନାହିଁ । ପରଦିନ ସକାଳେ ସହଳ ସହଳ ଉଠି ଆଗ ପଶିଲେ କୁବେର ଘରେ । କୁନ୍ତଳାର ଚିଠିଟି ବଢ଼ାଇଦେଇ ତୁନି ହୋଇ ଠିଆ ହେଲେ । କୁବେର ମନଦେଇ ଚିଠି ପଢ଼ିଲା ।

 

କଣ ତମର ମତ ପୁଅ ?

କୁନ୍ତଳା ପିଲାଲୋକ ।

ଭଲ ହେବ ନାହିଁ ।

ପରୀ ପିଲା ନୁହେଁ ।

ସେ କ’ଣ ଆମ କଥାରୁ ବାହାର ହେବ ?

କିଏ କହିବ ?

ଏଡ଼େ ସାହସ ?

 

ନିଜର କେହି ନାହିଁ ବୋଲି ମଣିଷର ଧାରଣା ହେଲେ ସେ ଚନ୍ଦ୍ର ସୂର୍ଯ୍ୟମାନେ ନାହିଁ । ସମୁଦ୍ର ପହଁରି ପାରି ହେବାକୁ ସେ ସାହସ ବାନ୍ଧେ ।

 

ଆମେ ପରୀର ଭଲ ମନାସି କରୁଛୁ ।

ସେ କଥା ତାର ବିଶ୍ୱାସ ହେଉ ।

କେମିତି ବିଶ୍ୱାସ ହେବ ?

ବ୍ୟବହାରରୁ ।

ଛତରଖାଇକୁ.....

 

ଭାଇ, ଚା’-କହି ଚା’ ଧରି ପରୀ ପଶିଲା କୁବେର ଘରେ । ସବୁ ତା କାନରେ ପଡ଼ିଛି । ଅନ୍ତର ପୁଲକି ଉଠୁଛି । ସେ ଜାଣେ, ସେ ନିଃସହାୟା ନୁହେଁ, ଅନାଥିନୀ ନୁହେଁ । ତା ପାଇଁ ଅଛି ତାର ଭାଇ, ଯେ ତୁଣ୍ଡରେ କହି ଦେଖାଇ ନ ହେଲେ ମଧ୍ୟ ମନରେ କରନ୍ତି ସ୍ନେହ ।

 

ସୁମତି ମୁହଁ ଫଣଫଣ କରି ଦୁମ୍ ଦୁମ୍ ହୋଇ ଘରୁ ବାହାରିଗଲେ ।

ଶୁକୁଟା ତୋର ମନକୁ ଆସୁନାହିଁ ପରୀ ?

 

ରାଈର କଅଁଳ କଥା ଶୁଣି ପରୀ ହସିଲା । ଉଠି ଠିଆ ହେଲା । କହିଲା, ସେ କଥା କାହିଁକି ପଡ଼ିଛି ରାଈ ? ମୁଁ କଅଣ ଏ ଘରେ ସମସ୍ତଙ୍କ ମୁଣ୍ଡରେ ବୋଝହୋଇ ନଦା ହୋଇଛି କି ? ମୋ ପାଇଁ କାହାର କାହିଁକି ଏତେ ମୁଣ୍ଡ ବଥାଉଛି ? ମାଆଲୋ, ଚାରି ପାଇଟି କରି ଅଇଁଠା ସଂକୁଡ଼ି ଯାହା ମିଳିଲା ପୁଞ୍ଜିଏ ଖାଇ କି ଜମାରୁ ନ ଖାଇ ମୁଁ ସମୟ କଟାଉଛି ।

 

କେବେ କାହା ଆଗରେ ଓଜର ଆପତ୍ତି କରିଛି କି ? କାହିଁକି ତେମେ ସବୁ ମତେ ଏ ଗାଁରୁ ବିଦା କରିବାକୁ ବସିଛି ?

 

ଆଜି ଏତେଦିନକେ ସେ ପ୍ରଥମ କରି ମୁହଁ ଖୋଲିଲା । ସେ ଜାଣେ, ଯାହା ସେ କହିଲା, ରାତି ପାହିଲେ ରାଈ ରାଷ୍ଟ୍ର କରିଦେବ । କଅଣ ହେବ ତାର ଫଳାଫଳ ? ଯାହା ପଛେ ହଉ, ସେ ଆଉ କଅଁଳ ଲୁହା ହୋଇ ରହିବ ନାହିଁ । ଭଲ ମନ୍ଦ ଯାହା ଆସୁଛି ଆସୁ ।

 

ରାଈ ଚମକି ଉଠିଲା । ପରୀର ମୁହଁ ଫିଟିଛି । କାହାର ଜୋର ସେ ପାଇଛି, କାହାର ? କେତେ ଲୋକ ଆସି ଆଖି ଆଗରେ ଠିଆ ହେଲେ... ସମସ୍ତେ ବଳବନ୍ତ ପୁରୁଷ, ଯେଉଁମାନଙ୍କର ଲଢ଼ିବାର ଶକ୍ତି ଅଛି । ଶାଗ ତ ଛାର, ଯେଉଁମାନଙ୍କ କଥାରେ କାଠ ପଥର ବି ସିଝିପାରେ । କିଏ ସେ ? ପରୀ ପେଟରୁ କଥାଟା ବାହାର ନ କଲେ ଅଧାକାଣ୍ଡିଆ କରି ରାଈ କଅଣ ଆଉ ସୁମତିଙ୍କ କାନରେ ଫୋଡ଼ିବ ?

 

ଅବିଗୁଣ ପାଇଲ କି ପରୀ ? ନିଅର୍ଥୀ ଲୋକ ବୋଲି କେବେ ସିନା ତତେ ମୁଁ କିଛି ଦେଇନେଇ ପାରିନାହିଁ, ତା ବୋଲି କଣ ତତେ ମୁଁ ସ୍ନେହ କରିନାହିଁ ? ଚାରି ବରଷର ଛୁଆ ବକଟକୁ, କେଉଁ ମାଅର ମନ ସହିବଟି, ତୋ ମା ଅପନ୍ତରାରେ ଛାଡ଼ିଗଲା ପରି, ଛାଡ଼ି ପଳେଇଲା । ତୋ ଛାଏଁ କଣ ତୁ ଏଡ଼େଟିରୁ ଏଡ଼େଟିଏ ହେଲୁ ? ସୁଖ କରିବାର ବେଳ ବୟସ ହେଲା । ଏ ତ ସଂସାର କଥା । ମଣିଷ ଜୀବନର ସାର କଥା । ବଡ଼ ଝିଅକୁ ଆଖି ଆଗରେ କାରବାର ହେବାର ଦେଖିଲେ ସମସ୍ତେ ଏ କଥା ଭାବନ୍ତି ।

 

ରାତି କେତେ ହେଲାଣି ଜାଣୁ ?

ଆଖିକୁ ନିଦ ଆସୁନାହିଁ ।

ମହାଭାରତ ପଢ଼ିବି, ଶୁଣିବୁ ?

 

ନାଇଁଲୋ, ସେଗୁଡ଼ା ମୁଁ ବୁଝି ସମଝି ପାରେନାହିଁ । ବସ ମୋ ପାଖେ । ଭଲ କଥା ପଦେ କହିବି । ତୋରି କଥା ମୁଁ ଭାବୁଛି । ବସ । ନିରୋଳା ବେଳ ଆଉ ମିଳେ ନାହିଁ । ରାତି ପାହିଲେ ପୁଣି ଲାଗିବ କାମ । ମର କି ସର କରୁଥା ସବୁ କାମ, ନିଃଶ୍ୱାସ ମାରିବାକୁ ତର ନାହିଁ । ପୁଣି ହେବ ରାତି ଅଧ । ପଦେ କହିବାକୁ ମନ ହେଲେ ଶୁଣିବାକୁ କେହି ନାହିଁ । ତୁ ତ ଧରିବସିବୁ ବହି । କି ଲାଭ ମିଳିବ ସେ ବହିପଢ଼ାରୁ ? ନିକିମା କଥା । ନିଜର ଯଦି ଉପକାର ନ ହେଲା ତ ଯେତେ ଖଟିଲେ ସେ କାହାର ସିନା କାମ ହୋଇଥିବ, ନିଜର କାମ ସେ ନୁହେଁ ।

 

ପରୀ ପାଖରେ ବସିଲା । ରାଈବୁଢ଼ୀ ପ୍ରତି ରାତିରେ ମନଖୋଲି ଗୁଡ଼ାଏ ଗପିବାକୁ ଛଟପଟ ହୁଏ । ପରୀ ଶୁଣେ ନାହିଁ । ବହି ପଢ଼େ । ତାର ଗୁଣୁଗୁଣୁ ସ୍ୱରକୁ ବୁଡ଼େଇ କାନରେ ନିଜର କଥା ଢାଳିବାକୁ ରାଈ ପାଟି କରି ଆରମ୍ଭେ । ରାଈର ସ୍ୱରକୁ ଘୋଡ଼ାଇବାକୁ ପରୀ ପାଟିକରି ପଢ଼େ-। ରାଈ ଆହୁରି ଉଚ୍ଚ ସ୍ତରରେ ବଖାଣେ । ପରୀ ନିଜର କଣ୍ଠ ବଢ଼ାଇ ରାଈବୁଢ଼ୀର ସ୍ଵରକୁ ବୁଡ଼ାଏ । ରାଈ ହାରେ । ତୁନି ହୋଇ କଡ଼ ବୁଲାଇ ଶୁଏ । କଅଣ ସେ କହେ, ତା କଥାର ମୂଲ୍ୟ କେତେ, ତହିଁରେ ସାର ଅସାର କିସ ଅଛି, ପରୀ କେବେ ଜାଣି ଚେଷ୍ଟା କରିନାହିଁ ।

 

କୁହ ଆଜି ସେ ତାର ମନଇଚ୍ଛା ଗପୁ । ପରୀ ବାଧା ଦେବ ନାହିଁ । ଅଇଁଗୁଣ ପାଇବ ନାହିଁ

 

କହ

ପରଙ୍କ ପାଇଁ ଖଟି ଖଟି ନ ମରି ଉପାୟ ଥିଲେ ନିଜ ପାଇଁ ଖଟିବା ଭଲ ।

ମୋର ଗୋଟାଏ ନିଜ କଅଣ ଅଛି ?

 

ନାହିଁ ? ଟୋକୀ ମନ । ସଂସାରେ ଏତେ ଟୋକୀ ଅଛନ୍ତି । ବୟସ ହେଲେ ସମସ୍ତଙ୍କ ମନ ହୁଏ.... ଭଲ କରି ଗଣ୍ଡିଏ ଖାଆନ୍ତି । ମାଛ, ଶୁଖୁଆ, ଦୁଧ, ଦହି, ମିଠେଇ, ନିଷ୍ଣୁଡ଼ି, ପିଠା ପଣା । ଆଲୋ, ମଣିଷ ଜନମର ଏତିକି ସବୁଠୁ ବଡ଼ ସୁଖ । ଆଜି ମଲେ କାଲିକି ଦି’ଦିନ । କେହି କେବେ ମଶାଣି ପଦାରେ ତମ ନାମ ଧରି କିଛି ଅଜାଡ଼ି ଦେଇ ଆସିବ ନାହିଁ । ଦରସିଝା ଭାତ ଗଣ୍ଡିଏ, ଶବ ପାଖରେ ଦେଖେଇ ଯାହାକୁ ପକେଇ ଦେଇ ଆସନ୍ତି, ସେତକ କାଉ କୁକୁର ଖାଆନ୍ତି ଲୋ.... କଥାରେ ପରା କହନ୍ତି, ଯାହା ଖାଇଥିବ ପେଟକୁ, ଯାହା ରଖିଥିବ ଖଣ୍ଟକୁ । କିଏ କାହାର ଲୋ ?

 

ଏ ସବୁଥିରେ ମୋର ଶରଧା ନାହିଁ । ମୋଟା ରୋଟା କରି ଭାତ ଗଣ୍ଡିଏ, ତା ସାଙ୍ଗକୁ ଯାହା କିଛି ଟିକେ ଶାଗ ମୁଗ ହେଲେ ମୋର ଖୁସି । ଏତେ ତ ଝିଅବୋହୂ ଦେଖୁଛି, ଘିଅରେ ଖାଇ ଦୁଧରେ ଆଞ୍ଚଉଛନ୍ତି, କି ରୂପ ହେଇଛି ସେମାନଙ୍କର ? ଫୁଙ୍କି ଦେଲେ ଟଳିପଡ଼ିବେ । ପରିଶ୍ରମ କରୁନାହାନ୍ତି । ଅମୃତ ଆଣି ପାଖରେ ଥୋଇଲେ ନାକ ଟେକି ଅସୁକେଇ ଖାଉଛନ୍ତି....

 

ହେଲା ଏବେ, ଖାଇବା କଥାଟା ଉଡ଼େଇ ଦେଲୁ । ନିଜକୁ ଯାହା ରୁଚିବ ସିନା ଖାଇବ, ପର ଆଖିକି ଯେମିତି ରୁଚିବ ସେମିତି ନାଇବ, ପିନ୍ଧିବ ତ ! ମୁଣ୍ଡରେ ବାସନା ତେଲ ଟିକେ ଲଗାଇ ମୁଣ୍ଡ ବାନ୍ଧିବ ନାହିଁ ? ଏ କି କଥା ? ଦେହରେ ତେଲ ହଳଦୀ ବାଜିବ ନାହିଁ ? ଆଖିରେ ଗାରେ କଜ୍ଜ୍ୱଳ, ପାଟିରେ ଖିଲେ ପାନ, ଗୋଡ଼ରେ ଧାରେ ଅଳତା ନ ନାଇଲେ ଯେଡ଼େ ସୁନ୍ଦରୀ ହେଇ ଜନମ ହେଲେ ବି ସେ ସୁନ୍ଦରପଣ କାହାକୁ ଲକ୍ଷ୍ୟ ନୁହେଁ । ବଳ ବୟସ ଆସିଲେ ଯୁବତୀ ଝିଅର ସବୁଥିକି ମନ ଟକ ଟକ ହୁଏ ।

 

ମୋର ଏ ସବୁରେ ମନ ନାହିଁ ।

 

କହିଲେ କିଏ ପରତେ ଯିବ ? ଯାହା ସଂସାର କଥା ତାକୁ କିଏ ରୋକିପାରିବ ? ବୟସ ହେଲେ, ଭଲ ଦେଖି ଖଣ୍ଡେ ପିନ୍ଧିବାକୁ, ଭଲ ଗହଣା ନାଇବାକୁ ମନ ସକସକ ହୁଏ । ଯାହାର ନାଇଁ ତ ନାଇଁ । ଯାହାର ଅଛି ସେ କାହିଁକି ଭୋଗଭାଗ୍ୟ ନ କରିବ ? ତୋର ବିଲ ଅଛି, ଧାନ, ମୁଗ ଆଉଚି । ତୋର ଟଙ୍କା ଅଛି, ସୁଧ ଆଉଥିବ....

 

ମୋର ଏ ସବୁରେ ମନ ନାହିଁ ।

 

ରାଈ ହସିଲା । କହିଲା, ମୁଁ ଜାଣେ । ମନର ସରାଗ ମରିଛି । ହଁ, ସତେ ଲୋ, ପର ଘରେ ଖଟି ଖଟି ମଲେଁ । ନିଜର ଜଣେ ଅଛି, ଯିଏ କରିବ କରେଇଦେବ, ଦେଖି ପସନ୍ଦ କରିବ, ହସି ଆଦର କରିବ ? ଏମିତିଆ ମିଣିପି ନ ଥିଲେ ସବୁ ହୁଏ ବିଷ୍‍ପିତା । ଶୁକୁଟା ବାଗର ପିଲା ନୁହେଁ । ପର ଗାଁର ପିଲା । ପର ପାଖରେ ମୁଣ୍ଡ ବିକିଛି । ଆଗକୁ ପଛକୁ କେହି ନାହାନ୍ତି । ସେ ଯଦି ମନକୁ ନ ପାଇଲା ତ କେହି ଦୋଷ ଦେବେ ନାହିଁ । ହରିଆ ନାକରା ପିଲା ନହେଁ । ଏବେ ତ କଲିକତାରୁ ଫେରିଛି । କେତେ ଚିଜ ଆଣିଛି...ସତେ ?

 

ଯାଉନୁ ତାଙ୍କୁ ଘରିଆଡ଼େ ବୁଲି; ଆରେ ଦେଖି ଆସିବୁ । କି ସୁନ୍ଦର ଟ୍ରଙ୍କ । ହାତେ ଲମ୍ବର ଟର୍ଚ୍ଚ ଆଲୁଅ । କେଡ଼େ ବଡ଼ କଳବାଜା । ଆରସି, ପାନିଆଁ ! ତିନି କି ଚାରି ବୋତଲ ନାଲିଆ ବାସନା ତେଲ । ହାତରେ ଘଣ୍ଟା ବାନ୍ଧିଛି । ପକେଟରେ ସୁନା ମୁଣ୍ଡିଆ ଝର କଲମ ଖୋସିଛି । ମା ଭଉଣୀଙ୍କ ପାଇଁ ଶାଢ଼ୀ ଆଣିଛି, ଜାମା ଆଣିଛି । ବାପ ପାଇଁ ଲୁଗା ଆଣିଛି । ଆଉ କଣ ସେ ପିଲା ଦିନର ଚୋର ଛତରା ହରିଆ ଅଛିକି ? ତିନି ବରଷ କଲିକତାରେ ରହିଲା । ବରଷକ ପରେ ମାସକୁ ମାସ ଟଙ୍କା ପଠେଇଲା ।

 

ରାଈ, କଥା ପଦେ କହିବି, ମାନିବୁ ?

କହ ।

 

ତୋ ଗୋଡ଼ ଧରୁଛି, ଏସବୁ ମତେ ତୁ ଆଉ କହିବୁ ନାହିଁ । କହିବାକୁ ଯଦି ଖୁସି ଲାଗୁଛି କାନ୍ଥକୁ ବାଡ଼କୁ କହ । କୋଉ ଜଣଙ୍କର ଘରଣୀ ହୋଇ, ତା’ର ମନ ନେଇ, ମାଡ଼ଗାଳି ସହି ମଧ୍ୟ ତାର ଗୋଡ଼ଘଷି ମୁଁ ମୋ ବେଳ କାଟିବାକୁ ଚାହେଁ ନାହିଁ । ମୁଁ ଯେମିତି ଅଛି ସେମିତି ରହିବି । କୋଉ କଥାକୁ କେବେ ଛଳ କରିନାହିଁ କି ଛଳ କରିବି ନାହିଁ । କିଏ ମୋର କଣ କରିବ ?

 

ହେଲା । କାହାରି ଏବେ ଘରଣୀ ନ ହ । ସ୍ତ୍ରୀ ଜନମ ପାଇ କେହି କେବେ ଛାତି ପଥରରେ ବାନ୍ଧି ଟାଣ ମନ ଧରି ରହିପାରେ ନାହିଁ । ଆଲୋ ପରୀ, ଅଜାଣତରେ ଗୋଡ଼ ଖସେଇ ହାତଗୋଡ଼ ଭାଙ୍ଗି ମରିବୁ କାହିଁକି ? ଆହା, ଭଣ୍ଡାରି ଘର ଝିଅ ବୋଲି ଅତି ପିଲାଦିନେ ତୋ ପାଟିରୁ କଥା ବାହାରିପଡ଼ିଲା ବୋଲି ସିନା । ଯୋଗର କଥା ତ, ଯଦି କହିଥାନ୍ତୁ ଗୋପାଳ ଘର ଝିଅ ବୋଲି, କାହାକୁ ପଦେ ମୁଁ ପଚାରି ନ ଥାନ୍ତି । ରାଈ ବୋଲି ନ ଡାକି ବୋଉ ବୋଲି ଆଜି ମୋତେ ଡାକୁ ଥାଆନ୍ତୁ । ଆକୁଳି ତତେ ଭଲ ପାଏ ।

 

ମୁଁ ବି ଆକୁଳିକି ଭଲ ପାଏଁ ।

 

ରାଈ ଚମକି ଉଠିଲା । କହିଲା, ସତେ ? କାହିଁକି ଲୋ, ଜାତିର ଝିଅ ତୁ ନୋହୁ । କେଉଁଠି ହେଲେ ପତର ଗୋଟେଇ କି ଗୋବର ଗୋଟେଇ ଜାତିର ଝିଅ ଆଣି ଆକୁଳିକୁ ଏଇ ସାଲେ ବାହା କରେଇ ଦେବି । ତତେ ଭଲ ପାଇ “ରାଜରାଣୀ ସଜେଇବାକୁ ନନ୍ଦପୁରରେ କେତେ ବୁଢ଼ା, ଦରବୁଢ଼ା, ଭେଣ୍ଡିଆ ତ ଓଠ ଚାଟୁଛନ୍ତି, ଆକୁଳିଠି ତୋର ଆଖି କାହିଁକି ଲୋ ? ମୋ କୁଳ ବୁଡ଼େଇବୁ, ମୋ ଆଶା ପୋଡ଼ିଜାଳି ପାଉଁଶ କରିବୁ ?

 

ଆକୁଳିକି ଭଲ ପାଇଲେ ଏମିତି ହେବ କାହିଁକି ? ପିଲାଦିନୁ ଆମେ ଏକାଠି ବଢିଛୁଁ, ହସିଛୁ, ଖେଳିଛୁଁ । ତତେ ସିନା ଜଣାନାହିଁ, ଗୋଚର ପଡ଼ିଆ ବୁଦିବୁଦିକା ବଣରେ ଆଉ ପିଲାଙ୍କ ସାଙ୍ଗରେ ମିଶି ଆକୁଳି ଯେତେବେଳେ ଗୋରୁ ଚରାଏ, ମୁଁ ବି ଛେଳି ମେଣ୍ଢାଙ୍କ ପଛରେ ଛାଟ ଧରି ଗୋଡ଼ାଇ ଥାଏଁ । କେତେଜାତିର ଖେଳ ଆମେ ଖେଳୁଁ- ଗୋଡ଼ି ପରଶୁଣି, ଲୁଚକାଳି ବାହୁବୋହୂକା, ଡାଳିମାଙ୍କୁଡ଼ି । ଆମ ସଙ୍ଗରେ ସବୁ ଜାତିର ପୁଅ ଝିଅ ଖେଳନ୍ତି । କିଏ ଗଉଡ଼, କିଏ କେଉଟ, କିଏ ଚଷା ଆମେ ବୁଝୁ ନାଇଁଲୋ ରାଈ । ସମସ୍ତେ ଆମେ ଭାଇ ଭଉଣୀ । କିଏ ଆଜି କେଉଁଠି ଅଛି, କଣ ହୋଇଛି, କଅଣ କରୁଛି, ମୁଁ ଜାଣେ ନାହିଁ । ଆକୁଳି ଅଛି ମୋଓରି ପାଖରେ । ଏକା ଘରେ, ଏକା ତୁଠରେ ଆମେ ଦିହେଁ ପାଣି ପିଉଛୁଁ । ସେ ମୋତେ ଭଲ ପାଇବ ନାଇଁ ? ମୁଁ ତାକୁ ଭଲ ପାଇବି ନାହିଁ ? ଏକା ପେଟରୁ ଜନମ ନ ହେଲେ କଣ ଲୋକେ ଭାଇଭଉଣୀ ହୋଇପାରିବେ ନାଇଁ ?

 

ରାଈ ଏତେବେଳରେ ବୁଝିପାରିଲା । ଆଖି ମଳି କହିଲା, ସେଇ କଥା ତୁ କହ । ଆଲୋ-ପରୀ, ତୁ ଯାହାକୁ ଯେମିତି ସେନେହ କରୁ, ଆଉମାନେ ତ ସେମିତି ମଣନ୍ତି ନାହିଁ । ତୋ ରୂପ ଦେଖି ଘରେ ବାହାରେ କେତେ ଅବଇଜ ଜଳିପୋଡ଼ି ଛଟପଟ ହେଉଛନ୍ତି ।

 

ହେଉଥାନ୍ତୁ । ମୋର କି ଥାଏ ?

 

ସେମିତି କହନା ଲୋ ଝିଅ, ଯେଉଁ ଚିଜ କାହାରି ନୁହେଁ, ସମସ୍ତେ ତା ଉପରେ ନିଘା ପକାନ୍ତି । ନିଜର ସୁନା ମୁଣ୍ଡା ଥିଲେ ବି ପର ଚିଜକୁ ପାଇବାକୁ ଯୋଗୀ ମୁନି ବି ଓର ଉଣ୍ଡି ହାତ ବଢ଼ାଇ ପାଖକୁ ନେବାକୁ ମନ କରନ୍ତି । ପରୀ କାହାରି ନୁହେଁ, ଏ ଧାରଣା ଥିଲେ ତ ।

 

ଆଲୋ ପରୀ, ସେ ଧାରଣା ସଭିଙ୍କର ଅଛି । ରାଗିବୁ ନାଇଁ, ସତ କହୁଛି । ତୋ କଥା ସେମାନେ ମୋତେ ଘୋରତେଇ ପଚାରନ୍ତି । ଟଙ୍କାଏ ମସାଏ ମିଠେଇ ଖାଇବାକୁ ମତେ ଦେଇ ତତେ ହାତୀ ଦେବେ, ରାଜରାଣୀ କରିବେ ବୋଲି ତୋ ପାଖକୁ ଖବର ପଠାନ୍ତି ।

 

ପରୀ ଦୀର୍ଘଶ୍ୱାସ ଛାଡ଼ିଲା । ଆଖି ପତା ତାର ମାଡ଼ି ପଡ଼ୁଥିଲା । ରାଈର କଥା ଶୁଣି ସେ ଉଠିଲା । କଟମଟ କରି ଆଲୁଅ ଆଡ଼କୁ ଚାହିଁ ରହିଲା । ଆଲୁଅ ଚାରି ପାଖେ ଆଲୁଅକୁ ଗ୍ରାସ କରିବାକୁ ଧାଇଁ ଆସିଥିବା ଜାତି ଜାତିର ପତଙ୍ଗମାନଙ୍କ ପରି ତାର ଜଳିଲା ଚାହାଣୀ ଆଗରେ କେତେ ଲୋକ ଆସି ଠିଆ ହେଲେ । ଆକୁଳ ବିକଳ ଛଟପଟ ଆଗ୍ରହୀ ପତଙ୍ଗମାନଙ୍କ ପରି ସେମାନେ ମଧ୍ୟ ଯେପରି ତାର ଚାରିପାଖେ ଘୁରିବାକୁ ଲାଗିଲେ । କାହାକୁ ସେ ଡାକିନାହିଁ । ସମସ୍ତେ ପାଖେଇ ଆସି ସ୍ନେହ, କରିବାକୁ ଆଗଭର ହୋଇଛନ୍ତି । ତାକୁ ଗ୍ରାସ କରିବାକୁ ?

 

ସେ ଅନଳ ଶିଖା, ନିଜେ ସେ ଜଳିବ । ଜଳି ଜଳି ଲିଭିବ, ଯେ ଆସିବ ପାଖକୁ ସେ ପୋଡ଼ିହୋଇ ମରିବ । ପରୀ ହେବ ଅନଳ ଶିଖା !

 

ପରୀକୁ ଚିନ୍ତାମଗ୍ନ ଦେଖି ରାଈ ଭାବିଲା, ତାର କଥା ପରୀର ମନରେ ଭେଦିଛି । ବିଷ ତାର ସର୍ବାଙ୍ଗରେ ଚହଟିଛି । ଆଜିଯାଏ ଫଣାଟେକା ସାପ ପଦ୍ମତୋଳା ଶୁଣି ନ ଥିଲା । ପଦ୍ମତୋଳାକୁ କାନ ଡେରିଲାଣି । ଥଙ୍ଗେଇ ଥଙ୍ଗେଇ କହିଲା, ତେଣୁ, ମୁଁ କହୁଛି....

 

ପରୀ ମୁହଁ ବୁଲେଇ କହିଲା, ମତେ ତୁ ବୋହୂ କରିବୁ ?

ଏଁ

ବୁଝିପାରିଲୁ ନାହିଁ ?

ଏ କି କଥା କହୁଛୁ ?

ଆକୁଳିକୁ ମତେ ବାହା କରିବୁ ?

 

ଝିଅ ଜନମ ପାଇ ମୁହଁରୁ ଲାଜ ପାଣି ପୋଛି ଏମିତି କଥା କେହି କେବେ ପଚାରେ ନାହିଁ-। ଆଲୋ ସବାଖାଈ, ଭୁଲି ଯାଉଛୁ କି ତୁ ଭଣ୍ଡାରି ଘର ଝିଅ ? ଛୋଟ ମୁହଁରେ କେଡ଼େ ବଡ଼ କଥା କହିଲୁ ! ତତେ ମରଣ ହେଉ ନାହିଁ ! କିଲୋ ଧିଅରେ ଟିକିଏ ଚହଟ ଅଛି, ପାଠ ଚାରି ଅକ୍ଷରେ ପଢ଼ିଛୁ, ଛୁଞ୍ଚିକାମ ଟିକେ ଜାଣିଛୁ ବୋଲି ବାମନ ହେଇ ଚନ୍ଦ୍ରକୁ ହାତ ବଢ଼ଉଛୁ...

 

ପରୀ ହସି ହସି ଲୋଟିଗଲା । ସତେ କି ସେ ବାଇଆ ହେଇଛି । କାନ୍ଦିବାର ଦୁର୍ଯୋଗ ଭାଗ୍ୟରେ ବହୁବାର ଘଟିଛି । ନିଜକୁ ଭୁଲି ମନ ପୂରାଇ ହସିବାର ସୁଯୋଗ କେବେ ପାଇନାହିଁ । ଅତି ଆପଣାର ହୋଇ ଯେଉଁ ନିର୍ବୋଧ ସ୍ତ୍ରୀ ଲୋକଟି ନିଜର କେଉଁ ସ୍ଵାର୍ଥ ସଫଳ ହେବ ଏ କଥା ନିଜେ ନ ବୁଝି ଉପଦେଶ ଦେଇ ତାକୁ କଣ୍ଟାବଣରେ ପଶିବାକୁ ପ୍ରବର୍ତ୍ତାଉଛି, ସେ ଆଗରେ ବସି ଅବୋଧ ଶିଶୁଟି ପରି ଅନେଇଁ ରହିଛି ।

 

ପରୀ ହସିଲା । ରାତି କେତେ ହେଲାଣି ସେ ଜାଣେ ନାହିଁ । ନିଶା ଗର୍ଜୁଛି ।

 

ପରୀ ତୁନି ହେଲା । ଆଖରୁ ପାଣି ପୋଛି କଅଁଳ ସ୍ଵରରେ ନିବେଦିଲା, ଆଲୋ ରାଈ, ସଂସାରରେ ସମସ୍ତେ ନିଜର ବଡ଼ ଛୋଟ ସ୍ୱାର୍ଥକୁ ଆଗରେ ରଖି କାମ କରନ୍ତି । ଯେଉଁମାନେ ତତେ ଦୂତିକା ସଜେଇ ଟଙ୍କାଏ ମସାଏ ଦେଇ ମୋତେ ହାତୀ ଘୋଡ଼ା ଦେବାର ଆଶା ଦେଖାଇ କିଣିବାକୁ ବସିଛନ୍ତି, ସେମାନେ ଯେଡ଼ିକି ମୂର୍ଖ ତୁ ବି ସେଡ଼ିକି ମୂର୍ଖ । ମୁଁ କାହାରି ଘରଣୀ ହେବାକୁ ଚାହେଁ ନାହିଁ । ମୁଁ ସମସ୍ତଙ୍କର ଝିଅ କି ଭଉଣୀ ହେଇ ରହି ବୟସ ବିତେଇ ଦେଇ ମଶାଣିକୁ ଯିବାକୁ ଚାହେଁ-। ସମସ୍ତେ ମୋର ବାପ, ଦାଦି, ଭାଇ । କହିଦେବୁ ସେମାନଙ୍କୁ ଏକଥା । ଶୁଅ ଏଥର । ରାତି ଅଧିକ ହେଲାଣି । ତୋତେ ନେହୁରା ହେଇ କହୁଛି, ମୋ ଭଲମନ୍ଦ କଥା ଭାବି ତୁ କେବେ ମନ ଖରାପ କରିବୁ ନାହିଁ କି ରାତି ଅନିଦ୍ରା ହେଇ ମୋ ଆଗେ ଏଣୁ ତେଣୁ ଗପିବୁ ନାହିଁ । ତତେ ଆକୁଳି ରାଣ ।

ରାଣ ପକାଉଛୁ କାହିଁକି ?

ଶୋଇପଡ଼ ଏଥର ।

ପରୀ ଆଲୁଅ ନିଭାଇଲା । ଗଡ଼ି ପଡ଼ୁଥିବା ଲୁହ ଦିଧାର ହାତ ପାପୁଲିରେ ପୋଛି ସେଇଠି ସେଇ ମଶିଣା ଉପରେ ଲୋଟି ପଡ଼ିଲା । ଅଜାଣତରେ ମନରେ ଉଠିଲା କୋହ । ବୁଝିଲା ଆଖି ଅନ୍ଧାର ତଳେ ଛପି ଛପି ବାରବରଷ ତଳର ଅତୀତକୁ ଫେରିଯାଇ ତାର ନିଜତ୍ୱ ଧୁଣ୍ଡି ଲାଗିଲା ଜଣକୁ, ଯେ ତାକୁ ଏ ଦୁନିଆଁକୁ ଆଣି ଝଡ଼ ତୋଫାନ ମଝିରେ ଏକାକୀ ଛାଡ଼ିଯାଇଛି ।

ମକର ବାରଣ୍ଡା ଉପରେ ଠିଆହୋଇ ଚାରିଆଡ଼କୁ ଚାହିଁଲେ । ସବୁଦିନ ପରି ଆଜି ମଧ୍ୟ ଠିକ୍ ସମୟରେ ନିଦ ଭାଙ୍ଗିଛି । ସେ ସହଳ ଉଠି ନାହାନ୍ତି । ରାତିର ଅନ୍ଧାର ଅପସରିଛି । ଆଲୋକର ଆଭା ଆକାଶରେ ଉକୁଟି ଉଠିଲାଣି । ଶୁକ୍ର ତାର ପଶ୍ଚିମ ଦିଗବଳୟ ଆଡ଼କୁ ଓହ୍ଲାଇ ଆସିଲାଣି । ମଳିନ ଦିଶିଲାଣି । ସୁଲୁ ସୁଲୁ ଶୀତଳ ପବନ ମନ ଉଲ୍ଲାସରେ ବହି ଆସୁଚି । ସୁନ୍ଦର କୋମଳ ପ୍ରାଣପୁଲକା ହାଲୁକା ସକାଳ । ତଥାପି, କେଉଁଠି ଟିକିଏ ଅଭାବ ରହିଯାଇଛି । ଅନୁଭୂତି ଝୁରି ଉଠିଛି । ଅନୁଭୂତି ପ୍ରଶ୍ନେଇ ଉଠୁଛି । ଖୋଜି ବୁଲୁଛି ଜଣକୁ ।

ପଲ୍ଲବିତ ପୁଲକିତ ଲତାଟି ପରି ସେ ମୃଦୁ ପବନରେ ଦୋହଲି ଉଠେ । କୁସୁମର ଶୋଭାସମ୍ଭାର ଘେନି ସେ ମଥା ନତ କରେ । ମରମଥରା ଅଦେଖା ପରଶରେ ଆକୁଳିତ ପିତୃତ୍ଵ ଉପରେ ଉଶୀର ବରଷେ । ଅଜଣା ସୁବାସରେ ନିରୋଳା ପ୍ରାତଃର ପ୍ରତି ଅଣୁପରମାଣୁରେ ସେ ହିଲ୍ଲୋଳ ଛୁଟାଏ । ତାର ଅକୁହା କଥା, ଅବୋଲା ସଙ୍ଗୀତ ବାହାରେ ଓ ଭିତରେ କେଉଁ ମୂର୍ଚ୍ଛନା, କେଉଁ ଶିହରଣ ଆଣେ । ଅପରୂପ ସୌନ୍ଦର୍ଯ୍ୟ ଅମଳିନ ରୂପର ଆଲୋକ ଫିକା-ପାହାନ୍ତିର ଶୁଭ୍ର ପାଖୁଡ଼ା ମେଲିଦିଏ, ଫୁଟାଇ ଦିଏ, ଉଜ୍ଜ୍ୱଳ କରେ ।

ସେ ପରୀ ।

ମକର ଚାରିଆଡ଼ିକୁ ଚାହିଁଲେ । ସବୁ ପ୍ରକୋଷ୍ଠର କବାଟ ବନ୍ଦ ଅଛି । ନିର୍ଜନତା ଖେଙ୍କି ଉଠୁଛି । ପରୀ, ଉଠିନାହିଁ । ଡାକ ଛାଡ଼ିବାକୁ ମନ ହେଲା । ଡାକି ପାରିଲେ ନାହିଁ । ଦୁଆରକୁ ଓହ୍ଲାଇଲେ । ଚାଲି ଚାଲି ବାରି କବାଟ ପାଖକୁ ଗଲେ । ବାରି କବାଟରେ ଶିକୁଳି ଲାଗିଛି । ମୁହଁ ଫେରେଇଲେ । ଦୃଷ୍ଟି ପଡ଼ିଲା ପରୀ ଥିବା ଘରେ । କବାଟ ଆଉଜା ହେଲା ପରି ଦିଶୁଛି । ଭିତରୁ ବନ୍ଦ ହୋଇନାହିଁ ।

ମକର ବାରି କବାଟ ଖୋଲିଲେ । ଆଉଜେଇ ଦେଇ ପଦାକୁ ଚାଲିଲେ । ଦେହ କସ୍‍ମସ୍‍ ହେଉଛି । ଦଣ୍ଡ ବୈଠକ କରିବାକୁ କି ମୁଦ୍‌ଗର ବୁଲାଇବାକୁ ମନ ହେଉ ନାହିଁ ।

ମକର ବାରି ବାଟେ ଗାଁ ଗୋହିରିକୁ ବାହାରି ପଡ଼ିଲେ । ବାଡ଼ରେ ବଢ଼ୁଥିବା ନିମ୍ବଗଛର କଅଁଳ ଡାଳ ଭାଙ୍ଗି ଦାନ୍ତକାଠି ପାଟିରେ ଭରି ଗାଆଁ ମୁଣ୍ଡ ବଡ଼ ପୋଖରୀ ଆଡ଼େ ଚାଲିଲେ । ପାଞ୍ଚ କି ଛଅ ବର୍ଷ ଆଗେ ସେ ନିତି ସକାଳେ ଏଇଆ କରୁଥିଲେ । ଅଭ୍ୟାସଟା ବଦଳେଇ ଦେଇଥିଲା ଜଣେ । ଧୀରେ ଧୀରେ ଅଜାଣତରେ ।

ସେ ପରୀ ।

ଗୁହାଳ ପୋଛା ଶେଷ କରି ଗୁହାଳ ଖଞ୍ଜାର କବାଟ ଖୋଲିଲା ଆକୁଳି । ବଡ଼ି ସକାଳ । ବଳଦ ଓ ବାଛୁରୀଗୁଡ଼ିକୁ ଦାଣ୍ଡରେ ପୋତା ହୋଇଥିବା ଖୁଣ୍ଟଗୁଡ଼ିକରେ ଗୋଟି ଗୋଟି କରି ବାନ୍ଧି ଦେଇଛି । ଦୁହାଁଳୀ ଗାଈ ଦିଓଟି ଏବେ ବି ଗୁହାଳରେ ବନ୍ଧା ହୋଇଛନ୍ତି । ଗୋବର ବଲ ବଲ ହାତ-

ଘର ଖଞ୍ଜାକୁ ଆସିଲା । ଜଣେ ପାଣି ଟେକିଦେଲେ ସେ ହାତ ଧୋଇବ । କୁଣ୍ଡା ଓ ମୁଗଚୋପା କାଢ଼ିଦେଲେ ତୋରାଣିଭରା କୁଣ୍ଡରେ ପକାଇ ଗାଈ ଦିଓଟିକୁ ଆଗ ମୋହିଁଦେବ । ଠେକି କାଢ଼ିଦେଲେ ସେ ଦୁଧ ଦୁହିଁ ଠେକି ଆଣି ପୁଣି ତା ପାଖରେ ଥୋଇଦେବ । ମାଗିବ ତେଲ । ଗିନାରେ ତେଲ ଅଜାଡ଼ିଦେଲେ ସେ ତେଲଗିନା ନେଇ ଚାଲିଯିବ ଗୁହାଳ କଡ଼ ବାରିକୁ, ସେଇଠି ଛୋଟ ବଖୁରିଏ ଘର । ଘର ଆଗରେ ସମତୁଲ ବାଲିପକା ପଦିକାଏ ଭୂଇଁ । ମକରବାବୁ କସରତ କରନ୍ତି । ତାଙ୍କ ଦେହରେ ତେଲ ମାଲିସ କରିବାକୁ ଘଣ୍ଟାଟିଏ ଲାଗେ ।

ଆକୁଳି ବଲ ବଲ କରି ଚାହିଁଲା । ଆଜି ଯେପରି କେଉଁଠି କଣ ଏ ଘରର କଳ ବିଗିଡ଼ିଛି-। ଯିଏ ତାକୁ କର୍ମର ପ୍ରେରଣା ଦିଏ; ଯାହାର ଉପସ୍ଥିତି ମନ ଓ ଦେହରେ କର୍ତ୍ତବ୍ୟର ମୂର୍ଛନା ଆଣେ, ତାର ଦେଖା ଦର୍ଶନ ନାହିଁ ।

ସେ ପରୀ !

ମକରବାବୁଙ୍କ ଘରର କବାଟ ଖୋଲା । ବିଛଣା ଟେକା ହୋଇନାହିଁ । ଖଞ୍ଜା ଭିତରେ ସେ ନାହାନ୍ତି । ବାରି କବାଟ ମୁକୁଳା । କେହି କୁଆଡ଼େ ନାହିଁ । ପରୀ ଘରର କବାଟ ଆଉଜା ହୋଇଛି । ସେ ଘରେ ତାର ମା ବି ରହେ । ଘର ଭିତରକୁ ଡୁଙ୍ଗିବାକୁ ମନ ହେଲା । ସାହସ ହେଲା ନାହିଁ । କାଳେ ପରୀ ଥିବ, ଉଠି ବସିଥିବ । ମୁହଁ ଫୁଲାଇ ଚିଡ଼ି ଉଠି ଲାଗିଲା ସ୍ୱରରେ ଖେଙ୍କି ଉଠିବ, କି ରେ ?

Unknown

ଡାକ ଛାଡ଼ିବ, ବୋଉ, ବୋଉ- ?

ସମସ୍ତେ ଉଠିବେ । ପରୀ ତା’ହାତକୁ ପାଣି ଟେକିଦେବ ନାହିଁ, କୁଣ୍ଡାଚୋପା ଆଣିଦେବ ନାହିଁ । ସବୁ କରିବ ତା ମା ।

ଉଁ ହୁଁ ।

ପରୀ ଯେପରି ତାର ଘରଣୀ, ଆଉ ସେ ଏ ଘରର ଗୃହସ୍ଥ ।

 

ଆକୁଳି ଏହାହିଁ ଅନୁଭବ କରେ । ଆଜି ନୁହେଁ । କେଜାଣି କେବେଠୁଁ ପାଖକୁ ଯାଇ ସେପରି ମୁହଁକୁ ବଲବଲ କରି ଚାହିଁ ରହେ । ହସିପାରେ ନାହିଁ । ମୁହଁ ଗମ୍ଭୀର ହୁଏ । ବେଶି କଥା କହିପାରେ ନାହିଁ । କହି ଜାଣେ ନାହିଁ । ପଦେ-ପାଣି, କୁଣ୍ଡା, ଠେକି, କ୍ଷୀର, ତେଲ ।

 

ସବୁ କରେ ପରୀ ।

 

କଥା କହେ । କାମ ବରାଦ କରେ । ତାର କଥାରେ କୋମଳତା ଥାଏ । ତାର ଆଦେଶରେ ଅନୁରୋଧ ମିଶିଥାଏ । ତା ପାଖକୁ ଗଲେ ସେ ମନା କରେ ନାହିଁ । ମୁହଁକୁ ଚାହିଁଲେ ସେ ବିରକ୍ତି ହୁଏ ନାହିଁ ।

 

ପରୀ ତାକୁ ଭଲ ପାଏ । ପେଟ ପୂରାଇ ଖାଇବାକୁ ଦିଏ ।

 

ଦାଣ୍ଡରେ ବଳଦ ଓ ବାଛୁରୀ ହମାରଡ଼ି ଛାଡ଼ିଲେଣି । ଗୁହାଳରେ ଗାଈ ଦୁଇଟା ତୋରାଣୀ ପିଇବାକୁ, ଦୁହାଁ ହେବାକୁ ଉଚ୍ଛନ୍ନ ହୋଇ ବୋବାଈ ଛାଡ଼ିଲେଣି । ତାଙ୍କ ରଡ଼ିରେ ସମସ୍ତେ ଉଠିବେ । ଏକା ପରୀ ତ ଉଠିବ ନାହିଁ ।

 

ନିରୋଳା ସକାଳେ ଗୋଟିଏ ଯୁବତୀ ଝିଅର ସାନ୍ନିଧ୍ୟରୁ ଆକୁଳି ହେବ ବଞ୍ଛିତ । ହଁ, ପରୀର ପାଖାପାଖି ହେଲେ ମନ ପୂରିଉଠେ । ଛାତିତଳେ ଛପି ବୁଲେ ସରାଗ । ଆକୁଳି ନରିକ୍ଷର ହେଲେ ବି, ତୁଣ୍ଡରୁ ଭାଷା ନ ବାହାରିଲେ ମଧ୍ୟ ପରୀ ପାଖକୁ ଆସିଲେ ତାର ମରମ ଯେପରି ମୁଖର ହୋଇଉଠେ । ଫୁଟିଲା ଫୁଲର ଚାରିପାଖେ ନିଜ ଭାଷାରେ ଭ୍ରମର ଗୁଞ୍ଜରି ଗୁଞ୍ଜରି ଘୁରି ବୁଲିଲା ପରି ତା ମନର ସରାଗ ପରୀର ଭାବନାକୁ କେନ୍ଦ୍ର କରି ବୁଲେ । ଗୁଞ୍ଜରି ଉଠେ । ସେ ଅନୁଭବ କରେ, ପରୀ କେବଳ ତା’ର ।

 

ଆକୁଳି ଫେରିଲା ଗୁହାଳଘରକୁ ।

 

କବାଟ ଖୋଲି ଆଠବର୍ଷର ପୁଅ ବିଦୁର ପଦାକୁ ଆସିଲା । କେତେବେଳୁ ରାତି ପାହି ସକାଳ ହେଲାଣି । ଆଉ କେହି ଉଠିନାହାନ୍ତି । ପରୀର ଦେଖା ଦର୍ଶନ ନାହିଁ । ତାକୁ ଲାଗିଲା ଅଡ଼ୁଆ ।

 

ତାକୁ ଦେଖିଲେ ସବୁ କାମ ଛାଡ଼ି ପରୀ ପାଖକୁ ଧାଇଁଆସେ । ତାକୁ ଶୂନ୍ୟେ ଶୂନ୍ୟେ ଟେକି ଛାତିରେ ଜାକି ମୁହଁରେ ବୋକ ଦିଏ । ହସ ହସ ହୋଇ କଅଁଳେଇ କହେ, ସାନଭାଇ, ଆସ ଦାନ୍ତ ଘଷିବ । ଆସ ଗାଧୋଇ ଦେବି ।

 

ହେତୁ ପାଇଲା ଦିନୁ ପରୀର କଅଁଳ କଥା ସେ ଶୁଣି ଆସିଛି । ତାର ଆଦର, ସେବା, ଯତ୍ନ ବିଦୁରର ନିଜସ୍ୱ ହୋଇଛି ।

 

ପରୀ ଦିଶୁନାହିଁ । କାଉଗୁଡ଼ାକ କା କା ହୋଇ ବିରକ୍ତିଆ ସ୍ୱର କାଢ଼ି ବୋବାଳି ଛାଡ଼ିଛନ୍ତି । ଏପାଖ ପିଢ଼ାରୁ ଉଡ଼ି ସେପାଖ ପିଢ଼ାରେ ବସୁଛନ୍ତି । ଗୁହାଳ ଘରଆଡ଼େ ବୋବାଳି ଛାଡ଼ିଛନ୍ତି ଗାଈ ବାଛୁରୀ ।

 

ବିଦୁରକୁ ଅଡ଼ୁଆ ଲାଗିଲା । ପିଣ୍ଡାରୁ ଓହ୍ଲାଇ କୂଅମୂଳକୁ ଚାଲିଲା । ପରୀ କାଳେ ତାର ଛୋଟ ବଗିଚାରେ ଥିବ । ଗରା ଗରା କରି ପାଣି ଗଛରେ ଢାଳୁଥିବ । ରଞ୍ଜା ଦେଇ ଲଟା ବାନ୍ଧୁଥିବ-। ସୂର୍ଯ୍ୟମୁଖୀ, ଜିନିଆଁ, ହୀରାଗୋଲ ଗଛରୁ ପୋକ କାଢ଼ି ପକାଉଥିବ ।

 

ଫୁଲ ବଗିଚାରେ ସେ ନାହିଁ । ବିଦୁରକୁ ଦେଖି ଗଛଲଟାଗୁଡ଼ିକ ଯେପରି ମୁଣ୍ଡ ଟୁଙ୍ଗାରି ଡାକୁଛନ୍ତି । ଯେପରି ହସହସ ହୋଇ ପଚାରୁଛନ୍ତି, ପରୀକୁ ଦେଖିଛ ?

 

ବିଦୁରର ମନରୁ ପରୀର ପ୍ରଶ୍ନ ଦୂରେଇ ଯାଉଛି । ଆଗରେ ଜାତି ଜାତିର ଫୁଲଗଛ । ରଙ୍ଗ ରଙ୍ଗର ଫୁଲ । ଛୋଟ ବଡ଼ କଢ଼ ନଦି ହୋଇଛି । ତୋଳିବାକୁ ମନ ହେଉଛି । କେଉଁ ଜାତିର ଫୁଲ ସେ ତୋଳିବ ? କେତେ ଫୁଲ ତୋଳିବ ? ଗୋଲାପ ବଡ଼ ବଡ଼, ସୁନ୍ଦର, ବାସନା । ବିଦୁର ହାତ ବଢ଼ାଇଲା । ଡାଳଟିକୁ ନୋଇଁ ଆଣିଲା ।

 

ଛି, ସାନଭାଇ, ଗଛର ତୁଣ୍ଡ ନାହିଁ ସିନା, ଜୀବନ ଅଛି । ତାକୁ କାଟିବ ।

ପରୀ କହୁଛି ? ବିଦୁର ମୁଣ୍ଡ ବଙ୍କାଇ ପଛକୁ ଚାହିଁଲା । ପରୀ ନାହିଁ ।

 

ପରୀ ଏମିତି କହେ । ଶୁଣ ମୋ’ ସୁନା ଭାଇ, ସବୁ ଗଛର ଜୀବନ ଅଛି । ସେମାନେ ଖାଆନ୍ତି, ଶୁଅନ୍ତି, ନିଶ୍ୱାସ ମାରନ୍ତି, ଅନୁଭବ କରନ୍ତି । ଶୁଣ ସେମାନେ ଦେଖିପାରନ୍ତି ନାହିଁ । କହିପାରନ୍ତି ନାହିଁ । ଅଭିଶାପ ଦିଅନ୍ତି । ଶୁଣିନ କଞ୍ଚନବତୀ କଥା ? ଶୁଣ....

 

ବିଦୁରର ହାତରୁ ଗୋଲାପ ଡାଳ ଖସିଗଲା । ମନ କହିଲା, ନା, ସେ ଫୁଲ ତୋଳିବ ନାହିଁ-। ପରୀ କହିଛି, ଗଛରେ ଥିଲେ ଫୁଲ ସୁଖରେ ଥାଏ । ସୁନ୍ଦର ଦିଶେ । ତୋଳିଆଣିଲେ ମଉଳେ, ଶୁଖେ । ସେ ପ୍ରଜାପତି ଧରିବ । କେତେ ରଙ୍ଗର ଛୋଟ ବଡ଼ ପ୍ରଜାପତିଗୁଡ଼ିଏ ଏ ଫୁଲରୁ ସେ ଫୁଲ ଉଡ଼ି ବସୁଛନ୍ତି । ସତେ କି ସେମାନେ ଫୁଲର ରଙ୍ଗ ଚୋରିକରି ଦେହରେ ବୋଳି ହେଉଛନ୍ତି ।

 

ବିଦୁରର ମନେପଡ଼ିଲା ପ୍ରଜାପତି ଡିମ୍ବ କଥା । ସେ ଧାଇଁଲା ବାଡ଼ କଡ଼ ଅରଖ ଗଛ ପାଖକୁ । ପତର ତଳେ ସୁନେଲି ରଙ୍ଗର ସୁନ୍ଦର ଲମ୍ବାଳିଆ ଦିଓଟି ଡିମ୍ବ ଓହଳିଛି । ବିଦୁର କାବା ହୋଇ ଚାହିଁ ରହିଲା । କିଛିଦିନ ତଳେ ସାନ ସାନ ନେଳିଆ କଅଁଳିଆ ପୋକ ଦିଓଟି ଅରଖପତ୍ରରେ ଚରି ବୁଲୁଥିଲେ । ସେ ଦିଓଟି ବଡ଼ ହେଲେ । ଦିନେ ଦେଖିଲାବେଳକୁ ପୋକ ଦିଓଟିରର ଉପରଖୋଳ ପତ୍ରରେ ଲାଗିଛି । ତାହାରି ପାଖରେ ନେଳିଆ ଡିମ୍ୱ ଦିଓଟି ପତର ତଳେ ଓହଳିଛି । ନେଳିଆ ଡିମ୍ବ ଆଜି ସୁନେଲି ହେଲାଣି । ସେଇଠୁ ?

 

ପରୀ ଆଇଲେ କହିବ ।

ବିଦୁର ତନ୍ମୟ ହୋଇ ଚାହିଁ ରହିଲା ।

 

କୁବେରର ନିଦ ଭାଙ୍ଗିଲା । ସେ ମୁଣ୍ଡ ଟେକି ଚାହିଁଲା । ଝରକାବାଟେ ତା ଖଞ୍ଜାର ଛୋଟ ଟାଇଲ ପକା ଦୁଆରଟି ଦେଖାଯାଉଛି । ଏ ଖଞ୍ଜାରୁ ତଳ ଖଞ୍ଜାକୁ ଯିବାକୁ ଅଣଓସାର ବାରଣ୍ଡା । ବାରଣ୍ଡାରୁ ସାମନା ଧାଉଡ଼ି ଦୁଇ ବଖରା ଘରକୁ କବାଟ ଲାଗିଛି । ସେଇ ବାରଣ୍ଡାର ଶେଷରେ ଯେଉଁ କବାଟ, ସେଇବାଟେ ଦାଣ୍ଡ ଘରକୁ ବାଟ । ଦାଣ୍ଡଘରୁ ସେମିତି ଆଉ ଗୋଟିଏ କବାଟ ସେ ପାଖ ବାରଣ୍ଡାକୁ ଖୋଲିଛି । ଦାଣ୍ଡଘରୁ ପୁଣି ଫିଟିଛି ଜାଉଁଳି କବାଟ ଗାଁ ରାସ୍ତାକୁ । ଘର ଆଗର ଛୋଟ ଖୋଲା ବାରି ଗାଁ ରାସ୍ତାଯାଏ ଲମ୍ବିଯାଇଛି । ବାରିର ଦୁଇ ପାଖରେ କେତେଗୁଡ଼ିଏ ଲମ୍ବ ଲମ୍ବ ନଡ଼ିଆ ଗଛ । ମଝିରେ ଝଙ୍କା ବଉଳ ଗଛ । ଗଛର ଚାରିପାଖେ ଘେରି ରହିଛି ଉଚ୍ଚ ବୃତ୍ତାକାର ସିମେଣ୍ଟ ଚଉପାଢ଼ି ।

 

କୁବେରର ଆଖିରେ ପଡ଼ିଲା-ବାରଣ୍ଡା କାନ୍ଥରେ କଅଁଳ ଖରା ପଡ଼ିଛି । ବେଳ କେତେ ହେଲାଣି ? ପରୀ ତାଙ୍କୁ ଆଜି ଡାକି ଉଠାଇ ନାହିଁ ? ଆରେ, ଏ କ’ଣ ? ସେ ଚଉକିରେ ବସି ପଢ଼ୁ ପଢ଼ୁ କେତେବେଳେ ସେହି ବହିଟା ଉପରେ ମୁଣ୍ଡମାଡ଼ି ଶୋଇପଡ଼ିଛି । ନଲଟଣଟା ଜଳି ଜଳି ତେଲ ସରିବାରୁ ଆପେ ଆପେ ଲିଭିଯାଇଛି ।

 

ସେ ଉଠି ଠିଆ ହେଲା । ପଲଙ୍କ ଆଡ଼କୁ ଚାହିଁଲା । ବିଛଣା ପଡ଼ି ରହିଛି । ତକିଆର ଗୋଟିଏ ପାଖରେ ଛୋଟ ଚର୍ଚ୍ଚ ଆଲୁଅ । ଆର ପାଖରେ ରିଷ୍ଟ୍‍ୱାଚ । ଘଣ୍ଟା ଦେଖିଲା । ସାତଟା ହେଲାଣି । ଏତେବେଳଯାଏ କେବେ ସେ ଶୁଏ ନାହିଁ ।

 

ପରୀ ଶୁଆଇ ଦିଏ ନାହିଁ । ବଡ଼ି ସକାଳୁ ସେ ନିତି ଆସି ଭାଇ, ଭାଇ ବୋଲି ଡାକ ଛାଡ଼େ-। ସଞ୍ଜବେଳେ ଆସି ଜଳଖିଆ ଚା’ ଦେଇଯାଏ । ବିଛଣା ପାରେ । ଲୁଗାପଟା, ବହିପତ୍ର ସଜାଡ଼ି ଦେଇ ଚାଲିଯାଏ । ରାତି ନଅଟାରେ ପୁଣି ଆସି ଡାକେ, ଭାଇ, ଖୁଡ଼ୀ ଡାକୁଛନ୍ତି ଖାଇବା ଯାଅ ।

 

ପରୀର ଆଦେଶ ଅମାନ୍ୟ କରିବା ତ ଦୂରର କଥା, ପାଳନ କରିବାକୁ ସମୟ ମାଗିବା ବୃଥା । ସେ ବିଜୁଳି ପରି ଘରେ ପଶେ । ବିଛଣା ଛାଡ଼ି ସଜାଡ଼ି ଦିଏ । ଟେବୁଲ ଉପରୁ ବହିପତ୍ର ଉଠାଇ ଆଲମାରୀରେ ରଖେ । କହେ, ସେତିକି ଆଜି ପଢ଼ିଥାଉ ଭାଇ, ଖୁଡ଼ୀ ଭାତ ବାଢ଼ି ଅନେଇ ବସିଛନ୍ତି । ବିରକ୍ତ ହେବେ ।

 

କୁବେରକୁ ଚିଡ଼ି ମାଡ଼େ । କାହା ଉପରେ ସେ ବିରକ୍ତ ହେବ ? ଖୁଡ଼ୀକୁ କିଛି କହି ହେବ ନାହିଁ । ପରୀର ଦୋଷ ନାହିଁ । କୁବେର ଉଠିଯାଏ ପରୀ ବି ଆସେ ତା ପଛରେ । ଖାଇସାରି ଫେରିଆସେ । ପୁଣି ପଢ଼ିବସେ ବହି ।

 

ରାତି ଏଗାର । ଗୋଡ଼ ଟିପି ଟିପି ପରୀ ପଶେ ଘରେ । ହାତରେ କ୍ଷୀରଭରା କାଚ ଗିଲାସ । ଟେବୁଲ ଉପରେ ରଖି କହେ, ରାତି ବେଶି ହେଲାଣି । ଦେହ ଖରାପ ହେବ । କୁବେର ବିରକ୍ତି ଭରା ଆଖି ଟେକି ଚାହେଁ ପରୀକୁ ।

 

ମୁଁ ଆଲୁଅ ନେବି । ଆପଣ ଟର୍ଚ୍ଚ ମାରି କବାଟ ବନ୍ଦ କରି ଶୁଅନ୍ତୁ ।

ପରୀ ନଲଟଣର କଡ଼ା ଧରି ଟେକେ ।

 

କୁବେର ବାଧ୍ୟ ଶିଶୁ ପରି କଥା ମାନେ । କାହିଁକି ସେ ପରୀ ଉପରେ ବିରକ୍ତ ହୋଇପାରେ ନାହିଁ, ସେ ଜାଣେ ନାହିଁ । ପରୀର ରୋକ୍‍ଠୋକ୍‍ କଥା । ସେ କଥାରେ ଅନୁଯୋଗ, ଆଦେଶ, ସ୍ନେହ ପୁଣି ତିରସ୍କାରର ସୂଚନା ସେ ପାଏ । ପ୍ରତିବାଦ କଲେ ସେ ଡରିବ । କାଳେ ମଣିବ, ସେ ଏ ଘରର ସମାନ୍ୟ ଲୋକଟିଏ, କେବଳ ଜଣେ ଚାକରାଣୀ ? କାଳେ ତାର ମନରେ ଧାରଣା ହେବ ଯେ କହିବାର ତାର ଅଧିକାର ନାହିଁ, କେବଳ ଆଜ୍ଞା ପାଳନ କରିବାକୁ ସେ ଜନମିଛି, ଏ ଘରେ ଆଶ୍ରା ନେଇଛି ।

 

ପ୍ରତି ମଣିଷର ଜନ୍ମଗତ ପ୍ରବୃତ୍ତି, ସେ ପ୍ରଭୃତ୍ୱ ଚାହେଁ । ମଣିଷ ଉପରେ ନ ହେଲେ ଇତର ପ୍ରାଣୀ ଉପରେ । ତା ଯଦି ସମ୍ଭବ ନ ହୁଏ, କାଠ ପଥର ତରୁ ତୃଣ ପରେ ପରୀର ପ୍ରଭୃତ୍ୱ କୁବେର ଉପରେ । ତାକୁ ସେ ଶିଶୁଟି ପରି ମିଶି ସେବା କରେ, ଆଉ ତାର ସେବାଯତ୍ନ ପାଇଁ ସେ ଚାହେଁ, କୁବେର ତାର କଥା ମାନିବ ।

 

ମା ପେଟରୁ ଜନମିଲା ଭଉଣୀ । ଗେହ୍ଲାରେ ବଢ଼ି ପର ଘରକୁ ଯାଇଛି । କେବେ କିପରି ନିଜ ପାଇଁ ସେ ଅଳି କରିଛି– କଟକରୁ ୟା ଆଣିବ ତା ଆଣିବ । ପର ଘରକୁ ଯାଇ ସେ ହୋଇଛି ଭିକାରୀ-ୟା ଦେବ ତା ଦେବ, ମୁଁ ଦୁଃଖରେ ଅଛି । କାନ୍ଦି କାନ୍ଦି ମୋର ଦିନରାତି ସରୁନାହିଁ । ତମେ ଆସିବ । ମୋ ଦୁଃଖ ନିଜ ଆଖିରେ ଦେଖଯିବ । ମୋତେ ନେଇ ଯା । ୟାଙ୍କ ଘର ଭଣ୍ଡାରି ଟୋକା ଶୁକୁଟା ସଙ୍ଗେ ପରୀର ବାହାଘର ହେଲେ ଭଲ ହୁଅନ୍ତା । ସେ ସୁଖରେ ରହନ୍ତା । ନିଜର ଲୋକ ପାଖରେ ରହିଲେ ମୋର ଅସୁବିଧା ହୁଅନ୍ତା ନାହିଁ ।

 

କେତେଥର ସେ ଏହିପରି ଲେଖିଲାଣି । କୁନ୍ତଳାର କୌଣସି ଚିଟାଉରେ ସେ ସ୍ଵାର୍ଥଶୂନ୍ୟ ଅନୁରୋଧ କି ଆଦେଶ ପାଏ ନାହିଁ । ଭଉଣୀର ଜନ୍ମଗତ ଦାବୀର ଚିତ୍ର ସେ ଦେଖେ ।

 

ବିଦୁର ପାଖରେ ପଶେ ନାହିଁ । ଯେତେ ଆଦର କରି ପାଖକୁ ଡାକିଲେ ସେ କରଛଡ଼ା ଦିଏ । ଧାଇଁ ଯାଇ ତାକୁ ଧରି ଛାତିରେ ଯାକି ବୋକ ଦେଲେ ସେ ନିର୍ଜୀବ ପଦାର୍ଥ ପରି ଛାତି ଉପରେ ପଡ଼ିରହେ । ହାତୀ ଦେବି, ଘୋଡ଼ା ଦେବି କହି ଲୋଭ ଦେଖାଇଲେ ସେ ଜୁଳୁ ଜୁଳୁ କରି ଚାହେଁ । ଚୋର ମୁହାଁଟା । ଛାଡ଼ିଦେଲେ କିଏ ମାରି ଗୋଡ଼ାଇଲା ପରି ଛୁଟି ପଳାଏ । କୁବରେ ଚାହିଁ ରହେ । ବିଦୁର ପରୀକୁ କୁଣ୍ଢାଇ ଧରେ ।

 

ଖୁଡ଼ୀଙ୍କୁ ସେ ଭକ୍ତି କରେ । ଖୁଡ଼ୀ ତାକୁ ସ୍ନେହ କରନ୍ତି କି ନାହିଁ ସେ ଅନୁଭବ କରିପାରେ ନାହିଁ । ଖୁଡ଼ୀ ତାକୁ ଭୟ କରନ୍ତି, ଏ କଥା ସେ ବୁଝେ । କେଉଁ କଥା ପଚାରିବା ଆବଶ୍ୟକ ମଣିଲେ ସିଧା ସଳଖ ନ ପଚାରି ବୁଲେଇ ବୁଲେଇ ପଚାରନ୍ତି । କୁବେରକୁ ବିରକ୍ତ କରିବା ଯେପରି ତାଙ୍କ ଜୀବନର ପଣ । କିପରି ସେ ବିରକ୍ତ କରିପାରିବେ ? କଞ୍ଚା, ଦରସିଝା, ଶାଗ, ମୁଗ, ହଳଦୀ ପାଣି ଯାହା ସେ ଆଗରେ ଥୋଇଦିଅନ୍ତି, କୁବେର କିଛି କହେ ନାଇଁ । ପାଟିକୁ ଯେତିକି ରୁଚେ ସେ ଉଦରସ୍ଥ କରେ । ଉଠି ଚାଲିଆସେ । ସେତିକିବେଳେ ଖୁଡ଼ୀଙ୍କର ସ୍ନେହ ଝରିପଡ଼େ ତୁଣ୍ଡରୁ, ୟେ କଣ, କାଉ ପରି ଦି ଖୁମ୍ପା ନେଇ ଉଠୁଛି ? ତମ ଶଶୁର ରାଣ, ବସ-

 

ପରୀ ହାତ ଧୋଇବାକୁ ପାଣି ଟେକିଦିଏ ।

 

ଏକା ଦାଦି ମୋର ! ହେତୁ ପାଇଲା ଦିନୁ ତାଙ୍କୁ ଯାହା ଦେଖୁଛି ଆଜି ମଧ୍ୟ ସେଇଆ । ଦି ଭାଇରେ ବଡ଼ପୁଅ । କହ, ଗୋଟିଏ ବୋଲି ପୁଅ । ବିଦୁରଟା ସିନା ପଛରେ ଆସିଲା, ସାତ ପଛରେ ଧଡ଼ିଆ ଧେଡ଼ଙ୍ଗ, ରୋଗଣା; କେଉଁ ପୁଅରେ ସେ ଲେଖା ? ଦାଦି ସବୁ ସ୍ନେହ କୁବେର ଉପରେ ଅଜାଡ଼ି ଦେଇଥିଲେ, ଦେଉଛନ୍ତି । ଦାଣ୍ଡରେ କେହି ପଚାରିଲେ, ସୁମତି କେବେ କଟାଳ କଲେ, ଦାଦି ହସି ହସି ଲମ୍ବ ନିଶରେ ଆଙ୍ଗୁଠି ମାରି କହନ୍ତି, କେଉଁ ଗୁଣରେ କୁବେରକୁ କିଏ ଜିଣିବ ଏ ନନ୍ଦପୁରରେ ? କୁବେର ନ ଜାଣେ କ’ଣ ? ସେ ଯାହା କରିବ ସେଥିରେ ମୋର ଏକମତ । ସେ ଯାହା କହିବ ସେଥିରେ ମୋର ରାଜି ।

 

ଦାଦିଙ୍କର କଥା କୁବେରର କାନରେ ପହଞ୍ଚେ । ଆନନ୍ଦରେ ସେ ଆତ୍ମହରା ହୁଏ । ଦାଦିଙ୍କର ତା ଉପରେ ପ୍ରଗାଢ଼ ବିଶ୍ୱାସ । ଭକ୍ତିଭରେ ଅବନତ ହୁଏ ତାର ମନ । ବାପ ଓ ଦାଦିଙ୍କ ଭିତରେ ସେ କେବେ ପ୍ରଭେଦ ଦେଖି ନାହିଁ । ଆଜି ବି ସେ ଦେଖୁନାହିଁ ।

 

ଭୟରେ ପୁଣି ସେ ବିଚଳିତ ହୁଏ । ଦାଦିଙ୍କର ପ୍ରଗାଢ଼ ବିଶ୍ୱାସର ଉପଯୁକ୍ତ ପାତ୍ର ତ ସେ-? କେତେ ସେ ଆକଟ କରି କହିନାହାନ୍ତି । ବେଳେ ବେଳେ କେତେ କଥା ସେ ପଚାରି ବୁଝନ୍ତି-। ବେଶି ପାଠ ପଢ଼ିନାହାନ୍ତି । ତଥାପି, ତାଙ୍କର ଆଗ୍ରହୀ ମନ ଦୁନିଆଁରେ ଯେତେ ଯାହା ଅଛି, ଯାହା ଘଟୁଛି, ସବୁ ଜାଣିବାକୁ ଉଚ୍ଛନ୍ନ ।
 

ନ ଜାଣିଲା ଶିଶୁଟି ପରି ସବୁ କଥା ସେ କୁବେରକୁ ପଚାରି ବୁଝନ୍ତି- ଆକାଶଟା କାହିଁକି ନେଳିଆ ଦିଶେ ? ସତେ କଅଣ ମାଙ୍କଡ଼ମାନେ କାଳକ୍ରମେ ମଣିଷ ହେବେ ? ନିତାଇ ଗୌର ଭଜିଲେ ମଲାପରେ ଯଦି ସ୍ଵର୍ଗକୁ ଯିବାର କଥା ପ୍ରତିବର୍ଷ ତ ଅନେକ ଲୋକଙ୍କର ଆତ୍ମା ମୋକ୍ଷ ହୋଇଯାଉଥିବ, ତେବେ ପ୍ରତିଦିନ ଏ ଦେଶର ଲୋକସଂଖ୍ୟା ଏତେ ବଢ଼ୁଛି କେମିତି ? କୁକୁର, ମାଙ୍କଡ଼ ଓ ଘୋଡ଼ାଙ୍କର ଆତ୍ମା ସବୁ କ’ଣ ମଣିଷ ହୋଇ ଜନମି କ୍ୱାଁ କ୍ୱାଁ ଡାକ ଛାଡ଼ୁଛନ୍ତି ? ଆଚ୍ଛା, କୁବେର-

 

ଅନେକ କଥା । କୁବେର ଯାହା ଜାଣେ ବୁଝାଇ କହେ । ମକର ମନ ଦେଇ ଶୁଣନ୍ତି । ଶୁଣିବାକୁ ସମସ୍ତଙ୍କୁ ଡାକ ଛାଡ଼ନ୍ତି । ସବୁ କଥା ସେ ପଚାରନ୍ତି ସିନା, କେବେ ପଚାରି ନାହାନ୍ତି, ତିନିବର୍ଷ ହେଲା ଘରେ ବସି ରହିଛୁ କାହିଁକି କୁବେର ? ଭିଷ୍ୟତର ପନ୍ଥା କଣ ? ବାହାଘରର ଯେତେ ସମ୍ବନ୍ଧ ଆସୁଛି, ରାଜଯୋଟକ, ଭଲ ପାତ୍ର । କେଉଁଠି ବିବାହ କରିବାକୁ ମଙ୍ଗୁନାହିଁ କାହିଁକି-?

 

ଏହି ତିନୋଟି ପ୍ରଶ୍ନକୁ ମନେ ମନେ ବାରମ୍ବାର ଆଲୋଚନା କରି ସେ କେତେ ପ୍ରକାର ଉତ୍ତର ସ୍ଥିର କରି ରଖୁଛି । ମୁହଁ ଖୋଲି କହିବା ଆବଶ୍ୟକ ପଡ଼ିନାହିଁ । ଘରର କେହି କେବେ ଏ ପ୍ରଶ୍ନରୁ ଗୋଟିଏ ହେଲେ ପଚାରିବାକୁ ସାହାସ କରିନାହିଁ ।

 

ଦାଣ୍ଡରେ କଥା ଛଳରେ କେତେ ବନ୍ଧୁ- ବୁଢ଼ା ପୋଷ୍ଟମାଷ୍ଟର ନଗେନ୍ ଲାଲା, ଦରବୁଢ଼ା ହେଡ଼୍‍ମାଷ୍ଟର ଅଖିଳ ବାନାର୍ଜୀ, ଟୋକା ସବ୍-ଇନ୍‌ସପେକ୍ଟର ମିନାଜଉଦ୍ଦିନ୍, ୟାଙ୍କ ଛଡ଼ା ଗାଆଁ ଲୋକେ, ଏ ସବୁ ପ୍ରଶ୍ନ ଥରକୁଥର ପଚାରି ପ୍ରତିଥର ଗୋଟିଏ ଉତ୍ତର ପାଇଛନ୍ତି, ବ୍ୟସ୍ତ ହୁଅ ନାହିଁ । ଏତେଶୀଘ୍ର କୁବେରକୁ ନିର୍ବୋଧ ବୋଲି ମଣ ନାହିଁ । ସମସ୍ତେ ଜେରା କରିବାକୁ ବସନ୍ତି । ହସ ହସ ମୁହଁରୁ ପୁଣି ଉତ୍ତର ଶୁଣନ୍ତି, ମନଗହନର ଗୋପନକଥା ଯେ, ଶୁଣିବାକୁ ଇଚ୍ଛା ପ୍ରକାଶ କରେ ସେ ନିର୍ବୋଧ, ଯେ କହି ପକାଏ ତହୁଁ ବଳି ନିର୍ବୋଧ । ଏଣିକି ଅନ୍ୟକଥା ପଡ଼ୁ । ନୋହିଲେ ନମସ୍କାର ।

 

ଘରେ ଓ ବାହାରେ କେହି ତାକୁ କଥାରେ କି କାର୍ଯ୍ୟରେ ଶାସନ କରିପାରି ନାହିଁ । ନିଜକୁ ସଭିଙ୍କ ଧାରଣାରେ ଗୋଟିଏ ରହସ୍ୟମୟ ଜୀବ କରି ସେ ଠିଆ କରିଛି ।

 

ପାଞ୍ଚଦିନ ତଳେ, ରାତି ପ୍ରାୟ ଦଶଟା ହେବ, କ୍ଷୀର ଗିଲାସଟିଏ ହାତକୁ ବଢ଼ାଇଦେଇ ପରୀ ଟେବୁଲ କଡ଼ରେ ଠିଆ ହୋଇ ପଚାରିଲା, ମଣିଷର ଜୀବନଧାରା କିଏ ନିୟନ୍ତ୍ରଣ କରେ ?

 

କୁବେର ତୁଣ୍ଡରୁ ଖସିପଡ଼ିଲା ଉତ୍ତର, ମଣିଷ ।

କେଉଁ ମଣିଷ ?

ନିଜେ କର୍ମୀ ।

ପରିସ୍ଥିତିର ପ୍ରଭାବରେ ଜୀବନର ଧାରା ଅନ୍ୟଗତି ଧରେ ?

 

କୁବେର ବହି ଉପରୁ ଦୃଷ୍ଟି କାଢ଼ି ପରୀର ମୁହଁରେ ନ୍ୟସ୍ତ କଲା । ତାର ଆଖିରେ ଆଗ୍ରହ ଓ ଆକୁଳତାର ଆଭାସ । କାହିଁକି ଆଜି ପରୀ ପ୍ରଶ୍ନ ପଚାରୁଛି ? ଏଡ଼େ ଜଟିଳ ପ୍ରଶ୍ନ ? ଏଇ ପ୍ରଶ୍ନର ଖିଅ ଧରି ଉତ୍ତର ଖୋଜୁଖୋଜୁ କେତେଥର ସେ କେଉଁଠି ଯାଇ ପହଞ୍ଚିଛି । ପଛକୁ ମୁହଁ ଫେରାଇ ଦେଖୁଛି ସେ ବହୁତ ଦୂରରେ । ଯେଉଁ ଉତ୍ତର ସେ ଖୋଜି ପାଇଛି ସେଥିରେ ସେ ନିଜେ ସନ୍ତୁଷ୍ଟ ହୋଇପାରି ନାହିଁ । ତଥାପି ଉତ୍ତରିଲା, ପରିସ୍ଥିତି ବଦଳାଇ ନୂଆ ପରିସ୍ଥିତି ସର୍ଜନା କରିବା ମଣିଷର ନିଜ ହାତର କଥା ।

 

ଜୀବନର ଧାରା ବଦଳିବ ନାହିଁ ? ଲକ୍ଷ୍ୟଚ୍ୟୁତ ହେବ ନାହିଁ ?

 

ଜବୀନର ଧାର ଅଛିଣ୍ଡା । ସେ ଧାର ଅନ୍ୟ ଗତି ଧରେ । ସାହସୀ, ନିର୍ଭୀକ ଓ ସ୍ଥିରସଂକଳ୍ପ ଯେଉଁ ମଣିଷ ତାର ଜବୀନର ଧାର ଅନ୍ୟଗତି ଧରିଲେ ମଧ୍ୟ ତାର ଲକ୍ଷ୍ୟଆଡ଼କୁ ଧାଇଁଯାଏ । ବାଧାବିଘ୍ନ ଆସେ । କାହାର ଜୀବନର ଧାରା ସେ ସବୁ ବାଧ୍ୟବିଘ୍ନକୁ ଡେଇଁ ଆଗେଇ ଚାଲେ । କାହାର ଜୀବନର ଧାରା ଲକ୍ଷ୍ୟଭ୍ରଷ୍ଟ ହୋଇ ଅନ୍ୟ ଲକ୍ଷ୍ୟ ଆଡ଼କୁ ଛୁଟେ । କାହାର ଜୀବନର ଧାରା ଶୁଖି ଅପନ୍ତରାରେ ମାଡ଼ି ବିଲୟ ହୁଏ ।

 

କେହି କାହାର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ ନାହିଁ ।

 

କୁବେର ହସିଲା । ଆରେ, ମଣିଷ ଲକ୍ଷ୍ୟ ଉପରେ ନିର୍ଭର କରେ । ହାତ ବଢ଼ାଇ ନଗୀ ବଢ଼ାଇ ତୁ ଫୁଲ ତୋଳୁ ନଡ଼ିଆଗଛର ଆଗରେ ଠିଆ ହୋଇ ସବୁଠୁ ବଡ଼ ନଗୀର ଆଙ୍କୁଶୀ ବଢ଼ାଇଲେ ଆକାଶର ଚାନ୍ଦକୁ ତୋଳି ହାତରେ ଧରିପାରିବୁ ପରୀ ?

 

ପରୀ ହସୁ ହସୁ ମୁହଁ ମଉଳାଇଲା ।

 

କୁବେର ଚମକି ଉଠିଲା । କହିବାକୁ ବସିଥିଲା, ତଥାପି ପରୀ ଉଦ୍ୟମରେ ଆନନ୍ଦ ମିଳେ-। ଚାନ୍ଦକୁ ଧରିବାକୁ ମଣିଷ ଆକାଶଯାନରେ ଚଢ଼ିପାରେ, ଆଗେଇ ପାରେ-

 

ତାର କଥା ଶୁଣିବାକୁ ପରୀ ଅପେକ୍ଷା କଲା ନାହିଁ ।

ରାତି ଅଧୁକ ହେଲାଣି, ଏଥର ଆପଣ ଶୁଅନ୍ତୁ, ଆଲୁଅ ନେବି, କହି ନଲଟଣ, ଟେକିଲା...

 

କାହିଁକି ପରୀ ଏତେ ପ୍ରଶ୍ନ ପଚାରିଲା ? ଉତ୍ତରରୁ ସେ କଅଣ ବୁଝିଲା । ଦାସୀ ଝିଅଟିଏ, ଦିନରାତି ପରିଶ୍ରମ କରି ତହିଁରେ ପୁଣି ରାତି ଅନିଦ୍ରା ହୋଇ ମନକୁ ମନ ସେ ଲେଖା ଜାଣିଛି । ଓଡ଼ିଆ ପାଠ ଜ୍ଞାନର ପରସର ସଂକୀର୍ଣ୍ଣ । ଏତେ ବଡ଼ ଜଟିଳ ପ୍ରଶ୍ନ ତା ମନକୁ କିପରି ଆସିଲା ? କାହିଁକି ଆସିଲା ?

 

ପରୀକୁ ପଚାରିବ ବୋଲି କୁବେର ସ୍ଥିର କରିଛି । ବେଳ ପାଇନାହିଁ । ପରୀ ବିଜୁଳି ପରି ଆସେ । ନିଜର କାମ କରି ଚାଲିଯାଏ । ପ୍ରଶ୍ନଗୁଡ଼ା ତଣ୍ଟି ପାଖରେ ଅଟକି ଯାଏ । ସାହସ ହୁଏ ନାହିଁ ପଚାରିବାକୁ । ନିଜକୁ ଯେପରି ସେ ଅପରାଧୀ ମଣେ ।

 

ଚାରିଦିନ କଟିଗଲା । ଏହି ଚାରୋଟି ଦିନ ନିଜକୁ ସେ ନିଜ ଆଗରେ ଠିଆକରି ତନ୍ନତନ୍ନ କରି ଦେଖୁଛି । ମନରେ ଭାବନାଗୁଡ଼ିକ ମୂର୍ତ୍ତିମନ୍ତ କରି ନିରେଖୁଛି । ଚମକି ଉଠି ଭାବିଛି, ସେ କଣ ଏଇଆ ? ସେ ଏକ ନୁହେଁ । ସେ ଅନେକ । ଗୋଟିଏ ଦେହର ବେଷ୍ଟନୀ ଭିତରେ ସେ କେତେ ମୂର୍ତ୍ତି ଧରେ । ଦେହଟା ଅଚଳ ଥିଲେ ମଧ୍ୟ ମନଟା ଭଲ ମନ୍ଦ କେତେ କାମ କରି ଫେରିଆସେ ।

 

ସବୁ ଅବତାରର ମିଶ୍ରଣ ତାର ଲୋକ ଦେଖାଣ ବ୍ୟକ୍ତତ୍ୱ । ଯେଉଁ ଅବତାରଟି ଭଲ ମନ୍ଦ, ନ୍ୟାୟ ଅନ୍ୟାୟ, ନୀତି ଅନୀତିକୁ ଦୃଷ୍ଟିଦେଇ ଅନ୍ୟ ସବୁ ଅବତାରକୁ ନିଜ ଭିତରେ ଛପାଇ ରଖି ଯେତେବେଳେ ମୁଣ୍ଡ ଟେକି ଉଠେ,ସେତେବେଳେ ସେଇ ଅବତାରହି ହେଉଛି ମଣିଷର ବ୍ୟକ୍ତିତ୍ୱ ।

 

ପରୀ-ଚାରିପାଞ୍ଚ ବର୍ଷର ଅସନା ଅଜଣା ପିଲାଟି ହୋଇ ଅଗଣାରେ ଆବର୍ଜନା ଆଙ୍ଗୁଠିରେ ରାମ୍ପି ଟୋକେଇରେ ରଖୁଥିବାର ଦେଖିଲେ କୁବେରର ମନ ହେଉଥିଲା, ଧାଇଁଯାଇ ତାର ପିଠିରେ ଦୁଇ ଗୋଇଠା ନଦିଦେବ । କାହିଁକି, ସେ ଜାଣେ ନାହିଁ । ରାଈ କି ଖୁଡ଼ୀ କୁବେର ମନର ଭାବନାକୁ କାର୍ଯ୍ୟରେ ପରିଣତ କଲେ ସେ ଖୁସି ହୁଏ । କାହିଁକି ସେ ଜାଣେ ନାହିଁ ।

 

ପରୀ ବଦଳିଛି । ମାରିବା ତ ଦୂରର କଥା, ରାଈ ତା ସଙ୍ଗେ ଝଗଡ଼ା କରିବାକୁ ସାହସ କରେ ନାହିଁ । ସେ ଜାଣେ, ପରୀର ଧନ ଅଛି । ସମ୍ପତ୍ତି ଅଛି, ତାର ବୃଦ୍ଧି ହେଲାଣି । ବିଦ୍ୟା ହେଲାଣି । ଘରର ସଭିଙ୍କ ଉପରେ ପରୀ ନିଜ ବ୍ୟକ୍ତିତ୍ୱର ପ୍ରଭାବ ପକାଇ ସାରିଲାଣି । କିନ୍ତୁ ଖୁଡ଼ୀ ଏବେ ବି ପରୀକୁ ପ୍ରହାର କରନ୍ତି ।

 

କୁବେର ଦେଖେ । ଖୁସି ହୁଏ ନାହିଁ । ରାଗି ଉଠେ । ମନ ପାଟିକରି ଉଠେ, ଏ କଣ ଖୁଡ଼ୀ, ବିନା ଦୋଷରେ କାହିଁକି ତାକୁ ଦଣ୍ଡୁଛି ?

 

ମନ ଧାଇଁଯାଏ । ଖୁଡ଼ୀଙ୍କ କବଳରୁ ପରୀକୁ ଉଦ୍ଧାର କରେ । ପରୀକୁ ଛାତିରେ ଧରେ ।

ତା ପରେ.... ?

 

ତୁମୁଳ କାଣ୍ଡ । ଘରେ, ବାହାରେ ଦୁନିଆଁର ସବୁଠି, କେବଳ ଛି ଛି ରଡ଼ି, ଘୃଣା ଓ ସମାଲୋଚନା । ଦେଖ ହେ, ସେ କୁବେରଟା, ମଉନ ମୁହାଁ । କେଡ଼େ ଭଦ୍ର ସୁଚରିତ ପର ଆଖିକୁ ଦିଶେ । ଦେଖୁଲ ତ ? ସଂସାରରେ କାହାକୁ ବିଶ୍ଵାସ କରିବ ନାହିଁ । ସମସ୍ତେ ତ ମନ୍ଦ । ସମସ୍ତେ ଠକ । ଚୁପ୍‍ ସଇତାନ ।

 

ନିଜେ ବି ।

 

କୁବେର ନିଜକୁ ପଚାରି ବୁଝିଛି । ନିଜକୁ ଆଖି ଆଗରେ ରଖି ଦେଖିଛି । ଦୁନିଆଁ ଯାହାକୁ ପାପ, ଅନ୍ୟାୟ, ଅନୀତି ବୋଲି ଆଖ୍ୟା ଦେଇଛି, କୁବେର ନିଜ ଜୀବନର କେଉଁ ମୁହୁର୍ତ୍ତରେ ହେଲେ ମନେ ମନେ ସବୁ କରିଛି । ଗୋଡ଼ ଟେକି, ହାତ ବଢ଼ାଇ ଧାଇଁ ଯାଇନାହିଁ । କେବଳ ଦୁନିଆଁକୁ ଡରି ତାର ଦେହର କର୍ମ ଅପସରି ରହିଛି । ଦୁନିଆଁର ଆଖି ଅନ୍ତରାଳରେ ମନର ନିର୍ଦ୍ଦେଶ ସମାଧାନ କରିବାର ସୁଯୋଗ ଯଦି ସେ ପାଇଥାନ୍ତା, ନିଜ ଆଗରେ ସେ କେତେଥର ଖୁଣୀ, ଚୋର, ଦଗାବାଜ୍ ଲମ୍ପଟ ହୋଇ ଠିଆ ହୋଇଥାନ୍ତା ।

 

ଦୁନିଆଁର ଆଖି ତାକୁ ଏସବୁ ହେବାକୁ ଦେଇନାହିଁ । ନୀତିଶିକ୍ଷା ତାର ଅରଣା ମନକୁ ଅଟକାଇ ରଖୁଛି । କିନ୍ତୁ ଆଗ ଆସିଛି ମନକୁ ଭାବନା, ତା ପରେ ନୀତିଶିକ୍ଷାର ତାଡ଼ନା । ବିଜୁଳିରୁ ଆହୁରି ବେଗରେ ଭାବନା କର୍ମ ସାଧନ କରିଛି । ଅଦେହର ଅଭିଜ୍ଞତାରେ ଫେରିଆସେ ଦେହକୁ ଇଙ୍ଗିତ ଦେଇଛି । ଭାବନା ପଛକୁ ଫେରି ଚାହିଛି । ଦେଖୁଛି, ନୀତିଶିକ୍ଷାର ଫାଶ ଲାଗିଛି ମଣିଷର ବେକରେ । ଦେଖୁଛି, ଦୁନିଆଁର ଅଗଣନ ଆଖି ତୀକ୍ଷ୍‍ଣ ଶର ପରି ତାରି ଆଡ଼କୁ ଲକ୍ଷ୍ୟ କରି ଚାହିଁଛନ୍ତି । ଭାବନା ତାର ଅଭୀଷ୍ଟ କର୍ମ ଆଦରି ପେଡ଼ି ଭିତରେ ବିଷାକ୍ତ । ସାପ ମୋଡ଼ିମାଡ଼ି ହୋଇ ରହିଲା ପରି ମନର ନିଭୃତ କନ୍ଦିରେ ଛପି ରହେ । ମଣିଷର ଦେହ ଅଭିଳାଷରେ ଜର୍ଜରିତ ହୁଏ । ତଥାପି ସେ ମଥାପୋତି ରହେ ।

 

ଦୁନିଆଁର ଧାରଣାରେ ସେ ସାଧୁ, ନିଷ୍କଳଙ୍କ ଚରିତ୍ରବାନ, ସଂଯମୀ । ସେ ପୂଜ୍ୟ ସମ୍ମାନର ପାତ୍ର । ହଁ, ସେ ସବୁ, କାରଣ ସେ ଦୁନିଆଁର ଆଖିକୁ ଡରେ । ସେ ଦେଶର ଆଇନ ଓ ସମାଜର ନୀତି; ମଣିଷ ସଭ୍ୟତାର ସଂସ୍କୃତିର କ୍ରୀତଦାସ । ତେଣୁ ଏ ସବୁକୁ ସେ ସମ୍ମାନ ଦେଖାଏ ଅର୍ଥାତ ଭୟ କରେ । ସେ ଭଲ ମଣିଷ ।

 

କୁବେର ଭଲ ମଣିଷ । ସେ କାହାରି କେବେ ଅନିଷ୍ଟ କରିନାହିଁ । ଅନିଷ୍ଟ କରିବାର ସୁଯୋଗ ପାଇନାହିଁ ।

 

ଛାତ୍ରଜୀବନରେ ମେନକା ତାକୁ ନାରୀ ଦେହର ପରିଚୟ ଦେଇଥିଲେ । ତାର ବିସ୍ମୟ ଦୂର କରିଥିଲେ । ସେ ଅନୁଭବ କରାଇଥିଲେ ଦେହର ମୂର୍ଚ୍ଛଳିଆ ଶିହରଣ, ମନର ତପ୍ତ ଉଦବେଗ-। ଦୋଷ ଯଦି ଆରୋପ କରାଯାଏ, ତେବେ ସେ ଦୋଷ ମେନକାଙ୍କର । ଦୁଇଟି ବ୍ୟକ୍ତି ଛଡ଼ା ତୃତୀୟ ବ୍ୟକ୍ତିର ଜ୍ଞାନର ଅଗୋଚର ସେ ଅତୀତ ଅଭିଜ୍ଞତା । ତେଣୁ ଦିହେଁ ସେମାନେ ଭଲ ମଣିଷ-

 

କୁବେର ଭଲ ମଣିଷ । ଅତୀତ ଅଭିଜ୍ଞତା ତାର କାମନାକୁ ଜୀବନ ଦେଇଛି । ତେଣୁ, ସେ ଆଖି ବୁଲାଏ । ଯୌବନ ଢଳଢଳ ମୂର୍ତ୍ତିଟିଏ ଆଖିରେ ପଡ଼ିଲେ ଅଭିଜ୍ଞତା ଦେହରେ ଚହଟାଏ ସ୍ୱଜନ-କାମନାର ବିଷ । ଭାବନା ଛୁଟେ । ଦେଖେ ଅତୀତର ନଗ୍ନ ରୂପ । ଅନୁଭବେ ମିଳନ ଆନନ୍ଦର ଉଦବେଗ । ଥରଥର ଦେହ । ଛଟପଟ ମନ । କିନ୍ତୁ ସେ ଆଖି ଫେରାଇ ଆଉ ଥରେ ଅନାଏ ନାହିଁ । ଚାହିଁ ଦେବାକୁ, ଥରେ ନୁହେଁ ସହସ୍ର ଥର, କିଏ ଯେପରି ତାକୁ ଭିତରୁ ଠେଲେ । ଭାବନା ଯାହାକୁ ନିବିଷ୍ଟ କରି ବେଢ଼ାଇ ଧରିଛି ତାଆରି ଉପରେ ଆଉଥରେ ଆକୁଳ ବିକଳ ନୟନ ଢାଳିପାରେ ନାହିଁ । ସେ ଆଧୁନିକ ସଭ୍ୟ ଉନ୍ନତ ସମାଜର ପିଲା । ଯୁଗ ଯୁଗ ଲାଗି ସମାଜ ଯେଉଁ ନୀତି ଗଢ଼ିଛି, ଯେଉଁ ସଂସ୍କୃତି ଗଢ଼ିଛି, ସେ ତାର ରକ୍ଷକ ।

 

କୁବେର ମଥା ପୋତି ଚାଲେ, ସେଥିପାଇଁ ରଟେ ତାର ପ୍ରଶଂସା ।

 

ପରୀ ମଧ୍ୟ ଜଣେ ତାର ଭାବନାର ଭଗିନୀ । ଯିଏ ଦିନେ ତାର ଘୃଣାର ଜୀବଟିଏ ଥିଲା, ସେ ପୁଣି ହେଲା କୌତୁହଳର ଜୀବ । ବାରମ୍ବାର ଚାହିଁବାକୁ ଆଦେଶ ଦେଇ, ବିରକ୍ତ ହୋଇ ପାଖକୁ ହକାରିବାକୁ ଆଗ୍ରହ ହେଉଥିଲା । ବିରକ୍ତଭାବ ଓ କୋପଦୃଷ୍ଟିର ଅନ୍ତରାଳରେ ଅଜଣା ଆମୋଦ ଉଲୁସାଇଥିଲା ତାରୁଣ୍ୟ । କିନ୍ତୁ, କିଶୋରୀ ପରୀର ସୌନ୍ଦର୍ଯ୍ୟ ଦେଖିବାକୁ ଭାବନା କେବେ ଉଚ୍ଛୁଳ ହୋଇ ଧାଇଁ ନ ଥିଲା । ରୂପର ପରିଚୟ ସେ ପାଇ ନ ଥିଲା ।

 

ଛାତ୍ରଜୀବନରେ ଯେଉଁ ମେନକା କୁବେରକୁ ଅଭିଜ୍ଞତା ଦେଇଥିଲେ ସେଇ କାମିନୀର କୌତୁକରେ କୁବେର ପଡ଼ିଲା ଦୁଲାଳୀର ପ୍ରେମରେ । ସେଇଠି ସେ ଅନୁଭବ କଲା ପ୍ରେମ ଓ ମିଳନର ସମ୍ବନ୍ଧ । ମିଳନର ଛପିଲା ତୀବ୍ର ଆଗ୍ରହ ତାର ପୂର୍ବାଭାସ ପ୍ରେମକୁ ପ୍ରଜ୍ୱଳିକ କରେ ସତ; କିନ୍ତୁ ପ୍ରେମ ଯେପରି ଦୁଲାଳୀର ସରଳତାକୁ ସମ୍ମାନ ଦେଖାଇବାକୁ ବ୍ୟାକୁଳ ହୋଇ ମିଳନର କାମନାକୁ ଦୂରେଇ ଦେଇଥିଲା । ଯେଉଁ ନିରୀହା ତାର ପ୍ରେମରେ ପଡ଼ିଥିଲା, ସେ ଚାହିଁଥିଲା ଦୁଇଟା ଜୀବନର ମିଳନ । ଦୁଇଟା ଦେହର ନୁହେଁ । ତେଣୁ କୁବେର ସେଠାରୁ ମଧ୍ୟ ଦୂରେଇ ଆସିଲା । ଦୁଇଟି ଅଭିଜ୍ଞତାକୁ ମନରେ ସାଇତି ସେ କଟକରୁ ଫେରିଆସିଲା ପିତାଙ୍କର ରୋଗଶଯ୍ୟା ପାଖକୁ, ଯେଉଁଠି ଅଜ୍ଞାତକୁଳଶୀଳା ପରୀ ପିତାଙ୍କର ରୋଗଣା ମୁଣ୍ଡଟି କୋଳରେ ଧରି ବସିଛି ।

 

ତିନୋଟି ବର୍ଷ କଟିଗଲାଣି । ସେ ଆଉ କଟକ ଫେରି କଲେଜରେ ନାମ ଲେଖାଇ ପାଠ ପଢ଼ିନାହିଁ । କେତେ ବନ୍ଧୁ ପତ୍ର ଲେଖିଥିଲେ । କାହାରିକୁ ସେ ଉତ୍ତର ଦେଇନାହିଁ । ତିନିବର୍ଷ ଭିତରେ କେତେ ଉଦ୍ଦେଶ୍ୟ ଘେନି ସେ ଅନେକ ଥର କଟକ ଆସିଛି। ଦୁଇ ତିନି ଦିନ କୌଣସି ହୋଟେଲରେ ରହି ଆଳସ୍ୟରେ ସମୟ କଟାଇ ପୁଣି ନନ୍ଦପୁରକୁ ଫେରିଆସିବାକୁ ଛଟପଟ ହୋଇଅଛି ।

 

କଟକ-ଦୁଇଆଡ଼େ ଦୁଇଟି ପ୍ରଲୋଭନ । ଦୁଇଟି ବର୍ଷ ଯେଉଁ ବନ୍ଧୁଙ୍କ ଘରେ ଆଶ୍ରା ନେଇ ବି. ଏ. ପଢ଼ିଥିଲା, ତାଙ୍କର ପତ୍ନୀ ମେନକା । ବୟସରେ ସେ କୁବେରଠାରୁ ଅନ୍ତତଃ ପାଞ୍ଚ ବର୍ଷ ବଡ଼-। ସେ କୁବେରକୁ କୁବେର ବୋଲି ଡାକନ୍ତି । କେଉଁ ଲେଖାରେ କେଜାଣି, ଭାଇ-ଶଳା ସମ୍ବନ୍ଧ ହେଲେ ମଧ୍ୟ ଅସାବଧାନତାରେ ବି କେବେ ପଦେ ହୋଇ ଥଟ୍ଟା କରିନାହାନ୍ତି ।

 

ମେନକା ସୁନ୍ଦରୀ କି ଅସୁନ୍ଦରୀ ଏ କଥା ବୁଝିବାକୁ କେବେ ଚେଷ୍ଟା କରିନାହିଁ । ମେନକା ବ୍ୟବସାୟୀ ମୁକୁନ୍ଦଙ୍କର ଧର୍ମପତ୍ନୀ । ମୁକୁନ୍ଦଙ୍କର ନିଜର ଦୋତାଲା ଘର, ବଗିଚା, ପୋଖରୀ କଟକ ସହରରେ ଅଛି । ଘରେ ଚାକର ଦୁଇଟା । ରୋଷେଇବାସ କରିବାକୁ ପୁଝାରୀ ଟୋକା । ବୋଲହାକ କରିବାକୁ ଆହୁରି ଜଣେ ଛୋଟ ଚାକର ପିଲା । ଏଇ ପିଲାଟି ମୁକୁନ୍ଦଙ୍କର ସାତବର୍ଷର ପୁଅ ମୁନି ଓ ପାଞ୍ଚବର୍ଷର କନ୍ୟା ସୁନୀଙ୍କୁ ଖେଳାଏ ।

 

ଦୁଇଟି ସନ୍ତାନର ଜନନୀ, ପକା ଗୃହଣୀ, ମୁକୁନ୍ଦଙ୍କର ଅତି ସ୍ନେହ ଓ ବିଶ୍ୱାସର ପାତ୍ରୀ ମେନକା । ସ୍ୱଭାବତଃ ଗମ୍ଭୀର । ଅଳ୍ପଭାଷୀ । ମିଷ୍ଟଭାଷୀ ସେମାନଙ୍କର ପତିସେବା, ପତିଗତପ୍ରାଣତା ଦେଖିଲେ ମଣିଷ ଆଶ୍ଚର୍ଯ୍ୟ ହୋଇ ଅନାଏଁ । ଥଟ୍ଟା ନ କଲ ସେ ଭଲ ପାଆନ୍ତି ନାହିଁ । ମୁକୁନ୍ଦ କେବେ କେମିତି ରହସ୍ୟ କରି କୁବେରକୁ ତାଙ୍କ ଆଗରେ ପଦେ କହିଲେ ସେ ମୁହଁ ଗମ୍ଭୀର କରି ଉତ୍ତର ଦିଅନ୍ତି ପିଲାଟାକୁ କଅଣ ଏଣୁ ତେଣୁ କହୁଛ ?

 

କୁବେର ମୁହଁ ପୋତି ରହେ । ସେ ଭଲ ପିଲା । ସେ ସରଳ । ନିରୀହ । ନିଷ୍କପଟ । ଛନ୍ଦମନ୍ଦ ଜାଣେ ନାହିଁ । ଥଟ୍ଟା ନକଲ ବୁଝେ ନାହିଁ । ପରଘରର ଝିଅବୋହୂକୁ ଆଡ଼ ଆଖିରେ ଅନାଏଁ ନାହିଁ । ଏପରି କି ମେନକାଙ୍କ ପାଖେ ଦୁଇବର୍ଷ କଟାଇ ଦୁଇବର୍ଷ କାଳ ପାଖରେ ରଜଘସ ହୋଇ ଚଳି ତାଙ୍କ ମୁହଁକୁ ସେ ଚାହିଁପାରେ ନାହିଁ । ଯଥାସମ୍ଭବ ସେ ନିଜ କୋଠରୀରେ ଆବଦ୍ଧ ହୋଇ ରହେ । ବହି ଧରି ପାଠ ପଢ଼ିବସେ ।

 

ପ୍ରତି ଧାଡ଼ିରେ ଦୃଷ୍ଟି ମାଡ଼ିଯାଏ । କିଛି ସେ ବୁଝେ ନାହିଁ । ପ୍ରତି ପୃଷ୍ଠାରେ ସେ ଦେଖେ ମେନକାର ରୂପ- ସରଗର ସୌନ୍ଦର୍ଯ୍ୟ । ପ୍ରତି ମୁହୁର୍ତ୍ତରେ ସେ ଅନୁଭବ କରେ ସରଗ ସୌନ୍ଦର୍ଯ୍ୟର ଆନନ୍ଦ । ପାପ, ଅନୀତି, ଅନ୍ୟାୟ କଥା ସେ ଭାବିପାରେ ନାହିଁ । ଯୌବନର ଧାରାରେ ସେ କେବେ କିପରି ଅବଗାହିଲା ବୁଝି ପାରେନାହିଁ । ପବିତ୍ର ଜାହ୍ନବୀର ଧାରା ଦେଖି ଭକ୍ତି ଗଦ୍‌ଗଦ୍‌ ହୋଇ ମଥା ନୁଆଏଁ । ସେହି ପବିତ୍ର ଧାରାରେ ଅବଗାହନ କରି ଦେହର କଳୁଷ ଧୋଇ ଉଠେ । ବିସ୍ମିତ ହୋଇ ଚାହିଁ ରହେ । ମେନକା ଜାହ୍ନବୀର ଧାରା ?

 

କଲେଜରେ ଅବସର ସମୟ ନନ୍ଦପୁରରେ କଟାଇ ଥରଥର ଛାତିରେ ପୁଣି କଟକ ଫେରିଆସି ମୁକୁନ୍ଦବାବୁଙ୍କ ଘର ଆଗରେ ଠିଆ ହୋଇ କୁବେର ଧୀର ପାଟିରେ ଡାକ ଛାଡ଼େ, ଆରେ ମୁନି, ଆରେ ସୁନୀ.....

 

ପିଲା ଦିଓଟି ଧାଇଁ ଆସନ୍ତି । କୁବେର ଦୁହିଁଙ୍କୁ କାଖ କରେ । ସେମାନଙ୍କ ପଛେ ପଛେ ଆସନ୍ତି ମେନକା । ହସ ହସ । ଆଖିରେ ସହାନୁଭୂତି । ଦୁଇ ପିଲାଙ୍କୁ ତଳେ ଛାଡ଼ି କୁବେର ନଇଁପଡ଼ି ମୁଣ୍ଡ ନୁଆଇଁ ପ୍ରଣାମ କରେ । ଦରହାସ ମଳିନ କରି ମେନକା କହନ୍ତି, ଦିନ କେଇଟାରେ ମଉଳିଯାଉଛି କୁବେର, ବେଶିଗୁଡ଼ିଏ ପଢ଼ିଲ କି ? ଗାଆଁର ଜଳବାୟୁ ସୁଧୁ ନାହିଁ ।

 

କୁବେର ଉତ୍ତର ଦିଏ ନାହିଁ । ଆକସ୍ମାତ୍ କେବେ ମୁକୁନ୍ଦ ଥିଲେ କୁବେର ପ୍ରଣାମ କରେ । ମେନକାଙ୍କର କଥା କାନରେ ବାଜିଲେ ସେ ରହସ୍ୟ କରି କହନ୍ତି, ତମକୁ ଝୁରି ଝୁରି କୁବେରବାବୁଙ୍କର କଣ୍ଟା ଦୋହଲୁଛି । ଦେହରେ ମାଛି ବସିଲେ ଖସି ପଡ଼ିବ, ଦେଖୁନ ।

 

ମେନକା ପରିହାସରେ ଉତ୍ତର ଦିଅନ୍ତି, ଯିଏ ଥଟ୍ଟା ପରିହାସ ନ ଜାଣେ, ତମ କଥା ଶୁଣିଲେ ସେ ଛଳ କରିବ ନାହିଁ । ପିଲାଟାକୁ ଏମିତି କହିଲେ ମୁଁ ରାଗିବି । ପୁଣି ତମର ରୁଟିରେ ଘିଅ ଢାଳିବି । ଥନ୍ତଲ ପେଟକୁ ଆଉ ଦି ଆଙ୍ଗୁଳି ବଢ଼ାଇବାର ବ୍ୟବସ୍ଥା କରିବି । ପେଟ ଛୋଟ କରିବାକୁ, ଧଡ଼ିଆ ହେବାକୁ ଘିଅ ଛାଡ଼ି, ଚିନି ଛାଡ଼ି, ସଞ୍ଜ ସକାଳେ ଚାରିମାଇଲ ଚାଲି ଯେଉଁ ତପସ୍ୟା ଆଚରିଛ ସେତକ ପଣ୍ଡ କରିଦେବି ।

 

ମେନକା ହସିଉଠନ୍ତି । ମୁକୁନ୍ଦ ହସି ହସି ଥନ୍ତଲ ହଲାଇ କହନ୍ତି, କୁବେରବାବୁଙ୍କର ପେଟ ଯାଇ ପିଠିରେ ଲାଗିଲାଣି । ତାର ବ୍ୟବସ୍ଥା ଆଗ କର, ପରେ ଆମ କଥା ବୁଝିବ ।

 

ଆସ କୁବେର ।

ସ୍ନେହଭରା କୋମଳ ସ୍ଵରରେ ମେନକା ଡାକନ୍ତି ।

ଗୋଟିଏ ଅଭ୍ୟାସ । ଅଭ୍ୟାସଟା ଯେପରି ପ୍ରକୃତି ପାଲଟି ଯାଇଥିଲା । ମନର ଭାଷା ନୁହଁ, ଦେହର ଆଶା ଯେପରି ଦୁହେଁ ଦୁହିଁଙ୍କର ଉପଲବ୍‌ଧି କରୁଥିଲେ । ଆଖିରେ ଇଙ୍ଗିତ ନାହିଁ, ତୁଣ୍ଡରେ ଭାଷା ନାହିଁ । କେବଳ ଦିଓଟି ଓଠରେ ଦୁହିଁଙ୍କର ଫିକା ପାହାନ୍ତିର ଆଲୁଆ ପରି ଟିକିଏ ଅସ୍ପଷ୍ଟ ହସ । ହଁ ଫିକା ପାହାନ୍ତିର ଆଲୁଅ । ଅନ୍ଧାର ଘୁଞ୍ଚିନାହିଁ । ଆଲୁଅ ଛପି ଛପି ଆସୁଛି । ସେ ଘରେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଛନ୍ତି ମୁକୁନ୍ଦ ।

ଏ ଘରେ.....

ରାତି ନ ପାହୁଣୁ ପାଠ ଆରମ୍ଭ କରିଦେଲେଣି କୁବେର । ରାତି ଅଧଯାଏ ପଢ଼ିଲ, ପୁଣି ପାହାନ୍ତାରୁ । ନା, ଦେହ ଖରାପ ହେବ । ଶୋଇପଡ଼ । ସ୍ଵରରେ ସ୍ନେହ, ଅନୁରୋଧ, ଆଦେଶ । ଆଖିରେ ଆଗ୍ରହ ନାହିଁ । ଇଙ୍ଗିତ ନାହିଁ । ଓଠରେ ଫିକା ପାହାନ୍ତିର ମ୍ଳାନ ଆଲୁଆ ପରି ଅସ୍ପଷ୍ଟ ହସ-

କୁବେର ଚାହିଁ ଦେଇ ଉଠି ଠିଆ ହୁଏ । କେ ଜାଣିବା ତା ଓଠରେ ବି ହସ ଚହଟୁ ଥିବ । ସେ ପଲଙ୍କ ଆଡ଼କୁ ଚାହେଁ ।

ଦୃଢ଼ ସ୍ୱରରେ ମେନକା ପୁଣି କହନ୍ତି ଶୋଇପଡ଼, କହୁଛି । ରାତି ପାହିଲେ ମନଇଚ୍ଛା ପାଠ ପଢ଼ୁଥିବ, ଏଇ, ଆଲୁଅ ନିଭିଲା ।

ସ୍ୱିଚ୍‌ ଚିପି ବିଜୁଳି ଆଲୁଅ ନିଭାନ୍ତି ।

ଅନାହୁତି ଦୁଇ ବିପରୀତ ଦିଗରୁ ମାଡ଼ିଆସେ ପ୍ରବଳ ବେଗରେ ତୋଫାନ । ଏ ପାଖର କୁସୁମିତା ମାଳତୀ ଲତା ସେ ପାଖର ଆକୁଳ ଚଞ୍ଚଳ ଆଗ୍ରହୀ ଚୂତ ପଲ୍ଲବରେ ମିଶେ । ଛନ୍ଦିହୁଏ । ଏକାକାର ହୁଏ ।

ତୋଫାନ୍‍ ଥମେ । ଆପେ ଆପେ ଲତିକା ହୁଏ ମୁକ୍ତ । ପଲ୍ଲବ ହୁଏ ସ୍ଥିର । ନିଜ ଆଧାରକୁ ଫେରିଆସେ ଲତିକା । ବିଶାଳବପୁ ସ୍ଥିର ଅଚଞ୍ଚଳ ଦ୍ରୁମର ଛାତିରେ କ୍ଲାନ୍ତ ଅଙ୍ଗ ଲଟାଇ ଦିଏ ।

 

ବିସ୍ମିତ ଅବଶ ପଲ୍ଲବ ଘୁମାଇ ପଡ଼େ । ନିଦରେ ହୁଏ ଅଚେତନ ।

ନିଦ ତମର ଭାଙ୍ଗିବ ନାହିଁ କୁବେର, କୁବେର, କୁବେର.....

 

କୁବେରର ନିଦ ଭାଙ୍ଗେ । ସେ ଉଠି ବସେ । ଖୋଲା ଝରକା ବାଟେ ପଛ ଆଡ଼ର ବଗିଚା ପଡ଼େ ଆଖିରେ । ଚଉଖୁଣ୍ଟିଆ ପୋଖରୀଟିର ଚାରିପାଖେ ଧାଡ଼ି ଧାଡ଼ି ନାନା ଜାତି ଫୁଲର ଗଛ । ଦୂରେଇ କରି ବିଭିନ୍ନ ସ୍ଥାନରେ କେତେ ପ୍ରକାର ଜ୍ୟାମିତିକ କ୍ଷେତ୍ରରେ ଜାତି ଜାତିକା ଫୁଲଗଛର କିଆରୀ । ସକାଳର କଅଁଳ କିରଣରେ ଝଟକି ଉଠୁଛି, ସୁନ୍ଦର ଦିଶୁଛି । ଦୁନିଆଁ କେଳାହଳମୟ ହେଲାଣି । କୁବେର ଥିବା କେଠାରୀ ଆଗ ଦୋତାଲାର ଲମ୍ବ ବାରଣ୍ଡାରେ ମୁନି ଓ ସୁନୀ ତିନିଚକିଆ ସାଇକେଲ ଚଳାଇ ଆନନ୍ଦରେ ପାଟି କରୁଛନ୍ତି । ମୁକୁନ୍ଦବାବୁଙ୍କ ଡ୍ରଇଂ ରୁମରୁ ଭାସିଆସୁଛି ଆକାଶୀ ସଙ୍ଗୀତ-

 

ଚେତି ଚତୁରୀ ଚାହିଁଲା ନିଶିନାଶେ ପାଶେ ନାହିଁ ଦିବ୍ୟ ତରୁଣ...

 

କୁବେର ଧଡ଼ପଡ଼ ହୋଇ ଠିଆ ହେଲା । ଅବା କାବା ହୋଇ ଚାରିଆଡ଼କୁ ଚାହିଁଲା । ନିଜକୁ ଦେଖିଲା । କାନରେ ବାଜିଯାଉଛି – ପାଶେ ନାହିଁ ଦିବ୍ୟ ତରୁଣ । କବାଟରେ ମୃଦୁ କରାଘାତ । ସ୍ନେହଭରା କୋମଳ ମୃଦୁ ଡାକ- କୁବେର କୁବେର....

 

ମେନକା ଅପା ଡାକି ଉଠାଉଛନ୍ତି । ମୁକୁନ୍ଦବାବୁ ଆକଟି କହୁଛନ୍ତି, ଶୋଇଥାଉ ରାତି ଅଧଯାଏ ବହି ଘୋଷିଛି ।

 

ମେନକାଙ୍କ ସ୍ୱରରେ ତିରସ୍କାର, ପଢ଼ୁଆ ପିଲା ଏତେ କଣ ଶୋଇବ ! ରାତି ଅଧଯାଏ ପଢ଼ିବାକୁ କିଏ କହୁଥାଏ କି ?

 

କୁବେର କବାଟ ଖୋଲି ପଦାକୁ ଆସେ । ମେନକା ଆଗରେ ଠିଆ ହୋଇ ହସହସ ହୋଇ କହନ୍ତି, ଏଡ଼େ ଅଳସୁଆ । କେତେ ବେଳ ହେଳାଣି ?

 

କୁବେର ନିଜକୁ ବିଶ୍ୱାସ କରିପାରେ ନାହିଁ । ଯେଉଁ ମୂର୍ତ୍ତିଟି ଆଗରେ ଠିଆ ହୋଇଛନ୍ତି ସେ କଅଣ ? ଈଷତ୍ ରଙ୍ଗ ବର୍ଣ୍ଣ ଦେହ । ଗୋଲ ମୁହଁ । ଉଚ୍ଚ କପାଳ ଛୋଟ । ମୋଟାଳିଆ । ଦେହରେ ହାତରେ ସାମାନ୍ୟ କେତୋଟି ସୁନା ଗହଣା । ପିନ୍ଧିଛନ୍ତି ରଙ୍ଗିନ୍ ହ୍ୟାଣ୍ଡଲୁମ୍ ଶାଢ଼ୀ । ମୁଣ୍ଡରେ ଲୁଗା ନାହିଁ । କେଶ କୁଣ୍ଡା ହୋଇ ପିଠିଆଡ଼େ ଝୁଲୁଛି । ସବୁ ନିତ୍ୟକର୍ମ ଶେଷ କରି ସେ ପ୍ରସ୍ତୁତ ହୋଇ ସାରିଲାଣି । ଏଥର ସେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ସବୁ କାର୍ଯ୍ୟରେ ନିପୁଣ । ସବୁ ସେ ନିଜେ କରନ୍ତି । ବାତଚକ୍ର ପରି ଘୁରି ବୁଲନ୍ତି । ସମସ୍ତଙ୍କ କଥା ବୁଝନ୍ତି । ସେ ଗୃହଲକ୍ଷ୍ମୀ ।

 

ମୁହଁରେ ଅନୁତାପର ଚିହ୍ନ ନାହିଁ । ଆଖିରେ ନାହିଁ ଭୟର ମ୍ଳାନତା । ଚଳନରେ ସଂକୋଚର ଛପିଲା ବାରଣ ନାହିଁ । ଓଠ ଓ ନାସିକାରେ ନାହିଁ ସନ୍ଦେହର ସ୍ଫୁରଣ । ସ୍ୱର ଓ ହସରେ ଅଛି ଦୃଢ଼ତା, ସହାନୁଭୂତି ଓ ଶାସନର ସଂକେତ ।

 

କୁବେର ବିଶ୍ୱାସ କରେ, ସତ୍ୟ ନୁହେଁ, ସ୍ଵପ୍ନ ନୁହେଁ, କେବଳ ଗୋଟାଏ ଧାରଣା ତାକୁ ବିଚଳିତ କରିଛି । ସେ ଲଜ୍ଜିତ ହୁଏ । ଆଖି ନୁଆଁଇ ତୁଣ୍ଡ ଖୋଲେ, ଟିକିଏ ଆଗରୁ ଉଠାଇ ଦେଲ ନାହିଁ, ଅପା ?

 

ବୁଲିପଡ଼ି ମୁକୁନ୍ଦକୁ ଶୁଣାଇ କହନ୍ତି, ଶୁଣ ଶୁଣ ତମ ସାଆନ୍ତଙ୍କ କଥା, ବୁଲିଯାଉଛି କୁଆଡ଼େ ! ୟାଙ୍କୁ କୁଆଡ଼େ ଆଗରୁ ଉଠାଇଥାଆନ୍ତି । ମୁଁ ପାରିବି ନାହିଁ । ତେମେ ସେଇ ଚଣ୍ଡୀ ଦୁଲାଳୀ କଥା ବୁଝ । ହାତକ ଦିହାତ କରିଦେଲେ ସେଇ ୟାଙ୍କର ଚୁଟି ଧରି ପାହାନ୍ତାରୁ ଉଠାଇ ପାରିବ ।

 

ଦୁଲାଳୀ–ସେ କଅଣ ମେନକାଙ୍କର ଖେଳଣା । ଚଣ୍ଡୀ ରୂପରେ ଦୁଲାଳୀକୁ କୁବେର କେବେ ଦେଖିନାହିଁ । ଯେବେ ସେ ହାତରେ ବହି ଓ ଖାତା ପେନ୍‍ସିଲ ଧରି ଆସିଛି ମେନକା ଆସିଛନ୍ତି ତାର ସଙ୍ଗେ ସଙ୍ଗେ । ଲାଜେଇ ଲାଜେଇ ସେ ମେନକାଙ୍କର ପଛରେ ଲୁଚି ଲୁଚି ଆସେ । ମେନକାଙ୍କର କାନି ଧରି ଆସେ । ମେନକା ତାକୁ କୁବେର ପାଖରେ ଛାଡ଼ି ଦେଇ ଯାଆନ୍ତି ।

 

କହନ୍ତି, ଏତେ ଲାଜ କାହିଁକି ଦୁଲାଳୀ ? ଏମିତି ଲାଜ କଲେ ପାଠ ପଢ଼ି ଡାକ୍ତରାଣୀ ହେବ କେମିତି ? କୁବେର ଯେଉଁ ମଣିଷ, ତମଠୁ ବଳି ତାଙ୍କର ଲାଜ । ପାଠ ବୁଝିବ କେମିତି ?

 

ମେନକା ଚାଲିଯାଆନ୍ତି ।

 

ଦୁଲାଳୀ କୁବେରର ଟେବୁଲ ଆଗରେ ବହି ଧରି ଠିଆ ହୋଇ ରହେ । ସୁନା ଖଡ଼ିକା ପରି ଝିଅଟି । ଦୁର୍ବଳ ଦେହ । ଲମ୍ବାଳିଆ ମୁହଁ । ଧାର ନାକ । କାନ ଦିଓଟି ଟିକିଏ ବଡ଼ । ଚଉଡ଼ା କପାଳ । ସବୁ ସୌନ୍ଦର୍ଯ୍ୟ ତାର ବିହି ଲିହିଛି ଲୋଚନରେ ବୁଝି ହୁଏ ନାହିଁ, ଭାସିଲା ପରି ଆଖି ଡୋଳା ଓ ଦୃଷ୍ଟିର ଭଙ୍ଗୀରେ କି ମୋହନୀୟ ମାଦକତା ଛପି ରହିଛି । ଦୃଷ୍ଟିର ଚାଳନାରେ ମନ ଓଟାରି ହୋଇ ଆସେ । ଅତି ସାଧାରଣ ଝିଅଟି ତ । ହୁଏତ ଦରିଦ୍ର ଘରର ଝିଅଟି ।

 

ଦରିଦ୍ର ସେମାନେ । ମୁକୁନ୍ଦବାବୁଙ୍କ ବଗିଚା କାନ୍ଥକୁ ଲାଗି ପଛପାଖ ଦରଜା ନିକଟରେ ତାଙ୍କର ଛୋଟ ଚାଳଘରଟି । ଦୁଲାଳୀର ପିତା ସୁନନ୍ଦ ବାବୁ କିରାନୀ ଚାକିରି କରୁଥିଲେ । ପକ୍‌କା ଗୃହିଣୀ ମହିମା ଦେବୀ କେଡ଼େ ଭଲରେ ସଂସାର ଚଳାଉଥିଲେ । ସୁନନ୍ଦ ଓ ମୁକୁନ୍ଦ ପିଲାଦିନର ସାଙ୍ଗ । ସୁନନ୍ଦ ପାସ୍ କରି ଚାକିରି କଲେ । ବାରମ୍ବାର ଚେଷ୍ଟା କରି ମୁକୁନ୍ଦଙ୍କର ପାସ୍ ହୋଇପାରିଲା ନାହିଁ । ସେ ଛୋଟ ବେପାରଟିଏ ଆରମ୍ଭ କଲେ । ବେପାରରେ ଟିକିଏ ଉନ୍ନତି ହେଲା । ମହିମା ସୁନନ୍ଦଙ୍କ ମଧ୍ୟସ୍ଥତାରେ ମେନକାର ବିଭାଘର ମୁକୁନ୍ଦଙ୍କ ସଙ୍ଗେ କରାଇ ପାରିଲେ । ପିଉସୀଝିଅ ଭଉଣୀର ନଣନ୍ଦ ହିସାବରେ ମେନକା ମଧ୍ୟ ମହିମାଙ୍କର ନଣନ୍ଦ । ତେଣୁ ଦୁଲାଳୀର ଅପା ।

 

ମହିମାଙ୍କର ପିଲାଗୁଡ଼ିକ ଦେଢ଼ ବରଷ କରି ସାନ । ବାବା ମଲା ଗଲା ପିଲାଙ୍କୁ ଛାଡ଼ିଦେଲେ । ତାଙ୍କର ପାଞ୍ଚଟି ଝିଅ, ତିନୋଟି ପୁଅ । ଦୁଲାଳୀ ସବା ବଡ଼ ଝିଅ । ପୁଅ ତିନୋଟି ଝିଅମାନଙ୍କ ପଛରେ । ଆଠଟି ପିଲାର ମା ସେ । ଘର ଜଞ୍ଜାଳରେ ଓ ସ୍ୱାମୀଙ୍କ ଚିନ୍ତାରେ ତାଙ୍କର କଣ୍ଟା ଦୋହଲୁଛି । କୋଡ଼ିଏ ବରଷ ଚାକିରି କରି ଯେତେବେଳେ ସୁନନ୍ଦ ଅଫିସର ବଡ଼ବାବୁ ହେବାକୁ ଆଶା କରି ବସିଥିଲେ ଓ ଆଉ କେମିତି ପିଲା ନ ହେବ, ସ୍ଵାମୀଙ୍କର ଶୀଘ୍ର ପଦୋନ୍ନତି ହେବ, ସେଥିପାଇଁ ଦୁର୍ଗାଙ୍କର ଫଟୋରେ ଫୁଲ ଚନ୍ଦନ ଦେଇ ମହିମା ପ୍ରାର୍ଥନା କରୁଥଲେ, ପେଟରେ ପିଲା ଖେଳିଲା । ଉତ୍କୋଚ ନେବା ଅପରାଧରେ ସ୍ୱାମୀଙ୍କ କାରାବାସ ହେଲା । ବହୁ ଅର୍ଥ ବ୍ୟୟ କରି ସୁନନ୍ଦ ପ୍ରାୟ ସର୍ବସ୍ୱାନ୍ତ ହୋଇ ସନ୍ଦେହଜନକ ଘଟଣା ବୋଲି ଜେଲ ଦଣ୍ଡରୁ ଅବ୍ୟାହତି ପାଇଲେ ସିନା, ତାଙ୍କୁ ତାଙ୍କ ଚାକିରିରୁ ବରଖାସ୍ତ କରାଗଲା । ଚାକିରି ତାଳଗଛର ଛାଇ । ଖସିଗଲା ପରେ ସୁନନ୍ଦଙ୍କ ମୁଣ୍ଡରେ ସତେ କି ଆକାଶ ଅଜାଡ଼ି ହୋଇ ପଡ଼ିଲା । ପାଞ୍ଚଟା ଝିଅ, ତିନିଟା ପୁଅ-ସାନଟା ପୁଣି କୁଆଁ କୁଆଁ ରଡ଼ି ଛାଡ଼ିଛି, ବଞ୍ଚାଇବେ କିପରି ?

 

ଅତି ଦୁଃଖରେ ଦିନେ ସେ କୁବେର ଆଗରେ କହିଲେ, ଦାଗୀ ନ ହୋଇ ମଧ୍ୟ ଦୁନିଆଁରେ ମତେ କେହି ବିଶ୍ୱାସ କରିବାକୁ ରାଜି ନୁହନ୍ତି । ଘରୁ ପଦାକୁ ବାହାରି କାହାରି ମୁହଁକୁ ସିଧା ଚାହିଁପାରୁ ନାହିଁ । ସତେକି, ଏ ଦୁନିଆଁରେ ସମସ୍ତେ ସାଧୁ ପୁରୁଷ, ଆଉ ମୁଁ ଏକା ଚୋର, ଦଗାବାଜ୍-। ସୁନନ୍ଦଙ୍କ ଆଖି ଛଳ ଛଳ ହେଲା ।

 

କୁବେର ବାରଣ୍ଡାରେ ସପ ଉପରେ ବସି ବଲ ବଲ କରି ଚାରିଆଡ଼କୁ ଚାହୁଁଥାଏ, ସତେ, ସେମାନେ ଦରିଦ୍ର । କିନ୍ତୁ କେଡ଼େ ସୁଶୃଙ୍ଖଳ ସେମାନଙ୍କର ଘର । ଗୁଡ଼ିଏ ପିଲା କାରବାର ହେଉଛନ୍ତି । ସମସ୍ତେ ସୁନ୍ଦର । ପରିଷ୍କାର । ପାଟିତୁଣ୍ଡ ନାହିଁ । ଦେଖିବାକୁ ପ୍ରାୟ ଏକାପରି ଅବିକଳ ମାଆଙ୍କର ପ୍ରତିଛବି ।

 

ବେଳ ଅପରାହ୍ନ ପାଞ୍ଚଟା ହେବ ।

 

ସୁନନ୍ଦ କହିଲେ, ପିଲାଗୁଡ଼ିଙ୍କୁ ବଞ୍ଚାଇ ରଖିବା କଷ୍ଟ ହୋଇପଡ଼ୁଛି । ଗାଆଁରୁ ଧାନ ଗଣ୍ଡାଏ ଆସୁଛି ବୋଲି କୌଣସିମତେ ପେଜ ପାଣି ପେଇ ବଞ୍ଚାଇ ରଖିଛି ।

 

ଦୁଲାଳୀର ମା ପାଖକୁ ଆସି କହିଲେ, ମୋର ସେଥିକି ଭାବନା ନାହିଁ ପୁଅ, ଯେଉଁ ଦୁର୍ଗା ଏ ଦୁଃଖ ଦେଇଛନ୍ତି ସେ ପୁଣି ଦୁଃଖ ହରିବେ । ଦୁଲାଳୀକୁ ସତର ବରଷ ହେଲା ବୋଲି ତାଙ୍କର ଚିନ୍ତା....

 

ଦୁଲାଳୀ ଚାହା କପ୍ କୁବେର ହାତକୁ ବଢ଼ାଇ ଦେଇ ମୁହଁ ବୁଲାଇ ପାଟି କରି କହିଲା, ସତର ବର୍ଷ ହେଲା ତ କଅଣ ହେଲା । ମୋ ପାଇଁ ତୋର ଏତେ ଭାବନା ?

 

ଝିଅ ନ ହୋଇ ପୁଅଟିଏ ଯଦି ହୋଇଥାନ୍ତୁ ।

ମତେ ଭାଇ ବୋଲି ଡାକିବାକୁ ସଭିଙ୍କୁ ଶିଖାଇଛି ।

ଆଉମାନେ ହସି ଉଠିଲେ ।

କୁବେର ବି ।

ଦିନେ ସଞ୍ଜବେଳେ–

 

ନିଃସଂକୋଚରେ ଦୁଲାଳୀ ପଶିଲା କୁବେର ଘରେ । ନମସ୍କାର କଲା । ପଚାରିଲା, କାଲି ସକାଳେ ଯିବେ ?

 

କୁବେର କହିଲା, ହଁ ।

 

ଟିକିଏ ରହି ଦୁଲାଳୀ କହିଲା, ଆପଣଙ୍କର ବି.ଏ. ପରୀକ୍ଷାରେ ଫଳ ଏ ବର୍ଷ ଆଗ ବାହାରିବ । ତାର ଦିନେ ଦି ଦିନ ପରେ ଆମ ମାଟ୍ରିକ୍ୟୁଲେସନ ଫଳ ବାହାରିବ ।

 

ବୋଧହୁଏ ।

ଆପଣଙ୍କ ଗାଁ ଠିକଣାରେ ଜଣାଇବି ?

ଯଦି ଲେଖିବାକୁ ବେଳ ପାଅ.....

 

ଦୁଲାଳୀର ଆଖିରେ ଲୁହ ଛଳ ଛଳ ହେଲା । ସେ ଦବିଯାଇ ଧୀର କଣ୍ଠରେ କହିଲା, ସାର୍ ପାସ୍ ମୁଁ କରେ କି ନ କରେ ଆପଣଙ୍କୁ ମୋର ଧନ୍ୟବାଦ ଦେବାର କଥା । ବର୍ଷେ ହେଲା ଯେତେବେଳେ ମୁଁ ଆସିଛି, ଆପଣଙ୍କୁ ଡିଷ୍ଟର୍ବ କରି ପାଠ ପଚାରିଛି । କେବେ ବିରକ୍ତ ନ ହୋଇ ମତେ ବତେଇ ଦେଇଛନ୍ତି । ଯଦି ପାସ୍ କରେ ସେ କେବଳ ଆପଣଙ୍କ ଦୟାରୁ ।

 

କୁବେର ହସିଲା । କହିଲା, ଆପଣଙ୍କ ଦୟାରୁ....

ମାଉସୀଙ୍କ ଦୟା ମୁଁ ଭୁଲି ପାରିବି ନାହିଁ ।

ପାସ୍ କରି କଅଣ କରିବି ?

କଲେଜରେ ପଢ଼ିବ ।

ସେଇଠୁ ?

ଜାଣେ ନା ।

 

କୁବେର ମୁହଁ ଗମ୍ଭୀର ହେଲା । ଦୁଲାଳୀକୁ ବିଦାୟ ଦେବାକୁ କହିଲା, ଆଚ୍ଛା, ଫଳ ବାହାରିଲେ ଲେଖିବ ।

 

ବି.ଏ. ପାସ୍ କରି କ’ଣ କରିବେ ?

ହଳ ।

ପାରିବେ ?

ଶିଖିବି

କଟକ ଫେରିବେ ନାହିଁ ?

କହି ପାରୁନାହିଁ ।

 

ଦୁଲାଳୀର ଆଖିରେ ଛଳ ଛଳ ଲୁହ । ହାତଯୋଡ଼ି ପ୍ରଣାମ କଲା । କହିଲା, ଫେଲ୍ ହେଲେ ସାର୍‌ ଚିଠିରେ ସେଇକଥା ଲେଖିବି ।

 

ମୁହୂର୍ତ୍ତେ ଅପେକ୍ଷା ନ କରି ଦୁଲାଳୀ ଘରୁ ବାହାରିଆସି ତଳକୁ ଓହ୍ଲାଇଗଲା ।

 

କୁବେରର ଛାତିର କେଉଁ କୋଣରେ କିଏ ଯେପରି ଆଘାତ କଲା । ବରଷକ ତଳେ ଯେଉଁ ଝିଅଟାର ତୁଣ୍ଡରୁ ପଦେ କଥା ବାହାରୁ ନ ଥିଲା, ପାଞ୍ଚଥର ଅନୁରୋଧ କଲେ ବି ଯେ ବସିବାକୁ ସଂକୋଚ ଅନୁଭବ କରୁଥିଲା, ବର୍ଷକ ପରେ ତାର ମୁହଁ ଫିଟିଯାଇଛି । ତାକୁ ଆଣି ଘର ଭିତରେ ଛାଡ଼ିଯିବାକୁ ମେନକା ଅପାଙ୍କର ସାହାଯ୍ୟ ଲୋଡ଼ା ପଡ଼ୁନାହିଁ । ଦୁଲାଳୀ ସବୁଦିନେ ଆସେ ନାହିଁ । ଯେବେ ଆସେ, ବେଳ ଅବେଳ ଖୋଜେ ନାହିଁ । ନିଃସଂକୋଚରେ ଘର ଭିତକୁ ପଶିଆସି କହେ, ସାର, ଏ ଅଙ୍କଟା କିପରି ହେବ ? ସାର, ଏହାର ଅର୍ଥ କଣ ?

 

କାମ ସରିଲେ ମୂହୁର୍ତ୍ତେ ଅପେକ୍ଷା ନ କରି ଚାଲିଯାଏ । ଦୁଲାଳୀ ବୁଦ୍ଧିମତୀ, ଏଥିରେ ସନ୍ଦେହ ନାହିଁ ।

 

ପରୀକ୍ଷାର ଫଳ ସର୍ବପ୍ରଥମେ ସେ ଲେଖି ଜଣାଇଥିଲା– ଆନନ୍ଦର କଥା, ଆପଣଙ୍କ କଲ୍ୟାଣରୁ ମୁଁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍ୟୁଲେସନ ପାସ୍ କରିଛି । ଏଣିକି ମୋର ଗତି କଣ ? ଅତି ଦୁଃଖର କଥା, ଯେ ଆପଣ ସାମାନ୍ୟ ବି.ଏ. ପାସ୍ କରିନାହାନ୍ତି, ପ୍ରଥମ ଶ୍ରେଣୀରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । କେତେ ଆଶା କରିଥିଲି ଆପଣ ଫେଲ୍ ହେବେ । ହତାଶ ହେଲି । କଅଣ କରିବେ ଓ କେବେ ଆସିବେ ଲେଖିବେ ।

 

ମେନକା ସେହି ଚିଠିରେ ଲେଖିଥିଲେ, ଦୁଲାଳୀଟା ସବୁବେଳେ ଝୁରି ହେଉଛି । ସବୁଦିନେ ଆସି ତୋ କୋଠରୀକୁ ଚାହିଁ ପଚାରୁଛି, ଏମ୍.ଏ. ପଢ଼ିବାକୁ କୁବେରବାବୁ କେବେ ଆସିବେ ? ତୋ ଭାଇ ସ୍ୱପ୍ନରେ ବି ବିଳିବିଳେଇ କହୁଛନ୍ତି, ନିର୍ବୋଧଟା କେବେ ଆସିବ ? ସାନପିଲାଟା ଏଣିକି ତେଣିକି ଚାହିଁ ପଚାରୁଛି, ମାମୁଁ କେବେ ଆସିବେ । ମୁଁ ଉତ୍ତର ଦେଉଛି, ବଳେ ଆସିବେ ଯେ.... ।

 

କୁବେର ବେଉରା ଲେଖିଲା ଦୁଲାଳୀକୁ, ଧନ୍ୟବାଦ । ତୁମର ଗତି ସ୍ଥିର କରିବାକୁ ମୁଁ ଏଥର ହଳଧର ହେବାକୁ ମନ କରିଛି । କଟକ କେବେ ଯିବି ଜାଣେ ନାହିଁ ।

 

କୁବେର ଉତ୍ତର ଦେଲା ମେନକାଙ୍କୁ, କେବେ ଯାଇ ତମର ଚରଣଧୂଳି ଗ୍ରହଣ କରିବି ଜାଣେ ନାହିଁ । ଆଉ ଅଧିକ ପାଠ ପଢ଼ିବାକୁ ମନ ହେଉନାହିଁ । ମୁନି ଓ ସୁନୀଙ୍କୁ ମୋ ପାଇଁ ଗେଲ କରିବ । ସୁନନ୍ଦ ଭାଇଙ୍କୁ ପ୍ରଣାମ ଜଣାଇଦେବ ।

 

ମକର ପାଖକୁ ଡାକି କହିଲେ, କଲେଜ ଫିଟିଲା, ଏଥର ତୁ କଟକ ଚାଲି ଯା, କୁବେର । ମୁଁ ସୁନନ୍ଦ ଓ ମେନକାଙ୍କୁ ଲେଖି ସବୁ ଠିକ୍ କରିଛି । ବସା ଖର୍ଚ୍ଚ ନେବାକୁ ସେମାନଙ୍କର ଆପତ୍ତି । ସେଥକି ଚିନ୍ତା ନାହିଁ । ଶାଗରୁ ମାଛ ଯାଏ ସବୁ ଯାଇ ବସାରେ ପହଞ୍ଚିବ । ଟଙ୍କା ନ ନେଉନ୍ତୁ । ମୋର ଦେହ ଭଲ ନାହିଁ । ଭାଗ୍ୟରେ ଯାହା ଥିବ ତ ହେବ । ସେଥିକି ପାଠ ଅଧା ରଖୁବୁ ? କଟକ ଚାଲି ଯା । ମେନକା ପରି ସ୍ନେହୀ ଝିଅଟିଏ ଦୁନିଆଁରେ ବିରଳ । କେଡ଼େ ଭକ୍ତି ସେ କରେ । ତୋତେ ସେ ଅତି ସ୍ନେହ କରେ !

 

କଟକରେ ପୁଣି ବରଷେ !

 

ମେନକାଙ୍କର ଭଲ ପାଇବାର ସମୁଦ୍ର ମଝିରେ ସେ ଉବୁ ଟୁବୁ ହୋଇଥିଲା । ସେଇ ସରଗ କି ନରକର ମମତା ଫିଟାଇ ସେ ନନ୍ଦପୁରକୁ ଯେବେ ଆସିଛି ଦିନକରୁ ଦୁଇଦିନ ରହିପାରି ନାହିଁ । ଅନ୍ଧାରର ଅନୁଭୂତି ଦୂରରୁ ଡାକ ଛାଡ଼ିଛି । ମନ ଅସ୍ଥିର କରିଛି । ପାଗଳ ପରି ଫେରିଯାଇଛି-। ଆଲୋକରେ ଦେଖିଛି ଦୁଲାଳୀକୁ, ସାର, ବାପା କହିଲେ, ଦୁଲାଳୀ ଅବଶ୍ୟ ପଡ଼ିବ-। ସେ ପୁଅ ଝିଅର ତଫାତ୍ ଦେଖନ୍ତି ନାହିଁ । ମା କହିଲେ, ଦୁଲାଳୀ ସତର ବର୍ଷର ଝିଅ । ସେ ଆଉ ପଢ଼ିବ ନାହିଁ-। ଆପଣଙ୍କର ମତ କଣ ସାର୍ ?

 

ରାମାନୁଜ ।

ଅର୍ଥାତ୍ ?

କାହାରି ଘର କଥା ବୁଝିବାକୁ ମୋର ଅବସର ନାହିଁ ।

 

ମେନକା ହସ ହସ ହୋଇ ଘର ଭିତରକୁ ପଶିଆସିଲେ । କହିଲେ, ମୁଁ ସବୁ ଶୁଣିଛି ଆରେ କୁବେର, ଏ ତ ତୋ ଘରକଥା । ଦୁଲାଳୀ ପ୍ରତିଜ୍ଞା କରିଛି ତୋ ଛଡ଼ା ସେ ଆଉ କାହାକୁ ବାହା ହେବ ନାହିଁ ।

 

ଆରେ ମାଉସୀ – କହି, ଦୁଲାଳୀ ଖସି ପଳାଇଲା ।

 

ମେନକା କୁବେର ପାଖକୁ ଚଉକିଟା ଚାରିଆଣି ଗମ୍ଭୀର ହୋଇ କହିଲେ, ତୁ ଜାଣୁ ନାଇଁରେ, ଦୁଲାଳୀ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାକୁ ବସିଛି । ଦିନେ ପଚାରି ଦେଲି । ସେ କାନ୍ଦିଲା । ମନର କଥା କହିଲା । ତୋର ଉପଯୁକ୍ତ ହେବା ପାଇଁ ମୁଁ ତାକୁ କଲେଜରେ ପଢ଼ାଉଛି । ଆର ଝିଅଟିମାନଙ୍କର ପଢ଼ା ପାଇଁ ମୁଁ ସାହାଯ୍ୟ କରୁଛି । ତମ ଭାଇ ସୁନନ୍ଦବାବୁଙ୍କୁ ତାଙ୍କ ବ୍ୟବସାୟରେ ଗୋଟିଏ ଦାୟିତ୍ୱ ଦେଲେଣି । ଏଥର ସେମାନେ ଭଲରେ ଚଳିବେ । ଦୁଲାଳୀ ଭଲ ପିଲାଟିଏରେ କୁବେର । ମଉସା ତାକୁ କଟକ ଆସିଲବେଳେ କେତେଥର ଦେଖିଛନ୍ତି, ପ୍ରଶଂସା କରିଛନ୍ତି ।

 

କୁବେର ବିଚଳିତ ହୋଇ ସେମାନଙ୍କ ମୁହଁକୁ ଚାହିଁଲା । ସକାଳ ନଅଟା । ଦୋତାଲାର ଝରକା ବାଟେ ଉଜ୍ଜ୍ଵଳ ସୂର୍ଯ୍ୟକିରଣ ଆସି ଘରର ଚିକଣ ଚଟାଣ ଉପରେ ପଡ଼ିଛି । ଆଲୋକର ବିକ୍ଷିପ୍ତ ଆଭା ମେନକାଙ୍କର ପ୍ରଫୁଲ୍ଲ ଚିନ୍ତାଶୂନ୍ୟ ଆନନ୍ଦକୁ ଉଦ୍ଭାସିତ କରୁଛି । ସ୍ନେହ, ସରାଗ, କରୁଣାର ପ୍ରତିମୂର୍ତ୍ତି । ଏହି ଦେବୀ ପ୍ରତିମାର ଦେହରେ, ମନରେ, ଆତ୍ମା ଅନ୍ଧକାରର ଅନ୍ତରାଳରେ ଲାଳସାର ପ୍ରଳୟ ଅନଳ ଜଳେ କିପରି, କାହିଁକି ? ସେଇ ଅନଳରେ କୁବେର ଝାସ ଦି ଏ ! ଏ ତ ମିଥ୍ୟା ନୁହେଁ ! ନିରାଟ ସତ୍ୟ ! କିନ୍ତୁ ସେଇ କୁଳଟା, ଲଜ୍ଜା ଭୟ ସଂକୋଚହୀନ ନାରୀ ମୂର୍ତ୍ତି, ଯାହାର ଉଷ୍ଣ ଆଲିଙ୍ଗନରେ କୁବେର ନିଜକୁ ଭୁଲେ ସେ ତ ଏ ନୁହଁନ୍ତି । ସହସା ତାର ଆବିର୍ଭାବ, ସହସା ତାର ଅନ୍ତର୍ଦ୍ଧାନ !

 

କୁବେରର ମନ ଯେତେ ନାହିଁ ନାହିଁ କରିଉଠିଲେ ମଧ୍ୟ ଅନ୍ଧାରରେ ସେ ହୁଏ ପାଗଳ । ମରଣକୁ ବରଣ କରିବାକୁ ମଧ୍ୟ ତାର ମନ ବାରଣ କରେ ନାହିଁ । ସେ କରେ ଆଲିଙ୍ଗନ ଗୋଟାଏ କୋମଳ ପ୍ରତିମାକୁ । କିଏ ସେ ପ୍ରତିମା ? ଆଉଜି ଆସେ ଥରିଥରି ଛାତି ଉପରକୁ ? ଆସେ, ଉଭାଇଯାଏ ।

 

ଆଗରେ ଯେଉଁ କରୁଣାମୟୀ ମେନକା ଅପା ବସି ଆଗ୍ରହରେ ଚାହିଁ ରହିଛନ୍ତି, ସେ ଓ ତାଙ୍କର ଲାଳସାରେ, ପ୍ରବୃତ୍ତିର ବିଶ୍ୱାସଘାତକତାର ଅନ୍ଧାରୀ ଛାୟାମୃର୍ତ୍ତି ଏକ ନୁହେଁ । ମଣିଷ ଦେହର ଆବରଣ ତଳୁ ବାହାରି ଆସେ ଦୁଇଟା ଅଧୀର ଅସ୍ଥିର ପ୍ରେତ ଲାଳସାର ପରିତୃପ୍ତି ପରେ ନିର୍ଜୀବ ପ୍ରେତ କାହିଁ କେଉଁଠି ଛପିଯାଏ । ଖୋଜିଲେ ମିଳେ ନାଇଁ । ଅନ୍ଧାରୀ ସ୍ମୃତିକୁ ତୁଣ୍ଡର ଭାଷାରେ ପ୍ରକାଶ କରିବା ତ ଦୂରର କଥା, ମନର ଭାଷାରେ, ପଞ୍ଚେନ୍ଦ୍ରିୟର ଇଙ୍ଗିତରେ ପ୍ରକାଶ କରିବାକୁ ଦିହେଁ ଅକ୍ଷମ ।

 

ଅପା !

ଦୁଲାଳୀ ମନକୁ ଆସୁନାହିଁ କୁବେର ?

ମୋ ପାଖକୁ ଆସିବାକୁ ମନା କରିଦିଅ । ପାଠ ଗୋଳମାଳ ହେଉଛି ।

ନିଜେ ମନା କରିଦେବୁ । ପାରିବୁ ?

ତମ ମନରେ ଦୁଃଖ ହେବନାହିଁ ?

 

ଆରେ ପାଗଳ, ମୁଁ ଦୁଲାଳୀକୁ ତୋ ପାଇଁ ବାଛିଥିଲି, ତୋତେ ତା ପାଇଁ ବାଛି ନ ଥିଲି । ଦୁଲାଳୀ ତୋର ମନକୁ ଆସୁନାହିଁ । ଭଗବାନ ତତେ ଆଇସ ନିଅତ ଦେଇଥିଲେ ଦୁଲାଲୀଠୁ ସବୁ ଗୁଣରେ ବଳି କେତେ ଝିଅ ଆସି ପହଞ୍ଚବେ । ମୁଁ ବାଛିବି ।

 

ତେମେ ମନା କରି ଦିଅ....

 

ବାଇଆ କି ତୁ ? ତୋ ପାଖରେ ଆସିବାକୁ ତାକୁ କେବେ ବାଧା ଦେଇନାହିଁ । ମୋ ଆଗରେ ସେ ସରମ ଛାଡ଼ି ମରମ କଥା ନିଃସଂକୋଚରେ କହିଛି । କିପରି ତାକୁ ମନା କରିବି ? ତୁ ମନା କରିଦେ । ଦୁଲାଳୀ ବଳେ ବୁଝିବ ପର ପିଲାକୁ ଭଲ ପାଇଲେ ଆଶା ମୂଳରୁ ଭାଙ୍ଗେ । ମୂଳରୁ ଭାଙ୍ଗିବାହିଁ ଭଲ । ଦୁଲାଳୀ ବଳେ ବୁଝିବ....

 

ଅପା–

ଆଉ କଅଣ ?

ତମେ ତାକୁ ପଢ଼ାଇବ ତ ?

 

ମେନକାଙ୍କର ଆଖି ଉଜ୍ଜଳି ଉଠିଲା । ଓଠ ଦି ଫାଳ ମୃଦୁହାସ୍ୟର ପରଶରେ ଶିହରି ଉଠିଲା । ଉଠି ଠିଆ ହେଲେ । ଅତି ସ୍ନେହରେ କୁବେରର ଚିବୁକ ହଲାଇ ଦେଇ କହିଲେ, ତୋର ଛାତି ତଳର ଛପିଲା ଆଗ୍ରହ ମୋ ଆଖିକୁ ଜଳ ଜଳ ହୋଇ ଦିଶୁଛି । ଦୁଲାଳୀକୁ ତୁ ଭଲ ପାଉ । ଦୁଲାଳୀକୁ ତୁ ମନା କରିପାରିବୁ ନାହିଁ । ତାକୁ ଅବଶ୍ୟ ତୋର ଉପଯୁକ୍ତ କରି ଗଢ଼ିବି ।

 

ଦୁଲାଳୀକୁ ସେ ମନା କରିପାରିଲା ନାହିଁ । ନିଜ ସଙ୍ଗେ ଓ ଦୁନିଆଁ ସଙ୍ଗେ ଲୁଚକାଳି ଖେଳି ନିଜକୁ ଏବଂ ଦୁନିଆଁକୁ ପ୍ରତାରଣା କରି ବର୍ଷଟିଏ କଟାଇଲା । କଲେଜରେ ସେ ଭଲ ପିଲା । ଭଲ ଛାତ୍ର । ନିର୍ଭିକ ଚରିତ୍ରବାନ୍ ପୁରୁଷ । ପାନ, ବିଡ଼ି, ସିଗାରେଟ ସ୍ପର୍ଶ କରେ ନାହିଁ । ଆଡ଼ ଆଖିରେ କେବେ କେଉଁ ସହପାଠିନୀକୁ ଚାହିଁ ନାହିଁ । ସିନେମା ଦେଖି ସମୟ ନଷ୍ଟ କରିବା ପସନ୍ଦ କରେନାହିଁ-। ଯଥାସମ୍ଭବ ଅଳପ କହି ବନ୍ଧୁ ଓ ବାନ୍ଧବୀମାନଙ୍କ ପାଖରୁ ଦୂରେଇ ଆସେ । ଦିନ ଦଶଟାରେ ଘରୁ ବାହାରି ଠିକ୍ ପାଞ୍ଚଟାରେ ଘରେ ପହଞ୍ଚେ । କ୍ଲାସ ଓ ଲାଇବ୍ରେରୀରେ ବସି ପାଠପଢ଼ି ସମୟ କାଟେ ।

 

କୁବେରର ବହୁ ବ୍ୟକ୍ତିତ୍ୱ ଭିତରୁ ତିନୋଟି ବ୍ୟକ୍ତିକୁ ତିନୋଟି କାଳ ବାଛି ନେଇଛି । ସେ ଏକ ପୁଣି ଅନେକ । ତାର ଅନେକତ୍ୱର ପ୍ରତ୍ୟେକର ସ୍ୱତନ୍ତ୍ର ଅଛି, ପୁଣି କେତେକର ମିଶାମିଶି ଏକତ୍ୱ ଅଛି । ଦୁନିଆଁରେ କଅଣ ସମସ୍ତେ ଏଇଆ ? ସତେ କଅଣ ଶତସହସ୍ର ପୂର୍ବ ଜନ୍ମର ଅପରିପୂର୍ଣ୍ଣ ବାସନାର ଅବଶେଷଗୁଡ଼ିକ ଗୋଟିଏ ସ୍ଥୁଳ ଦେହର ଆବରଣ ତଳେ ଶତସହସ୍ର ସୂକ୍ଷ୍ମଦେହ ଧରି ରହିଛି ?

 

କେବେ ଫେରିବେ ସାର୍ ?

 

ଦୁଲାଳୀର ଆଖିରେ ଲୁହ । ଦିନକର ବିଚ୍ଛେଦ ସହିବା ଯେପରି ତା ପକ୍ଷରେ ଅସମ୍ଭବ । କୁବେରର ମନ ହେଉଥିଲା ଦୁଲାଳୀର କଅଁଳ ହାତଟି ନିଜ ହାତରେ ଉଠାଇନେବ । ସବୁଦିନ ପରି ଦୁଲାଳୀ ଆଜି ବାଆଁରେଇ କରି ହାତ ଖସାଇ ନେବ ନାହିଁ । ସେ ଜାଣେ, ପିତାଙ୍କର ଅସୁସ୍ଥତାର ଖବର ପାଇ କୁବେର ଗାଆଁକୁ ଯାଉଛି କେବେ ଫେରିବ କେହି ଜାଣେ ନାହିଁ ।

 

ଦୁଲାଳୀ ବିଚିତ୍ର ପିଲାଟିଏ । ସବୁଦିନେ ସେ ଆସେ ନାହିଁ । ଦି ଦିନେ, ଚାରି ଦିନେ ହାତରେ ବହି ଖଣ୍ଡ ଧରି ସକାଳେ ଆସେ । ଅଧଘଣ୍ଟାରୁ ବେଶି ରହେ ନାହିଁ । କୁବେର ବୁଝାଇଲାବେଳେ ସେ ତନ୍ମୟ ହୋଇ ଶୁଣେ । ବୁଝା ସରିଲେ ବହି ଧରି ଉଠେ । କୁବେର ହସ ହସ ହୋଇ ହାତ ବଢ଼ାଇଲେ, ପଚାରେ କଅଣ ସାର୍ ?

 

ଶୁଣ ।

କହନ୍ତୁ ।

ପାଖକୁ ଆସ, କହିବି ।

 

ଆପଣ ଯାହା ସବୁ ବୁଝାଇଦେଲେ ମୁଁ ସବୁ ମନେ ରଖୁଛି । ପଚାରନ୍ତୁ । କହି ନ ପାରିଲେ ଆପଣ ଦଣ୍ଡିବେ । ପଚାରନ୍ତୁ ।

 

ନିଜେ ଅପ୍ରସ୍ତୁତ ହୋଇ କୁବେର ହସେ । କହେ, ଯାଅ ।

 

ସେଦିନ ଦୁଲାଳୀର ହାତଟି ନିଜ ହାତରେ ଧରିବାକୁ ମନରେ ଯେଉଁ ତୀବ୍ର ଆଗ୍ରହ, ବୁଝିଲା ପରି ଦୁଲାଳୀ ଟେବୁଲ୍ ଉପରୁ ହାତ ଉଠାଇନେଲା । ଦୂରେଇ ଆସି ପ୍ରଣାମ କରି କହିଲା, ମଉସାଙ୍କ ଦେହର ହାଲ ଲେଖି ଜଣାଇବେ ସାର୍‌, ଶୀଘ୍ର ଫେରିଆସିବେ ।

 

ମେନକା ଓ ମୁକୁନ୍ଦ ମଧ୍ୟ ଏଇ ଅନୁରୋଧ କରିଥିଲେ।

 

ଦିନୁ ଦିନ ପିତାଙ୍କର ଅବସ୍ଥା ଖରାପ ହେଲା । ତାଙ୍କୁ ଛାଡ଼ି ପାଠ ପଢ଼ିବାକୁ କଟକ ଫେରିଯିବା ଅସମ୍ଭବ ହୋଇପଡ଼ିଲା । ପିତାଙ୍କର ମରଣ ପରେ ଦିଓଟି ବର୍ଷ କଟିଛି । କୁବେର ଅଟକି ଯାଇଛି ନନ୍ଦପୁରରେ । ମେନକାଙ୍କ ସଙ୍ଗେ କେତେଥର ଚିଠି ପତ୍ର ଆଦାନ ପ୍ରଦାନ ହେଲା ପରେ କୁବେର ନିଜେ ପତ୍ର ଦେବା ବନ୍ଦ କରିଛି । ମେନକା ବି ଆଉ ପତ୍ର ଲେଖୁନାହାନ୍ତି । ଉତ୍ତରର ଅପେକ୍ଷା ନ କରି ଦୁଲାଳୀ ଲେଖିଚାଲିଛି ପତ୍ର, ଗୋଟିକ ପରେ ଗୋଟିଏ....

 

ସାର, ଆପଣଙ୍କ କଲ୍ୟାଣରୁ ମୁଁ ଆଇ.ଏସ୍‌ସି. ଦ୍ୱିତୀୟଶ୍ରେଣୀରେ ପାସ୍ କରିଛି । ମାଉସୀ କହୁଛନ୍ତି, ଡାକ୍ତରି କଲେଜରେ ନାମ ଲେଖାଇ ପାଠ ପଢ଼ିବାକୁ । ସେ ଟଙ୍କା ଦେବେ । ମା ମନା କରୁଛି । ଆପଣଙ୍କର ଉପଦେଶ କଅଣ ? ମାଉସୀଙ୍କର ଟିକି ଝିଅଟି ଲକ୍ଷ୍ମୀ, କେଡ଼େ ସୁନ୍ଦର ହୋଇଛି । ମଉସା ତାକୁ ସଦାବେଳେ ଛାତିରେ ପକେଇ ବସିଛନ୍ତି । ତାକୁ ଦେଖିଯିବା ପାଇଁ ଥରେ ଆସିବେ ନାହିଁ ? ପତ୍ର ଦେବେ । ଦିନକ ପାଇଁ ।

 

–ସାର, ମୋତେ ବନ୍ଧନରେ ପକାଇବାକୁ ଏକା ମାଉସୀଙ୍କୁ ଛଡ଼ା ଅନ୍ୟମାନେ ପ୍ରାଣପଣ ଚେଷ୍ଟା କରିଥିଲେ । ଶୁଣି ଖୁସି ହେବେ ଯେ ଯେଉଁ ଖୁଣ୍ଟରେ ମତେ ସେମାନେ ବାନ୍ଧିବାକୁ ବସିଥିଲେ ସେଇ ଖୁଣ୍ଟରେ ମୋର ସାନ ଭଉଣୀ ଉଲୁପୀ ବନ୍ଧା ହେଲା । ସେ ମହାଶୟ ଜଙ୍ଗଲ ବିଭାଗର ହାକିମଟିଏ । ସେ ସନ୍ତୁଷ୍ଟ, କାରଣ ମୋତେ ପ୍ରଣାମ କରିବାକୁ ଆସି, ପ୍ରଣାମ କରି ସେ ନିଶ୍ଚୟ ବୁଝିପାରିଛନ୍ତି, ଦୁଲାଳୀ କୁତ୍ସିତ ଓ କାହାରି ହାତ ଧରିବାର ଉପଯୁକ୍ତ ସେ ନୁହେଁ । କେବେ ଆସିବେ-? ଉତ୍ତର ଦେବେ ନାହିଁ ?

 

–ସାର, ମେଡ଼ିକେଲ କଲେଜର ପ୍ରଥମ ପରୀକ୍ଷାଟା କୌଣସି ମତେ ଟିପିଗଲି । ମୋର ଖରଚ ଆଉ ମାଉସୀଙ୍କୁ ଦେବାଙ୍କୁ ପଡ଼ୁନାହିଁ । ବାପା ଯେଉଁ ଦୋକନଟି ଦେଇଥିଲେ ସେଇଟି ଯଥେଷ୍ଟ ବଢ଼ିଗଲାଣି । ଭଲ ରୋଜଗାର ହେଉଛି । ସେ କହୁଥିଲେ, ଧନ୍ୟ ଏ ଦେଶର ନିୟମ । ଥରେ ଅଧେ ପେଟ ଦେଖାଇ, ପରର କାମ କରି ଦଶ ପାଞ୍ଚ ଟଙ୍କା ନେଲେ ଦରିଦ୍ର ଚାକିରିଆ ଯାଉଛି କାରାଗାର, ଆଉ ଯେଉଁମାନେ ବେପାର କରୁଛନ୍ତି, ପ୍ରତିଦିନ ସେମାନେ ସବୁ ଗରାଖକୁ ଠକାଇ କେତେ ଧନ ନେଉଛନ୍ତି । ସେମାନେ ଚୋର ଦଗାବାଜ ନୁହନ୍ତି । ସେମାନେ ସାଧୁ ମହାତ୍ମା-। ବେପାର କରିବା ଭଲ କି ହଳ କରିବା ଭଲ ଆପଣ ବୁଝିବେ । ଉତ୍ତର ନ ଦେଉନ୍ତୁ ପଛେ, ଥରେ ଆସିବେ ।

 

କେତେ ଚିଠି । କୁବେର ପଢ଼େ ଚମଡ଼ା ସୁଟ୍‌କେଶର ଉପର ପକେଟରେ ଗଳାଇ ଦିଏ । ଦିନେ ଦୁଇ ଦିନ ଭାବେ, ଉତ୍ତର ଦେବ କି ନ ଦେବ । ପୁସ୍ତକ ପାଠ ଓ ଅନ୍ୟ କାମରେ ନିଯୁକ୍ତ ଥାଇ ସେ ଭାବନାକୁ ବି ଭୁଲିଯାଏ ।

 

ଯେଉଁ ଦୁଇଟି ନାରୀ ଛାତ୍ରଜୀବନର ତରଳ ମନ ଓ ନିର୍ବୋଧ ବ୍ୟକ୍ତିତ୍ୱକୁ ଆନ୍ଦୋଳିତ କରିଥିଲେ ସେମାନେ ଅଜ୍ଞାତକୁଳଶୀଳା ପରୀ ଭିତରେ ଆତ୍ମଗୋପନ କରିଛନ୍ତି । ରାତି ଅଧରେ ନିଃସଂକୋଚରେ ପରୀ ହାତରେ କ୍ଷୀର ଗ୍ଲାସ ଧରି ପାଖରେ ଉଭା ହୁଏ । ତାହାରି ଆବରଣ ଭିତରେ ସତେକି ମେନକା ଆସି ଉଭା ହୁଅନ୍ତି । କୁବେରର ମନେହୁଏ ଯେପରି ଆଲୋକ ଲଭିବ । ଦୁଇଟା ମଣିଷ ଦେହରୁ କାମନା ପଦାକୁ ଆସି ଏକାକାର ହେବ ।

 

ପରୀ ବାହୁଡ଼ି ଯାଏ । ଘର ହୁଏ ଅନ୍ଧକାର । ପଲଙ୍କ ଉପରେ ଅନ୍ଧକାରରେ ଛଟପଟ ଅସ୍ଥିର ହେଉଥିବା ଦେହଟା ଭିତରୁ କାମନା ବାହାରେ । ଉଲଙ୍ଗ କାମନା ଆଉ ଜଣଙ୍କର ଆଦିମ, ଆଭରଣହୀନ, ଆଗ୍ରହୀ କୋମଳ ଦେହର ଧାରଣାକୁ ଆଲିଙ୍ଗି ଧରେ । ମିଳନର ଅନୁଭୂତିକୁ ସପନ ଦେଖେ । କେବଳ ସପନର ଉତ୍ତେଜିତ ମନ ଝଗଡ଼ି ଉଠେ । କିଏ ଲିଭାନ୍ତା ଆଲୋକ ? ଅନ୍ଧାରକୁ ନିମନ୍ତ୍ରଣ କରି ଆଣିଥାନ୍ତା ? ଅନଭିଜ୍ଞ ପରୀର ସେ ସାହସ କାହିଁ ? କୁବେର ଲିଭାଇଥାନ୍ତା ? ଅନୁଶୋଚନାରେ ସନ୍ତୁଳି ହୋଇ କାମନାକୁ ସାନ୍ତ୍ୱନା ଦିଏ କୁବେରର ମନ କାଲି, କାଲି, କାଲି... ।

 

ଯାହା କାଲି ଥିଲା; କାହାର କୋମଳ ଡାକରେ ନିଦ ଭାଙ୍ଗିଲେ ତାହା ହୁଏ ଆଜି । ସକାଳ-ସଜ, ନିର୍ମଳ, ପବିତ୍ର, ସୁନ୍ଦର । ନିର୍ଭୀକ, ନିଃସଂକୋଚ ଆଗମନ । ତୁଣ୍ଡରେ ହୃଦୟତନ୍ତ୍ରୀଥରା ଭାଇ ଡାକ । ଅନୁରାଧାର ଚଳନ୍ତି ପ୍ରତିମା । ପରୀ ଘରେ ପଶେ । କରକାଧବଳ, ବିଜୁଳିଚଞ୍ଚଳ କାୟାରେ ତାର ସଞ୍ଚରେ ଦୁଲାଳୀ । ଯେପରି ସେ କହି ଉଠୁଛି, ସାର ଏ ଅଙ୍କଟି ।

 

କହିଉଠେ ପରୀ, ଭାଇ ଚା’–

 

କୁବେର ଦେଖେ ଗୋଟାଏ ଆନୁଗତ୍ୟର ଧବଳ ମାୟା । ଚମ ଚହଟର ଆଖି ଝଲସା କାୟା ନୁହେଁ । ସ୍ନିଗ୍‌ଧ ପବିତ୍ରତାର ଉତ୍ସ । କେବଳ ଗୋଟାଏ ଜୀବନ । ଗୋଟାଏ ଶକ୍ତି । ଅନୁଭବ କରି ହୁଏ ତାର ପ୍ରଭାବ, ଉପଲବ୍‌ଧି କରିହୁଏ । ତାହାର ରାକ୍ତମାଂସର ଦେହ ଦେଖି ହୁଏ ନାହିଁ । ନଗ୍ନତାର ଧାରଣା ମନରେ ଅଙ୍କୁରେ ନାହିଁ । ଦେହରେ ଥିବା ଆନନ୍ଦର ଧାରଣା ଦିବା ଆଲୋକ ଓ ପରୀର ତେଜୀୟାନ ଦୃଷ୍ଟିର ସ୍ନିଗ୍‌ଧତା ପାଖରେ । ମୁଣ୍ଡ ଟେକେ ନାହିଁ । କୁବେର ନିର୍ବୋଧ ସରଳ ଶିଶୁ ପାଲଟେ ।

 

ଦୁଇଟି ଧାରଣାର ମଝିରେ, ଏପାଖେ ସୂର୍ଯ୍ୟ ଓ ସେପାଖେ ଚନ୍ଦ୍ରର ମଝିରେ ନିଜ କକ୍ଷରେ ଟିକି ପୃଥିବୀଟି ବୁଲି, ଜାଣିପାରୁ ନାହିଁ, ଦିନ ପରେ ଦିନ କଟିଗଲା ପରି ନିଜ ଭାବନାର କକ୍ଷରେ ବୁଲି କୁବେର ଦିନପରେ ଦିନ କଟାଇ ଦେଇଛି, ତିନୋଟି ବର୍ଷ ।

 

ପାଖରେ ରାତିର ପରୀ ମେନକା ଓ ସକାଳର ପରୀ ଦୁଲାଳୀ ।

 

ତିନୋଟି ବର୍ଷ ଭିତରେ ସେ କେବେ ଏତେ ବିଚଳିତ ହୋଇ ନ ଥିଲା । ଦୁଲାଳୀ ପତ୍ର ଲେଖୁଛି । କୁବେର ସାତଦିନ ତଳେ ପାଇଛି–

 

ସାର, ଆପଣ ପତ୍ରର ଉତ୍ତର ନ ଦେଇଛନ୍ତି ବୋଲି ଭାବିଛନ୍ତି କି ମୁଁ ଅଭିମାନ କରିବି ? ରୁଷିବି ? ବିରକ୍ତ ହେବି ?

 

ମେଡ଼ିକାଲ କଲେଜର ଛାତ୍ରୀ ମୁଁ । ଏତେ ପରିଶ୍ରମ କରିବାକୁ ପଡ଼ୁଛି ଯେ ନିତି ରାତି ଅଣ୍ଟୁନାହିଁ । ଶୁଣି ଆଶ୍ଚର୍ଯ୍ୟ ହେବେ, ବହୁ ନିଯୁକ୍ତିର ସାମାନ୍ୟ ଫାଙ୍କଗୁଡ଼ିକରେ ନିଃଶ୍ୱାସ ମାରିବାକୁ ଆଖି ଫେରାଇ ଚାହିଁଲେ ଦେଖେ, ପିତା ବୟସରୁ ଛୋଟ ଭାଇ ବୟସିଆ ପୁରୁଷଙ୍କର ଜୁଳୁ ଜୁଳ ପ୍ରେମ-ନିବେଦିଲା ଆଖି । ପ୍ରେମ ନୁହେଁ ସାର, କ୍ଷୁଧା, ମଣିଷ ମାଂସର କ୍ଷୁବ୍ଧ ସେଇମାନେ: ପୁଣି ନିତି ଦେଖୁଛନ୍ତି ମଣିଷର ରକ୍ତମାଂସ ଦେହର ପରିଣତି ! ଟିକି ଟିକି କରି ଖିନ୍ ଭିନ୍ କରି ଶିଝିଲା, ସଢ଼ା, ପୋକଡ଼ା ଦେହର ଶିରାପ୍ରଶିରା କାଟି ଦେଖୁଛନ୍ତି ।

 

ପଚା ମାଂସର ନାକଫଟା ଗନ୍ଧ ଆଘ୍ରାଣ କରୁଛନ୍ତି । ବିଚିତ୍ର ! ସେମାନେ ଜାଣି ମଧ୍ୟ ସତେକି ଜାଣି ପାରୁନାହାନ୍ତି । ଦୁଲାଳୀ ପଥରଟିଏ । ବୁଝି ମଧ୍ୟ ସତେ ଯେପରି ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ଦୁଲାଳୀର ଦେହ ନାହିଁ, ସେ କେବଳ ଗୋଟାଏ ଆକାର, ଗୋଟାଏ ଚଞ୍ଚଳ ଚଳନ୍ତି ଧାରଣା ।

 

କେହି କେହି ବିଭାଘରର ପ୍ରସ୍ତାବ ନେଇ ବାପାଙ୍କ ପାଖକୁ ଧାଇଁଥିଲେ । ସାର, ବାପା ଆଉ ଗରିବ ହୋଇ ନାହାନ୍ତି । ମଉସାଙ୍କର ସମକକ୍ଷ ହୋଇନାହାନ୍ତି, ସମକକ୍ଷ ହେବାକୁ ଅଧିକ ଦିନ ବୋଧହୁଏ ଲାଗିବ ନାହିଁ । ବେପାର ଭଲରେ ଚାଲିଛି । ଅନ୍ୟ ସ୍ଥାନରେ ଜମି କିଣି ପଚାଶ ହଜାର ଟଙ୍କା ମୂଲ୍ୟର କୋଠା ତୋଳିବାର କଳ୍ପନା କରିସାରିଲେଣି । ବାର ହଜାର ଟଙ୍କା ଦେଇ ଗୋଟିଏ ଗାଡ଼ି କିଣିବେ ବୋଲି କମ୍ପାନୀକୁ ଆଦେଶ ପଠାଇଲେଣି । ବାପା ମୋର ବଡ଼ଲୋକ !

 

କିପରି ହେଲେ ଏ ପ୍ରଶ୍ନ ଆପଣଙ୍କ ମନରେ ଉଠିପାରେ । କୌତୁହଳ ହେବାର କଥା । ଆପଣ ଅର୍ଥନୀତିର ସବୁ ସୂତ୍ର କଣ୍ଠସ୍ଥ କରିଛନ୍ତି । ଅର୍ଥ ଆଗମର ପନ୍ଥା ଜାଣନ୍ତି ନାହିଁ । ଅଭାବର କବଳରେ ପଡ଼ି ଡରି ଡରି ପେଟ ଦେଖାଇ ଜଣେ କାହାଠୁ ପାଞ୍ଚଟି ଟଙ୍କା ଛନଛନ ଛାତିରେ ମାଗି ରଖି ତାର କାମ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ସେ ଅସାଧୁ, ସମାଜଦ୍ରୋହୀ ଚୋର ହୋଇଥିଲେ । ଦଣ୍ଡିତ ହୋଇଥିଲେ । ଏବେ ସେ କଣ୍ଟ୍ରୋଲ ଜିନିଷଗୁଡ଼ିକର ପରମିଟ୍ ଧାରୀ ଲାଇସେନସ୍ ପ୍ରାପ୍ତ ବେପାରୀ । ଦିନ ଦୁଇ ପ୍ରହରେ ସମାଜର ସହସ୍ର ସତେଜ ସତର୍କ ଆଖି ଆଗରେ ସାଧୁତାର ପରମିଟ୍ ଧରି ହସି ହସି ସେ ଡକାଇତି କରୁଛନ୍ତି । ଆଇନ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛି । ଲାଭଟା ସୁନିଶ୍ଚିତ । କଳାବଜାର ତାଙ୍କରି ଆଶ୍ରୟ । କମ୍ପିଟେସନ ନାହିଁ ।

 

ଆଉ ଦିଓଟି ଭଉଣୀ ମୋର ବାହା ହୋଇଗଲେଣି । ବାପା ସେମାନଙ୍କୁ ସୁନାର ଖୋଳରେ ପୁରାଇ ଶାଶୁଘରକୁ ପଠାଇଛନ୍ତି । ଜଣେ ଜୋଇଁ ପୁଲିସ ଡି.ଏସ୍.ପି. । ଆଉ ଜଣକ ଡିପୋଟି କିଲଟର । ସେ ପୁଣି ଆଶା ବାନ୍ଧିଛନ୍ତି, ସାନ ଝିଅଟିକୁ ଜଣେ ଇଞ୍ଜିନିୟରଙ୍କ ହାତରେ ଟେକିଦେବେ । ଆହା, ମନ ତାଙ୍କର ହାଇଁ ପାଇଁ ହେଉଥିବ, ପାଞ୍ଚଟି ପରିବର୍ତ୍ତେ ଯଦି ତାଙ୍କ କୋଳରେ ଦଶଟି ଝିଅ ଜନମିଥାନ୍ତେ, କେଡ଼େ ଭଲ ହୋଇଥାନ୍ତା ! ପ୍ରଫେସର, ଡାକ୍ତର, ପଶୁପାଳକ, ମନ୍ତ୍ରୀ ବା ଉପମନ୍ତ୍ରୀ ଏହିପରି ଦଶଟି ଜାମାତା କରି ସେ ଅନୁଭବ କରନ୍ତେ, ସେ ସମସ୍ତଙ୍କର ନମସ୍ୟ । ମଧ୍ୟବିତ୍ତ, ଚାଷୀ ହଳିଆ ଓ ମୂଲିଆଙ୍କର ସେ ରକ୍ତ ଶୋଷନ୍ତି । ସେମାନଙ୍କ ଭିତରୁ ଜଣଙ୍କୁ ଜୋଇଁ କରିବାକୁ ସେ ପସନ୍ଦ କରିବେ ନାହିଁ । ମୋତେ ବିବାହ କରିବାର ପ୍ରସ୍ତାବ ପକାଇଥିଲେ ଜଣେ ଡାକ୍ତର । ବାପା ନିଜେ ମୋର ମତାମତ ଚାହିଲେ ନିଃସଂକୋଚରେ କାଲି ମୁଁ ଉତ୍ତର ଦେଲି, ବିବାହ କରିବି ନାହିଁ ।

 

ବାପା ଓ ବୋଉ ମନ ଦୁଃଖ କରିବେ । ମଉସା ଓ ମାଉସୀ ଅବଶ୍ୟ ତାଙ୍କ କାନରେ କହିବେ, ଦୁଲାଳୀ ଜଣକୁ ଭଲପାଏ, ଯେଉଁ ଜଣକ ଅର୍ଥନୀତି କଣ୍ଠସ୍ଥ କରି କୃଷିବିଦ୍ୟାରେ ପାରଙ୍ଗମ ହେବାକୁ ଗ୍ରାମରେ ହଳଧର ମୂର୍ତ୍ତି ଧରିଛନ୍ତି । ହୁଏତ ଆପଣଙ୍କ ସମ୍ବନ୍ଧ ପଠାଇପାରନ୍ତି ।

 

ଆପଣ ବିବାହିତ କି ଏବେ ଅବିବାହିତ ଅଛନ୍ତି ଏ ବିଷୟ ସେମାନେ ତଦନ୍ତ କରୁଛନ୍ତି ।

 

ଅନ୍ୟଥା ଭାବିବେ ନାହିଁ । ଆପଣ ମୋତେ ବିବାହ କରିବାକୁ ପ୍ରସ୍ତୁତ ହୋଇ ପ୍ରସ୍ତାବ ସମର୍ଥନ କଲେ ମଧ୍ୟ ମୁଁ ଆପଣଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନୁହେଁ । ସ୍ଥିର କରିଛି, ମୁଁ ବିବାହ କରିବି ନାହିଁ । ଉତ୍ତର ପାଇବାକୁ ଆଶା କରିନାହିଁ । କିନ୍ତୁ ଯଦି ଉତ୍ତର ପାଏଁ, ସୁଖୀ ହେବି ! ଆଶା କରେ, ହଳ କାମରେ ଦକ୍ଷତା ଅର୍ଜନ କରିସାରିବେଣି ।

 

ଦୁଲାଳୀର ପତ୍ର । କୁବେର କେତେଥର ପଢ଼ିଛି । ପତ୍ର ଅଳିଆଗଦାକୁ ନିକ୍ଷେପ କରିନାହିଁ-। ଚିରି ଛିଣ୍ଡାଇ ଦେଇନାହିଁ । ବିଚଳିତ ହୋଇଛି । କେତେଥର ଭାବିଛି, ଶେଷ ଉତ୍ତର ଲେଖିଦେବ । ଛାତ୍ରୀ ହୋଇ ଏପରି ପତ୍ର ଲେଖିବା ନିର୍ଲ୍ଲଜତା ଛଡ଼ା ଆଉ କିଛି ନୁହେଁ । ଆଧୁନିକତାର ପାଗଳାମୀ-! ଦୁଃସାହସ । ସେତିକି ଥାଉ, ମନେ ମନେ ଭଲ ପାଅ କି ବୁଢ଼ିଆଣୀ ଜାଲ ପାତ, ପତ୍ରରେ ପ୍ରକାଶ କରି ସଂସାରରେ ଚହଳ ପକାଇ, ବୃଥାରେ ଜଟିଳତା ଆଣି ଲାଭ ନାହିଁ ।

 

ଉତ୍ତର ଲେଖିପାରି ନାହିଁ । ଲେଖିବି କି ନାହିଁ ସେ କଥା ଏବେ ମଧ୍ୟ ସ୍ଥିର କରିପାରି ନାହିଁ । ପତ୍ରଟି ଟେବୁଲ ଉପରେ ବହି ତଳେ ରଖିଛି । ପରୀର ଆଖିରେ ନିଶ୍ଚୟ ସେ ପତ୍ର ପଡ଼ିଛି ଓ ସେ ପଢ଼ିଛି । ନୋହିଲେ, ପାଞ୍ଚଦିନ ତଳେ ଏଡ଼େ ଜଟିଳ ପ୍ରଶ୍ନଗୁଡ଼ିଏ ପଚାରିଥାଆନ୍ତା କାହିଁକି ? ପରୀକୁ ସେ ପଚାରି ବୁଝିବ । ପରୀ ଅବଶ୍ୟ ଆସିବ ।

 

ବାହାରେ ଖରା ପଡ଼ିଲାଣି । କେଜାଣି କାହିଁକି ଆଜି ସେ ବିଳମ୍ବ କରିଛି । ଦେହ ଭଲ ନାହିଁ ? ଚମକି ଉଠିଲା କୁବେର । କିଏ କାନ୍ଦୁଛି, ଓହୋ ହୋ, ବାଡ଼େଇବାର ଶବ୍ଦ ।

 

ଖୁଡ଼ୀଙ୍କର କିଳିକିଳା ରଡ଼ି-ମରଣ ନାହିଁ ଲୋ ସବାଖାଈ, ଛତରଖାଇ । କାହାର ବଳପାଇ ସାଆନ୍ତାଣୀ ହୋଇ ଶୋଇଛୁ ବା ? କିଏ ଲୋ ସେ ଚୁଲିପଶା ? ବେଳ ଆସି ପହରେ ହେଲାଣି । ନିଦ ଭାଙ୍ଗି ନାହିଁ ? କୋଉଠି ଥିଲୁ ବା ରାତିରେ ? ବାସି ପାଇଟି ସବୁ ପଡ଼ିଛି । ବାହାର ମୋ ଘରୁ, ବାହାର ମୋ ଘରୁ କହୁଛି । ଛତରଖାଇକୁ ଛତର ଯୋଗ ସିନା, ଭଲ ଯୋଗ କାହୁଁ ମିଳିବ ? ବାହାର ମୋ ଘରୁ....

 

ପୁଣି ମାଡ଼ର ଶବ୍ଦ ।

 

କୁବେର ବୁଝିଲା । ଖୁଡ଼ୀ ଆଜି ଚଣ୍ଡୀମୂର୍ତ୍ତି ଧରିଛନ୍ତି । ପରୀ ଉପରେ ଦାଉ ସାଧୁଛନ୍ତି । ଗାଳି ମାଡ଼ ତାଆରି ଉପରେ ।

 

କୁବେର ମୁଣ୍ଡକୁ ପିତ୍ତ ଉଠିଲା । ନା, ସେ ଆଉ ଏତେ ଅନ୍ୟାୟ ସହିପାରିବ ନାହିଁ । ଆହା, ଦରିଦ୍ର ନିଃସହାୟ ଝିଅଟି । ଏହାର ସୁଯୋଗ ନେଇ ଦୋଷ ଥାଉ ବା ନ ଥାଉ ତା ଉପରେ ଅତ୍ୟାଚାର କରିବାକୁ ଖୁଡ଼ୀ ସବୁବେଳେ ପ୍ରସ୍ତୁତ । ସତେ ଯେପରି ସେ ସୁବିଧା ଖୋଜୁଥାନ୍ତି ।

 

କୁବେର କବାଟ ଖୋଲି ପଦାକୁ ଆସିଲା । ତଳ ଖଞ୍ଜାକୁ ଗଲା । ପରୀ ତାରି କୋଠରୀ ଆଗରେ ଠିଆ ହୋଇଛି । ତା ଖୋଲା କେଶକୁ ଖୁଡ଼ୀ ଆକର୍ଷି ଧରିଛନ୍ତି । ଆର ହାତରେ ଖଣ୍ଡେ ବତା ଧରି ତାର ଧୋବଲା ଖୋଲା ପିଠିରେ ପ୍ରହାର କରୁଛନ୍ତି । ଦୂରେଇ କରି ଠିଆ ହୋଇଛି ରାଈ-। ବୁଢ଼ୀର ମୁହଁରେ ପ୍ରଚ୍ଛନ୍ନ ହସ । ଆରେ ଅନୁମୋଦନ । ରାଈ ପଛରେ ଆଁ କରି ବିସ୍ମିତ ହେଲା ପରି ଠିଆହୋଇଛି ଆକୁଳି । ଧରିଛି ଗାଈର ପଘା । ବାରିକବାଟ ଦରମେଲା କରି ମୁହଁ ଗଳାଇ ଡରିଲା ଆଖିରେ ଚାହିଁଛି ବିଦୁର ।

 

କେହି ବାଧା ଦେଉନାହିଁ ।

 

ପିଠିରେ ଆଉ ପାହାରେ ବସାଇବାକୁ ସୁମତିଙ୍କୁ ବତା-ଧରା ହାତ ଓହ୍ଲାଇ ଆସୁଛି, କୁବେର ପାଖକୁ ଯାଉଣୁ ପାଟିକରି ଉଠିଲା, ଏ କଅଣ ଖୁଡ଼ୀ ?

 

ହାତ ତଳକୁ ଓହ୍ଲାଇଲା । କୁବେରର ଡାକରେ ପାହାରର ଶକ୍ତି ଅଧେ ଉଣା ହେଲା ।

 

ସୁମତିଙ୍କର କ୍ରୋଧର ମାତ୍ରା ବଢ଼ିଗଲା ଦୁଇଗଣ । ସେ ପରୀର କେଶ ଛାଡ଼ିଦେଲେ । ସାପର ଲାଙ୍ଗୁଡ଼ରେ ହାତ ମାରିଲେ ସେ ଯେପରି ଫଣା ଟେକି ବୁଲିପଡ଼େ, ସୁମତି ମୁହଁ ବୁଲାଇ କୁବେରକୁ ଫଣଫଣ କଟମଟ କରି ଚାହିଁଲେ । ଘୃଣାରେ ନାକ ଟେକି ମୁହଁ ଛିଞ୍ଚାଡ଼ି କହିଲେ,ତେମେ କଅଣ କହୁଛ ?

 

ତାଚ୍ଛଲ୍ୟର ହସ ଓଠରେ ଖେଳାଇ କୁବେର ପଚାରିଲା, ତା ଅପରାଧ କ’ଣ ଖୁଡ଼ୀ ?

 

ତମକୁ ମୁଁ ଜବାବ ଦେବି ? ଚାକରାଣୀ ଟୋକୀଟାକୁ ଶାସନ କରିବାର ଅଧିକାର ଏ ଘରେ ମୋର ନାହିଁ ? ତମର ବାପା ମା ଯେବେ ବଞ୍ଚିଥିଲେ, ସେମାନେ କେବେ ଦିନେ ମୋର ଜବାବ୍ ମାଗି ନ ଥିଲେ । ତେମେ ମୋର ଜବାବ୍ ମାଗିବ ? ଛାର ଛତରଖାଇ ଟୋକୀଟା ପାଇଁ !

 

ଛତରଖାଇ ଟୋକୀଟା ବୋଲି ତାର ଜୀବନ ନାହିଁ ? ସେ ଯଦି ଦୋଷ କରିଛି ତ....

 

ତମ ଆଗରେ ଗୁହାରି କରିବି ? ଲଜ୍ଜା ନାହି ତମକୁ ? ଉପରେ ପଡ଼ି ଛାର ପୋଇଲି ଟୋକୀଟାର ପକ୍ଷ ନେଇ ମୋ ସଙ୍ଗେ କଜିଆ କରିବାକୁ ଆସିଛି ? କାହା ବଳ ପାଇ ପରୀ ନିର୍ଭୟା ହୋଇ ସାଆନ୍ତାଣୀ ପାଲଟିଛି, କ’ଣ ମୁଁ ଜାଣେ ନାହିଁ ? ଆଖି ବୁଜି ବିଲେଇ ଦୁଧ ପିଇଲେ....

 

ତୁନି ହୁଅ ଖୁଡ଼ୀ !

 

କାହିଁକି ? କାହିଁକି ତୁନି ହେବି ? ଭେଣ୍ଡା ପୁଅ ତେମେ । ପାଠ ଅଧା କରି ତିନି ବରଷ ହେଲା ଘରେ ବସିଛ । କୁଟାଖଣ୍ଡକ ଦିଖଣ୍ଡ କରିବାର ଶକ୍ତି ନାହିଁ । ସକାଳୁ ରାତି ଅଧଯାଏ କାମ କରି କରି ମୁଁ ମରୁଛି । ଯେତେ ଯୁଆଡୁ ସମ୍ବନ୍ଧ ଆସିଲା ସବୁଠିକି ମୁଣ୍ଡ ହଲାଇ ଦେଉଛ । ବୋହୂଟିଏ ଯଦି ଏ ଘରକୁ ଆସନ୍ତା ମୁଁ କାହିଁକି ଏତେ ଦହଗଞ୍ଜ ହେଇ ମରନ୍ତି ?

 

ସେ ଆଶା ତମେ କରିଛ ?

ପରୀ ଥିବାଯାଏ ସେ ଆଶା ମୋର କାହିଁ ।

କୁବେର ହସିଉଠିଲା । ସେ ହସ ଅତି ଭୟଙ୍କର ।

 

ତିନି ବର୍ଷ । ଛପିଲା ମୋହଟା ଛାତିତଳେ ଅନ୍ଧାର ଭିତରେ ଏକଣ ସେକଣ ବୁଲି ଅଣନିଶ୍ୱାସୀ ହୋଇ ଛଟପଟ ହେଉଥିଲା । ତାଆରି ବିକଳ କାନ୍ଦଣା ଅନ୍ୟର କାନରେ ବାଜି ତୁଣ୍ଡରେ ଭାଷା ହୋଇ ଝରି ପଡ଼ିବ ଏଇ ଧାରଣା ସେ କେବେ କରିପାରି ନ ଥିଲା । ସତେ । ପିତାଙ୍କର ମରଣ ପରେ ଦୁଇବର୍ଷରୁ ଅଧିକ ସମୟ କାହିଁକି ସେ ଘରେ କଟାଇଛି ? କେବଳ ବହିଗୁଡ଼ାଏ ମଗାଇ ଏଣୁ ତେଣୁ ପଢ଼ି କି ଲାଭ ହୋଇଛି ? କାହାର କି ଉପକାର ହୋଇଛି ?

 

ସେ ଜାଣେ, ସବୁ ତାର ଆରା । ନିଜର ଭଲପଣିଆଁ ଆଗରେ ମନର ମୋହ କେବଳ କୈଫିୟତ ଦେଇଛି । ମୋହର ବୀଜ ଅଙ୍କୁରିତ ହୋଇ ଧୀରେ ଧୀରେ ମନରେ କାୟା ମେଲାଇ ଡାଳ ପତ୍ର ଖୋଲି ସାରିଛି । କୁସୁମିତ ହେବାକୁ ଚାହିଁ ରହିଛି ଗୋଟାଏ ସୁଯୋଗ ।

 

ସୁଯୋଗ ସେ ପାଇଛି ନିତି । ତିନି ବର୍ଷ ! -

 

ରାତିର ନିର୍ଜନତାରେ ଅତି ପାଖରେ ଠିଆ ହୋଇଛି ପରୀ । ରୂପେଲୀ ରଙ୍ଗବୋଳା ଛଳଛଳ ଯୌବନର ଝଟକିଲା ପ୍ରତିମା । କାମନାର ଦେବୀ । ମୁହୁର୍ତ୍ତକ ବି ନୁହେଁ, ନିମିଷକର ସହସ୍ର ଭାଗରୁ ଭାଗେ ସମୟରେ ଧାରଣାର ଅନ୍ତରାଳରେ ଆଲୋକ ଲିଭିଛି । ପରୀର ପ୍ରତିମାରେ ମେନକାଙ୍କର ନଗ୍ନ ଶୀତଳ ଚଞ୍ଚଳ ଦେହର ଅଭିଜ୍ଞତା ଓହ୍ଲାଇ ଆସିଛି, ବେଜୁଣିର ଦେହରେ କେଉଁ ବନ-ଦେବୀର ଆବିର୍ଭାବ ପରି । ସାରା ଶରୀରର ମୋହିନୀ-ବାସନା କୁସୁମିତା ଲତିକା, ଦେବୀ ପ୍ରତିମାକୁ ବେଷ୍ଟନ କରିଛି, ନିବିଡ଼ ଆଲିଙ୍ଗନ କରିଛି, ଗୋଟି ଗୋଟି କରି ସବୁ କୁସୁମ ଦେବୀ ପ୍ରତିମାର ପ୍ରତି ଅଙ୍ଗରେ ଝାଡ଼ି ଅବଶ ହୋଇ ଝାଉଁଳି ଶିଥିଳ ହୋଇ ଲୋଟି ପଡ଼ିଛି ପାଦତଳେ ।

 

ଭାଇ, କ୍ଷୀର–

ଚମକି ଚାହିଁଛି କୁବେର ।

 

ଛାତିର ଭିତରେ ଏକନ୍ଦି ସେକନ୍ଦି ଛପି ଛପି ଘୁରି ବୁଲୁଥିବା ଛଟପଟ ମୋହଟାର ପଛରେ ଚିତ୍‌ତ୍କାର କରି ଲଙ୍ଗଳା ଦେହ, କୁଲୁ କୁଲିଆ ସୁନ୍ଦର ହସକୁଡ଼ୀ ଟିକି ଝିଅଟିର ଦୁଇହାତ ଟେକି ଛୁଟିଛି, ପାଟିକରି, ଭାଇ ଭାଇ ଭାଇ । ଯେପରି ତାର ଆଗ୍ରହ, ସ୍ନେହ ଓ ଅଧିକାର ଅଳି କରୁଛି, ମୋତେ କାଖ କର, ମୋତେ ଛାତିରେ ଜାକ, ଗେଲ କର, ବୋକ ଦିଅ, ଭାଇ, ଭାଇ, ଭାଇ....

 

ମେନକା ଅନ୍ତର୍ହିତ ହୋଇଛି । ଆଗରେ ଠିଆ ହୋଇଛି ବାର ବରଷ ତଳର ଟିକି ଝିଅଟି କୁନ୍ତଳା । ନିମିଷକେ ବାରବଣେ ଆଗରେ ଆସି ଯେ ସ୍ନେହଭରା ସ୍ୱରରେ ଅଳି କରିଛି, ରାତି ବେଶି ହେଲା, ଶୋଇପଡ଼ ଭାଇ ।

 

ଦିନର ଆଲୁଅରେ ଆଗରେ ଉଭାହୁଏ ପରୀ- ତିନିବର୍ଷ କାଳ ସେ ହୋଇଛି ଦୁଲାଳୀ । ପାଞ୍ଚଦିନ ତଳେ ସେ ଦୁଲାଳୀ ପୁଣି ପ୍ରେମିକାର ବେଶରେ ଆଗରେ ଠିଆ ହୋଇଛି । ଯେଉଁ ପତ୍ର ସେ ଲେଖୁଛି ତାଆରି ଆଭରଣ ତଳେ ସତ୍ୟ ଅନ୍ୟରୂପ ଧରି ଠିଆ ହୋଇଛି । ଭାରାକ୍ରାନ୍ତ ମନରେ ଅଦିନିଆ ନିଦ ହୋଇଗଲେ ମନର ଭାରା ଖସିଯାଏ । ଆଖି ପତାକୁ ଓହ୍ଲାଇ ଆସେ କ୍ଷଣକର ବିସ୍ମରଣରେ ନିଦ ଭାଙ୍ଗେ, ଆଖିପତା ଖୋଳି ପଦାକୁ ଆସିଲେ ଦୃଷ୍ଟିରେ ପଡ଼େ ଗଛ ଗହଳି କନ୍ଦିରେ ରୋହିତ ତୟନ ! ମନୋରମା । ଚାହିଁ ରହେ । ପ୍ରାତଃର ଧାରଣା ! ହଁ, ସଜ ସକାଳ । କଅଁଳ ଖରା । ଶୀତଳ ସୁଲିସୁଲିଆ ପଲ୍ଲବ-ଦୋହଲା ପ୍ରାଣପୁଲକା ବାଆ । ରାବ ଛାଡ଼ି କାଉ କୋଇଲି କେତେ ଜାତିର ପକ୍ଷୀ ଆକାଶରେ ଉଡ଼ୁଛନ୍ତି । ହମ୍ୱାରଡ଼ି ଛାଡ଼ି ଗୋରୁପଲ ଧୂଳି ଉଡ଼ାଇ ଚାଲିଛନ୍ତି । ଏଇ ଦୂରରେ ଗ୍ରାମସୀମନ୍ତିନୀମାନେ ପୁଷ୍କରିଣୀ ଆଡ଼କୁ ଚାଲିଛନ୍ତି । କାଖରେ କଳସୀ ।

 

ସକାଳ ହେଲା !

 

ଦୂରରୁ ଗାଁ ଚାହାଳିରୁ ଶିଶୁକଣ୍ଠର ମିଶାମିଶି ଗୋଟିଏ ସ୍ୱର ଛୁଟିଆସୁଛି-ସନ୍ଧ୍ୟା ହେଲା, ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ, ରାବ ଦେଇ ଯେଝା ବାସେ କରନ୍ତି ଗମନ ।

 

ଆରେ, ସନ୍ଧ୍ୟା ହେଲା ? ସକାଳ ନୁହେଁ ?

 

ସତେ ତ ! ସୂର୍ଯ୍ୟ ବୁଡ଼ୁଛନ୍ତି, ଉଠୁନାହାନ୍ତି । ଶିଶୁଙ୍କର ସମବେତ ସ୍ଵର ଭୁଲା ମନକୁ ଚେତାଇ ଦେଇଛି । ସକାଳର କ୍ଷଣିକ ଧାରଣା କେବଳ ଭ୍ରମ, ସତ୍ୟ ନୁହେଁ । ସଞ୍ଜ ହିଁ ଆସିଛି ।

 

ନନ୍ଦପୁରର ସବୁ ଲୋକଙ୍କର ସମବେତ ସନ୍ଦେହର ସ୍ୱର ଖୁଡ଼ୀଙ୍କ ତୁଣ୍ଡରୁ ବାହାରି ଆସିଛି-। ‘ପରୀ ଥିବାଯାଏ ସେ ଆଶା ମୋର ନାହିଁ ।”

 

ତିନିବର୍ଷ କାଳ ତିନିଗୋଟି ମୁହୁର୍ତ୍ତର ସକାଳ-ଭ୍ରମ ପରି କଟି ଯାଇଛି । କୁବେର ବୁଝିପାରିଛି, ପରୀ ଦୁଲାଳୀର ଅବତାର ନୁହେଁ । ସେ ମେନକାଙ୍କର ପ୍ରତିଛବି ନୁହେଁ । ଯେ ପରୀ କେବଳ ପରୀ ।

 

ଦୁଇ ଆଖିରେ ଭରିଉଠିଛି ଲୋତକ ।

 

ଥରିଲା କଣ୍ଠରେ କୁବେର ଉତ୍ତର ଦେଲା, ଖୁଡ଼ୀ । ତିନିବର୍ଷ ତଳେ ଆକୁଳ ହୋଇ କଟକରୁ ଧାଇଁଆସି ଯେତେବେଳେ ବାପାଙ୍କ ଘର ଭିତରକୁ ପଶିଯାଏଁ, ଆଖିରେ ପଡ଼ିଲା ପରୀ । ବାପାଙ୍କର ସଢ଼ାପଚା ରୋଗଣା ମୁଣ୍ଡଟି କୋଳରେ ଧରି ସେ ବସିଛି । ଲୁଗାକାନିରେ ମୁହଁ ପୋଛିଦେଉଛି । ପୂରା ବରଷେ କାଳ ଯନ୍ତ୍ରଣା ଭିତରେ ବାପାଙ୍କର ଆଖି ଦିଓଟି ଯେପରି ମତେ ଅନୁରୋଧ କରିଛି, ପେଟରୁ ଜନମ ନ ହୋଇ ମଧ୍ୟ ମଣିଷ ପିଲା ପୁତ୍ରକନ୍ୟା ହୋଇପାରେ । ଜନମିଲା ପିଲା ସବୁ ଅକାର ସାବ୍ୟସ୍ତ କଲେ ବି ପୁତ୍ର କନ୍ୟା ନ ହୋଇପାରେ । ପରୀ ମୋର କନ୍ୟା । ସେ ନିଆଶ୍ରା । ସେ ତୋର ଘୃଣାର ପାତ୍ର ନୁହେଁ । ସେ ତୋର ଭଉଣୀ ।

 

ହଁ, ଖୁଡ଼ୀ, ଯେତେବେଳେ କୁନ୍ତଳାକୁ ଦ୍ଵାରବନ୍ଧରେ ନାକରେ ଲୁଗା ଦେଇ ଠିଆ ହେବାର ଦେଖେଁ, ବାପାଙ୍କ ମନର କଥା ମୋ ଆଖିରେ ଜଳଜଳ ହୋଇ ଦେଖାଯାଏ । ପରୀ ମୋର ଭଉଣୀ-

 

ଆଖିରୁ ଲୁହଧାର ଗଡ଼ିପଡ଼ିଲା ।

 

ପରୀ ଦୁଇ ହାତରେ ମୁହଁ ଘୋଡ଼ାଇ କଇଁ କଇଁ ହୋଇ କାନ୍ଦି ଉଠିଲା । ବିଦ୍ରୁପର ହସ ହସି ସୁମତି କହି ଉଠିଲେ, ଶୁଣ ଗୋ, ପରୀ କୁଆଡ଼େ ୟାଙ୍କର ଭଉଣୀ ।

 

ହଁ ଖୁଡ଼ୀ, ଅବିକଳ ବିଦୁର ଯେମିତି ତମର ପୁଅ ।

 

ସୁମତିଙ୍କର ଆଖିର ଝର ବନ୍ଦ ହେଲା ନାହିଁ । ଛାତିରେ ଛୁଞ୍ଚି ଫୋଡ଼ିଲା ପରି କୁବେରଙ୍କ କଥା-ଅବିକଳ ବିଦୁର ଯେମିତି ତମର ପୁଅ, ତାଙ୍କର ମନ ଭିତରେ ଛଟପଟ ହେବାକୁ ଲାଗିଲା । ଛାର ଚାକରାଣୀ ଟୋକୀଟାକୁ ପଦେ କହିଲେ କି ଛାଟେ ପିଟିଲେ ବୋଲି ଏଡ଼େ ବଡ଼ ଆଘାତ ଦେବାକୁ କୁବେର ପଛେଇଲେ ନାହିଁ । ପରୀ ସଙ୍ଗେ ବିଦୁରକୁ ତୁଳନା କଲେ ?

 

ବିଦୁର ତାଙ୍କରି ଭାଇ । ହେଲେ ଜନମରୁ ଫୁଲନାଡ଼ କରି ସେ ଟେକି ନେଇଛନ୍ତି । ବିଦୁର ତାଙ୍କ ପେଟର ପିଲା ନୁହେଁ । ତାଙ୍କ ରକ୍ତ ମାଂସରୁ ଉଦ୍ଭବ ହୋଇନାହିଁ । ଏ ଧାରଣା ତାଙ୍କ ମନକୁ କେବେ ଛୁଇଁ ନ ଥିଲା । କୁବେର ମନେ ପକାଇଦେଲେ ।

 

କିଏ ବୁଝିବ ମନର ଦୁଃଖ ? ଯାହାଙ୍କର ହାତ ଧରି ଏ ଘରକୁ ଆସିଛନ୍ତି, ସେ ପ୍ରତି କଥାରେ କେବଳ ଉପହାସ କରିବେ । ଆଖିର ଲୁହ କି ମୁହଁର ହସର ଅର୍ଥ ସେ ବୁଝନ୍ତି ନାହିଁ । ଶରୀରକୁ ସୁସ୍ଥ ରଖ, କର୍ମକର, ଜୀବନଟାକୁ ହାସପରିହାସରେ ଅଛିଣ୍ଡା ସ୍ରୋତ ପରି ମଣ, ଏତିକି ଯେପରି ତାଙ୍କ ଜୀବନର ନୀତି । ପ୍ରତିମାର ମୁଣ୍ଡରେ ଫୁଲ ଚଢ଼ାଇ, ଘଣ୍ଟି ବଜାଇ, ଭୋଗ ଲଗାଇ, ତଳେ ମୁଣ୍ଡ କୋଡ଼ି ଯେତେ ଆକୁଳ ବିକଳ ହୋଇ ମନର ଦୁଃଖ ବଖାଣିଲେ ସେ ଯେପରି ତୁଣ୍ଡ ଖୋଲେ ନାହିଁ, ମକର ମଧ୍ୟ ସେହିପରି । ତଫାତ୍, ସେ ଚଳନ୍ତି ପ୍ରତିମା । ସେବା ପୂଜା କଲେ ସେ ସନ୍ତୁଷ୍ଟ ହୁଅନ୍ତି; କିନ୍ତୁ ବର ଦିଅନ୍ତି ନାହିଁ । ଦୁଃଖ ଜଣାଇଲେ ଉପହାସ କରନ୍ତି ।

 

ବିଦୁର ଯଦି ତାଙ୍କର ନୁହେଁ, ଆଉ ତାଙ୍କର କିଏ ଅଛି ଦୁନିଆଁରେ ? ବାପ ମା ସ୍ଵର୍ଗପୁରରେ-। ସାନ ଭଉଣୀ ଦିଓଟି କେବଠୁଁ ପର ଘରକୁ ଗଲେଣି । ଯେଉଁମାନଙ୍କୁ ସେ ପ୍ରାଣରୁ ବଳି ଭଲ ପାଉଥିଲେ, କାଖରୁ ତଳକୁ ଓହ୍ଲାଇ ନ ଥିଲେ, ସେଇମାନେ ପୁଣି ବଡ଼ ହୋଇ ପର ଘରକୁ ଗଲାରୁ ଅକାଳେ ସକାଳେ ଖଣ୍ଡ ଚିଠି ଦିଅନ୍ତି ନାହିଁ । ଜୋଇଁଟିମାନେ ସରକାରୀ ଚାକିରିଆ । ପିଲାଛୁଆ ନେଇ ବିଦେଶରେ ବୁଲୁଛନ୍ତି । କିଏ କେଉଁଠି ଅଛି ତାଙ୍କୁ ଜଣା ନାହିଁ । କାହାର କେଇଟି ପିଲାକବିଲା ସେ କଥା ବି ସେ ଜାଣନ୍ତି ନାହିଁ ।

 

ଦୁନିଆଁରେ ଏମିତି ସମ୍ଭବେ । ଏକା ପେଟରୁ ଜନମ ହୋଇ କେହି କାହାର ଭଲ ମନ୍ଦ ବୁଝେ ନାହିଁ । ଅକାଳେ ସକାଳେ କାହାର ପିଢ଼ାରେ କାଉ ରଡ଼େ ନାହିଁ । ଏଇତ ଝିଅ ଜନମ ! ମନରେ ଗୋଟାଏ ଧାରଣା ରହିଯାଏ, ଦୁଇ ଭାଇରେ ଆମେ ଭଉଣୀ ତିନୋଟି ।

 

ଦୁଇ ଭାଇ-ଜଣେ ସୁମତିଙ୍କଠାରୁ ବଡ଼, ଆରକ ସାନ । ସେମାନଙ୍କ ହାତକ ଦିହାତ ନ ହେବାଯାଏ ଭଉଣୀ ବୋଲି କେବେ କେମିତି ଦେବାକୁ ଆସୁଥିଲେ । ସେମାନଙ୍କ ବାହା ଓ ବାପ ମାଙ୍କ ଶୁଦ୍ଧି ଘରକୁ ସୁମତି ବାପଘରକୁ ଯାଇ ଦିନାକେତେ ରହି ଆସିଥିଲେ । ଭାଇ ଦୁହେଁ, ତାଙ୍କର ଭଲ । ଭାଉଜ ଦିହେଁ ବି ଲକ୍ଷ୍ମୀ ସରସ୍ୱତୀଙ୍କ ପରି । ଯେମିତି ସୁନ୍ଦର, ସେମିତି ଢଙ୍ଗର । କଅଣ ହେଲା କେଜାଣି ଏବେ କେହି କାହାର ମୁହଁ ଚାହୁଁ ନାହାନ୍ତି ।

 

ବଡ଼ ଭାଇଙ୍କର ଛଅ ଝିଅରେ ଗୋଟିଏ ପୁଅ । ସାନ ଭାଇର ତିନି ପୁଅରେ ଗୋଟିଏ ଝିଅ-। କୁଟୁମ୍ବ ବଢ଼ିଲାରୁ ଆଗ ରୋଷେଇ ଭିନେ ହେଲା । ସେଇଠୁ ଛାଞ୍ଚୁଣୀ, କୁଅ ଦଉଡ଼ି, ଜହ୍ନି, କାକୁଡ଼ି କସି, ଢିଙ୍କିଚାଳ ପାଇଁ ମନ ଫାଟିଲା । ସମ୍ପତ୍ତି ହେଲା ବଣ୍ଟା । ବାପ ଥିଲାବେଳେ କେଜାଣି କିପରି ଜମି ଦିମାଣ ବଡ଼ ଭାଇଙ୍କ ନାମରେ କିଣା ହୋଇଥିଲା । ସେତିକି ହେଲା ଅଶାନ୍ତିର ମୂଳ । କେତେ ନାରଦ ମଝିରେ ପଶି ବୀଣା ବଜେଇଲେ । ଲାଗିଲା ହୁନ୍ଦର । ଦୁଇ ଭାଇଙ୍କର କଥାଭାଷା ନାହିଁ । ଦୁଇ ଜାଆ ମୁହଁ ଚାହାଚାହିଁ ହୁଅନ୍ତି ନାହିଁ । ଗୋଟାକ ପରେ ଗୋଟାଏ ମକଦ୍ଦମା ଚାଲିଛି ।

 

ଦୁଇ ଭାଇଙ୍କ ଭିତରେ ମିଳାମିଶା କରିବାକୁ ଦୁଇବର୍ଷ ତଳେ ସେ ମନକୁ ଯାଇଁ ବାପଘରେ ପହଞ୍ଚିଲେ । ରହିବେ କେଉଁଠି? କାହା ରୋଷେଇରେ ଖାଇବେ ? ଏ ବେଳା ଏଠି ତ ସେ ବେଳା ସେଠି ହୋଇ ଦିନ ତିନୋଟି କଟାଇଲେ । କାଶିଆ କପିଳାଙ୍କର ଭେଟ କରାଇପାରିଲେ ନାହିଁ । ହତାଶ୍‍ ହୋଇ ଫେରିଲେ।

 

ପଥ ସୁମରି ଶାଶୁ ଘରକୁ ଆସିଲା ଦିନୁ ସେ ବାପଘର କଥା ଭୁଲିଛନ୍ତି । ବାପଘରେ ସମସ୍ତେ ଥାଇ ମଧ୍ୟ ତାଙ୍କ କପାଳକୁ କେହି ନାହିଁ । ବାପା ମା ଆଖି ବୁଜିଲେ ବାହାହେଲା ଝିଅଜନମର ସରାଗ ସରିଲା । ସେ ଯେ ଆଉ କେଉଁଠାରେ ଜନମ ଲଭି, ବଢ଼ି, ଘରକରଣା ଶିଖି ଏ ଘରକୁ ଆସିଛି, ଏ କଥା ବି ସେ ଭୁଲିଯାଏ । ନିଜ ବନ୍ଧନରେ ନିଜେ ବାନ୍ଧିହୋଇ ରହେ । ପିଲାକବିଲାଙ୍କ ଅର୍ଦୋଳିରେ ସମୟ ସାରେ । ଏ ଘରେ ହୁଏ ସେ ଘରଣୀ । ଅଧିକାରିଣୀ ।

 

ସୁମତିଙ୍କର କି କର୍ତ୍ତୃତ୍ୱ ବା ଏ ଘରେ ଅଛି ? ପରୀ ଯେପରି ଅନହୁତି ଏ ଘରେ ଖସିପଡ଼ିଥିଲା ଅବଶ୍ୟ ସେ ସେପରି ଆସି ନ ଥିଲେ; କିନ୍ତୁ ଭଲକରି ଭାବି ଦେଖିଲେ ପରୀ ଓ ତାଙ୍କ ଭିତରେ ତଫାତ୍ ନାହିଁ । ମୁଠିଏ ଖାଇବା ପାଇଁ ଓ ଖଣ୍ଡେ ପିନ୍ଧିବା ପାଇଁ ପରୀ ଖଟୁଛି । ତାଙ୍କର ମଧ୍ୟ ସେଇ ଅବସ୍ଥା । ଯାହା ସେ କରୁଛନ୍ତି ସବୁ କେବଳ ପରଙ୍କ ପାଇଁ । ପର ନୁହନ୍ତି ତ ଆଉ କଣ ? ଏ ଘରେ କେହି ଜଣେ ତାଙ୍କର ରକ୍ତର ସମ୍ପର୍କ ନୁହେଁ । ଯେଉଁ ସ୍ଵାମୀଙ୍କର ହାତ ଧରି ଆସିଥିଲେ ସେ ବି ପର ହୋଇଛନ୍ତି । ବିଦୁରକୁ ହାତ ପାତି ଆଣିଲାଦିନୁ ସେ ଦୂରେଇ ଯାଇଛନ୍ତି । ବିଦୁରହିଁ ତାଙ୍କର ଦାମ୍ପତ୍ୟ ଜୀବନ ମଝିରେ ଅତଳ ସ୍ରୋତ ବୁହାଇଛି । ସ୍ରୋତର ସେପାରିରେ ଠିଆ ହୋଇଛନ୍ତି ମକର ଓ ଏପାରିରେ ସୁମତି । ଦେଖି ହେଉଛି । କଥା ଶୁଭୁଛି । ହାତ ପାଉନାହିଁ । ପରିହାସ କରି କହୁଛନ୍ତି, ‘ପୁତ୍ର ନିବେଶି ପତ୍ନୀପାଶେ, ଅଥବା, ଚଳିବ ସନ୍ୟାସେ ।'

 

କଅଣ ତାଙ୍କୁ ଏ ଘରେ ବାନ୍ଧି ରଖିଛି ? ପେଡ଼ିରେ ସାଇତା ନୂଆ ପୁରୁଣା ଶାଢ଼ୀ କେଇଖଣ୍ଡି ? ଟିଣ ବାକ୍‌ସରେ ରଖା ହୋଇଥିବା ସୁନା ରୂପାର ଗହଣା କେଇଖଣି ? ଟଙ୍କା ପଇସା ଦି ମାଠିଆ ?

 

ଏ ସବୁ ତାଙ୍କର ଲୋଡ଼ା ନାହିଁ । ପାଟଶାଢ଼ୀ ପିନ୍ଧି ଗହଣା ନାଇ ଝମର ଝମର ହୋଇ ଚାଲିବାର ବୟସ ଆସୁଛି ? ଜଲଦି ସରିବ । ଏସବୁ ଉପରେ ଅଧିକାର କି ପୋଷା ବିଲେଇ, ବନ୍ଧା ଗାଈ, ବଳଦ, ଦିନିଆ ଚାକରବାକରଙ୍କ ଉପରେ ପ୍ରଭୁପଣିଆରୁ କି ଲାଭ ମିଳିବ ?

 

ପ୍ରଭୁପଣିଆର ପରାଭବ କୁବେର ତାଙ୍କୁ ଦେଇଛନ୍ତି । ଛାର ଚାକରାଣୀ ଟୋକୀଟା ଉପରେ ବି ତାଙ୍କର ଅଧିକାର ନାହିଁ । ପୋଡ଼ିଯାଉ ତାଙ୍କ ଜନମଜାତକ ।

 

ଦୁଇ ଆଖିରୁ ଝରିଲା ଲୁହର ଧାରା । ଦିନ ଦିପହରେ ଖଟ ଉପରେ ପଡ଼ି ସେ ଛଟପଟ ହେବାକୁ ଲାଗିଲେ ।

 

ବିଦୁର ସ୍କୁଲକୁ ଯାଇଛି । ମକର ସବୁଦିନ ପରି ଆଜି ମଧ୍ୟ ପଦାକୁ ଚାଲିଯାଇଛନ୍ତି । ଡହରୀ ରାଈବୁଢ଼ୀ ଘର ଘର ବୁଲି କଥାରେ ଲଥା ଲଗାଇ ଗାଁସାରା ପ୍ରଚାର କରିବଣି । ମିଛ ହେଉ କି ସତ ହେଉ, ସେଇ ତାଙ୍କ କାନରେ ଫୋଡ଼ିଥିଲା ରାତି ଅଧରେ ପରୀ ଉଠିଗଲା । କେତେବେଳେ ସେ ଫେରିଲା ରାଈ ଜାଣେ ନାହିଁ । ଶୋଇ ପଡ଼ିଥିଲା ।

 

ସେ ଜାଣନ୍ତି, ରାଈ ମିଛ କହେ । ତଥାପି ସେ ତା କଥାରେ ପରତେ ଗଲେ । ପରୀକୁ ପଦଟିଏ କିଛି ନ ପଚାରି ତା ଉପରେ ଦଣ୍ଡ ବିହିଲେ । ତଥାପି ପରୀର ମୁହଁରେ କି ଚଳଣରେ ସଂକୋଚ ଭାବ ଦେଖୁନାହାନ୍ତି ।

 

ତିନୋଟି ଦିନ ଦେଖୁ ଦେଖୁ କଟିଗଲାଣି । ପରୀ ଯାହା ଥିଲା ସେଇଆ । ନିରଳସ । ସବୁ କାମ କରୁଛି । କେତେ ଝିଅବୋହୂ ବାଆଁରେଇ ହୋଇ ଛୁଞ୍ଚିକାମ ଶିଖିବା ଆରାରେ ଆସିଛନ୍ତି । ପରୀ ହସି ହସି ତାଙ୍କୁ କାମ ଶିଖେଇଛି । କାଳେ କିଏ କଣ ପଚାରିବେ ବୋଲି ନ ଜାଣିଲା ପରି ସୁମତି କାନ ପାରିଛନ୍ତି । ପରୀକୁ କେହି କିଛି ପଚାରିବାକୁ ସାହସ କରିନାହାନ୍ତି । ସେମାନେ ଜାଣନ୍ତି, ପରୀ ହସି ହସି ଭଲ ଜବାବ ଦିଏ । ଛିଦ୍ର ଉଣ୍ଡି ବୁଲିବା ଲୋକଙ୍କୁ ତାଙ୍କରି ଧନରେ ପାଉଣା ସୁଝାଏ କେହି ଅବିଗୁଣ ପାଆନ୍ତି ନାହିଁ ।

 

ପରୀ ନିର୍ଦ୍ଦୋଷ ? ଏଡ଼େ ବଡ଼ ଝିଅକୁ ଦଣ୍ଡିବା ଉଚିତ ହୋଇନାହିଁ ?

 

ସବୁ କାମ ଶେଷ କରି ସେ ଆର ଘରେ ବସି ବହି ପଢ଼ୁଛି । ଦିନେ କେବେ ସେ ତାର ବେଢ଼ଙ୍ଗପଣ ଦେଖୁନାହାନ୍ତି । ତଥାପି ଚାକରାଣୀ ଝିଅଟା ତ ! କୁକୁର ବିଲେଇ ଜାତି । ଗୋଡ଼େ ଗୋଡ଼େ ନ ଜଗିଲେ ଯାଉଁଣୁ ଆସୁଣୁ ଟାଣ କରି ପଦେ ନ କହିଲେ କେତେବେଳେ ସେ କଅଣ କରିବ କହି ହେବନାହିଁ । ସେଥିପାଇଁ ସିନା ପରୀକୁ ସେ ଶାସନ କରନ୍ତି ।

ପୁତୁରା ହୋଇ କୁବେରଙ୍କର କେଡ଼େ ସାହସ ସତେ ! ଭକ୍ତି ତେଣେ ଥାଉ, ଟିକିଏ ହୋଇ ମୁଲାଇଜା ନାହିଁ । ମାଡ଼ ମାଇଲା ପରି କଥାଗୁଡ଼ା କହି ପକାଇଲେ ।

ସୁମତି ଆଖିରୁ ଲୁହ ପୋଛିଲେ । ମନ କହିଲା, ଏ ଘରେ ସେ ବି ପରୀ ପରି, ରାଈ ପରି ଜଣେ ଦାସୀ । ମରିଗଲେ ମଶାଣିପଦାରେ ପୋଡ଼ି ପାଉଁଶ କରିଦେବେ । ତାଙ୍କ କଥା ମନକୁ ଆଣିବାକୁ ଏ ଘରେ କେହି ନାହିଁ ।

କେହି ନାହିଁର ଶୂନ୍ୟତା ଭିତରେ ଦୁଇ ହାତ ଟେକି ବିଦୁର ଯେପରି ପଛରେ ଧାଇଁଛି । ବୋଉ, ବୋଉ ଡାକି ଅଳି କରୁଛି, ମୋତେ କାଖ କର, ମୋତେ କାଖ କର ।

ସୁମତି ଉଠି ବସିଲେ । ଚାରିଆଡ଼େ ବଲବଲ କରି ଚାହିଁଲେ । ଆଖିରେ ଦିଶୁଛି ବିଦୁର । ସେ କୁଆଁ କୁଆଁ ଡାକ ଛାଡ଼ିଛି । ପେଟଉଛି । ମୁହଁକୁ ଚାହିଁ ହସୁଛି । ନାକ କାନ ଓଟାରୁଛି । ବିଦୁର ବସିଲାଣି । ବିଦୁର ଗୁରୁଣ୍ଡୁଛି । ହେଇଟି ସେ ଠୁକୁ ଠୁକୁ ହୋଇ ଚାଲିଲାଣି । ଦରୋଟି କଥା କହିଲାଣି । ବୋଉ ବୋଲି ଡାକ ଛାଡ଼ିଲାଣି । ବିଦୁର ଚାହାଳିରୁ ଫେରି ଅଝଟ ହୋଇଛି ।

ଗଲା ଅଇଲା କେହି ତାଙ୍କୁ ସାନବୋହୂ ବୋଲି ଡାକୁ ନାହାନ୍ତି । ବାପଘର ଏରୁଣ୍ଡି ଡେଇଁଲା ଦିନୁ ସୁମତି କାମ ତାଙ୍କର ହଜିଛି । ସମସ୍ତେ ତାଙ୍କୁ ବିଦୁବୋଉ ବୋଲି ଡାକୁଛନ୍ତି । ସେଇ ଡାକ ଶୁଣି ଯିବେ ମଶାଣିକୁ । ସେଇ ପଦଟିଏ ଡାକ ଶୁଣିଲେ ତାଙ୍କର ଦେହ ଉଲ୍ଲସି ଉଠେ । ସେ ବିଦୁବୋଉ ।

କାହା ଘରେ ଜନମିଲେ କୃଷ୍ଣ, ଯଶୋଦା ହେଲେ ତାଙ୍କର ମା । କୃଷ୍ଣ ମଥୁରାକୁ ଯିବେ ବୋଲି ସେ କାରୁଣ୍ୟ କରୁଛନ୍ତି–ଆରେ ବାବୁ ଶ୍ୟାମଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇଁ ବଞ୍ଚିବି, ହେବ ଦଶ ଦିଗ ଶୂନ୍ୟ ।

ପରୀ ଗୁଣୁ ଗୁଣୁ ହୋଇ ମଥୁରାମଙ୍ଗଳ ବୋଲୁଛି । ଆର ଘରୁ ସ୍ୱର ଶୁଭୁଛି । ସୁନ୍ଦର ସେ ବୋଲେ । କାନରେ ବାଜିଲେ ମନ ଅସ୍ଥିର ହୁଏ । ଛାତି ଥରି ଉଠେ । ଆଖିରୁ ଲୋତକ ଛାଏଁ ଛାଏଁ ଗଡ଼ିଆସେ । ସହି ହୁଏ ନାହିଁ । ରହି ହୁଏ ନାହିଁ ବସିଲାଠଉଁ ଉଠିଯାଇ କାନ୍ଥ ଆଢ଼ୁଆଳରେ ଠିଆହୋଇ ସୁମତି ତନ୍ମୟ ହୋଇ ଶୁଣନ୍ତି । ମନର ଅଭିମାନ କହି ଉଠେ ମନରେ, ଦାସୀ ଝିଅଟାର ଗୀତ ଶୁଣୁଛ ? ଚାଲିଆସିବାକୁ ଗୋଡ଼ ଚଳେ ନାହିଁ । ଆକଟି କହିବାକୁ ତୁଣ୍ଡ ଖୋଲେ ନାହିଁ ।

ପରୀ ଗୀତ ବୋଲୁଛି । ଯଶୋଦା କାରୁଣ୍ୟ କରୁଛନ୍ତି । କୃଷ୍ଣ ତାଙ୍କ ପେଟରୁ ଜନମି ନ ଥିଲେ । କୃଷ୍ଣ ତାଙ୍କ ଜୀବନରୁ ବଳି ଅଧିକ । ସ୍ନେହ ସରାଗରେ ଛନ୍ଦାଛନ୍ଦି ଏ ଦୁନିଆଁ । କେବଳ ମଣିଷ ନୁହେଁ, ପଶୁ ପକ୍ଷୀ ମଧ୍ୟ ସ୍ନେହ ଓ ଯତ୍ନରେ ବଶ ହୁଅନ୍ତି ।

ପ୍ରାଣ ଡାକିଉଠିଲା, ବିଦୁର ମୋର କୃଷ୍ଣ, ବିଦୁର ମୋର କୃଷ୍ଣ ।

ସୁମତିଙ୍କର ଦେହ ଉଲ୍ଲସି ଉଠିଲା । ଓଠରେ ଝଟକିଲା ହସ । ପରୀର ଗୀତ କାନରେ ବାଜୁଛି-ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ, ଅକୁର ଆସିଛି ତାଙ୍କୁ ଧରିନେବା ପାଇଁ, ରାଜା ପରଜା ସହିତେ....।

ସୁମତି ଉଠି ଠିଆ ହେଲେ । ପ୍ରାଣ ଡାକି ଉଠିଲା, ବିଦୁରକୁ ମୁଁ ଜନମ କରିନାହିଁ, ବିଦୁରକୁ ମୁଁ ହାତପାତି ମାଗିନେଇଛି । ସେଇ ଏକା ମୋର କୃଷ୍ଣ । ତାଆରି ସେବା, ତାଆରି ଯତ୍ନ ନେଇ ମୋ ଜୀବନ ବିତୁ । ତାଆରି ମୁହଁ ଚାହୁଁ ଚାହୁଁ ମୋର ପ୍ରାଣବାୟୁ ଉଡ଼ିଯାଉ ।

 

ସୁମତି ପଦାକୁ ଆସିଲେ । ଖରା ତେଜ ମହଳଣ ପଡ଼ିଲାଣି । ପିଢ଼ା ଉପରେ ଶୁଭ କାଉ ଦିଓଟି ନାଚି ନାଚି ତାଙ୍କର ଆଡ଼କୁ ଚାହିଁ ରଡ଼ି ଛାଡ଼ିଛନ୍ତି । କି ଶୁଭ ସମ୍ବାଦ ସେମାନେ ଆଣିଛନ୍ତି ?

 

କଅଁଳା ବାଛୁରୀ ଗୁହାଳଘରୁ ହମ୍ୱାରଡ଼ି ଛାଡ଼ିଛି । ପରୀ ବୋଲୁଛି ଗୀତ....ଦାଣ୍ଡରେ ଶୁଭିଲା ରାମକୃଷ୍ଣ ଭାଇ–

 

କୁବେର ମୋର ପର ନୁହେଁ । କୁବେର ମୋର ରାମ । ସେ ଆଗ। ବିଦୁର ପଛ, ମୋର କହ୍ନେଇ-

 

ସୁମତିଙ୍କର ମନ ପଢ଼େଇ ଉଠିଲା । କାହିଁକି କୁବେରକୁ ସେ ସନ୍ଦେହ କଲେ ? ସେ ସୁନାମୁଣ୍ଡା । ସଜଫୁଟା ମଲ୍ଲୀଫୁଲ ପରି ନିର୍ମଳ, ନିଷ୍କପଟ । ସୁମତିଙ୍କ ମନରେ ଆଘାତ ଦେବାକୁ ସେ କହି ନାହିଁ, ବିଦୁର ଯେପରି ତମର ପୁଅ ପରୀ ସେପରି ମୋର ଭଉଣୀ –

 

ମିଛ ନୁହେଁ ।

 

ପରୀ ମଧ୍ୟ ଅନହୁତି ଏ ଘରକୁ ଆସିଥିଲା । ଅନ୍ଧାର । ବରଷା । ଝଡ଼ ତୋଫାନ ବିଜୁଳି । କେଉଁ ବସୁଦେବ ତାକୁ ଏ ଘରେ ଛାଡ଼ି ଦେଇଗଲା । ସେ ମଧ୍ୟ ଏ ଘରର । ସେ ଏଇଠି ବଢ଼ିଛି । ପର ନୁହେଁ । ଏ ଘରର ଝିଅ । କୂବେରର ଭଉଣୀ ।

 

ସୁମତିଙ୍କର କନ୍ୟା ସେ ।

 

ପରୀ ମଥୁରାମଙ୍ଗଳ ବୋଲୁଛି । ସୁମତି ପାଖକୁ ଗଲେ । କାନ୍ଥ ଉହାଡ଼ରେ ଠିଆ ହୋଇ ଦାସୀ କନ୍ୟାର ବୀଣାଜିଣା ସ୍ୱର ଶୁଣି ତନ୍ମୟ ହୋଇ ଘୃଣାରେ ନାକ ଟେକି ଫେରି ଆସିବାକୁ ସେ ଯାଇ ନ ଥିଲେ । ସେ ଯାଇଥିଲେ, ପରୀକୁ ଆପଣାର କରିବାକୁ । ଯାହାକୁ ପିଲାଟି ଦିନରୁ ଅବହେଳା କରିଛନ୍ତି, ପ୍ରତି କଥାରେ ଯାହାକୁ ଟାଣ କଥା କହି, ମନର ଅଭିମାନ ଅଶାନ୍ତି ଅସନ୍ତୋଷକୁ ଯାହାରି ଉପରେ ଅଜାଡ଼ି ଦେଇଛନ୍ତି, ତାକୁ ଏଇ ନିରୋଳା ବେଳରେ ନୂଆ କରି ନିରେଖିବାକୁ ସେ ଛୁଟି ଆସିଛନ୍ତି ।

 

ଦ୍ଵାରବନ୍ଧ ଆଡ଼କୁ ପଛକରି ପରୀ ଛିଣ୍ଡା ସପ ଉପରେ ବସିଛି । ଆଗକୁ ଝୁଙ୍କିପଡ଼ି ଗୀତ ବୋଲୁଛି । ମୁଣ୍ଡରେ ଲୁଗା ନାହିଁ । ଅସଜଡ଼ା କେଶ କେରା କେରା ହୋଇ ପଡ଼ିଛି । ସପ ଉପରେ ଲୋଟୁଛି ।

 

ସେ ପଛକୁ ଚାହିଁଲା । ସୁମତିଙ୍କୁ ଦେଖି ଉଠି ଠିଆ ହେଲା । ବହିଟିକୁ ବଡ଼ କାଠବାକ୍‌ସ ଉପରେ ରଖିଦେଲା । ପୁରୁଣା ସପ ମଶିଣାଟିକୁ ଗୁଡ଼ାଇ କାନ୍ଥକୁ ଆଉଜାଇ ଦେଲା । ସୁମତିଙ୍କ ଆଡ଼କୁ ମୁହଁ କରି ସତେ କି କେଉଁ ଅପରାଧ କରି ଧରାପଡ଼ିଲା ପରି ତଳକୁ ଚାହିଁ ଠିଆ ହେଲା ।

 

ସବୁ କାମ ଶେଷ କରି ସେ ଆସିଥିଲା । ପୂରା ଘଣ୍ଟାଏ ବି ବିଶ୍ରାମ ନେଇ ନାହିଁ । ଖୁଡ଼ୀ ନିଜେ ଉଠି ତା ପାଖକୁ ଆସିଛନ୍ତି କାହିଁକି ?

 

ହାତରେ ବାଡ଼ି ନାହିଁ କି ବତାଫାଳିଆ ନାହିଁ । ଧୀର ସ୍ଥିର ହୋଇ ଦ୍ଵାରବନ୍ଧରେ ଠିଆ ହୋଇ ତାକୁହିଁ ଚାହିଁ ରହିଛନ୍ତି ଏକା ଆଖିରେ ।

 

ପରୀ ଜାଣେ, ତିନି ଦିନ ତିନି ରାତି ହେଲା ତାଙ୍କର ମନରେ ସୁଖ ନାହିଁ । କାହା ସଙ୍ଗେ ବେଶି କଥାଭାଷା ହେଉନାହାନ୍ତି । ସମସ୍ତଙ୍କ ପାଖରୁ ଦୂରେଇ ରହିଛନ୍ତି ବିଦୁରର ଅଳିକୁ ମଧ୍ୟ ଆଡ଼େଇ ଦେଇଛନ୍ତି । ଅଧାପେଟ କରି ଖାଉଛନ୍ତି । ବେଳେ ବେଳେ କାନ୍ଦି ଉଠୁଛନ୍ତି । ଆଜିବି ସେ କାନ୍ଦୁଥିଲେ । ଆଖି ଦିଓଟି ଫୁଲି ଉଠିଛି । ଦୁର୍ବଳ ଦିଶୁଛନ୍ତି ।

 

ପରୀ ଭାବିଲା, ତାର କି ଅପରାଧ ? ସେ କେବଳ ସହିଛି, ପଦେ କେବେ କହିନାହିଁ । ମାଡ଼ଗାଳି ସବୁ ପଛକୁ ପକାଇ ହସି ହସି କର୍ମ କରିଛି । ସମସ୍ତଙ୍କର ସେବା କରିଛି । କାହାରି ଆଦେଶକୁ ଅପେକ୍ଷା କରିନାହିଁ । କାହାରି ଆଦେଶକୁ ଉପେକ୍ଷା କରିନାହିଁ । ସହିବାକୁ ସେ ପ୍ରସ୍ତୁତ ଅଛି । ସୁମତି ଗାଳି ଦେବେ, ମାଡ଼ ଦେବେ, ଅଇଁଠା ଭାତ ମୁଠାଏ ବି ଖାଇବାକୁ ଦେବେ ନାହିଁ । ନାନାପ୍ରକାର ଅପବାଦ ରଟାଇବେ । ସବୁ ସେ ସହିବ । ତୁଣ୍ଡ ଖୋଲିବ ନାହିଁ । ମନରେ ପୀଡ଼ା ଆଣିବ ନାହିଁ । ଦେହର ପୀଡ଼ା ତାକୁ ଅଚଳ ନ କରିବାଯାଏ ସେ କର୍ମ କରିବ । ସେବା କରିବ । ଜ୍ଞାନ ଥିବାଯାଏ ସେ ଏ ଘରର ସୀମା ଡେଇଁ କେଣେ ଯିବନାହିଁ ।

 

ସେ ବାହାର ଦୁନିଆଁକୁ ଡରେ । ସେଇ ଦୁନିଆଁକୁ ଡରି ତାର ଜନନୀ ତାକୁ ଏଇ ଘରେ ଛାଡ଼ି ଯାଇଛି । ଏଇ ଘରୁ ଗୋଡ଼ କାଢ଼ି, କେଉଁଠିକି ଯିବାକୁ ସେ କହିନାହିଁ । ସପନରେ ସେ ପୁଣି ଫେରିଆସେ ତାରି ପାଖକୁ । ହୁଏତ ସେ ଦିନେ ଫେରିବ । ଜରାଜୀର୍ଣ୍ଣ ମଳିନ ଭିକାରୁଣୀଟିଏ । ଛିଣ୍ଡା କନ୍ଥା ଦେହରେ ଗୁଡ଼ାଇ ହୋଇ କେଜାଣି କେତେ ରୋଗରେ ସନ୍ତୁଳି ହୋଇ ଆସିବ । ଡାକିବ ପରୀ, ଆ– ।

 

ସବୁ ମାୟାର ବନ୍ଧନ ଛିଣ୍ଡାଇ, ଭିକାରୁଣୀ ଜନନୀର ହାତ ଧରି ସେ ଚାଲିଯିବ, ଚାଲିଯିବା ଦୁନିଆଁର ଜଳନ୍ତା ଜଞ୍ଜାଳ ମଝିକି । ମାୟାର ବନ୍ଧନ ଛିନ୍ନ ହେବ । ପଛକୁ ଫେରି ଚାହିଁବ ନାହିଁ ।

 

ଯାହାଙ୍କର ରୋଗଣା ମୁଣ୍ଡଟି କୋଳରେ ଧରି କନ୍ୟାର ଅହମିକାରେ ଦୁନିଆଁକୁ ଦେଖୁଥିଲା, ଦୁନିଆଁର ସବୁ ବନ୍ଧନ ଛିଣ୍ଡାଇ ସେ ଅନେକ ଦିନରୁ ଚାଲିଗଲେଣି । ଯେଉଁ ଦାନ ସେ ଦେଇଯାଇଛନ୍ତି ତାର ପଛରେ ଲୁଚି ରହିଥିଲା ଯେଉଁ ଅନୁରାଗ ସିକ୍ତ ଆଗ୍ରହୀ ମନ ତାକୁହିଁ ପରୀ ନିଜର କରିଛି । ତାକୁହିଁ ସେ ଗ୍ରହଣ କରିଛି । ଦାନକୁ ସେ ଗ୍ରହଣ କରିନାହିଁ ।

 

ମକର, ଦାଦି- ତାଙ୍କର ସ୍ନେହର ତୁଳନା ନାହିଁ । ତିନି ଦିନ ତଳେ, ପାଖରେ ଦେଖି ହାତଟି ଧରି ଗେହ୍ଲେଇ କହିଲେ, ପରୀ ଆଜି ତତେ ପରୀ ବୋଲି ଡାକିବା ଏଇ ଶେଷ । ତୋର ଖୁଡ଼ୀ ଆଉ ତତେ ବିରକ୍ତ ହେବ ନାହିଁ ।

 

ତିନି ଦିନ ହେବ ସେ ଡାକୁଛନ୍ତି - ମା ସେଇ ପଦେ ଡାକରେ ଦେହ ଶିହରି ଉଠିଲେ ଆଖି ଆପେ ଖୋଜେ ଖୁଡ଼ୀଙ୍କୁ । ତାଙ୍କର ଗମ୍ଭୀର ରାଗିଲା ମୁହଁକୁ ଅନାଇ ପରୀ ବୁଝେ, ଏଇ ମା ଡାକକୁ ସେ ଗ୍ରହଣ କରୁନାହାଁନ୍ତି । ଦାଦି ତାକୁ ଯେତିକି ପାଖକୁ ଟାଣି ନେଉଛନ୍ତି ଖୁଡ଼ୀ ତାକୁ ସେତିକି ଦୂରକୁ ଠେଲି ଦେବାକୁ ଚାହାଁନ୍ତି । ସେ ତାକୁ ଘୃଣା କରନ୍ତି ।

 

ପରୀ ଆଖି ଟେକି ସୁମତିଙ୍କୁ ଚାହିଁଲା । ସେ ଅନାଇଁ ରହିଛନ୍ତି । ମୁହଁ ଖୋଲିଲେ ନିର୍ଦ୍ଦୟ କଠୋର ଭାଷା ତୁଣ୍ଡରୁ ଝରିବ କାହିଁକି ଲୋ ଛତରୀ ଟୋକୀ ତୋ ନେଇ ମୋରି ସୁଖର ସଂସାରରେ ଆଶାନ୍ତିର ନିଆଁ ଜଳିବ ? ସାମାନ୍ୟ କଥାରେ ପାଟି କରି କୁବେରକୁ ଡାକିଆଣିଲେ । ସେ ମୋତେ ଅପମାନ ଦେଇଛି ସେ ମୋର ବିଦୁରକୁ ତୁଳିଛି ଛାର ତୋ ସଙ୍ଗରେ । ତୁ ଯା, ତୁ ଆଜି ବାହାରି ଯା ମୋ ଘରୁ–

 

ପରୀର ପେଟ ଭିତରୁ କୋହ ଉଠିଲା । ସତେ ଏ ଘରେ ତାର ସ୍ଥାନ ନାହିଁ । ଯେ ଉପରେ ପଡ଼ି ଧାଇଁ ଆସିଥିଲେ କହିବାକୁ, ପରୀ ମୋର ଭଉଣୀ, ସେ ବି ମୁହଁକୁ ଚାହୁନାହାନ୍ତି । ପଦଟିଏ କହିଲେ, ସେ ପଦକରେ ଯେପରି ଅନାଦର, ଘୃଣା କାହିଁକି ଆସୁଛି ଦୂରେଇ ଯାଇ ଭାବ ଫୁଟିଉଠୁଛି-

 

ସକାଳେ, କେତେବେଳୁ ଉଠି ସେ ତାଙ୍କର ନିତ୍ୟକର୍ମ ସାରି ବସି ପଢ଼ୁ ଥାଆନ୍ତି । ସେ ଯେପରି ଆଉ ପରୀର ସେବା ଗ୍ରହଣ କରିବାକୁ ରାଜି ନୁହନ୍ତି । ଭାଇ ଚା’ କହି ଘର ଭିତରକୁ ପଶି ଆଖି ବୁଲାଇଲେ, ପରୀ ଦେଖେ ସବୁ ସଜଡ଼ା ସରିଛି । ଘର ମଧ୍ୟ ଓଳା ହୋଇ ପଦାରେ ଅଳିଆ ଓ ଛାଞ୍ଚୁଣୀ ରଖାହୋଇଛି । ତା ପାଇଁ କୌଣସି କାମ ବାକୀ ନାହିଁ ।

 

ଭାଇ, ଚା’... ।

 

ବହି ଉପରୁ ମୁହଁ ନ ଟେକି ଆଙ୍ଗୁଠି ଦେଖାନ୍ତ, ଟେବୁଲ ଉପରେ ରଖି ଦେବାକୁ । ପରୀ ଆଦେଶ ପାଳେ । ପାଖରେ ମୁହୁର୍ତ୍ତେ ଠିଆ ହେବାକୁ ସେ ସାହସ କରେ ନାହିଁ । ପଛେଇ ପଛେଇ ପଦାକୁ ଆସେ ।

 

ରାତିରେ କ୍ଷୀର ଗିଲାସେ ଧରି ଘରେ ପଶେ । ଦେଖେ, ସବୁ ପ୍ରସ୍ତୁତ । ବିଛଣା ପରା ହୋଇଛି । ମଶାରି ପଡ଼ିଛି । ସେ ବସି ପାଠ ପଢ଼ୁଛନ୍ତି । ଡରିଲା ସ୍ୱରରେ ପରୀ କହେ, ଭାଇ, କ୍ଷୀର-

 

କୁବେର ଆଙ୍ଗୁଠି ନିର୍ଦ୍ଦେଶ ଦିଏ । କହେ ଏଇଠି ରଖ । ଚାଲି ଯା–

ପରୀ ପଦାକୁ ଆସେ

କୁବେର କବାଟ ବନ୍ଦ କରେ ।

 

କାହିଁକି ପରୀର ଗୋଡ଼ଠୁ ମୁଣ୍ଡଯାଏ ଥରିଉଠେ । କାହିଁକି ସେ ମୁହର୍ତ୍ତଟି ଆଖି ବୁଜି କାନ୍ଥରେ ମୁଣ୍ଡ ଲଗାଇ ରହେ । କାନ୍ଦର କୋହ ଉଠେ । ମନ କହେ, ସେ ନିଜେ ଅପରାଧ କରିଛି । ଖୁଡ଼ୀଙ୍କର ତାଡ଼ନା ସହି ପାଟି ନ କରିଥଲେ ଏତେ ଅଶାନ୍ତି ଏ ଘରେ ହୋଇ ନ ଥାନ୍ତା । ଦେହକୁ କଷ୍ଟ ହେଲାରୁ ପାଟିରୁ ଶବଦ ବାହାରିଲା ।

 

ଆଖିରୁ ଲୁହପୋଛି ପରୀ ନିଜ କୋଠରୀକୁ ଫେରିଲା ।

 

ତିନିଟି ରାତି ସେ ଛଟପଟ ହୋଇ କଟାଇଛି । ବହି ଖୋଲି ପଢ଼େ । ଗୋଟିଏ ଧାଡ଼ି ଉପରେ ଦୃଷ୍ଟି ନ୍ୟସ୍ତ ରହେ । ଭାବନା ପବନ ବେଗରେ ଏଣେ ତେଣେ ଛୁଟେ ।

 

ରାଈ ଡାକି କହେ, ଶୋଇବୁ ନାହିଁକି ପରୀ ? ପରୀର ଭାବନା ଫେରି ଆସେ । ସେ ବହି ବନ୍ଦ କରେ । ଆଲୁଅ ନିଭାଇ ଶୁଏ । ନିଦ ହୁଏ ନାହିଁ । ରାଈ ଶୁଣି ପାଟି ଖୋଲେ, ଆଲୋ ପରୀ ଝିଅ ଜନମ ପରଘର ପାଇଁ । ଆଲୋ, ବଥ ବଥାଏ ସିନା, ଆବୁ ବଥାଏ ନାହିଁ । ଜାଣିକରି ତ ତୋ ଜନମ ଅବେଇଜ, କପାଳ ହୀନ । କାହିଁକି ଲୋ, ମାଡ଼ ଗାଳି ଖାଇ ପେଟ ପାଇଁ ଖଟି ମରୁଛୁ ? ବେଳ ବୟସ ଅଛି ରୂପର ଝଟକ ଅଛି । ତୋ ପାଇଁ ଏଇ ନନ୍ଦପୁରରେ କେତେ ଲୋକ ଝୁରି ମରୁଛନ୍ତି । ଏତିକିବେଳେ କେଉଁ କୁଳକୁ ହେଲେ ଆଉଜି ପଡ଼ !

 

ବିରକ୍ତ ହୋଇ ପରୀ ଖେଙ୍କି ଉଠିଥିଲା, ମୋ ନେଇ ତତେ ନିଦ ନାହିଁ କି ମରଣ ନାହିଁ । କାହିଁକି ଏମିତି ବକର ବକର ହେଉଛୁ ? ତୋ ଭଲପଣିଆ ତୋ ଠେଇଁ ଥାଉ । ବିରକ୍ତ କରନା, କହୁଛି ।

 

ଦାଣ୍ଡରେ ପାଞ୍ଚ ଲୋକ ମତେ ବିରକତ କରୁଛନ୍ତି ଲୋ ପରୀ । କାହାକୁ ଏବେ କଅଣ କହିବି ? ସଂସାର କଥା ଏମିତି ଲୋ । ସେମାନେ ସମସ୍ତେ ଦିଗୋଡ଼ିଆ ଲୁଗା ପିନ୍ଧା ପଶୁ । ଯେଉଁମାନେ ଦିନେ ନାକ ଟେକନ୍ତି, ବାପଭାଇ, ଦାଦି ବୋଲି ସମ୍ବନ୍ଧ ଲଗେଇ ପାଖକୁ ଗଲେ ଗୋଡ଼ରେ ଆଡ଼େଇ ଦିଅନ୍ତି, ବୟସ ହେଲେ, ରୂପ ଚହଟିଲେ ସେଇ ଅଳପେଇସିଆମାନେ ପୁଣି ଆଖି ଟେକନ୍ତି । ଭୃକୁଣ୍ଡା ମୁହଁରେ ହସ ଝଲସାନ୍ତି । ଗେହ୍ଲେଇ କରି ସମ୍ବନ୍ଧ ପାତନ୍ତି, ଝିଅ, ଭଉଣୀ, ଆଲୋ ମା, ଏମିତି । ସେଇମାନେ ହାତ ବଢ଼ାନ୍ତି । ଭୁଜା ଖାଇବାକୁ ପଇସାଟିଏ ମାଗିଲେ ଯେଉଁ ରାଢ଼ମାନେ ଅଣ୍ଟାରୁ ନ କାଢ଼ି ତୁଣ୍ଡ ଖୋଲି ଉପଦେଶ ବାଢ଼ନ୍ତି, ସେଇମାନେ ଦାତାକର୍ତ୍ତା ହୋଇ ପୁଅମାଇପଙ୍କୁ ପଛ କରି, ତୁଚ୍ଛ କରି, ଟଙ୍କା ସୁନାର ମୁଣି ଆଣି ଗୋଡ଼ତଳେ ଅଜାଡ଼ନ୍ତି । ଯାହାର କେହି ନାଇଁ, ଆଲୋ, ଯାହାର କିଛି ନାହିଁ, ଦଇବ ଯଦି ଘିଅରେ ସୁନାପାଣି ମନ୍ଦେ ଢ଼ାଳିଛି, ମୁହଁରେ ହସଫୁଲଟିଏ ଫୁଟେଇଛି, ସେତିକି ତ ତାଆର ସମ୍ପତ୍ତି, ସେ କାଇଁକି ପାଇଲା ଦରବ ଛାଡ଼ିବ ? ଗୋବର ଘାଣ୍ଟି ବେଳ ବିତେଇବ ?

 

ପରୀର ଗୋଡ଼ରୁ ମୁଣ୍ଡଯାଏ ଝିମିଝିମି ହୋଇଥିଲା । ରାଗରେ ରକ୍ତ ଗରମ ହୋଇ ଉଠିଲା । ସେ ଉଠି ବସିଲା । ମନର କୋପ କହିଲା, ରାଈକୁ ମାଡ଼ିବସି ତାର ତଣ୍ଟି ଚିପି ପ୍ରାଣ ନେବ । ସେ ତାକୁ କୁପଥକୁ ଟାଣିନେବାକୁ ପାକଳାଉଛି ।

 

ତୁଣ୍ଡ ଖୋଲିଲା, ଡାକିବି ଖୁଡ଼ୀକି ? ତୁ ଏସବୁ କଅଣ କହୁଛୁ କାହିଁକି ? ଡାକିବି ?

 

ମତେ ତୁ ଡରେଇବୁ କିଲୋ ? ଡାକୁନୁ ? ନନ୍ଦପୁର ଦାଣ୍ଡରେ ତୋ ନାମରେ ନାଗରା ବାଜୁଛି । ସବୁ ସେ ଜାଣନ୍ତି । ସେଇଥିପାଇଁ ତତେ ଏ ଘରୁ ବିଦା କରିବାକୁ ସେ ଉଚ୍ଛନ୍ନ । ଡାକୁଛି, ପିଠିରେ ଛାଲ ଖଣ୍ଡ ବାନ୍ଧି ଡାକିବୁ ଏକା । ବିଲେଇ ଆଖି ବୁଜି ଦୁଧ ପିଇଲେ ସେ ସିନା ମନେକରେ ଆଉ କେହି ଦେଖୁ ନାହାନ୍ତି, ସଂସାର ଲୋକେ ଆଖବୁଜି ରହନ୍ତିକି ? କାହିଁକି ସାଆନ୍ତାଣୀଙ୍କର ତୋ ଉପରେ ଏତେ ରାଗ ? ଏତେ ପାଠ ପଢ଼ୁଛୁ, ଏତିକି ବୁଝନ୍ତୁ !

 

ପରୀ ଡରି ଡରି ପଚାରିଲା, କାହିଁକି ?

 

ରାଈ ହସି ଉଠିଲା । କହିଲା, ରାତି ନ ପାହୁଣୁ ଉଠି ରାତି ଅଧଯାଏ ତ ଖଟି ମରୁଛୁ, ନିଶ୍ୱାସ ମାରିବାକୁ ବେଳ ପାଉନୁ । ପୁଞ୍ଜାଏ ଚାକରାଣୀ ହେଲେ ବି ଏତେ କାମ ତୁଲେଇ ପାରିବେ ନାହିଁ । ଯିଏ ରହିବ ସେ କିଛି ବେଠି ଖଟିବ ନାହିଁ । ଖାଇବା ପିନ୍ଧିବ, ପୁଣି ମାସକୁ ତିନି ଟଙ୍କା କି ପାଞ୍ଚଟଙ୍କା ନେବ । ନିଜକୁ ତୁ ଏ ଘରର ଝିଅବୋଲି ମଣିଛୁ । ଆଲୋ, ପାଠୋଇ ଓଲୁ, ଘରର ଯିଏ ଝିଅ ହୁଏ ସେ କଅଣ ଖଟି ଖଟି ମରେ ? ପିଠିରେ ମାଡ଼ ସହେ ? ତୁନି ହୋଇ ରହେ ? କାହାଠୁ ପଦେ ସ୍ନେହ କଥା ଶୁଣେ ନାହିଁ । ଆଲୋ ପରୀ, ଚାହୁଁ ଚାହୁଁ ଅନ୍ଧ ହେଲେ ନିଜ କର୍ମକୁ ନିଜେ ନିନ୍ଦିବୁ ସିନା–

 

ରାଈର କଥା ପରୀର ମନରେ ଭେଦିଲା । ସତ, ମିଛ କହୁନାହିଁ । ତା’ର କଥା ଦେହରେ ନିଆଁ ଖୁଣ୍ଟା ଗୁଞ୍ଜିଲା ପରି ଚିଆଁ ଦେଲେ ମଧ୍ୟ ନିରାଟ ସତ । ସେ ଏ ଘରର ଝିଅ ହୋଇପାରି ନାହିଁ-। ଏ ଘରର ସେ ବୋହୂ ନୁହେଁ । ଏ ଘରର ସେ ଚାକରାଣୀ ବି ନୁହେଁ । ସବୁ ତୋର, କାହିଁରେ ହାତ ଦେବୁ ନାହିଁ । ପରୀ କେବଳ କୁହୁଡ଼ି ପହଁରୁଛି । ଜଣଙ୍କର ସେବା କରିଥିଲା ବୋଲି ମରଣ ଆଗରୁ ସେ ତାକୁ ଜମି ଦି’ ମାଣ, ତିନି ହଜାର ଟଙ୍କା ଦେଇ ବେକରେ ଫାଶ ଲଗାଇ ଗାଈ ବଳଦ ମେଣ୍ଢାକୁ ଖୁଣ୍ଟରେ ବାନ୍ଧିଲା ପରି ଏ ଘରେ ବାନ୍ଧି ଯାଇଛନ୍ତି । ପରୀ ହୋଇଛି ପୋଷା ବଳଦ-

 

ସେ କଇଁ କଇଁ ହୋଇ କାନ୍ଦି ଉଠିଲା ।

Unknown

 

ରାଈ କହିଲା, ଯାହାକୁ ଦାଦି ବୋଲି ଡାକୁଛୁ ସେ କାହିଁକି ତୋ ହାତ ଦିଓଟି ଧରି ଆଗରେ ଠିଆକରି ଘଡ଼ିଏକାଳ ମୁହଁକୁ ଅନେଇଁ ରହନ୍ତି ? ଆଲୋ ପରୀ, ଯାହାକୁ ଭାଇ ଭାଇ ବୋଲି ଡାକି କାମ ଆରାରେ ଦିନକୁ ପଚିଶ ଥର ସେ ଘରେ ପଶି ଗେହ୍ଲେଇ ହେଉଛୁ ସେ କାହିଁକି ପାଠଶାଠ ଛାଡ଼ି, ସବୁ କାମ ଛାଡ଼ି ତିନିବରଷ ହେଲା ଘରକୋଣରେ ନୂଆ ବୋହୂ ହୋଇ ପଶିଛନ୍ତି ? ବଲ ବଲ କରି ଚାହିଁ ରହିଛନ୍ତି ତୋ ମୁହଁକୁ ? ଆଲୋ ହେ, ତମେ ସିନା ନୂଆ ଲୁଚକାଳି ଖେଳୁଛ, ହେଲେ, ଏ ଲୁଚକାଳି ଖେଳ ନୂଆ ନୁହେଁ । ଯେଉଁମାନେ ମରି ପୋଡ଼ା ହୋଇ ପାଉଁଶ ହେଲେଣି ସେମାନେ ଏ ଖେଳ ଜାଣିଥିଲେ । ଯେଉଁମାନେ ମଶାଣିକୁ ଗୋଡ଼ ଟେକିଲେଣି ସେମାନେ ବି ଜାଣନ୍ତି । ସାନ ସାଆନ୍ତାଣୀ ଦରବୁଢ଼ୀ ହେଲେଣି, ସେ କଅଣ ଏ କଥା ଜାଣନ୍ତି ନାହିଁ ? ତାଙ୍କ ଶଶୁରେ ମୋତେ ଆଲୋ ଝିଅ ବୋଲି ଡାକୁଥିଲେ, ଜୀବନମୂର୍ଦ୍ଧା ଖଟାଉଥିଲେ ।

 

ରାଈ, ମୋ ମନରେ କେବେ କେଉଁ ପାପ ପଶି ପାରିନାହିଁ । ନନ୍ଦପୁରରେ କେହି କେବେ ହସି କରି ଚାହିଁଲେ ମୁଁ ତାଙ୍କୁ ରାଗିଲା ଆରେ ଫଣଫଣ ମୁହଁରେ ଧକ୍‌କା ଦେଇ ଚାଲିଆସିଛି । କେହି କେବେ ଆଖିରେ ସ୍ନେହଭାବ ଜଣାଇ ହାତ ବଢ଼ାଇଲେ ମୁଁ ହାତ ଛିଞ୍ଚାଡ଼ି ସେମାନଙ୍କୁ ମାଡ଼ ମାରି ପଳେଇ ଆସିଛି । ନିଜେ ଭଲ ତ ଦୁନିଆଁ ଭଲ ।

 

ଆଲୋ ହେ, ଯେଉଁମାନେ ମାଡ଼ ଖାଇଛନ୍ତି, ସେଇମାନେ ଝୁରି ମରୁଛନ୍ତି । ସମସ୍ତଙ୍କୁ ମୁଁ ଜାଣେ । ଜଣ ଜଣ କରି ସମସ୍ତେ ମୋ ହାତରେ ଧରା ଦେଇଛନ୍ତି । ମୋ ଆଗରେ ମନକଥା କହି ନେହୁରା ହେଇଛନ୍ତି । ହଁ ଆପେ ଭଲ ତ ଦୁନିଆଁ ଭଲ । ଯାହାର ଆପଣାର କିଏ ଅଛି ସେ ଏକା ଗରବ କରି ରହିପାରିବ । ଯାହାର କେହି ନାହିଁ, ସେ ଆପେ ସିନା ଭଲ ହେବ, ଦୁନିଆଁ ତା ପାଇଁ ଭଲ ହେବ ନାହିଁ । ସବୁବେଳେ ମନେ ରଖିଥିବୁ ଲୋ ପରୀ, ସଂସାରରେ ତୋର ନିଜ ଛଡ଼ା ଆଉ କେହି ନାହିଁ । ତୋର ନିଜ ବୋଲିଲେ କ’ଣ ଅଛି କି ? ବୟସ, ଟୋକୀ ବୟସର ଚହଟ । ସେତକ ଗଲେ, ହାତଗୋଡ଼ ଅଚଳ ହେଲେ, କିଏ ତତେ ପଚାରିବ ।

 

ଛାତି ଥରାଇ ପରୀ କହିଲା, ତୁନି ହ ରାଈ ।

 

ରାଈ ଉଠି ବସିଲା । ପରୀର ପିଠିରେ ଅନ୍ଧାରରେ ହାତ ବୁଲେଇ ଗେହ୍ଲେଇ କହିଲା, ଆଲୋ ଝିଅ, ଯେଡ଼େ ନିର୍ବୁଧିଆ, ମୁର୍ଖ, ଓଲୁ ହୋଇ ଜନମ ହେଲେ ବି ମଣିଷକୁ ଏ ଦୁନିଆଁ ବୁଦ୍ଧି ଶିଖାଏ, ସିଆଣା କରେ । ଯେଡ଼େ ସିଆଣା ହେଲେ ବି ଝିଅ ଜନମ ଲଭି ମୋର ବୋଲି କହିବାକୁ ଜଣେ ନ ଥିଲେ ସବୁ ସିଆଣାପଣ ଚୁଲିରେ ପଶେ । ପାଖରେ ଧନ ଦରବ ଥିଲେ ନିଆରା କଥା । ସମସ୍ତେ ପଛରେ କୁକୁର ପରି ଗୋଡ଼ାନ୍ତି । ଯାହାର ନ ଥାଏ, ତାଆରି ଅବସ୍ଥା ହୁଏ, ମୋ’ରି ପରି । ସବୁଥିରେ ଡହଳ ବିକଳ । ଯାହାର ଆଉଜିଲା ମଣିଷ ନ ଥାଏ କି ଧନ ନ ଥାଏ, ଆଲୋ ପରୀ, ସେ ବାର ଦୁଆର ହୁଏ, କେତେ ପିଲାଙ୍କୁ ପେଟରୁ ମାରେ । କେତେ ପିଲାଙ୍କୁ ଜନମ କରି ଦେହ ମନ କାଠ କରି ଅନ୍ଧାର ରାତିରେ ତଣ୍ଟି ଚିପି ଗହିର ମଝି କିଆବାଡ଼ ମୂଳେ ବିଲୁଆଙ୍କ ମୁହଁ ପାଖରେ ଥୋଇଦେଇ ଆସେ । ଜନମ କରି ମା ବୋଲି ଯାହା ମନରେ ଆହା ପଦଟିଏ ଆସେ, ସେ ଅପବାଦ ଓ ଗୋଇଠା ଚାପୁଡ଼ା ସହେ । ଏଘର ସେଘର ହୋଇ ଅସମ୍ଭାଳ ହେଲାରୁ ଝଡ଼ ବରଷା ଘଡ଼ଘଡ଼ି ବିଜୁଳିକୁ ନ ମାନି ଧାଇଁ ଆସେ । ଛାତିର କଲିଜା ଛିଣ୍ଡାଇ ଚାରି ପାଞ୍ଚବରଷ ଉତାଣି ପିଲାକୁ ପର ପିଣ୍ଡାରେ ଶୁଆଇ ସେ ଅନ୍ତର୍ଦ୍ଧାନ ହୁଏ ।

 

ବୁଢ଼ୀ ରାଈକୁ କଟମଟ କରି କୁଣ୍ଢାଇ ଧରି ତାର ବେକରେ ମୁହଁ ନଦି ପରୀ କଇଁ କଇଁ ହୋଇ କାନ୍ଦି ଉଠିଲା, ସେଇ ମୋର ମାଆ ଲୋ ରାଈ, ସେଇ ମୋର ମାଆ–

 

ପିଠି ଆଉଁଶି ରାଈ କହିଲା, ମୁଁ ଜାଣେ, ଏମିତି କେତେ ମାଆଙ୍କୁ ମୁଁ ଦେଖିଛି । ଯେତେ ସପନ ଦେଖିଲେ ବି ସେ ଆଉ ଫେରନ୍ତି ନାହିଁ । କାନ୍ଦିକାନ୍ଦି ଜୀବନଟା ବିତେଇ ଦେଲେ ବି ସଂସାର ଲୋକଙ୍କ ଆଖି ଓଦା ହୁଏ ନାହିଁ । ସେମାନେ କାନ୍ଦ ଚାହାନ୍ତି ନାହିଁ । ସେମାନେ ହସ ଲୋଡ଼ନ୍ତି । ତୁନି ହ ପରୀ, ଶୋଇପଡ଼ । ରାତି ଅଳପ ଅଛି । ପାହାନ୍ତା ହେଲେ ତତେ ଉଠେଇବି ।

 

ପରୀ ରାଈର କଥା ମାନି ପୁରୁଣା ସପ ଉପରେ ଢଳିପଡ଼ିଲା । ଅନୁଭବ କଲା, ସତେ କି ପିଣ୍ଡରେ ପ୍ରାଣ ନାହିଁ ।

 

ରାତିର କଥା ମନରୁ ପୋଛିଦେବାକୁ ଗତକାଲି ପରୀ ନିଜକୁ କାମରେ ବୁଡ଼ାଇ ରଖିଲା । ହେଲେ, ରାଈର କଥା ମନରେ ଓଲଟ ପାଲଟ ହେଉଥାଏ । ସମସ୍ତଙ୍କ ମନ ସନ୍ଦେହଭରା ଆଖିରେ ଚାହୁଁଥାଏ । ନନ୍ଦପୁର ଗାଁର କେତେ ଝିଅବୋହୂ ଦିନ ଦିପହରେ କେଜାଣି କେଉଁ ଉଦ୍ଦେଶ୍ୟରେ ବୁଲି ଆସିବା ଛଳନାରେ ଆଲୋ କଣେଇ କଣେଇ ପରୀର ମୁହଁକୁ ଚାହି ହସିଲେ । ତାର ଚାଲିଚଳନ ଲକ୍ଷ୍ୟ କଲେ ।

ପରୀ ସେମାନଙ୍କ ଆଗକୁ ଯିବାକୁ ହାଣକୁ ନେଲା ପରି ମଣିଲା । ଦୋଷ ନ କରି ମଧ୍ୟ ସେ ଦୋଷୀ ହୋଇଛି । ରାଈର ଉପଦେଶ ତାର ମନକୁ ଦୁର୍ବଳ କରିଛି । ଯେଉଁମାନଙ୍କ ଘରକୁ ଅକାଳେ ସକାଳେ ଗଲେ ସେ ସ୍ନେହ ଆଦର ପାଏ ସେଇମାନେ ତ ଆସିଛନ୍ତି । ସେମାନଙ୍କ ଆଗକୁ ଯିବାକୁ, ମନଖୋଲି କଥା କହିବାକୁ ସରମ ଲାଗୁଛି କାହିଁକି ?

ଜଣ ଜଣ କରି ସେ ନିରେଖିଲା । କିଏ ଅମୁକଙ୍କର ଘରଣୀ ତ କିଏ ଅମୁକଙ୍କର ଭଉଣୀ, ଝିଅ, ପିଉସୀ, ନାତୁଣୀ । ସେଇ ଅମୁକମାନେ ପରୀକୁ ଦେଖି ମନ ବଢ଼ାନ୍ତି, ଆଖି ବଢ଼ାନ୍ତି, ଆଉ ଅଧା ଉମରିଆ କେହି କେହି ହାତ ବି ବଢ଼ାନ୍ତି । ସେଇମାନଙ୍କ ଘରର ଲକ୍ଷ୍ମୀ, ସରସ୍ୱତୀ କି ରାଜଜେମାମାନେ ଆସିଲେ ଖିଲି ଖିଲି ହସ ଆସୁଛି ପାନଖିଆ ପାଟିରୁ । ସମସ୍ତଙ୍କର ଗୋଟିଏ ଅଭିଯୋଗ, ଆଜି କାହିଁକି ମୁହଁ ନଦିଛୁ ବା ? ସମସ୍ତଙ୍କର ପୁଣି ଗୋଟିଏ ଅନୁରୋଧ, ତତେ ରାଣ ଅଛି ଆମ ଘରକୁ ଯିବୁ । ମୋଜାବୁଣା କାମ ଅଧା ପଡ଼ିଛି.... ।

ହଁ କି ନାହିଁ କହିବାକୁ ଉପାୟ ନାହିଁ । ଖୁଡ଼ୀ ମୁହଁ ନଦି ବସିଛନ୍ତି । ବେଳେବେଳେ ଫୋପାଡ଼ିଲା ପରି ପଦେ ଅଧେ ଜବାବ ଦେଉଛନ୍ତି । ପରୀକୁ ଲକ୍ଷ୍ୟ କରି କହୁଛନ୍ତି, ବିରି ଚାଉଳ ଗଣ୍ଡାକ ବଟା ହେଲେ ଚକୁଳି ହେବ । ଘର ଦୁଆର ଓଳା ହୋଇନାହିଁ । ଛାଇ ନେଉଟିଲା ।

କାହା ସଙ୍ଗେ ସେ ସମସରି ହେବ ? ଯେଉଁମାନେ ଆସିଥିଲେ, ସେମାନେ କାହାର ଘରଣୀ, ଭଉଣୀ, ଝିଅ, ଝିଆରୀ । ପରୀ ଏ ଦୁନିଆଁରେ କାହାର କ’ଣ ? ଅଧା–କାନ୍ଥିରେ ବସି ହକର ହକର ହେଲେ ଅଧାକାନ୍ଥି ଘୋଡ଼ା ପାଲଟିବ ନାହିଁ । ମୟୂର ପକ୍ଷୀ ଦେହରେ ଖଞ୍ଜିଲେ କାଉ କେବେ ମୟୂର ହେବ ନାହିଁ । ରାଈ ଭଲ କହିଛି । ରାଈ ସତ କହିଛି । ତୁଣ୍ଡରେ ଦାଦି, ଖୁଡ଼ି, କି ଭାଇ ଡାକିଲେ କେହି ଦାଦି, ଖୁଡ଼ି କି ଭାଇ ହେବେ ନାହିଁ । ଯେ ଯାହା ସେ ସେଇଆ ।

 

ରାତି ଅଧରେ ପରୀ ପଚାରିଲା ରାଈକୁ । କଅଣ ମୁଁ କରିବି ଲୋ ?'

 

ସେ ଆଖିରୁ ପୋଛିଲା ଲୁହ । ପୁଣି ପଚାରିଲା, ମୋତେ ତ କୂଳ କିନାରା ଦିଶୁନାହିଁ । ଯାହାଙ୍କ ପାଖରେ ରହି ବେଳ କାଟିବି ମଣିଥିଲି ସେଇ ଖୁଡ଼ୀ ଯଦି ସନ୍ଦେହ କଲେ, କେଉଁ ଭରସାରେ ମୁଁ ବେଳ ବିତେଇବି ? ଯାହାଙ୍କୁ ମୁଁ ବାପଭାଇ ବୋଲି ମଣେ, ଭକ୍ତି କରେ, ମନରେ ପାପ କି ସଂକୋଚ ନ ଆଣି ଯାହାଙ୍କର ସେବା କରେ ସେମାନଙ୍କ ଆଗକୁ ଯିବାକୁ ଗୋଡ଼ ଥରି ଉଠିଛି । ସେମାନଙ୍କ ଆଗରେ ମୁହୂର୍ତ୍ତରେ ଠିଆ ହେବାକୁ ସାହସ ହେଉ ନାହିଁ । ମୁହଁକୁ ଚାହିଁବାକୁ ଲାଜ ମାଡ଼ୁଛି । କେମିତି ଏ ଘରେ ଚଳିବି ?

 

ଚଳିପାରିବୁ ନାହିଁ । ମଣିଷ ମାଡ଼ଗାଳିକୁ ସିନା ପିଠେଇ ଦେଇପାରିବ, ଉପାସ ଭୋକ ସିନା ସହିପାରିବ ଲୋ ପରୀ, ସନ୍ଦେହକୁ ଭଲପଣିଆ କରି ସହିପାରିବ ନାହିଁ । ଲାଜ ସରମ ଛାଡ଼ି, ସନ୍ଦେହକୁ ସତ ଫଳେଇ, ଅଣ୍ଟାରେ କାନି ଭିଡ଼ି ଠିଆ ହେଲେ ଦେହରେ ଟିପ ଛୋଇଁବାକୁ କେହି ସାହସ କରିବେ ନାହିଁ ।

 

ମୋର ମରଣ ଲୋଡ଼ା । କିଏ କଅଣ ସନ୍ଦେହ କରିବ ବୋଲି ମୁଁ ନରକରେ ଘାଣ୍ଟି ହେବି ନାହିଁ । ରାଈ, ଲାଜସରମ ଛାଡ଼ି ତୋ ଆଗରେ ମନର କଥା ମୁଁ କହୁଛି ପର ଘରକୁ ଯିବି । ମୁଁ ମୋର ସଂସାର କରିବି ।

 

ଆଖିରେ ଲୁହ ଛପେଇବାକୁ ପରୀ ଆଲୁଅ ଲିଭାଇଲା ।

 

ରାଈ, କହିଲା, ଭଲ ହେବ । ହେଲେ କିଏ ତୋଓରି ହାତ ଧରି ଘରଣୀ କରି ନେବାକୁ ଧାଇଁ ଆସିବ ଲୋ ? ହରିଆ ସକ ସକ ହେଉଥିଲା ସିନା, ତାଆର ବାପ ମା ବୁଝାଇ କହିଲେ, ଆରେ ହରିଆ ଆଗ କୁଳ, ତା ପରେ ଗୁଣ, ସେଇଠୁ ରୂପ । ପରୀର ଜାତିଗୋତ୍ର ଜଣା ନାହିଁ । ଜାତି ଭାଇ ଅଡ଼ି ବସିବେ । କୁଳରୁ ଯିବା । କି ମିଳିବରେ ଚମ ଚହଟରୁ । ଶୁକୁଟା ସଙ୍ଗେ ତୋ ବାହାଘର କରିବେ ନାହିଁ ବୋଲି ସାନ ସାଆନ୍ତ ଚିଟାଉ ଲେଖିଲେ । ସେଇଠି ସେ କଥା ସରିଲା । ବାହା ହୋଇ ସଂସାର କରିବା ତୋ କପାଳେ ନାହିଁ । କାହା ଆଶ୍ରା ଧରି ଚାଲିଯିବୁ ତ ଯା । ଦୂରକୁ ନ ଯିବୁ ତ ଏଇ ନନ୍ଦପୁରରେ କେତେ ଲୋକ ତତେ ଅନେଇଁ ବସିଛନ୍ତି-

 

ରାଈ ଆଉ କଅଣ କହିଲା ପରୀ ଶୁଣିନାହିଁ । ଦୁଇ କାନରେ ଆଙ୍ଗୁଠି ଭରି ସେ କଇଁ କଇଁ ହୋଇ କାନ୍ଦି ଉଠିଲା । କେତେବେଳେ କାନ୍ଦ ସରିଲା, କୋହ ବନ୍ଦ ହେଲା ନାହିଁ । ପାଟିରେ ଲୁଗା ଭରି କବାଟ ଖୋଲି ବାହାରକୁ ଆସିଲା । କାନ୍ଥକୁ ଆଉଜି ପିଣ୍ଡାରେ ବସି ଆକାଶକୁ ଚାହିଁଲା । ଅନ୍ଧାର ଦଶ ଦିଗ ଘୋଟିଛି । ଆକାଶ ଛାତିରେ ଲକ୍ଷକୋଟି ତାରକା ଉଠୁଛନ୍ତି । ଆକାଶ ମେଘମୁକ୍ତ-। ପବନ ନାହିଁ । ଶୀତୁଳିଆ ଲାଗୁଛି । କାହାର ସ୍ଵର ଶବ୍ଦ ଶୁଭୁ ନାହିଁ ।

 

ପରୀର ନିଃସହାୟ ମନ ଅଜଣା କାହାକୁ ଝୁରି ଉଠିଲା । ସାରା ଜୀବନର ଇତିହାସ ଆଖି ଆଗରେ କାୟା ମେଲାଇ ଉଭାହେଲା । ସେ ସମସ୍ତଙ୍କର ଘୃଣା ନାକଟେକା ସହିଛି । ଗାଳିମାଡ଼ ଖାଇଛି । କେବେ କାହାରି ଅନିଷ୍ଟ କରିନାହିଁ । ପର ଚିଜକୁ ହାତ ବଢ଼ାଇ ନାହିଁ । ମହାଭାରତ, ରାମାୟଣ ନୃସିଂହ ପୁରାଣ ଓ ଆଉ କେତେ ଧର୍ମଗ୍ରନ୍ଥ ପଢ଼ିଛି । ତାଆରି ନୀତିଶିକ୍ଷା ଓ ତିଆରି ଆଦର୍ଶରେ ଅନୁପ୍ରାଣିତ ହୋଇଛି । କର୍ତ୍ତବ୍ୟ କରିଛି । ମିଥ୍ୟା କହି ନାହିଁ । ସତୀ ସୀତା, ପାର୍ବତୀ ଓ ସାବିତ୍ରୀଙ୍କ ଆଦର୍ଶ ଜୀବନ ଆଲୋଚନା କରିଛି । ସେଇ ଆଦର୍ଶରେ ଜୀବନ ଅତିବାହିତ କରିବାକୁ ପଣ କରିଛି । ସତୀତ୍ୱର ଆଦର୍ଶକୁ ଆଖି ଆଗରେ ରଖି ଆତଯାତ ହୋଇଛି । ଗୋବିନ୍ଦ, ଗୋପାଳ ମାଧବମାନେ ଡାକିଲା ଆରେ ଅନାଇଁ ହସିଲା ଓଠରେ ପ୍ରେମ ନିବଦେନ କଲେ ସେ ଆଖି ପୋତି ଚାଲିଆସିଛି । ଆଦର୍ଶ ତାକୁ ଆଗକୁ ଠେଲିଛି ।

 

ସବୁ ଗ୍ରନ୍ଥକୁ ଗୋଟିଏ ପାଖରେ ଥୋଇ ଆର ପାଖରେ ରାଈ ବୁଢ଼ୀର ନିରାଟ ସତ କଥାକୁ ରଖି ପରୀ ଓଜନ କରିବାକୁ ଲାଗିଲା । ଗୋଟିଏ ପାଖରେ ବ୍ୟାସ ଓ ବାଲ୍ମୀକିଙ୍କର ବିଶାଳ ଗ୍ରନ୍ଥ, ଆର ପାଖରେ ରାଈବୁଢ଼ୀର କେଇପଦ କଥା । ବ୍ୟାସ ବାଲ୍ମୀକିଙ୍କୁ ପଚାରିବାକୁ ଇଚ୍ଛା ହେଲା, ମୋ କଥା କେଉଁଠି ଲେଖିଛ ? ମୋ ପାଇଁ କେଉଁ ଆଦର୍ଶ ବାଢ଼ିଛ ? ମୁଁ ରାଜକନ୍ୟା ନୁହେଁ, ମୁଁ କୁଳକନ୍ୟା ନୁହେଁ । ମୁଁ ରାକ୍ଷସ କି ଦାନବ କି ଯକ୍ଷକନ୍ୟା ନୁହେଁ । ମୁଁ ନାଗକନା ନୁହେଁ । ମୁଁ ଛାର ଦାସୀ କନ୍ୟାଟିଏ । ପିତାମାତା କିଏ ମୁଁ ଜାଣେ ନାହିଁ । ଜାତିଗୋତ୍ର ମୋର ନାହିଁ । ତା ତୁଣ୍ଡରୁ ଶୁଣିଲା ପରି ମନେହେଉଛି ମୁଁ ଭଣ୍ଡାରି ଘରର ଝିଅ । ପିଲା ବୟସରେ ସେଇ କଥା ମୁଁ କହିଥିଲି । ଦୁନିଆଁର ଲୋକେ ବିଶ୍ଵାସ କରୁନାହାନ୍ତି । ମୋର ନିଜର ବି ବିଶ୍ୱାସ ତୁଟିଛି । ମୁଁ ଦରିଦ୍ର, ନିଃସହାୟ, ବାସହୀନ, ସଂସ୍କୃତି ଅଜଣା ଝିଅଟିଏ, କେଉଁ ଆଦର୍ଶ ମୋ ପାଇଁ ଗଢ଼ିଛ ଦସ୍ୟୁପତି-ରତ୍ନାକର ବାଲ୍ଲୀକି ?

 

ଲଙ୍ଗଳ ସିଆରରୁ ଛୋଟ ଝିଅଟିକୁ ପାଇ ଜନକ ରାଜା କୋଳକୁ ଟେକିନେଲେ, ସେଇ ହେଲେ ବିଦେହର ରାଜକୁମାରୀ । ତାଙ୍କର ବି ଜାତିଗୋତ୍ର ପିତାମାତା ଜଣା ନ ଥିଲା । ସେ ବି ଥିଲେ ଅବିକଳ ମୋଓରି ପରି । ତାଙ୍କର ସ୍ଵୟଂମ୍ବର ପାଇଁ ସାରା ଦୁନିଆଁର ଆବ୍ରାହ୍ମଣଚାଣ୍ଡାଳ ରାଜପୁତ୍ରମାନେ ଧାଇଁ ଆସିଥିଲେ । ମୁଁ ରାଜକନ୍ୟା ନୁହେଁ । ମୁଁ ସେ ଯୁଗର ନୁହେଁ । ଏ ଯୁଗର ଦାସୀକନ୍ୟା ।

 

ପରୀ ମନେ ମନେ ଦୃଷ୍ଟାନ୍ତ ଖୋଜିବାକୁ ଲାଗିଲା, ସମସ୍ତେ ସେମାନେ ରାଜକନ୍ୟା । ଭୁବନମୋହିନୀ ସୂର୍ପଣଖା, ସେ ବି ରଜାର ଭଉଣୀ, ପ୍ରେମରେ ପଡ଼ି ଯେ ପରାଭବ ପାଇଥିଲା । ଉଲୁପୀ, ହିଡ଼ିମ୍ବୀ, ବିଜାତୀୟ ହେଲେ ମଧ୍ୟ ସେମାନେ ରାଜକନ୍ୟା ନିଃସହାୟ ପରୀ କେହି ନୁହେଁ ।

 

ସେ ଯୁଗ ଅତୀତ ହୋଇଛି । ଏ ଯୁଗକୁ ଦୃଷ୍ଟି ଦେଇ ସେମାନେ ଆଦର୍ଶ ଗଢ଼ିନାହାନ୍ତି । କେଉଁ ରାଜକନ୍ୟା କେଉଁ ରାଜପୁତ୍ରର ପ୍ରେମରେ ପଡ଼ିଥିଲେ । ପ୍ରଣୟପାଶରେ ଆବଦ୍ଧ ହୋଇ ପରିତ୍ୟକ୍ତା ହେଲେ ମଧ୍ୟ ସତୀତ୍ୱର ଆଦର୍ଶରେ ଜୀବନ ବିତାଉଥିଲେ । ନାଗବଂଶର କନ୍ୟା ସେ ହେଉନ୍ତୁ କି ପିଶାଚ, ଦାନବ, ରାକ୍ଷସ ବା ଅସୁରକନ୍ୟା ହେଉନ୍ତୁ, ଯୌବନର ଆରମ୍ଭରେ କେଉଁ ଆର୍ଯ୍ୟପୁତ୍ରର ପ୍ରେମରେ ପଡ଼ି, ପରିଣୟ କରି, ପତିସୋହାଗିନୀ ହୋଇ ପତିଙ୍କ ପାଖରେ ଦିନ କେଇଟି ବିତାଇ ଆଜୀବନ ପତିଙ୍କର ସ୍ମୃତିକୁ ଅବଲମ୍ୱି ରହିଥିଲେ ।

 

କୁଳର କନ୍ୟା ସେମାନେ ପେଟ ପାଇଁ, ଲଜ୍ଜାନିବାରଣାର୍ଥେ ବସନ ପାଇଁ ସେମାନଙ୍କୁ ପର ଘରେ ମାଡ଼ଗାଳି ସହି ଖଟିବାକୁ ପଡ଼ୁ ନ ଥିଲା । ସେମାନଙ୍କର ଆଦର୍ଶ ପରୀର ଅନୁକରଣୀୟ ନୁହେଁ । ଯେ କୌଣସି ମୁହୁର୍ତ୍ତରେ ସୁମତି ଆଦେଶ ଦେବେ, ଚାଲିଯା ଏ ଘରୁ । କଠୋର ସେ ଆଦେଶ । ଗୋଡ଼ତଳେ ପଡ଼ି ମୁଣ୍ଡ କୋଡ଼ି ଅନୁନୟ କଲେ ସେ ଶୁଣିବେ ନାହିଁ । ମନରେ ତାଙ୍କର ସନ୍ଦେହ ବସା ବାନ୍ଧିଛି । କିଏ ସେ ସନ୍ଦେହକୁ ଦୂର କରିବ ? ବାଧା ଦେବାକୁ ମକର ସାହସ କରିବେ ନାହିଁ । କୁବେର ଅପସରି ରହିବେ । ପରୀ ନିର୍ମୂଳି ଲତା । ତାର ଚେର ଏ ଘରର ମାଟିରେ ଲାଗିନାହିଁ । ସୁମତିଙ୍କର କ୍ରୁଦ୍ଧ ନିଃଶ୍ୱାସରେ ସେ ଛିଣ୍ଡି ପଡ଼ିବ ।

 

ଜୀବନର ଗତି ହେବ କଅଣ ? କେଉଁ ଆଦର୍ଶକୁ ଆଖି ଆଗରେ ରଖି ସେ ଆଗକୁ ଚାଲିବ ? ଆତ୍ମହତ୍ୟା କରି ମରିବ ? ଏହାହିଁ ହେବ ତାଆର ସବୁ ସାଧନାର ପରିଣତି । ନା, ସେ ମରିବ ନାହିଁ । ମରିବା ପାଇଁ ସେ ଏତେ ଦିନ ବଞ୍ଚି ନାହିଁ ।

 

ତେବେ, ତେବେ ?

 

ଇସ୍, କି ଭାବନା ତା ମନକୁ ଆସୁଛି ? ମକର ଦାଦା, ମନରେ ଯେଉଁ ଉଦ୍ଦେଶ୍ୟ ରଖି ହାତ ଦିଓଟି ଧରି ମୁହଁକୁ ତନ୍ମୟ ହୋଇ କ୍ଷଣେ ଚାହିଁଲେ ମଧ୍ୟ ଗେହ୍ଲେଇ ଡାକନ୍ତି, ଆଲୋ ପରି, ଆଲୋ ମା–ପେଟ ପୂରିଉଠେ । ସେ ପିତା, ପରୀ କନ୍ୟା ।

 

ଆଉ, କୁବେର ?

 

ନା, ନା, ନା, ସେ ଭାଇ ! କାହିଁକି ତିନୋଟି ବର୍ଷ ଘରେ ବସି ଆଳସ୍ୟରେ କଟାଇଛନ୍ତି ସେ କଥା ପରୀର ଜାଣିବାର ଅଧିକାର ନାହିଁ । ଲୋକେ ଯାହା କହିବାର କହନ୍ତୁ । ସେ ଜାଣେ, ସେ ଅନୁଭବ କରେ, କୁବେର ତାର ଭାଇ । ଯେତେଥର ତାଙ୍କ ସଙ୍ଗେ ଦେଖାହୁଏ ସେ ମୁହୁର୍ତ୍ତେ ଚାହାନ୍ତି-। ତାଙ୍କର ମୁହଁରେ ପରୀ ଦେଖେ ସରଗର ଆଭା । ସରଗ ଆନନ୍ଦରେ ପରୀର ମନ ଉଲସି ଉଠେ-। ପଦେ ଅଧେ କହିଲେ ପରୀ ମଣେ ସତେ ଯେପରି ସ୍ନେହର ପାରାବାରରେ ତରଙ୍ଗ ଉଠିଛି । ପୁରୀର ମନ ପୁଲକିଉଠେ ।

 

କୁବେର ତାର ଭାଇ । ଭାଇ ମୁହଁରେ ଉଲ୍ଲାସ ଦେଖି ନିଜେ ଆତ୍ମହରା ହେବାକୁ ସେ ଧାଇଁଯାଏ ଥରକୁ ଥର । ଦୁନିଆଁ ଯାହା କହୁ ସେଥିକି ସେ କାନ ଦେବ କାହିଁକି ? କୁବେର ଭାଇଙ୍କର ନିର୍ମଳ, ପବିତ୍ର, ସୁନ୍ଦର, ଉଜ୍ଜ୍ୱଳ ମନରେ ପୂନେଇ ଚାନ୍ଦର ଜୋଛନା ସେ ଅନୁଭବ କରିଛି, କେବେହେଲେ ସନ୍ଦେହର ଅସ୍ପଷ୍ଟ ଛାୟାର ଆଭାସ ସେ ପାଇନାହିଁ ।

 

ଅନ୍ଧାରି ପ୍ରକୃତି ସତେ ଯେପରି ଆଲୋକିତ ହୋଇଉଠିଲା ! ନିସ୍ତବ୍‌ଧତା ଯେପରି ନୂତନ ରାଗିଣୀ, ନୂତନ ଛନ୍ଦରେ ଝଙ୍କୃତ ହେଲା । ନିର୍ଜନତା ସତେ କି ଆଖି ଆଗକୁ ଆଣିଲା କେତେ ଆମୀୟ । ମନ ଚିତ୍କାର କରିଉଠିଲା, ପରୀ, ଏଇ ଘରେ ତୋର ଜନମ, ଅବିକଳ ଜନକଙ୍କ ରାଜପ୍ରାସାଦରେ ଜାନକୀ ପରି । ସମସ୍ତେ ତୋର ଆତ୍ମୀୟ, ସମସ୍ତେ ତୋର ନିଜର । ମକର ତୋର ଦାଦି । ସୁମତି ତୋର ଖୁଡ଼ୀ । ଆଉ କୁବେର, ସେ ତୋର ମାଆ ପେଟରୁ ଜନମିଲା ପରି ଭାଇ । ବିଦୁର, ସେ ବି ତୋର ଟିକି ଭାଇଟି ।

 

ପରୀ ଉତ୍ତେଜିତ ହୋଇଉଠିଲା । ପିଣ୍ଡା ଉପରୁ ଓହ୍ଲାଇ ଦୁଆରେ ଠିଆ ହେଲା । କେଶବାସ ଫିଟି ପଡ଼ିଛି । ପାଞ୍ଚ ବର୍ଷର ଅବୋଧ ବାଳିକାଟି ପରି ଦୁଇହାତ ଟେକି ନାଚି ଉଠିଲା । ସବୁ ପ୍ରଶ୍ନର ସମାଧାନ ହୋଇଛି । କିଏ ତାକୁ ଏ ଘରୁ ତଡ଼ି ପାରିବ ? ସମସ୍ତେ ତାର । ସେ ସମସ୍ତଙ୍କର । ସେ କେବଳ କନ୍ୟା ଓ ଭଗିନୀ । ସେ ଚିରଦିନ ଶିଶୁ । ସେ କାହାରି ଜନନୀ ହେବ ନାହିଁ । ଦୁନିଆଁର ପୁରୁଷ ହେବେ ତାର ବାପ, ଦାଦି ଓ ଭାଇ । ସବୁ ନାରୀ ହେବେ ତାର ମା, ଖୁଡ଼ୀ ଓ ଭଉଣୀ ।

 

କିଏ ତାକୁ ତଡ଼ିପାରିବ ଏ ଘରୁ ? ଖୁଡ଼ୀ ? ତାଙ୍କର ଗୋଡ଼ଧରି ସେ କହିବ ଦିଅ, କେତେ ଶାସ୍ତି ଦେବ । ପ୍ରାଣ ଗଲେବି ତୁଣ୍ଡ ଖୋଲିବି ନାହିଁ । ମୁଁ ତମର କନ୍ୟା । ମୋର ଆନନ୍ଦ ତୁମର ସ୍ନେହ ନୁହେଁ ଖୁଡ଼ୀ, ତମର ସେବା । ସେଇ ଅଧିକାର ମୁଁ ଚାହେଁ । ସେତିକି । ଜୀବନରୁ ମାରିଦିଅ ପଛେ, ମୋର ଅଧିକାର ଛାଡ଼ି ମୁଁ ଏ ଘରୁ ଯିବି ନାହିଁ, ଯିବି ନାହିଁ-

 

ମନ ଆନନ୍ଦରେ ଘର ଭିତରକୁ ଫେରିଆସିଲା, କବାଟ କିଳିଲା । ନିଘୋଡ଼ ନିଦରେ ରାଈ ଘୁଙ୍ଗୁଡ଼ି ମାରୁଛି । ପରୀ ସପ ମଶିଣା ଉପରେ ଶୋଇ ରାଈକୁ କହିଲା, ଶୋଇକରି ସପନ ଦେଖୁଥା ମନ୍ଥରା, ସକାଳୁ ଉଠି ନନ୍ଦପୁରରେ କହିବୁ, ପରୀର ଆଉ ସ୍ଵୟମ୍ବର ହେବ ନାହିଁ । ସେ ଦୁନିଆଁ ଲୋକଙ୍କର ଝିଅ, ଝିଆରୀ, ଭଉଣୀ । ବାଲ୍ମିକୀ କି ବ୍ୟାସ ତା ପାଇଁ ଆଦର୍ଶ ଗଢ଼ିନାହାନ୍ତି । ପରୀ ନିଜର ଆଦର୍ଶ ନିଜେ ଗଢ଼ିବ–

 

ରାତି ପାହି ସକାଳ ହେଲା । ରାତିର ସିଦ୍ଧାନ୍ତ ସତେକି ସପନରେ ମିଶିଲା । ତଥାପି, କାମ କରୁ କରୁ ଗୋରତେଇ କହିଲା, ନିଜର ଆଦର୍ଶ ନିଜେ ଗଢ଼ିଲେ ପଥର ପାଣି ହେବ । ସୁମତିଙ୍କୁ ଅସମୟରେ ଆଗରେ ଦେଖି ତାର ରକ୍ତ ପାଣି ଫାଟିଲା । ଭାବିଲା, ସେ ଯଦି କହନ୍ତି, ଏ ଘରେ ତୋର ସ୍ଥାନ ନାହିଁ, ସେ କଣ କରିବ, ଗୋଡ଼ ଧରି ନେହୁରା ହେଲେ ସେ ଯଦି ନ ଶୁଣନ୍ତି?

 

ପରୀର ଦେହରୁ ଝାଳ ଫିଟିପଡ଼ିଲା ।

 

ସୁମତି ପଚାରିଲେ ଗୀତ ବୋଲୁଥିଲୁ ତ ବନ୍ଦ କଲୁ କାହିଁକି ? ତୋ’ର ଗୀତ ଶୁଣିବାକୁ ମୁଁ ଉଠିଆସିଲି।

 

ପରୀ ଡରି ଡରି ଉତ୍ତର ଦେଲା, ସବୁ କାମ ଶେଷ କରି ଆସିଥିଲି । ମୋ ପାଟି ସେ ଘରକୁ ଶୁଭିବ ବୋଲି ମୁଁ ଜାଣି ନ ଥିଲି ଖୁଡ଼ୀ । ମତେ କ୍ଷମାକର । ଆଉ କେବେ ଗୀତ ବୋଲିବି ନାହିଁ ।

 

ଗୀତ ବୋଲିବୁ ନାହିଁ ?

 

କହୁ କହୁ ସୁମତି ଘର ଭିତରକୁ ପଶିଆସିଲେ । ଦେଖିଲେ, ପରୀର ମୁହଁ ମଳିନ ଦିଶୁଛି । ଦେହରୁ ଫିଟି ପଡ଼ିଛି ସ୍ୱେଦ । ମଣିଲେ, ସତେ କି ସେ ଆଜି ପରୀକୁ ନୂଆ କରି ଦେଖୁଛନ୍ତି । ଲାବଣ୍ୟ ପ୍ରତିମା । ଅସଜଡ଼ା କହରିଆ ଲମ୍ବିଲା କେଶରେ ଜନମ କାଳରୁ ତେଲ ଟିକେ ଲାଗିନାହିଁ । ଆଖି ଛୁଇଁନାହିଁ କଜ୍ଜ୍ୱଳର ରେଖା । ଭ୍ରୁଲତା ମଝିରେ କପାଳ ଉପରେ ଛୋଟ ସିନ୍ଦୁର ଟୋପାଟି ଧୋବ ଫରଫର ଚିକ୍କଣ କପାଳରେ କି ଶୋଭା ଦିଶନ୍ତା । ଆଉ ଦେହରେ ଯଦି ତେଲ ହଳଦୀ ଟିକେ ବାଜନ୍ତା, ଶଙ୍ଖାବିଲେଇ ଡାକିବାକୁ କାହାରି ଜିଭ ଓଲଟନ୍ତା ନାହିଁ । ଦେହରେ ଗହଣା ଦିଖଣ୍ଡ ଖଞ୍ଜିଦେଲେ, ପାଦରେ ଟିକେ ଅଳତା ମଣ୍ଡିଲେ, ଭଲ ଶାଢ଼ୀ ଖଣ୍ଡ ପିନ୍ଧାଇଦେଲେ ଲକ୍ଷ୍ମୀଟିଏ ପରି ସେ ଦିଶନ୍ତା । କାହାର ସାହସ ହୁଅନ୍ତା କହିବାକୁ, ପରୀ ଏ ଘରର ଝିଅ ନୁହେଁ, ଏ ଘରର ଦାସୀ ?

 

ସୁମତି ପରୀର ହାତ ଧରିଲେ । ନଙ୍ଗଳା ହାତ । ସେଦିନର ପ୍ରହାରରେ କାଚ ଭାଙ୍ଗି ତାର ହାତରେ ପଶି ରକତ ଝରିଥିଲା । ପରୀର ସାରା ଦେହ ଥରି ଉଠୁଛି । ସତେକି ସେ ଅଜାଡ଼ିହୋଇ ତଳେ ପଡ଼ିବ । ଦୁଇ ଆଖିରୁ ଦୁଇଧାର ଲୁହ ଝରିପଡ଼ୁଛି ।

 

ପରୀ ଥରି ଥରି ତଳେ ବସିପଡ଼ିଲା । ରାତି ଅନିଦ୍ରା ଓ ନିଦର ଅକ୍ଲାନ୍ତ ପରିଶ୍ରମ ଦେହ ଓ ମନକୁ ଦୁର୍ବଳ କରିଥିଲା । ଯେତେ ଯାହା ସିଦ୍ଧାନ୍ତ କଲେ ମଧ୍ୟ ଆସନ୍ତା ବିପଦରେ ଚିନ୍ତା ତାକୁ ବିବ୍ରତ କରି ପକାଇଥିଲା । ସେ ସୁମତିଙ୍କର ଦୁଇ ପାଦରେ ମୁଣ୍ଡ ଲଗାଇ କଇଁ କଇଁ ହୋଇ କାନ୍ଦିଉଠିଲା । କାନ୍ଦିଲା ସ୍ୱରରେ କହିଲା, ମୋ’ର ସବୁ ଦୋଷ ମୁଁ ମାଗିନେଉଛି ଖୁଡ଼ୀ, ମତେ ତେମେ ମାରି ପକାଇଲେ ମଧ୍ୟ ମୁଁ ପାଟି ଫିଟାଇବି ନାହିଁ ।

 

ସୁମତି ପଛକୁ ଘୁଞ୍ଚିଆସିଲେ । ପରୀର କଥା ଯେପରି ତାଙ୍କ ଦେହରେ ନିଆଁଖୁଣ୍ଟା ମାଡ଼ିଲା-। କଣ୍ଠ ରୁଦ୍ଧ ହୋଇଆସିଲା । ସତେ, ଦାସୀ କନ୍ୟା ହେଲେ ମଧ୍ୟ ସେ ଝିଅଟିଏ । ତାଙ୍କ କୋଳରେ ଝିଅ ବକଟେ ଜନମି ନାହିଁ ବୋଲି କୁଆଁରପୁନେଇଁ ରାତିରେ କେଉଁ ଖଞ୍ଜାରୁ ଭାସି ଆସୁଥିବା କୁଆଁରପୁନେଇଁ ଗୀତକୁ ସେ କାନ ଦେଇ ଶୁଣନ୍ତି । ଛାତି ଥରାଇ କୋହ ଉଠେ । ରଜପରବରେ ଯେତେ ଘରୁ ପୋଡ଼ ପିଠା ଓ ପାନ ଆସେ, ରଖି ଧାରୁଆ ହୁଅନ୍ତି ସିନା, କିଛି ସେ ଛୁଅନ୍ତି ନାହି । ଖୁଦୁରୁକୁଣୀ ଓଷା ଆସିଲା ବୋଲି ପାହାନ୍ତା ପହରେ ପୋଖରୀ ତୁଠରୁ ଆସୁଥିବା ହୁଳୁହୁଳୁ ହିଁ ଜଣାଇଦିଏ ମନ ହାହାକରି ଉଠେ । ଆହା ବିଦୁରଟି ଯଦି ଝିଅ ହୋଇଥାନ୍ତା...

 

ପରୀ ବି ତ ଝିଅଟିଏ । କଥା ଅକଥାରେ ପିଲାଟି ଦିନରୁ ଆଜିଯାଏ ମାଡ଼ ଗାଳି ଗଞ୍ଜଣା ସହିଛି । ପାଟି ଫିଟାଇ ନାହିଁ । ଛଳ କରିନାହିଁ ମନର ଦୁଃଖ କାହାରି ଆଗରେ ପ୍ରକାଶ କରିନାହିଁ । ହସିହସିକା ପାହାନ୍ତା ପହରୁ ଉଠି ରାତି ଅଧାଯାଏ ଲୋଟିଣିପାରା ପରି କାମରେ ଲୋଟିଯାଇଛି । କାମର ଭିଡ଼ ଭିତରେ ନିଃଶ୍ୱାସ ମାରିବାକୁ ଯେଉଁ ଟିକକ ବେଳ ପାଇଛି, ସେତକ ସେ ବୃଥାରେ କଟାଇ ନାହିଁ । ନିଜେ ପଢ଼ି ଶିଖୁଛି । କେତେ ଜାତିର ଛୁଞ୍ଚିକାମ ଜାଣିଛି । ଭଗବାନ ତାକୁ ବିଚକ୍ଷଣବୁଦ୍ଧି ଦେଇଛନ୍ତି । ହସେଇ ଖେଳେଇ ସେ ବିଦୁରକୁ କେତେ ପାଠ ପଢ଼ାଇ ପାରିଛି ।

 

ଝିଅଟିଏ ତ । ସବୁ ଝିଅ ସମାନ । ପେଟରୁ ଜନମ ଲଭି ଯେଉଁ ଝିଅଟି ଅତି ଅଲିଅଳି ହୋଇ ବଢ଼ିଥାଏ, ଆଜି ନ ହେଲେ କାଲି, ସେ ବି ମାୟାର ଡୋରି ଛିଣ୍ଡାଇ ଆଖିରୁ ଲୋତକ ଗଡ଼ାଇ ପର ଘରକୁ ଯାଏ । ଭୋଗଭାଗ୍ୟରେ ବଢ଼ିଲା ଝିଅ ପରଘରେ ଧାନ ଉଷୁଆଁଏ ! ପତର ସଉରୁଣୀର ଭୋକଉପାସରେ ବଢ଼ିଲା ଝିଅ ବି ରାଜରାଣୀ ପରି ସୁଖରେ ରହେ । ପରଘର କଥା କିଏ କହିପାରିବ ? ପରୀଟି କି ଘର ଝିଅ, କାହାର ଝିଅ କେହି ଜାଣନ୍ତି ନାହିଁ । ସେଇଥିପାଇଁ ମନରେ ଅଜାଣତରେ ଜାଗେ ଘୃଣା । ଯେତେ ଯାହା ସେ କଲେ ମନ ତା ଉପରେ ଚିଡ଼ିଉଠେ । ଜୀବନଟା ବି ଅଶାନ୍ତି ହୁଏ । ଛଟପଟ ହୋଇ ସମୟ କାଟେ ।

 

ତାଙ୍କର ସବୁ ଦୁଃଖ ଓ ଅଶାନ୍ତି ପାଇଁ ସେ ନିଜେ ସିନା ଦାୟୀ, ପରୀ ନୁହେ କି ଆଉ କେହି ନୁହେଁ । ଏବକାର ଦୁନିଆଁରେ ଏଇ ନନ୍ଦପୁରରେ କେତେ ନୂଆ କଥା ଘଟିଗଲାଣି । ଦେବା କଥା ତ ସାତସପନ, କାନ ଯାହା କେବେ ଶୁଣି ନ ଥିଲା, ସବୁ ତ ଆଖି ଆଗରେ ନାଚୁଛି । ଜାତି ଧର୍ମ କଥା କିଏ ଧରିବସିଛି ? ଅଡ଼ୁଆ ଅଡ଼ୁଆ ଲାଗେ ବୋଲି ନୂଆ କଥାଟିଏ ଘଟିଲେ ସମସ୍ତେ ପାଟିତୁଣ୍ଡ କରିଉଠନ୍ତି । ପାଟି ଘୋଳିହେଲେ ବଲବଲ କରି ଅନାଇ ରହନ୍ତି ।

 

ପରୀର ହାତ ଧରି ତଳୁ ଉଠାଇଲେ, ଆେଲା, ଝିଅ ବୋଲି ପଦେ କହଲେ ନୂଆକଥା ହେବ ନାହିଁ । ହାଡ଼ିଘର ଝିଅ କାହାଘର ବୋହୂର ଧର୍ମଝିଅ ହୋଇ ଝିଅର ସ୍ନେହ ପାଏ, ଦାବୀ କରେ ତ ।

 

ପରୀ ହେବ ତାଙ୍କର ଝିଅ । ମନରୁ ଘୃଣାଭାବ ଦୂରେଇଯିବ । ରାଈ ପରି ଯେତେ, ମନ୍ଥରା ଆସି ତୁନି ତୁନି କାନ ପାଖରେ ସନ୍ଦେହ କଥା କହିଲେ ବି ମନରେ ସନ୍ଦେହ ହେବ ନାହିଁ ।

 

ପରୀ ସୁନାମୁଣ୍ଡା । ଅଯତ୍ନ, ହତାଦର, କରଛଡ଼ା ସତ୍ତ୍ୱେ ଯାହାର ମନରେ କଳଙ୍କ ଲାଗିନାହିଁ, ତାକୁ ଝିଅ କରି ବସାଇଲେ, ଝିଅର ଆଦର ସ୍ନେହରୁ କଣିକାଏ ଦେଲେ, ସେ ମଧ୍ୟ ଝିଅର ସମ୍ମାନ ରକ୍ଷା କରିବ । ଏଇ ଦୁଆରେ କୁଆଁରୁ ପୁନେଇଁ ରାତି ଆଗରୁ କେତେ ସଞ୍ଜରେ ଗାଁ ଝିଅଙ୍କର ମେଳ ହେବ । ଜହ୍ନିଫୁଲପରି ଉଜ୍ଜ୍ୱଳ, ସୁନ୍ଦର ଝିଅଟିମାନଙ୍କର ମେଳ ଦେଖି ଆଖି ପୂରିଉଠିବ । ରଜ, ଖୁଦୁରୁକୁଣୀରେ ଏ ଘରେ ହେବ ଗହଳ ଚହଳ । ଏ ଘରେ ନୂଆ ଜୀବନ ଖେଳି ଉଠିବ ।

 

କୁବେର ଠିକ୍ କଥା କହିଛନ୍ତି । ପରୀ ତାଙ୍କର ଭଉଣୀ, ଅବିକଳ ବିଦୁର ଯେପରି ସୁମତିଙ୍କର ପୁଅ ।

 

ପାଦତଳେ ମଥା ଲଗାଇ ଲୋଟୁଥିବା ଝିଅଟିକୁ ଚାହିଁ ସୁମତିଙ୍କର ମନ କହିଉଠିଲା । ସେ ବି ତାଙ୍କର କନ୍ୟା, ଅବିକଳ ବିଦୁର ଯେପରି ତାଙ୍କର ପୁତ୍ର ।

 

ସବୁ ସ୍ନେହ ଯେଉଁ କନ୍ୟାଟି ଉପରେ ଢାଳି ଦେଇଥିଲେ ପର ଘରକୁ ଯିବାଯାଏ, ସେ କୁନ୍ତଳା, ଝିଅ ହୋଇ ପାରି ନ ଥିଲା । ହୋଇଥିଲା ଝିଆରୀ । ପରଘରକୁ ଯାଇ ସେ କେବେ ସ୍ନେହର କାଣିଚାଏ ସୁଝାଇ ପାରିନାହିଁ । ପଠାଇଛି କେବଳ ଅଭିଯୋଗ, ଅଭିମାନ, ଉପଦେଶ !

 

ପାଦତଳେ ଲୋଟି ଆଖିରୁ ଲୋତକ ଝରାଇ କ୍ଷମା ମାଗୁଥିବା କନ୍ୟାଟିକୁ ତଳୁ ଉଠାଇ ଆଦର କରି କଣିକାଏ ସ୍ନେହ ଦେଲେ ସେହି ଏକା ପେଟର ଝିଅ ହୋଇପାରିବ ।

 

ଛଳଛଳ ସୁମତି ନଇଁପଡ଼ି ପରୀର ହାତଧରି ଉଠାଇ କହିଲାବେଳେ ପାଟିରେ କଥା ଅଟକି ଯାଉଥାଏ, ଉଠ, ଉଠ, ଉଠ ଲୋ ପରୀ...।

 

ପରୀ ଉଠି ଠିଆ ହେଲା । ଲୋତକର ବାଦଲ ଫାଙ୍କରେ ଚାହିଁ ଦେଖିଲା, ସୁମତିଙ୍କ ଆଖିରେ ମଧ୍ୟ ଲୁହ ଛଳ ଛଳ ହେଉଛି । ଅଜଣା ଭୟରେ ତାର ଦେହ ଥରିଉଠିଲା । ଛାତି ଥରାଇ ଛୁଟିଲା ଦୀର୍ଘଶ୍ୱାସ ।

 

ଭାବିଲା, କୁବେରର ଟାଣ କଥାର ପ୍ରଭାବ ଏବେବି ତାଙ୍କ ମନରେ ଘାଣ୍ଟି ହେଉଛି । ଭୁଲି ପାରିନାହାନ୍ତି । ସେ ବିରକ୍ତ ହୋଇ ପରୀକୁ ଟାଣକଥା କହି କି ପ୍ରହାର କରି ଶାସନ କରିବାକୁ ଆସି ନାହାନ୍ତି, ଆସିଛନ୍ତି ଶେଷ କଥା ଶୁଣାଇ ଯିବାକୁ, ତୁ ଏଥର ଏ ଘରୁ ଚାଲି ଯା ପରୀ, ତୋ ପାଇଁ କାହିଁକି ଆମର ସୁଖର ସଂସାରରେ ଅଶାନ୍ତିର ନିଆଁ ଜଳିବ ?

 

ସୁମତି ମୁହଁ ଖୋଲିଲେ, ପରୀ–

 

ସେତିକି । ଆଉ ସେ କହିପାରୁ ନାହାନ୍ତି । ଏତେଦିନର ବନ୍ଧନ ଛିଣ୍ଡାଇ ଚାଲିଯିବାକୁ ଆଦେଶ ଦେବାକୁ ସତେ କି ତାଙ୍କର ଜିଭ ଓଲଟୁ ନାହିଁ ?

 

ପରୀର ଆଖି ଆଗରେ ଦୁନିଆଁ ଦିଶିଲା ଅନ୍ଧକାର । ସବୁ ସିଦ୍ଧାନ୍ତ, ସବୁ ଉତ୍ତେଜନା ସେହି ମହାଅନ୍ଧକାର ଭିତରେ ବିଲୟ ଭଜିଲା । ସେ ମଣିଲା, ଅତୀତ ବୋଲି ତାର ଗୋଟାଏ କିଛି ନାହିଁ । ଦୁନିଆଁର ଶତ ସହସ୍ର ଅନାଥିନୀମାନଙ୍କ ପରି ସେ ବି ଜଣେ ଅନାଥିନୀ । ମୁହୁର୍ତ୍ତକରେ, ଆଖି ଆଗରେ କେତେ ନିରାଶ୍ରୟା ! ନିଃସହାୟା ତାଆରି ଆଡ଼କୁ ଅନାଇଁ ଅନାଇଁ ଚାଲିଗଲେ । କାହାରି ଆଖିରେ ଲୁହ ନାହିଁ । ସଭିଙ୍କ ଆଖିରେ ହତାଶା, ଅଭିଯୋଗ ଓ ଅଭିଶାପ । ସେମାନଙ୍କର ଏତିକି ମାତ୍ର ସମ୍ବଳ । ପରୀ ସେଇ ଲକ୍ଷ ଲକ୍ଷ ନିଃସହାୟାଙ୍କ ମଝିରେ ନିଜକୁ ଜଣେ ବୋଲି ଅନୁଭବ କଲା-

 

ହାତ ପିଠିରେ ଆଖିର ଲୁହ ପୋଛି, ବିଳିବିଲେଇଲା ପରି ସେ କହିଉଠିଲା, ମୁଁ କାହାରି କେବେ କିଛି ଅନିଷ୍ଟ କରିନାହିଁ । କାହା ଘରେ ଅଶାନ୍ତି ଆଣିବାକୁ ବି ମୁଁ ଚାହେଁ । ସମସ୍ତଙ୍କୁ ମୁଁ ସ୍ନେହ କରିଛି । କାହାରି ସ୍ନେହ ଆଦରର କାଣିଚାଏ ମୁଁ ଧାରି ନାହିଁ । ମୋ ପାଇଁ କାହିଁକି କାହାରି ଆଖିରୁ ଲୁହ ଝରିବ ?' ମୋତେ ବିଦାୟ ଦିଅ, ମୁଁ ଚାଲିଯିବି ଖୁଡ଼ୀ, ମୋର କାହାରି ପାଖରେ କୌଣସି ବିଷୟରେ ଓଜର ଆପତ୍ତି କରିବାକୁ ନାହିଁ ।

 

ସୁମତି ଚମକି ଉଠିଲେ । ଏ କଅଣ କହୁଛି ? ସେ ଚାଲିଯିବ ? କାହାର କୁଶିକ୍ଷାରେ ପଡ଼ି ଏତେବଡ଼ ସାହସିଆ କଥା କହିଲା । ନିଜକୁ ଯଦି ଏ ଘରର ଝିଅ ବୋଲି ସେ ମଣୁଥାଆନ୍ତା ଏ ଘରୁ ମା ଗୋଡ଼ ପାଦକୁ ଯିବାର ଭାବନା ତା ମନକୁ ଆସନ୍ତା ନାହିଁ । ପଦାକୁ ଗୋଡ଼ କାଢ଼ିବାର ଧାରଣା ଯେତେବେଳେ ତାର ମନରେ ପଶିଲାଣି କୋଳରେ ବସାଇଲେ ବି ସେ ଆଉ ଝିଅ ହୋଇପାରିବ ନାହିଁ । ଯାହାର ଇଚ୍ଛା ସେ ଯାଉ । କାହାରି ପାଇଁ ଅନ୍ୟ କାହାରି ସଂସାର ଅଚଳ ହୁଏ ନାହିଁ ।

 

ଯେଉଁ ଆଖିରୁ କରୁଣା ଓ ସହାନୁଭୂତିର ଲୋତକ ଝରୁଥିଲା, ଲୋତକର ଧାର ନ ଶୁଖୁଣୁ ସେଇ ଆଖି ଦିଟାରେ ଜଳିଉଠିଲା ବିରକ୍ତିର ଆଲୁଅ । ଘୃଣାରେ ନାକପୁଡ଼ା ଫୁଲି ଫୁଲି ଉଠିଲା ।

 

କହିଲା, ମୋର ଅନୁମତି ଲୋଡ଼ୁଛୁ କାହିଁକି ଲୋ ? ମୁଁ ଏ ଘରର କିଏ ? ଯିଏ ଭଉଣୀ ବୋଲି ଧାଇଁ ଆସି ଉପରେ ପଡ଼ି କଜିଆ କରୁଥିଲେ, ତାଙ୍କରି ଅନୁମତି ନେଇ ତୁ ଯା । ତାଙ୍କରି ବାପେ ତୋ ନାମରେ ଜମି ଦୁଇମାଣ ଲେଖି ଦେଇଛନ୍ତି, ତିନିହଜାର ଟଙ୍କା ଜମା କରିଯାଇଛନ୍ତି । ଧନ ଦେଇ ତତେ ସେ କିଣି ରଖିଛନ୍ତି ।

 

ପରୀର ମନ ଘରୁ ବାହାରି ପଦାରେ ଭ୍ରମିବାକୁ ଲାଗିଲା । ଚାରି ଦଉଡ଼ି ତାର ଛିଣ୍ଡିଛି । ଆଖି ଆଗରେ ଆଉ କେହି ଦିଶୁନାହିଁ ଏ ଘରେ । ମନ କହୁଛି, ସତେ ଏ ତାର ଘର ନୁହେଁ, କଏଦୀଖାନା । ଏଇଠି ବାର କି ତେର ବରଷ ହେବ ସେ ବନ୍ଦିନୀ ହୋଇପଡିଛି । ସମସ୍ତଙ୍କର ମନ ନେବାକୁ ଜୀବନ ପଣ କରି ପରିଶ୍ରମ କରିଛି । କାହାରିକୁ ସେ ଆପଣାର କରିପାରି ନାହିଁ । ଶଙ୍କରବାବୁଙ୍କର ସେ ସେବା କରିଥିଲା । ସେଇଥିପାଇଁ ସେ ତାକୁ ଧନ ଦେଇଯାଇଥିଲେ । ଆଉ କାହାଠାରୁ ସେ କଅଣ ପାଇଛି ?

 

ଆଗରେ ଠିଆ ହୋଇଛନ୍ତି ଖୁଡ଼ୀ- ଚିରଦିନ ତାଙ୍କର ଅତ୍ୟାଚାର ସହିଛି । ତଥାପି ଛଳ କରିନାହିଁ । ସେଇ ଆଜି ଆଗରେ ଠିଆହୋଇ ପୁଣି ନାଲିଆଖି ଦେଖାଇ କହୁଛନ୍ତି, ହକ ଧନ ଦେଇ ସେ ପରୀକୁ କିଣିଛନ୍ତି । ସେ କାହାରି ଧନ କେବେ ଗ୍ରହଣ କରିନାହିଁ । ଯେଉଁଠି ସେ ମନ ପାଇନାହିଁ ସେଇଠି ସେ ବାନ୍ଧି ହୋଇ ରହିବ ନାହିଁ । ସେ ହେବ ନାହିଁ କଏଦୀଖାନାର ସ୍ଵାଧୀନ ଜୀବ । ମକରଙ୍କର ସ୍ନେହର ଅର୍ଥ ସେ ବୁଝିପାରେ ନାହିଁ । ଆଲୋ ମାର କଅଁଳ କଥା ଖୁଡ଼ୀଙ୍କର ସନ୍ଦେହ, ଘୃଣା ଓ ଅତ୍ୟାଚାରରୁ ତାକୁ ବଞ୍ଚାଇ ପାରିନାହିଁ । ଆଉ କୁବେର... !

 

ମନରେ କୋହ ଉଠିଲା । ଛାତି ଥରାଇ ଛୁଟିଲା ଦୀର୍ଘଶ୍ୱାସ । ସେ ଅବୋଧ । ସେ ଭୟାଳୁ । ଭଉଣୀ ବୋଲି ମନରେ ଯଦି ଦୃଢ଼ଧାରଣା ସେ ପୋଷିଥିଲେ, ତୁଣ୍ଡରେ ସେକଥା ପ୍ରକାଶ କରି ଏଡ଼େ ଦୁଃଖି ଓ ଅନୁତପ୍ତ ହୋଇ ପଡ଼ିଛନ୍ତି କାହିଁକି ? ତାଙ୍କର ଢଙ୍ଗରୁ, ବ୍ୟବହାରରୁ ପରୀ ବୁଝିଛି, କୁବେର ତାକୁ ମୁହୁର୍ତ୍ତେ ପାଖରେ ରହିବାକୁ ଅନୁମତି ଦେବାକୁ ଚାହାନ୍ତି ନାହିଁ । ପଦଟିଏ କଥା ନ କହି ଚାଲିଯିବାକୁ ସେ ନିର୍ଦ୍ଦେଶ ଦିଅନ୍ତି । କଅଣ ତାଙ୍କର ମନରେ ଅଛି ? କେଜାଣି ବା ପରୀ ତୁଣ୍ଡର ଭାଇ ଡାକ କୁବେରଙ୍କ ମନର ଅନ୍ଧାରି ଗୁହାରେ କେବଳ ପ୍ରତିଧ୍ୱନି ଆଣିଛି, ଭଉଣୀ ! କିନ୍ତୁ, ସେ ଅନ୍ଧାରି ଗୁହାର ପେଟରେ କଅଣ ଲୁଛିଛପି ଆତଜାତ ହେଉଛି ସେ ଜାଣେ ନାହିଁ ।

 

ଜାଣିବାକୁ ଚାହେ ନାହିଁ । ଏଇ କାରାଗାରର ବାହାରେ ଅଛି ମୁକ୍ତ ଆକାଶ, ମୁକ୍ତ ଅଲୋକ, ମୁକ୍ତ ବାୟୁ । ଯୁଆଡ଼େ ଚାହିଁଲେ ମୁକ୍ତ ପଥ । ବାଟକଡ଼ ଗଛମୂଳେ ବସି ସେ ମନଖୋଲି ହସିପାରିବ । ଭୋକର ଜାଳାରେ ଛାଟପଟ ହେଲେ ମନଖୋଲି ଚିତ୍କାର କରି କାନ୍ଦିପାରିବ । ଯେଉଁ ଘରକୁ ସେ ନିଜର କରିପାରି ନାହିଁ ସେଇ କାରାଗାରରେ ତାର କାନ୍ଦିବାର ସ୍ଵାଧୀନତା ନାହିଁ । ହସିବାର ସ୍ଵାଧୀନତା ନାହିଁ । ପରର ଧାର ଧରି ଚଳାଇବାକୁ ପ୍ରତି ମୁହୂର୍ତ୍ତରେ ମନକୁ ବାନ୍ଧିରଖୁଛି । କାହାରିକୁ ସେ ଆପଣାର କରିପାରି ନାହିଁ । ନିଜକୁ ଅନ୍ୟର କରି ସେ ସମର୍ପି ଦେଇଛି, ସେବା କରିଛି ।

 

ସେବା ଯଦି କରିବାକୁ ହୁଏ, ଯେଉଁମାନଙ୍କର ଦୁନିଆଁରେ କେହି ନାହିଁ ସେମାନଙ୍କର ପାଦରେ ହାତ ନ ଦେବ କାହିଁକି ? ସେଇମାନେହିଁ ଲୋଡ଼ନ୍ତି ସେବା । ଏମାନେ ନୁହଁନ୍ତି, ଯେଉଁମାନେ ଧନ ଦେଇ ସେବା ଓ ସ୍ନେହ କିଣିପାରିବେ । କାହିଁକି ସେ କାହାର ଅନୁମତି ଲୋଡ଼ିବ-? ସେ ପଦାକୁ ଯିବ । ସେ ସ୍ଵାଧୀନ ହେବ । ସେ ଦୁନିଆଁ ଲୋକଙ୍କର କନ୍ୟା, ଦୁନିଆଁଲୋକଙ୍କର ଭଉଣୀ ।

ଆଖିରୁ ଧାର ଧାର ଗଡ଼ି ଆସୁଛି ଲୋତକ । ଗୋଟିଏ ଯୁଗର ରୁଦ୍ଧ ବେଦନାର ପାହାଡ଼ ଆଜି ତରଳି ଲୋତକର ପ୍ରବାହ ହୋଇଛି । ତଥାପି ପରୀ ହସି ଉଠିଲା । ଉତ୍ତେଜିତ ହୋଇ କହିଉଠିଲା, ଧନ ଦେଇ କେହି କାହାକୁ କିଣିପାରେ ନାହିଁ ଖୁଡ଼ୀ । ଧନ ପାଇଁ ମୁଁ ଏ ଘରେ ବାନ୍ଧିହୋଇ ପଡ଼ି ନ ଥିଲି । ମୁଁ ଖୋଜିଥିଲି ମନ, ଟିକିଏ ସ୍ନେହ । ମୁଁ ଦାସୀ ଝିଅଟିଏ, ଛତରଖାଇ । ଖୁଡ଼ୀ, ଦୁନିଆଁରେ କାହାରି ମନ ପାଇବା, ସ୍ନେହ ପାଇବା ମୋ ପକ୍ଷରେ ସମ୍ଭବ ନୁହେଁ । ମୁଁ ଏହା ବୁଝିପାରିଛି । କାହାରି ଦୋଷ ମୁଁ ଦେଉନାହିଁ । କାହାରି ଉପରେ ମୋର ରାଗ ରୋଷ କି ଅଭିମାନ ନାହିଁ । ମୋ ପାଇଁ ଏ ଘରେ ଅଶାନ୍ତି, ଅସନ୍ତୋଷ ସୃଷ୍ଟି ହେବ ଏକଥା ମୁଁ ସହିପାରିବି ନାହିଁ । ମୁଁ ଚାଲିଯିବି ।

ପରୀ–

ହଁ ଖୁଡ଼ୀ, ମୁଁ ଚାଲିଯିବି ଦୁନିଆଁ ବାହାରକୁ – ସେଇଠି ମୋର ମା ! ମୁଁ ଦାସୀ ଝିଅ । ମୁଁ ଛତରଖାଇ । ମୋର ଜାତିଗୋତ୍ର ପିତାମାତା ଜଣାନାହିଁ । ତଥାପି ମୁଁ ଜନମିଛି ମୋର ମା ଅଛି । ବାଟ କଡ଼ କେଉଁ ଗଛମୂଳରେ ସେ ପଡ଼ି ମୋର ସେବା ଖୋଜୁଛି । ସମସ୍ତେ ମୋର ବାପ ମା ଭାଇ ଭଉଣୀ । ସେମାନଙ୍କର ଗୋଡ଼ରେ ହାତ ମାରିଲେ, ତୁଣ୍ଡରେ ପାଣି ମନ୍ଦିଏ ଦେଲେ ମୁଁ ପ୍ରଚୁର ସ୍ନେହ ପାଇବି । ମୁଁ ଧନ ଲୋଡ଼େ ନାହିଁ, ମାନ ଲୋଡ଼େ ନାହିଁ । ମୁଁ ଲୋଡ଼େ ଟିକିଏ ମନ । ମୋତେ ବିଦାୟ ଦିଅ –

ସୁମତି କଟମଟ କରି ପରୀର ମୁଁହକୁ ଚାହିଁଲେ । ବୁଝିଲେ, ସେ ଯାହା କହୁଛି କେବଳ ତୁଣ୍ଡରେ କହୁନାହିଁ । ମନହିଁ ତାର ମୁଖର ହୋଇଛି ।

ସେ ଚାଲିଯିବ ?

ପରୀ ଏ ଘରୁ ବାହାରି ପଦାକୁ ଚାଲିଯିବ ?

କାହା ପାଇଁ ?

କାହିଁକି ?

ସେକଥା ହେଇପାରିବ ନାହିଁ । କଥା ଅକଥାରେ ପରୀକୁ ସେ ଆକଟିଛନ୍ତି । ତା ବୋଲି କ’ଣ ତା ପାଇଁ ତାଙ୍କ ହୃଦୟରେ ସ୍ଥାନ ନାହିଁ । କିପରି ସେ ଛୁଆ ବକଟରୁ ଏଡ଼େଟିଏ ହେଲା ? ସେ ଏ ଘରୁ ପଦାକୁ ଗୋଡ଼ କାଢ଼ିଲେ ଦୁନିଆଁର ଲୋକେ କଅଣ ଭାବିବେ କି କହିବେ ସେକଥା ସୁମତିଙ୍କ ମନରେ ପଶିଲା ନାହିଁ । ପରୀ – ଯିଏ କେବଳ ସହିଛି, ପଦେ କହିନାହିଁ, ଦାଣ୍ଡକୁ ଓହ୍ଲାଇ ସେ କଅଣ କରିବ ?

ଆଗରେ ସେ ଠିଆ ହୋଇଛି । ଦୁଃଖ ଅଭିମାନରେ ମୁହଁ ମରଉଳିଥିଲେ ବି ଦିଶୁଛି ସାକ୍ଷାତ୍‍ ଦେବୀମୂର୍ତ୍ତି ପରି । ମନରେ କୂଟ କପଟ ନାହିଁ । ସରଳତାର ଅବତାର, ଶୁଦ୍ଧ ସୁବର୍ଣ୍ଣ ପରି ନିଷ୍କଳଙ୍କ ।

ପରୀକୁ ସେ ଆପଣାର କରିପାରିବେ ନାହିଁ ? ସେ ଚାଲିଗଲେ ସତେକି ଏ ଘରୁ ଆଲୁଅ ଲିଭିବ ।

ସୁମତି ପରୀର ହାତ ଧରିଲେ । ଦୁଇ ଆଖିରୁ ଝରି ଆସିଲା ଲୁହ । ମନର ସନ୍ଦେହ ସବୁ ଅଭିମାନ ଲୋତକ ଜଳରେ ନିଗିଡ଼ି ପଡ଼ିଲା । ସେ ବାତୁଳ ପରି ପରୀକୁ ଆଲିଙ୍ଗନ କଲେ । କପାଳରେ ଓ ଗଣ୍ଡରେ ଚୁମ୍ବନ କଲେ । ଆଖିର ଲୁହ ଆଖିରେ ମିଶିଲା ।

କହି ଉଠିଲେ, ଆଲୋ, ଆଲୋ, କିଏ କହିଲା ତୁ ଦାସୀ ଝିଅ, ଛତରଖାଇ ? କୋଉ ଜନ୍ମରେ ସିନା ଥିଲୁ, ଏ ଜନ୍ମରେ ତୁ ମୋ’ରି ଝିଅ ଲୋ । ତା ନୋହିଲେ ଏତେ ସେବା କରନ୍ତୁ, ଏତେ ସ୍ନେହ କରନ୍ତୁ, ଏତେ ଗାଳିମାଡ଼ ସହନ୍ତୁ ? କାହା ଧିଅରେ ଟିପ ଛୋଇଁବାକୁ କେବେ ମୋର ବଳ ପାଇଛି ?

ଖୁଡ଼ୀ–

ଆଉ କହନା । ତୁନି ହ । ତୋ କଥା ମୁଁ ସହିପାରିବି ନାହିଁ । ବାରବରଷ କାଳ ତୋର ସେବା, 'ତୋର ସ୍ନେହ ମୁଁ ଧାରିଛି । ବଞ୍ଚିଥିବା ଯାଏ ସେତକ ମୁଁ ସୁଝାଇ ପାରିବି ନାହିଁ । ହାତପାତି ଅଜ୍ଞାନ ବାଳୁତ ବିଦୁରକୁ ମୁଁ ମାଗି ନେଇଥିଲି । ହାତଧରି କୋଳକରି, ତୋ’ପରି ଝିଅକୁ ମୁଁ ଟାଣି ନେଉଛି । ବିଦୁର ଯେମିତି ମୋର, ତୁ ସେମିତି ମୋର । ତୁ ମୋର ଆଗ, ସେ ମୋର ପଛ । ଆ-

ଯନ୍ତ୍ରଚାଳିତ କଣ୍ଢେଇ ପରି ପରୀ ସୁମତିର ପଛେ ପଛେ ପଦାକୁ ଆସିଲା । କଅଣ ସେ କହିଲା, କଅଣ ସୁମତି ଉତ୍ତର ଦେଲେ, କାହିଁକି ସେ ଗେଲ କଲେ, ହାତ ଧରି ନେଉଛନ୍ତି, ସବୁ ଯେପରି ତାକୁ ପ୍ରହେଳିକା ପରି ବୋଧହେଲା ।

 

ବାହାରେ, ଦିନର ଆଲୁଅ ମହଳନ ପଡ଼ିଲାଣି । ପିଢ଼ା ଉପରେ କେତୋଟି ଶୁଭ କାଉ ବସି ବୋବାଳି ଛାଡ଼ିଛନ୍ତି ।

 

ପାଟି ନାଲି କରି ହସ ହସ ହୋଇ ରାଈ ସେ ଖଞ୍ଜାରୁ ଆସୁଛି । ଗାଁ ବୁଲି ଯାଇଥିଲା । ମିଛ ସତ କେତେ ସମାଚାର ଆଣିଥିବ ।

 

ରାଈ ଦୁଆର ମଝିରେ ଠିଆ ହୋଇ ଆବାକାବା ହୋଇ କଣେଇ ଚାହିଁଲା- ସୁମତି ପରୀର ହାତ ଧରି ନିଜ କୋଠରିକୁ ନେଉଛନ୍ତି । ତାଙ୍କର ଆଖିରୁ କେରା କେରା ଲୁହ ଝରି ପଡ଼ୁଛି । ପରୀର ଆଖିରେ ଓ ଗଣ୍ଡରେ ଲୁହ ଲାଖି ରହିଛି । ଭାବିଲା, ଏଥର ପରୀ ବୋଲ ମାନିବ, ନୋହିଲେ ଏ ଘରୁ ଏ ଗାଁରୁ ଯିବ । ତା ମନ କୁହୁଳି ଉଠିଲା ।

 

ହାତରେ ବସ୍ତାନି ଧରି ପାଟିକରି ମନ ଆନନ୍ଦରେ ବିଦୁର ଧାଇଁ ଆସୁଛି । ବସ୍ତାନି ତଳେ ପକାଇ ପରୀର ହାତଧରି ବିଦୁର କହିଲା, ପରୀ ଚାଲ, ଦେଖିବା ପ୍ରଜାପତି ।

 

ସୁମତି ଆକଟିଲେ, ସେ ତୋ’ର ଅପାରେ ବିଦୁର, ତାକୁ ଏଥର ଦେଈ ବୋଲି ଡାକିବୁ । ବୁଝିଲୁ ବାପ, ନୋଇଲେ.....

 

ସେ ଆଖି ପୋଛିଲେ ।

ସବୁ ଦୁଃଖ ସବୁ ଅଭିମାନ ଭୁଲି ପରୀ ବିଦୁରକୁ କାଖ କଲା ।

ରାଈ ବୁଝିଲା, ପୁଣି ବୁଝିଲା ନାହିଁ ।

 

କେତେ ସମାଚାର ଘେନି ନନ୍ଦପୁରର ଦୂତିକା ରାଈ ବାହୁଡ଼ି ଥିଲା । କେତେ କଳିଯୁଗର ବୁଢ଼ା, ଦରବୁଢ଼ା, ଭେଣ୍ଡିଆ କୃଷ୍ଣଙ୍କ ପ୍ରାଣ ଛଟପଟ, ଛାତି ଦକଦକ, ମନ ଛକପକ କରି ଡହଳ ବିକଳ ହୋଇ ବେଉରାକୁ ଟାକି ବସିଛନ୍ତି ।

 

ରାଈ ଫେରିଲା ନାହିଁ । ମନର କଥା ତାର ମନରେ ଗୁମୁରି ହେଲା । ପରୀର କାନରେ ଅମୃତ ଢାଳିବାକୁ ସେ ସୁଯୋଗ ପାଇଲା ନାହିଁ । ପରୀ ହାତରେ ଧରାଦେଇ ମଧ୍ୟ ଖସିଯାଇଛି । ଦୂରେଇ ଯାଇଛି । ସେ ଆଉ ସପନ ଦେଖୁନାହିଁ । ଏକୁଟିଆ ଘରେ ଅଧାରାତିର ଅନ୍ଧାରରେ ପିଲାଟାର ପିଠି ଆଉଁଶି ଦିପଦ ଭଲ ଉପଦେଶ ସାରକଥା କହିବାକୁ ହାତ ବଢ଼ାଇ ଅଣ୍ଡାଳିଲେ ହାତକୁ କଅଁଳ ଲାଗେ, ରୂମିରୁମିଆ ଲାଗେ ନିଆଁଲଗା ବିଲେଇଟା । ମ୍ୟାଉଁ କରି ବୋବାଳି ଛାଡ଼େ-। ପରୀ ନାହିଁ । ରାତି ଅଧରେ ଉଠି କେଣେ ଯାଇଛି ! ରାଈ ଧଡ଼ପଡ଼ ହୋଇ ଉଠିବସେ । ମନ କହେ, ହଁ ଏତେ ଦିନକେ ଧରାପଡ଼ିଛି–

 

ମନେ ପଡ଼ିଯାଏ । ବୁଝି ମଧ୍ୟ ଯେପରି ବୁଝିପାରେ ନାହିଁ । କଅଣ ଏପରି ହେଲା ? ପରୀ ସାନ ସାଆନ୍ତାଣୀଙ୍କ ଘରେ ଶୋଇଛି । ତା ମନ ମାରି ରାଈ ପୁଣି ଢଳି ପଡ଼େ କେତେ କାଳର ପୁରୁଣା ସପ ଉପରେ । ରାତି ପାହିଲେ ପଦାକୁ ଆସି ଦେଖେ, ବାସୀପାଇଟି ଶେଷ ହୋଇଛି ।

 

ଦୁଲୀ ଅଣ୍ଟାରେ କାନି ଭିଡ଼ି ବାରି କୂଅରୁ ଗରା ଗରା କରି ପାଣି ଓଟାରି କୂଅମୂଳ ସିମେଣ୍ଟ ଚୌବାଚାରେ ଅଜାଡ଼ୁଛି । ମନେ ପଡ଼ିଯାଏ, ଦୁଲୀ ଏ ଘରେ ପାଇଟି କରିବାକୁ ନଅ ଦିନ ହେଲା ଆସୁଛି ।

 

ଦୁଲୀ ଏଇ ନନ୍ଦପୁରର ଝିଅ ନୁହେଁ, ନନ୍ଦପୁରର ବୋହୂ, ଦୂର ଗାଆଁରେ ବାପଘର । ବାପଘରେ ତାର କେଉଁମାନେ ଅଛନ୍ତି କେହି ଜାଣେ ନାହିଁ । ଅଧାଉମରିଆ ବୋହୂଟିଏ । ସଧବା କି ବିଧବା ଆଜିଯାଏ କେହି ସ୍ଥିର କରିପାରିଲେ ନାହିଁ । ଦୁଇ ଦୁଇ ଥର ତାଆରି ନେଇ ଗାଆଁରେ ଧର୍ମ-ସଭା ବସିଲା, ତଥାପି କେହି ସିଦ୍ଧାନ୍ତ କରିପାରିଲେ ନାହିଁ । ଜଣେ ସ୍ୱାମୀ ତାର ବଞ୍ଚିଛି, ସଂସାରରେ ଆତଯାତ ହେଉଛି । ଆଉ ଜଣେ ସ୍ୱାମୀ ଚାରି ବରଷ ହେଲା ମଲାଣି । ଦୁହିଙ୍କର ଦୁଇଟି ପିଲା ଅଛନ୍ତି । ଦୁଲୀ ପେଟରୁ ଜନମ । ବଡ଼ ପିଲାଟି ଚଉଦ ବର୍ଷର ଝିଅ । ଠାକୁରାଣୀ ହୋଇ ବାଁ ଆଖିଟି ଫୁଟିଯାଇଛି । ଗୋଡ଼ରୁ ମୁଣ୍ଡଯାଏ ବରକୋଳି ପରି ବଡ଼ ବଡ଼ ବସନ୍ତ ଚିହ୍ନ । କଳା ଦେହରେ ଅତି ଭୟଙ୍କର ଦିଶେ । ତା ନାଁ ମଲ୍ଲୀ । ସାନ ପିଲାଟି ପାଞ୍ଚ ବରଷର ପୁଅ । ତା ନାଁ ଗୋକୁଳି । ଦୁହେଁ ତା ବେକରେ ବନ୍ଧା ।

 

କୁଡ଼ିଆ ଘର ଖଣ୍ଡେ । ଭଙ୍ଗା ଡିହ ଆହୁରି ପଡ଼ିଛି । ଅଧମାଣେ ଚାଷଜମି । ବହୁଦିନ ତଳେ, ଗାଆଁରେ କାମ କରି ରୋଜଗାର କରି କୁଟୁମ୍ବ ପୋଷା ଓ ଗଞ୍ଜେଇ ଟଣା ଅସମ୍ଭବ ହେଲାରୁ ଦୁଲୀର ବର କୁମର ସ୍ତ୍ରୀ ଓ ଦୁଇ ବରଷର ଝିଅ ମଲ୍ଲୀକୁ ଛାଡ଼ି ବିଦେଶ ଗଲା । ପାଞ୍ଚ ବରଷ କାଳ ଚିଠିପତ୍ର କି ପଇସା କଉଡ଼ି ଦେଲା ନାହିଁ । ପର ଘରେ ପାଇଟି କରି ଦୁଲୀ ନିଜେ ବଞ୍ଚିଲା । ପିଲାଟିକୁ ବଞ୍ଚାଇଲା । ଲୋକେ ଦେଖିଲା ପରି ଖବର ରଟାଇଲେ, କୁମର ମରି ପୋଡ଼ା ହେବା ସେମାନେ ଶ୍ୟାମ ଦେଶରେ ଦେଖିଛନ୍ତି । ବିଧବା ଦୁଲୀକୁ କୁମରର ଦାଦିପୁଅ ସାନ ଭାଇ ଗଜିଆ ପୁଣି ଶଙ୍ଖାସିନ୍ଦୂର ପିନ୍ଧାଇଲା ।

 

ଗଜିଆର ବୁଢ଼ୀ ମା ଛଡ଼ା ଆଉ କେହି ନ ଥିଲେ । କାମରେ ସେ ଧୂରନ୍ଧର । ଭଲ ରୋଜଗାର କରେ । ଯାହା ଆଣେ ସେଥିରୁ ଅଧେ ନିଶାପାଣିରେ ଉଡ଼ାଇ ଦିଏ । ସବୁ ପ୍ରକାର ନିଶା ତାର ଚଳେ । ତେବେ ଅଫିମଠାରେ ଅଧିକ ସ୍ନେହ । ଗଜିଆକୁ ଦୁତିଅ ହୋଇ ମଧ୍ୟ ଦୁଲୀର ଦୁଃଖ ଘୁଞ୍ଚିଲା ନାହିଁ । ପେଟ ପାଇଁ ପର ଘରେ ପାଇଟି ପଡ଼େ । କେଉଁ ଛଟକରେ ସେତକ ସେ ହରଣଚାଲ କରି ଅଫିମ ଖାଏ । ପଚାରିଲେ ଦୁଲୀ ପିଠିରେ ହାତ ଚଳାଏ । କାହାକୁ କହିବ ? ନିଜେ ତ ଭେଇଛି । କର୍ମ ଆଦରି ରହେ ।

 

ଗୋକୁଳିଟି ଜନ୍ମ ହେବାର ବରଷ ନ ପୁରୁଣୁ ମଲ୍ଲୀକୁ ହେଲା ବସନ୍ତ । ଗଜିଆ ତାର ସେବା କଲା । ତାକୁ ଧରିଲା । ସଙ୍ଗରେ ନେଲା । ଆଖିଟିଏ ହରାଇ ବଞ୍ଚିଗଲା ମଲ୍ଲୀ । ଗଜିଆର ମରଣ ପରେ ତାର ଘରଢିଅ, ବାରି ଓ ଜମି ପାଞ୍ଚପା’ର ମାଲିକ ହେଲା ମଲ୍ଲୀ । ଗଜିଆ ମା ପୁଅକୁ ଝୁରି ଝୁରି ମାସ ଚାରିଟା ନ ପୁରୁଣୁ ପ୍ରାଣ ହାରିଲା । ଆଉ ଥରେ ଦୁତିଅ ହେବାକୁ କେହି କେହି ପୁଣି ଦୁଲୀକୁ ଉପଦେଶ ଦେଲେ । ସେ କିନ୍ତୁ ମୁଣ୍ଡ ହଲେଇ ଦେଲା । କହିଲା, ଦୁଃଖଧନ୍ଦା କରି ପିଲା ଦୁଇଟାକୁ ବଞ୍ଚେଇବି ।

 

ବରଷକ ତଳେ ଦିନ ଦୁଇପହରେ ନନ୍ଦପୁରରେ ପହଞ୍ଚିଲା କୁମର । ଗଲାବେଳକୁ ସେ ଯେମିତି ଥିଲା, ନଅ ବର୍ଷ ପରେ ଫେରିଲା ବେଳକୁ ସେ ସେମିତି ଅଛି । ବରଂ ଦେହରେ ଟିକିଏ ମାଂସ ଲାଗିଛି । ଗାଆଁ ଲୋକେ ଚିହ୍ନନ୍ତୁ ବା ନ ଚିହ୍ନନ୍ତୁ, ଦେଖୁ ଦେଖୁ ଚିହ୍ନିଲା । କିଛି ନ ଭାବି ନ ଚିନ୍ତି ଆକୁଳ ବିକଳ ହୋଇ ଧାଇଁଯାଇ ଆଗ ଦି ପଟ ଶଙ୍ଖା ଆଣି ହାତରେ ଗଳେଇ ଦେଲା । ମୁଣ୍ଡରେ ମଣ୍ଡିଲା ସିନ୍ଦୂର ଟୋପା । କୁମରକୁ ସବୁ କହିଲା । କୁମର ବି ନିଜର ଇତିହାସ କହିଲା–ସେ କଅଣ କରିବ ? ବ୍ରହ୍ମଦେଶରେ ଶତ୍ରୁ ହାବୁଡ଼େ ପଡ଼ି ବନ୍ଦୀ ହୋଇଗଲା । କେତେ ଲୋକଙ୍କୁ ତ ଜାପାନୀମାନେ ମାରି ପକାଇଲେ । କପାଳ ଭଲ, ସେ ବଞ୍ଚିଗଲା । ଯୁଦ୍ଧ ବନ୍ଦ ହେଲାରୁ ସେ ଖଲାସ ହୋଇ ଫେରୁ ଫେରୁ ଆସାମରେ ଦିନାକେତେ ଚୋରି ଅପରାଧରେ ଜେଲ ଭୋଗିଲା । ସେଇଠୁ ସେ ଫେରୁଛି ।

 

ଦୁହେଁ ଦୁହିଁଙ୍କୁ କ୍ଷମା କଲେ, ଆଦିରିନେଲେ ସିନା, ଯେଉଁ ସମାଜ, ଯେଉଁ ଗ୍ରାମବାସୀ ସେମାନଙ୍କର ସୁଖଦୁଃଖ ଭଲମନ୍ଦ କଥା ପକେଇଲେ, ଏ କେମିତି ହେବ ? ଦୁଲୀ ସିନା କେବେ କୁମରର ସ୍ତ୍ରୀ ଥିଲା, ଏବେ ତ ସେ ତାର ଭାଇବୋହୂ ? ବାଦ ପ୍ରତିବାଦ ପରେ କଥାଟାର ସମାଧାନ ହୋଇପାରିଲା ନାହିଁ । ସମାଧାନ ହେବା ବାକୀ ଅଛି । ଦିନେ ପୋଲିସ୍ ଫଉଜ ଆସି କୁମରକୁ ବାନ୍ଧି ନେଇଗଲେ । ସେ କୁଆଡ଼େ ପାଞ୍ଚ ନମ୍ବର ଦାଗୀ । ପୁଣି, ବିଭିନ୍ନ ସ୍ଥାନରେ ତା ନାମରେ ଆହୁରି ପାଞ୍ଚ କି ସାତ ଦଫା କେଶ୍ ଗଡ଼ୁଛି ।

 

କୁମରର କଅଣ ହେଲା ସେ ଖବର କେହି ରଖି ନାହିଁ । ହେଲେ କେହି କେହି ଗ୍ରାମବାସୀ ଏବେ ବି ମୀମାଂସା କରିବାକୁ ଉଚ୍ଛନ୍ନ- ଦୁଲୀ ସଧବା କି ବିଧବା । ଦୁଲୀକୁ ଜାତିରୁ ଅଟକ କରିବାକୁ ହେବ କି ନାହିଁ । କେହି କେହି ତାକୁ ଘର ମନା କରିଦେଲେ । ବାର ହଇରାଣ ହରକତ ହେଲେ ବି ଦୁଲୀ ହାତରୁ ଶଙ୍କା କାଢ଼ିଲା ନାହିଁ, ମୁଣ୍ଡରୁ ସିନ୍ଦୁର ପୋଛିଲା ନାହିଁ । ଯେବେ ହେଲେ ତ କୁମର ଫେରିବ ।

 

ସୁମତି ଦୁଲୀର ଖବର ଜାଣନ୍ତି । କେବେ କେମିତି ସେ ଆସିଲେ ତାର ଅଣ୍ଟିରେ ମାଣେ କି ପୋଷେ ଅଜାଡ଼ି ଦିଅନ୍ତି । ସୁମତି ଖବର ପଠାଇବାକୁ ଦୁଲୀ ଧାଇଁ ଆସିଛି । ନଅଦିନ ହେଲା କାମ କରୁଛି । ଜହ୍ନି ମଞ୍ଜି ପରି କଳା ମିଚିମିଚି ଅଧା ବୟସର ଟାଣୁଆ ମାଇପିଟାଏ । କେଉଁ କାମରୁ ସେ ହଟେ ନାହିଁ, ତଥାପି ରାଈ ନାକ ଟେକେ, ବାଛେ । ଭଲ କାମଟାକୁ ଅସାର କହେ । ସଫା କାମକୁ କହେ ଅସନା । ଅସଲ କଥା, ରାଈ ଦୁଲୀର କାମକୁ କେବଳ ଘୃଣା କରେ ନାହିଁ, ଦୁଲୀକୁ ମଧ୍ୟ ଘୃଣା କରେ । ମଉନମୁହାଁ କେଡ଼େ ବଡ଼ ଅକଥା କାମ କରିଛି । ତେବେବି ଲୋକେ ତାକୁ ଘର ମଡ଼ଉଛନ୍ତି ।

 

ରାଈ ଆଖି ମଳି ମଳି ଚାହିଁଲା ଦୁଲୀକୁ । ମନ ଖୋଜୁଛି ଶରୀର । କହିଲା, କେମିତି ବାସନ ମାଜିଛୁ ଲୋ ଦୁଲୀ, ତେଲଚିକିଟା ଛାଡ଼ି ନାହିଁ । ଆଇଁଷିଆ ଗନ୍ଧ ଉଠୁଛି । ଭଲ କରି ମାଜିଲୁ ନାହିଁ ? ମଲା ମର, କାମ କରି ଆସୁନାହିଁ ତ ଏଘର କାମରେ ହାତ ଦେଉଛୁ କାହିଁକି ?

 

ଦୁଲୀ ଅଳପ ହସିଲା । ଗାଧୁଆ କୁଣ୍ଡରେ ପାଣି ପୂର୍ଣ୍ଣ କରି କହିଲା, ଏବେ ତୋର ନିଦ ଭାଙ୍ଗିଲା କି ? ଏ ଘର କାମ ଯଦି ମତେ ବତେଇଦେବୁ ତ କେଡ଼େ ନିକ କରି କରିବି । ରାତି ନ ପାହୁଣୁ ଉଠି ଆସି ଡାକିଲି ତ କବାଟ ଖୋଲିଲେ ଦେଈ । କେଡ଼େ ବେଗି ସେ ଉଠନ୍ତି ମ । ଆସି ଦେଖେ ତ ସେ ଅଧା କାମ କରିସାରିଲେଣି । ବାସନକୁସନ ତ ସେ ମାଜି ସାରିଥିଲେ । ମତେ ଦୁଆର ଓଳେଇ ପାଣି ଅଜାଡ଼ିବାକୁ କହି ସେ ଗଲେ ଗୁହାଳ ପୋଛିବାକୁ । କେଡ଼େ ବିଚକ୍ଷଣୀ ଲୋ-! ଗୁହାଳ ଘର ସଫା ସୁତୁରା କରି ଧୋଇଧାଇ ନିର୍ମଳ କରିଛନ୍ତି । ଭାତ କୁଢ଼େଇ ଖାଇଲେ ଅସୁଖ ଲାଗିବ ନାହିଁ ।

 

କାହା କଥା କହୁଛୁ ବା, ପରୀ ଟି ?

 

ହଁ, ଲୋ ମାଉସୀ, ପରୀ । ସାଆନ୍ତାଣୀ କହିଲେ, ସେ ମୋ ଝିଆରୀ ଲୋ ଦୁଲୀ, ଝିଅଠୁଁ ବଳି । ଝିଅକୁ ହେଲେ ପଦେ ତୁ କହି ହୁଏ । ଝିଆରୀକୁ ନୁହେଁ । ଝିଅଠୁଁ ବଳି ସ୍ନେହ ସେ ପାଏ, ପୁଣି ବଡ଼ ଜାଆର ସମ୍ମାନ ବି ସେ ପାଏ । ବୁଝି ହୁସିଆର, ପରୀ ଦେଈ କିନା କହିବ, ଏ ଘରେ ତାର ଥାନ ନାହିଁ ।

 

ପାଟିରେ ଲୁଗା ଦେଇ ରାଈ ହସୁ ହସୁ ଚାରିଆଡ଼କୁ ଚାହିଁଲା । କେହି ପାଖରେ ନାହିଁ ଜାଣି ମୁହଁ ଖୋଲିଲା, ଆଲୋ ହେ, ଜାଣୁନାହିଁ କି ସେ କି ଘର ଝିଅ ?

 

ସେଥିରୁ ମତେ କି ମିଳିବ ? ପେଟ ପୋଷିବାକୁ ପର ଘରେ ପାଇଟି କରେ । ଦେଈ କହିଲେ କେତେ, ରାଣୀ କହିଲେ କେତେ, ଠାକୁରାଣୀ କହିଲେ କେତେ । ଆଲୋ ମାଉସୀ, ପୋଖରୀ ତୁଠର ଅଖୋଜା ପଥର, ଯାହା ଉପରେ ଗୋଡ଼ ଘଷନ୍ତି, ଲୁଗା କାଚନ୍ତି, ସେଇଆକୁ ଆଣି ଥାପତା କଲେ, ତେଲ ହଳଦୀ, ଘିଅ ସିନ୍ଦୁର ବୋଳିଲେ ସେଇ ହୁଏ ଠାକୁରାଣୀ । ବାଇଦ ବଜେଇ ଝୁଣା ଧୂଆଁ ଦେଇ ଉଖୁଡ଼ା ନଡ଼ିଆ ଭୋଗ କଲେ ସେଇ ପଥର ମନକାମନା ପୂର୍ଣ୍ଣ କରେ ।

 

ଭୁଲ କଥା କହିଲୁ ଲୋ ଦୁଲୀ, ହେଲେ ମନ ମାନୁ ନ ଥିଲା । ଏଇ ଘରେ ତାକୁ ପିଲାଟି ଦିନୁ ଅରକ୍ଷିତ ଦାସୀ ପିଲାଟି ବୋଲି ଜାଣିଛି । ସେଇଥିପାଇଁ ମନ ଚିଡ଼ି ଉଠିଥିଲା । ସାନ ସାଆନ୍ତାଣୀ ସପନ ଦେଖିଲେ କି କଅଣ ।

 

ହେଇଥିବ ।

 

ନୋହିଲେ, ଯାହା ଉପରେ ସବୁବେଳେ ଚିଡ଼ିଭିଡ଼ି ହୁଅନ୍ତି, ଆସୁଣୁ ଯାଉଣ ଯାହା ପିଠିରେ ବିଧା ଗୋଇଠା ବସେ, ଆଲୋ, ତା ଧିଅରେ ଯେତେ ରୁମ୍, କେଜାଣି ବା ସେ ସେତିକି ବିଧା ଗୋଇଠା ସହିଥିବ । ସେଇ ସାଆନ୍ତାଣୀ କଅଣ କରୁଛନ୍ତି ହେଲେ ମୁଁ କାବା ହୋଇ ଅନାଇଁ ରହେ ।

 

ତୁନି ହ ମାଉସୀ, ସାଆନ୍ତାଣୀଙ୍କରର ପାଟି ଶୁଭୁଛି, ଡାକୁଛନ୍ତି । ଯାଏଁ-

 

ନଗିବାବୁଙ୍କ ବୋଉ । ପିଣ୍ଡାତଳକୁ ଓହ୍ଲାଇଲେ ସେ ଗୋଡ଼ ନ ଧୋଇଲେ ଘରେ ପଶନ୍ତି ନାହିଁ । ମୁଣ୍ଡରେ ତିଳକ ଚିତା । ହାତରେ ଝୁଲା ମୁଣି । ଦେହରେ କାଣ୍ଟିଆ ଲୁଗା । ତାଙ୍କ ଜୀବନରେ ଗୋଟାଏ ବଡ଼ ଦୁଃଖ ରହିଯାଇଛି । ବଡ଼ ଘରର ଝିଅ ହୋଇ ସେ ଜନମି ନ ଥିଲେକି ବଡ଼ ଲୋକର ହାତ ଧରି ସେ ଏ ଘରକୁ ଆସି ନ ଥିଲେ ।

 

ନଗିବାବୁଙ୍କର ବାପ ଭଗିବାବୁ ଅତି ନିରୀହ ସରଳବିଶ୍ୱାସୀ ଲୋକ ଥିଲେ । ମିତବ୍ୟୟୀ । ତିନି ଝିଅରେ ଦୁଇ ପୁଅ ନଗି ଓ ନରି । ବିଲ ମାଟି ହିଡ଼ରେ ନଦି ସେ ଶାଗ ପାଣି ଖୋଇ ପିଲାଙ୍କୁ ବଢ଼େଇଲେ । ନରିଟା ନିର୍ବୁଦ୍ଧିଆ । ବେଶି ପାଠ ପଢ଼ିଲା ନାହିଁ । ଚଗଲା ହୋଇ ପଦାରେ ବୁଲିଲା । ନଗି ପଢ଼ିଲା ପାଠ । ଆଶା ଥିଲା, ସେ ମଣିଷ ହେବ । ଚାକିରି ବାକିରି କରି ପଇସା ରୋଜଗାର କରିବ । ସେହି ଆଶାରେ ଅଧେ ସମ୍ପତ୍ତି ବିକ୍ରି କରି ଭଗିବାବୁ ତିନି ଝିଅଙ୍କୁ ପରଘରକୁ ପଠାଇଲେ । ନଗି ତ ପାଠ ପଢ଼ୁଛି । ବି. ଏ. ପାଶ୍ କରି ଏମ. ଏ. ପଢ଼ୁଛି ।

 

ଦିନେ ଖବରକାଗଜରେ ବାହାରିଲା, କେଉଁ ଦଳର ସଭ୍ୟ ନଗେନ୍ଦ୍ର, ସେହି ଦଳର ସଭ୍ୟା ଶେଫାଳୀ ଦେବୀଙ୍କର ପାଣି ଗ୍ରହଣ କଲେ । କିଏ ସେ ନଗେନ୍ଦ୍ର ଆଉ କିଏ ସେ ଶେଫାଳୀ । ଭଗିବାବୁ ଛଟପଟ ହେବାକୁ ଲାଗିଲେ । ଦିନ ତିନିଟା ନ ଯାଉଣୁ ପୁଅ ବୋହୂ ଆସି ଘରେ ଉପସ୍ଥିତ-। ନଗିବୋଉ ହୁଳହୁଳି ପକାଇବେ କଅଣ ଆରମ୍ଭ କରିଦେଲେ ବାହୁନା । ଭଗିବାବୁ ବୁଝାଇ କହିଲେ, ପୁଅ ଆଣିଛି ବୋହୂ । ଏଥିକି ଦୁଃଖ କାହିଁକି ? ଭଗାରି ହସିବେ ।

 

ନଗିବୋଉ ଆଖିରୁ ପୋଛିଲେ ଲୁହ । କିନ୍ତୁ ବରଷେ ନ ପୁରୁଣୁ ଭଗିବାବୁ ଚାରି ପାଞ୍ଚ ଦିନ ରୋଗରେ ପଡ଼ି ପୁଣି ତାଙ୍କ ଆଖିରୁ ଲୁହ ଝରାଇ ଚିତାକାଟି ସେପୁରକୁ ଚାଲିଗଲେ । ନଗି ବୋଉଙ୍କ ଆଖିରୁ ଲୁହ ଶୁଖୁଲା ।

 

ନନ୍ଦପୁରକୁ ଆସିଥିଲେ ନନ୍ଦବାବା । କେତେ ଲୋକ ଦୀକ୍ଷା ନେଲେ । ନଗିବୋଉ ବି ମାଳି-ଜପା-ଦୀକ୍ଷା ନେଇ ଚାବି ନେନ୍ଥାକ ଶେଫାଳୀ ଦେବୀଙ୍କ ପାଖକୁ ପକାଇଦେଇ ନିଶ୍ଚିନ୍ତ ।

 

ତାଙ୍କ ଘର ସେ ସମ୍ଭାଳନ୍ତୁ । ନଗେନ୍ଦ୍ର, ପାଠ ଛାଡ଼ି ବାତଚକ୍ର ପରି ଦେଶସାରା ବୁଲୁଛି । ଆଜି କଲିକତା ତ କାଲି ଦିଲ୍ଲୀ । ସେଇଠୁ ଉଠିଲାଣି ଯାଇଁ ବମ୍ବେରେ । ଘରକୁ କେବେ ପଇସାଟିଏ ପଠାଇ ନାହିଁ । ପଇସାଟିଏ ବି ନେଇନାହିଁ । ବେଳେବେଳେ ଖବରକାଗଜରେ ତା କଥା ବାହାରେ-। ଅକାଳେ ଚିଠିପତ୍ର ବି ଲେଖେ । ତିନି ଚାରି ମାସରେ ଥରେ ଆସି ପହଞ୍ଚଯାଏ ନନ୍ଦପୁରରେ । ଯେଉଁ ପାଞ୍ଚ ସାତ ଦିନ ରହେ, ଶେଫାଳୀକୁ ସଙ୍ଗରେ ଧରି ନନ୍ଦପୁର ଓ ଆଖ ପାଖ ଗାଁରେ ବୁଲେ । ହାଡ଼ି, ପାଣ, ବାଉରୀ ସାହି, ଗହୀର ବିଲ-ଯେଉଁଠି ଗାଆଁ ମୂଲିଆ ବିଲ ବାଛନ୍ତି, ଧାନ କାଟନ୍ତି, ଧନୀ ଲୋକର ବାଲିଚରା ଜମିରୁ ବାଲି କାଢ଼ିଥାନ୍ତି କି ଧର୍ମୀଲୋକର ପୋଖରୀ ଖୋଳୁଥାନ୍ତି ।
 

ଗାଆଁରେ ନଗିବାବୁଙ୍କର ଅନେକ ବନ୍ଧୁ । ସମସ୍ତଙ୍କ ସଙ୍ଗେ ସେ ଦେଖାକରନ୍ତି । କେଉଁଠି ଉପଦେଶ ଶୁଣନ୍ତି, କେଉଁଠି ସେ ଉପଦେଶ ଦିଅନ୍ତି, କେଉଁଠି ପୁଣି ତର୍କ କରି ଦିଘଡ଼ି ବିତାନ୍ତି । କୁବେର ତାଙ୍କର ସମବୟସ୍କ ବନ୍ଧୁ । ତାଆରି ସଙ୍ଗେ ତର୍କ କଲେ ନଗେନ୍ଦ୍ରର ବୁଦ୍ଧିରେ ଶାଣ ଦିଆହୁଏ-। ଦିହେଁ ଜିତନ୍ତି । କେହି ହାରେ ନାହିଁ । ନରି ସଙ୍ଗେ ଘରର ହାନିଲାଭ ସମ୍ବନ୍ଧରେ କଥାଭାଷା ହେବାକୁ ତାଙ୍କର ବେଳ ନ ଥାଏ । ଭାଇ ଆସିଲାବେଳେ ନଗେନ୍ଦ୍ର ପ୍ରଣାମ କରେ । ଗଲାବେଳେ ଆହୁରି ଗୋଟିଏ ପ୍ରଣାମ କରେ । ଭାବେ ଦିନେ ଭାଇ ଏ ଦେଶରେ ନ ହେଲେ କେଉଁଠି ହେଲେ ଗୋଟାଏ ନେତା ହେବ । ଦୁଇ ତିନି ବରଷ ନେତା ହେଲେ କୁଟୁମ୍ବର ଦୁଃଖ ଯିବ-

 

ଗୋବିନ୍ଦ, ଗୋପାଳ, ଗୋଲଖ, ଏମାନେ ସିନା କାକର ଧରି ଘଡ଼ା ଭରିବାକୁ ଉଦ୍ୟମ କରୁଛନ୍ତି, ତା ଭାଇ ଏକାଥରକେ ମାଠିଆ ବୁଡ଼େଇ ପାଣି ଉଠାଇବ । ନରି ସେଇ କଥା ମାଆକୁ କହେ । ଅଣ୍ଟାରେ ଗାମୁଛା ଭିଡ଼ି ବାଡ଼ି ଖଣ୍ଡେ ହାତରେ ଧରି ବହାରିପଡ଼େ ଧାନ ବିଲକୁ ।

 

ଭାଉଜଙ୍କୁ ସେ ଯେତିକି ଭକ୍ତି କରେ, ମନେ ମନେ ସେତିକି ଡରେ । ସେ ପାଠୋଇ, ବି. ଏ. ପଢ଼ିଛନ୍ତି । ହେଲେ, ଏ ଗାଆଁରେ ପାଠୋଈ ଝିଅବୋହୂ ବି ଜଣେକେତେ ଅଛନ୍ତି । ଫର୍ ଫର୍ ହୁଅନ୍ତି । ଭଲ ଶାଢ଼ୀ ପିନ୍ଧି, ଚଷମା ନାଇ, ଚଟି ମାଡ଼ି, ପିଠିପଟେ ଲମ୍ବାବାଳ ଝୁଲାଇ, ପଣତ ଘୋଷାରି ହଲି ଦୋହଲି ଚାଲନ୍ତି । ଚାରିପଦ ଓଡ଼ିଆ ସଙ୍ଗରେ ଦେଢ଼ ପଦ ଇଂରେଜି ବି ଯୋଡ଼ି ବଣି ଚଢ଼େଇ ପରି ଖନେଇଁ ଖନେଇଁ କଥା କହନ୍ତି । ସେମାନଙ୍କୁ ଦେଖିଲେ ନରି ଡରେ ନାହିଁ, ସଂକୁଚିତ ହୁଏ ନାହିଁ । ଥଟ୍ଟା କରିବାକୁ ମନ କରେ । ପର ଝିଅ, ପର ବୋହୂ ବୋଲି ସେ ଜିଭ କାମୁଡ଼ି, ମୁଣ୍ଡ ନୋଇ ଚାଲିଯାଏ । ଆଉ, ଭାଉଜ ଶେଫାଳୀ ! କିଏ କହିବ ସେ ପାଠ ପଢ଼ିଛନ୍ତି ? କିଏ କହିବ ସେ ଏ ଘର ଦାସୀ ନୁହନ୍ତି, ବୋହୂ ! କଥା କହିଲେ, ଏ କାନରୁ ସେ କାନକୁ ଶୁଭିବ ନାହିଁ । ହସ ହସ ସୁନ୍ଦର ମୁହଁଟିରୁ ସବୁବେଳେ ସହାନୁଭୂତି ଓ କରୁଣାର ଆଭା ବାହାରେ । ମାନ ଅଭିମାନ ଛନ୍ଦମନ୍ଦ ଜାଣନ୍ତି ନାହିଁ । ସର୍ବସହଣୀ ।

 

ତଥାପି ନଗିବୋଉ ବୁଢ଼ୀ ତାଙ୍କ ହାତରେ ଖାଆନ୍ତି ନାହିଁ । ସେ ବଙ୍ଗାଳୀ ଘର ଝିଅ । ଏତିକି ତାଙ୍କର ଅପରାଧ । ଶେଫାଳୀଙ୍କ ମନରେ ଦୁଃଖ ହୁଏ କି ନାହିଁ ସେ କଥା କେହି ଜାଣନ୍ତି ନାହିଁ । କିନ୍ତୁ ନରିଆ କରେ ଦୁଃଖ । ଆରେ କିଏ କହିବ ଶେଫାଳୀ ବଙ୍ଗାଳୀ ଘରର ଝିଅ । ଏଇ ଦେଶରେ ତାଙ୍କର ଘର । ବଙ୍ଗଳା ସେ କହନ୍ତି ନାହିଁ । କେଜାଣି ବା ଲେଖିପଢ଼ି ଜାଣିଥିବେ । ତାଙ୍କର ଗର୍ବ ନାହିଁ କି ମୁହଁଟାଣ ନାହିଁ ।

 

ନରିଆ ମାଆଙ୍କ ସଙ୍ଗେ କଜିଆ କରେ, ଏ କଅଣ ବୋଉ, ନୂଆଉଙ୍କ ପରି ବୋହୂଟାଏ କାହାର ଅଛି ଦେଖା ତ । ତୋ ପାଇଁ ସେ ଆଇଁଷ ଛାଡ଼ିଲେ, ତୋ ପାଇଁ ସେ ଦିନକୁ ଦଶଥର ଗାଧୋଉଛନ୍ତି । ତାଙ୍କ ହାତରୁ ତ ସବୁ ଖାଉଛୁ, ଭାତ ଗଣ୍ଡାଏ ଡାଲି ମନ୍ଦାଏ ଖାଇଲେ.... ।

 

କାନରେ ବାଜିଲେ ଶେଫାଳୀ କଅଁଳେଇ ଡାକନ୍ତି ନରି ଶୁଣିଲ । ନରି ପାଖକୁ ଗଲେ ସେ ହସ ହସ ହୋଇ କହନ୍ତି ବୋଉଙ୍କ ମନରେ ଦୁଃଖ ଦେଉଛ କାହିଁକି ?

 

ନଗିବୋଉଙ୍କ ମନରେ ଦୁଃଖ ହୁଏ । ବୋହୂ ଆଡ଼କୁ ଚାହିଁ ସେ ଭାବନ୍ତି ଶେଫାଳୀ ପରି ରୂପର ଆଉ ଗୋଟାଏ ବୋହୂ ସେ ପାଇଥାନ୍ତେ ? ଘର କାମ ସାରି, ଗଲାଆଇଲାଙ୍କ ତତ୍ତ୍ୱ ବୁଝି, ଦୁଃଖୀ ଦରିଦ୍ରଙ୍କୁ ସେ ଔଷଧ ଦିଏ । ସମସ୍ତେ କଲ୍ୟାଣ କରୁଛନ୍ତି । ରାତି ଅଧରେ ପୁଣି ଗୋଡ଼ରେ ଦିଏ ହାତ ! ଲୋକଙ୍କ ସମାଲୋଚନାକୁ ଡରି ବୋହୂକୁ ସେ ଆପଣାର କରିପାରୁ ନାହାନ୍ତି ।

 

ରାଈ ଡହରୀ ଉଦୁଉଦିଆ ଖରାବେଳଟାରେ ନଗିବୋଉଙ୍କ ପାଖରେ ପହଞ୍ଚି କହିଲା, ବୋହୂ ତମର କାହାନ୍ତି କି ଅପା ?

 

ମୁହଁ ଶୁଖେଇ ନଗିବୋଉ କହିଲେ; ଶୋଇପଡ଼ିଥିବ ଟିକେ । ଏ ଗାଆଁରେ ଏତେ ଲୋକଙ୍କୁ ରୋଗ ବୈରାଗ ହେଉଛି, କୋଉ ଡାକ୍ତର କବିରାଜଙ୍କୁ ଘରକୁ ଯାଉନାହାନ୍ତି । ସକାଳୁ ଏଠି ଲଗେଇଛନ୍ତି ଭିଡ଼ । ବୋହୂଟା ମୋର ବକର ହୋଇ, ଔଷଧ ଦେଇ ହାଲିଆ ହୋଇ ପଡ଼ିଯାଉଛି । ଆକଟିଲେ କଅଣ ସେ ମାନିବ ?

 

ବୋହୂଟି, ପାଇଛି ତ !

ହଁ କପାଳ.... ।

 

ବୁଢ଼ୀ ତରତର କରି ମାଳି ଗଡ଼ାଇଲେ । ଏ ଜନ୍ମଟା ତାଙ୍କର ବ୍ୟର୍ଥ ହୋଇଛି । ସ୍ୱାମୀ ଚାଲିଗଲେ । ଏତେ ପାଠପଢ଼ି ବଡ଼ ପୁଅଟା ଚାରି ପଇସା ରୋଜଗାର କରିବାକୁ ଚେଷ୍ଟା କଲା ନାହିଁ-। ବୋହୂ ହୋଇ ଯେ ଘରକୁ ଆସିଲେ ତାଙ୍କର ବର୍ଗ ଅଲଗା । ମନ ରକ୍ଷା କରିବାକୁ ପୁଅ କହେ, ଆମ ଜାତିର ଝିଅ ମ ସେ ବୋଉ, ସାଙ୍ଗିଆଟା ଅଲଗା । ଆଉ, କୋଉ ପୁରୁଷରେ ଅଲଗା ଭାଷା କହୁଥିଲେ । ଏବେ ବି ତାଙ୍କ ଘରେ ସେଇ ଭାଷାର ଛିଟିକା ରହିଯାଇଛି । ରହୁ, ଗାଁ କେ ଫାଙ୍କ୍‍ ନଈ କେ ବାଙ୍କ୍‌ ।

 

ବଡ଼ ପୁଅ ସଙ୍ଗେ ସେ ତର୍କ କରନ୍ତି ନାହିଁ । ସେ ଅବାଧ୍ୟ । ସେ କଥା ମାନେ ନାହିଁ । କେବେ ସେ ନେତା ହେବ କି ଇନ୍ଦ୍ର ହେବ ସେଥିରୁ ତାଙ୍କୁ କଅଣ ମିଳିବ ? ଗାଆଁ ଲୋକେ ତ ବାରକଥା କହିଲେ, ଛି ଛାକର କଲେ । ଗୋଡ଼େ ଗୋଡ଼େ ପୁଣି ଜଗିଛନ୍ତି, କାଳେ ନଗବୋଉ ବୋହୂଟା ହାତରେ ଭାତ ଖାଉଥିବ । ଖବର ନେବାକୁ ଚାର ପଠାଉଛନ୍ତି । ବାଆଁରେଇ ହୋଇ ଦେଖିବାକୁ ଆସୁଛନ୍ତି । ବୁଝିବାକୁ ଆସୁଛନ୍ତି । ରାଈ ମଧ୍ୟ ଭଲେଇ ହେବାକୁ ସେଇଥିପାଇଁ ଧାଇଁ ଆସିଛି ।

 

ମାଳା ଧରିଛନ୍ତି । ପ୍ରତି ମୁହୁର୍ତ୍ତରେ ହରେରାମ ହରେକୃଷ୍ଣ ଜପ କରୁଛନ୍ତି । ସେ ଅନ୍ୟାୟ କରିବେ ନାହିଁ । ନିଜେ ବୋହୂଟା ବି ଅତି ସାବଧାନ । ଦୁଲୀ ସକାଳୁ ଆସି କାମ କରିଯାଏ । ତଥାପି ବୋହୂର ମନକୁ ଆସେ ନାହିଁ । ନିଜେ ସେ ଆଉଥରେ ପାଉଁଶ ପକେଇ ବାସନ ମାଜେ । ଯେଉଁ ପିତଳ ହାଣ୍ଡିରେ ତାଙ୍କ ପାଇଁ ଅରୁଆ ଭାତ ବସେ, ସେ ହାଣ୍ଡିକୁ ବୋହୂ ଦୁଇବେଳା ମାଜି ସୁନା ପରି ଝଟକାଏ । ସବୁ କରେ । ଭାତ ଫୁଟିଲେ ଗାଳିବାକୁ ଡାକ ଛାଡ଼େ । ବୁଢ଼ୀ ନିଜେ ଭାତ ଗାଳନ୍ତି । ନିଜେ ବାଢ଼ି ଖାଆନ୍ତି ।

 

କାହିଁକି ସେ ଏଡ଼େ ଦହଗଞ୍ଜ ହେଉଛନ୍ତି ? ବୋହୂଟାକୁ ଏତେ ହଇରାଣ କରୁଛନ୍ତି ? ଏଇ ଗାଆଁ ଲୋକଙ୍କ ପାଇଁ । କି କଥା ନ ହେଉଛି ଏ ନନ୍ଦପୁର ଗାଆଁରେ ? ଅଗାଧୁବାବୁ ଏବେ କଅଣ ନ କଲେ ? ପୁଅ ସାରଙ୍ଗଧର ବଡ଼ ଡାକ୍ତରି ପାଶ୍ କଲାରୁ ବଡ଼ ଚାକିରି ଧରିଲା । ତାକୁ ବାହା କଲେ ବଙ୍ଗଦେଶରେ ଧନୀ ଜମିଦାର ଘରେ । ସେ କୁଆଡ଼େ ତାଙ୍କ ଜାତିଆ । ଧନ ଦରବ ଗୁଡ଼ାଏ ପାଇଲେ । ବୋହୂଟା ବି ମନ୍ଦ ନୁହେଁ । ଦୋଷ ଏତିକି ଯେ ଚଷମା ଲଗାଏ । ଆଜିକାଲି ତ ସମସ୍ତେ ଗୋଡ଼ରେ ହଳେ ହଳେ ଚମ-ଚଟି ପିନ୍ଧି ଯାଆସ କରୁଛନ୍ତି । କାହା ଦୋଷ କିଏ ଧରିବ ? ଦୁଇଟା ପିଲାର ମାଆ ହୋଇ ବି ପାଞ୍ଚ ବରଷ ହେଲା ସେଇ ବୋହୂଟା ଭଲକରି ଓଡ଼ିଆ ଭାଷା କହିପାରୁ ନାହିଁ । ସେ ହେଲା ଜାତିଆ । ବଡ଼ ଲୋକର ବୋହୂ ବୋଲି ପଦେ କେହି କହିପାରୁ ନାହିଁ । ଶେଫାଳୀ ପରି ବୋହୂ, ସେ ହେବ ଅଜାତିଆ ?

 

ଲୋକେ କହିବେ ।

 

ରାମକୃଷ୍ଣବାବୁ ଦକ୍ଷିଣରୁ ଯେଉଁ କୁଳର ବୋହୂଟି କରି ଆଣିଲେ, ସେ କଣ ? ତାଙ୍କ ଆଡ଼େ କୁଆଡ଼େ ମାମୁଁ ଝିଅ ଭଉଣୀକୁ ବାହା ହୁଅନ୍ତି । ତାଙ୍କ ପୁଅ ବୈଷ୍ଣବକୁ ଦକ୍ଷିଣରେ ବାହାକରେଇ ଯେଉଁ ବୋହୂଟିକୁ ଏ ଗାଁକୁ ଆଣିଛନ୍ତି, ସେ ଯେଡ଼େ କାମିକା, ଯେଡ଼େ ସୁନ୍ଦର, ଯେଡ଼େ ଭଲ ହେଲେ ବି ଏବଯାଏ ଭଲ କରି ଓଡ଼ିଆ କହିପାରୁ ନାହିଁ । ମୁଣ୍ଡରେ ଓଢ଼ଣା ଦିଏ ନାହିଁ-। ତଥାପି, ଶାଶୁ ଶଶୁରେ ତାକୁ କୋଳରେ ବସାଇଛନ୍ତି । ରାମକୃଷ୍ଣବାବୁ ସରକାରୀ କାମରେ ଦକ୍ଷିଣରେ ସାରାଜୀବନ ବିତେଇ ପେନ୍‍ସନ ନେଇ ଏବେ ଘରକୁ ଫେରିଲେ । ବୈଷ୍ଣବ ପୋଲିସ ଚାକିରି କରି ବିଦେଶରେ ବେଳ କଟାଉଛି । ପିଲାପିଲିଙ୍କୁ ସଙ୍ଗରେ ନେଉନାହିଁ । ବୋହୂ କହିଲା, ବାପ ମା’ଙ୍କୁ ବୁଢ଼ାଦିନେ ଘରେ ଏକୁଟିଆ ଛାଡ଼ି ବିଦେଶ ଯିବ ନାହିଁ । ଧନ୍ୟ ସେ ବୋହୂ ! ହେଲେ ଗାଆଁ ମାଇପେ ହୁରି ପକେଇଲେ, ସେ ତେଲଙ୍ଗାଘରର ଝିଅ ।

 

ନଗିବୋଉ ସେ ବୋହୂକୁ ଦେଖିବାକୁ ଯାଇଥିଲେ । ବୈଷ୍ଣବ ମା କହିଲେ, ଦେଖ ଗୋ ଅପା.... ।

 

ସତେ ଖାସା ପିଲାଟିଏ । ସେ ଜାତିଘର ଝିଅ । ଅଜାତି ନୁହେଁ ।

 

ଆଉ ଶେଫାଳୀ କେମିତି ଅଜାତି ହେଲା ? ରାଈ ଧାଇଁ ଆସିଛି କହିବାକୁ, ସୁମତି ଶେଫାଳୀକୁ ନିନ୍ଦା କରୁଥିଲେ, କହୁଥିଲେ, ଶେଫାଳୀ ହାଡ଼ିପାଣଙ୍କ ଘରେ ପଶେ । ତାଙ୍କ ପିଲାଙ୍କୁ କୋଳରେ ଧରେ.... । ସବୁ ମିଛ କଥା । ହେଲେ ବି, ଶେଫାଳୀ ଘରେ ପଶିଲେ ଆଗ ପରି ଧୋଇ ଗାଧାଏ । ନିର୍ମାଲ୍ୟ ପାଏ । ବୃନ୍ଦାବତୀଙ୍କ ଆଗରେ ମୁଣ୍ଡ ଲଗାଇ ପ୍ରଣାମ କରେ । ତା ପରେ ଘର ଭିତରକୁ ପଶେ । ତା ନିଷ୍ଠା ଆଉ କାହାଠି ହେବ ? ତଥାପି ସୁମତି ନିନ୍ଦା କରି ଖବର ପଠାନ୍ତି ।

 

ନଗିବୋଉ ମାଳାଜପା ସ୍ଥଗିତ ରଖି ମୁହଁ ଫଣଫଣ କରି ପଚାରିଲେ, ଉଦୁଉଦିଆ ଦି' ପହରେ କାହାଠୁଁ କି ଖବର ନେଇ ଆସିବୁ ଲୋ ରାଈ ? ପୁଣି ସୁମତି ତୋତେ ପଠେଇଛି ମୋତେ ମନେ ପକେଇଦେବାକୁ ଯେ ମୋ ବୋହୂଟା ଅଜାତିଆ ?

 

ରାଈ ଜିଭ କାମୁଡ଼ି କହିଲା, ସେ ସାହସ ଆଉ ତାଙ୍କର ନାହିଁ ଗୋ । ସେ ଘରେ ଯେଉଁ ନାଟ ଲାଗିଛି ଶୁଣିଲେ ଲୋକେ କାନରେ ହାତ ଦେବେ ।

 

ନଗିବୋଉ କୁତୁହଳୀ ହେଲେ । ଅନିର୍ଦ୍ଦିଷ୍ଟ କାଳପାଇଁ ତାଙ୍କର ମାଳାଗଡ଼ା ବନ୍ଦ ରହିଲା । ପଚାରିଲେ, କଅଣ ହେଇଛି ? ଖୁଡ଼େଇ ପୁତୁରାଙ୍କର ପରା ସେଇ ପରୀ ନେଇ କଜିଆ ଲାଗିଥିଲା-?

 

ରାଈର ମନ ପୂରିଉଠିଲା । ଏଇ ନଗିବୋଉ ବୁଢ଼ୀଟି ଭଲ ମଣିଷ । ସବୁ କଥା ଜାଣିବାକୁ ଚାହାନ୍ତି । ଧୈର୍ଯ୍ୟ ଧରି ଶୁଣନ୍ତି ଯାହା କହିଲେ ବିଶ୍ୱାସ କରନ୍ତି । ସବୁ କଥା ପେଟରେ ରଖି ତୁଣ୍ଡରେ କୋଲପ ପକାଇ ତୁନି ରହନ୍ତି । ଆଗ ତାଙ୍କ ଆଗେ କଥାଟା ନ କହିବ ତ ଆଉ କାହାକୁ କହିବ ?

 

ରାଈ କହିଲା, ଅନ୍ୟାୟ କଥା । ଶୁଣିଲେ କେହି ପରତେ ଯିବେ ନାହିଁ । ପରୀ ତାଙ୍କୁ ମନ୍ତର କରିଛି କି ଓଷଦ ଖୋଇଛି ଗୋ, ନ ଶୁଣିଲା କଥା ଆଖିରେ ଦିଶୁଛି ।

 

କି କଥା ଲୋ – ?

 

କଅଣ କହିବି ? ଆମ ସାଆନ୍ତାଣୀ ପରୀକୁ ଆଉ ପରୀ ବୋଲି ଡାକୁନାହାନ୍ତି । କଥା କଥାରେ ଲାଗୁଛି ଆଲୋ ମା । ଆମକୁ ସବୁ କହିଛନ୍ତି, ତାକୁ ଦେଈ ବୋଲି ଡାକିବ । ନଅ ବରଷର ପୁଅ ବିଦୁର, ସେ ବି ଡାକୁଛି ଦେଈ.... ।

 

ସତେ ?

 

ହଁ, ସାଆନ୍ତାଣୀ ଆମର ପରୀକୁ ଏବେ କୋଳରେ ପୁରେଇ ଶୋଉଛନ୍ତି । ପରୀ ଆଉ ପରୀ ବୋଲି କିଏ ଚିହ୍ନିବ ? ସାଆନ୍ତାଣୀ ନିଜ ହାତରେ ତାକୁ ତେଲ ହଳଦୀ ଲଗେଇ ଦେଉଛନ୍ତି । ଦେହରେ ତାର ଗହଣା ଖଞ୍ଜି ଦେଲେଣି । ପ୍ରକାର ପ୍ରକାର ଶାଢ଼ୀ ପିନ୍ଧେଇ ଦେଉଛନ୍ତି । ଶୁଣିବ, ବିଡ଼ମ୍ବନା କଥା ? ପରୀ ସାଙ୍ଗରେ ନ ବସିଲେ ସାଆନ୍ତାଣୀଙ୍କୁ ଭାତ ରୁଚୁନାହିଁ ।

 

ମିଛ କହୁଛୁ ରାଈ ?

 

ଆଖି ଫୁଟିଯିବ । ତୁମକୁ ତ ଘର ମନା ନାହିଁ, ଯାଉନ ଦେଖି ଆସିବ । ଖାଲି କଅଣ ସେତିକି ? ଚାବି ନେନ୍ଥାକ ବଢ଼େଇ ଦେଇ ଆମକୁ ଶୁଣେଇ କହୁଛନ୍ତି, ଯିବୁଟିଲୋ ମା, ବାକ୍‌ସ ଖୋଲି ଅମକକୁ ଏତେ ଟଙ୍କା ଦେଇଦେବୁ । ଅପା ଗୋ ପରୀ ଟୋକୀଟା ପୁଣି ଦିନ ନଅଟାରେ ଏମିତି ଫୁଲେଇ ହେଉଛି ଯେ, ଦେଖିଲେ ନାହିମୁଣ୍ଡାରୁ ହସ ଉଠି ଆସୁଛି । କାହିଁକି ଆମ ସାଆନ୍ତାଣୀ ଏମିତି ଓଲିଟି ପଡ଼ିଲେ ଗୋ ମୁଁ ବୁଝିପାରୁ ନାହିଁ ।

 

ପରୀକୁ ପଚାରୁନୁ ?

 

ନିରୋଳରେ ଦେଖା ମିଳିଲେ ତ ! ଫୁଲେଇ ପରୀ ପୁଣି ସାଆନ୍ତାଣୀଙ୍କ ପଛେ ପଛେ ଛାଇ ପରି ଗୋଡ଼େଇଛି । ଦିନ ନଅଟାରେ ଦରବୁଢ଼ୀ ସାଆନ୍ତାଣୀଙ୍କୁ ସେ ଟୋକୀ କରିଦେଲାଣି । ଶୁଣିଲେ ହସିବ ଗୋ... ।

 

ଶୁଣିବା ଆଗରୁ ନଗିବୋଉ ହସିଉଠିଲେ । ରାଈ ମଧ୍ୟ ହସିଲା । ନଗିବୋଉ ପଚାରିଲେ, କହୁନୁ, ଛୋପରୀଟା.... ।

 

ପରୀ ତାଙ୍କୁ ଘଷିମାଜି ଦେଉଛି । ମୁଣ୍ଡ ବାନ୍ଧି ରାମକୃଷ୍ଣବାବୁଙ୍କ ତେଲଙ୍ଗା ବୋହୂ ବେଣୀ ଓହଳାଇ ମୁଣ୍ଡରେ ନେନ୍ଥା ନେନ୍ଥା ଫୁଲ ଝୁଲାଇଲା ପରି ପରୀ ଆମ ସାଆନ୍ତାଣୀଙ୍କ ମୁଣ୍ଡରେ ଫୁଲମାଳ ଓହଳାଉଛି । ବାକୀ ଲମ୍ବ ବେଣୀଟା ତଳକୁ ଛାଡ଼ିବ । ସାଆନ୍ତାଣୀଙ୍କ ଗୋଡ଼ରେ କମକୁଟ କରି ଅଳତା ବୋଳୁଛି ।

 

ଭଲ କରୁଛି ତ ପରୀ । ସୁମତୀ ସୁନ୍ଦର ଦିଶୁଥିବ ।

ରାଈ ହସିଲା ।

 

ନଗିବୋଉ କହିଲେ, ହସିଲୁ କାହିଁକି ? ସୁମତି ଆମରି ଆଗରେ ବୋହୂ । ବୟସ ଅଧିକ ହେବ ନାହିଁ । କୁବେରବୋଉ ବଞ୍ଚିଥିବାଯାଏ ସୁମତିକୁ ସେ ଝିଅ ପରି ପାଳିଥିଲା । ଦି ଜାଆଙ୍କର ମୁହଁ ଶୁଖାଶୁଖି କେହି ଦେଖୁ ନ ଥିଲେ । କୁବେରବୋଉ ମଙ୍ଗଳା ଆମରି ସାଙ୍ଗରେ ବୋହୂ । ସେ ମଲାଦିନୁ ସୁମତିର ଗେହ୍ଲାପଣିଆ ସରିଛି । ପରୀ ଯଦି ତାର ଯନ୍ନ ନେଲା ତା ଅତି ଉତ୍ତମ କଥା ।

 

ମନା କିଏ କରିବ ? ହେଲେ ଅପା, ଜଣାଶୁଣା ନାହିଁ ଜାତିଗୋତ୍ର, କି ଘରର ପିଲାଟା ପରୀ, ତାକୁ ନେଇ କୋଳରେ ବସାଇବାଟା କଅଣ ଭଲ କଥା ? ତାକୁ ସଙ୍ଗରେ ବସେଇ ଖୋଉଛନ୍ତି । ଦାଣ୍ଡରେ କଥା ପଡ଼ିଲେ ଗ୍ରାମବାସୀ ଜାତିର ଅଟକ କରି ବାଛନ୍ଦ କରିବେ ସିନା । ଅପା ବିଲେଇ ସିନା ଚୁଲିମୁଣ୍ଡରେ ଶୋଇଲେ ଶୋଭା, କୁକୁର ଶୋଇଲେ ଶୋଭା ଦିଶିବ ? କିଏ ଆଗ ଏହା ସହିବ କହିଲ ?

 

ତାକୁ ବୋହୂ କରିବ ସୁମତି ?

 

ରାଈ ଚମକି ଉଠିଲା । ସତେ ଏଡ଼େ ସହଜ କଥା, ଆଖିକୁ ଜଳ ଜଳ ହୋଇ ଦେଖାଯାଉଥିବା ସମ୍ଭାବନାଟା କେବେହେଲେ ତା’ର ମନକୁ ଆସିନାହିଁ । କିନ୍ତୁ, ସତେ କଣ ସୁମତି ବାଇଆଣୀ ହେବେ ? ଶଶୁରକୁଳର ସାତ ପୁରୁଷକୁ ନେଇ ସେ ନରକରେ ପକେଇବେ ? ପରୀ ସପ୍ତପୁରୁଷଙ୍କୁ ପାଣି ଟେକିବ ?

 

ରାଈ ମୁହଁ ଶୁଖେଇ କହିଲା, ଏ କଥା କେମିତି ହେବ ଅପା ? ଜାତିଗୋତ୍ର ଜଣାନାହିଁ ବୋଲି ଯାହାକୁ ହରିଆ ମା ବୋହୂ କରିବାକୁ ନାସ୍ତି କରିଦେଲା.... ।

 

ଆଲୋ ରାଈ, କେତେକଥା ତ ଆଖି ଦେଖିଲାଣି ଏଇ ନନ୍ଦପୁରରେ । ଆଜି ଯାହା ନୂଆ କାଲି ତାହା ପୁରୁଣା । ମଣିଷ ଦେହ ସବୁ ସହେ । କିଏ କହିବ ସୁମତି ମନରେ କଅଣ ଅଛି ?

 

ରାଈ ନିବେଦିଲା, ବଢ଼େଇ କରି କହୁ ନାହିଁ ଅପା, ନନ୍ଦପୁରରେ ତମ ନାମରେ ଧନ୍ୟ ଧନ୍ୟ ପ୍ରଶଂସା ରଟିଛି । ସମସ୍ତେ କହୁଛନ୍ତି, ଧନ୍ୟ ନଗିବୋଉ, ଲକ୍ଷ୍ମୀ ପରି ବୋହୂ ପାଇ ବୁଢ଼ୀ ଆଜିଯାଏ ହାତରେ ରାନ୍ଧି ଖାଉଛି ପଛେ, ବୋହୂ ହାତରେ ପାଣି ଛୁଉଁ ନାହିଁ । ବୋହୂ ପଛେ ତାଙ୍କର ଗୋଡ଼ ଧୋଇ ପାଣି ପିଇବ, ନଗିବୋଉ ତା ଦେହରେ ହାତ ଦେବେ ନାହିଁ ।

 

ଲୋକେ ଏହା କହୁଛନ୍ତି ?

ଆଖି ଛୁଉଁଛି ଅପା ।

 

ଷାଠିଏ ବର୍ଷର ବୁଢ଼ୀ ନଗିବୋଉଙ୍କ ମନରେ କେଉଁ କନ୍ଦିରେ ରାଈର ପ୍ରଶଂସା ତୀବ୍ର ଆଘାତ ଦେଲା । ସେ ମାଳି କୋଥଳିଟି ହାତକୁ ନେଇ ତରତର କରି ମାଳି ଗଡ଼େଇବାକୁ ଲାଗିଲେ-। ଜିଭଟା ହରେକୃଷ୍ଣ ଜପିଲା କେବଳ ଅଭ୍ୟାସର ବଶବର୍ତ୍ତୀ ହୋଇ, ଚିହ୍ନା ବାଟରେ ଯେପରି ଅନ୍ୟମନସ୍କ ଆରୋହୀର ସାଇକେଲ ଚକ ଆପେ ଆପେ ଅନାୟାସରେ ଗଡ଼ିଚାଲେ, ଭାବନା ଭ୍ରମେ ପଥରେ । ନଗିବୋଉଙ୍କର ଭାବନା ଆଗରେ ଠିଆ ହେଲ ନଗେନ୍ଦ୍ର.... ବଡ଼ ପୁଅ, ଇହକାଳ ଓ ପରକାଳର ଗତି !

 

ତିନି ମାସ ତଳେ ସେ ଆସି ଦଶଟି ଦିନ ରହି ଚାଲିଗଲା । ଶେଫାଳୀକୁ ସେ କେଡ଼େ ଭଲ ପାଏ । ପୁଅବୋହୂ କେବେ ମୁହଁ ଶୁଖାଶୁଖି ହେବାର ସେ ଦେଖି ନାହାନ୍ତି । କିଏ କାଳେ ଦେଖିବ ବୋଲି କବାଟ ଆଉଜେଇ ନିଜେ ନଗି ଶେଫାଳୀର ମୁଣ୍ଡ କୁଣ୍ଡାଇଦିଏ । ଲୋକେ କହିବେ, ନଗିଆ ମାଇଚାଟା । ଯାହା ପଛେ ସେମାନେ କହନ୍ତୁ ଦିହେଁ ଦୁହିଁଙ୍କର ଆଖି । ପନ୍ଦର ଦିନ କାଳ ଚିଠି ପାଇ ନ ଥିଲା ବୋଲି ଛୁଆହଜିଲା ବାଛୁରୀ ପରି ଶେଫାଳୀଟା ଖାଲି ଏପାଖ ସେପାଖ ହେଉଥାଏ । ଗାଆଁସାରା ଏଘର ସେଘର ହୋଇ ରୋଗୀ ଦେଖି ଫେରେ । କାମ କରୁ କରୁ କାନ୍ଦି ପକାଏ । ପଚାରିଲେ ହସିଦିଏ । ତିନିଦିନ କାଳ ସେ ଏମିତି ଛଟପଟ ହେଇଛି । ଖବରକାଗଜଟା ଧରି ଧାଇଁଆସି ଦିନେ ଶେଫାଳୀ କହିଲା, ଦେଖିଲ ବୋଉ ଏ କାହାର ଛବି ? ନାଗପୁରରେ ଉଠିଛି-। କେଡ଼େ ବଡ଼ ଫୁଲମାଳ ବେକରେ ପଡ଼ିଛି ଦେଖ ।

 

ଶେଫାଳୀର ଆନନ୍ଦ କହିଲେ ନ ସରେ ।

 

ଦୁହେଁ ତାଙ୍କର ଦୁଇ ଆଖି । ଯେଉଁ କାରଣରୁ ହେଉ, ଦାସୀପିଲା ପରୀକୁ ଯଦି ସୁମତି କୋଳକୁ ନେଲା, କୁଳର ବୋହୂ ଶେଫାଳୀକୁ ସେ ଦୂରରେ ରଖୁଛନ୍ତି କାହିଁକି ? ରାଈ ପର ନାନ୍ଦୁରି, କି ମଶାଣିକୁ ଗୋଡ଼ ବଢ଼ାଇ ସଂସାରର ଚରକୁ ଜୀବନମୁହାଁ କରି ମୁଠାଇ ଧରିଥିବା କେଇଜଣ ସେକାଳର ବୁଢ଼ାବୁଢ଼ୀ, ଯାହାଙ୍କର ପଛ ଜୀବନର ପୃଷ୍ଠା ଓଲଟାଇଲେ ଭଲ ମଣିଷ ଚମକି ଉଠେ, ସେଇମାନଙ୍କର ପ୍ରଶଂସା ଶୁଣି ଆପଣାର ଲୋକଙ୍କୁ ପର କଲେ ସ୍ୱର୍ଗ ମିଳିବ ? ରାଈ ଯିବ ସ୍ଵର୍ଗକୁ । ଆଉ ଯେଉଁମାନଙ୍କର ଅଭ୍ୟାସ ପରଘର ଗୁଣ ଅବିଗୁଣ ଚର୍ଚ୍ଚା କରିବା, ଯାଉନ୍ତୁ ସେମାନେ ସ୍ଵର୍ଗକୁ । ସେମାନଙ୍କର ସ୍ୱର୍ଗରେ ଥାନ ଟିକେ ପାଇବା ପାଇଁ ପୁଅର ସବୁ ଆନନ୍ଦ, ସରାଗ, ବିଶ୍ଵାସର ପ୍ରତିମା, ତାଙ୍କ କୁଳର ଲକ୍ଷ୍ମୀ ଶେଫାଳୀକୁ ସେ ଆଉ ଦୂରେଇ ରଖିପାରିବେ ନାହିଁ ।

 

ଧନ୍ୟରେ ସୁମତି !

 

ନଗିବୋଉଙ୍କର କୋରଡ଼ିଆ ଆଖିରୁ ଲୁହ ଝରିଲା । ହରେକୃଷ୍ଣ ଜପ ଛାଡ଼ି ମାଳାଗଡ଼ା ବନ୍ଦ କରି ସେ ଡାକ ଛାଡ଼ିଲେ ଶେଫାଳୀ.... ।

 

ଯାଉଛି ବୋଉ.... ।

ପାଖ ଘରର ଆଉଜା କବାଟ ଖୋଲି ତରତର ହୋଇ ପଦାକୁ ଆସିଲା ଶେଫାଳୀ ।

ଶୋଇନୁ ମା !

ପଢ଼ୁଥିଲି । ଆପଣ ଟିକେ ଶୋଇଲେ ନାହିଁ ?

ରାଈ ଆସିଥିଲା । ଯେପରି କଥା ଗପୁଥିଲା, ଶୁଣିଛୁ ?

 

ଶେଫାଳୀ ପାନ ଦୁଇଖଣ୍ଡି ରାଈ ହାତକୁ ବଢ଼ାଇଦେଲା । ପାଖକୁ ଆସି ଶାଶୁଙ୍କ ହାତକୁ ଛେଚାପାନ ବଢ଼ାଇ ଦେଲା । ପଚାରିଲା, କାହିଁକି ଡାକିଲେ ?

 

ରାଈ ଓ ନଗିବୋଉ ଉଭୟେ ଚାହିଁ ରହିଲେ ଶେଫାଳୀକୁ । କି ଶୋଭା ରୂପ ! ହଳଦିଆ ଗୋରା ଦେହ । ସୁନାଖଡ଼ିକା । ଗୋଲ ମୁହଁରେ ପୂରିଲା ଗାଲ, ଲମ୍ବ ନାକ । ଆଖିପତା ଦିଓଟି ତୁଳିରେ ଆଙ୍କିଲା ପରି । ଆଖି ଦିଓଟି କେମିତି କହି ହେବ ନାହିଁ, ଚାହିଁଲେ ମନ ଓଟାରି ହୁଏ । ସାଧାରଣ ଉଞ୍ଚ ଝିଅଟିଏ ତ । ହସିଲେ ମୁକ୍ତାଗୁଡ଼ିଏ ଖଞ୍ଜା ହେଲାପରି ଛୋଟ ଛୋଟ ଉପରପାଟିର ଦାନ୍ତ କେଇଟି ଅଳପ ଦିଶେ । ମୁଣ୍ଡର ପାତଳ କେଶଗୁଚ୍ଛ ଅଡ଼ୁଆ ହୋଇ ପିଠିରେ ଝୁଲୁଛି । କେତେ ଦିନରୁ ତେଲ ବାଜିନାହିଁ କେଜାଣି । ଘରେ ଜାଆ କି ନଣନ୍ଦ ଥିଲେ ବା ଟାଣି ଓଟାରି ପାଖରେ ବସାଇ ମୁଣ୍ଡ ବାନ୍ଧି ଦିଅନ୍ତେ ।

 

ନଗିବୋଉ ସେକାଳର ମଣିଷ । ଏବକାଳ ଝିଅବୋହୂଙ୍କର କେତେ ଢଙ୍ଗର ମୁଣ୍ଡବିନ୍ଧା । ତାଙ୍କୁ କି ଜଣା ? ବେଣୀଟାଏ ସେ ପକାଇ ଜାଣନ୍ତି । ହେଲେ ମାଳା କୋଥଳି ଛାଡ଼ି ଅଡ଼ୁଆବାଳ ସଜାଡ଼ିବାକୁ ତାଙ୍କର ତର ନ ଥାଏ । ହାତ ଅଳସରେ ନିଶ ବଙ୍କା ପରି ନିଜେ ଯନ୍ନ ନ ନେବାରୁ ଶୋଭାକାର ବୋହୂଟା ବାଇଆଣୀ ପରି ଦିଶୁଛି । କେହି କିଛି ନ କହନ୍ତୁ ପଛେ ତାଙ୍କ ନିଜ ଆଖି ତାଙ୍କୁ ନିନ୍ଦା କରୁଛି ।

 

ନଗିବୋଉ ଗେହ୍ଲେଇ କହିଲେ ଆଲୋ ମା, ମୁଣ୍ଡଟା ଏମିତି ବାଇଆବସା କରିଛୁ କାହିଁକି-? ଆଲମାରୀ ଉପର ଥାକରେ ବାସନାତେଲ ବୋତଲ ଅଛି, ଆଣିଲୁ । ବଡ଼ ଚିରୁଣିଟା ବି ଆଣିବୁ ।

 

ଶେଫାଳା ଥଙ୍ଗେଇ ଥଙ୍ଗେଇ ହେଲା ।

ଯା... ।

ଲାଜେଇ ଲାଜେଇ ଶେଫାଳୀ ଘରଭିତରେ ପଶିଲା ।

 

ନଗିବୋଉ କହିଲେ, ସୁମତିକୁ କହିବୁ ଲୋ ମୁଁ ଖବର ଦେଉଛି, ସେ ମୋ’ର ଆଜିଯାଏ ସିନା ସାନ ଭଉଣୀ ପରି ଥିଲା, ଆଜିଠଉଁ ସେ ମୋ ଗୁରୁ । କହିବୁ ବୁଢ଼ୀ ବଅସରେ ମୁଁ ଆଉ ହାଣ୍ଡି ଛୁଇଁବି ନାହିଁ ।

 

କଅଣ କହୁଛ ଅପା ?

 

କହିଦେବୁ ନନ୍ଦପୁର ମାଇପିଙ୍କୁ, ଆଜଠଉଁ ମୋ ବୋହୂ ରାନ୍ଧିବାଢ଼ି ମୋ ଥାଳରେ, ଅଜାଡ଼ିବ । ସୁମତି ମତେ ଦେଇଛି । ସେପୁରକୁ ଗଲେ ଯାହାଙ୍କ ହାତଟେକା ପିଣ୍ଡପାଣିକୁ ଚାତକ ପରି ଅନେଇ ବସିବି ଆଜିଠଉଁ ତାଙ୍କ ହାତରୁ ନ ଖାଇ ଏ ପୁରେ ପୁଣି ସେ ପୁରେ ଡହଳ ବିକଳ ହେବି କାହିଁକି ?

 

ଶେଫାଳୀ ଲାଜେଇ ଲାଜେଇ ପାଖକୁ ଆସିଲା । ନଗିବୋଉ ଆସନ ଉପରେ ମାଳି କୋଥଳି ରଖି ତାହାର ହାତ ଧରି ପାଖକୁ ଟାଣିଲେ । ଆଖି ଛଳ ଛଳ କରି କହିଲେ, ମୋ ଆଗରେ ବସ ମା..... ।

 

 

ଶେଫାଳୀ କଥା ମାନିଲା । ପୁଲକ ଓ ଉତ୍ତେଜନାରେ ତାର ଦେହ ଥରିଉଠିଲା । ମନେହେଲା ସତେ ଯେପରି ଆଜି ଚଉଠିଘର । ଏତେଦିନକେ ତପସ୍ୟା ଫଳବତୀ ହୋଇଛି । ଏତେଦିନର ସାଧନା କୁସୁମିତା ହୋଇଛି । ଏଇ ମୁହୂର୍ତ୍ତରେ ବୃଦ୍ଧାଙ୍କର ଶିଥିଳ ହସ୍ତର ପରଶରେ ସେ ହୋଇଛି ଧନ୍ୟ । ସେ ଅନୁଭବ କରୁଛି, ଏ ଘର ତାର, ଏ ଘରର ସମସ୍ତେ ତାର ଆପଣାର । ମନ ଡାକି ଉଠୁଛି, ଆସ ବାପା, ଆସ ମା, ଥରେ ଦେଖିଯାଅ, ପୁଣି ଅନୁଭବ କର, ଶେଫାଳୀକୁ ତମେ ପରିତ୍ୟାଗ କଲେ ମଧ୍ୟ ସେ ପରିତ୍ୟକ୍ତା ନୁହଁ । ଯାହାଙ୍କର ପ୍ରେମରେ ପଡ଼ି ସେ ବିବାହ କରିଥିଲା, ସେ ବଡ଼ ମଣିଷ, ଆଉ ଯିଏ ତାଙ୍କୁ ପେଟରେ ଧରିଥିଲେ ସେ ଆହୁରି ବଡ଼ !

 

ଶେଫାଳୀର ମନ ଖୋଜିଲା ନଗେନ୍ଦ୍ରକୁ । ପୁଣି ଇଚ୍ଛା ହେଲା, ଧାଇଁଯାଇ ପରୀକୁ ଥରେ ଦେଖି ଆସିବ ।

 

ଆଖି ପୂରାଇ ଶେଫାଳୀ ପରୀକୁ ଦେଖିଲା... କୁଆଁର ପୁନେଇ ସଞ୍ଜରେ, ଗାଁ ଝିଅଙ୍କ ମେଳରେ ସେଇଠି ଯେଉଁଠି ଦିନେ ସେ ଥିଲା ଦାସୀ ଝିଅଟିଏ ।

 

ପାଟି ଶୁଣି ଆଗ ସେ ଧାଇଁ ଆସି ପ୍ରଣାମ କଲା । ମେଘ ନ ଥିଲା ନେଳିଆ ଆକାଶରେ ରୂପାଥାଳି ପରି ଠିକ୍-ଠ ବର୍ତ୍ତୁଳ ଜହ୍ନ ହସି ଉଠୁଥାଏ । କୁବେରର ଟେବୁଲ ଉପରେ ଜଳୁଥାଏ ଉଜ୍ଜ୍ୱଳ ନଲଟନ । ଖଟ ଉପରେ କେତେ ଝିଅ ବସି ରେକର୍ଡ଼ ସଙ୍ଗୀତ ଶୁଣୁଥାନ୍ତି । ସମସ୍ତେ ପ୍ରଫୁଲ୍ଲ-। ଅତି ପ୍ରଫୁଲ୍ଲ ପରୀଟି !

 

ସୁନ୍ଦର କପାଳରେ ଟୋପି ଟୋପି ଚନ୍ଦନପାଟୀ । ଭ୍ରୁଲତା ଉପରେ ଉଠିଆସୁଥିବା ଲୋହିତ ତପନ ପରି ସିନ୍ଦୂରବିନ୍ଦୁ । ଆଖିରେ ସରୁ କଜ୍ଜ୍ୱଳଗାର । ଦୁଇ କାନରୁ ଓହଳି ପଡ଼ିଛି ଟିକି ଟିକି ପଥରବସା ସୁନାର ଡ୍ରପ୍ । ଆଲୁଅରେ ଝଟକି ଉଠୁଛି । ଈଷତ୍ ଗୋଲାପି ତନ୍ତବୁଣା ପାତଳ ଶାଢ଼ୀ ତଳେ ଟୋପିଟୋପିକା ବ୍ଲାଉଜ୍ । ଅଳପ ଫୁଲିଲା ଛାତି ଉପରେ ଏପାଖ ସେପାଖ ହେଉଛି ନୂଆ ଡିଜାଇନର ପଥରବସା ହାର ଓ ପେଣ୍ଡାଣ୍ଟ । ହାତରେ ଚାରିପଟ କରି ସୁନାକାଚ । ସବୁ ନୂଆ-! ପରୀ ନୂଆ ଜନମ ଲଭିଛି । ନୂଆ ଅବତାର ଧରିଛି । ସେ ଦିଶୁଛି ମେନକା କି ଉର୍ବଶୀ ପରି, ଯେଉଁମାନେ ତପସୀଙ୍କର ତପ ଭଙ୍ଗ କରିପାରନ୍ତି । ଯେଉଁମାନଙ୍କୁ ଲାଭ କରିବାକୁ ଗିରିରାଜ ହିମାଳୟ କି ପୁରୁରବାମାନେ ବ୍ୟାକୁଳ ହୁଅନ୍ତି ।

 

ଶେଫାଳୀ ମୁଗ୍‌ଧ ହେଲା । ଏମିତି କେତେ ଝିଅ ସେ ବାଟରେ ଘାଟରେ ଦେଖିଛି । ଅଭାବ ଅନଟନ, ଜାତିଆଣର କ୍ରୂରରଜ୍ଜୁରେ ତିନିଆଡୁ ଓଟରା ଖାଇ ସେମାନଙ୍କର ରୂପଗୁଣ ମଉଳିଛି । ସେମାନେ ମଧ୍ୟ ମାଟିତଳର ସୀତା, ପକ୍ଷୀକୋଳର ଶକୁନ୍ତଳା । ସେମାନଙ୍କୁ ବିଦେହର ରାଜା ପୁଣି ମହାମୁନି କଣ ଅନ୍ତରର ସବୁ ସ୍ନେହମମତା ଦେଇ ପାଳି ବଢ଼ାଇ କନ୍ୟା କରିଥିଲେ । ସେମାନେ ଆଜି ସ୍ମରଣୀୟ ।

 

ସବୁ ଆଦର୍ଶ ଦେଶ ପାଇଁ, ଜାତି ପାଇଁ ଗଢ଼ି ରଖିଛନ୍ତି ଆମର ପୂର୍ବପୁରୁଷ । ଆଭିଜାତ୍ୟର ମୁକୁଟ ପିନ୍ଧି ମଧ୍ୟ ରାଜା ଜନକ ଋଷି କଣ ଯାହା ଦୁନିଆଁକୁ ଦେଖାଇ ଯାଇଛନ୍ତି, ସେଇ ଆଦର୍ଶ ଆଖି ଆଗରେ ରଖି ନାଚ, ଥିଏଟର, ସିନେମା ଦେଖି ମନରେ ସବୁ ଆଦର୍ଶ ଓ ଶିକ୍ଷା ଭେଦାଇ ମଧ୍ୟ ଦେଶର ସାଧାରଣ ଲୋକେ ହୋଇଛନ୍ତି ଅବୁଝା । ଆଜି କେହି ଜନକ ଓ କଣ୍ୱଙ୍କର ଆଦର୍ଶ ପାଳୁନାହିଁ । ଆଜିକାର ସମାଜରେ କେତେ ସୀତା, କେତେ ଶକୁନ୍ତଳା ବାଟରେ ଘାଟରେ ପ୍ରାଣ ହାରୁଛନ୍ତି ।

 

ଆଗରେ ପରୀ ହସ ହସ ଲାବଣ୍ୟପ୍ରତିମା । ସେ ଯୁଗର ସୀତା, ସେ ଯୁଗର ଶକୁନ୍ତଳା ଏଡ଼େ ସୁନ୍ଦର ହୋଇଥିବେ ? ଶୁଣିଛି ଶେଫାଳୀ, ଚାକରାଣୀ ଦୁଲୀ ମୁହଁରୁ.... ଯେଡ଼େ ପାହାନ୍ତାରୁ ଉଠି ଗଲେ ବି ସେ ଦେଖେ, ପରୀ ଦେଈ ସବୁ କାମ ଶେଷ କରିଛନ୍ତି । ଗୁହାଳ ସଫା, ନଳା ସଫା, ଦୁଆର ଓଳା ।

 

ଦୁଲୀ କୁହେ, ମୁଁ କାଇଁକି ଆଉ ଆସିବି ଦେଈ ?

 

ପରୀ ଉତ୍ତର ଦିଏ, ରାଈ ବୁଢ଼ୀ ଉଠିଲେ ସବୁ କାମ ବାଛିବ । ପାଟି କରିବ ତୋ ଉପରେ-। ତୁ ଆସିବୁ ତା ତୋଡ଼ ସହିବାକୁ । ହେଲା ଯା ପାଣି କାଢ଼ିବୁ । ଭାଇ, ଖୁଡ଼ୀ, ବିଦୁର ଗାଧୋଇବେ-। ମୁଁ ଯାଉଛି ଚୁଲି ଲଗେଇବି । ଶାଗଭାଜିଲେ ଖୁଡ଼ୀ ଖାଇବେ ପଖାଳ । ତାଙ୍କ ଚା’ ଖିଆ ଛଡ଼େଇ ଦେଲିଣି । ଚକୁଳି, ଛୁଞ୍ଚିପତର କଲେ ଭାଇ ଖାଇବେ । ବିଦୁର ଖାଇବ । ଭାଇଙ୍କର ବିସ୍କୁଟ୍ ଅଭ୍ୟାସ ଗଲାଣି । ଚା’ ଟିକେ ସେ ଖାଉଛନ୍ତି । ଖାଆନ୍ତୁ.... ।

 

ଶେଫାଳୀର ମନ ପରୀକୁ ଆଲିଙ୍ଗି ଧରିଲା, କିନ୍ତୁ ସେ ଆଗେଇ ପାରିଲା ନାହିଁ । କେତେ ଝିଅ ତ ବସିଛନ୍ତି । ସବୁଗୁଡ଼ିକ ତାର ସାନ ଭଉଣୀ ପରି । ସମସ୍ତେ ଠିଆହୋଇ ହସି ହସିକା ତାଙ୍କ ଅଭିନନ୍ଦନ ଜଣାଉଛନ୍ତି । କାହାକୁ ସେ କରିବ ପର । ଆଉ କାହାକୁ ଆପଣାର ? ସମସ୍ତଙ୍କୁ ସେ ଚିହ୍ନେ ।

ଆରେ ପୂରବୀ ଆସିଛି–ଅଗାଧୁବାବୁଙ୍କର ସାନଝିଅ । ସତେ କି ସେ କଲିକତା କେଉଁ ସମ୍ଭ୍ରାନ୍ତ ଭଦ୍ରବ୍ୟକ୍ତିଙ୍କର କନ୍ୟା ! ତେର ଚଉଦ ବର୍ଷର ଧୋବଲା ପାତଳ ଝିଅଟି । ଦେହରେ ଅତି ପତଳା ଗୋଲାପୀ ଶାଢ଼ୀଟି ରଙ୍ଗିନ୍ ସିଲ୍‌କ ବ୍ଲାଉଜ ଓ ସାୟା ଉପରେ ବେଳା ହୋଇଛି । ଲମ୍ବାଳିଆ ମୁହଁର ଲମ୍ବ ନାକ ଉପରେ ସୁନାର ଚଷମା । କପାଳରେ ଅତି ଛୋଟ କୁଙ୍କୁମ ବିନ୍ଦୁ।

ତା ପାଖରେ ଠିଆ ହୋଇଛି ବେଦବତୀ- ରାମକୃଷ୍ଣବାବୁଙ୍କର କୋଡ଼ପୋଛା ଅଲିଅଳୀ ଝିଅ । ଦକ୍ଷିଣରେ ତାର ଜନ୍ମ । ଭାଉଜ ତାର ଦକ୍ଷିଣୀ । ସେଇଥିପାଇଁ ନିଜ ଛାଞ୍ଚରେ ସେ ବେଦବତୀକୁ ସଜାଇ ଦେଇଛି । ଚଉଦ ପନ୍ଦର ବର୍ଷର ଝିଅ । ରଙ୍ଗ, ମଇଳା, କଳା ନୁହେଁ । ମୋଟାସୋଟା ବଳିଷ୍ଠ । ମୁଣ୍ଡର ଲମ୍ବ ବେଣୀ ସାବୁଜା ମୋଟା ଦକ୍ଷିଣୀ ଶାଢ଼ୀ ଉପରେ ପିଠିପାଖେ ଦୋହଲୁଛି । ବେଣୀରେ କେଡ଼େ କୌଶଳରେ ବୁଣାହୋଇଛି ଅଦିନିଆଁ କେତକୀ ଫୁଲର ପାଖୁଡ଼ା । ବେଣୀ ମୂଳରେ ଗୁନ୍ଥା ହୋଇଛି ଜାତି ଜାତିକା ଫୁଲର ମାଳ । ମଥା ଉପରେ ସୁନାର ପଦ୍ମ । କପାଳ ମଝିରେ ପାହୁଲା ଆକାର ଗୋଳାସିନ୍ଦୁରର ଥୋପା । ଦୁଇ ଆଖିର ମୋଟା କଜ୍ଜ୍ୱଳଗାର ତଳପତାକୁ ମାଡ଼ି ଆସିଚି । ଛାତି ଉପରେ ଦଶସରିଆ ସୁନାର ହାର । ଅଣ୍ଟାରେ ସୁନାର ପଟୀ...।

ବେଦବତୀ କଡ଼କୁ ଠିଆ ହୋଇଛି ସୋମା, କଣ୍ଟ୍ରାକ୍ଟର ଓ ବେପାରୀ ନିକୁଞ୍ଜବାବୁଙ୍କର ପଞ୍ଚମ କନ୍ୟା । କଟକରେ ସେମାନଙ୍କର ବଡ଼ କୋଠା । ଦୟାକରି ଦିନ କେଇଟା ପାଇଁ ସେ ପିଲାମାନଙ୍କୁ ଗ୍ରାମକୁ ପଠାଇଛନ୍ତି । ସ୍କୁଲ କଲେଜ ଖୋଲିବା ଆଗରୁ ସମସ୍ତେ କଟକ ଫେରିଯିବେ-। ସୋମା ସ୍କୁଲରେ ପଢ଼େ । ପନ୍ଦର ଷୋଳ ବର୍ଷର ଝିଅ । ସାଧାରଣ ଗୋରା ରଙ୍ଗ । ସାଧାରଣ ସ୍ୱାସ୍ଥ୍ୟ । ଚଉଡ଼ା କପାଳ । ଘଞ୍ଚ ଭୁରୁ । ପୋଟଳ ଫାଳ ପରି ଆଖି ,ଛୋଟ ନାକ । ମୁଣ୍ଡର ଖୋଲା କୁଞ୍ଚକୁଞ୍ଚକା କହରା ବାଳ । ଛୋଟ ଛୋଟ କରୁଆ ବେଣୀ ଦିଓଟିରେ ବେକ ତଳେ ବନ୍ଧା ହୋଇଛି । ଧୋବ ଫରଫର ସିଲ୍‍କ କନାର ଚୁଡ଼ିଦାର ପ୍ୟାଣ୍ଟ ପାଦ ଉପରକୁ ଲମ୍ବିଛି । ପ୍ୟାଣ୍ଟ ଉପରେ ଝୁଲୁଛି ପିନ୍ଧିଥିବା ସଫେଦ ସିଲ୍‍କ କନାର ଜାମା । ପୂରା ହାତ । ଲମ୍ବିଛି ଅଣ୍ଟା ତଳଯାଏ । କାନ୍ଧରେ ପଡ଼ିଛି ଚାରି ଚଉତ କରି ଭଙ୍ଗା ଉତ୍ତରୀ । ଈଷତ୍ ହଳଦୀ ରଙ୍ଗର ସିଲ୍‍କ ଛାତି ଘୋଡ଼ାଇ ଦୁଇ କାନ୍ଧବାଟେ ଯାଇ ଉତ୍ତରୀର କାନି ଦିଓଟି ଝୁଲୁଛି ପିଠିପଟେ, ନିତମ୍ବ ଉପରେ ଗୋଛାଳିଆ ପାଉଡ଼ର ବୋଳା କୁଞ୍ଚକୁଞ୍ଚିଆ କେଶର ଦୁଇପାଖେ । ମୁହଁରେ ବୋଳା ହୋଇଛି ଧଳା ପାଉଡ଼ର । ଫୁଲିଲା ଗାଲ ଉପରେ ଗୋଲାପୀ ପରଖ । ବଡ଼ ଘରର ଅଲିଅଳୀ ଝିଅ । କାନରେ ଧଳା ପଥରବସା ଫୁଲ ଦିଓଟି ।

ଆଉ କେତୋଟି ଗାଆଁ ଝିଅ, ଖୁସିବାସିଆ ବା ଦରିଦ୍ର ଚାଷୀ, ଚିତ୍ରକାର, କହ୍ମାର, ଗୁଡ଼ିଆ ଘରର ଝିଅ । ସେମାନେ ବି ସୁନ୍ଦର । ଲାଜଲାଜ, ନିରୀହ, ସରଳ । ସମସ୍ତେ ସଫା ରଙ୍ଗୀନ୍ ଶାଢ଼ୀ ପିନ୍ଧିଛନ୍ତି । ତେଲ ଜୁକୁଜୁକୁ କରି ମୁଣ୍ଡ ବାନ୍ଧିଛନ୍ତି । କପାଳରେ ଚନ୍ଦନ ଟିପା ।

ଆଖିରେ କଜ୍ଜ୍ୱଳ । ଯାହା ଅଛି ଗହଣା, କାଚ । ଖାରବେଳ କାଳର ନିରୋଳା କଳିଙ୍ଗୀ କମଳାମାନେ । ଛାତିର ସ୍ପନ୍ଦନ ସାଥିରେ ଲାଙ୍ଗୁଳା, କପିଳା, କାଶିଆ, ଦୟିଆ, ଉପେନ୍ଦ୍ର, ସାରଳା, ମଧୁଆ, ରାଧୁଆ, ଫକୀରା, ରାମିଆ, ଗଙ୍ଗିଆ, ବିକ୍ରମମାନଙ୍କର ଆତ୍ମାର କାମନା ମିଶି ରହିଛି ।

ସମସ୍ତେ ତାର ଭଉଣୀ ସଦୃଶ । ଶେଫାଳୀ ସମସ୍ତଙ୍କୁ ଆଦର କଲା । ପରୀର ଚିବୁକ ଧରିଲା, ବେଦବତୀର ଗାଲରେ ଥୋଇଲା ଟିପ, ସୋମାର ନାକ ଚିପିଲା, ରଙ୍ଗଣୀର ମୁଣ୍ଡ ଆଉଁଶିଲା, ଗାୟତ୍ରୀର ପିଠି ଚାପୁଡ଼ିଲା, ଗୁମାନୀକୁ ଛାତିରେ ଜାକିଲା ।

 

କହିଲା ଆରେ, ତମେସବୁ ଏଠି କାହିଁକି ବସିଛ ମ ? ଏଡ଼େ ସୁନ୍ଦର ପୂର୍ଣ୍ଣଜହ୍ନ ଆକାଶ କୋଳରେ ଉଠି କେତେ ଉପରକୁ ଗଲାଣି । କାହାକୁ ଦେଖି ସେ ହସିବ ? ଆସ ଲୋ ପଦାକୁ । ଚାନ୍ଦ ବନ୍ଦାପନା ସରିଲାଣି ?

 

ରଙ୍ଗଣୀ କହିଲା, ଚାନ୍ଦ ବନ୍ଦାପନା ସାରି ଆମେ ଏଠିକି ଆଇଲୁଁ । ବିଦୁବୋଉ ଖୁଡ଼ୀ ପରୀଅପାକୁ ସାଙ୍ଗରେ ନେଇ ଆଜି ଆମର ଘର ଘର ବୁଲି କହି ଆସିଥିଲେ, ଆଜି ପରୀଅପାର ଜନମ ଦିନ, ଆସିବ ଲୋ । ସେମାନେ କେହି ଅଇଲେ ନାହିଁ । ମୋ ବୋଉ କହିଲା, ଯା ।

 

ବେଦବତୀ କହିଲା, ମୋ ଭାଉଜ କହିଲେ, ଯାଆ ଗୋ ତମେ, ଯିଏ ବାଛୁ ବାଛୁଥାଉ । ନିଜେ ଆସି କହିଲେ, କଥା କାହିଁକି ତଳେ ପଡ଼ିବ ? ପରୀକୁ ଯଦି ମାଇଁ ଆମର କୋଳକୁ ନେଲେ ସେ ହେଲା ଆମର । ସେ ତମର ଅପା !

 

ଶେଫାଳୀ ହସି ହସି କହିଲା, କାହିଁକି ତମେ ଆସିଛ, ସେ କଥା ମୁଁ ପଚାରୁନାହିଁ ତ । ଜାଣ କି ଭଉଣୀମାନେ, ଜନକ ସୀତା ଠାକୁରାଣୀଙ୍କୁ ଗୋଟାଇ ନେଇଥିଲେ ? ଜାଣ କି, ଶକୁନ୍ତଳା କଣ୍ୱ ମୁନି ଗୋଟିଏ ଚଢ଼େଇ ପାଖରୁ ମାଗି ନେଇଥିଲେ ? ସୀତା ଯେମିତି ଜନକଙ୍କର କନ୍ୟା, ଶକୁନ୍ତଳା ଯେପରି କଣ୍ୱ ମୁନିଙ୍କ ଦୁହିତା, ପରୀ ସେମିତି ଶଙ୍କରଜେଠାଙ୍କର ଝିଅ । ସେ ଆମର ଭଉଣୀ । ଦେଖ, ଦେଖ ତମର ପରୀଅପାକୁ, ଦେଖ ତ...।

 

ଏତେବେଳକେ ପରୀକୁ ଆଲିଙ୍ଗନ କରିବାର ସୁଯୋଗ ପାଇଲା ଶେଫାଳୀ । ପରୀର ମୁହଁକୁ ଟେକିଧରି ସେ କହିଲା, ଦେଖ ଆଜି ତମର ପରୀଅପାକୁ । ତା ମୁହଁଟି ବି ତମରିମାନଙ୍କ ମୁହଁ ପରି ନିଖୁଣ ସୁନ୍ଦର, ଆଉ ତାର ଟିକି ମୁଣ୍ଡଟି ଭିତରେ ଯେତେ ବୁଦ୍ଧି ଅଛି, ତମମାନଙ୍କ ବୁଦ୍ଧିଠୁଁ ସେ ଅଳପ ନୁହେଁ ।

 

ପରୀକୁ ମୁକ୍ତି ଦେଇ ଶେଫାଳୀ କହିଲେ, ଆସ ଏଥର ପଦାକୁ ଯିବା । ଅଗଣାରେ ଚାନ୍ଦମାମୁଁର ଉଛୁଳା ହସ ଛିଞ୍ଚିହୋଇ ପଡ଼ୁଛି । ଡବ ଡବ କରି ଚାହିଁଛି । ଆସରେ, ତେମେ ତାକୁ ଦେଖିବ । ସେ ଦେଖିବ ତମକୁ ।

 

ସୋମା କହିଲା, ରେକର୍ଡ଼ ଗୀତ ଶୁଣିବା ନାହିଁ ?

 

ଶେଫାଳୀ ତାର ହାତ ଧରି କହିଲା, କାହିଁ ପୂରବୀ ଆମର କି ସୁନ୍ଦର ଗୀତ ବୋଲେ । ଦିନେ ତାର ଗୀତ ମୁଁ ଶୁଣିଛି । ବୋଲିବୁ ନାହିଁ ପୂରବୀ ?

 

ପୂରବୀ କହିଲା, ବାଦ୍ୟ ନାହିଁ କି ତବଲା ନାହିଁ ।

 

ହସିହସିକା ଘର ଭିତରକୁ ପଶିଆସିଲେ ସୁମତି । କହିଲେ, ଆରେ, ଏଇଥି ପାଇଁ କଜିଆ-? ଆଗୋ ବୋହୂ, ଶୁଣିଛ କି କେବେ ମୋ ପରୀର ଗୀତ ? କେଉଁ ବାଦ୍ୟ ସରି ହେବ ତାର କଣ୍ଠରେ । ବୋଲୁଥିଲେ କେତେ ରାତି ପାଇବ । ସବୁ ସେ ଅର୍ଥ କରି ବୁଝେଇବ, କେବେ ସେ ଶିଖିଲା ତା ତାକୁହିଁ ଜଣା । ଅପା ଆମର ରତ୍ନଟିଏ ଗୋଟାଇ ଆଣିଥଲେ ସିନା, ଝିଅ ବୋଲି ଡାକୁଥିଲେ, ସେ ଚିହ୍ନି ନ ଥିଲେ, ନିଜକୁ ସେ ନିଜେ ଚିହ୍ନେଇଲା ଗୋ ବୋହୂ । ସେଇଥିପାଇଁ ସେ ଝୁଲିଲା ମୋ ଗଳାରେ । ଆଜି ପରୀ ବୋଲିବ ଗୀତ, ତମେ ସବୁ ତା ସାଙ୍ଗରେ ବୋଲିବ ।

 

କଥା ନ ସରୁଣୁ ସମସ୍ତେ ପରୀକୁ ଟାଣି ଓଟାରି ପାଟି କରି ଉଠିଲେ, ତୁ ଆଜି ଗୀତ ବୋଲିବୁ ପରୀଅପା, ଆମେ ତୋ ସାଙ୍ଗରେ ବୋଲିବୁଁ ।

 

ସୁମତି କହିଲେ, ଆଗ ବସିବଟି ସମସ୍ତେ, ଖଣ୍ଡ ପିଠା ଖାଇ ଆସିବ । ପରୀର ଆଜି ଜନ୍ମଦିନ । ରାତି ଅଧରୁ ଉଠି ସେ ସାରାଦିନ କାମ କରି ତମପାଇଁ ନିଜ ହାତରେ କେତେ ଜାତିର ପିଠା କରି ରଖିଛି । ମୁଁ ଖାଲି ବତେଇଛି ।

 

ଶେଫାଳୀ କହିଲା, ମନକୁ ଆଇଚ, ମନକୁ ପିଠା ଖାଇବ । କେହି ତମକୁ ଦେବେ ନାହିଁ । ତମେ ସମସ୍ତଙ୍କୁ ଦେବ । ତେବେ ଆମର ନୂଆବୋହୂଟି ?

 

ଆଚ୍ଛା, ସେଇଆ ହେବ । ହଁ, କୁବେରବାବୁ ?

 

ହସି ହସି ପରୀ କହିଲା, ଝିଅମାନେ ଆସିବେ ବୋଲି ସଞ୍ଜ ନ ହେଉଣୁ କୁଆଡ଼େ ସେ ପଳାଇଛନ୍ତି । ଦୁନିଆଁଯାକର ଲାଜ ସରମ କିଏ ତାଙ୍କ ମୁଣ୍ଡରେ ଅଜାଡ଼ି ଦେଇଛି । ମାଇପଙ୍କ ତୁଣ୍ଡ ଶୁଣିଲେ ସେ ଚୋର ପରି ଛପି ଛପି ଛୁ କରନ୍ତି ।

 

ସମସ୍ତେ ହୋ ହୋ ହୋଇ ହସିଉଠିଲେ ।

 

ଦୂରରୁ, ଆଉ କାହା ଦୁଆରୁ, କୁଆଁର ପୁନେଇଁ ଗୀତ ଭାସି ଆସିଲା ଲୋ ଫୁଲ ବଉଳ ବେଣୀ... ।

 

ମନ ଉଚ୍ଛନ୍ନ ହେଲା ଜବାବ ଦେବାକୁ । ସୁମତିଙ୍କ ପଛେ ପଛେ ସମସ୍ତେ ଆସିଲେ ବାହାରକୁ ।

 

କାନରେ ପୁଣି ବାଜିଯାଉଛି – ଲୋ, ଫୁଲ ବଉଳ ବେଣୀ... ।

 

କାନରେ ବାଜେ–ଗାଆଁରେ ବାରଲୋକ ବାରକଥା କହୁଛନ୍ତି । ସବୁ ଜାତିଆ ପୋଖତା ମାଇପେ ପାଞ୍ଚ ସାତ ହୋଇ କାହା କାହା ଘରେ ଠୁଳ ହୋଇ ଅଳସ ବେଳରେ ସୁମତିଙ୍କୁ ସମାଲୋଚନା କରୁଛନ୍ତି । ଯେଉଁମାନେ ଭଲମନ୍ଦ ଖବର ବୁଝିବାକୁ ଅକାଳେ ସକାଳେ ଥରେ ଆସୁଥିଲେ, ସେମାନେ ସୁମତିଙ୍କ ଘରେ ଗୋଡ଼ ଦେଉନାହାନ୍ତି । ସୁମତି କୁଆଡ଼େ ଦୁନିଆଁ ବାହାର କଥା କରୁଛନ୍ତି ।

 

ଗାଆଁ ଲୋକଙ୍କ ଗାଆଁ ମାଇପଙ୍କ ଅଲଣା କଥାରେ କାନଦେଇ ସେ କଥାକୁ ମନରେ ଭେଦେଇ ଆକାଶପାତାଳ ଚିନ୍ତା କରିବାକୁ ତାଙ୍କର ବେଳ ନାହିଁ, ସବୁବେଳେ ଆଖିରେ ଦିଶୁଛି କାମ-। ପାଞ୍ଚପଦ ନ କହିଲେ ଚାକର ଚାକରାଣୀ କାମକୁ ଚଙ୍କିବେ ନାହିଁ ।

 

ଦୁଲୀ ଦୁଇବେଳା ଦୁଇଥର ଆସେ । କାମଦାମ କରି ଚାଲିଯାଏ । ରାଈ ବୁଢ଼ୀ କାମକୁ ଆଉ ପାରୁନାହିଁ । କଥାଗୁଡ଼ାକୁ କହେ । ଦହି ମୁହାଁ, ଚାଉଳରୁ ଧାନ, ବରଗଡ଼ା ବିଛି, ବଡ଼ି ପରା, ଶାଗ ତୋଳା, ଘର ଲିପା କାମକୁ ନିଠେଇ ନିଠେଇ କରେ । ହାତ ହଲାଇଲେ ଯେଉଁ କାମ କ୍ଷଣିକରେ ଶେଷ ହୁଅନ୍ତା ରାଇ ବୁଢ଼ୀ ଘଣ୍ଟାକରେ କରେ । ସବୁବେଳେ ଓର ଉଣ୍ଡୁଥାଏ, କେମିତି ଗାଆଁ ଭିତରକୁ ଖସି ପଳାଇବ । ଏ ଘର କଥା ସେ ଘରେ, ସେ ଘର କଥା ଏ ଘରେ ବନେଇ ଚୂନେଇ କହିବ । ଆକୁଳି ଓ କୁଳିଆ- ସେମାନେ ବାହାର ମୂଳିଆ, ବିଲବାଡ଼ି, ଗାଈ ବଳଦଙ୍କ କଥା ବୁଝନ୍ତି । ଘର ଭିତର କାମରେ ତାଙ୍କୁ ନିକମା କଲେ ତେଣେ କାମ ମାରା ।

 

କାମ କଲେ କାମ ଅଛି, କାମ ନ କଲେ କାମ ନାହିଁ । କାମିକା ଲୋକର ଆଖିକୁ ସବୁ ଜଳ ଜଳ ହୋଇ ଦିଶେ । ସୁମତି ଚାହିଁ ରହିନ୍ତି ପରୀକୁ । ଯେଉଁଦିନୁ ସେ ତାକୁ କୋଳକୁ ନେଲେ, ଚାକରାଣୀ ଟୋକୀର ଆସନରୁ ଟେକି କନ୍ୟାର ଆସନକୁ, ସେଇଦିନରୁ କ୍ରମେ କ୍ରମେ ଏ ଘର ହସି ଉଠିଲା ।

 

ପରୀ ସତେ ଯେପରି ଅନୁଭବ କଲା, ଏ ଘର ତାର । ଏ ଘରର ସମସ୍ତେ ତାର । ତାକୁ ନିଜ ହାତରେ ଘଷି ମାଜି ଦେଇ ମୁଣ୍ଡ ବାନ୍ଧି, ଆଖିରେ କଜ୍ଜ୍ୱଳ, ମୁଣ୍ଡରେ ସିନ୍ଦୁର, ଗୋଡ଼ରେ ଅଳତା ମଣ୍ଡିଲେ ମଧ୍ୟ ସେ ଆଉ କାହା ଘର ଝିଅବୋହୂଙ୍କ ପରି ଅଳସ ହୋଇ ବସିପାରେ ନାହିଁ । ଦେହରେ ଯେତେ ଗହଣା ନାଇଦେଲେ କି ରଙ୍ଗଢଙ୍ଗର ଦାମିକା ପେଡ଼ି ଶାଢ଼ୀ ପିନ୍ଧାଇଦେଲେ ମଧ୍ୟ ଆଳସ୍ୟକୁ ସେ ଘୃଣା କରେ । ସବୁ ପାଲଟି, ଉତାରି ପେଡ଼ିରେ ରଖି କାମରେ ହାତ ଦିଏ । ସୁମତି ମୁହଁ ଶୁଖାଇଲେ ସେ ଆପେ ପୁଣି ସବୁ ପିନ୍ଧି ଆଗରେ ଯାଇ ଠିଆ ହୁଏ । ଗେହ୍ଲେଇ ହୋଇ ପାଖକୁ ଯାଇ ବସେ । ମୁହୁର୍ତ୍ତେ ତାକୁ ଚାହିଁ ସୁମତି ଆପହରା ହୁଅନ୍ତି । ତାର ମୁହଁଟି ଛାତିରେ ଜାକି ଧରନ୍ତି ।

 

ଦାସୀ ଝିଅଟାକୁ ? ଯେତେ ଯାହା କଲେ ବି ଦାସୀ ଝିଅଟାକୁ ଅସୁଖ ଲାଗେ ନାହିଁ ? ତେର ବର୍ଷର ଅଭ୍ୟାସ ତାଙ୍କୁ ଦୂରେଇ ରଖେ ନାହିଁ ? ନିଜେ ପରୀ ସଂକୁଚିତ ହୁଏ ନାହିଁ ?

 

ସୁମତିଙ୍କ ଛାତି ଉପରେ ପରୀର ହସ ହସ ମୁହଁ । ମକର ପଶିଆସିଲେ ସୁମତିଙ୍କର ସ୍ନେହବିହ୍ୱଳ ଆଖି ଦିଓଟିକୁ ଚାହିଁ ଚମକି ଉଠିଲେ, ଲାଜରା ହୋଇ ପୁରୀ ଆଡ଼େଇଯାଏ ।

 

ମକର କହିଲେ, ପରୀର ଜାତକଟା ଦେଲ, ଅଖିଳବାବୁ ମାଗିଛନ୍ତି ।

 

ସୁମତିଙ୍କର ମୁହଁ ଉଜ୍ଜ୍ୱଳ ଦିଶିଲା । ଦରବୁଢ଼ା ଅଖିଳବାବୁ–ସ୍କୁଲର ହେଡ଼୍‍ମାଷ୍ଟର ଅତି ଭଲ ମଣିଷଟି । ଅଳପ ଟଙ୍କା ଦରମା ବୋଲି ସେ ବାହା ନ ହୋଇ ଏକା ଏକା ଜୀବନଟା କଟେଇ ଦେଇଛନ୍ତି । ତାଙ୍କର ଘର କୁଆଡ଼େ ପୁରୀ ଜିଲ୍ଲାର କେଉଁ ଅଜଣା ଅଶୁଣା ଗାଆଁରେ । ହେଲେ, ପଚିଶ ବର୍ଷ ହେଲା ନନ୍ଦପୁରରେ ମାଷ୍ଟରି କରି ବେଳ କଟେଇ ଦେଲେଣି । ଏଇ ସ୍କୁଲରୁ ଯେତେ ପିଲା ପାଠପଢ଼ି ପଦାକୁ ଗଲେଣି ସମସ୍ତେ ତାଙ୍କର ଛାତ୍ରଛାତ୍ରୀ । ଯେଉଁ ପିଲାଟି ଆଗେ ଆସି ନାମ ଲେଖାଏ ଅଖିଳବାବୁ ତାର ଅଜା ହୁଅନ୍ତି । ଅଜା ପରି ଏକା ସେ ଦେଖାଯାଆନ୍ତି । ଗୋରା ତକତକ ମୋଟାଳିଆ ଗୋଲ ମୁହଁରେ ଲମ୍ବ ଲମ୍ବ କଳା ମିଚିମିଚି ନିଶଦାଢ଼ି । ମୁଣ୍ଡରେ ବାବୁରିବାଳ ବେକ ତଳଯାଏ ପଡ଼ିଥାଏ । ଦେହରେ ହାତକଟା ସରୁ ଖଦଡ଼ ଲୁଗା ଉପରେ ଗେରୁଆ ରଙ୍ଗର ଖଣ୍ଡେ ଖଦଡ଼ ଫତେଇ ।

 

ଟିକିଟିକି ପୁଅଝିଅଙ୍କର ଆଗ ସେ ହୁଅନ୍ତି ଅଜା । ନିଶଦାଢ଼ି ଟଣା ଖାଇବାକୁ ତାଙ୍କୁ ସୁଖ ଲଗେ । ସେଇ ପିଲାମାନେ ପୁଣି ବଡ଼ ହୋଇ ଆସିଲେ ସେମାନେ ହୁଅନ୍ତି ପୁଅଝିଅ । ଆଉ ଟିକିଏ ବଡ଼ ହୋଇ ମାଇନର କ୍ଲାସକୁ ଉଠିଲେ ସେଇ ପିଲାଏ ହୁଅନ୍ତି ଛାତ୍ରଛାତ୍ରୀ । ନାଲି ଆଖି ଦେଖନ୍ତି । ଗାଳିମାଡ଼ ସହନ୍ତି । ମାଇନର ସ୍କୁଲରୁ ପାସ୍ କରିସାରିଲେ ଅଖିଳବାବୁ ହୁଅନ୍ତି ସେମାନଙ୍କର ଅଭିଭାବକ, ସେଇଠୁ ବନ୍ଧୁ, ସେଇଠୁ ସମାସ୍କନ୍ଦ ଭଦ୍ରଲୋକ । ସବୁ ଘରେ ତାଙ୍କର ଅବାରିତ ଗତି । ସବୁ ଘରେ ତାଙ୍କର ଆଦର । ସେ ଭୋଜନପ୍ରିୟ ।

 

ଜ୍ୟୋତିଷବିଦ୍ୟାରେ ତାଙ୍କର ପାରଦର୍ଶିତା ଅଛି । ସେତିକି ତାଙ୍କ ନିଃସଙ୍ଗ ଜୀବନର ପ୍ରଧାନ ହବି । ତାଙ୍କର ଛୋଟ ଘରଟିରେ ଯେତେ ପୁସ୍ତକ ଅଛି ତହିଁରୁ ଅଧିକାଂଶ ଜ୍ୟୋତିଷ ବହି । ଲୋକର ରୂପ ଢଙ୍ଗ ଦେଖି ଏବଂ କଣ୍ଠସ୍ୱର ଶୁଣି ସେ ରାଶିନକ୍ଷତ୍ର କହିପାରନ୍ତି । କର ଓ କପାଳ ଦେଖି ଏବଂ ଜୀବନରେ ଘଟିଥିବା କେତେଗୁଡ଼ିଏ ପ୍ରଧାନ ଘଟଣା ଜାଣି ସେ ଅକ୍ଳେଶରେ ଜନ୍ମ ତାରିଖ କହିପାରନ୍ତି ।

 

ପରୀକୁ ସେ ପିଲାଟିଦିନୁ କୁନ୍ତଳା ସଙ୍ଗେ ବିଦ୍ୟାଳୟକୁ ଯିବାର ପ୍ରତିଦିନ ଦେଖନ୍ତି । ତାର ରୂପ, ବୁଦ୍ଧି, ମନେ ରଖିବାର ବିଚକ୍ଷଣ ଶକ୍ତି ଦେଖି ସେ କୁତୂହଳୀ ହୋଇ ପରୀର ହାତ ଦେଖିଛନ୍ତି । ନିଜ ମନକୁ ଜାତକ କରି ପାଖରେ ରଖିଛନ୍ତି । ଗଣନା କରିଛନ୍ତି । ନିଜ ଶକ୍ତିର ପରୀକ୍ଷା କରିବାକୁ କେବଳ ପରୀ ନୁହେଁ, କେତେ ଜାତିର କେତେ ଲୋକଙ୍କର ଜାତକ ପାଖରେ ରଖି ସେମାନଙ୍କ ଜୀବନର ଘଟଣାଗୁଡ଼ିକୁ ଲକ୍ଷ୍ୟ କରୁଛନ୍ତି । ନିଜର ଗଣନା ସଙ୍ଗେ ମିଳାଇ ଦେଖୁଛନ୍ତି ।

 

କେତେଦିନ ପୂର୍ବେ ।

 

କୁଆଁର ପୁନେଇଁ ଦୂରରେ ଥାଏ । ମକର ପରୀର ଜାତକଟିଏ କରିବାକୁ ଅନୁରୋଧ କଲେ । ଅଖିଳବାବୁ ହସି ହସି କହିଲେ, ବହୁଦିନରୁ କରି ରଖିଛି । ସତର ବର୍ଷ ପୂରି ଅଠର ବର୍ଷ ଚାଲିବା ଆଗରୁ ତା ଜୀବନରେ ଏପରି ଗୋଟିଏ ପରିବର୍ତ୍ତନ ଘଟିବ ବୋଲି ମୁଁ ଆଶା କରିଥିଲି । କୁମାରପୂର୍ଣ୍ଣିମା ଅଧରାତିରେ ତାର ଜନ୍ମ । ଅତି ଉଚ୍ଚ କୋଷ୍ଠୀ । ଦୁଃଖର ଦିନ ସରିଛି । ଜୀବନରେ କେତେ ପରିବର୍ତ୍ତନ ଘଟିବ । ମନେ ରଖନ୍ତୁ ମକରବାବୁ, ସେ ଜାରଜ ନୁହେଁ କି ସେ ଦାସୀର କନ୍ୟା ନୁହେଁ ।

 

ଏଁ- !

 

ଜାତକ ଯେବେ ଫଳିଛି, ଅତୀତ ମଧ୍ୟ ସତ୍ୟ ହୋଇଥିବ । ସେ ଅପହୃତା କୁଳୀନ କନ୍ୟା ଉଚ୍ଚ ଜାତୀୟା । ଏବେ ବି ତାର ପିତାମାତା ଜୀବିତ ଅଛନ୍ତି ।

 

କିଏ ସେମାନେ ? କେଉଁଠି ତାଙ୍କର ଘର ?

 

କହିପାରିବି ନାହିଁ । ମୁଁ ସର୍ବଜ୍ଞ ନହେଁ । ମୁଁ ରାଶିନକ୍ଷତ୍ର ଦେଖି ଗଣନା କରେ । ଅନୁମାନ କରି ଫଳ କହେ । କେଉଁଟା ଫଳେ, କେଉଁଟା ବା ନ ଘଟେ ? ଆଉ କେବେ ଏଇ ଟିପଣାଟା ଆଣିବେ । ଗଣନା କରିବା । ତେବେ ଶୁଣନ୍ତୁ ମକରବାବୁ, ଯାହା ମୁଁ କହିଲି, ଆପଣ କାହାରି ଆଗରେ ପ୍ରକାଶ କରିବେ ନାହିଁ ।

 

ବିଦୁବୋଉ ?

 

ତାଙ୍କୁ କହିପାରନ୍ତି । ସେ ଅନୁଭବ କରିବେ, ଯାହାକୁ ଦୟାକରି ସେ କୋଳରେ ଥାନ ଦେଇଛନ୍ତି ସେ ଅନୁପଯୁକ୍ତ ନୁହେଁ । ସେ ମଧ୍ୟ କାହାକୁ କହିବେ ନାହିଁ ।

 

ପରୀକୁ ?

 

ନା । ସେ ସୁଖରେ ଅଛି । ଆନନ୍ଦରେ ଅଛି । ସେ ଯଦି ଜାଣେ ଓ ବିଶ୍ୱାସ କରେ, ମୁହଁରୁ ତାର ହସ ଲିଭିବ, ମନ ଖୋଜିବୁଲିବ ସେହି ଦୁଃଖିନୀ ଜନନୀକୁ ଯାହାରି ପେଟରୁ ସେ ଜନମ ଲଭିଥିଲା । ଖୋଜି ବୁଲିବ ସେହି ଦାସୀଟିକୁ ଯାହାର ଛାତିରୁ ସେ ରସ ଟାଣିଥିଲା । ତାର ମନ ପାଖରୁ ଆପଣମାନେ ଦୂରେଇ ଯିବେ । ବୁଝିଲେ ତ ?

 

ପ୍ରହେଳିକା ।

 

ଗଣନା, ଅନୁମାନ, ଅଭିଜ୍ଞାତା ଓ ସମ୍ଭାବନା । ଆପଣ ଏବେ ଯାଉନ୍ତୁ । ଆଉ କେବେ ଦେଖିବା ।

 

ମକର ବିସ୍ମୟ ଓ ଆନନ୍ଦରେ ଅଭିଭୂତ ହେଲେ । ଉତ୍ତେଜିତ ହୋଇ ଘରକୁ ଫେରିଲେ । ଟିପଣା ଖଣ୍ଡି ପତ୍ନୀଙ୍କୁ ଦେଇ ସବୁକଥା ବଖାଣିଲେ ।

 

ସେଇ ଜାତକ ସେ ସାଇତି ରଖିଥିଲେ । ସ୍ଵାମୀ ପୁଣି ଆସିଛନ୍ତି ମାଗିବାକୁ । ହାତ ବାକ୍‌ସରୁ ଟିପଣି କାଢ଼ି ସେ ମକରଙ୍କୁ ଦେଲେ । ଆଜିଯାଏ ଫେରି ପାଇ ନାହାନ୍ତି ।

 

ସୁମତି ନିଜେ ବୁଝିପାରନ୍ତି ନାହିଁ, ସ୍ଵାମୀଙ୍କର ତୁନି କଥା ଅଜାଣତରେ ତାଙ୍କ ମନ ଉପରେ କି ପ୍ରଭାବ ପକାଇଥିଲା । ସେହି ଦିନରୁ ପରୀ ଆଗକୁ ଆସିଲେ ତାକୁ ଦେଖୁ ଦେଖୁ ତାଙ୍କର ଛାତିର କୋହ କଲବଲ ହୁଏ । ମନ ହାହାକାର କରିଉଠେ । ସେ କୁଳୀନ ଘରେ ଅପହୃତା କନ୍ୟାଟିଏ । ଏବେ ବି ତାର ପିତାମାତା ବଞ୍ଚି ରହିଛନ୍ତି । ଆଖିରୁ ଲୁହ ଗଡ଼ାଉଛନ୍ତି ।

 

କିଏ ସେମାନେ ? କେଉଁଠି ତାଙ୍କର ନିବାସ ? କହିବେ ପରୀକୁ ? ସ୍ଵାମୀଙ୍କର ବାରଣ କାନ ପାଖରେ ଯେପରି ଚିତ୍କାର କରିଉଠେ-ନା, ନା...

 

ସୁମତିଙ୍କର ଅଳସ ଭାଙ୍ଗିଛି । ବିଛଣାରେ ଆଖି ବୁଜି ପଡ଼ିରହିଲେ ଯେ ମଣିଷର ସ୍ୱାସ୍ଥ୍ୟ ଭଲ ହୁଏ, ସେ ମୋଟା ହୁଏ, ଏ ଧାରଣା ଭାଙ୍ଗିଛି । ପରୀ ସଙ୍ଗେ ସଙ୍ଗେ ସେ ମଧ୍ୟ ରାତି ପାହାନ୍ତାରୁ ଉଠନ୍ତି । ରାତି ଅଧ ନ ହେଲେ ବିଛଣା ଧରନ୍ତି ନାହିଁ । ବିଛଣାରେ ପଡ଼ିଲେ ନିଦ କାହୁଁ ଘୋଟିଆସେ । ସବୁଭାବନା କାହିଁ କୁଆଡ଼େ ଉଭେଇଯାଏ । ଘର ହସି ଉଠିଛି ।

 

ସତେ କି ମହାଲକ୍ଷ୍ମୀ ସବୁବେଳେ ବିଜେ କରିଛନ୍ତି । କୂଅ ପାଖ ବାରି ସାଙ୍ଗକୁ କୂଅତଳ ବାରିବୁଜା ସରିଲାଣି । ସେ ବାରି ହେବ ସୁମତିଙ୍କର ।

 

ମନରେ ନୂଆ ସ୍ପନ୍ଦନ ଲାଗିଛି । ଦୁର୍ବଳ ଦେହରେ ନୂଆ ହିଲ୍ଲୋଳ ଜାଗିଛି । ପୁଲକି ଉଠିଛି-। ଯୁବତୀ କନ୍ୟାକୁ ଆଦର କରି ନିଜ ହାତରେ ଘଷିମାଜି ସଜାଇ ରଞ୍ଜାଇ, ମହା ତୃପ୍ତିରେ ହସିଲା ମୁହଁରେ ମୁହୁର୍ତ୍ତେ ଚାହିଁଲେ ମନର ସରାଗ ସରସି ଉଠେ । ସେଇ ଅପରୂପ କନ୍ୟାକୁ ଆଦର କରି ଯୌବନ ଛଳଛଳ ମୁହଁରେ ପାଖକୁ ଆଣି ବୋକଟିଏ ଦେଲେ ଝାଉଁଳିଲା ପୌଢ଼ତା ଆଡ଼କୁ ଆଗେଇ ଚାଲିଥିବା ଦେହଟାରେ ନବଯୌବନ ପରଶିଯାଏ ।

 

ପରୀ ସଜାଏ ଖୁଡ଼ୀକୁ । ଯତ୍ନ ନିଏ ।

 

ଲାଜେଇ ଲାଜେଇ ସୁମତି କହନ୍ତି, ଆଲୋ ବୁଢ଼ୀଟା ମୁଁ, ମୋ ମୁଣ୍ଡରେ ଏ ବାସନାତେଲ ବୋଳ ନା, କହୁଛି ।

 

ପରୀ କଅଁଳେଇ ହସେ । ଗେଲ୍ଲେଇ କହେ, ସତେ, ମୋ ଖୁଡ଼ୀ ପୁଣି ବୁଢ଼ୀ ? କାହାରି ଜିଭରେ ହାଡ଼ ଅଛି ଏକଥା ଭରସି କରି ମିଛରେ କହିବ ?

 

ଛି, ମୋ ଗୋଡ଼ରେ ଅଳତା ବୋଳୁଛୁ ? ଦେଲେ ମାଇପେ କହିବେ କଣ ?

କହିବେ, ସାକ୍ଷାତ୍‍ ଲକ୍ଷ୍ମୀ ଠାକୁରାଣୀ ଗୋ, ଦେଖିବ ଆସ ।

ଥାଉ, ମୁଣ୍ଡରେ ଏ ଫୁଲମାଳ ବାନ୍ଧ ନା, ସେମାନେ ହସିବେ ।

 

ପରୀ ନିଠେଇ ନିଠେଇ ଜୁଡ଼ାରେ ଗୁଡ଼ାଏ ଫୁଲର ମାଳ । କହେ, ହସିବ କିଏ, ଆଖି ପୂରାଇ ଦେଖିବେ, ଶିଖିବେ । ମୋତେ କେଣ୍ଡାଏ ଫୁଲ ମାଗିବେ, ଏ ଫୁଲମାଳ ମୋ ପାଇଁ.... ।

 

କେଉଁ ଜନ୍ମରେ ତୁ ମୋର ମା ଥିଲୁ ପରୀ... ।

 

ଏ ଜନ୍ମରେ ବି ତେମେ ମୋର ଝିଅ ଯେ । ପରୀ ସୁମତିଙ୍କୁ ଗେଲ କରେ । ଦେହ ମନ ଉଲ୍ଲସି ଉଠେ । ପୁଲକି ଉଠେ ।

 

ସୁମତିଙ୍କର ଆଖି ଓଦେଇ ଆସେ । କହନ୍ତି, ସେଇଥିପାଇଁ ତେର ବର୍ଷ କାଳ ମୋର ଗାଳିମାଡ଼ ସହିଛୁ, ଛଳ କରିନୁ, ପଦେ ମୁହଁ ଖୋଲିନୁ ।

 

ହଁ ତେମେ ମୋର ତେର ବରଷର ଝିଅଟି ? ତମର ଅଳି ମୁଁ ସହିବି ଚିରଦିନ ।

 

ତେର ବରଷ ଧାରଣର ଝିଅଟି ସୁମତି, ତାଙ୍କର ମୁହଁ ପାଖକୁ ପରୀ ବଢ଼ାଏ ନିଜର ଉଲ୍ଲସିତ ମୁହଁ ।

 

ରାଈର ଦୃଷ୍ଟି କେବେ ପଡ଼ିଲେ, ପେଟ ଭିତରୁ ଉଠେ ହସର ଜୁଆର । ମୁହଁ ବୁଲାଏ । ମୁହଁ ମୋଡ଼େ । ଗୁଣୁ ଗୁଣୁ ହୋଇ ମନକୁମନ କହେ, ଫୁଲେଇ । ପୁଣି, ଚମକି ଉଠେ । କିଏ ଯେପରି କାନରେ କହେ, ଛତରୀଟା ମନ୍ତର ଜାଣେ ଲୋ ମା..., ବଶ କରିପାରେ ।

 

କେବେ ପାଖକୁ ଆସେ ବିଦୁର । ଆରେ ଅବୁଝା ବିସ୍ମୟ ଚହଟେ । ସୁମତି ତାକୁ କୋଳକୁ ଟାଣନ୍ତି । ପରୀ ତାକୁ କାଖ କରେ । ମୁହଁରେ ବୋକ ଦିଏ । କହେ, ସୁନାଭାଇ ମୋର, କେଡ଼େ ଭଲପିଲା । କେତେ ପାଠପଢ଼ିଲାଣି ।

 

ଚାଲ, ଆଜି ତତେ କାକରା ପିଠା ଖୋଇବି ।

ଗପ କହିବୁଟି ଅପା ? ସୁନା କାଠି ରୂପୀ କାଠି ଗପ...

କହିବି ରାତିରେ ।

ତୋର ଖୁଡ଼ି ନାହାନ୍ତି ?

 

ମକର ଆଖିରୁ ଚଷମା ଖୋଲି ଟେବୁଲ ଉପରେ ଥୋଇଲେ । ଛୋଟ ଟେବୁଲ ଉପରେ କାନ୍ଥକୁ ଲାଗି ରଖାହେଇଛି ଦିଓଟି ବଡ଼ ବଡ଼ ଟ୍ରଙ୍କ । ଟ୍ରଙ୍କ ପାଖରେ କାଠର ହାତ ବାକ୍‍ସ । ଖୋଲା-। ତାଆରି ଭିତରୁ ଖଣ୍ଡେ ଚିଠି କାଢ଼ି ମନଦେଇ ସେ ପଢ଼ୁଥିଲେ । ଟେବୁଲ ଉପରେ ଆଲୁଅ ଜଳୁଛି । ରାତି ପ୍ରାୟ ଦଶଟା । କାନ୍ଥରେ ମରା ହୋଇଛି ଯେଉଁ ବଡ଼ ଘଣ୍ଟାଟି ମଠେଇ ମଠେଇ ଠକ୍ ଠକ୍ ଶବ୍ଦ କରୁଛି । ସେଥିରେ ବାଜିଛି ଦୁଇଟା ଅଧେ । ବାହାରେ ନିବିଡ଼ ଅନ୍ଧାର । ଦିଆଲୀ ଉଆଁସ ପାଖେଇ ଆସିଲାଣି । ତିନୋଟି ଦିନ ବାକୀ ।

 

ପରୀ ପଲଙ୍କ ଉପରେ ବିଛଣା ବିଛାଇ, ମଶାରି ଝାଡ଼ି ପକାଇଲା । ପାଣି ନୋଟା ଓ କାଚ ଗିଲାସ ଟୁଲ୍ ଉପରେ ରଖି ମକରଙ୍କ ପାଖକୁ ଆସିଲା । କହିଲା, ଖୁଡ଼ୀ ରାମାୟଣ ପଢ଼ୁଛନ୍ତି ।

 

ଆଜିକାଲି ତୋ ଖୁଡ଼ୀର ରାମାୟଣ ପଢ଼ାରେ ଭାରି ଝୁଙ୍କ ତ । ସୁବବେଳେ ଗୁଣୁ ଗୁଣୁ ହେଉଛନ୍ତି ।

 

ହଁ ଦାଦା, ସେ ରାମାୟଣ ପଢ଼ିଲାବେଳେ ସତେକି ସେ ଯୁଗକୁ ଚାଲିଯାଆନ୍ତି । ପଢ଼ୁ ପଢ଼ୁ କାନ୍ଦିପକାନ୍ତି । ଦାଦା, ସୂର୍ପଣଖାର ନାକ କାନ କଟା ହେଲା, ସେଥିରେ ଖୁଡ଼ୀଙ୍କର ଦୁଃଖ କହିଲେ ନ ସରେ ! ମତେ କହିଲେ, ମହାପ୍ରଭୁ ହୋଇ ଏଡ଼େ ଅନ୍ୟାୟ କାମ କଲେ କାହିଁକି ଲୋ ପରୀ ? ପର ଝିଅଟାର ନାକ କାନ କାଟି ତାକୁ ବିକଳାଙ୍ଗ କରିଦେଲେ ! ନିଜେ ତ ବାହା ହେଲେ ନାହିଁ । ଆଉ କିଏ ତାକୁ ବାହା ହେବ ? ଜୀବନରୁ ମାରିଦେଲେ ନାହିଁ ?

 

ତୁ କଣ କହିଲୁ ?

 

ସୂର୍ପଣଖାକୁ ବାହା ହୋଇଥିଲେ ରାମ ରାବଣ ଯୁଦ୍ଧ ହୋଇ ନ ଥାନ୍ତା । ରାମରାବଣ ଶଳାଭିଣୋଇ ହୋଇଥାନ୍ତେ । ବଳେ ରାବଣ, ସୀତାଙ୍କୁ ଆଣି ରାମଙ୍କ ଗୋଡ଼ତଳେ ସମର୍ପି ଦେଇଯାଇଥାନ୍ତା । ସୀତା ହୋଇଥାନ୍ତେ ରାବଣର ସାବତ ଭଉଣୀ । ସୂର୍ପଣଖାକୁ ଜୀବନରୁ ମାରିଦେଲେ ସ୍ତ୍ରୀ ହତ୍ୟା ଦୋଷ ଲାଗିଥାନ୍ତା । ତାର ନାକ କାନ କାଟି ନ ଥିଲେ କୁମ୍ଭ ଓ ନିକୁମ୍ଭ ମରି ନ ଥାନ୍ତେ । ରାବଣର କ୍ରୋଧ ହୋଇ ନ ଥାନ୍ତା–

 

କାହିଁକି କଣ ହେଲା ଏତେ କଥା ମୁଁ ବୁଝେ ନାହିଁ । ଯାହା ଲେଖା ହୋଇଛି ସେତିକି ଜାଣି ମୁଁ ସନ୍ତୁଷ୍ଟ ରହେ । ଆଚ୍ଛା ଯା, ଖୁଡ଼ୀକୁ ଡାକି ଦେ ।

 

ଲାଜେଇ ଲାଜେଇ ପରୀ ମକରଙ୍କ ଚଉକି ପାଖକୁ ଘୁଞ୍ଚଆସି କହିଲା, ଦାଦା ଦିଆଲି ଆସୁଛି, ବିଦେଇ ଝୁଙ୍କ ଧରିଛି, କଟକରୁ ତା ପାଇଁ ଭଲ ଭଲ ବାଣ ଆଣିବ । ଭାଇଙ୍କି କହିଲି, ସେ କହିଲେ, ପଇସାରେ ନିଆଁ ଲଗାହେବ ନାହିଁ । ମୁଁ କହିଲି, ପଇସାରେ ନିଆଁ ଲଗେଇଲେ ସେ ଜଳିବ ନାହିଁ । ବାଣରେ ନିଆଁ ଲାଗିବ । ତଥାପି ସେ ନାହିଁ କଲେ । ବିଦେଇ ପିଲାଲୋକ, ସେ ବାଣ ଚାହେଁ, ବାରଣ ଚାହେଁ ନାହିଁ ।

 

ମକର ହସିଲେ । ପରୀକୁ ଚାହିଁଲେ । ଅନୁଭବ କଲେ, ସେ ବଦଳିଛି । କନ୍ୟାର ଆଦର, ସ୍ନେହ ଓ ଯତ୍ନ ପାଇ ସେ ଦିଶୁଛି ଅବିକଳ କୋଳର କନ୍ୟା ପରି । କାହିଁରେ ତାର ଅଭାବ ନାହିଁ । ନନ୍ଦପୁରରେ କାହାଘର ଝିଅ ଏଡ଼େ ସୁନ୍ଦର, ସବୁ କାମରେ ନିପୁଣ, ପୁଣି ବୁଦ୍ଧିମତୀ ? କେହି ପରୀର ସମସରି ହେବେ ନାହିଁ ।

 

କାଲି ଯେତେବେଳେ ପରୀ ଦାସୀକନ୍ୟା ଥିଲା, ତାର ଆଡ଼ମ୍ବରହୀନ ରୂପ ଓ ସଂକୁଚିତ ଭାବ ଦେଖି, ଆଗ୍ରହ ହେଉଥିଲା ହାତ ଦିଓଟି ଧରି ମୁହୁର୍ତ୍ତେ ଚାହିଁବାକୁ । ରକ୍ତରୁ ଜନମିଥିଲେ, ଝିଅ ହେଉ କି ଝିଆରି ହେଉ, ଅପତ୍ୟର ଅକୁଣ୍ଠିତ ସରାଗ ତାଙ୍କର ମନକୁ ଆଲୋଡ଼ିତ କଲେ ସେ ତାଙ୍କର ଖଲଖଲ ହେଉଥିବା ହାତ ଓ କଲବଲ ହେଉଥିବା ଆଗ୍ରହକୁ ଅଟକାଇ ରଖିପାରନ୍ତେ ନାହିଁ-। ହାତ ବଢ଼ାଇ ପରୀର ହାତ ଧରି ପାଖକୁ ଆଣନ୍ତେ । ମୁଣ୍ଡ ଆଉସିଁ ଅପାର ଆନନ୍ଦ ଅନୁଭବ କରନ୍ତେ । କପାଳରେ ବୋକ ଦେଇ ଆତ୍ମହରା ହୁଅନ୍ତେ ।

 

ପରୀ ଦାସୀ କନ୍ୟା ନୁହେଁ, ରକ୍ତରୁ ଉଦ୍ଭବିଲା ଝିଅ କି ଝିଆରୀ ନୁହେଁ । ତଥାପି ସେ କନ୍ୟା, ମନର ଛଟପଟ ଆଗ୍ରହର କନ୍ୟା । ସବୁ ସ୍ନେହ, ସବୁ ଆଦର ଅଜାଡ଼ି ଦେଇଥିଲେ ମଧ୍ୟ କେଉଁଠି ଯେପରି ଟିକିଏ ଅଭାବ ରହିଯାଇଛି । ଜାଣି ହେଉନାହିଁ, ବୁଝି ହେଉଛି । ସେଇଥିପାଇଁ ଖଲଖଲ ହାତ ଲମ୍ବି ପାରୁନାହିଁ । ଥରିଲା ଓଠର ଆଗ୍ରହ ଅପସରି ରହୁଛି । ଅବୁଝା ସଂକୋଚ, ଅଜଣା ବାରଣ ମନା କରୁଛି ।

 

ଆଉ ପରୀ । ତାର ସ୍ଵାଧୀନତା ବଢ଼ିଛି, ମୁହଁ ଖୋଲିଛି । ବହୁବର୍ଷର ଦବିଲା ମୁଣ୍ଡ ନୋଇଁ ଭାଗ୍ୟକୁ ଆଦରି ରହିଲା ଆତ୍ମା କୁହାଟ ଛାଡ଼ିଛି । କିନ୍ତୁ, ସେହି ପ୍ରାଣଖୋଲା କୁହାଟ ଯେପରି ଥରି ଉଠୁଛି, କେଉଁ ଅନିଶ୍ଚିତତାର ଆଶଙ୍କା ନ ହେଲେ ମଧ୍ୟ ପାତଳ ସନ୍ଦେହର ବଉଦତଳେ । ସେ ଜାଣେନା, କାହିଁକି ତା ଜୀବନରେ ଏତେବଡ଼ ପରିବର୍ତ୍ତନ ଘଟିଲା । ସେ ବୁଝିପାରେନା, କାହିଁକି ସୁମତି ଦୁଇଧାର ଆଖିର ଲୁହରେ ଅତୀତକୁ ଧୋଇ ଦାସୀଝିଅଟାକୁ କୁଳକନ୍ୟାର ସ୍ନେହ ଦେଇଛନ୍ତି-। ବିଶ୍ଵାସର ନିବିଡ଼ ବନ୍ଧନରେ ବାନ୍ଧି ରଖିଛନ୍ତି । ଯାହାଙ୍କର ଅଣ୍ଟାରୁ ଚାବିଟା ଖସିଲେ ଦେହରୁ ପ୍ରାଣ ଖସିଲା ପରି ଛଟପଟ ହୁଅନ୍ତି, ସେଇ ଖୁଡ଼ୀ ଚାବି ନେନ୍ଥାକ ପରୀର ହାତକୁ ବଢ଼ାଇଦେଇ ନିଶ୍ଚିନ୍ତ ହୋଇ ବୁଲି ଚାଲିଯାଆନ୍ତି ।

 

ନିରୋଳା ବେଳରେ ପରୀର ମନ ଉଚ୍ଚାଟ ହୁଏ । ସେ ଆକାଶ ପାତାଳ ଭାବେ । ଏତେ ସ୍ନେହ ଏତେ ଆଦର ସେ ଚାହି ନ ଥିଲା । ଲୋଡ଼େ ନାହିଁ । ମୂଲ୍ୟବାନ ଶାଢ଼ୀ ଓ ଗହଣା ଦେହରେ ଭରି ସୁନ୍ଦର କଣ୍ଢେଇଟିଏ ହେବାକୁ କେବେ ମନ କରି ନ ଥିଲା । ଦେହରେ ତେଲ ହଳଦୀର ପୁଟ ଦେଇ, କେଶରେ ସୁଗନ୍ଧ ତୈଳ ବୋଳି, କଳା ସିନ୍ଦୁର ନାଇ ମେନକା ସାଜି ନିଜକୁ ଦର୍ପଣରେ ଦେଖି ଚମକି ଉଠିବାର କାମନା ନ ଥିଲା । ସେ ଅଜ୍ଞାତକୁଳଶୀଳା ଦାସୀର କନ୍ୟା । ଦୁନିଆଁର ଲୋକେ ରୂପକୁ ଆଦର କରିବାକୁ ଅକୁଣ୍ଠିତ ହେଲେ ମଧ୍ୟ ଜାଣି ଜାଣି ଦାସୀଝିଅଟିକୁ ପତ୍ନୀତ୍ଵର ସମ୍ମାନ ଦେବେ ନାହିଁ ।

 

କାହିଁକି ତେବେ ଏ ଆଡ଼ମ୍ବର ?

 

ସବୁ ପ୍ରକାର ସମାଲୋଚନା ହସି ଉଡ଼ାଇ ଦେଇଛନ୍ତି ସୁମତି । ସମାଲୋଚନା ତାଙ୍କର ମନରେ ଆଣିଛି ଯଦି- ପରୀ ମୋର ଝିଅ । ଦୁନିଆଁ ଲୋକେ ଦେଖନ୍ତୁ । ଯେତେ ହସିବାର ହସନ୍ତୁ । ଦୁନିଆଁ ଲୋକଙ୍କର ହସର ଝଟକିଲା ଆଲୁଅ ଲିଭିଛି । ଯେଉଁ ଝିଅବୋହୂମାନେ ଆଡ଼େଇ ରହୁଥିଲେ, ସେମାନେ ଜଣ ଜଣ ହୋଇ ଆସିଲେଣି । ଆଦର ସମ୍ଭାଷଣ କଲେଣି ।

 

ପରୀକୁ ଡାକି ନେଉଛନ୍ତି ସଙ୍ଗରେ । ଆଦର ଦେଖାଉଛନ୍ତି ।

କାହିଁକି ଏପରି ବ୍ୟବହାର ?

ପିନ୍ଧିଲା ଶାଢ଼ୀ ଓ ଗହଣାର ସମ୍ମାନ ।

 

ସମସ୍ତେ ସେଇସବୁ ଦେଖନ୍ତି । ବଙ୍କେଇ ବୁଲେଇ କେତେ କଥା ପଚାରନ୍ତି । ଶୁଣେଇ ଶୁଣେଇ କଥା ଓଲଟାଇ କହନ୍ତି, କପାଳ କଥା ଯିଏ ଥିଲା ଦାସୀର ଝିଅ, ସେ ହୋଇଛି କନ୍ୟା । ଏତେ ଗହଣାଗାଣ୍ଠି ବୋଝେଇ ହୋଇ କେଉଁ ଶାଶୁଘରରକୁ ଯିବ ? କିଏ ଅରୁଆ ଖାଇ ପରୀର ହାତ ଧରି ନେବାକୁ ଆସିବ ?

 

ଜଣାଗଲା ଯେ କଥାଟି ।

 

ଲୁଚିଛି ନା ଗୋଡ଼ ଦିଓଟି ଦିଶୁଛି । ପରୀର ଛାଇ ପଡ଼ିଲେ ସୁମତିଙ୍କର ନାହି ଡେଉଁଥିଲା, ସେଇ ପୁଣି ପରୀ ହାତରେ ସର୍ବସ୍ୱ ସମର୍ପି ଦେଇଛନ୍ତି ।

 

ହଁ ଗୋ, ଯାହାକୁ ଆଜି ଝିଅ ବୋଲି ଡାକୁଛନ୍ତି ସେଇଆକୁ କାଲି ବୋହୂ ବୋଲି ଡାକିବେ-

 

ପରୀ ଚମକି ଉଠେ । କିଛି ନ ଶୁଣିଲା ପରି ଛଳନା କରି ଫେରେ ।

 

ଅଳସ ବେଳରେ କେତେକଥା ଶୋଇଲା ମନକୁ ତଳୁ ଫଣା ଟେକି ବାହାରେ । ଭାବେ, ନିଜର ସ୍ଥାନକୁ ସେ ଓହ୍ଲାଇଯିବ । ଦେହର ବନ୍ଧନ ଖୋଲି ପକାଇବା ଅସମ୍ଭବ ! ଯେଉଁମାନେ ତାକୁ ଦାସୀ ବେଶରେ ଦାସୀର ଆସନରେ ଦେଖି ତପ୍ତ ହେଉଥିଲେ, ସେଇମାନେ ତାକୁ କନ୍ୟାର ଆସନରେ ରଖି ସୁଖି ହେବାକୁ ଚାହାଁନ୍ତି । ଯେଉଁ ପଥରରେ ଗୋଡ଼ ଘଷା ହୁଏ, ସୁନ୍ଦର ଫୁଲ ଚନ୍ଦନ ଲାଗିଲେ ସେ ହୁଏ ଦେବତା । ମନ୍ଦିର ଟଳିଲେ ସେଇ ଦେବତା ପୁଣି ପଥର ହୁଏ ।

 

କନ୍ୟା ବେଶରେ ଆତଯାତ ହେବା ତାର ସେବାର କର୍ତ୍ତବ୍ୟର ଅଂଶ । କନ୍ୟାର ଅଭିନୟ କରିବା ମଧ୍ୟ ତାର କର୍ତ୍ତବ୍ୟ । ଭିତରେ ସେ ପରୀ...ଦାସୀର କନ୍ୟା ।

 

ଜୀବନର ଆଦର୍ଶ-ସେ ଦୁନିଆଁର କନ୍ୟା ଓ ଦୁନିଆଁର ଭଉଣୀ ।

 

ମନ ଡାକେ, ଦାଦା ହାତ ଦିଓଟି ଧରି ତା ମୁହଁକୁ ନିବିଷ୍ଟ ଆଖିରେ ଚାହାନ୍ତେ, ପଣି କହନ୍ତେ, ଯା ! ପିତୃତ୍ଵର ସେହି ମନହଜା ଆଦରରୁ ସେ ବଞ୍ଚିତ ହୋଇଛି । କାହିଁକି, ସେ ବୁଝିପାରେ ନାହିଁ ।

 

ନିଃସଂକୋଚ ଅଳି, ବିଦେଇ ପାଇଁ ବାଣ ଆସିବ କଟକରୁ... ।

 

ମକରଙ୍କର ହସିଲା ମୁହଁରୁ କଥା ବାହାରିଲା, ବିଦୁରପାଇଁ ବାଣ ଆସିବ, ରାତିଯାକ ଅନିଦ୍ରା ହୋଇ ତୁ ମାରିବୁ । ତୋ ସାଙ୍ଗମାନଙ୍କୁ ବି ଡାକି ଆଣିବୁ । ହେଲା ତ ? ସେମାନେ ବି ମାରିବେ ।

 

ନାଇଁ ଦାଦା, ମୁଁ ମାରିବି ନାହିଁ ।

 

ପରୀର ମୁହଁରେ ଲାଜମିଶା ହସ ଓ ସଂକୋଚମିଶା ଆଗ୍ରହ ଦେଖି ମକର କହିଲେ, ଠିକ୍ ଉତ୍ତର ତୁ ଦେଇଛୁ କୁବେରକୁ–ବାଣ ପୋଡ଼େ ସିନା, ପଇସା ପୋଡ଼େ ନାହିଁ । ଖୁଡ଼ୀକୁ ଡାକି ଦେ ତ-। କୁବେରର ବାହାଘର ପାଇଁ ଚିଠି ଆସିଛି ।

 

କେଉଁଠୁ ଦାଦା ?

ଆଗ ତୋ ଖୁଡ଼ୀ ମନକୁ ଆସୁ; ତା’ପରେ ଜାଣିବୁ ।

 

ପ୍ରତିବାଦ ନ କରି ପରୀ ବୁଲିପଡ଼ି ଆଲୋକିତ କୋଠରି ଭିତରୁ ଅଗଣାକୁ ବାହାରି ଆସିଲା । ଅନ୍ଧାରଟା ଦିଶିଲା ଯେପରି ଦୁର୍ଭେଦ୍ୟ । ଦୁଇଦିନ ହେଲା ସାମାନ୍ୟ ଶୀତ ପକାଉଛି । ଦେହ ଶୀତେଇ ଉଠୁଛି ।

 

କୁବେର ଭାଇର ବାହାଘର ସମ୍ବନ୍ଧ ଆସିଛି । ଏଥର ବି ସେ ମନା କରିଦେବେ ? ପରୀର ମନ ଶୀତେଇ ଉଠିଲା । ବିଲିବିଲି ଅନ୍ଧାର ସେପାଖେ କବାଟ ଫାଙ୍କରେ ଆଲୁଆ ଦିଶୁଛି । ଗୁଣୁଗୁଣୁ ସ୍ୱର ଶୁଭୁଛି । ଖୁଡ଼ୀ ରାମାୟଣ ପଢ଼ୁଛି । ପାଖ କୋଠରିର କବାଟ ମୁକୁଳା । କଥା ଶୁଣିବ ବୋଲି ଅପେକ୍ଷା କରି କରି ବିଦୁର ଶୋଇପଡ଼ିବଣି । କ୍ଷୀର ପିଇ ନ ଥିବ । ଆରେ, ଭାଇଙ୍କୁ ବି ସେ କ୍ଷୀର ଗ୍ଲାସ ଦେଇ ନାହିଁ । ରାତି ଅଧିକ ହେଲାଣି ।

 

କାହା ଜାତକ ?

 

ସୁମତି ପାଖକୁ ଆସି ଠିଆହେଲେ । ଟେବୁଲ ଉପରେ ପଡ଼ିଥିବା ଚିଠି ଓ ତହିଁରେ ଥିବା ନାଲିସ୍ୟାହିରେ ଲେଖା ଟିପଣାକୁ ଅତି ଆଗ୍ରହରେ ଅନାଇଁ ରହିଲେ ମକର । ସେ ମୁଣ୍ଡ ଟେକି ସୁମତିଙ୍କୁ ଚାହିଁଲେ ।

 

ଯେଉଁଠି ଠିଆ ହୋଇଥିଲା ପରୀ ସେଇଠି ସେ ଠିଆ ହୋଇଛନ୍ତି । ମୁଣ୍ଡରେ ଲୁଗା ନାହିଁ । ଜୁଡ଼ାରେ କାଠଚମ୍ପା ଫୁଲମାଳ କେତେ ପରସ୍ତ ହୋଇ ଗୁଡ଼ା ହୋଇଛି । ମଧୁର ମହକରେ କୋଠରିଟି ମହକି ଉଠୁଛି । ମୁଣ୍ଡରେ ସିନ୍ଦୁର । ଆଖିରେ କଜ୍ଜ୍ୱଳ । ଦେହରେ ପରିଷ୍କାର ଧଳା ଶାଢ଼ୀ-। କାନରେ କୋଣାର୍କ-ଚକ୍ର ପଥରବସା କାନଫୁଲ, ବେକରେ ସରୁ ଚେନ ହାରରେ ଓହଳିଥିବା ଚକ୍ରପଦକ ଛାତି ଉପରେ ଦୋହଲି ଦୋହଲି ଝଟକୁଛି ।

 

ସ୍ୱାମୀ ତନ୍ମୟ ହୋଇ ଚାହିଁ ରହିବାର ଦେଖି ସୁମତି ଲାଜରା ହୋଇ କହିଲେ, ଆରେ, ଏମିତି ଚାହିଁ ରହିଛ କାହିଁକି ମ? କହୁନ କାହିଁକି ଡକାଇ ପଠାଇଲ ?

 

ଏଇ ଟିପଣା କଥା । କବାଟ ଠିଆମେଲା କରି ଆସିଲ, ବାହାରର ଥଣ୍ଡା ପଶି ଆଉଚି....

 

ସୁମତି ଫେରି ଚାହିଁଲେ । ସତେ କବାଟ ଠିଆମେଲା ହୋଇଛି । ସେ କବାଟ ଦିଫାଳ ଆଉଜାଇ ଫେରିଲେ ।

 

କାହାର ସେ ଟିପଣା ?

କଟକରୁ ଆସିଛି ? ବସ, ମୁଁ ସବୁକଥା କହିବି । ବଡ଼ଲୋକର ଝିଅ... ।

 

ସୁମତି ପାଖରେ ପଡ଼ିଥିବା ଟୁଲ ଉପରେ ବସିଲେ । ମକର ଚିଠି ଖଣ୍ଡି ବଢ଼ାଇଦେଲେ । ମନଦେଇ ପଢ଼ି ସୁମତି କହିଲେ, ମେନକା ଦେଇଛନ୍ତି । କୁବେରଙ୍କୁ ସେ ଛୋଟ ଭାଇଟି ପରି ଭଲ ପାଆନ୍ତି । ହେଲେ ଝିଅର ବାପ ସୁନନ୍ଦବାବୁ ତ ଲେଖିନାହାନ୍ତି ।

 

ଅଖିଳବାବୁଙ୍କୁ ମୁଁ ଏ ଟିପଣା ଦେଖାଇଥିଲି । କୁବେରର ଜାତକ ସଙ୍ଗେ ମିଳାଇ କହିଲେ, ରାଜଯୋଟକ ନ ପଡ଼ିଲେ ବି ଟିପଣା ଭଲ ସୁଝିଛି । କୌଣସି ବିଷୟରେ ଅମେଳ ନାହିଁ । କୁବେର ଯଦି ଅମଙ୍ଗ ନ ହୁଏ, ମେନକାଙ୍କୁ ଲେଖିଲେ ତେଣିକି ସୁନନ୍ଦବାବୁଙ୍କ ସଙ୍ଗେ କଥା ପଡ଼ିବ । ଝିଅଟି ଅବଶ୍ୟ ସୁନ୍ଦର ଓ ଗୁଣର ହୋଇଥିବ । ମେନକା ଦେଖିଛି । କୁବେର ଦେଖିଛି । ଭଲକରି ଜାଣେ କୁବେର ମଙ୍ଗିଲେ ହେଲା ।

 

ଦୀର୍ଘଶ୍ୱାସ ଛାଡ଼ି ସୁମତି ପଚାରିଲେ ଝିଅଟି ପାଠ ପଢ଼ୁଛି, ପୁଣି ଡାକ୍ତରୀ ପାଠ । ଯଦି ବାହାଘର ହୁଏ ସେ ପାଠ ଛାଡ଼ିବତ ?

 

ନୋହିଲେ, ମେନକା ସମ୍ବନ୍ଧ ପଠାନ୍ତେ କାହିଁକି ? ଭଲ ଘର ଭଲ ବର ମିଳେ ନାହିଁ ବୋଲି ସହରରେ ଥିବା ଭଦ୍ରଲୋକମାନେ ଝିଅମାନଙ୍କୁ ପାଠ ପଢ଼ାଉଛନ୍ତି କେବଳ ଗୋଟାଏ ନିଯୁକ୍ତି ପାଇଁ । ଭଲ ପାତ୍ରଟିଏ ଜୁଟିଲେ ପାଠ ଯେତିକି ହେଲା ସେତିକି ।

 

Unknown

କୁବେର ଯେ ଘରେ ବସିଛନ୍ତି... ।

 

ବେକରେ ଜଣେ ଛନ୍ଦା ହେଲେ ବଳେ ଦାୟିତ୍ଵଜ୍ଞାନ ଆସିବ । ଶଶୁର ବଡ଼ଲୋକ । କୁବେରକୁ ସେ ଘରେ ଅଳସ ହୋଇ ବସିବାକୁ ଛାଡ଼ିଦେବେ ନାହିଁ । ଚାକିରି, ଓକିଲାତି କି ଆଉ କେଉଁ ବ୍ୟବସାୟରେ ଅବଶ୍ୟ ପୂରାଇଦେବେ । ତାର ବୟସ ବଳେଇଲାଣି । ମୁଁ ଭାବୁଛି, ଆଉ ଡେରି କରିବା ଭଲ ନୁହେଁ ।

 

କୁବେର ମଙ୍ଗିଲେ ତ ।

 

ମକର କ୍ଷଣେ ଭାବିଲେ । ଥଙ୍ଗେଇ ଥଙ୍ଗେଇ କହିଲେ, ପରୀ ଯଦି ତାକୁ କହେ ସେ ଅମଙ୍ଗ ହେବ ନାହିଁ ।

 

କଥାଟା କହିଦେଇ ମକର ନିଜେ ଯେପରି ଚକିତ ହୋଇ ସୁମତିଙ୍କୁ ଚାହିଁଲେ । କାହିଁକି ତାଙ୍କର ମନରେ ଏପରି ଧାରଣା ହେଲା ସେ ନିଜେ ଏ ପ୍ରଶ୍ନର ଉତ୍ତର ନିଜକୁ ଦେଇପାରିଲେ ନାହିଁ-। ପ୍ରଶ୍ନଟା ଯଦି ସୁମତିଙ୍କ ମୁଣ୍ଡରୁ ବାହାରେ ସେ କି ଉତ୍ତର ଦେବେ ? ନିଃସହାୟ ଦୃଷ୍ଟି ସୁମତିଙ୍କ ଗମ୍ଭୀର ମୁହଁରେ ସ୍ଥିର ରହିଲା । ଗାମ୍ଭୀର୍ଯ୍ୟ ଅପସରି ପାହାନ୍ତି ଆଲୁଅର ଧୀର ଆଗମନ ପରି ସୁମତିଙ୍କ ଓଠରେ ମୃଦୁ ହସ ବିକଶି ଉଠିଲା ।

 

ମକର ତନ୍ମୟ ହୋଇ ଚାହିଁଲେ । ସୁମତିଙ୍କର ସ୍ୱାସ୍ଥ୍ୟ ବଦଳିଛି । ରୂପ ବଦଳିଛି । ତାଙ୍କର ସେ ଖିଟାଖିଟା ସ୍ଵଭାବ ନାହିଁ । କଥା କଥାରେ ଅଭିମାନ କରି ଆଖିର ଲୁହ ଗଡ଼ାଇ ଚାଲିଯିବା ସ୍ଵଭାବ ମଧ୍ୟ ନାହିଁ । ଆଳସ୍ୟ ଛାଡ଼ି ସେ କର୍ମତତ୍ପର ହୋଇଛନ୍ତି । ବୟସ ଯେପରି ପନ୍ଦର ବର୍ଷ ପଛେଇ ଆସିଛି, ପୁଣି ବୟସ ଜନିତ ସ୍ଥିର-ବୁଦ୍ଧି ଆଗେଇ ଯାଇଛି ପନ୍ଦରବର୍ଷ ।

 

ସୁମତି, ସେଇ ତ ସେ ପନ୍ଦର ବର୍ଷ ତଳେ ଆଗକୁ ଆସିଲେ ଦର ମଇଳା ଶାଢ଼ି, ଅସଜଡ଼ା ଅସନା କେରି କେରି ହୋଇ ଝୁଲୁଥିବା କେଶ, ମସଲା ଗନ୍ଧ, ତରଙ୍ଗ ତରଙ୍ଗ, ଆସୁ ଆସୁ ଚାଲିଯିବାକୁ ତରତର ଢଙ୍ଗ । ତାଙ୍କର ହାତଧରି ପାଖକୁ ଆଣିବାକୁ ହାତ ଲମ୍ବି ଯାଏ । ଭିଡ଼ି ମୋଡ଼ି ହୋଇ ଚାଲିଯିବାକୁ ଚେଷ୍ଟାକଲେ ହାତମୁଠା ଚାପି ହୋଇଯାଏ ।

 

ପନ୍ଦର ବର୍ଷ ପରେ, ଧଡ଼ିଆ ଧେଡ଼ଙ୍ଗ ଅଭିମାନିନୀ କ୍ଷଣକୋପୀ ସନ୍ଦେହୀ ସୁମତି ଯେତେଥର ପାଖକୁ ଆସନ୍ତି ଥଟିଲି କହି ତାଙ୍କୁ ବିରକ୍ତ କରି ପାଖରୁ ଦୂରେଇ ଦେବାକୁ ମନହୁଏ । ମାସ କେଇଟାରେ ସେ ଏକାଥରେ ବଦଳି ଯାଇଛନ୍ତି । ହାତଧରି ଆହୁରି ପାଖକୁ ଟାଣି ନେବାକୁ ମନ ଲମ୍ବି ଆସୁଛି ସିନା, ହାତ ଲମ୍ବାଇ ହେଉନାହିଁ । ଲାଜ ସଂକୋଚ କେଜାଣି ବା ଆଉ କଅଣ, ମନର ଉତ୍ସୃଙ୍ଖଳତାକୁ ଅଟକାଇ ରଖୁଛି । ସାହସ ହେଉ ନାହିଁ । ପରିହାସ କରିବାକୁ ତୁଣ୍ଡ ଖୋଲୁନାହିଁ ।

 

ଆଗରେ ଯେଉଁ ମୂର୍ତ୍ତିଟି ବସି ହସ ହସ ହୋଇ ଚାହିଁ ରହିଛନ୍ତି ସେଇ ମୂର୍ତ୍ତିର ଦେହ ମନ ଅସ୍ତିତ୍ୱ ସବୁ ତାଙ୍କରି ହେଲେ ମଧ୍ୟ ଆଜି ସ୍ୱତନ୍ତ୍ରତାର ପ୍ରକାଶ । ସେଇ ପବିତ୍ରତାର ଆଲୋକକୁ ଚାହିଁହୁଏ, ଛୁଇଁହୁଏ ନାହିଁ । ଉପଲବ୍‌ଧି ଓ ଉପଭୋଗ କରିହୁଏ, ଗ୍ରାସ କରିହୁଏ ନାହିଁ ।

 

କିଏ ଆଣିଛି ଏତେ ବଡ଼ ପରିବର୍ଭନ ?

ପରୀ !

 

କାହାରିକୁ ସେ କେବେ କିଛି କହି ନାହିଁ । ଆକଟି ନାହିଁ । ନିଜେ କର୍ମ କରିଛି ସହିଛି । ସଭିଙ୍କ ମନରେ ଆସନ ପାତି ବସିଛି । ମନର ଆବର୍ଜନା ଦୂରକୁ ଆଡ଼େଇ ଦେଇଛି ।

 

କେବଳ ଏଇ ଛୋଟ କୁଟୁମ୍ବରେ ନୁହେଁ, ବାହାରେ ନନ୍ଦପୁରର କେତେଘର ତାଆରି ଦୃଷ୍ଟାନ୍ତ ଆଣିଛି ପରିବର୍ତ୍ତନ । ଯେଉଁମାନେ ଛି ଛାକର କରନ୍ତି, ସମାଲୋଚନା କରନ୍ତି, ସେଇମାନେ ପରୀର ଉଦାହରଣ ଦେଇ ଝିଅବୋହୂଙ୍କୁ ଶାସନ କରନ୍ତି । ସୁମତିଙ୍କ କାନରେ ପଡ଼େ....

 

ଏତେ ଅଳସ କଣ ମ ? ଦିନ ଘଡ଼ିକେ ପହଡ଼ ଭାଙ୍ଗୁଛି । ଏ କି ବୋହୂ ?

ଆଗୋ, ସବୁ କାମରେ ମଠ ମଠ, ଏ କି ଝିଅ ?

 

ସଫାସୁତୁରା ହେଇ ମୁଣ୍ଡରେ ପାନିଆଟା ମାରିଦେଲେ ଏମିତି ଆଲୁରି ବାଲୁରି ହେଇ ଆତଯାତ କାହିଁକି ହୁଅନ୍ତା ଗୋ ବୋହୂ ?

 

ଫୁଲେଇପଣକୁ ତ ସରିଛି ସେ ଝିଅଟା, ନୂଆ ଗହଣା ଖଣ୍ଡେ ନାଇଛି ଯେ କେତେ ଦେଖେଇ ହେଉଛି ?

 

ତାଙ୍କ ଘରର ଯୁବତୀ ଝିଅଟି, ଘରେ ଯେମିତି ବାହାରେ ସେମିତି । ଚାଲି ଜାଣେ ନାଇଁ । ଦେହରୁ ଶହେଥିର ଲୁଗା ଖସେ ।

 

କି ତରଙ୍ଗ ତରଙ୍ଗ ଚାହାଁଣୀ, ଖିଲି ଖିଲି ହସ ସେ ବୋହୂଟାର ! ନ ଜାଣିଲା ଲୋକ ଜାଣିବ, ନ ଚାହିଁଲା ଲୋକ ଚାହିଁବ, ଛି.... ।

 

ଦାସୀଝିଅଟା ହେଲେ ବି ଶୁଖୁନାହାନ୍ତି ପରୀଠାରୁ ? ଏଇ ଗାଆଁରେ ମାଙ୍କଡ଼ ଛୁଆରୁ ମଣିଷ ଛୁଆ ହେଲା । କିଏ ପଦେ ବାଛିବ ? ଯେ ବାଛୁଥଲେ, ଯେ କହୁଥିଲେ ସେ ଅଜଣା ଅଶୁଣା ଜାତିଗୋତ୍ର ଦାସୀପିଲାଟାକୁ ତଳୁ ଗୋଟାଇ କୋଳରେ ବସାଇଛନ୍ତି । ସବୁ ସମର୍ପି ଦେଇଛନ୍ତି ।

 

ଆରେ, ଅନ୍ୟାୟ ହେଉ କି ଦେଶାଚାର ଓ କୁଳାଚାର ବିରୁଦ୍ଧ ହେଉ, ଯେଉଁମାନେ ତାକୁ ବଡ଼ ଆସନ ଦେଲେ ତାଙ୍କୁ ସିନା ତେମେ ନିନ୍ଦିବ, ଦଣ୍ଡିବ କି ଯାହା ଇଚ୍ଛା ତା କରିବ, ପରୀର କି ଦୋଷ ?

 

ସୁମତି ଦୀର୍ଘଶ୍ୱାସ ଛାଡ଼ିଲେ । ଭଲ ମନ୍ଦ କେତେକଥା ଲୋକେ ପଛରେ କହୁଥିବେ । ଯେଉଁମାନେ ଆଗରେ କହନ୍ତି ତାଙ୍କ ତୁଣ୍ଡରେ ପ୍ରଶଂସା ବାହାରେ । ପାଟି ଖଲ ଖଲ ହୁଏ କହିଦେବାକୁ, ଆଗୋ, ମୋ ପରି ଭଲ ଘରର ଝିଅ । ଖୁଡ଼ୀ ବୋଲି ଡାକିଲେ ବି ସେ ମୋର ଝିଅ । ତାକୁ ଛେଚି ପିଟି ମୁଁ ସୁନାମୁଣ୍ଡା କରିଛି ।

 

ଅଖିଳବାବୁଙ୍କୁ ପଚାରିଲ ?

ଜାତକ ତ ଭଲ ସୁଝିଛି ।

ପରୀ କଥା... ।

 

ପଚାରି ନାହିଁ । ଅଖିଳାବାବୁ ତାଙ୍କ ମନକୁ କହିବେ । ଯଦି ସେ କହିବେ, ପରୀ ଅମୁକଙ୍କର ସାତ ପୁଅରେ କୋଡ଼ପୋଛା ଝିଅ ହୋଇ ଜନମିଥିଲା, ତାର ବାପ ମା ବଞ୍ଚିଛନ୍ତି, ସେମାନଙ୍କର ଅଚଳାଚଳ ସମ୍ପତ୍ତି, ପରୀର ବାପା ମାଙ୍କ ପାଖକୁ ଖବର ପଠାଇ ପାରିବ ତ ?

 

କାହିଁକି ନ ପାରିବ ?

ସେମାନେ କହିବେ, ଆମ ଝିଅକୁ ଦିଅ । ଦେବ ତ ?

ପରୀ ଯିବନାହିଁ ।

ସେମାନେ ତାକୁ ନେବାକୁ ଜିଗର ଧରିବେ ।

ହେଲା, ପରୀ ଯିବ । ପୁଣି ଫେରି ଆସିବ..... ।

ବୋହୂ ହୋଇ ?

 

ଚମକି ଉଠିଲେ ସୁମତି । ପଛକୁ ଫେରି ଚାହିଁଲେ । କବାଟ କେତେବେଳେ ଆପେ ଆପେ ଅଧମେଲା ହୋଇଗଲାଣି । ପରୀ ବିଦୁରର ମଶାରୀ ଝାଡ଼ି ଦେଉଛି । ଗୋଟିଏ ହାତରେ ନଲଟନ ଧରି ସେ ପଦାକୁ ଆସିଲା । ଆର ହାତରେ ଧରିଛି କାଚଗ୍ଲାସ । କୁବେର ପାଇଁ କ୍ଷୀର ଆଣିବାକୁ ସେ ରୋଷେଇଘରକୁ ଯାଉଛି ।

 

ସୁମତି ଉଠି ଆସିଲେ । କବାଟ ଖୋଲି ଡାକିଲେ ଗେହ୍ଲେଇ, ପରୀ... ।

ପରୀ ପାଖକୁ ଆସିଲା ।

ରାଈ– ?

ଶୋଇଥିବ ।

ବିଦୁରକୁ କ୍ଷୀର ପେଇଛୁ ?

ହଁ !

ପରୀ ତୁନି ରହିଲା

ସୁମତି ଆକଟି କହିଲେ, ଭାଇକୁ କ୍ଷୀର ଦେଇ ତୁ ନିଜେ ପିଇ ଶୋଇବୁ । ଯା–

 

ପରୀ ଉତ୍ତର ନ ଦେଇ ରୋଷ ଘରକୁ ଚାଲିଗଲା । ଭାବିଲା, ଆଜି କଅଣ ଗୋଟାଏ ଗୁରୁତର ଘଟଣାର ସମାଧାନ କରିବାକୁ ଦାଦା ତାଙ୍କୁ ଡାକିଛନ୍ତି । ଟେବୁଲ ଉପରେ କାହାର ଟିପଣାଟି ପଡ଼ିଥିଲା । କାହାର ହୋଇଥିବ ? ଜାଣିବାକୁ ମନ ଛକପକ ହେଲା । ଯାହା ହେଉ, ନିଶ୍ଚୟ ଭାଇଙ୍କ ବାହାଘର ପାଇଁ ସମ୍ବନ୍ଧ ଆସିଛି । ବଳେ ଖୁଡ଼ୀ ତାଙ୍କ ମନକୁ କହିବେ । କୌଣସି କଥା ପରୀ ପାଖରେ ସେ ଗୋପନ ରଖନ୍ତି ନାହିଁ ।

 

ପରୀ ରୋଷଘରୁ କ୍ଷୀର ନେଇ ଆର ଖଞ୍ଜାକୁ ଯାଉଣୁ କଣେଇ ଚାହିଁଲା । ଦାଦାଙ୍କ ଘରର କବାଟ ଆଉଜା ହୋଇଛି । ଫାଙ୍କା ବାଟେ ଆଲୁଅ ଆସୁଛି । ଖୁଡ଼ୀ କହୁଛନ୍ତି, ପରୀ ମୋ ପାଖରୁ ଚାଲିଯିବ...

 

ପରୀର ଗୋଡ଼ ଅଟକି ଗଲା । ଛାତି ଚମକି ଉଠିଲା । ମନ ହାହାକର କରି ଉଠିଲା । ଖୁଡ଼ୀ କଅଣ କହୁଛନ୍ତି ? କାହାର ସେ ଟିପଣା ? ପରୀ ଚାଲିଯିବ ? କୁଆଡ଼େ, କାହିଁକି ? ଯେତେ ଯାହା ହେଲେ, ସେ ତ ଅଜଣା କୁଳର ଝିଅ । ଦୁନିଆଁର ଲୋକଙ୍କୁ ଅଜଣା ନାହିଁ । ତା ପାଇଁ କିଏ ପଠାଇଛି ଟିପଣା ? ତାର ନିଜର ଟିପଣାଟା ମନଗଢ଼ା । ଅଖିଳବାବୁଙ୍କର ଖିଆଲର ଫଳ ।

 

କାହାରି ହାତଧରି ସେ ଯିବ ନାହିଁ । କାହାରି ସେ ପତ୍ନୀ ହେବନାହିଁ, ହେବ ନାହିଁ ଜନନୀ । ସେ ଦୁନିଆଁରେ ସବୁ ପିତାଙ୍କର କନ୍ୟା, ସବୁ ପୁତ୍ରଙ୍କର ଭଉଣୀ । ସେ କାହିଁକି ଚାଲିଯିବ ? କୁଆଡ଼େ– ?

 

କାନ୍ଦର କୋହ ନିଶ୍ୱାସ ଥରାଇଲା । ଅଟକିଲା ଗୋଡ଼ ଆଗକୁ ଚାଲିଲା । ଫେରି ଚାହିଁଲା-। ଦାଦାଙ୍କ ଘରର କବାଟ ଫାଙ୍କ ଦେଖାଯାଉ ନାହିଁ । କାନରେ ବାଜିଯାଉଛି ଯେପରି ଖୁଡ଼ୀଙ୍କ ତୁଣ୍ଡର ତୁନି କଥା...ପରୀ ମୋ ପାଖରୁ ଚାଲିଯିବ...

 

ଏ କଥା ସହିପାରିବି ନାହିଁ । ସେ କଅଣ, ଯେତେଦିନଯାଏ ଜାଣି ନ ଥିଲି, ପାଖରୁ ଦୂରେଇ ରଖିଥଲି । ଯେତିକି ତାକୁ ଚିହ୍ନଛି, ସେତିକି ମୋର ଆଗ୍ରହ ହେଉଛି ତାକୁ କୋଳରେ ପୂରାଇ ଅଟକାଇ ରଖିବି । ସେ ମୋର ଝିଅ । ସେ ମୋର ଝିଆରୀ । କିନ୍ତୁ ଝିଅର ଜନମ ପରଘର ପାଇଁ ! ପରୀକୁ ମୁଁ ପରଘରକୁ ପଠାଇ ପାରିବି ନାହିଁ ।

 

ମକର ହସି ଉଠିଲେ । କହିଲେ ତମେ ସ୍ୱାର୍ଥପର ।

ମୁଁ ମୋ କଥା ଭାବୁନାହିଁ ।

କାହା କଥା ତେବେ ?

କୁବେର କଥା । ପରୀ କଥା ।

ମାନେ ?

 

ସୁମତି କବାଟ ଆଡ଼କୁ ଚାହିଁଲେ । ମନ ମାନିଲା ନାହିଁ । ସେପାଖରେ ଅନ୍ଧାରକୁ ମଧ୍ୟ ମନର କଥା ସେ ଶୁଣାଇ ଦେବାକୁ ଚାହାନ୍ତି ନାହିଁ ! ସେ ଉଠିଯାଇ କିଲଣି ଲଗାଇଲେ । ମକର ଚିଠି ଓ ଟିପଣା ବାକ୍‌ସରେ ରଖି ଉଠି ଠିଆ ହେଲେଣି । ସୁମତି ପାଖକୁ ଆସିବାର ଦେଖି ସେ ଆଗ୍ରହ-ଉଜ୍ଜ୍ୱଳ ଦୃଷ୍ଟି ପକାଇ କହିଲେ, କ୍ଲାନ୍ତ ଲାଗୁଛି । କଣ ତେମେ ବିଚାରୁଛି, ମତେ କହିବ ଆସ-

 

ମଶାରୀ ଟେକି ମକର ପଲଙ୍କ ଉପରେ ବସିଲେ । ସୁମତି ଆଗରେ ଠିଆ ହୋଇ କହିଲେ ତୁନି ତୁନି, କୁବେର ପରୀକୁ ଭଲପାଏ ।

 

ଏଁ ।

 

ମକର ସୁମତିଙ୍କ ହାତଧରି ପଲଙ୍କ ଆଡ଼କୁ ଟାଣିଲେ । ସୁମତି ପଲଙ୍କ ଉପରେ ମକରଙ୍କ ପାଖରେ ବସି କହିଲେ, ମୁଁ ଜାଣେ, ଆଜି ନୁହେଁ ତିନିବର୍ଷ ହେଲା । କୁବେର ପରୀକୁ ଭଲପାଏ ।

 

ମକରଙ୍କ ଛାତିରେ କେଉଁ କନ୍ଦିରେ କଅଣ ଯେପରି ଗୋଟାଏ ଫୋଡ଼ିବାକୁ ଲାଗିଲା । ମକର ଜାଣି ମଧ୍ୟ ଯେପରି ଜାଣିବାକୁ ଚାହାନ୍ତି ନାହିଁ ଯେ କୁବେର ପରୀକୁ ଭଲପାଏ । ଦାସୀ ଝିଅଟାକୁ ଭଲ ପାଇବା ସ୍ୱାଭାବିକ ହୋଇପାରେ; କିନ୍ତୁ ସେ ତ କୂଳବଧୂର ଆସନ ମଣ୍ଡିପାରିବ ନାହିଁ । ସାତ ପୁରୁଷଙ୍କୁ ପାଣି ଟେକିବ ନାହିଁ । ତାଙ୍କର ବଂଶର ପବିତ୍ର ନିରୋଳା ରକ୍ତରେ ଅଜଣା ରକତ ମିଶାଇବ ନାହିଁ ? କୁବେର ଶିକ୍ଷିତ ବୁଦ୍ଧିମାନ ।

 

ମକରଙ୍କ ଆଖି ଆଗରେ ଅଭିନୀତ ହେଲା ଗୋଟିଏ ଦୃଶ୍ୟ-ଖଟ ଉପରେ ରୋଗ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ଭାଇ, ଦୁଇ ପାଖେ ଦିଓଟି ପିଲା ଜଗି ବସିଛନ୍ତି- ପରୀ ଓ କୁବେର । ଦିଶୁଛନ୍ତି, ଲକ୍ଷ୍ମୀ ନୃସିଂହ ପରି । ସବୁବେଳେ ଏ ଦୃଶ୍ୟ ଆଖିରେ ପଡ଼େ । ଶଙ୍କରଙ୍କର ଆଖି ଯେପରି କେତେ କଥା କହେ । ସେ ହାତ ବଢ଼ାନ୍ତି । ମକର ପାଖରେ ବସନ୍ତି । ହାତକୁ ମୁଠେଇ ଧରି ମୁହଁକୁ ବଲବଲ କରି ଅନାଇ ରହନ୍ତି । ତୁଣ୍ଡ ଖୋଲେ ନାହିଁ । ଦୃଷ୍ଟି ଭ୍ରମେ ପରୀ ମୁହଁରୁ କୁବେର ମୁହଁକୁ । ଛାତି ଥରାଇ ଦୀର୍ଘଶ୍ୱାସ ଛୁଟେ । ଆଖିରେ ଭରେ ଲୁହ ।

 

ଆଖିରେ ଦିଓଟି ନକ୍ଷତ୍ର ମରଣର ବାଦଲ ତଳେ ଲୁଚିଗଲା । ଦିଓଟି ଧାରା ଶୀତଳ ମୁହଁରେ ଶୁଖିଲା । ତଥାପି, ଛାତି ତଳର ଛପିଲା କଥା ସେ କହିଲେ ନାହିଁ ।

 

ମକର ପଚାରିଲେ, ପରୀ– ?

 

ସୁମତି କହିଲେ, କିଏ ଜାଣେ ତାର ମନ କେଉଁ ଭାବନାରେ ଲୁଚକାଳି ଖେଳୁଛି ? ଯେତେଦିନ ଯାଏ ମୋ ମନରେ ସନ୍ଦେହ ବସା ବାନ୍ଧିଥିଲା ପରୀର ଛାଇ ପଡ଼ିଲେ ମୋ ହାଡ଼ରେ ନିଆ ଲାଗୁଥିଲା । ସେଇଦିନ ମୋ ସନ୍ଦେହ ତୁଟିଲା, ଯେଉଁଦିନ ଏ ଘର ଛାଡ଼ି ଚାଲିଯିବାକୁ ପରୀ ମେଲାଣି ମାଗିଲା... ।

 

ମଶା ଭାଉ ଭାଉ ହେଲେ । ମକର ମଶାରୀଟା ଟାଣିଦେଲେ । ଛୋଟ ଜାଲିଜାଲିଆ କନାର । ଘର ଭିତରେ ଆଲୁଅ ଦିଶିଲା ମଳିନ । ଅନ୍ୟମନସ୍କ ହେଲା ପରି ମକର ପଚାରିଲେ, ଏ କଥା ମୋତେ କେବେ ତେମେ କହିନାହଁ ତ ?

 

ଅଭିମାନିଆ କୋହକୁ ଅଟକାଇ ସୁମତି କହିଲେ, ତମେ କେବେ ଶୁଣିବାକୁ ଚାହିଁନାହଁ ତ-। ପରୀ କଅଣ କହିଲା ଜାଣ, ସବୁ ସହିପାରିବି ଖୁଡ଼ୀ, ଯେଉଁଠି ମନରେ ସନ୍ଦେହ ଖେଳେ, ସେଠି ମୁହୁର୍ତ୍ତେ ରହିବି ନାହିଁ ।

 

ମକର ସୁମତିଙ୍କର ହାତ ପାପୁଲି ଧରି ଉଷ୍ଣତା ଅନୁଭବ କରି ପଚାରିଲେ, ବିଶ୍ୱାସ କଲ ?

 

ସୁମତି ହାତ ଖସାଇ ଆଣି ଖସି ପଡ଼ିଥିବା ଲୁଗାକୁ ମୁଣ୍ଡରେ ଦେଇ ମଶା କାମୁଡ଼ିବାର ପାଦ ଦିଓଟିକୁ ରକ୍ଷା କରିବାକୁ ପଲଙ୍କ ଉପରକୁ ଗୋଡ଼ ଟେକିଲେ । କହିଲେ, ବିଶ୍ୱାସ କଲି, ବିଶ୍ୱାସ କରିଛି । ସବୁ ସମର୍ପି ଦେଇଛି ପରୀ ହାତରେ । ମଣିଷ ନିଜକୁ ଅବିଶ୍ୱାସ କରିପାରେ, ପରୀକୁ ଅବିଶ୍ୱାସ କରିପାରିବ ନାହିଁ । ଯେଉଁଦିନ ସେ ଅନୁଭବ କରିବ, ମୁଁ ତାକୁ ସନ୍ଦେହ ଆଖିରେ ଅନେଇଁଛି, ସେଇଦିନ ସେ ଚାଲିଯିବ ।

 

ଚାଲିଯାଇ ପାରିବ ?

 

ସେ ସାହସ ତାର ଅଛି । କାଲି କଅଣ ଘଟିବ ସେ କଥା ସେ ଭାବିବାକୁ ରହିବ ନାହିଁ, ସେଇଥିପାଇଁ.....

 

ନିଜକୁ ବି ସମର୍ପି ଦେଇଛି ତା ହାତରେ- । ତମକୁ ସେ ତାର ଛୋଟ ଝିଅଟି ପରି ସଜାଇଛି । ନାଇଁ, ଭୁଲ କହିଲି, ଅବିକଳ ଟିକି ନୂଆ ବୋହୂଟି କରି ସଜାଇଛି ।

 

ମକର ସୁମତିଙ୍କର ହାତ ପାପୁଲିକୁ ଦୁଇ ହାତରେ ଧରି ତାଙ୍କର ଲାଜରା ମୁହଁକୁ ଚାହିଁ କହିଲେ, ସୁମତି ବୟସ ହେଲା ଟୋକାଟୋକୀଙ୍କୁ ଏକାଠି କାରବାର ହେବାକୁ ଛାଡ଼ିଦେବାଟା ଠିକ୍ ନୁହେଁ ।

 

ସୁମତି ହସିଉଠିଲା । କହିଲେ, ପରୀ କିଛି ଲୁଚାଏ ନାହିଁ । ଅଭିମାନ କରି କହେ ଖୁଡ଼ୀ, ଆଜିକାଲି ଭାଇ କାହିଁକି ସବୁବେଳେ ଗମ୍ଭୀର ହୋଇ ବସିଛନ୍ତି । ଯେପରି ସବୁବେଳେ କଅଣ ଭାବୁଛନ୍ତି । ପଚାରିଲେ, ମୁହଁ ଫଣଫଣ କରି ହାତ ହଲାଇ ଚାଲିଯିବାକୁ ନିର୍ଦ୍ଦେଶ ଦେଉଛନ୍ତି । ସତେ, ମୁଁ ବି କୁବେରଙ୍କ ମନରେ ଅନ୍ୟମନସ୍କ ଭାବ ଦେଖୁଛି । ଯିଏ ଯାହା କହୁ, ମୁଁ ଜାଣେ, କୁବେରଙ୍କ ମନରେ ଯାହା ଥାଉ ପଛେ, ତାଙ୍କର ଚରିତ୍ର ସ୍ୱଭାବକୁ ସନ୍ଦେହ କରିବାକୁ କେହି ସାହସ କରିବେ ନାହିଁ । କୁବେର ଭଲ ପିଲା । କୁବେର ଆମର ସୁନାମୁଣ୍ଡା ।

 

ମକର କହିଲେ, ମୁଁ ଜାଣେ ସେଇଆ । ଦୁନିଆଁରେ ଲୋକଙ୍କର ସେଇ ଧାରଣା । ତଥାପି, ମୋର ବିଶ୍ୱାସ, ସେ ପରୀକୁ ଭଲପାଏ । ସେଇଥିପାଇଁ ପରୀକୁ ସେ ନିଜ ପାଖରେ ଅଧିକ ସମୟ ରହିବାକୁ ଅନୁମତି ଦିଏ ନାହିଁ । ଚାଲିଯିବାକୁ ନିର୍ଦ୍ଦେଶ ଦିଏ ।

 

କାହିଁକି ?

 

ଆରେ, ବୁଝିପାରୁନ ! ନିଜ ଉପରେ ତାର ଯେଉଁ ବିଶ୍ୱାସ ଥିଲା, ସେ ବିଶ୍ୱାସ ଦୋହଲିଛି-। ପରୀକୁ ତେମେ କନ୍ୟାର ଆସନ ଦେଇଛି । କୋଳକୁ ନେଇଛ । ସବୁ ତାକୁ ସମର୍ପି ଦେଇଛି । ପରୀ ପ୍ରକୃତରେ ହୋଇଛି ତାର ଭଉଣୀ । ମନ ଭିତରେ ସମାଧି ଦେଇଛି ଯେଉଁ ଧାରଣାକୁ, ସେ ତ ମନରେ ରହିଛି । ଘରେ, ବାହାରେ, ଦୁନିଆଁରେ, ପରୀ, ମୋର ଭଉଣୀ ପରି, ମୋର ଭଉଣୀ କହି ଯେତେ ପ୍ରଶଂସା କଲେ ମଧ୍ୟ ଘର ଭିତରେ ନିଜ ପାଖରେ ପରୀର ଉପସ୍ଥିତି ସେ ସହିପାରୁ ନାହିଁ । ସେଇଥିଲାଗି ତେମେ ଦେଖୁଛ ତାର କରଛଡ଼ା ଢଙ୍ଗ, ଅନ୍ୟମନସ୍କ ଭାବ ।

 

ପରୀ ମୋର ଭଉଣୀ, ଏଇ କଥାଟା ସେଦିନ ସେ ମୋ ଆଗରେ କେଡ଼େ କଠୋର ଭାଷାରେ କହିଲେ । ମୋର ଛାତିରେ କାତି ମାରି ଗହୀଡ଼ା ଗାର ଖୋଳିଦେଲେ ।

 

ସେଇଥିପାଇଁ ସେ ଆଜି ଅନୁତାପ କରୁଛି । ଆଗୋ, ସଂସାରରେ ସମସ୍ତେ ସମସ୍ତଙ୍କର ଭାଇଭଉଣୀ । ଶୁଣି ନା, ସଭା ସମିତିରେ ଯେତେ ସତୁରୀ ବର୍ଷିଆ ବୁଢ଼ାଠୁ ଆରମ୍ଭ କରି ସତର ବର୍ଷିଆ ଟୋକାଯାଏ ବକ୍ତୃତା ଦିଅନ୍ତି, ଆଗ ସମ୍ବୋଧନ କରନ୍ତି, ଭାଇ ଓ ଭଉଣୀମାନେ । ଯାହାଙ୍କୁ ଭଉଣୀ ବୋଲି ଡାକନ୍ତି, ସେମାନଙ୍କ ଭିତରୁ କେଉଁ ଝିଅଟି ତାଙ୍କର ପତ୍ନୀ ହୋଇଥିବେ କି ଭବିଷ୍ୟତରେ ହୋଇ ପାରିବେ କୁବେରର ଭଉଣୀ ଡାକ ସେମିତି....

 

ଆଉ ପରୀ– ?

 

ବୁଝିପାରେ ନାହିଁ, ସେ ମଧ୍ୟ କୁବେରକୁ ଭଲପାଏ । ନୋହିଲେ କୁବେର ଚାଲିଯିବାକୁ ହାତ ଠାରିଲେ ତାର ମନରେ ଆଘାତ ଲାଗନ୍ତା କାହିଁକି ? କାହିଁକି ତୁମ ପାଖରେ ସେ ଦୁଃଖ କରି କୁହନ୍ତା ?

 

ଅତି ସରାଗରେ ସୁମତି କହିଉଠିଲେ, ସେଇଆ ମୁଁ ଅନୁମାନ କରିଥିଲି । ଯେଉଁ ଟିପଣା ଆସିଛି, ସୁଝିଲା ନାହିଁ ବୋଲି ମେନକାଙ୍କୁ ଲେଖିଦିଅ । ମୁଁ ଡାକ୍ତରାଣୀ ବୋହୂ କରିବି ନାହିଁ । ତମେ ଅଖୁଳବାବୁଙ୍କୁ ପଚାର, ସେ କହିବେ ପରୀର ବାପ ମା କିଏ । ସେ ଯଦି କହି ନ ପାରନ୍ତି ତ କ୍ଷତି ନାହିଁ । ସେ କୁହନ୍ତୁ, ପରୀ କୁଳର ଝିଅ, ଜାତିର ଝିଅ । ଦୁନିଆଁରେ କେହି ବିଶ୍ୱାସ ନ କଲେ ବି ମୁଁ ବିଶ୍ୱାସ କରିବି । ସେତିକି ହେଲେ ଯଥେଷ୍ଟ ।

 

ବୋହୂ କରିବ ?

 

ପରୀ ପରି ବୋହୂ ପାଇବାକୁ ମୁଁ ଝୁରିହେଉଛି । ଆଉ ମୋର କିଏ ଅଛି ? କୁବେର ମୋର ରାମ, ବିଦୁର ମୋର କୃଷ୍ଣ । ଖତକୁଢ଼ରୁ ଗୋଟାଇ ଧରିଛି ପରୀ ପରି ରତ୍ନ । ଲଙ୍ଗଳ ସିଅରୁ ଜନକ ମହାରାଜା ଗୋଟାଇ ନେଇଥିଲେ ସୀତାଙ୍କୁ । ପରୀ ମୋର ସୀତା ।

 

ଅଖିଳବାବୁ ଯଦି ଅନ୍ୟକଥା କହନ୍ତି ?

 

ତମର ଗୋଡ଼ ଧରୁଛି, ପରୀର ଟିପଣା ତମେ ତାଙ୍କଠାରୁ ଫେରାଇ ଆଣ । ଯେତିକି ସେ କହିଛନ୍ତି ସେତିକି ମୋର ଲୋଡ଼ା । ଶେଫାଳୀ ଯଦି କୁଳବୋହୂ ହୋଇପାରିଲା, ପରି କାହିଁକି ନ ହେବ ? କିଏ ଆଉ ଆମର ଅଛି ? କୁବେର ଓ ବିଦୁର ଆମର ଦୁଇ ଆଖି । ସେମାନେ ସୁଖରେ ରହନ୍ତୁ ଏହାହିଁ ତ ଆମର ଇଚ୍ଛା ।

 

ସୁମତି ମକରଙ୍କ ଗୋଡ଼ରେ ହାତ ଦେଇ ମୁଣ୍ଡ ନୁଆଇଁ ଆଣିଲେ । ମକର ବିହ୍ୱଳହୋଇ ଦୁଇ ହାତରେ ସୁମତିଙ୍କ ମୁଣ୍ଡକୁ ଟେକିଧରି ତନ୍ମୟ ହୋଇ ଚାହିଁ ରହିଲେ ମୁହର୍ତ୍ତେ । ସେ ବଦଳିଛନ୍ତି-। ସ୍ୱାସ୍ଥ୍ୟ, ରୂପ, ଫେସନ, ମନ ଓ ଧାରଣା ସବୁ ତାଙ୍କର ବଦଳିଛି । ସବୁ ହୋଇଛି ନୂଆ-। ଅନ୍ତର ଭିତରେ ଶୁଖି ଆସିଥିବା ଅପତ୍ୟର ଝରଣା ଯେପରି କେଉଁ ଅଜଣା ଘରୁ ଝରି ପଡ଼ିଥିବା ଅକଳଣ ଜଳକଣାର ସମଷ୍ଟିରେ ଭରପୂର ହୋଇ ଦୁଇ କୂଳ ଭସାଇ କୁଳୁକୁଳୁ ହୋଇ ମାଡ଼ିଚାଲିଛି-। ସେଇ ପ୍ରବାହ ଯେପରି ଦୁନିଆଁର ସବୁ ସନ୍ତାନଙ୍କୁ ଧୋଇ ପୋଛି ନିର୍ମଳ କରି କୋଳକୁ ଟାଣି ଆଣିବ । କାହିଁକି ଏହା ସମ୍ଭବ ହୋଇପାରିଲା । ମକର ସୁମତିଙ୍କୁ କପାଳ ଚୁମ୍ବନ କଲେ । ଶିହରି ଉଠିଲେ ନିଜେ ।

 

ସୁମତିଙ୍କର ମୂର୍ଚ୍ଛାଳିଆ ଶିହରଣ ସେ ଅନୁଭବ କଲେ । ପରୀ ତାଙ୍କୁ ବଦଳାଇଛି । ନିଜକୁ ଅବତାର କରି ସୁମତିଙ୍କ ଦେହ, ମନ, ଧାରଣା ଓ ମୂର୍ଚ୍ଛନାରେ ସମ୍ପାଦିଛି । ଦଶବର୍ଷ ହେବ ଯାହା ସମ୍ଭବ ନ ଥିଲା ପରୀ ତାହା ସମ୍ଭବାଇ ପାରିଛି । ପରୀ ଭଲ । ଏ କୁଳର ବଧୂ ହେବାର ଉପଯୁକ୍ତ । ଏକା ସେ ସୁମତିଙ୍କୁ ଯେ ବଦଳାଇ ପାରିଛି, ବାହାର ଦୁନିଆଁକୁ ମଧ୍ୟ ସେ ବଦଳାଇ ପାରିବ ।

 

ବାହାର ଦୁନିଆଁରେ ମଧ୍ୟ ବହୁଛି ତୋଫାନ । ସଂସ୍କୃତିର ଅହମିକା, ଜାତିଆଣର ଅଭିମାନ, ଧନିକର ପରାକ୍ରମ, ପ୍ରଭୁତ୍ଵର ବଡ଼ପଣ- ସବୁ ଏକାଠି ମଣୁଛି । ଚଡ଼ଚଡ଼ ହୋଇ ଭାଙ୍ଗି ଲୋଟୁଛି ତଳେ । ତୋଫାନର ପରାକ୍ରମ । ଭାଙ୍ଗିପଡ଼ୁଥିବା ଦାରୁ ଦ୍ରୁମର ଖୁଣ୍ଟା ଦିଶୁଛି ହତଶ୍ରୀ, ଅଲକ୍ଷଣ । ଯେଉଁଠି ପଡ଼ୁଛି ତାର ପିଣ୍ଡ, ସେଠି ଉଠୁଛି ଚିତ୍ରକାର, ହାହାକାର ଓ ହାସ୍ୟରୋଳର ମିଶ୍ରଣ, ଚାରିଆଡୁ ବହି ଆସୁଥିବା ତୋଫାନର ଭୈରବୀ ସଙ୍ଗୀତ ।

 

ପରୀ ଶାନ୍ତ ଶିଷ୍ଟ । ଜୋଛନା ରାତି ପରି ନିର୍ମଳ । ମଳୟ ପରୀ ଧୀର । ନିଜେ ସେ ଗମେ ଜାଣି ହୁଏ ନାହିଁ । ତାଆରି ମୃଦୁପରଶ ନୁଆଇଁ ଆଣିଛି ଅହମିକା, ଅଭିମାନ, ପରାକ୍ରମ, ବଡ଼ପଣ ତାଆରି ପାଖକୁ । ଏଇ ଅବଗୁଣ୍ଠନବତୀ ସୁମତି ସେଇ ମଳୟିନୀର ଜନନୀ ନୁହେଁ, କନ୍ୟା । ଆଉ ସେ ନିଜେ ସେଇ ନିଷ୍କଳଙ୍କ ସୀତାର ଶିଶୁପୁତ୍ର ।

ମକର କୋଳାଗ୍ରତ କଲେ ସୁମତିଙ୍କୁ । କାନରେ କହିଲେ, ପରୀ ହେବ ଆମର କୁଳର ବଧୂ । ତାଆରି ପେଟରୁ ଜନମ ଲଭିବେ ଆମର ପୂର୍ବପୁରୁଷ, ଆମେହିଁ ଜନମିବା । ରାମାୟଣ ଯୁଗ ନୂଆ ରୂପ ଘେନି ଫେରି ଆସିବ । ତଥାପି ଦୁହିଁଙ୍କର ମନ ବିଡ଼ିବାକୁ ଦୁଲାଳୀର ସମ୍ବନ୍ଧ ପରୀ ପାତିବ କୁବେର ପାଖରେ । ହେଲା ତ ?

 

ଆନନ୍ଦରେ ଆତ୍ମହରା ହୋଇ ସୁମତି କହିଲେ, ଭାରି ଭଲ ହେବ ।

 

ମକରଙ୍କ ଉଦାର ହୃଦୟରେ ଲାଜକୁଳୀ ଲତାଟି ପରି ସେ ମୁଣ୍ଡ ନୋଇଁଲେ । ଛାତିର ସ୍ପନ୍ଦନ କାନରେ ବାଜିଲେ ବୟସର ଧାରଣା ପଛେଇଗଲା । ହୃଦୟତନ୍ତ୍ରୀରେ ଝଙ୍କାରି ଉଠିଲା ଜୀବନ ସଙ୍ଗୀତ !

 

କୁବେର ବିଚଳିତ ହେଲା । ହାତ ଠାରି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ ମଧ୍ୟ ପରୀ ଚାଲିଯାଇନାହିଁ । ପାଖରେ ଠିଆ ହୋଇଛି । ହାତରେ କ୍ଷୀର ଗ୍ଲାସ । ମୁହଁରେ କାନ୍ଦ କାନ୍ଦର ଭାବ । କଅଣ ଯେପରି କହିବାକୁ ସେ ଅପେକ୍ଷା କରିଛି ।

 

ସୁଖରେ ଅଛି, ଆନନ୍ଦରେ ଅଛି । ଦାଦା ଓ ଖୁଡ଼ୀଙ୍କର ହୋଇଛି ସ୍ନେହର ପାତ୍ର । ବିଶ୍ୱାସଭାଜନ । ଆଦରଣୀୟ ଖେଳଣା । ଯେଉଁ ସ୍ନେହର ଅଧିକାର ଦିନେ ସେ ହୋଇଥିଲା, ଯହିଁରୁ ଭାଗ ନେବାକୁ ଜନମିଲା କୁନ୍ତଳା, ତା ପଛକୁ ବିଦୁର । ସେଇ ସ୍ନେହର ଯାହା ଥିଲା ଅବଶେଷ ସବୁ ଅଧିକାର କରି ବସିଛି ପରୀ । ଭୋଗଭାଗ୍ୟର ପିତୁଳା । ନିଜକୁ ଓ ନିଜର ଅତୀତକୁ ପାସୋରିଛି । ମନରେ କେଉଁ ଦୁଃଖ, ଦୁର୍ଭାବନା, ସନ୍ଦେହ ବା ଆଶଙ୍କାର କୀଟ ପଶିଛି ? ହାସ୍ୟମୟୀର ମୁହଁରେ ବିଷାଦର ଛାୟା !

 

ପରୀର ଜୀବନରେ ଯେଉଁ ପରିବର୍ତ୍ତନ ଘଟିଛି ସେଥିପାଇଁ ଦାୟୀ ସେ- କୁବେର । ମନ ତଳେ ଯେତେ ଅଦମ୍ୟ ଅରଣା କାମନା ଛଟପଟ ହେଉଥିଲେ ମଧ୍ୟ ନିଜକୁ ସେ ସଳଖ ରଖି ପାରିଥିଲା । ତଥାପି ଦୁନିଆଁ ସନ୍ଦେହ କଲା । ସେଇ ସନ୍ଦେହର ଧୂଆଁକୁ ଉଡ଼ାଇବାକୁ ସ୍ନେହମୟୀ ଖୁଡ଼ୀଙ୍କ ମନରେ ଆଘାତ ଦେଇ ଝଡ଼ପରି କଥା କହିଥିଲା ।

 

ଖୁଡ଼ୀ ଭଲ ମଣିଷ । ପଦଟିଏ କଥା ‘ଭଉଣୀ’ରେ ସତକୁ ସତ ପରୀକୁ କନ୍ୟାଠାରୁ ବଳି ସ୍ନେହ କରିଛନ୍ତି, କୁନ୍ତଳାର ଭାଗ୍ୟରେ ଯାହା ସମ୍ଭବ ହୋଇପାରି ନାହିଁ । ଜଣକର ବିଶ୍ୱାସ ଓ ଆଦର କେବଳ ଘରେ ନୁହେଁ ବାହାରେ ମଧ୍ୟ ଯାଦୁକରର ମନ୍ତ୍ର ପରି ସବୁ ସନ୍ଦେହ ଫସର ଫଟେଇ ଦେଇଛି ।

 

ଭଉଣୀ ! ଏଇ ଗୋଟିଏ ଶବ୍ଦର ପଛରେ ସହସ୍ର ବର୍ଷର ସଂସ୍କାର ଲୁଚି ରହିଛି । ଅଭିମାନ, ସ୍ନେହ, ମମତା, ସେବା ଓ ପବିତ୍ରତାର ସମଷ୍ଟି । ପରୀ ତାର ଭଉଣୀ ହୋଇଛି । ପରୀ ଦେହରୁ ମେନକା ଧାରଣା ଉଭେଇ ଯାଇଛି । ଦୁଲାଳୀ ଧାରଣା ଅନ୍ତର୍ହିତ ହୋଇଛି । କିନ୍ତୁ ଅଭିମାନ, ସ୍ନେହ, ପବିତ୍ରତା ଓ ଦାବୀର ସମଷ୍ଟି ତାର ବ୍ୟକ୍ତିତ୍ୱକୁ ପୋଡ଼ି ଆଉଟି କୁନ୍ତଳାର ଛାଞ୍ଚରେ ଢାଳି ପାରିନାହିଁ । ସେଇଥିପାଇଁ ହାତ ହଲାଇଲେ ପରୀ ପଛେଇ ପଛେଇ ଚାଲିଯାଏ । ମୁହଁ ଫଣଫଣ କର ଓଲଟି ଜବାବ ଦେଇପାରେ ନାହିଁ, କାହିଁକି ଯିବ ? ବିରକ୍ତ କରିବାକୁ ଆହୁରି ପାଖକୁ ଲାଗିଆସି ହାତରୁ କଲମ ଟାଣିନେଇ ନାକ ଫଣଫଣ କରି କହିପାରେ ନାହିଁ ଲେଖା ଆଜି ସେତିକି ଥାଉ ।

 

ପ୍ରଭେଦ ସେତିକି ।

 

ଯେତେ ଯିଏ ଆକଟି କହିଲେ ଜାଣିଶୁଣି ସାବଧାନ ହୋଇ କ’ଣ କୁନ୍ତଳା ପାଖକୁ ଆସିବ-? ଗେହ୍ଲେଇ କରି କଥା ନ କହିଲେ ସେ କଥାମାନି କୁଟା ଖଣ୍ଡିକ ଦିଖଣ୍ଡ କରିବ ? ନାଲି ଆଖିର ଉତ୍ତର ଦେବ ଜିଭ ଦେଖାଇ । ବିରକ୍ତ ହୋଇ ଗାଳିଦେଲେ ସେ କଇଁ କଇଁ ହୋଇ କାନ୍ଦିବ । ସେ ଖଞ୍ଜାକୁ ଯାଇ ପାଟିକରି କମ୍ପାଇବ ।

 

ପରୀ କୁନ୍ତଳା ହୋଇନାହିଁ, ହୋଇପାରିବ ନାହିଁ । ତୁଣ୍ଡରୁ କଥା ନ ଖସୁଣୁ ମନବୁଝି ସେ କାମ କରେ । ବିରକ୍ତ ହେଲେ ମୁହଁରେ ହସ ଫୁଟାଇ ସେ ଦିଏ ଉତ୍ତର । ସେ ମଣେ, ସେ ଜାଣେ ଯେ ସେ ଦୟାର ପାତ୍ର । ସହାନୁଭୁତିର ଜୀବ । ସମସ୍ତଙ୍କ ମନର ଆହାଭାବରେ ଖେଳଣା ।

 

ସେଇଥିପାଇଁ ସେ କଥା ମାନେ । କାହାରି ମନରେ ଦୁଃଖ ଦେବାକୁ ସେ ସାହସ କରେ ନାହିଁ । ସେ ଜାଣେ, ଯାହା ସଙ୍ଗେ ରକ୍ତର ସମ୍ପର୍କ ନାହିଁ, ସ୍ଵାର୍ଥର ବନ୍ଧନ ନାହିଁ, ସେ ପର । ପରକୁ ଆପଣାର କରିବାକୁ ହେଲେ ମନ ମାରି ମୁଣ୍ଡ ନୋଇଁ ଅକଥାକୁ କଥା ବୋଲି ମାନିନେବାକୁ ହେବ । ପରୀ ହୁଏତ ତାହାହିଁ କରୁଛି ।

 

ନିର୍ଦ୍ଦେଶ ମାନି ଚାଲିଯାଇ ନାହିଁ କାହିଁକି ? ତା ପାଇଁ କୁବେର କୌଣସି କାମ ବାକି ରଖିନାହିଁ କି ରଖେ ନାହିଁ । ଆତ୍ମନିର୍ଭରଶୀଳ ହେବାକୁ ସେ ପ୍ରାଣପଣେ ଚେଷ୍ଟା କରିଛି ।

 

ଟେବୁଲ ଉପରେ କୁନ୍ତଳାର ପତ୍ର । ସେ ପର ଘରକୁ ଯିବା ଦିନରୁ ତା ସଙ୍ଗେ ଦେଖା ହୋଇନାହିଁ । ସେ ତିନି ଚାରି ଖଣ୍ଡି ପତ୍ର ଲେଖିଲେ ଉତ୍ତର ଦେବାକୁ ହେବ ବୋଲି କେବେ କିପରି ଦୁଇ ଚାରି ଧାଡ଼ି ଲେଖି ପଠାଏ । ତାର ପତ୍ରଗୁଡ଼ିକ ଲମ୍ବା । ପଢ଼ିବାକୁ ଧୈର୍ଯ୍ୟ ରହେ ନାହିଁ । ଆଜି ଯେଉଁ ପତ୍ରଟି ଲେଖିଛି ସେଇଟି ଛୋଟ । ସେଥିରେ ଯେଉଁସବୁ ବିଷୟ ସେ ଲେଖିଛି, ମିଛ କି ସତ, କୁବେର ବୁଝିପାରୁ ନାହିଁ । ତାର ଶେଷ ଅନୁରୋଧ - ଆପଣ ନିଜେ ଥରେ ଆସି ଦେଖିଯାଉନ୍ତୁ, ପରୀକୁ ମୋ ପାଖରେ ଛାଡ଼ିଦେଇ ଯାଉନ୍ତୁ । ନୋହିଲେ, ମୋତେ ଆଉ ଜୀବନରେ ଦେଖିବାକୁ ପାଇବେ ନାହିଁ ।

 

ସଞ୍ଜ ଆଗରୁ ପତ୍ର ପାଇ ଥରଟିଏ ଆଖି ପକାଇ ପକେଟରେ ରଖିଦେଇଥିଲା । ଅନ୍ୟ କାହାକୁ ଦେଖାଇ ନାହିଁ କି କଅଣ ଲେଖା ହୋଇଛି କାହାକୁ କହିନାହିଁ । ନିରୋଳାରେ ବସି ବାରମ୍ବାର ପଢ଼ିଛି । ସମାଧାନ ଖୋଜିବାକୁ ଚେଷ୍ଟା କରିଚି । ପରୀର ଜାଣିବାର ଉପାୟ ନାହିଁ । ତେବେ, କାହିଁକି ଆଜି ସେ ମୁହଁ ଶୁଖାଇ ଠିଆ ହୋଇଛି । ଯିବାକୁ ହାତ ଠାରିଲେ ଚାଲି ଯାଉନାହିଁ-?

 

କୁବେର କୁନ୍ତଳାର ପତ୍ରଟି ପକେଟରେ ରଖିଲା । ପରୀ ହାତରୁ ଗିଲାସଟା ନେଇ କ୍ଷୀରତକ ପିଇ ଗିଲାସଟି ଟେବୁଲ ଉପରେ ରଖିଦେଲା । ତଥାପି ପରୀ ଠିଆ ହୋଇଛି । ଆଖିରେ ଛଳ ଛଳ ଲୁହ । ପିନ୍ଧିଥିବା ରଙ୍ଗିନ ଦାମିକା ଶାଢ଼ୀ ଉପରେ ସୁନାହାର ଝଟକୁଛି । କାନରେ ପଥରବସା କୋଣାର୍କ ଚକ୍ର ହଳିଏ । ହାତରେ ଡାଇମଣ୍ଡକଟା ସୁନାକାଚ ଚାରିଚାରି ପଟି । କପାଳରେ ଅତି ଛୋଟ କୁଙ୍କୁମ ବିନ୍ଦୁ । ଆଖିରେ କଜ୍ଜ୍ୱଳ । କାଠଚମ୍ପା ଫୁଲର ମଧୁର ମହକରେ କୋଠରିଟି ମହକି ଉଠୁଛି । ଖୋସାରେ ବନ୍ଧା ହୋଇଥିବା ଫୁଲମାଳ ମହଳଣ ପଡ଼ିଲାଣି ।

 

ପରୀ ସୁନ୍ଦର ଦିଶୁଛି, ଲୋଭନୀୟ ଦିଶୁଛି । କିନ୍ତୁ କାଲିକାର ପରୀ, ଆଡ଼ମ୍ବରହୀନା, ହୀନ ଦରିଦ୍ର ବେଶ । ଅଥଚ, ସ୍ଵାଧୀନ-ମନା ପରୀର ବିକଳ ଅବତାର ଆଜିକାର ଏ ପରୀ ମରମ ଥରାଉନାହିଁ । ଭାବନାକୁ ଉତ୍ସୃଙ୍ଖଳ କରୁନାହିଁ । କାମନାକୁ ମନ୍ଥର କରୁନାହିଁ । ସେତେବେଳେ ବି ସେ ଡାକୁଥିଲା ଭାଇ ! ବାହାରଟା କର୍ମତତ୍ପର ଥିଲେ ମଧ୍ୟ ଭିତରଟା ଦୂରେଇ ଯାଇଛି ।

 

କଣ ହୋଇଛି ତୋର, ଏମିତି ମୁହଁ ଶୁଖେଇଛୁ କାହିଁକି ?

 

ବହୁଦିନ ପରେ କୁବେର ମୁହଁରୁ ସ୍ନେହମିଶା କଥା କେଇପଦ ଶୁଣି ପରୀର କୋହ ଫୁଲି ଫୁଲି ଉଠିଲା । ମନର କୋହକୁ ଚାପି ରଖି ଶୁଖିଲା ମୁହଁରେ ଉଲ୍ଲାସର ଆଭା ଫୁଟାଇ କହିଲା, ନାହିଁ ତ । କଥାଟିଏ ପିଚାରିବାକୁ ଅପେକ୍ଷା କରିଛି । ବିରକ୍ତ ହେବେ ନାହିଁ ?

 

କୁବେର ହସି ଉଠିଲା । କହିଲା, ଯାହା ମୁଁ ଅନୁମାନ କରିଥିଲି, ଠିକ୍ ସେଇଆ ଦେଖୁଛି । ତୁ ବଦଳିଛୁ ।

 

ଆଖିରୁ ଗଡ଼ିଆସିଲା ଲୁହ । ପରୀ କହିଲା କାହିଁକି ଏପରି ଭାବୁଛନ୍ତି ? ଖୁଡ଼ୀ ମତେ ତାଙ୍କର ଖେଳଣା କଣ୍ଢେଇ କରିଛନ୍ତି । ମତେ ସଜାଇଛନ୍ତି । ସ୍ୱାଧୀନତା ଦେଇଛନ୍ତି । ସେ ହୋଇଛନ୍ତି ସୁଖୀ । ତାଙ୍କ ମନ ତଳେ ଚାପି ହୋଇ ରହିଥିବା ଅପୂର୍ଣ ଅପତ୍ୟ ବାସନାର ଝର ଫିଟିଛି । ଭାଇ ସେଇ ଝରର ପ୍ରବଳ ପ୍ରବାହରେ ସେ ନିଜେ ଭାସିଛନ୍ତି । ସମସ୍ତଙ୍କୁ ଭସାଇଛନ୍ତି । ଦୁନିଆଁକୁ ନୂଆ ଆଖିରେ ଦେଖୁଛନ୍ତି । ତାଙ୍କର ପୁଲସ୍ତରା ମାରିଥିବାର ଅପତ୍ୟର ଭଉଁରିରେ ମୁଁ ଗୋଟିଏ ଛୋଟ ଖେଳଣା । ଆପଣ, ବିଦୁର, କୁନ୍ତଳା ଅପା ଯେପରି.... ।

 

କୁବେର ଚାହିଁ ରହିଲା ପରୀର ଲୁହଝରା ମୁହଁକୁ । ଆରେ ପରୀ, ଏ ଭାଷା କାହୁଁ ଶିଖିଲା-? ବୟସର ଗତି ଅପେକ୍ଷା ତାର ଭାବନାଶକ୍ତି, ସେଇ ଭାବନାକୁ ପ୍ରକାଶ କରିବାର ଭାଷାଚାତୁରୀ କେଡ଼େ ବେଗି ଆଗେଇ ଚାଲିଛି । ବିଦ୍ୟାଳୟରେ ନାମ ଲେଖାଇ ସେ ପାଠ ପଢ଼ିନାହିଁ । କେହି ତାକୁ ବତାଇନାହିଁ । କାହାରି ସଙ୍ଗେ ମିଶି ଶିଖିବାର ସୁଯୋଗ ପାଇନାହିଁ । କେବଳ ପୁସ୍ତକ ପଢ଼ି ନିଜେ ସେ ଏତେଦୂର ଆଗେଇ ପାରିଛି । ଏଇ ପରୀକୁ ଯଦି ଉପଯୁକ୍ତ ଶିକ୍ଷା ଦିଆ ହୋଇଥାଆନ୍ତା !

 

ପରୀ କହିବାକୁ ଲାଗିଲା, ଭାଇ ଖୁଡ଼ୀଙ୍କର ଆନନ୍ଦରେ ମୁଁ ବାଧା ଦେଉନାହିଁ । ସେ ମୋତେ ଯେପରି ସଜାଡ଼ିଛନ୍ତି, ନଚାଇଛନ୍ତି, କୁହାଇଛନ୍ତି, ମୁଁ ବାଧା ନ ଦେଇ ପାଳନ କରିଛି । ମୁଁ ନିଜକୁ କେବେ ନିଜ ଆଖିରେ ମୋର ଏ ନୂଆ ବେଶରେ ଦେଖିନାହିଁ । ମୋର ନାଚ ମୁଁ ଅନୁଭବ କରିନାହିଁ । କଥା କି ଗୀତ ଶୁଣିନାହିଁ । ମୁଁ ମୋର ମନପ୍ରାଣ ଦେଇ ତାଙ୍କର ଆଗ୍ରହ, ଉତ୍ତେଜନା ଓ କାମନାର ସେବା କରିଛି । ମୁଁ ବଦଳିନାହିଁ । ପ୍ରତି ମୁହୂର୍ତ୍ତିରେ ମୁଁ ମୋର ନିଜତ୍ୱକୁ ଉପଲବ୍‌ଧି କରୁଛି-। ମୁଁ ଜାଣୁଛି, ମୋର ବେକର ପଘା କେତେ ଲମ୍ବା !

 

ବିଳିବିଳେଇଲା ପରି କୁବେର ପାଟି କରି ଉଠିଲା, ପରୀ !

 

ସେ ଉଠି ଠିଆ ହେଲା । ଛାତି ତଳେ ଉଚ୍ଚନ୍ତ୍ରି ଭାବନା । ମନରେ କିଲକିଲ କୋହ । ସେ ପରୀ ପାଖକୁ ଗଲା । କଟମଟ କରି ତା ମୁହଁକୁ ଚାହିଁ ପଚାରିଲା, ଗୋଟିଏ ଜାଲ୍ ଜୀବନ ତୁ କଟାଉଛୁ ? ପ୍ରହେଳିକା ସର୍ଜ୍ଜନା କରୁଛୁ ? ପୁଣି ସାହସ କରି ମୋ ଆଗରେ କହୁଛୁ, ତୁ ବଦଳିନାହୁଁ-?

 

ପରୀର ଓଠରେ ଝଟକିଲା ହସ । ସେ ସଂକୁଚିତ ହେଲା ନାହିଁ । ପ୍ରକୃତରେ ସେ ଯଦି ଜାଲ ଜୀବନ କଟାଉଥାଏ, ତେବେ ତାହା ସମ୍ଭବ ହୋଇଛି କେବଳ ଏଇ ନିର୍ବୋଧ ଭାଇଟି ପାଇଁ, ଯିଏ ପରୀର ଦୁଃଖ ସହି ନ ପାରି ତମ ତମ ହୋଇ ଧାଇଁ ଯାଇଥିଲେ, ଖୁଡ଼ୀଙ୍କର ଅନ୍ତର ତଳେ ଆବଦ୍ଧ ରହିଥିବା, ଅଣନିଃଶ୍ୱାସ ହୋଇ କଲବଲ ହେଉଥିବା, ଅପତ୍ୟର ଝରଣା ପିଠିରେ ନିଦା ହୋଇଥିବା ହତାଶାର ପାହାଡ଼କୁ ବେତ୍ରାଘାତ କରି ଟଳାଇ ଦେଇଥିଲେ । ଆଉ ନିଜେ, ଆଘାତର ପ୍ରତ୍ୟାଘାତ ସହି ନ ପାରି ପୃଷ୍ଠଭଙ୍ଗ ଦେଇ ରହିଥିଲେ ।

 

ମୁଣ୍ଡ ହଲାଇ ପରୀ କହିଲା, ବଦଳି ନାହିଁ ଭାଇ, ସବୁ ଆଭରଣ ଓ ଆଡ଼ମ୍ବରର ପଛଆଡ଼େ ମୁଁ ମୋର ନିଜ ରୂପ ଧରି ଠିଆ ହୋଇଛି, ଅଜଣା ଅଶୁଣା କେଉଁ ଦୁଃଖିନୀ ଅତ୍ୟାଚାରିତା ଦାସୀ, ବାଟର ଭିଖାରୁଣୀର ଅଖୋଜା ଅଲୋଡ଼ା ଅନହୁତି ଆସିଥିବା ଅତି ନିଉଁଛୁଣା ଝିଅଟିଏ.... ପରର ଦାସତ୍ୱ, ପରର ସେବା ଯାହାର ଜୀବନର ପଣ ।

 

କୁବେର ଉତ୍ତେଜିତ ହୋଇ ପରୀର ହାତ କଟମଟ କରି ଧରିଲା । ସଜୋରେ ହଲାଇଦେଇ ଅଭିମାନ ଓ ବିରକ୍ତିମିଶା ସ୍ଵରରେ କହିଲା, ଏଡ଼େ ସାହସ ତୋର ? ମୁହଁ ଖୋଲି ଆଉ ଥରେ କହିପାରିବୁ, ପରର ଦାସତ୍ୱ, ପରର ସେବା ?

 

ପରୀର ସାରା ଶରୀର ଶିହରି ଉଠିଲା । ସ୍ନେହ ହେଉ କି ବିରକ୍ତି ହେଉ, ଆଜି ଭାଇ ପ୍ରଥମ କରି ତାର ହାତ ଧରିଛି । ଭାଇର ପ୍ରଥମ ପରଶ ସେ ଜୀବନରେ ଅନୁଭବ କରିଛି । ନିଜକୁ ଭୁଲି ସତେ ଉତାଣି ପିଲାଟି ପରି ଭାଇର ଛାତି ଉପରେ ମୁଣ୍ଡ ନଦି ଗେହ୍ଲେଇ ହେବା ପ୍ରାଣ ଡାକୁଛି-

 

ମନେପଡ଼ୁଛି ଅତି ପିଲାଦିନର କଥା, ଏଇ କୁବେର ଭାଇ, କଟକରୁ ଫେରିଲେ କୁନ୍ତଳା ଦେଈ ଧାଇଁଯାଆନ୍ତି । ଭାଇକୁ କୁଣ୍ଢାଇ ଧରି ଅଳି କରି ପଚାରନ୍ତି, ମୋ ପାଇଁ କଅଣ ଆଣିଛ ? ଭାଇ ଦୁଇ ହାତରେ କୁନ୍ତଳାକୁ ଟେକି ନିଅନ୍ତି ।

 

ମା ଡାକ ଛାଡ଼ନ୍ତି, ଆରେ ସେ ହଳଦୀ ଲଗାଇଛି ।

 

ଭାଇ ଶୁଣନ୍ତି ନାହିଁ । କୁନ୍ତଳାକୁ ଛାତିରେ ଜାକି ମୁହଁରେ ବୋକ ଦିଅନ୍ତି । ନାକ କାନ ଓଟାରିନ୍ତି । କୁନ୍ତଳା କାନ୍ଦେ । ଓହ୍ଲାଇବାକୁ ଛଟପଟ ହୁଏ ।

 

ମା କହନ୍ତି, ଏ କି ବାଘମାମୁଁ ଗେଲ ।

ପରୀ ଖୁଣ୍ଟକୁ ଆଉଜି ଡହଳ ବିଳ ଆଖିରେ ଚାହିଁ ରହିଥାଏ ।

ଭାଇ !

କହିପାରିବୁ ?

 

ଭାଇ, ପାଖକୁ ଆସିଲେ ତେମେ ମୋତେ ଦୂରେଇ ଦିଅ, ଚାଲିଯିବାକୁ ନିର୍ଦ୍ଦେଶ ଦିଅ କାହିଁକି, କି ଅପରାଧ ମୁଁ କରିଛି ? ମୁଁ ଯେ ପର, ଏ ଧାରଣା ତମର ମନରେ ନ ଥିଲେ...

 

ପରୀ !

 

ତୁଣ୍ଡର ଥରିଲା ଶବଦ ସଙ୍ଗେ ସଙ୍ଗେ ପରୀର ଚିବୁକରେ ବାଜିଲା ଚାପୁଡ଼ା ଘାତ । ପରୀ ତୁଣ୍ଡର କଥା ଅଧା ରହିଲା । ହାତରୁ କୁବେରର ହାତ ଖସିଲା ।

 

କୁବେର ପଛେଇ ଗଲା । ଚାହିଁ ରହିଲା । ମାଂସଳ ଧବଳ ଗାଲରେ ଚାରି ଆଙ୍ଗୁଠିର ଦାଗ-

 

ପରୀ ହସୁଛି । ହୁଏତ ମଣୁଛି, ଏ ଆଘାତ ମଧ୍ୟ ଦାସୀକନ୍ୟାର ପ୍ରାପ୍ୟ । ସହିବା ଓ ହସିବା ତାର ସେବା ମନୋବୃତ୍ତି ଓ କର୍ତ୍ତବ୍ୟଧାରଣାର ଅଙ୍ଗ ।

 

ଆଘାତର ଚମକ ମୁହୁର୍ତ୍ତକରେ ଭାଙ୍ଗିଲା । ପରୀ ଫେରିଆସିଲା ନିଜ କକ୍ଷକୁ । ପ୍ରଫୁଲ୍ଲ ଓ ପୁଲକିତ ଆତ୍ମା ଉଭାହେଲା ତାର ଦୃଷ୍ଟିରେ । ଆଜି ତାର ଶୁଭଦିନ । ଭାଇର ପ୍ରକୃତ ଆଦର ସେ ପାଇଛି । ଅକଥା ହେଉ କି କଥା ହେଉ ଭାଇ କରେ ଶାସନ । ଠିକ୍ କି ଭୁଲ ସେ ବିଚାର କରେ ନାହିଁ । ତାର ମନର ପରପଣିଆ ଆଜି ଦୂର ହୋଇଛି । ଭାଇ ତାର ପର ନୁହେଁ ।

 

ଆରେ, ସେ ଠିଆ ହୋଇଛି କାହିଁକି ? ଭାଇ ନିଜକୁ ଅପ୍ରସ୍ତୁତ ମଣି ପଛେଇ ଗଲେ ? ଏଇ, ସେ ପଲଙ୍କ ଉପରେ ମୁହଁ ଶୁଖାଇ ବସିଲେଣି । ଆଖି ହେଲାଣି ଛଳଛଳ । ଅନୁତାପ ?

 

ଏତେ ସାଧନାର ଫଳରୂପେ ଯାହାଙ୍କୁ ଆଜି ନିଜର କରି ପାଇଛି, ତାଙ୍କର ମନରେ ବିରସଭାବ ଦେଖିବ ନାହିଁ । ତାଙ୍କ ଆଖିର ଲୁହ ତରଳ ଲୌହ ପରି ପରୀର ଆତ୍ମାକୁ ଦହିବ । ଏହା ସେ କରାଇଦେବ ନାହିଁ । ଭାଇର ଗୋଡ଼କୁ ମୁଣ୍ଡରେ ଧରି କହିବି, ତେମେ ମୋର ପର ନୁହେଁ । ମତେ ଶାସନ କର, ମନଇଚ୍ଛା ଶାସନ କର... ।

 

ଅବଗୁଣ୍ଠନବତୀ ପରୀର ମୁଣ୍ଡଟି ଦୁଇ ହାତରେ ଟେକିଧରି କୁବେର ଚାହିଁ ରହିଲା ସେ ହସୁଛି ।

 

ଆକାଶର ପୁନେଇଁ ଜହ୍ନ ସେ, ଆଉ ପରୀ ସରୋବରର କୁମୁଦିନୀ । ଦୁହେଁ ଏକ ଜଳରୁ ଜନମ, ଭାଇଭଉଣୀ । କୁମୁଦିନୀର ନାଡ଼ଟି ଲାଗିଛି କେଜାଣି କେଉଁ ସାତତାଳ ପଙ୍କରେ । କେଉଁଠି ତାର ମୂଳ, କେଉଁଠି ସେ ଉଦ୍ଭବ ଜାଣିବା ଆବଶ୍ୟକ ନାହିଁ । ସାତତାଳ ପଙ୍କ ଠେଲି ନିର୍ମଳ ଜଳରେ କଳୁଷହାରୀ ସେ ମୁଣ୍ଡ ଟେକିଛି ଉପରକୁ । ସୁନ୍ଦର, ଅନାବିଳ, ପ୍ରଫୁଲ୍ଲ, ହସହସ, ଚାହିଁ ରହିଛି ଚନ୍ଦ୍ରମାକୁ ମନ ଖୋଲି, ସ୍ନେହ କଣିକାଟି ଲାଭ କରିବାକୁ ।

 

ସେ ପର ନୁହେଁ ।

ଦୁହିଁଙ୍କର ମନରୁ ଭାବ ଓ ଭାବନା ହଜିଲା ।

 

ସୁଲୁସୁଲିଆ ଶୀତଳ ପବନ ବହିଆସିଲା । ଥରି ଉଠିଲା ଦେହ ଓ ମନ । ପରିସ୍ଥିତିର ସରୋବରରେ ମୃଦୁ ଆଲୋଡ଼ନ । ଛୋଟ ଛୋଟ ଲହଡ଼ିମାଳର ଅଧୀର କମ୍ପନ । ଚନ୍ଦ୍ରମାର ପ୍ରତିବିମ୍ବ ଥରିଉଠିଲା । ଥରିଉଠିଲା କୁମୁଦିନୀ । ସୁଲୁସୁଲିଆ ପବନ ସଘନ ହେଲା । ଦୋହଲି ଦୋହଲି ସୁକୁମାରୀ, କୁମୁଦିନୀ ମଥା ନୋଇଁଲା ।

 

ସେ ପର ନୁହେଁ । ସେ କୁନ୍ତଳା, ଯାହାର ଛୋଟ ଦେହଟିକୁ ଛାତିରେ ଧରି ମୁହଁରେ ଅଜସ୍ର ଚୁମ୍ବନର ଧାରା ଢାଳିଦିଏ କୁବେର । କୁନ୍ତଳା ମଥା ନୁଆଁଏ କୁବେରର କାନ୍ଧରେ । ଟିକି ଟିକି ଧାର ହାତ ଦିଓଟି ଗଳାରେ ବେଷ୍ଟନ କରି ସେ ଲଗାଏ ଓଠ ଭାଇର ମୁହଁରେ ।

 

ଦୁନିଆଁ ହସ ହସ ହୋଇ ଚାହିଁ ରହେ । ଦୁନିଆଁର ଆଖିରେ ନିର୍ମଳ, ପବିତ୍ର ଆଗ୍ରହ ମନରେ ପ୍ରଶଂସା, କୁବେର ଅତି ସ୍ନେହ କରେ ତାର ଟିକି ଭଉଣୀ କୁନ୍ତଳାକୁ ।

 

ପରୀ ଦୂରରେ ଠିଆ ହୋଇ ଡରି ଡରି ଚାହେଁ । ତାର ବାପ ନାହିଁ, ଭାଇ ନାହିଁ । କେହି ତାକୁ ଆଲିଙ୍ଗନ କରିବେ ନାହିଁ । ସେ ଏ ଘରର ଦାସୀ- ଘୃଣାର ଜୀବ । ତାହାର ପରିସ୍ଥିତି କୁବେରର ନାସିକାରେ କୁଞ୍ଚନ ଆଣେ । ଆଖିର ଇସାରା କହେ ଦୂରେଇ ଯା ।

 

ଦୂରେଇ ଯାଇଛି କୁନ୍ତଳା ।

ଉଜାଣି ବହିଛି ସମୟ ।

ପାଖେଇ ଆସିଛି ପରୀ । କୁବେର ତାର ଭାଇ । ସେ ଆଲିଙ୍ଗିନ କରିବ, ଚୁମ୍ବନ କରିବ । ପରୀ ନିଜକୁ ଭୁଲି ମଥା ନୋଇଁବ କୁବେର କାନ୍ଧରେ । ମୁହଁରେ ଲଗାଇବ ମୁହଁ ।

କୁବେର ତାର ଭାଇ ! ଦୁନିଆଁ ହସ ହସ ହୋଇ ଚାହିଁବ । ଦୁନିଆଁ କହିବ ତ କୁବେର ତାର ଭଉଣୀ ପରୀକୁ ସ୍ନେହ କରେ, ସେ ସ୍ନେହ ପବିତ୍ର, ଅମଳିନ, କଳୁଷହୀନ, ସେ ସ୍ନେହରେ କାମନା ନାହିଁ, ଉତ୍ତେଜନା ନାହିଁ, ମିଳନର ଛାପିଲା ଆଗ୍ରହ ନାହିଁ ? ଦୁନିଆଁ ପରତେ ଯିବ ?

ସୁଲୁସୁଲିଆ ପବନ ଥମିଲା । ଲହଡ଼ିମାଳ ସରୋବରର ଜଳରାଶିରେ ସତ୍ତା ହଜାଇଲା । ପରିସ୍ଥିତି ହେଲା ସ୍ଥିର, ଅଚଞ୍ଚଳ । କୁମୁଦିନୀ ମଥା ଟେକିଲା ।

ଆଗରେ ଠିଆହୋଇଛି କୁବେର । ହସ ହସ ଚନ୍ଦ୍ରମା ।

ପରୀ କହିଲା, ରାତି ଦଶଟା ହେଲା । ତେମେ ଏଥର ଶୋଇପଡ଼ ଭାଇ, ଦେହ ଖରାପ ହେବ ଅଧିକ ପଢ଼ିଲେ ।

କୁବେର କହିଲା,କାଲି ମୁଁ କଟକ ଯିବି ।

ମୁଣ୍ଡ ହଲାଇ, ଓଠ ଚାପି ଭ୍ରୁଲତା ଟେକି ପରୀ କହିଲା, ନା, କାଲି ନୁହେଁ, ଆଉ କେବେ । ଆଜି ମଙ୍ଗଳବାର । ତମର ଜନ୍ମଦିନ ପଡ଼ୁଛି ଶନିବାର । ତା ଆଗରୁ ତେମେ କୁଆଡ଼େ ଯାଇପାରିବ ନାହିଁ ।

ପରୀ ସତେ କି ପବନରେ ଉଡ଼ିଲା ପରି କୁବେର ପାଖରୁ ଚାଲି ଆସିଲା ପଦାକୁ ।

ଅନ୍ଧାରିଆ ଅଗଣାରେ ଠିଆ ହୋଇଛି ରାଈ... ବାହାର ଦୁନିଆଁର ମୁହଁ ।

 

କେଜାଣି କାହିଁକି ପରୀର ଛାତି ଚମକି ଉଠିଲା । ସେ ଅଚଳ ପରି ଠିଆହୋଇ ରହିଲା । ଚିହ୍ନି ମଧ୍ୟ ନ ଚିହ୍ନିଲା ପରି ଥରିଲା ସ୍ୱରରେ ପଚାରିଲା, କିଏ ସେ ?

 

ହସିଲା ସ୍ୱରରେ ଉତ୍ତର ଆସିଲା, ମୁଁ ତ ରାଈ ।

ନିଦ ହୋଇନାହିଁ ?

ତମର ଖେଳକୌତୁକ ଦେଖିବାକୁ ନିଦ ଭାଙ୍ଗିଗଲା ।

 

ପରୀର ଛାତିରୁ ନିଆଁ ଖସିପଡ଼ିଲା । ରାଈ ଉପହାସ କରି କଥା କହୁଛି । ରାତି ପାହିଲେ, କେତେ କଥା ଲଗେଇ ସେ ନନ୍ଦପୁରରେ ପ୍ରଚାର କରିବ । କହୁ, ଆଲୋକ କେବେ ଅନ୍ଧାର ହେବ ନାହିଁ । ପରୀ ମଧ୍ୟ ଉପହାସ କରି ପଚାରିଲା, କଅଣ ଦେଖିଲୁ ?

 

ତମର ଲୁଚକାଳି ଖେଳ ।

ଆଖି ପବିତ୍ର ହେଲା ତ ?

 

କି କଥା କହୁଛ ଦେଈ, ଆଖି ପବିତର ହେବ ନାହିଁ ?- ସେଦିନ, ଏମିତି ଅନ୍ଧାର ରାତିରେ, ସାହା ନ ଥିଲା କାହା ଝିଅଟିଏ କେଉଁଠୁ ଆସି ଏଇ ଘରେ ରାହା ନେଇଥିଲା । ଆହା ପଦଟିଏ ଆଗ ବାହାରିଲା ମୋର ତୁଣ୍ଡରୁ । ସେଇ ନିଆଶ୍ରୀ ଝିଅଟି ମାଡ଼ ଗାଳି ସହି ମାଟି କାମୁଡ଼ି ରହିଲା । ସେଇ ହେଲା ପୁଣି ଏ ଘରର ଝିଅ-ସର୍ବେସର୍ବା । କି ମନ୍ତର ସେ ପଢ଼ିଲା କେଜାଣି, ଯେଉଁମାନେ ବାଘ ଭାଲୁ ଥିଲେ ସେଇମାନେ କୁକୁର ବିଲେଇ ହେଲେ ।

 

ଈର୍ଷା ହେଉଛି ?

 

ଈର୍ଷା କରିବାର ମୋର ବଳ ବୟସ ନାହିଁ ଦେଈ, ପାଠ ନାହିଁ, ବୁଦ୍ଧି ନାହିଁ । ଡବ ଡବ କରି ଚାହିଁଛି । ଯାହା ମୁଁ ଦେଖିଲି, କଲ୍ୟାଣ କରୁଛି, ମୋର ମନକାମନା ପୂର୍ଣ୍ଣ ହେଉ । ଜାତି ଓ କୁଳ ଏ ଦୁନିଆଁରୁ ତ ଉଠିଯାଇଛି । କିଏ କହୁଛି ସାର, କିଏ କହୁଛି ଅସାର । ନିଜ ବୁଦ୍ଧିରେ ଯିଏ ଏ ଘରର ଝିଅ ହୋଇଛି, ସେଇ ହେବ ଆମର ଲକ୍ଷ୍ମୀ– ବଡ଼ ବୋଉ, ସାଆନ୍ତାଣୀ... ।

 

ପରୀ ରାଈର ମୁହଁରେ ହାତ ଦେଇ କହିଉଠିଲା, ଛି ଛି, ରାଈ ଏ କି ପାପ କଥା, ଅନୀତି କଥା ତୁ ତୁଣ୍ଡକୁ ଆଣୁଛୁ ? ସେ ମୋର ଭାଇ । ଭାଇ କଣ ଭଉଣୀକୁ ଗେଲ କରେ ନାହିଁ, ଦେଖିନୁ କେଉଁଠି ଦୁନିଆଁରେ ?

 

ହାତ ଖସାଇ ରାଈ କହିଲା, ଦେଖି ଦେଖି ବୁଢ଼ୀ ତ ହେଲାଣି ରାଈ, ଆଉ ଯାହା ବାକି ଅଛି ବଞ୍ଚିଥିଲେ ଅବଶ୍ୟ ଦେଖିବି । ମୁଁ କଲ୍ୟାଣ କରୁଛି ଦେଈ- । ଯିବଟି ତେମେ ଶୋଇପଡ଼ିବ । ରାତି ଅଧିକ ହେଲାଣି ।

 

ରାଈ ଗଲିଗଲା ନିଜ ଘରକୁ ।

 

ପରୀ ମୁହୁର୍ତ୍ତେ ଠିଆହୋଇ ଅନ୍ଧାର ଭିତରେ ଚାରିଆଡ଼କୁ ବଲବଲ କରି ଚାହିଁଲା । କେଜାଣି କାହିଁକି ଛାତି ଥରାଇ ଛୁଟିଲା ଦୀର୍ଘଶ୍ୱାସ । ଦୁଇ ଆଖିରୁ ଦୁଇଧାର ତତଲା ଲୁହ ଝରିଆସିଲା । ସେ ନିଜ କୋଠରିକୁ ଫେରିଲା ।

 

ଖୁଡ଼ୀଙ୍କ ଘରର କବାଟ ଏବେ ବି ମୁକୁଳା ଅଛି । କେଉଁ ବିଷୟରେ ପରାମର୍ଶ କରୁଛନ୍ତି । ଶୋଇବାକୁ ଫେରି ନାହାନ୍ତି । ରାତି ତ ଅଧିକ ହୋଇନାହିଁ । ବିଦୁର ନିଶ୍ଚିନ୍ତରେ ଶୋଇଛି । ମଶାରୀ ଟେକି ମୁହୁର୍ତ୍ତେ ତାର ମୁହଁକୁ ଚାହିଁଲା । ଏଇ ଟିକି ଭାଇଟି ବି ତାକୁ ଅତି ଭଲ ପାଏ । ଆଉ ପରୀ, ସେ ବି ଭଲପାଏ ବିଦୁରକୁ । ଏକା ରକତ ଦିଟି ଭାଇ ! ପରୀ ବିଦୁରର ଟିକି ମୁହଁରେ ଗେଲ କଲା-। ମଶାରୀ ସଜାଡ଼ି କବାଟ କିଳିଲା । ନିଜର ଖଟରେ ଦେହ ଲମ୍ବାଇ ଆଖି ବୁଜିଲା ।

 

ସୁମତିଙ୍କୁ ଗମ୍ଭୀର ହୋଇ ତା ମୁହଁକୁ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇଁ ରହିବାର ଦେଖି ପରୀର ସପନ ଭାଙ୍ଗିଲା । ରାଈ ଦୁନିଆଁରେ ଦୁର୍ନାମ ରଟାଇବ କାହିଁକି ? ସେ ତ ଅନ୍ୟାୟ କି ଅନୀତି କରିନାହିଁ କି କୁବେର ଭାଇ କିଛି ଦୁନିଆଁ ବାହାର କଥା କରିନାହାନ୍ତି ? ଭାଇ କ’ଣ ଭଉଣୀକୁ ଗେଲ କରେ ନାହିଁ ? ଭଉଣୀ ତାଙ୍କର ସମ୍ମାନ ରକ୍ଷା ନ କଲେ ତାଙ୍କର ମନରେ ଦୁଃଖ ହେବା ନାହିଁ ? ତା ପାଖରେ ଦୁନିଆଁର ଲୋକ ଓ କୁବେର ଭାଇଙ୍କ ଭିତରେ କ’ଣ ତଫାତ୍ ନାହିଁ ?

 

ସ୍ନେହରଙ୍କୁଣୀ ପରୀ, ସମସ୍ତଙ୍କର ସ୍ନେହ ପାଇବାକୁ ତାର ଉପାସୀ ଆତ୍ମା ଛଟପଟ ହେଉଛି । ଦିପହରେ, ଖୁଡ଼ୀଙ୍କ ପାଖରେ ବସି ଖବରକାଗଜ ପଢ଼ି ତାଙ୍କୁ ଶୁଣାଉଥିଲା । ଦୁନିଆଁର ସବୁ ଦେଶର ଘଟଣା । କେତେପ୍ରକାର କଥା ତ ଲେଖା ହୋଇଛି । ଅନେକ କଥା ସେ ବୁଝିପାରେ ନାହିଁ । ଭୂଗୋଳ ବହି ଘାଣ୍ଟି, ମାନଚିତ୍ର ଦେଖି କେଉଁ ସ୍ଥାନଟା କେଉଁଠି ଖୋଜି ବାହାର କରିବା କଷ୍ଟ-। କୁବେର ଭାଇଙ୍କୁ ପଚାରିଲେ ସେ ବୁଝାଇ ଦିଅନ୍ତି । ବୁଝାଇ ଦେବାକୁ କେଡ଼େ ଆଗ୍ରହ ସେ ଦେଖାନ୍ତି । ବୁଝି ନ ପାରି ବାରମ୍ବାର ପଚାରିଲେ କଲମ ପଛରେ ପରୀ ମୁଣ୍ଡରେ ଠୁକେଇ କହନ୍ତି, ଗଧ । ଆଚ୍ଛା, ତୋ ପାଇଁ ବହି ମଗେଇ ଦେଉଛି ।

 

ତିନି ଦିନ ପରେ କଟକ ଯିବାକୁ ସେ କହୁଥିଲେ । ତାଙ୍କର ଜନ୍ମ ଦିନ ଯାଇ ଆହୁରି ସାତ ଦିନ କଟିଗଲାଣି । ତଥାପି ସେ ଯାଇନାହାନ୍ତି । କଟକ ଯିବାର ନାମ ଆଉ ଧରୁନାହାନ୍ତି ।

 

କୁବେର ଭାଇଙ୍କ ସଙ୍ଗେ ଅବାଧରେ ମିଶି ଅଳି କରିବାକୁ, ଅଭିମାନ କରି କଥା କହିବାକୁ ପରୀର ଆଉ ଭୟ କି ସଂକୋଚ ନାହିଁ । ଯେତେବେଳେ ପାଖକୁ ଗଲେ ଲେଖାପଢ଼ା ଛାଡ଼ି ଆଗ୍ରହରେ ସେ ଅନାନ୍ତି । ପାଖରେ ବସିବାକୁ କହନ୍ତି । ପାଖ ଚଉକିରେ ସେ ବସେ । ନିଃସଂକୋଚରେ ସେ କଥାଭାଷା ହୁଏ । ହସେ । ହସ ଦେଖେ ।

 

କେବେ କେମିତି ବିଦୁର ପହଞ୍ଚେ । ସେ ମଧ୍ୟ ହସଖୁସିରେ ଯୋଗ ଦିଏ । ଗୀତ ଶୁଣେ । ପରୀ ସଙ୍ଗେ ସ୍ୱର ମିଳାଇ ଗୀତ ବୋଲେ । ହସି ହସି ଗଡ଼ିଯାଏ । କୁବେର ପାଖରେ ବିଦୁରର ଚୋରମୁହାଁପଣ ଭାଙ୍ଗିଛି । ଭାଇର କାଗଜ କଲମ ନେଇ ପଳେଇବାକୁ ସେ କୁଣ୍ଠିତ ହୁଏ ନାହିଁ । ବଡ଼ ପିଲା ହେଲେ ମଧ୍ୟ ଭାଇ କି ଅପା ପିଠିରେ ନାଉ ହେବା, କୋଳରେ ବସିବାକୁ ସେ ଡରେ ନାହିଁ । ସେ ଭଲ ପିଲା ହୋଇଛି । ପରୀର ଶିକ୍ଷାରେ ଅନ୍ୟମାନଙ୍କ ପରି ନିଜର ସବୁ କାମ ନିଜେ କରିବାକୁ ଚେଷ୍ଟା କରୁଛି । ଭଲ ପାଠ ପଢ଼ୁଛି । ଶିକ୍ଷକମାନେ ପ୍ରଶଂସା କରୁଛନ୍ତି । ବିଦୁରକୁ ତା’ର ଅପା ଗେଲ କରେ, ଭାଇ ଗେଲ କରେ । ସେ ବି ଗେଲ କରେ ଦୁହିଁଙ୍କୁ ।

 

ସୁମତି ଦେଖି ମୁଗ୍‌ଧ ହୁଅନ୍ତି । ଆରେ, ତମେ ଖାଇବ ନାହିଁକି ? ଖାଲି ପେଟରେ ପଢ଼ିବାକୁ, ହସିବାକୁ, ଖେଳିବାକୁ, ଗୀତ ବୋଲିବାକୁ ତମର ମନ ହେଉଛି ? ଆସରେ ଖାଇବ ।

 

ସୁଖର ସଂସାର । ମଣିଷ ମନର ସନ୍ଦେହ ତୁଟିଲେ, ବିଶ୍ୱାସ, ସ୍ନେହ, ସମଭାବ ରଖି ଆତଯାତ ହେଲେ, ନିଜର କାମ ନିଜେ କରିବା ତ ସାଧାରଣ କଥା, ସମସ୍ତଙ୍କର ସବୁ ସୁବିଧା କରିବାକୁ ସମସ୍ତେ ସବୁବେଳେ ଆଗଭର ଓ ତତ୍ପର ହେଲେ, ଅଭାବଗ୍ରସ୍ତ କୁଟୁମ୍ବ ମଧ୍ୟ ସୁଖଶାନ୍ତିରେ ଚଳେ । ସ୍ୱର୍ଗର ଆନନ୍ଦ ଓହ୍ଲାଇ ଆସେ ଛୋଟ ସଂସାରକୁ ।

 

ସୁମତି ମୁଗ୍‌ଧ ହୋଇ ଦେଖନ୍ତି ମୁହୁର୍ତ୍ତେ । ଏଇ ତିନୋଟି ପିଲା ତାଙ୍କର ଦେହରୁ ଜନମି ନାହାନ୍ତି । ମନକୁ ବାନ୍ଧି ରଖିଛନ୍ତି । ଯେଉଁ କୁବେରକୁ ଘରେ ବସିଥିବାର ଦେଖିଲେ ମନ ଚିଡ଼ି ଉଠେ, ତୁଣ୍ଡରୁ କଥା ବାହାରେ, ଏଡ଼େ ବଡ଼ ପୁଅଟା ଘରେ ବସିଛନ୍ତି, ସେ ବିଦେଶକୁ ଚାକିରି ଖୋଜିବାକୁ ଯିବ, ଏ ଧାରଣା ମନକୁ ଆସିଲେ ଛାତି କରତି ହୁଏ । କି ଚାକିରି ସେ କରିବ ବିଦେଶରେ ? ଚାକିରି ଯଦି ମିଳେ, ସେ ବିଦେଶରେ ରହିବ । ହାତକୁ ଦିହାତ ହେଲେ ଘରର ଲକ୍ଷ୍ମୀ ବିଦେଶକୁ ଯିବେ । ଆଖିରେ ଅନ୍ଧପୁଟୁଳୀ ବାନ୍ଧି ସେ ଘରେ ଆତଯାତ ହେବେ ?

 

କାହିଁକି, ବିଲମାଟି ହିଡ଼ରେ ନଦି ଶାଗପାଣି ପିଇ ବେଳ କାଟିଲେ- ସଂସାର ଚଳିବ ସୁଖରେ କୁବେରର । ଦାଦା କୁବେରକୁ କିଛି କରାଇ ଦେଉନାହାନ୍ତି । ବଳେ ସେ ଉପରେ ପଡ଼ିଲେ କରିବେ । ଥରେ ଘର ଛାଡ଼ି ବିଦେଶକୁ ଗଲେ ମନ ଉଡ଼ିବ ବାହାରେ । ଆଉ ଘର ଧରିବ ନାହିଁ । କୁବେରର ବୟସ ହୋଇଛି । ହାତକୁ ଦିହାତ କରିବା ଆଗ ଦରକାର ।

 

ଦୁଲାଳୀ ?

 

ମେନକାଙ୍କୁ ମକର ଉତ୍ତର ଦେଇନାହାନ୍ତି । କୁବେରର ମନକଥା ଜାଣିଲେ ସୁମତି ମକରକୁ କହିବେ । ଏଇକଥା ପଚାରି ବୁଝିବାକୁ ରାତି ଅଧରେ ଦିନେ ଦୁଇଦିନ ଅନ୍ତରରେ ମକର ଡାକନ୍ତି ସୁମତିଙ୍କୁ । ଏକଥା ସାଙ୍ଗରେ ଆଉ ଭଲମନ୍ଦ ପାଞ୍ଚ ପଚିଶ କଥା ନିରୋଳାରେ ଶିକୁଳିକିଳା ପ୍ରକୋଷ୍ଠରେ ପଡ଼େ । ବଗୁଲୀ ବସେ ବଗ ପାଖରେ ।

 

ବଗ ପଚାରେ, କୁବେର ଓ ପରୀଙ୍କର ମନକଥା ବୁଝିଲୁ ?

 

ବଗୁଲୀ କହେ, ସୁବିଧା ଦେଖି ପରୀ ହାତରେ ଖବର ସିନା ପଠେଇବି । ଆଗ ସେ ଦୁହିଁଙ୍କୁ ଟିକିଏ ଦେଖେଁ ।

 

ବଗର ଆଦର ସ୍ନେହ ପୁଣି ପାଇଛି ରଙ୍କୁଣୀ ବଗୁଲୀ । ସମୟର ପାଣି ଉଜାଣି ବହିଛି । ବଗର ପରଶ, ପ୍ରାଣପୁଲକା ମୂର୍ଚ୍ଛାଳିଆ ସରାଗ ପାଇବାକୁ ବଗୁଲୀ ଯେପରି ଝୁରିହୁଏ, ବଗ ବି ସେପରି ଆତୁର ଉତ୍କଣ୍ଠିତ ହୁଏ ।

 

ସମ୍ଭବ ହୋଇଛି ପରୀ ପାଇଁ ।

 

ସେ ଭଉଣୀଟିଏ । କୁବେର ମନର କଥାହିଁ ପ୍ରକାଶ କରିଛି । ପରୀକୁ ସାନ ଭଉଣୀର ସବୁ ସ୍ଵାଧୀନତା ଦେଇଛି । ସେ ଦୁହିଁଙ୍କ ମନରେ କୌଣସି ଛକାପଞ୍ଝା ଖେଳର ସଂକେତ ନାହିଁ । ପରୀ ତେବେ ଏ ଘରୁ ଦିନେ ଚାଲିଯିବ ? ଦୁଲାଳୀ ଆସିବ, ଅଥବା ଆଉ କେହି ? ପରୀକୁ ଛାଡ଼ି ଆଉ କାହାକୁ ସେ କୋଳରେ ସ୍ଥାନ ଦେଇପାରିବେ ? ସେ ହେବ ବଧୂ । ସେ ତ କନ୍ୟା ହୋଇପାରିବ ନାହିଁ ।

 

ମକରଙ୍କ ଆଗରେ ମନଦୁଃଖରେ ଏଇକଥା କହିଲେ 'ମକର ଓଠରେ ହାତ ଦେଇ ମୁହଁ ଟେକି କହନ୍ତି, ଏଇଥିପାଇଁ ଭାବନା ? କାନ ତଳେ ଓଠ ଲଗାଇ କହନ୍ତି, ଆରେ ବଧୂ ବି କନ୍ୟା ହୋଇପାରେ; ସେତିକି ନୁହେଁ ସୁମତି, ସେ ବି ଜନନୀ ହୁଏ ।’

 

ଆଉ ମୋ ପରୀ ?

ସୁମତିଙ୍କ ଆଖି ଛଳଛଳ ଦେଖି ମକର କହନ୍ତି, ସେ ବି ସୁଖରେ ରହିବ, ସଂସାର କରିବ ।

କିପରି ? ସେ ତ କୁଳର କନ୍ୟା କେହି ବିଶ୍ୱାସ କରିବେ ନାହିଁ ?

ଆଗୋ, ଦୁନିଆଁ ବଦଳି ଯାଉଛି । ସମସ୍ତେ କୁଳର କନ୍ୟା । ଅପେକ୍ଷା କର ।

 

ଆନନ୍ଦର ପାରାବାରରେ ଲହଡ଼ି ଉଠେ, ମଥା ଟେକେ, ମଥା ନୁଆଁଏ ପୁଣି ଟେକେ ମଥା...

 

କଥାଟିଏ ପଚାରିବି ଭାଇ ?

 

ସେଇ ରାତିର ନିର୍ଜନତାରେ । କୁବେର ଗିଲାସଟି ଟେବୁଲ ଉପରେ ଥୋଇଦେଇ ହସ ହସ ହୋଇ ପରୀ ମୁହଁକୁ ଅନାଇ କହିଲା, ନା । ପଚାରନା, କହ ।

 

କହୁଛି ତେବେ । ମୋର ଭାଉଜଟିଏ ଲୋଡ଼ା ।

କାହିଁକି ?

 

ପରୀ ପାଖରେ ବସି ତୁନି ତୁନି କହିଲା, ମୋର ସବୁ ଅଛି, ଏକା ସେତିକି ନାହିଁ । ସେଇ ଅଭାବଟା ତମେ ପୂରଣ କରିବ । ଦେବ ନାହିଁ ?

 

ପରୀ କୁବେର ହାତ ଧରି ଅଳି କଲା, ଦେବ ନାହିଁ ?

ଅନ୍ୟମନସ୍କ ହୋଇ କୁବେର ଉତ୍ତର ଦେଲା, ପାରିବି ନାହିଁ ।

କାହିଁକି ?

 

ସଂସାରର ବନ୍ଧନରେ ବାନ୍ଧି ହୋଇ ରହିବାକୁ ମୁଁ ଚାହେଁ ନାହିଁ । ବାହାର ଦୁନିଆଁର ସୁଖଦୁଃଖର ଅନୁଭୂତି ମୁଁ ଲାଭ କରିବାକୁ ଚାହେଁ । ସେଇଥିପାଇଁ ଶୀଘ୍ର ମତେ ଚାଲିଯିବାକୁ ହେବ । ମୁଁ ସେଇଥିପାଇଁ ପ୍ରସ୍ତୁତ ହୋଇଛି ।

 

ଘରକୁ ଲକ୍ଷ୍ମୀ ଆଣିବାକୁ ଅମଙ୍ଗ ହେଲେ ସମସ୍ତଙ୍କର ମନ କଷ୍ଟ ହେବ । ଦାଦା ଓ ଖୁଡ଼ୀ ଆପଣଙ୍କ ପାଇଁ ସବୁବେଳେ ଚିନ୍ତିତ । ସେମାନେ ଧନ ଚାହାଁନ୍ତି ନାହିଁ । ସେମାନେ ବୋହୂଟି ଚାହାଁନ୍ତି-। ଆପଣ ମଙ୍ଗିଲେ ସେମାନେ ବୋହୂ ଆଣିବେ ପାଖକୁ । ତା ପରେ ବାହାର ଦୁନିଆଁର କେତେ ଅଭିଜ୍ଞତା ଗୋଟେଇ ଆଣିବାର ମନ, ଆପଣ ଯାଇ ଆଣନ୍ତୁ ।

 

ପରୀ ହସି ହସି ଲୋଟିଗଲା ।

 

ଗମ୍ଭୀର ହୋଇ କୁବେର କହିଲା, କାହାରି ମନ ରକ୍ଷା କରିବାକୁ ଆଗଭର ହେବା ମୋର ପ୍ରକୃତି ନୁହେଁ । ଯେଉଁଥିପାଇଁ ତିନିବର୍ଷରୁ ଅଧିକ ହେବ ମୁଁ ବାହାର ଦୁନିଆଁ ପାଖରୁ ଛପି ରହିଛି ।

 

କୁବେର ବାଜ୍ୟଟି ଅସମ୍ପୂର୍ଣ୍ଣ ରଖି ପରୀକୁ ଚାହିଁଲେ । ସେ ନିଜେ ଚମକି ଉଠିଲା । ପରୀର ହସିଲା ମୁହଁ ମଉଳିଛି । ଆଖିରେ ସନ୍ଦେହ ଓ ଭୟର ଛାଇ । ପରୀ ଥରିଲା ସ୍ୱରରେ ପଚାରିଲା, କାହିଁକି ?

 

ହସ ହସ ହୋଇ କୁବେର କହିଲା, ତୋରି ପାଇଁ ।

 

ସେ ଲକ୍ଷ୍ୟ କଲା, ପରୀ ଯେପରି ଗୋଟାଏ ଛାତିଫଟା ଚିତ୍କାରକୁ ଅତି କଷ୍ଟରେ ଅଟକାଉଣୁ ଛାତି ଥରି ଉଠିଲା । ନାକପୁଡ଼ା ଥରାଇ ଦୀର୍ଘଶ୍ୱାସ ଛାଡ଼ିଲା । ସେ ଉଠୁ ଉଠୁ ପୁଣି ବସିପଡ଼ି କହିଲା ଭାଇ... !

 

ହଁ, ତୋରି ପାଇଁ । ଦାସୀ ଝିଅର ଆସନରୁ ଆଣି ତତେ ମୁଁ ଘରର ଗେହ୍ଲା ଝିଅ କରିପାରିଛି । ତତେ ମୁଁ ମୋର ଅତି ଆପଣାର ଭଉଣୀ କରିସାରିଛି । ଯେତେ ସ୍ନେହ କୁନ୍ତଳା କି ବିଦୁର ପାଇ ନ ଥିଲେ, ସେତେ ସ୍ନେହ ତୁ ମୋଠୁ ଆଦାୟ କରିଛୁ । ନୁହେଁ ପରୀ ?

 

କୁବେର ହସିଲା ମୁହଁରେ ପରୀର ମୁଣ୍ଡ ଟେକିଲା । ସେ ଲକ୍ଷ୍ୟ କଲା ମୁହୁର୍ତ୍ତକରେ ପରୀର ମନର ସନ୍ଦେହ-କୁହୁଡ଼ି ମିଳାଇଛି । ବାଳାରୁଣର ଲୋହିତ ଆଭାରେ ଉଦ୍ଭାସିତ ହୋଇଛି ମୁହଁ । ଦିଓଟି ନକ୍ଷତ୍ର ପରି ଆଖି ଦିଓଟି ଉଜ୍ଜ୍ୱଳ ଦିଶୁଛି । ଓଠରେ ଝଟକୁଛି ଗୋଲାପି ସ୍ମିତ । କୁବେର ତନ୍ମୟ ହୋଇ ଚାହିଁଲା । କହିଲା, ବୁଝିଲୁ, ମୋର ତିନିବର୍ଷର ତପସ୍ୟାର ଫଳ ଏତକ ।

 

ପରୀ ସତେ କି ନିଜକୁ ଭୁଲିଲା । ଶିଶୁଟି ପରି କୁବେରର ହାତକୁ ଦୁଇ ହାତରେ ଧରି ହଲାଇ ହଲାଇ କହିଲା, ମତେ କ୍ଷମା କର, ମତେ କ୍ଷମା କର ଭାଇ, ଦୁନିଆଁ ଲୋକଙ୍କର କୁଟିଳ ଚାହାଣୀ, ଆବିଳ ଚାହାଣୀ ମୋ ମନରେ ପ୍ରଭାବ ପକାଇଥିଲା, ମତେ କ୍ଷମା କର ।

 

କୁବେର ମଧ୍ୟ ନିଜକୁ ଭୁଲିଲା । ପରୀର ଗଣ୍ଡ ଚୁମ୍ବନ କରି ଶିହରି ଉଠିଲା । ଦେହ ଭିତରୁ ଦିଟି ବ୍ୟକ୍ତିତ୍ୱ ବାହାରି ପରସ୍ପରକୁ ଚାହିଁଲେ ରକ୍ତ ଚକ୍ଷୁରେ । ଦୁହେଁ ଟେକିଲେ ତରବାରୀ । ଆଗରେ ପରୀର ସରଳ, ନିରୀହ, ନିଷ୍କପଟ, କଳୁଷହୀନ, ଉଜ୍ଜ୍ୱଳ ଆତ୍ମା ମଥା ଟେକି ନିର୍ଭୀକ ହୋଇ ହସୁଛି । ନିଜର ଶକ୍ତିରେ ସେ ବଳିଆର । ନିଜର ଦୃଢ଼ତାରେ ସେ ସ୍ଥିର, ଅଚଞ୍ଚଳ ।

 

ତାର ଦୃଷ୍ଟିରେ କୁବେରର ଦୁଇ ବ୍ୟକ୍ତିତ୍ୱର ଅସ୍ତିତ୍ୱ ନାହିଁ । ଗୋଟିଏ ରୂପ-କୁବେର ଭାଇ-ଶାନ୍ତ, ଶିଷ୍ଟ, ଉଦାର, ସତ୍ୟବାନ, ସହାନଭୂତିଶୀଳ, ସ୍ନେହର ପାରାବାର କୁବେର ଭାଇ, ଯେ ତାକୁ ଗେଲ କରିଛି । ଯାହାକୁ ଗେଲ କରି ସେ ନିଜକୁ ଭୁଲିଛି । ଆଜୀବନ ଗେହ୍ଲାରଙ୍କୁଣୀ....

 

କୁବେର କହିଲା, ତତେ ମୁଁ ସତ୍‌ପାତ୍ରରେ ଅର୍ପଣ ନ କରିବା ଯାଏ ବାହାର ଦୁନିଆଁକୁ ବାହାରି ପାରୁନାହିଁ ।

 

ପରୀ ଉଠି ଠିଆ ହେଲା । ଲାଜରେ ମୁହଁ ହେଲା ପାଣ୍ଡୁର । ଲଜେଇ ଲାଜେଇ ତଳକୁ ମୁହଁ ପୋତି କହିଲା, ଭାଇ, ମୁଁ ଆଉ କାହାରି ସଂସାରକୁ ଯାଇ ଅପରିଚିତଙ୍କର ସେବା କରିବାକୁ ଚାହେ ନାହିଁ । ପାରିବି ନାହିଁ । ମୁଁ କାହାରି...., ତୁନି ରହି ପୁଣି ସାହସ ବାନ୍ଧି କହିଲା, କାହାରି ଘରଣୀ ହୋଇ ଏ ଘରୁ ଗୋଡ଼ କାଢ଼ି ଯିବାକୁ ଅନହୁତି ଏ ଘରକୁ ଆସି ନ ଥିଲି । ଏଇଠି ମୋର ଜନମ, ଏଇଠି ହେବ ମରଣ ।

 

ପରୀ– !

 

ହଁ, ଭାଇ । ମୁଁ କାହାରି ଘରଣୀ ହେବି ନାହିଁ । ବଞ୍ଚିଥିବାଯାଏ ମୁଁ ରହିବି ଏ ଘରର କନ୍ୟା, ଏ ଘର ଭଉଣୀ ହୋଇ । ମୋତେ ମୋର ଭାଉଜଟିଏ ଆଣି ଦିଅ । ତାଙ୍କରି ସେବା କରି ମୁଁ ବେଳ କାଟିବି । ଯେଉଁମାନେ ତାଙ୍କ ପେଟରୁ ଜନମିବେ, ସେମାନେ ବି ହେବେ ଭାଇ ଭଉଣୀ । ମୋତେ ସେମାନେ ଅପା ବୋଲି ଡାକିବେ ।

 

ସତେ ?

ମିଛ କହୁନାହିଁ ।

 

ଯେ ଆସିବ ସେ ଯଦି ତୋ ଉପରେ ଅତ୍ୟାଚାର କରେ ? ତତେ ଯଦି ପୁଣି ତୋର ଆସିଲା ଥାନକୁ ଠେଲିଦିଏ ?

 

ସହିବି । ମନ ଖୁସିରେ ଫେରିଯିବି । ମୋତେ ଯେଉଁ ଆଭରଣ ପିନ୍ଧାଇ ଆପଣମାନେ ଦେଖି ଖୁସି ହେଉଛନ୍ତି, ସେ ଆଭରଣ ମୋର ହୋଇଛି ବନ୍ଧ । ନିଜ ଥାନକୁ ମୁଁ ଫେରିଗଲେ ମୁଁ ମୁକ୍ତ ହେବି । ମନପ୍ରାଣ ଦେଇ ସେବା କରିବି । ସେବାରେ ଆନନ୍ଦ ପାଇବି ।

 

ଶୁଣୁ ପରୀ....

କହନ୍ତୁ ।

ପାଖକୁ ଆ... ।

 

ପରୀ କୁବେର ପାଖକୁ ଆସିଲା । ସେ ଯେପରି ଗୋଟାଏ ଅବୋଧ୍ୟ ପ୍ରଶ୍ନ । ସେଇ ଜୀବନ୍ତ ପ୍ରଶ୍ନଟା ଗୋଟାଏ ଉତ୍ତର ପାଇଁ ଡବ ଡବ କରି କୁବେର ବ୍ୟଥିତ ମଥିତ ମନକୁ ଅନାଇ ରହିଛି ।

 

କୁବେର ପଚାରିଲା, ଅଭିମାନ ?

 

ଓଠରେ ଶୁଖିଲା ହସ । ପରୀ କହିଲା, ଆପଣ ମତେ ଭୁଲ ବୁଝନ୍ତୁ ନାହିଁ । ମୋର ମନର କଥା ମୁଁ କହିଲି ।

 

ତେବେ, ତେବେ, ମୋ ମନର କଥା ତୁ ଶୁଣିବାକୁ ପ୍ରସ୍ତୁତ ଅଛୁ ? କୁବେର ଆଖିରେ ଆଗ୍ରହ ।

 

ପରୀର ଛାତିରେ ଛନକା । ଡରିଲା ସ୍ଵର କହିଲା, କୁହନ୍ତୁ ।

 

ଯେଉଁ ସ୍ନେହ ମୁଁ ତୋତେ ଅର୍ପଣ କରିଛି, ସେଥିରୁ କାଣିଚାଏ ନେଇ ମୁଁ ଆଉ କାହାକୁ ଦେବାକୁ ଚାହେଁ ନା । ତୋତେ କୁନ୍ତଳାର ସ୍ଥାନକୁ ମୁଁ ଠେଲି ଦେଇପାରିବି ନାହିଁ । କାହାରି ହାତ ଧରିବାକୁ ମୋର ଆଗ୍ରହ ନାହିଁ । ମୁଁ ବି ହେବି ଦୁନିଆଁର ପୁଅ, ଦୁନିଆଁର ଭାଇ । ହେଲା ତ ? ଏଥର ଯା... ।

 

ପରୀର ଆଖିରେ ଢଳ ଢଳ ଲୁହ । କ’ଣ କହିବାକୁ ଓଠ ଥରାଇ ସେ ସମ୍ବୋଧିଲା, ଭାଇ...

 

ଆଉ ସେ କଥା ପଡ଼ିବ ନାହିଁ । ମୁଁ ତୋର ବଡ଼ ଭାଇ । ତୁ ମୋର ସାନ ଭଉଣୀ । ବଧୂ ଓ ବିବାହ ଏ କଥା ତୁଣ୍ଡରେ ଧରି ବୃଥାରେ ମନରେ ଉତ୍ତେଜନା ଆଣିବା ଉଚିତ ନୁହେଁ । ତୁ ଯା... ନୂଆବୋଉର ସପନ କେବେ ଦେଖିବୁ ନାହିଁ ।

 

ଶିତୁଳିଆ ଜହ୍ନ ଆଲୁଅରେ ରାଈ ଧରିଲା ପରୀର ହାତ । ତୁନି ତୁନି କହିଲା, ଏଣିକି ଆସ-

 

କବାଟ ଖୋଲି ଦୁହେଁ ଗଲେ ବାରିଆଡ଼କୁ । ପରୀର ଛୋଟ ବଗିଚାରୁ ଗୋଲାପ ଫୁଲର ମହକ ଛୁଟି ଆସୁଛି ।

 

ରାଈ ତୁନି ତୁନି କହିଲା, ତମର ଲୁଚକାଳି ଖେଳ ଆଉ ଛପି ରହିବ ନାହିଁ । ମୁଁ ସିନା ପାଟିରେ ତୁଣ୍ଡି ଦେଇ ରହିବି, ଦଇବ ଅବଶ୍ୟ ଧରେଇଦେବ । ଭାଇ ଭାଇ କି ଭଉଣୀ ଭଉଣୀ ହୁରି ପକେଇଲେ ବି ଯିଏ ଭାଇ ନୁହେଁ, ସେ ଭାଇ କି ଭଉଣୀ ହୁଏ ନାହିଁ ।

 

ରାଗ ତମ ତମ ହୋଇ ପରୀ ପଚାରିଲା, କି ଉପଦେଶ ମତେ ତୁ ଦେବାକୁ ଚାହୁଁଛୁ ? ଉପଦେଶ ନୁହେଁ ଯେ....

 

ଆଉ କଣ ?

 

କହୁଥିଲି, ଆଲୋ ଝିଅ, ସବୁଦିନେ ଏମିତି ଜହ୍ନରାତି ରହିବ ନାହିଁ । ଯେଉଁମାନେ କାଲି ତତେ ଘୃଣା କରୁଥିଲେ ସେଇମାନେ ଆଜି ତତେ କୋଳରେ ପୂରେଇଛନ୍ତି କାହିଁକି ? ସବୁ ଚିଜ ତୋ ହାତରେ ସମର୍ପି ଦେଇଛନ୍ତି କାହିଁକି ଲୋ ? ଆଲୋ ପାଠୋଈ ଓଲୁ, ତୁ ସିନା କୁହୁଡ଼ି ପହଁରୁଛୁ-। ସ୍ନେହ ମମତା କଣ ଜାଣି ନ ଥିଲୁ ବୋଲି ଟିକେ ଆଦର ପାଇ ସପନରେ ରାଜଜେମା ହୋଇ ମନେ ମନେ କାଣୀ ପିଠା ଖାଉଛୁ । ସତ କଥାଟା ମୋ ଆଖିକୁ ଜଳ ଜଳ ହୋଇ ଦିଶୁଛି ।

 

ପରୀ ମନରୁ ରାଗରୋଗ ଉଭେଇଗଲା । ଯେଉଁ ରାତିରେ ରାଈ ତାର ଭାବନାକୁ ଆଲୋଡ଼ିତ କରିଥିଲା, ସେ ରାତି ଓ ଏ ରାତି ମଝିରେ ସମୟରେ ବ୍ୟବଧାନ ଯେପରି ଲୁପ୍ତହେଲା-

 

ପରୀ କହିଲା, କ’ଣ ଦିଶୁଛି ତୋ ଆଖିକୁ ?

 

ମରମ କହିବି । ଅଇଗୁଣ ପାଇବୁ ନାହିଁ । ସାନ ସାଆନ୍ତାଣୀ ତତେ ଝିଅକରି କୋଳରେ ବସେଇଛନ୍ତି । ସେ ଜାଣନ୍ତି, ସାଆନ୍ତେ ବି ତତେ ଭଲ ପାଉଥିଲେ । ହାତଧରି ଗେଲ କରିବାକୁ ମୁହଁ ବଢ଼ାଉଥଲେ । ଗେଲରୁ ତେଲ ବାହାରେ । ସେ ଜାଣନ୍ତି, ଯଦି ସେ ତତେ କୋଳରେ ଥାନ ନ ଦେବେ ସାଆନ୍ତେ ଦିନେ ନା ଦିନେ ସେତକ କରିବେ ।

 

କହିଯା... ।

 

ସତ କହିବାକୁ ମୁଁ ଡରେ ନାହିଁ । ତାଙ୍କ ମନକଥା ମୁଁ ଜାଣେ । ସେଇଥିପାଇଁ ଏ ଭିଆଣ ସେ କରିଛନ୍ତି । ତାଙ୍କ ମନକାମନା ପୂରଣ ହେଇଛି । ନଅବରଷ କାଳ ଯେଉଁ ଗେରସ୍ତ ତାଙ୍କୁ ପାଖରେ ପୂରାଉ ନ ଥିଲେ, ସେ ଏବେ ଦଣ୍ଡେ ନ ଦେଖିଲେ ବଣା ହେଉଛନ୍ତି । ଜାଣୁ, ତାଙ୍କର କ’ଣ ପିଲାଛୁଆ ହେବ ?

 

ମତେ ଭାରି ଖୁସି ଲାଗୁଛି ରାଈ....

 

ବେଶୀ ଦିନ ନୁହେଁ । ତୋ ପାଇଁ ସେ ଲମ୍ବ ଦଉଡ଼ା ଛାଡ଼ି ଦେଇଛନ୍ତି । କୁବେରବାବୁ ତତେ ଭଲ ପାଆନ୍ତି, ଏକଥା ସେ ଜାଣନ୍ତି । ଯେଉଁଦିନ ବଳେ ଦୁନିଆଁ ଜାଣିବ, ସେଦିନ ତୋ ତଣ୍ଟିରେ ହାତ ଦେଇ ହସିହସିକା ତତେ ଏ ଘରୁ ବିଦା କରିଦେବେ ।

 

ସେ ମୋର ଭାଇ ।

 

ତୁ ଭାବିଛୁ ସେଇଆ । ହେଲେ ତମର ଏ ଖେଳ ଭାଇଭଉଣୀଙ୍କର ଖେଳ ନୁହଁ । ଆଗହୁଁ ସାବଧାନ କରିଦେଉଛି । ମୋ ସାନକୁହା ମାନିବୁ ?

 

କହ ।

ମୋର ବୋହୂ ହେବୁ ?

ଏଁ... ?

 

ମିଛ କହୁନାହିଁ । ସଂସାରରେ ସବୁକଥା ଯଦି ଚଳିଲାଣି ଏକଥା କଣ ଅଚଳ ହେବ ? ସାହି ଭାଇ ଅଡ଼ିଲେ ମୋ ଆକୁଳିର କେହି ନାହିଁ । ଜଣକୁ ଜଣେ । ଘରଦ୍ଵାର କରି ସୁଖରେ ରହିବ-। ସାଆନ୍ତାଣୀଙ୍କ ପାଣ୍ଠି ଆଜି ତୋ ହାତରେ । କାଲି ତ ଆଉ ରହିବ ନାହିଁ ।

 

ପରୀ ଚମକି ଉଠିଲା । କହିଲା, ବୁଝିଲି ଲୋ ରାଈ, ତୋ ଆଖି ମୋଠେଁଇ ନାହିଁ । ତୋ ଆଖି ସାଆନ୍ତାଣୀଙ୍କ ଧନରେ । ତୋର ମନକାମନା ପୂର୍ଣ୍ଣ ହେବ ନାହିଁ, ଭାବୁଛି ଏଇ ରାତିରେ ତୁ ଓ ତୋ ପୁଅ ଏ ଘରୁ ବିଦାହୋଇ ଯିବ କି ନାହିଁ । ଜାଣୁ ତୁ, ମୋ ତୁଣ୍ଡରୁ ଯଦି ଏକଥା ବାହାରେ... ।

 

ଭୟଭୀତ ହୋଇ ରାଈ କହିଲା, ଦେଈ, ତମ ଗୋଡ଼ ଧରୁଛି । ବୁଢ଼ୀଲୋକ । ମତିଭ୍ରମ ହେଲାଣି । ପାଟିରୁ କଅଣ ଗୁଡ଼ାଏ ବାହାରି ପଡ଼ିଲା । କାନମୋଡ଼ି ହେଉଛି । ରାଈବୁଢ଼ୀ ଗୋଡ଼ ଧରିବାକୁ ନଇଁପଡ଼ିଲା ।

 

ପରୀ ତାର ହାତ ଧରି ତଳୁ ଉଠାଇ କହିଲା, ଉଠ୍‌ ରାଈ, ମୁଁ ତୋର କି ତୋର ପୁଅର ଅନିଷ୍ଟ କରିବି ନାହିଁ । ଯେଉଁ ଆସନ ମୋତେ ସେମାନେ ଦେଇଛନ୍ତି ତାର ସମ୍ମାନ ମୁଁ ରଖିବି । ସତେ, ଖୁଡ଼ୀ ଯଦି ଲମ୍ବ ଦଉଡ଼ା ଛାଡ଼ି ଦେଇଛନ୍ତି ରାଈ, ତାଙ୍କ ମନକୁ ସେ ବେକର ଦଉଡ଼ା ଖୋଲିଦେବେ । ଯାହାଙ୍କୁ ମୁଁ ଭାଇ ବୋଲି ମଣିଛି, ଭଉଣୀ ବୋଲି ଗେଲ କରିବାକୁ ଆସିଲେ ମନ ଖୁସିରେ ଯାହାଙ୍କ ଆଡ଼କୁ ହସି ହସି ମୁଁ ହାତ ବଢ଼ାଇ ଦେଇଛି, ତାଙ୍କ ମନରେ ଯଦି ଅପବିତ୍ର ଭାବ ଥାଏ, ସେ ଭାବ ଆପେ ଆପେ ପବିତ୍ର ହେବ ।

 

ମୋର ଦୋଷ ହେଇଛି ଦେଈ-

ଉଠ୍‌ । ବଞ୍ଚଲେ ଦେଖିବୁ ।

ମୋର ମରଣ ହେଉ....

 

ବୋହୂ ହାତର ପରସା ଖାଇ ମରିବୁ । ତୋ ପୁଅର ହାତକୁ ଦିହାତ କରେଇ ତାକୁ ଥଇଥାନ କରିବା ଦାୟିତ୍ୱଟି ମୋର । ଭଲ ଝିଅଟିଏ ଖୋଜୁଥା... ।

 

ଠାକୁରେ ତମକୁ ଦୀର୍ଘାୟୁ କରୁନ୍ତୁ ।

 

ରାଈର କଲ୍ୟାଣ ଶୁଣିବାକୁ ପରୀ ମୁହୁର୍ତ୍ତେକ ଅପେକ୍ଷା କରିଲା ନାହିଁ । ପେଟ ଭିତରେ ହସର ଲହଡ଼ି ଭାଙ୍ଗୁଥାଏ । ତଥାପି, କେଜାଣି କାହିଁକି ଛାତି ଭିତରେ କେଉଁ କନ୍ଦିରେ ଅନିଶ୍ଚିତତା ଅଧ ରାତିର ଏକୁଟିଆ ବିଲୁଆ ପରି ବିଳପି ଉଠୁଥାଏ ।

 

ପରୀ– !

 

ତାଙ୍କର ସ୍ଵରରେ ସତେକି ତିରସ୍କାର ମିଶି ରହିଛି । ଦୃଷ୍ଟିରେ ସନ୍ଦେହ ଓ ଶାସନ । ଯେ କ୍ଷଣେ ନୀରବ ରହି ପୁଣି କହିଲେ, ରାଈ ପରିହାସ କରି ଯାହା କହିଲା, ସଂସାର ଲୋକେ ଦୁର୍ନାମ ରଟାଇବାକୁ ଅବିକଳ ସେଇଆ କହିଥାନ୍ତେ । ମୋ ଆଖିରେ ପଡ଼ିଥିଲେ ମୁଁ ମଧ୍ୟ ଆକଟ କରିବାକୁ ସେଇକଥା କହିଥାଆନ୍ତି । ମୁଁ ତୋର ଦୋଷ ଦେଉନାହିଁ ।

 

ପରୀ ମଥା ନୋଇଁ ଖବରକାଗଜକୁ ଚାହିଁଲା । ଖୁଡ଼ୀକୁ ସେ ସବୁକଥା କହି ନାହିଁ । କେଉଁ ଅଜଣା ଭୟ ଓ ସଂକୋଚ ତାର ସରଳ ନିଷ୍କପଟ ମନକୁ ଉହାଡ଼ କରି ରଖୁଛି । ସେ କହିଛି, ଭାଇ ଖୁସି ହୋଇ ତାଙ୍କୁ ଗେଲ କରନ୍ତି । ଆଉ, ସେ ବି ଭାଇଙ୍କୁ ଗେଲ କରେ । ରାଈ ଏଇଆ ଦେଖି ମନରେ ଅନୀତି ଧାରଣା ଆଣି, ଭାଇଭଉଣୀର ସ୍ନେହଆଦର, କୌତୁକକୁ ଲୁଚକାଳି ଖେଳ ବୋଲି ଆଖ୍ୟା ଦେଇ ଉପହାସ କରିଛି ।

 

ଖୁଡ଼ୀ, ମୁଁ କ’ଣ ଅନ୍ୟାୟ କରିଛି ?

 

ଖୁଡ଼ୀ ଯଦି ତାର ଦୋଷ ନ ଦେଲେ, ଦୋଷ ଦେବେ କାହାର ? କୁବେର ଭାଇଙ୍କ ପାଖକୁ ଆଗ ସେ ଯାଇଥିଲା । ଗୋଡ଼ ଦିଓଟି ଧରି କ୍ଷମା ଚାହିଁଥିଲା, ସ୍ନେହରେ ସେଇଠି ସେ କରିଥିଲେ ଚୁମ୍ବନ ।

 

ପରୀ କହିଲା, ଦୋଷ ମୋର ହେଉଛି ଖୁଡ଼ୀ...?

 

ସୁମତିଙ୍କର ମୁହଁରେ ମ୍ଲାନ ହସ । ସେ ପରୀର ମୁଣ୍ଡରେ ହାତ ରଖି ତାର କେଶ ଆଉଁଶି କଅଁଳେଇ କହିଲେ, ଆଲୋ ଝିଅ, ମୁଁ କାହାରି ଦୋଷ ଦେଉନାହିଁ । ଝିଅ ଜନମ ଅତି ନିଉଛୁଣା । ଝିଅ ବଡ଼ ହେଲେ, ବାପ ଦାଦି ବି ସଂକୁଚିତ ହୋଇ ରହିବା ଭଲ । ମା ପେଟର ଭାଇ ହେଉ ପଛେ ଆଡ଼େଇ ରହିବା ଆମ ଦେଶର ବିଧାନ । ହସିବାକୁ, ଖେଳିବାକୁ, ଗୀତ ବୋଲିବାକୁ କେହି ମନା କରୁନାହିଁ । ସ୍ନେହ ସରାଗ ମନରେ ଥାଉ । ଭାଇ ପାଇଁ ଭଉଣୀ, ଭଉଣୀ ପାଇଁ ଭାଇ ଜୀବନ ଦେଉ-। ମନ ଭିତରେ ସ୍ନେହ ଭଲ । ସାନ ସାନ ପିଲାଟିମାନେ ପରସ୍ପରକୁ ଗେଲ କରନ୍ତି, କଜିଆ ବି ଲଗାନ୍ତି । ସେଥିରେ ଦୋଷ ନାହିଁ । ସେଇ ପିଲାଏ ବଡ଼ ହୋଇଗଲେ ପରସ୍ପର ପାଖରୁ ଦୂରେଇ ରହନ୍ତି, ଆଡ଼େଇ ରହନ୍ତି । ସେଇଆ ଏଣିକି କରିବୁ ପରୀ ।

 

ପରୀ କହିଲା, ହଁ ଖୁଡ଼ୀ ! ମୁଁ ଜାଣି ନ ଥିଲି ।

 

ସୁମତି କଥା ବୁଲେଇ କହିଲେ, ଜାଣୁ, ତୋର ଭାଇର ଗୋଟିଏ ବାହାଘର ସମ୍ବନ୍ଧ ଆସିଛି-? ସବୁ ପ୍ରସ୍ତାବକୁ ସେ ମନାକରି ଦେଉଛନ୍ତି । ତୁ ଜିଦି ଧରିଲେ ହୁଏତ ସେ ମଙ୍ଗିବେ । ବୋହୂଟିଏ ଏ ଘରକୁ ଆସିଲେ କେଡ଼େ ଭଲ ହେବ । କୁବେରର ବୟସ ହେଲାଣି... ।

 

ପରୀ ଆଗ୍ରହ ଦେଖାଇ କହିଲା, କେଉଁଠୁ ସମ୍ବନ୍ଧ ଆସିଚି ? ଭାଇ ନ ମଙ୍ଗିବେ କାହିଁକି ?

କେଉଁଠି ତ ରାଜି ହେଉନାହାନ୍ତି ।

 

ତମ ମନକୁ ଆଉ ଦାଦାଙ୍କ ମନକୁ ପାଇଲେ ଭାଇ ଅବଶ୍ୟ ରାଜି ହେବେ । ସତେ ଖୁଡ଼ୀ, ଏ ଘରକୁ ନୂଆ ବୋହୂ ଆସିଲେ କେଡ଼େ ଭଲ ହେବ । ମୁଁ ଭାଇଙ୍କି କହିବି ।

 

କହିବୁ ? ମଙ୍ଗେଇ ପାରିବୁ ? ପାତ୍ରଟିକୁ କଟକରେ କୁବେର ଦେଖୁଛନ୍ତି । ଭଲକରି ଚିହ୍ନନ୍ତି-। ତାଙ୍କର ମନ ମାନିଲେ ଆମେ ଖୁସି ହବା ପରୀ ।

 

ଗ୍ରାମୋଫୋନ୍‍ ଗୀତ ଶୁଭିଲା । କୁବେର ଏତେବେଳଯାଏ କୁଆଡ଼େ ଯାଇନାହିଁ । ନୂଆ ରେକର୍ଡ଼ କଟକରୁ ମଗାଇଥିଲା । ଭଲମନ୍ଦ ଟେଷ୍ଟ କରୁଛି । ଯେତେ ଯେତେ ଭଲ ରେକର୍ଡ ସେ ଆଣେ, ଚାରି ଛ’ ଥର ବଜାଇଲା ପରେ ଆଉ ପାରେ ନାହିଁ । ଶୁଣି ଶୁଣି ପରୀ ମନେରଖେ । ଗ୍ରାମୋଫୋନ୍‍ର ସ୍ଵର ବି ଅନୁକରଣ କରେ । ଯନ୍ତ୍ର ସଙ୍ଗୀତ ଅପେକ୍ଷା ପରୀ କଣ୍ଠର ସଙ୍ଗୀତ ଶୁଣିବାକୁ ସମସ୍ତଙ୍କୁ ଭଲଲାଗେ ।

 

ନୂଆ ରେକର୍ଡ଼ ଆସିଛି । ପରୀ ପାଇଁ ନୂଆ ପାଠ । ସେ ମୁଖସ୍ଥ କରିବ । ତାର ଗୀତ ଖାତାରେ ଉତାରି ରଖିବ । ଗାଁ ଝିଏ ପରୀର ଗୀତ ଖାତା ନେଇ ଉତାରିବେ, ପରୀଠୁଁ ସ୍ଵର ଶିଖିବେ-। ଏ ଗୀତଟି ସତେ ନୂଆ ଧରଣର । ଝିଅଟିଏ ଗାଇଛି । ତାବଲାର ତାଳ ଧୀରେ ଧୀରେ ପଡ଼ୁଛି । ଅନ୍ୟ କେଉଁ ବାଦ୍ୟଯନ୍ତ୍ରର କେଁ କେଁ ଶୁଭୁନାହିଁ । ପ୍ରତି ପଦ କଥା କାନରେ ବାଜୁଛି । ଅତି କରୁଣ ସେ ସ୍ଵର ।

 

ସୁମତି କାନ ଡେରିଲେ । ପରୀ ତନ୍ମୟ ହୋଇ ଶୁଣିଲା କେବଳ କରୁଣ ନୁହେଁ, ସେ ସ୍ଵରରେ ଅଭିମାନ ପୂରିରହିଛି।

 

–ଶୁଣିବ ମୋର କଥାଟି ? ମୋ ମନର ବ୍ୟଥାଟି ?

 

ତା'ପରେ, ଅତି କରୁଣ, ହୃଦୟଥରା ତାର ମନର ବ୍ୟଥା, ତୁଣ୍ଡର କଥା ଆମେ ହାଡ଼ଭଙ୍ଗା ପରିଶ୍ରମ କରୁଁ । ତଥାପି ଉପାସରେ ରହୁଁ । ଶୀତରେ ଥୁରୁ ଥୁରୁ କମ୍ପୁ । ବରଷା ପାଣିରେ ନିତି ଓଦା ହେଉଁ । ଶୁଣିବ ? ସବୁରୋଗ ଆଗ ଧରେ ଆମୁକୁ । ଜଣ ଜଣ ହୋଇ ଆଗ ଆମେ ନିପାତ ହେଉଁ-। ବଂଶ ବୁଡ଼େ । ସାହି ଭାଙ୍ଗେ । ଆମ ଢିଅରେ ଅନ୍ୟର ବାଇଗଣ କଳା ମିଚି ମିଚି ହୁଏ । ଯେଉଁମାନେ ଆମ ହାଡ଼ ମାଂସ ରକତ ଖାଇ ପୁଷ୍ଟ ହୋଇଥାନ୍ତି, ସେଇମାନେ ଆମ ଢିଅରୁ ବାଇଗଣ ତୋଳନ୍ତି । ମୁଁ ଅତି ନିରିମାଖୀ ଝିଅଟିଏ । କେହି ମୋର ନାହିଁ । କିଛି ମୋର ନାହିଁ । ଶୁଣିବ ମୋର କଥାଟି ? ବାଟରେ ମୁଁ ଠିଆ ହୋଇଛି । ରୋଗରେ ମୁଁ ସଢ଼ୁଛି । କାମ କରିପାରିବି ନାହିଁ । ଭିକ କେହି ଦେବେ ନାହିଁ । ବଞ୍ଚି ରହିବାକୁ ମନ ହେଉଛି । ନିଜକୁ ମୁଁ ବିକିବି । ହେ ବାଟୋଇ ଚାଲି ଯାଅନା । ଶୁଣ ମୋର କଥା ! ବୁଝ ମୋର ବ୍ୟଥା । ନିଜକୁ ମୁଁ ବିକିବି ।

 

ପରୀର ଛାତି ଥରିଉଠିଲା । ଗୀତ ବନ୍ଦ ହେଲା । ଖୁଡ଼ୀ ଉଠିଗଲେ ମକର ବାବୁଙ୍କ ଘରକୁ, କହିଗଲେ, ଥା, ମୁଁ ଆସୁଛି ।

 

ପରୀ ଠିଆହେଲା । ଆର ଘରୁ ପୁଣି ଶୁଭିଲା ଗୀତ- ମୁଁ କ୍ରୀତଦାସ, ଗ୍ରାମହୀନ, ବାସହୀନ-। ହାତଗୋଡ଼ ଚଳିଲାଦିନୁ ମୁଁ କାମ କରିଛି । ବୟସର ବୋଝରେ ମୁଁ ନଇଁପଡ଼ିଛି । କେଶ ନାହିଁ, ଦାନ୍ତ ନାହିଁ, ଆଖିର ଆଲୁଅ ମିଞ୍ଜି ମିଞ୍ଜି ହେଲାଣି । ତଥାପି, ମୋ ହାତରେ କୋଡ଼ି । ଗ୍ରାମହୀନ, ବାସହୀନ କ୍ରୀତଦାସଟିଏ । ଯେଉଁମାନଙ୍କୁ ମୁଁ ସଂସାରକୁ ଆଣିଥିଲି ସେମାନେ ବି ଦାସ-। ଏଇ ହାତର କରାମତିରେ ବିଲରେ ନାଚେ ଧାନ । ସେ ଧାନ କିନ୍ତୁ ମୋର ନୁହେଁ । ମୁଁ ରହେ ଉପାସ । ଏଇ ହାତର ଶକ୍ତିରେ କେତେ ଘର, କେତେ ମନ୍ଦିର ଗଢ଼ାଯାଇଛି । ମୋର ନାହିଁ ମୁଣ୍ଡ ଗୁଞ୍ଜିବାକୁ କୁଡ଼ିଆ । ପର ଓଳି ତଳେ ମୋର ଆଶ୍ରା, କାରଣ ମୁଁ ବାସହୀନ ଦାସଟିଏ... ।

 

ସୁମତି ଫେରିଆସିଲେ । ହାତରେ ଖଣ୍ଡେ ଚିଠି । କହିଲେ, ନେ ମା, ଏ ଚିଠି ମେନକା ଲେଖିଛନ୍ତି କଟକରୁ । ଆମ କୁନ୍ତଳାର ସେ ନଣନ୍ଦ ହେବେ ଲେଖାରେ । ଯେଉଁ ଝିଅଟି ସମ୍ବନ୍ଧରେ ସେ ଲେଖୁଛନ୍ତି, ଦୁଲାଳୀ...

 

ସୁମତି ଦେଖିଲେ, ପରୀର ଆଖିରେ ଲୁହ ଛଳ ଛଳ ହେଉଛି । ବିଜୁଳି ବେଗରେ ତାଙ୍କ ମନରେ ଖେଳିଲା ଯେଉଁ ଭାବନା, ଆପେ ଆପେ ଓଠରେ ଉଠିଲା ହସ । ପରୀ ହାତରୁ ଚିଠିଖଣ୍ଡ ଟାଣିଆଣି କହିପକାଇଲେ, ଥାଉ ମୁଁ ନିଜେ ପଚାରି ବୁଝିବି ।

 

କାହିଁକି, ମତେ ସେ ଚିଠି ଦେଲେ ମୁଁ ତାଙ୍କୁ ଦେଖାଇବି । ତାଙ୍କ ମନର କଥା ବୁଝିବାକୁ ମୋତେ ଡେରି ଲାଗିବ ନାହିଁ । ଦିଅ ମତେ ଚିଠିଟି ।

 

ପରୀ ହାତ ବଢ଼ାଇଲା ଆଗ୍ରହରେ । ତାର ଉତ୍‍ଫୁଲ୍ଲ ମୁହଁଟି ସ୍ଥିର । ଚିଠି ପୁଣି ତା ହାଡ଼କୁ ବଢ଼ାଇଦେଇ ସେ ପଚାରିଦେଲେ, ତୋ ମନରେ ସୁଖ ନାହିଁ ମା, ଆଖିରେ ଲୁହ ଢଳ ଢଳ ହେଉଛି-? ମନ କଥାଟି କହିବୁ ନାହିଁ ତୋର ଖୁଡ଼ୀକୁ ?

 

ପରୀ ଚମକି ଉଠିଲା । ଅଜାଣତରେ ଆଖିକୁ ଆସିଲା ଯେଉଁ ଲୋତକ, ଖୁଡ଼ୀଙ୍କ ପ୍ରଶ୍ନିଳ ମନର କି ଜବାବ ସେ ଦେଲା ? ଆକଟି କରି ଭଲ ଶିକ୍ଷା ସେ ଦେଲେ । ଚିଠିଖଣ୍ଡ ବଢ଼ାଇ ଦେଉଣୁ ଆଗ ସେ କଅଣ ଭାବିଲେ ? ପରୀ ଉତ୍ତର ଦେଲା, ସେଇ ଗୀତ ଦିଓଟି ଖୁଡ଼ୀ, ଭାଇ । ଯାହାକୁ ବଜାଉଥିଲେ, ଅତି କରୁଣ ।

 

ହସି ହସି ସୁମତି ଚିବୁକ ଧରି, ଆଖିରେ ସ୍ନେହ ଭରି ମୁଣ୍ଡ ଟୁଙ୍ଗାରି କହିଲେ, ହଁ ଅତି କରୁଣ । ଯା ଶୁଣିବାକୁ, ଶିଣିବୁ ମୋ ଆଗରେ ଗାଇବୁ । ଯା...

 

ମେନକାଙ୍କର ଚିଠି ।

 

ଥରଟିଏ ପଢ଼ି ଟେବୁଲ ଉପରେ ରଖୁ କୁବେର ଚାହିଁ ରହିଛି । ସତେ କି ଆହୁରି ଥରେ ସେ ମନଦେଇ ପଢ଼ୁଛି । ମୁହଁ ଗମ୍ଭୀର । ମନ ଭିତରେ ବେଦନାର ସିନ୍ଧୁ ଉଦ୍‌ବେଳିତ ହୋଇ ଉଠିଛି-। ଅତୀତ ଚାରିବର୍ଷର ଲମ୍ବ ବାଟ-ମୁହୁର୍ତ୍ତକରେ ଅତିକ୍ରମି ଆଗରେ ପ୍ରକଟିତ ହୋଇଛି । ବହୁଦିନ ହେଲା ସେ ମେନକା କିମ୍ବା ଦୁଲାଳୀଙ୍କ ପାଖକୁ ପତ୍ର ଲେଖିଲା ନାହିଁ । ସେମାନେ ମଧ୍ୟ ପତ୍ର ଲେଖିନାହାଁନ୍ତି । ତଥାପି ମେନକା ତାକୁ ମନେ ରଖିଛନ୍ତି । ବନ୍ଧନରେ ବାନ୍ଧିବାକୁ ଫାନ୍ଦ ପାତିଛନ୍ତି । କିନ୍ତୁ ସେ ଦୁଲାଳୀର ମନ ଜାଣନ୍ତି ନାହିଁ । ଦୁଲାଳୀର ସଂକଳ୍ପ ଜାଣନ୍ତି ନାହିଁ ।

 

ଆଗରେ ବସିଛି ପରୀ । ମନଦେଇ କୁନ୍ତଳାର ଲମ୍ବା ଚିଠି ପଢ଼ୁଛି । ମୁହଁରେ କୌଣସି ଭାବର ପରିବର୍ତ୍ତନ ଲକ୍ଷ୍ୟ କରି ହେଉନାହିଁ । ବେଳେ ବେଳେ ଓଠ ଥରିଉଠୁଛି । କୁବେର ଚାହିଁଲା ଟେବୁଲ ଉପରେ ରଖାହୋଇଥିବା ଗ୍ରାମଫୋନ୍‌କୁ । ଏବେ ବି ସେଇ ରେକର୍ଡ଼ଟି ଲଗାହୋଇ ରହିଛି-। ଅଖିଳବାବୁ ବାଛି ବାଛି ଭଲ ଆଧୁନିକ ରେକର୍ଡ଼ କଟକରୁ କିଣି ଆଣିଛନ୍ତି ।

 

କିଏ ସେ ଦୁଲାଳୀ ଦେବୀ ଗାୟିକା ? କିରାଣୀର ଝିଅ, ଧନପତିର କନ୍ୟା, ଡାକ୍ତରୀ ଛାତ୍ରୀ ଦୁଲାଳୀ ଗୀତ ବୋଲେ ? ତାର ଛାତିରେ ପୁଣି ସ୍ପନ୍ଦନ ଆଣେ ଦରିଦ୍ର ନିଃସହାୟ ସର୍ବହରା ରୋଗଣା ଝିଅଟିଏ ? କୋଡ଼ିହସ୍ତ, ବୃଦ୍ଧ ଅଭାବଗ୍ରସ୍ତ ମୂଲିଆ ? ଦୁଲାଳୀ ତ ଏପରି ନ ଥିଲା ? ସେ ଆଉ କେହି ହୋଇଥିବ । ମେନକା କାହିଁକି ସମ୍ବନ୍ଧ ପଠାଇଛନ୍ତି ? ହଁ, ଦୁଲାଳୀ ଏହାଁହି ତ ଆଗରୁ ଲେଖିଥିଲା ।

 

ପରୀ ପଢ଼ୁଛି କୁନ୍ତଳାର ପତ୍ର– X X ସବୁ ଖବର ମୁଁ ପାଇଛି ଭାଇ, ଦୁନିଆଁରେ କୌଣସି କଥା ଅଛପା ରହେ ନାହିଁ । ଚାକରାଣୀ ଟୋକୀ ପରୀର ଭାଗ୍ୟ ଓଲଟିଛି । ସେଥିପାଇଁ ମୋ ମନରେ ତିଳେ ହୋଇ ଈର୍ଷା ନାହିଁ । କ୍ଷୀର ଦେଇ ମା ସାପଛୁଆ ପୋଷିଥିଲେ । ସେ ବଡ଼ ହୋଇଛି-। ସମସ୍ତଙ୍କୁ ଦଂଶନ କରିଛି । ବିଷର ଜ୍ୱାଳାରେ ସମସ୍ତେ ଆପଣମାନେ ଘାରି ହେଉଛନ୍ତି । ଅନ୍ଧ ହୋଇଛନ୍ତି । ଦୁନିଆଁ ଅନ୍ଧ ନୁହେଁ । ଦୁନିଆଁର ଲୋକଙ୍କ ଆଖିକୁ ସବୁ ଜଳଜଳ ହୋଇ ଦେଖାଯାଏ । ମାଆ ପେଟର ବୋଲି ଆଗରୁ ସାବଧାନ କରିଦେବାକୁ ସାହସ କଲି ।

 

ନିଜର ସୁଖଦୁଃଖ କଥା କଅଣ ଲେଖିବି ଭାଇ ? ମୋର ଭାଗ୍ୟ ମୁଁ ଭୁଞ୍ଜୁଛି । ଶଶୁର ମଲା ଦିନରୁ ଆଜିକି ଚାରିମାସ ହେଲା ଶାଶୁ ବିଛଣା ଧରିଛନ୍ତି । ଆପଣଙ୍କର ଭିଣୋଇ ସୁଗ୍ରୀବବାବୁଙ୍କର ନାଣ୍ଡି ବାହାଘର ଲାଗିଛି । ଟଙ୍କା କଉଡ଼ି ହାତରେ ପଡ଼ିବାରୁ ସେ ଏକାଥରେ ସ୍ୱାଧୀନ ହୋଇଛନ୍ତି । କି ବ୍ୟବସାୟ ସେ କରୁଛନ୍ତି କେଜାଣି, ଯେତେ ଯାହା ପାଉଛନ୍ତି ସବୁ ନେଇ କଟକ ଯାଉଛନ୍ତି । ହାତରୁ ପଇସା ସରିଲେ ପୁଣି ଚାଲିଆସୁଛନ୍ତି ଗାଆଁକୁ । ବୋଉ କିଛି କହୁନାହାନ୍ତି । ମୁଁ ପଦେ ପଚାରିଲେ ମୋ ଉପରକୁ ଚିହିଙ୍କି ଉଠୁଛନ୍ତି । କରପତ୍ର ଯୋଡ଼ି ମୁଁ ଦୂରେଇ ରହୁଛି । ଏହାଛଡ଼ା ମୋର ଅନ୍ୟ ଉପାୟ ନାହିଁ ।

 

କାହିଁକି ? କାହାପାଇଁ ମୁଁ ଗର୍ବ କରିବି ? ମୋର ବାପା ନାହାଁନ୍ତି । ମୋର ମା ନାହାଁନ୍ତି । ପରଘରକୁ ଆସିଲା ଦିନୁ ଆପଣ ମୁହଁଛପା ଦେଇ ରହିଛନ୍ତି । ଆଗେ କେବେ କେମିତି ଚିଠି ଖଣ୍ଡେ ଦେଉଥିଲେ, ଏବେ ସେତକ ବି ନାହିଁ । ଜାଣି ଜାଣି କୌଣସି ଅପରାଧ ତ ମୁଁ ଆପଣଙ୍କ ପାଖେ କରିନାହିଁ । ଦାଦା ଯେତେଥର ଆସନ୍ତି, ଦିନକରୁ ଦୁଇଦିନ ସେ ରହନ୍ତି ନାହିଁ । ସେ କନ୍ୟାଦାନ କରିଛନ୍ତି ବୋଲି ଏ ଘରେ ଜଳ ସ୍ପର୍ଶ କରନ୍ତି ନାହିଁ । ତାଙ୍କର ଆସିବା ଖବର ପାଇ ସୁଗ୍ରୀବବାବୁ କାମ ବାହାନାରେ କଟକ ଚାଲିଯାଆନ୍ତି । ଦାଦାଙ୍କ ସଙ୍ଗେ ଯେଉଁ ସମୟରେ ଦେଖାହୁଏ, ଘରର ଲୋକେ ଚାରିଆଡନୁ ଜୁଳୁ କୁଳୁ କରି ଅନେଇ ରହିଥାନ୍ତି । ତାଙ୍କର ଗୋଡ଼ ଧରି ମନଖୋଲି ମୁଁ କାନ୍ଦିପାରେ ନାହିଁ । ଏଇ ମୋର ଭାଗ୍ୟ ।

 

ଭାବିଥିଲି, ଦିନେ ମୁଁ ନିଜେ ଯାଇ ଆପଣଙ୍କ ପାଖରେ ପହଞ୍ଚିବି । ଶାଶୁଙ୍କୁ ଏପରି ଅବସ୍ଥାରେ ଛାଡ଼ି ଯିବାକୁ କଷ୍ଟ ହେଉଛି । ମୁହୁର୍ତ୍ତେ ପାଖରୁ ଅନ୍ତର ହେଲେ ସେ କି କାଣ୍ଡ ଭାଆଇବେ ମୁଁ ଜାଣିପାରୁ ନାହିଁ । ତଥାପି, ମୁଁ ଯାଆନ୍ତି । ଘର ଭିତରକୁ ଗୋଡ଼ ବଢ଼ାଇଲେ ଆଗ ମୋ ଆଖିରେ ପଡ଼ିବ ପରୀ । ମୁଁ ଯାହା ଶୁଣିଛି ପରୀକୁ ମୁଁ ସେଇ ସ୍ଥାନରେ ଦେଖି ସହିପାରିବି ନାହିଁ-। ସେ ଘରେ ପରୀ ଥିବାଯାକେ ସେ ଘରର କବାଟ ମୋ ପାଇଁ ବନ୍ଦ । କାରଣ ଯେଉଁସ୍ଥାନ ମୁଁ ଖୋଲା ପକାଇ ଆସିଥିଲି, ସେ ସ୍ଥାନ ଯଦି ଗୋଟାଏ ଚାକରାଣୀ ଟୋକୀ ପୂରଣ କରିଥାଏ, ମୋ ପାଇଁ ଆଉ ସ୍ଥାନ କାହିଁ ?

 

ଶୁକୁଟା ପାଇଁ ଘରତୋଳା ସରିଛି । ଶଶୁରେ ବଞ୍ଚିଥାଉଣୁ ମୋର ଅନୁରୋଧ ରଖି ଶୁକୁଟା ନାମରେ ପାଞ୍ଚମାଣ ଜମି ଲେଖି ଦେଇଛନ୍ତି । ପରୀକୁ ଯଦି ଶୁକୁଟା ସହିତ ବିବାହ କରିବେ, ସେ ସୁଖରେ ରହିବ । ସବୁ ଅଶାନ୍ତି, ଅପମାନ, ସମାଲୋଚନାରୁ ସମସ୍ତେ ଉଦ୍ଧାର ପାଇବେ । ପରୀର ଭଲମନ୍ଦ, ଭିବଷ୍ୟତ କଥା ମୁଁ ବୁଝିବି । ସେ ସୁଖରେ ରହିବ, ଅଥଚ ତାର ବିଷଦାନ୍ତ ପ୍ରୟୋଗ କରିପାରିବ ନାହିଁ । ଆପଣ ମଙ୍ଗିଲେ ତ ? ଦିନକ ପାଇଁ ଆପଣ ଥରେ ଆସିବେ କି ? ମା ପେଟରୁ ଜନମି ପର ଘରକୁ ଆସିଥିବା ଭଉଣୀର ସୁଖଦୁଃଖ ଥରେ ଦେଖିଯିବେ ?

 

ପରୀ ଦୀର୍ଘଶ୍ୱାସ ଛାଡ଼ି ପତ୍ରଖଣ୍ଡି କୁବେର ହାତକୁ ବଢ଼ାଇଦେଲା । ଓଠରେ ସ୍ନିଗ୍‌ଧ ହସ ବିକଶି ଉଠିଲା । ସେ ଆଗ ବଳିପଡ଼ି କହିଲା, ଏ ପତ୍ରର ଉତ୍ତର ମୁଁ ଦେବି ଭାଇ, ମତେ ଆପଣ ଅନୁମତି ଦିଅନ୍ତୁ ।

 

ଆଶ୍ଚର୍ଯ୍ୟ ହୋଇ କୁବେର ଚାହିଁଲା ପରୀକୁ । କହିଲା, କି ଉତ୍ତର ତୁ ଲେଖବୁ ଶୁଣେ ?

 

ଯେଉଁ ପତ୍ରଟି ଆପଣ ପଢ଼ିଲେ, ସେଥିରେ ଯେଉଁ ପ୍ରସ୍ତାବ ଅଛି ସେ ସମ୍ବନ୍ଧରେ ଆପଣଙ୍କର ମତାମତ ଉପରେ ମୋ ଉତ୍ତର ନିର୍ଭର କରେ ।

 

ମୁଁ ବିବାହ କରିବି ନାହିଁ ଦୁଲାଳୀ ଦେବୀଙ୍କୁ ?

 

କୁବେରର ପାତକୀ ମନ ପରୀର ହସିଲା ମୁହଁ ଓ ଆଗ୍ରହଭରା ଦୃଷ୍ଟିରେ ତାର ପ୍ରଶ୍ନର ମର୍ମ ବୁଝିବାକୁ ଚେଷ୍ଟା କଲା । ସେ ଭାବିଲା, ନିର୍ଲ୍ଲଜ ଯେପରି ଭଦ୍ରତାର ଆଢ଼ୁଆଳରେ ଠିଆହୋଇ ଲୋକାଚାର ଭୟରେ ଭଲପଣିଆଁର ମୁଖା ପିନ୍ଧି ଅଭିନୟ କରୁଛି, ସମସ୍ତଙ୍କର ଆଖିରେ ଭେଳିକି ଲଗାଇଛି, ପରୀ ମଧ୍ୟ ସେହିପରି ଅଭିନୟ କରୁଛି ।

 

କୁବେର କହିପକାଇଲା, ଜଣକ ଛଡ଼ା ଦୁନିଆଁରେ ଆଉ କାହାକୁ ମୁଁ ମୋ ଜୀବନର ସାଥୀ କରିବାକୁ ବାଛି ପାରିବି ନାହିଁ ପରୀ ।

 

କୁବେରର କଣ୍ଠସ୍ୱର ଥରିଉଠିଲା । ସେ ଅନୁଭବ କଲା, ସତେ ଯେପରି ପରୀ ଏତେଦିନକେ ତାର ମନକଥା ବୁଝି ପାରିଛି । ନୋହିଲେ, କାହିଁକି ପରୀ ସହସା ଚମକି ଉଠନ୍ତା ? କାହିଁକି ହଠାତ୍‍ ତା ଓଠର ହସ ମଳିନ ହୁଅନ୍ତା ?

 

କୁନ୍ତଳାର ପତ୍ର ଖଣ୍ଡି ଟିକି କରି ଚିରିପକାଇ କୁବେର କହିଲା, ତା ପତ୍ରର ଏହି ଉତ୍ତର ମୁଁ ଦେବାକୁ ଚାହେଁ ।

 

ପରୀ ନିରୁତ୍ତର ।

 

କିଛିକ୍ଷଣ ନୀରବ ରହି କୁବେର କହିଲା, ପରୀ, ଅନେକ ଦିନ ଗତ ହୋଇଛି । ନିଜ ପାଖରେ, ତା ପାଖରେ ଓ ଦୁନିଆଁ ପାଖରେ ମୁଁ ଆଉ ଲୁଚକାଳି ଖେଳିବାକୁ ଚାହେଁ ନାହିଁ । ତୁ ଯଦି ଆଜି ଏ ବିଭାଘର ପ୍ରସ୍ତାବ ନେଇ ଆସି ନ ଥାନ୍ତୁ ହୁଏତ ମୋ ନିଜ ଭିତରର ସଂଘର୍ଷକୁ ଲୁଚାଇ ଛପାଇ ଆହୁରି କେତେଦିନ ବିତେଇ ଦେଇଥାନ୍ତି । କିନ୍ତୁ, ଯାହା ହୋଇଛି ଭଲ ହୋଇଛି ।

 

ପରୀ ବିଚଳିତ ହୋଇ କୁବେର ମୁହଁକୁ ଚାହିଁଲା । ଡରି ଡରି ପଚାରିଲା, ପାଟିରେ କଥା ଅଟକି ଯାଉଥାଏ, ସେ ଜଣକ କିଏ ଭାଇ ?

 

କୁବେର ଉତ୍ତର ଦେଲା ନାହିଁ । ଉଠି ଠିଆହେଲା । ଅନ୍ୟମନସ୍କ ହୋଇ ଗ୍ରାମଫୋନ୍ ବନ୍ଦ କଲା । ରେକର୍ଡ଼ଟି ଗ୍ରାମଫୋନ୍ ଉପରେ ରଖି ଦୀର୍ଘଶ୍ୱାସ ଛାଡ଼ିଲା । କଣେଇ ଚାହିଁଲା । ପରୀ ନିର୍ବାକ ହୋଇ ତଳକୁ ମୁହଁ ପୋତି ବସିଛି । କପାଳରେ ବିନ୍ଦୁ ବିନ୍ଦୁ ସ୍ଵେଦ । ସେ ଅବଶ୍ୟ ତାର ପ୍ରଶ୍ନର ଉତ୍ତର ଅନୁମାନ କରିନେବଣି । ଜଣା କଥା... ସଂସାରର ଲୋକ ହସିବେ । ତୀବ୍ର ସମାଲୋଚନା କରିବେ । ନିନ୍ଦା ରଟାଇବେ । ସେ ସବୁ ସହିବ । ଚାରିବର୍ଷ କାଳ ଭିତରେ ଯେଉଁ ଯନ୍ତ୍ରଣା ସେ ସହିଛି ତା ତୁଳନାରେ ଲୋକଙ୍କର ସମାଲୋଚନା, ଗଞ୍ଜଣା ଓ ନିନ୍ଦା କିଛି ନୁହେଁ । ଏହାପରେ ଘଟିବ ତୁମୁଳ କାଣ୍ଡ । ହୁଏତ ଦାଦିଖୁଡ଼ୀଙ୍କଠାରୁ ଭିନ୍ନ ହେବାକୁ ପଡ଼ିବ । ଯାହା ହେବାର ହେଉ, ନିଜକୁ ଆଉ ସେ ଜାଳିପୋଡ଼ି ମାରିପାରିବ ନାହିଁ ।

 

ବାପାଙ୍କର ରୋଗିଣା ମୁଣ୍ଡଟି କୋଳରେ ଧରି ଯେଉଁଦିନ ସେ ହସିଲା ମୁହଁରେ ତାକୁ ଚାହିଁଥିଲା, ତାର ସେହି ଦୃଷ୍ଟିହିଁ ଜୀବନକୁ ତା’ର ଆଲୋକିତ କରିଥିଲା । ତାର ଚଗଲା ମନକୁ ଶିକୁଳି ପିନ୍ଧାଇ ଅଟକେଇ ରଖିଥଲା । ମେନକାର ଅନୁଭୂତି ଓ ଦୁଲାଳୀର ଅନୁରାଗକୁ ସେଇ ଚାହାଣୀ କେତେଦୂରକୁ ଠେଲି ଦେଇଥିଲା । କୁନ୍ତଳାର ଅଭିମାନ ଆପେ ଆପେ ଦୂରକୁ ଠେଲି ହୋଇ ଯାଇଥିଲା । ଚାରୋଟି ବର୍ଷ ଚାରୋଟି ଆଖି ପିଛଡ଼ା ପରି କଟି ଯାଇଛି ଏଇ ପରୀର ସାନ୍ନିଧ୍ୟରେ । ପରୀ ନିର୍ବୋଧ ନୁହେଁ । ପରୀ ନିଶ୍ଚୟ ତାର ଅନ୍ତର ତଳର ଛପିଲା କଥା ବୁଝି ପାରିଛି-

 

ବୁଝିପାରିଛି, ପରୀ । କୁହୁଡ଼ିର ଅନ୍ତରାଳରେ ଯାହା ତାର ଆଖିକୁ ଝାପ୍‍ସା ଦେଖାଯାଉଥିଲା ଆଜି ତାହା ପରିଷ୍କାର ଦିଶୁଛି । ଦୁନିଆଁର ଲୋକେ ଯାହା ଅନୁମାନ କରି ନିନ୍ଦା ରଟାଇଥଲେ ତାହା ସତ୍ୟ । ରାଈବୁଢ଼ୀ ମିଛି କହିନାହିଁ । ଖୁଡ଼ୀଙ୍କର ଶାସନ ନିରର୍ଥକ ନୁହେଁ । କୁବେର ଭାଇ ବାହାରେ ନିଜକୁ ଯେତେ ଭଲ ବୋଲି ଦେଖାଇଲେ ମଧ୍ୟ ଭିତରେ ସେ ସାଧାରଣ ମଣିଷଟିଏ । ଗାଆଁର ଆଉ ଦଶଟା ମଣିଷଙ୍କ ପରି ସେ ମଧ୍ୟ ଦୁର୍ବଳ ।

 

ପରୀ ମୁହଁ ଟେକି ଚାହିଁଲା ! ଦେଖିଲା, କୁବେର ଅତି ଆଗ୍ରହରେ ତାଆରି ଆଡ଼କୁ ଅନାଇଁ ରହିଛି ।

 

କୁବେର କହିଲା, ତୋ ପ୍ରଶ୍ନର ଉତ୍ତର, ଏକା ତୁଇ ପରୀ.... ।

 

ରୁଦ୍ଧ, ଆବେଗ ଓ ଅଭିମାନର କୋହକୁ ପରୀ ଅଟକାଇ ପାରିଲା ନାହିଁ । ଚିତ୍କାର କରି ଉଠିଲା, ଭାଇ.... !

 

ଆଖିରେ ସହସା ପୂରିଉଠିଲା ଲୁହ । ସେ ଉଠୁ ଉଠୁ ବସିପଡ଼ି ଦୁଇ ହାତରେ ମୁହଁ ଛପାଇ କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ତାଙ୍କ ମନର ଧାରଣା ଓ ତାଙ୍କର ଏଇ ଆଗ୍ରହ ପାଇଁ କିଏ ଦାୟୀ !

 

ପରୀ ନିଜକୁହିଁ ଦୋଷୀ ମଣିଲା । ତାର ଚଳନ ଓ ଢଙ୍ଗରେ କେଉଁଠି ତ୍ରୁଟି ରହିଯାଇଛି, ଯେଉଁଥିପାଇଁ କୁବେର ଭାଇଙ୍କ ମନରେ ସେ ଭ୍ରାତୃଭାବ ପରିବର୍ତ୍ତେ ଅଙ୍କୁରିତ କରିଛି ପ୍ରେମ । କଅଣ ସେ ତ୍ରୁଟି ?

 

ପରୀର ମୁଣ୍ଡ ବୁଲାଇଲା । ଭାବନାଶକ୍ତି ଭାଜିଲା । ସେ ମୁହଁ ଖୋଲି ଲୋତକଝରା ଆଖିରେ ଥରିଲା କଣ୍ଠରେ କହିଲା, ଭାଇ, ଭାଇ, ମୁଇଁ ପାତକୀ.... ।

 

ସେ ଆଉ ଅଧିକ କହିପାରିଲା ନାହିଁ । ଆଉ କଅଣ କହିବାକୁ ହେବ ସେ ଜାଣେ ନାହିଁ । ମା ପେଟରୁ ଜନମ ଲଭି ନ ଥିଲେ ମଧ୍ୟ ଯାହାଙ୍କୁ ଭାଇ ବୋଲି ଡାକି ଆସିଛି, ଯାହାଙ୍କ ପାଖରେ ସାନ ଭଉଣୀର ଦାବୀ ସେ କରିଆସିଛି, ତାଙ୍କ ତୁଣ୍ଡରୁ ଏପରି କଥା ସେ ଶୁଣିବା ବୋଲି କେବେ ଆଶା କରି ନ ଥିଲା । ତୁଣ୍ଡର କଥାହିଁ ତାଙ୍କ ମନର କାମନାକୁ ପ୍ରକଟିତ କରିଛି । ତାଙ୍କ ମନରେ କିଏ ରୋପିଲା କାମନାର ବୀଜ, କିଏ ଜନ୍ମାଇଲା ଅଙ୍କୁର ?

 

ସେ ନିଜେ ପରୀ ।

 

କେବେ କିପରି ସେ ଜାଣେ ନାହିଁ । ତଥାପି ସେ ଅନୁଭବ କରୁଛି ସେ ପାତକୀ । କୁବେର ଭାଇଙ୍କର ଅନାବିଳ ନିଷ୍କପଟ ସରଳ ସୁନ୍ଦର ମନକୁ ସେ ଅଜାଣତରେ କଳୁଷିତ କଳଙ୍କିତ କରିଛି ।

 

ପରୀର ସାରା ଶରୀର ଝିମେଇ ଉଠିଲା । ଯେଉଁ ପ୍ରତିଜ୍ଞା ସେ କରିଥିଲା–କାହାରି ପତ୍ନୀତ୍ୱ ସେ ଗ୍ରହଣ କରିବ ନାହିଁ, କାହାରି ହେବନାହିଁ ଗୃହିଣୀ । ସେ ରହିବ ଦୁନିଆଁର ଦୁହିତା ଓ କନ୍ୟା ହୋଇ...ସେ ପ୍ରତିଜ୍ଞା ଓ ସଙ୍କଳ୍ପ ଦୋହଲି ଉଠିଲା ।

 

ସେ ବିଳିବିଳେଇଲା ପରି କହି ଉଠିଲା, ସଂସାରର ଲକ୍ଷ କୋଟି ଦୃଷ୍ଟି ଆଗରେ ମୁଁ ମୋର ଭାଇକୁ କଳଙ୍କିତ କରିପାରିବି ନାହିଁ । ଯେଉଁଦିନ ମୋ ତୁଣ୍ଡରୁ ମୋର ଆତ୍ମାର ପୁଲକ କୁହାଟ ତେରବର୍ଷ ତପସ୍ୟାର ଫଳ ପଦଟିଏ ଡାକ ‘ଭାଇ’ ଖସି ପଡ଼ିବ ସେଇଦିନ ହେବ ମୋର ମରଣ । ଲୁହଝରା ଆଖିରେ କୁବେର ଗମ୍ଭୀର ବିରସ ଚାହିଁ ରହିଲା । ଦୁହିଁଙ୍କର ଦୃଷ୍ଟି ନିବଦ୍ଧ ହେଲା ଦୃଷ୍ଟିରେ-। ମନେହେଲା ସତେକି ଗୋଟିଏ ଯୁଗ ବିତିଯାଇଛି, କୁବେର ଭାଇର ଛାତିତଳେ ଛପିଲା ସବୁ ଆବିଳତା ତାର ତେଜୀୟାନ, ସରଳ, ପବିତ୍ର, ନିଷ୍କପଟ ଆଖିର ଆଲୁଅରେ ସେ ପୋଡ଼ି ଜାଳି ପାଉଁଶ କରିଛି । ଓଠରେ ଉଦିଲା ଦ୍ୱିତୀୟାର ଚାନ୍ଦ । ଜୀବନତନ୍ତ୍ରିଥରା ଆବେଗଭରା ଧୀର ସ୍ଵରରେ ସେ କହିଉଠିଲା, କୁନ୍ତଳା ଦେଈଙ୍କୁ ଲେଖିଦିଅ ଭାଇ, ଲେଖିଦିଅ ମୁଁ ଶୁକୁଟାକୁ ବିବାହ କରିବି । ଏତିକି ମୋର ଶେଷ ଅନୁରୋଧ, ଶେଷ ମାଗୁଣି... ।

 

ପରୀ ଦୁଇ ହାତରେ ମୁହଁ ଘୋଡ଼ାଇଲା । ପୁଣି କଇଁ କଇଁ ହୋଇ କାନ୍ଦିଉଠିଲା ।

 

କୁବେର ବିଚଳିତ ହେଲା । ଛାତି ଥରିଥର ହୋଇ କମ୍ପି ଉଠିଲା । ସତେ ସେ ନରାଧମ । ସେ ପାତକୀ ।

 

ଦାସୀ କନ୍ୟାଟିଏ ହେଲେ ମଧ୍ୟ ଯେଉଁ ସରଳ, ପବିତ୍ର, ଅମଳିନ ସୁନ୍ଦର ପଦ୍ମଫୁଲଟି ପରି ଟିକି ଭଉଣୀଟି ନିଃସଂକୋଚରେ ନିଜକୁ ତାର ଗୋଡ଼ତଳେ ସମର୍ପି ଦେଇଥିଲା, ଚୁମ୍ବନ କରିବାକୁ ମୁହଁ ବଢ଼ାଇ ଦେଇଥିଲା, ଗଳାରେ ବାହୁ ବେଷ୍ଟନ କରି ଚୁମ୍ବନ କରିଥିଲା, ତା ପ୍ରତି ମନର ସରାଗ ବଢ଼ାଇ ସେ ଅନ୍ୟାୟ କରିଛି, ପାପ କରିଛି ।

 

ପରୀ ତାର ଆଖି ଆଗରୁ ଅନ୍ଧପୁଟଳି ଘୁଞ୍ଚାଇଛି ।

ପରୀ– !

 

ପରୀ ଚାହିଁଲା । କୁବେର ଭାଇର ଆଖିରୁ ଦୁଇଧାର ଲୁହ ଗଡ଼ିଆସୁଛି । ଥରିଲା ସ୍ୱରରେ କହିଲା, ତୁ ମୋର ଟିକି ଭଉଣୀ ଲୋ ପରୀ, ତୁ ମୋର ସୁନା ଭଉଣୀ । ତୋର ହଳଦୀ ବଲବଲ ମାଟି ଧୂଳିବୋଳା ନଙ୍ଗଳା ଦେହକୁ ଛାତିରେ ଜାକି, ସିଙ୍ଘାଣି ନାକକୁ କେବେ ଚିପି ନ ଥିଲି କି ତୋର ନଖ ଆମ୍ପୁଡ଼ା ଦାଗ ଗାଲରେ ପାଇ ନ ଥିଲି । ଆଖିରୁ ଲୁହ ଝରାଇ ଦାନ୍ତ ରଗଡ଼ି କେବେ ତୁ କାନ୍ଦି କାନ୍ଦି କହି ନ ଥିଲୁ ଅଲକ୍ଷଣାଟା ମରିଯା । ସେଇଥିପାଇଁକି କଣ ତୋ ଅଜାଣତରେ, ମୋ ଅଜାଣତରେ ମୋ ମନର ଅନ୍ଧାରରେ ଅସନା ଭାବନା କେବେ ବସା ବାନ୍ଧିଥିଲା । ଆଜି ତୁ ତେର ବର୍ଷ ତଳକୁ ମୋତେ ଫେରାଇ ନେଇଛୁ । ଆମ୍ପୁଡ଼ି ବିଦାରି ଅଲକ୍ଷଣା ମରିଯା କହି ତୋର ଭଉଣୀପଣ ସାବ୍ୟସ୍ତ କରିଛୁ । ପରୀ, ଦାଦା ଓ ଖୁଡ଼ୀଙ୍କୁ ତୁ କହି ଦେ, ମେନକା ଅପା ଯେଉଁ ସମ୍ବନ୍ଧ ପଠାଇଛନ୍ତି, ସେଥିରେ ମୋର ମତ ଅଛି । ଦୁଲାଳୀ ତୋର ନୂଆଉ ହେବ ।

 

ଝଲସି ଉଠିଲା ପରୀର ଆଖି । ଝଟକି ଉଠିଲା ପରୀର ଓଠରେ ହସ । ସେ କହି ଉଠିଲା, ସତେ ସତେ ? ତେମେ ମୋର ସୁନାଭାଇ । କୁନ୍ତଳା ଅପାର ଚିରିଲା ଚିଠିର ଜବାବ୍ ମୁଁ ଲେଖିଦେବି ।

 

ହଁ, ଲେଖିଦେବୁ ଶୁକୁଟା ମୁହଁରେ ନିଆଁ ଦେବାକୁ ଭାଇ ତୋ ଚିଠି ପଛେ ଯାଉଛନ୍ତି ।

 

ଝରି ଆସିଥିବା ଆଖିର ଲୁହ ପୋଛି କୁବେର ପୁଣି କହିଲା, ମନେରଖିଥା, ମୋ ଭଉଣୀ ପରୀ ପାଇଁ ମୋ ମନମାଫି ବର ମୁଁ ବାଛିବି । ପାଟି ଖୋଲିବୁତ ପୁଣି ଦେଖୁବୁ ।

 

ପରୀ ଲାଜରେ ଆଖି ନୋଇଁଲା । ମୁଣ୍ଡ ଟେକି ଭାଇର ହସିଲା ଆନନକୁ ଚାହିଁ ମୁହଁ ମୋଡ଼ି ସୁସମ୍ବାଦଟି ଖୁଡ଼ୀଙ୍କୁ ଦେବାକୁ ପଦାକୁ ଛୁଟିଗଲା ।

 

ତା ୭-୧-୧୯୯୬

ଅନୁଗୋଳ

Image